ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧି ନେଇ ଦେଶବ୍ୟାପୀ ଉଦ୍ବେଗ, ଚିଦମ୍ବରମ କହିଲେ – ଏହି ଦୁଇ ସାମଗ୍ରୀ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ


ଭୁବନେଶ୍ୱର, ସେପ୍ଟେମ୍ବର ୦୩ (ମୋଅନୁଭବ.କମ୍): ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଉଛି । ରାଜଧାନୀ ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ୭୮ ଟଙ୍କା ୧୧ ପଇସା ଥିବା ସମୟରେ କଟକରେ ୭୮ ଟଙ୍କା ୦୩ ପଇସା ରହିଛି । ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ପରିମାଣରେ ନିମ୍ନଗାମୀ ହେଉ ଥିବା ବେଳେ ପେଟ୍ରୋଲିୟମ ଜାତ ସାମଗ୍ରୀର ମୂଲ୍ୟ ବଢି ଚାଲି ଥିବାରୁ ଦରଦାମ ଉପରେ ଏହାର ଗୁରୁତର ପ୍ରଭାବ ଦେଖିବାକୁ ମିଳୁଛି । ଏହି ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର, ବିଶେଷକରି କେନ୍ଦ୍ର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ମନ୍ତ୍ରୀ ପ୍ରଧାନ ଏଥି ପାଇଁ ଆମେରିକାକୁ ଦାୟି କରି ନିଜ ମୁଣ୍ଡରୁ ଅଠା ଛଡାଇବାକୁ ଉଦ୍ୟମ କରିଛନ୍ତି । ତେବେ, କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ଲଗାଇ ଥିବା ମାତ୍ରାଧିକ ଟିକସ ଏହି ଦୁଇ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରମୁଖ କାରଣ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦମ୍ବରମ ସୋମବାର ଦିନ ନୂଆଦିଲ୍ଲୀ ଠାରେ ମନ୍ତବ୍ୟ ଦେବା ସହ କେନ୍ଦ୍ର ଓ ରାଜ୍ୟ ସରକାରମାନେ ତୁରନ୍ତ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟି (ଗୁଡ୍ସ ଏଣ୍ଡ ସର୍ଭିସ ଟ୍ୟାକ୍ସ) ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ସେ କହିଛନ୍ତି, ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦର ଯେଉଁ ଭଳି ଭାବରେ ବଢି ଚାଲିଛି, ତାହା ଗ୍ରହଣୀୟ ନୁହେଁ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲାଗୁ କରି ଥିବା ଟିକସ କମାଇଲେ ଏହି ଦୁଇ ସାମଗ୍ରୀର ଦର କମିବ । ତେଣୁ, ପେଟ୍ରୋଲ ଓ ଡ଼ିଜେଲକୁ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯିବା କଂଗ୍ରେସ ଚାହୁଁଛି ।
ପେଟ୍ରୋଲ ଓ ଡ଼ିଜେଲର ଅହେତୁକ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦାୟି କରୁଥିବା ଏକ ଛଳନା ବୋଲି ଉଲ୍ଲେଖ କରି ଚିଦମ୍ବରମ କହିଛନ୍ତି, ରାଜ୍ୟମାନଙ୍କ ଆଡୁ ଲାଗୁ ହୋଇଥିବା ଟିକସ ହ୍ରାସ କରାଗଲେ ଏହି ଦୁଇ ସାମଗ୍ରୀର ଦର କମିବ ବୋଲି କେନ୍ଦ୍ର କହୁଥିବା ବେଳେ ଦେଶର ୧୯ଟି ରାଜ୍ୟରେ ବିଜେପିର ସରକାର ରହିଛି । ତେଣୁ, କେନ୍ଦ୍ରର ଯୁକ୍ତି ଛଳନାତ୍ମକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ ଏହି ଦୁଇ ସାମଗ୍ରୀକୁ ଜିଏସଟି ଅଧିନକୁ ଆଣିବା ଦିଗରେ ପଦକ୍ଷେପ ନେବା ଉଚିତ । ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ସହ ଦେଶରେ ଆମେରିକୀୟ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ମାତ୍ରାରେ ହ୍ରାସ ପାଇବା ଗତ ୯ ଦିନ ଧରି ପେଟ୍ରୋଲ ଓ ଡ଼ିଜେଲର ଅବିଶ୍ୱସନୀୟ ଦରବୃଦ୍ଧି ପାଇଁ ଦାୟି ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲାଗୁ କରିଥିବା ଟିକସ ଦରବୃଦ୍ଧିର ଅନ୍ୟତମ କାରଣ ଥିବା ଜଣାପଡିଛି । ନୂଆଦିଲ୍ଲୀରେ ସୋମବାର ଦିନ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୯ ଟଙ୍କା ୧୫ ପଇସା ଥିଲା । ରବିବାର ଦିନ ତାହା ୭୮ ଟଙ୍କା ୮୪ ପଇସାରେ ବିକ୍ରି ହୋଇଥିଲା । ସେହିପରି, ସୋମବାର ଦିନ କଲିକତାରେ ପେଟ୍ରୋଲ ଲିଟର ପିଛା ଦର ୮୨ ଟଙ୍କା ୦୬ ପଇସା, ଚେନ୍ନାଇରେ ୮୨ ଟଙ୍କା ୨୪ ପଇସା ଓ ମୁମ୍ବାଇରେ ୮୬ ଟଙ୍କା ୫୬ ପଇସା ଥିଲା ବେଳେ ରବିବାର ଦିନ କଲିକତାରେ ପେଟ୍ରୋଲ ଲିଟର ୮୧ ଟଙ୍କା ୭୫ ପଇସା, ଚେନ୍ନାଇରେ ୮୧ ଟଙ୍କା ୯୨ ପଇସା ଓ ମୁମ୍ବାଇରେ ୮୬ ଟଙ୍କା ୨୫ ପଇସାରେ ବିକ୍ରି ହୋଇଥିଲା ।
ପେଟ୍ରୋଲ ଓ ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିର ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କେନ୍ଦ୍ର ସରକାର ନିର୍ବାଚନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧି ଘଟାଇ ଠିକ୍ ନିର୍ବାଚନ ପୂର୍ବରୁ ମୂଲ୍ୟ ହ୍ରାସ କରିବା ମାଧ୍ୟମରେ ଜନସାଧାରଣଙ୍କ ସହାନୁଭୂତି ଗୋଟାଇବା ଚକ୍ରାନ୍ତରେ ଅଛନ୍ତି । କଂଗ୍ରେସ ଦଳ ତାହା କରାଇ ଦେବ ନାହିଁ ବୋଲି ଦଳର ଯୁବ ନେତାମାନେ କହିଛନ୍ତି । ଦରବୃଦ୍ଧି ବିରୋଧରେ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS