ଦୂରଦର୍ଶନ ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ପାଇଁ ଦାୟୀ ମାଓବାଦୀ ନା ଛତିଶଗଡ଼ ସରକାର ?
– ପ୍ରସାଦ ରାଓ –
ଭୁବନେଶ୍ୱର, ୦୨ ନଭେମ୍ବର: ଦିଲ୍ଲୀ ଦୂରଦର୍ଶନର ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଦୁଃଖଦ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହା ‘ସାମ୍ବାଦିକଙ୍କ ଉପରେ ନକ୍ସଲ ଆକ୍ରମଣ’ କହି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଥିବା ବେଳେ ଏହାକୁ ନେଇ କିଛି ମହଲରେ ଭିନ୍ନମତ ମଧ୍ୟ ପ୍ରକାଶ ପାଉଛି । ନକ୍ସଲମାନେ ସାଧାରଣତଃ ଖବରଦାତାଙ୍କୁ ବିନା କାରଣରେ ଆକ୍ରମଣ ବା ହତ୍ୟା କରି ନ ଥା’ନ୍ତି । ମାଓବାଦୀଙ୍କ ଗୁଳିରେ ସାହୁଙ୍କ ମୃତ୍ୟୁ ଘଟିବା ଏକ ବ୍ୟତିକ୍ରମ । ଏହା ସାମ୍ବାଦିକଙ୍କ ଉପରେ ନକ୍ସଲ ଆକ୍ରମଣ କୁହା ନ ଯାଇ ଛତିଶଗଡ଼ ବିଜେପି ସରକାରଙ୍କ ଅପରିଣାମଦର୍ଶୀତାର ପରିଣାମ କୁହାଯିବା ଅଧିକ ଉଚିତ ହେବ ବୋଲି ଏବେ ଚାପା ଗୁଂଜନ ହେଉଛି । ଏଭଳି ଗୁଂଜରଣ ହେବାର କାରଣ ହେଉଛି, ଛତିଶଗଡ଼ର ବସ୍ତର ଅଂଚଳ ମାଓ ପ୍ରଭାବିତ ଜାଣି ସୁଦ୍ଧା ଛତିଶଗଡ଼ ସରକାର ଆବଶ୍ୟକ ନିରାପତ୍ତା ପ୍ରତି ଦୃଷ୍ଟି ନ ଦେଇ ଦିଲ୍ଲୀ ଦୂରଦର୍ଶନ ଟିମ୍ କୁ ସେହି ଇଲାକାରୁ ନିର୍ବାଚନ ଖବର ସଂଗ୍ରହ ପାଇଁ ଅନୁମତି ଦେଇଥିଲେ । ଟିମ୍ ନିଜ ବାଟରେ ବସ୍ତର ଯାଇ ଥିଲେ ବୋଧହୁଏ ମାଓବାଦୀଙ୍କ ଶିକାର ହେବାକୁ ପଡି ନ ଥା’ନ୍ତା । ସଂପୃକ୍ତ ଅଂଚଳରେ ମାଓ ବିରୋଧୀ ଅଭିଯାନ ଚଳାଇ ଥିବା ସୁରକ୍ଷା ବାହିନୀ ଯବାନଙ୍କ ମୋଟର ସାଇକଲ ପଛରେ ବସି ଖବର ସଂଗ୍ରହ କରିବାକୁ ଯିବା ଦୂରଦର୍ଶନ ଟିମ୍ ପାଇଁ ମହଙ୍ଗା ପଡିଲା । ଫଟୋ ସାମ୍ବାଦିକ ବା କ୍ୟାମେରାମ୍ୟାନ ସାହୁ ଘଂଚ ଜଂଗଲରେ ଗଛ ଡ଼ାଳରେ ଲାଗି ଥିବା ମାଓ ପୋଷ୍ଟର ଦେଖି ମଟର ସାଇକଲରୁ ଓହ୍ଲାଇ ପୋଷ୍ଟର ନିକଟକୁ ଯିବା ଛକି ରହିଥିବା ମାଓବାଦୀଙ୍ତକ ମନରେ ଭ୍ରମ ସୃଷ୍ଟି କରିଥିଲା ଏବଂ ସେମାନେ ଅତର୍କିତ ଗୁଳି ଚଳାଇବାରୁ ସାହୁ ଘଟଣା ସ୍ଥଳରେ ଟଳି ପଡି ଥିଲେ । ଏହା ହିିଁ ଅନୁମାନ କରାଯାଇପାରେ । ଛତିଶଗଡର ପୁଲିସ ଅଧିକାରୀମାନେ ମଧ୍ୟ ଏହାକୁ ପୃଷ୍ଟି କରିଛନ୍ତି । ତେଣୁ, ମାଓବାଦୀଙ୍କ ଗୁଳିରେ ସାହୁଙ୍କ ମୃତ୍ୟୁ ରାଜ୍ୟ ସରକାର ଓ ସେଠାକାର ପୁଲିସ ପ୍ରଶାସନର ଅପରିଣାମଦର୍ଶୀତାକୁ ଉଜାଗର କରୁଛି । ରାଜ୍ୟ ବିଜେପି ସରକାର ନିଜ ତୃଟୀକୁ ଘୋଡାଇବା ପାଇଁ ଏହାକୁ ‘ସାମ୍ବାଦିକଙ୍କ ଉପରେ ନକ୍ସଲ ଆକ୍ରମଣ’ର ରୂପ ଚିତ୍ରିତ କରି ଦେଶବ୍ୟାପୀଙ୍କୁ ଭୁଆଁ ବୁଲାଇବାରେ ସଫଳ ହୋଇଛନ୍ତି ।
ଗତ ମଙ୍ଗଳବାର ଦିନ ଛତିଶଗଡ଼ର ଯେଉଁ ନକ୍ସଲ ଇଲାକାରେ ମାଓବାଦୀଙ୍କ ଏହି ସଂହାରଲିଳା ଘଟିଲା ସେହି ଅଂଚଳରେ ୨୦ ବର୍ଷ ହେଲା ଭୋଟଦାନ ସମ୍ଭବ ହେଉ ନ ଥିଲା । ୨୦୧୮ ରାଜ୍ୟ ବିଧାନସଭାକୁ ଦୃଷ୍ଟିରେ ରଖି ୨୦ ବର୍ଷ ପରେ ଉପଦୃତ ଅଂଚଳରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଯାଇଛି । ସ୍ୱାଭାବିକ ଭାବେ ଖବରଦାତାଙ୍କ ପାଇଁ ଏହା ଏକ ରୋଚକ ଖବର । ରାଜ୍ୟର ନିର୍ବାଚନ ଖବର ସଂଗ୍ରହ ପାଇଁ ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ଡ଼େରା ପକାଇ ଥିବା ଦୂରଦର୍ଶନ ଟିମ୍ ନବ ନିର୍ମିତ ଭୋଟ ଗ୍ରହଣ କେନ୍ଦ୍ରର ଭିଡ଼ିଓ ରେକର୍ଡିଂ କରିବାକୁ ଚାହିଁବା ମଧ୍ୟ ସ୍ୱାଭାବିକ । ତେଣୁ, ଦୂରଦର୍ଶନ ଟିମ୍ ମାଓ ଉପଦୃତ ସେହି ଦୁର୍ଗମ ଅଂଚଳରେ ପହଂଚିବାକୁ ଚାହିଁଥିଲେ । ଖବରଦାତାଙ୍କ ଖବର ସଂଗ୍ରହ ଭୋକ ସେମାନଙ୍କୁ ମାତ୍ରାଧିକ ଉତ୍ସାହିତ କରିଥିବା ବେଳେ ନିରାପତ୍ତା ପ୍ରସଙ୍ଗ ଗୌଣ ହୋଇଯାଇ ଥିଲା । ଯେହେତୁ ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିୟନ୍ତ୍ରଣାଧୀନ, ଦୂରଦର୍ଶନ ଖବରଦାତାଙ୍କ ଗତିବିଧିକୁ ନେଇ ରାଜ୍ୟ ସରକାର ଅବଗତ ଥିବା ନିଶ୍ଚିତ । ରାଜ୍ୟ ସରକାର ସେଠାକାର ପରିସ୍ଥିତି ସଂପର୍କରେ ପୂର୍ଣ୍ଣ ଅବଗତ ଥିବାରୁ ଦୂରଦର୍ଶନ ଟିମ୍ କୁ ସଂପୃକ୍ତ ଅଂଚଳକୁ ଯିବାକୁ ବାରଣ କରିପାରି ଥା’ନ୍ତେ ବା ଯଥେଷ୍ଟ ସୁରକ୍ଷା ବନେ୍ଦାବସ୍ତ ଭିତରେ ସେମାନଙ୍କୁ ସେହି ନିର୍ଦ୍ଧିଷ୍ଟ ଅଂଚଳକୁ ପଠାଇ ଥା’ନ୍ତେ । ତେବେ, ତାହା ହୋଇ ନ ଥିବା ମିଳିଥିବା ତଥ୍ୟରୁ ଜଣାପଡୁଛି । ସେମାନଙ୍କୁ ବସ୍ତର ଅଂଚଳରେ ମାଓ ବିରୋଧୀ ବା ଆଂଟି ନକ୍ସଲ ଅପରେସନ୍ ଚଳାଇ ଥିବା ନିରାପତ୍ତା ଯବାନଙ୍କ ମୋଟର ସାଇକଲ ପଛରେ ବସାଇ ପଠାଇ ଦିଆ ଗଲା । ଦିଲ୍ଲୀ ଦୂରଦର୍ଶନ କ୍ୟାମେରାମ୍ୟାନ୍ ସାହୁ, ଖବରଦାତା ଧୀରଜ କୁମାର ଓ ଲାଇଟିଂ ଆସିଷ୍ଟାଂଟ୍ ମୋର୍ ମୁକୁଟ ଶର୍ମା ବିନା ଦ୍ୱିଧାରେ ନିରାପତ୍ତା ବାହିନୀ ସହ ମୃତ୍ୟୁଯନ୍ତା ସଦୃଶ ବସ୍ତରର ନୀଲାୱାୟାର ଜଂଗଲରେ ପ୍ରବେଶ କରିଥିଲେ । ଜଂଗଲ ଭିତରେ କୋଟାଲି ଠାରେ ନିର୍ମାଣ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ପହଂଚିବା ସେମାନଙ୍କ ଅଭିପ୍ରାୟ ଥିଲା । ଦୂରଦର୍ଶନ ଟିମ୍ ଏଥିରେ ସଫଳ ହୋଇ ଥିଲେ ରାଜ୍ୟ ସରକାର ବାହାଦୂରୀ ନେଇଥା’ନ୍ତେ । କିନ୍ତୁ, ବିଧିର ବିଧାନ ଭିନ୍ନ ଥିଲା । ଦୂରଦର୍ଶନ ଟିମ୍ ଜଙ୍ଗଲ ଭିତରେ ଭୋଟ ବର୍ଜନ ପାଇଁ ମାଓବାଦୀ ଦେଇଥିବା ଆହ୍ୱାନ ସଂପର୍କିତ ଏକ ପୋଷ୍ଟର ଗଛରେ ଲାଗି ଥିବା ଦେଖି ଥିଲେ ଏବଂ କ୍ୟାମେରାମ୍ୟାନ ସାହୁ ଗଛରେ ଟଙ୍ଗା ଯାଇଥିବା ପୋଷ୍ଟର ନିକଟକୁ ମାଡି ଯିବାରୁ ଜଂଗଲରେ ଛପି ରହିଥିବା ନକ୍ସଲମାନେ ଅତର୍କିତ ଗୁଳି ଚାଳନା କରି ଥିଲେ । ତାହାର ପରିଣାମ ଥିଲା କ୍ୟାମେରାମ୍ୟାନ୍ ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ । ତାଙ୍କ ସହ ସହୀଦ ହେଲେ ଏଡ଼ିଏଫର ଦୁଇ ଜଣ ତଳିଆ କର୍ମଚାରୀ । ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହେଲେ । ଦୂରଦର୍ଶନ ଖବରଦାତା ଧୀରଜ କୁମାର ଓ ଲାଇଟିଂ ଆସିଷ୍ଟାଂଟ୍ ମୋର୍ ମୁକୁଟ ଶର୍ମା ଅଳ୍ପକେ ବର୍ତି ଗଲେ ।
ମୃତ ଦୂରଦର୍ଶନ କ୍ୟାମେରାମ୍ୟାନ୍ ସାହୁଙ୍କ ଘର ଓଡ଼ିଶାରେ । ସେ ଓଡ଼ିଶାର ବଲାଂଗୀର ଜିଲ୍ଲା ଘୁଷୁରମୁଣ୍ଡା ଗାଁର ବାସିନ୍ଦା । ତେଣୁ, ଓଡ଼ିଶାରେ ଏହି ମାଓ ଆକ୍ରମଣକୁ ନେଇ ଅଧିକ କ୍ରିୟା-ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ମାଓ ଆକ୍ରମଣ ସମୟରେ ସାହୁଙ୍କ ସହ ଥିବା ଦିଲ୍ଲୀ ଦୂରଦର୍ଶନର ଖବରଦାତା ଧୀରଜ କୁମାର ଦାନ୍ତେୱାଡାଠାରେ ସାମ୍ବାଦିକମାନଙ୍କୁ ଯେଉଁ ସୂଚନା ଦେଇଛନ୍ତି ତାହା ଚାଂଚଲ୍ୟକର । ଧୀରଜଙ୍କ କହିବା ଅନୁଯାୟୀ, ସେମାନେ ମାଓ ଉପଦୃତ ନୀଲାୱାୟାରର କୋଟାଲି ଠାରେ ନୂଆ କରି ନିର୍ମାଣ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରର ଭିଡ଼ିଓ ରେକର୍ଡିଂ ପାଇଁ ଦୁଇ ଦିନ ଆଗରୁ ବସ୍ତରରେ ପହଂଚି ଯାଇଥିଲେ । ସେଠାରୁ ସଶସ୍ତ୍ର ନିରାପତ୍ତା ବାହିନୀ (ଏଡ଼ିଏଫ) ଯବାନଙ୍କ ମୋଟର ସାଇକଲ ପଛରେ ବସି ମଙ୍ଗଳବାର କୋଟାଲି ଅଭିମୁଖେ ଯାତ୍ରା କରିଥିଲେ । ସେହିଦିନ ଅପରାହ୍ନ ପ୍ରାୟ ୧୧ଟା ସମୟରେ ସେମାନେ ନୀଲାୱାୟାରରେ ପହଂଚି ସାରିଥିଲେ । କ୍ୟାମେରାମ୍ୟାନ୍ ସାହୁ ଥିଲେ ଜଣେ ପୂର୍ବତନ ସାମରିକ କର୍ମଚାରୀ । ତେଣୁ, ଘଂଚ ଜଂଗଲ ଭିତରେ ଅରନପୁର ଅଂଚଳରେ ଗଛରେ ଲାଗି ଥିବା ମାଓ ପୋଷ୍ଟରକୁ ଦେଖି ସେ ଗାଡିରୁ ତଳକୁ ଓହ୍ଲାଇ ପୋଷ୍ଟର ଲାଗି ଥିବା ଗଛ ଆଡକୁ ମାଡି ଯାଇ ଥିଲେ । ଅଚାନକ ମାଓବାଦୀଙ୍କ ଆଡୁ ଗୁଳିମାଡ ହୋଇଥିଲା । ଘଟଣା ସ୍ଥଳରେ ସାହୁଙ୍କ ସମେତ ଏଏସଆଇ ରୁଦ୍ର ପ୍ରତାପ ଓ ସହକାରୀ କନେଷ୍ଟବଳ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବା ବେଳେ କନେଷ୍ଟବଳ ବିଷ୍ଣୁ ନେତମ ଓ ରାକେଶ ଗୌତମ ଗୁରୁତର ଆହତ ହୋଇଥିଲେ । ସୌଭାଗ୍ୟବଶତଃ ସେ ଗୋଟିଏ ଖାତକୁ ଛିଟିକି ପଡ଼ି ସେଠାରେ ମୁହଁ ମାଡି ପଡି ରହି ଥିଲେ । କିଛି ସମୟ ପାଇଁ ସେହି ଅଂଚଳ ଗୁଳି ଶବ୍ଦରେ ଥରି ଉଠିଥିଲା । ପରିବେଶ ଥିଲା ଅତ୍ୟନ୍ତ ଭୟଂକର । ମାଓବାଦୀଙ୍କ ଆଡୁ ଗୁଳିମାଡ ହୋଇଥିବା ସ୍ଥାନରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ସେ ଦେଖି ଥିଲେ । ତେବେ, ସେହି ସମୟରେ ସେଠାରେ କୌଣସି ନିର୍ମାଣ ଶ୍ରମିକଙ୍କୁ ଦେଖିବାକୁ ପାଇ ନ ଥିଲେ।
ସେହିଦିନ, ରାଜଧାନୀ ରାୟପୁର ଠାରେ ଛତିଶଗଡ଼ ପୁଲିସର ସ୍ୱତନ୍ତ୍ର ଡ଼ିଜି (ଆଂଟି ନକ୍ସଲ ଅପରେସନ୍) ମାଧବ ଅୱସ୍ତି ଦେଇଥିବା ବିବୃତି ମଧ୍ୟ ଗୁରୁତ୍ୱ ବହନ କରୁଛି । ମାଓବାଦୀଙ୍କ ମଙ୍ଗଳବାର ଗୁଳିକାଣ୍ଡ ରାଜ୍ୟରେ ଚାଲି ଥିବା ନିର୍ବାଚନକୁ ଭଣ୍ଡୁର କରିବା ଉଦେ୍ଦଶ୍ୟରେ ନ ଥିଲା, ବସ୍ତର ଅଂଚଳରେ ଚାଲିଥିବା ଏକ ରାସ୍ତା ନିର୍ମାଣ କାର୍ଯ୍ୟ ବିରୋଧରେ ଥିଲା ବୋଲି ଅୱସ୍ତି କହିଛନ୍ତି । ଦୂରଦର୍ଶନ ଟିମ୍ ଛତିଶଗଡ଼ରେ ନିର୍ବାଚନ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିଲେ । ଜଂଗଲ ଭିତରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ମାଓବାଦୀ ବିରୋଧ କରୁଥିବା ଜାଣିବା ପରେ ଏହି ଟିମ୍ ଚାଲି ଥିବା ରାସ୍ତା କାମର ରେକଡିଂ କରିବାକୁ ସୁରକ୍ଷା ବାହିନୀ ସହ ସେଠାକୁ ଯାଉଥିଲେ । ଯିବା ରାସ୍ତାରେ ନୀଲାୱାୟାର ଜଂଗଲରେ ଗଛରେ ଟଂଗା ଯାଇଥିବା ମାଓ ପୋଷ୍ଟରକୁ ଦେଖି କ୍ୟାମେରାମ୍ୟାନ୍ ସାହୁ ସେଠାରେ ଅଟକି ଯାଇ ଗଛ ଆଡକୁ ମାଡି ଯିବାରୁ ଛପି ରହିଥିବା ମାଓବାଦୀ ଗୁଳି ମାଡ କରି ଥିଲେ । ଘଟଣାସ୍ଥଳରେ ସାହୁ ଟଳି ପଡି ଥିବା ବେଳେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ ଗୁଳି ବିନିମୟ ହୋଇଥିଲା ବୋଲି ଅୱସ୍ତି ସୂଚନା ଦେଇଛନ୍ତି ।
ଅୱସ୍ତିଙ୍କ ସୂଚନା ଅନୁଯାୟୀ, ବସ୍ତର ଅଂଚଳରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକୁ ମାଓବାଦୀ ବିରୋଧ କରୁଛନ୍ତି । ସେହି ଅଂଚଳରେ କାମ କରୁଥିବା ଠିକାଦାର ଓ ଶ୍ରମିକମାନଙ୍କୁ ଟାର୍ଗେଟ୍ କରି ବିସ୍ଫୋରକ ଖଂଜୁଛନ୍ତି । ସେମାନଙ୍କ ଉଦେ୍ଦଶ୍ୟ ହେଉଛି ନିର୍ମାଣ ଶ୍ରମିକ ଓ ଠିକାଦାରଙ୍କୁ ଭୟଭୀତ କରି ଘଉଡାଇବା । ମଙ୍ଗଳବାରର ଗୁଳି ବିନିମୟ ପରେ ସେହି ଅଂଚଳରେ ପୁଲିସ ଏସ୍.ପି ଏବଂ ବସ୍ତରର ଡ଼ିଆଇଜି ଅଧିକ ସଂଖ୍ୟକ ସଶସ୍ତ୍ର ବାହିନୀ ସହ ତଲାସି କାର୍ଯ୍ୟ ଚଳାଇ ଥିଲେ । ସଂପୃକ୍ତ ଅଂଚଳରୁ ଅନ୍ୟୁନ ୧୦ଟି ଆଇଇଡ଼ି ଉଦ୍ଧାର କରାଯାଇ ସେଗୁଡିକୁ ନଷ୍ଟ କରାଯାଇଛି । ଗୁଳି ବିନିମୟରେ ଅନ୍ୟୁନ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟି ଥିବା କୁହାଯାଉଛି । ମାଓ ସହଯୋଗୀମାନେ ମୃତ ଦେହଗୁଡିକୁ ଘୋଷାରି ନେଇ ଯାଇଥିବା ଥିବା ଅଂଚଳବାସୀ ଦେଖିଛନ୍ତି ବୋଲି ପୁଲିସ କହିଛି । ବସ୍ତରର ନୀଲାୱାୟାର ଅଂଚଳରେ ନିର୍ମିତ ଭୋଟ ଗ୍ରହଣ କେନ୍ଦ୍ରର ଭିଡ଼ିଓ ରେକର୍ଡିଂ ପାଇଁ ସେମାନେ ଯାଉଥିଲେ ବୋଲି ଦିଲ୍ଲୀ ଦୂରଦର୍ଶନର ଖବରଦାତା ଧୀରଜ କୁମାର କହୁଥିବା ବେଳେ ନିର୍ବାଚନ ସହ ମାଓବାଦୀ ଆକ୍ରମଣର କୌଣସି ସଂପର୍କ ନାହିଁ, ସେମାନେ ବିରୋଧ କରୁଥିବା ରାସ୍ତା ନିର୍ମାଣ କାମ ଦେଖିବାକୁ ଏହି ଟିମ୍ ନିରାପତ୍ତା ଯବାନଙ୍କ ସହ ଯାଉଥିବା ବେଳେ ଏହି ମରଣାନ୍ତକ ଆକ୍ରମଣ ହୋଇଛି ବୋଲି ରାୟପୁରର ଜଣେ ପଦସ୍ଥ ପୁଲିସ ଅଧିକାରୀ କହିବା ତାଳମେଳର ଅଭାବକୁ ସ୍ପଷ୍ଟ ପ୍ରତିଫଳନ କରୁଛି । ଛତିଶଗଡ଼ ସରକାର ଓ ବସ୍ତର ଅଂଚଳର ଉଚ୍ଚ ପୁଲିସ ଅଧିକାରୀମାନେ ସେହି ଅଂଚଳର ସ୍ପର୍ଶକାତର ପରିସ୍ଥିତି ସଂପର୍କରେ ପୂର୍ଣ୍ଣ ଅବଗତ ଥାଇ ଦିଲ୍ଲୀ ଦୂରଦର୍ଶନ ଟିମ୍କୁ କିଭଳି ତଳିଆ ନିରାପତ୍ତା କର୍ମଚାରୀଙ୍କ ହେପାଜତରେ ଛାଡି ନିଶ୍ଚିନ୍ତରେ ବସିଗଲେ (?), ତାହା ହିଁ ଏବେ ପ୍ରଶ୍ନବାଚୀ ହୋଇଛି । ରାଜ୍ୟ ସରକାର ନିଜର ଏହି ଚରମ ଅବହେଳାକୁ ଘୋଡାଇବା ପାଇଁ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସାମ୍ବାଦିକଙ୍କୁ ‘ମାଓବାଦୀ ମୁହାଁ’ କରାଇଛନ୍ତି । ଦେଶବ୍ୟାପୀ ସାମ୍ବାଦିକମାନେ ମାଓବାଦୀଙ୍କ ,ହି ଆକ୍ରମଣକୁ ବିରୋଧ କରୁଥିବା ବେଳେ ଜାଣିଶୁଣି ସେମାନେ ସାହୁଙ୍କ ଉପରେ ଅକ୍ରମଣ କରି ନାହାନ୍ତି ବୋଲି ମାଓବାଦୀ ଏବେ ସଫେଇ ଦେଉଛନ୍ତି । ସରକାର ମୃତ ଯବାନଙ୍କ ସହ ମୃତ ଦୂରଦର୍ଶନ କ୍ୟାମେରାମ୍ୟାନ୍ ସାହୁଙ୍କୁ ସହୀଦର ସମ୍ମାନ ପ୍ରଦାନ କରି ପ୍ରଶଂସା ଗୋଟାଇବାକୁ ପଛାଉ ନାହାନ୍ତି ।
ଆମେ ଜାଣିବାରେ, ସାଧାରଣତଃ ଆନ୍ଧ୍ରର ପିପୁଲ୍ସ ୱାର ଗ୍ରୁପ୍ (ପିଡ଼ବ୍ଲୁଜି) ହେଉ ବା ବିହାର-ଛତିଶଗଡ଼ର ମାଓବାଦୀ ହୁଅନ୍ତୁ – ଖବରଦାତାଙ୍କୁ ସେମାନେ କେବେ ଟାର୍ଗେଟ୍ କରନ୍ତି ନାହିଁ । ଓଲଟା ସେମାନେ ଆବଶ୍ୟକତା ବେଳେ ସାମ୍ବାଦିକମାନଙ୍କୁ ଜଂଗଲ ଇଲାକାକୁ ଡାକି ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ନିକଟରେ ନିଜର ଦାବି ସବୁ ଉପସ୍ଥାପନ କରିଥା’ନ୍ତି । ଓଡ଼ିଶାର କୋରାପୁଟ, ମାଲକାନଗିରି, କଳାହାଣ୍ଡ, କନ୍ଧମାଳ ଜିଲ୍ଲା ସମେତ ପଶ୍ଚିମ ଓଡିÿଶାର ମାଓ ଉପଦୃତ ଅଂଚଳର ସାମ୍ବାଦିକମାନେ ଏହି ସତ୍ୟ ସହ ପରିଚିତ । ଓଡ଼ିଶାର କିଛି ବଡ ସାମ୍ବାଦିକ ମାଓ ଅପହରଣ ବା ସେଭଳି କିଛି ସଂକଟ ବେଳେ ସରକାର ଓ ମାଓବାଦୀଙ୍କ ଭିତରେ ମଧ୍ୟସ୍ଥତା କରିଥିବାର ଅନେକ ନଜିର ରହିଛି । ଛତିଶଗଡ଼ରେ ମଧ୍ୟ ଏକାଭଳି ପରିସ୍ଥିତି ଥିବା ଅନୁମାନ କରାଯାଇପାରେ । ତେଣୁ, ବସ୍ତର ଅଂଚଳରେ ମଙ୍ଗଳବାର ଦିନ ଘଟିଥିବା ମାଓ ଆକ୍ରମଣରେ ଦିଲ୍ଲୀ ଦୂରଦର୍ଶନ କ୍ୟାମେରାମ୍ୟାନ୍ ସାହୁଙ୍କ ମୃତ୍ୟୁକୁ ସାମଗ୍ରିକ ଭାବେ ‘ସାମ୍ବାଦିକଙ୍କ ଉପରେ ନକ୍ସଲ ଆକ୍ରମଣ’ କୁହା ଯାଇ ନ ପାରେ । ଓଡ଼ିଆରେ ଢଗ ଅଛି – ଆଖି ନାହିଁ, କାନ ନାହିଁ – ବାଜି ଗଲେ ଦୋଷ ନାହିଁ । ସେହି ନ୍ୟାୟରେ ଏହି ମାଓ ଆକ୍ରମଣକୁ ନିରାପତ୍ତା ବାହିନୀ ଭ୍ରମରେ ସାମ୍ବାଦିକଙ୍କ ଉପରେ ଗୁଳି ଚାଳନା କୁହାଯାଇପାରେ । ଛତିଶଗଡ଼ ସରକାର ସାମ୍ବାଦିକଙ୍କ ଆଡୁ କ୍ଲିନ୍ ଚିଟ୍ ପାଇବା ସକାଶେ ମାଓ ଆକ୍ରମଣର ମୋଡ ବଦଳାଇଛନ୍ତି । ଏହା ପଛରେ ଥିବା ରାଜନୈତିକ ସ୍ୱାର୍ଥକୁ ସାମ୍ବାଦିକମାନେ ଅନୁଧ୍ୟାନ କରି ଛତିଶଗଡ଼ ସରକାରଙ୍କୁ ଘେରିବାକୁ ପଡିବ । ନ ହେଲେ ସାମ୍ବାଦିକ ଓ ମାଓବାଦୀ ମୁହାଁମୁହିଁ ହୋଇ ରହି ଥିବେ ଏବଂ ରାଜ୍ୟ ସରକାର ଏଥିରୁ ଫାଇଦା ନେଉ ଥିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS