‘ସଂକଳ୍ପ’ର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ, ପ୍ରଥମ ଦିବସରେ ନାଟକ ‘ମାନୁଷ ଗଛ୍’ ଓ ‘ଆକାଶରେ ତାରା’
ରାଉରକେଲା, ନଭେମ୍ବର ୦୭: ଏଠାକାର ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ‘ସଂକଳ୍ପ’ ପକ୍ଷରୁ ସ୍ଥାନୀୟ ସିଭିକ ସେଂଟର ପରିସରରେ ୧୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନା ସହରସେବା ବିଭାଗ ମହାପ୍ରବନ୍ଧକ ନିରୋଦ କାନ୍ତ ସାମନ୍ତରାୟ ଏହାକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିବା ସହ ରାଉରକେଲାର ନାଟ୍ୟ ପରମ୍ପରାର ଉଦାହରଣ ଦେଇ ଦିନକୁ ଦିନ ନାଟକ ପ୍ରତି ଯୁବବର୍ଗ ବିମୁଖ ହେଉଥିବା ସମାଜ ପାଇଁ କ୍ଷତିକାରକ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ମଂଜୁ ମୁଖାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ସୁଜିତ ବିଶ୍ୱାସ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସମ୍ବଲପୁର ବିଶ୍ୱାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ସମର ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାଟ୍ୟକଳାର ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଦିବଗନ୍ତ ସଭ୍ୟ ଚିତ୍ତ ରଣାଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟ ନୀରବ ପ୍ରର୍ଥନା କରାଯାଇଥିଲା । ପ୍ରଥମ ଦିବସର ସଭା କାର୍ଯ୍ୟକୁ କିଶୋରୀ ଦାସ ସଂଯୋଜନା କରିଥିଲେ । ଏହି ନାଟକ ମହୋତ୍ସବ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୨ଟି ନାଟ୍ୟଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ମହୋତ୍ସବର ପ୍ରଥମ ଦିବସରେ ଶିକ୍ଷାବିତ ତଥା ନାଟ୍ୟକାର ପ୍ରଦୀପ ପଡାଂଙ୍କ ରଚିତ ଓ ନିହାର ମିଶ୍ରଙ୍କ ନିର୍ଦେଶିତ ନାଟକ ‘ମାନୁଷ ଗଛ୍’ ପ୍ରଦର୍ଶିତ ହୋଇଯାଇଛି । ନାଟକରେ ଗଛ ଓ ମଣିଷର ଏକ ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିଥିଲା । ନାଟକର ମୁଖ୍ୟ ଚରିତ୍ର ଦଶରଥ ପେଷାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଜ ପୁଅକୁ ଉଚ୍ଚ ଶିକ୍ଷିତ କରିବା ପରେ ପୁଅ ବିଦେଶରେ ଚାକିରୀ କରି ଆଉ ନିଜ ଜନ୍ମ ମାଟିକୁ ଫେରି ନାହିଁ । ପିତୃ ଋଣକୁ ସେ ଭୂଲି ଯାଇଛି । ଦଶରଥ ନିଜ ହାତରେ ତିଆରି କରିଥିବା ଏହି ମଣିଷଟି କିପରି ନିଜ ଜନ୍ମ ମାଟି, ପରିବାର ପ୍ରତି ତାହାର ଦାୟିତ୍ୱ ଭୂଲି ଗଲା, ତାହା ଦଶରଥଙ୍କୁ ଦଃୁଖ ଦେଇଛି । ଶେଷରେ ଦଶରଥ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ନାଟକଟି ସରନା ନବ ଯୁବକ ସଂଘ, ରାଉରକେଲାର କଳାକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ଦେଶିଆ ଭାଷା ସଂଯୋଜନା ସାଙ୍ଗକୁ ଆଦିବାସୀ ଜନଜୀବନର ପ୍ରତିଛବି ଦେଖିବାକୁ ମିଳିଥିଲା । ନାଟକରେ ସନ୍ତୋଷ ସାହୁ, ଜିତେନ୍ଦ୍ର ମାହାତୋ, ଜଗଦିଶ ପରିଡା, ବିନୟ ନାୟକ, ସୁଶିଲ ଲାକ୍ରା, ବିଷ୍ଟି ଓ ପ୍ରତିକ୍ଷା ଅଭିନୟ କରିଥିଲେ ।
ଦ୍ୱିତୀୟାର୍ଦ୍ଧରେ ନାଟ୍ୟକାର ସୁକାନ୍ତ ମହାପାତ୍ରଙ୍କ ରଚିତ ଓ ପଲ୍ଲବ ଚାଟାର୍ଜୀଙ୍କ ନିଦେ୍ର୍ଦଶିତ ନାଟକ ‘ଆକଶରେ କେତେ ତାରା’ ପ୍ରଦର୍ଶିତ ହୋଇଥିଲା । ଏହି ନାଟକରେ ଗ୍ରାମୀଣ ଜୀବନ, ଶିଳ୍ପାୟନ, ସବୁଜ ବିପ୍ଳବ, ପଳ୍ଲୀ ସଭା, ଗ୍ରାମ ସଭା, କଲେଜ ନିର୍ବାଚନ ପରି ଅନେକ ଘଟଣାବଳୀକୁ ସ୍ଥାନୀତ କରାଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମୀଣ କଲେଜରେ ଛାତ୍ର ନିର୍ବାଚନର ପ୍ରଭାବ ସାଙ୍ଗକୁ ଗ୍ରାମସଭାକୁ କୁଜି ନେତାମାନେ କିପରି ନିୟନ୍ତ୍ରଣ କରିଥାନ୍ତି ତାହା ଦେଖିବାକୁ ମିଳିଥିଲା ପଲ୍ଳବ ଚାଟାର୍ଜୀଙ୍କ ଏହି ନାଟକରେ । ନାଟକଟି ତିତିଲି ଫାଉଣ୍ଡସେନ, ରାଉରକେଲା ଦ୍ୱାରା ପ୍ରଦର୍ଶିତ ହୋଇଥିବା ବେଳେ ବିଭିନ୍ନ ଭୂମିକାରେ ଶ୍ରୀପର୍ଣ୍ଣା ଚାଟାର୍ଜୀ, ରୋହିତ ତାଲୁକ ଦାର, ସୌରଭ ଚକ୍ରବର୍ତୀ, ଅଭିଜିତ ଘୋଷ, ଆଶିଷ ରାଉତ, ଚନ୍ଦନ ଭେଦୁଲା,ଶୁଭଶ୍ରୀ, ଅଭିଳାଷ,ଏସ.ଏସ. ମିତ୍ର, ରତ୍ନା ବାନାର୍ଜୀ,ବବିତା ମହାପାତ୍ର, ପଲ୍ଲବ ଚାଟାର୍ଜୀ ପ୍ରମୁଖ ଅଭିନୟ କରିଥିଲେ । ଗୋଟିଏ ଗ୍ରାମରେ ଶିଳ୍ପାୟନ ନିମନ୍ତେ ସ୍ଥାନୀୟ ସରପଂଚ ଜମି ଅଧିଗ୍ରହଣ କାର୍ଯ୍ୟରେ ମଧ୍ୟସ୍ଥ ଭୂମିକା ତୁଲାଇବା ସହ ଗରିବ ଗ୍ରାମବାସୀଙ୍କ ଜମିକୁ ବଳପୂର୍ବକ ଦଖଲ କରିବାକୁ ଉଦ୍ୟମ କରୁଛନ୍ତି । ଗ୍ରାମରେ ବାସ କରୁଥିବ ଜଣେ ମୋଚିକୁ ଜମି ବିକିବାକୁ ସରପଂଚ ବାଧ୍ୟ କରିବା ସହ ମାରଧର କରିଛନ୍ତି । ଏହି ସମୟରେ ମୋଚି ଜଣକ ନିଜ ସ୍ତ୍ରୀଙ୍କୁ ଗାଁ ଛାଡି ଚାଲି ଯିବାକୁ କହିଛି । ଏଭଳି ପରିସ୍ଥିତିରେ ତାଙ୍କ ଧର୍ମପତ୍ନୀ ତାଙ୍କୁ ପଚାରିଛି – ଆକାଶରେ କେତେ ତାରା ଅଛି କହି ପାରିବ କି ? ମୋଚୀ ଜଣକ ତାହା କହି ପାରି ନାହିଁ । ଏଥିରେ ତାଙ୍କ ଧର୍ମପତ୍ନୀ କହିଛନ୍ତି – ଆକାଶରେ ଯେତେ ତାରା, ସମାଜରେ ସେତେ ସମସ୍ୟା । ଯେଉଁଠିକୁ ଗଲେ ବି ସମସ୍ୟା ରହିଛି । ମୋଚି ଓ ତା’ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ନାଟ୍ୟକାର ପଲ୍ଲବ ଚାଟାର୍ଜୀ ଓ ଆଡଭୋକେଟ ବବିତା ମହାପାତ୍ରଙ୍କ ଭୂମିକା ଦର୍ଶକଙ୍କ ମନ ଛୁଇଁଥିଲା । (ସମୀକ୍ଷା: ଶିବ ପ୍ରସାଦ ଦାଶ)
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS