୨୦୧୯ ନିର୍ବାଚନ: ବିଜେଡ଼ି ବାହୁବଳୀଙ୍କ ମୁକାବିଲା ପାଇଁ ବିଜେପିର ମହିଳା ବ୍ରିଗେଡ !
– ସ୍ୱତନ୍ତ୍ର ପ୍ରତିନିଧି –
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯିବା ପରେ ରାଜ୍ୟ ରାଜନୀତିରେ ଭୂକଂପ ସୃଷ୍ଟି ହୋଇଛି । ନିର୍ବାଚନ ପାଖେଇ ଆସୁ ଥିବାରୁ ଦଳ ଉଭୟ ଭୁବନେଶ୍ୱର ଓ ପୁରୀ ଲୋକସଭା କ୍ଷେତ୍ର ଏବଂ ଏଥି ଅନ୍ତର୍ଗତ ବିଧାନସଭା କ୍ଷେତ୍ରମାନଙ୍କରେ କହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଜେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ନ ହେଲେ ବିକଳ୍ପ ଭାବେ ରାଜ୍ୟର ଅବସରପ୍ରାପ୍ତ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ଟାର୍ଗେଟ୍ କରାଯାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ଓଡିଶାରେ ବିଜେପି ‘୧୨୦ ମିଶନ’କୁ ନେଇ କାର୍ଯ୍ୟ କରୁ ଥିବାରୁ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହା ତାହାକୁ ବାସ୍ତବ ରୂପ ଦେବା ପାଇଁ ଯେଉଁ ରଣକୌଶଳ ପ୍ରସ୍ତୁତ କରିଛନ୍ତି ସେଥିରେ ଆଇପିଏସ ପ୍ରକାଶ ମିଶ୍ରଙ୍କ ବ୍ୟତୀତ ପୂର୍ବତନ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ମୋହରା କରାଯାଇଛି । ଅପରାଜିତା ଭୁବନେଶ୍ୱର ଲୋକସଭା ବା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି । ରାଜ୍ୟ ବିଜେପିର ବରିଷ୍ଠ ନେତା ବିଶ୍ୱ ଭୂଷଣ ହରିଚନ୍ଦନ ଏଥିସକାଶେ ଭୁବନେଶ୍ୱର ଆସନ ଉପରୁ ନିଜର ଦାବିଦାରୀ ଛାଡି ଅପରାଜିତାଙ୍କ ପାଇଁ ବାଟ ସଫା କରିଛନ୍ତି । ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ୨୦୧୯ ନିର୍ବାଚନରେ ଭୁବନେଶ୍ୱରରୁ ନୁହେଁ ଚିଲିକା ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରି ସେ ବିଜେପି ରଣକୌଶଳର ଖୁଲାସା କରିଛନ୍ତି ।
ବିଜେପି ସଭାପତି ଅମିତ ଶାହା ୨୦୧୯ରେ ‘ଓଡ଼ିଶା ଦଖଲ’ ସ୍ୱପ୍ନକୁ ସାକାର କରିବା ପାଇଁ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ରାଜନୀତିର କେନ୍ଦ୍ରବିନ୍ଦୁ କରି ଦାରୁ ପରିବର୍ତନ ଓ ଶ୍ରୀମନ୍ଦିର ପ୍ରଶାସନରେ ଅବ୍ୟବସ୍ଥାକୁ ଇସ୍ୟୁ କରି ଶାସକ ବିଜେଡିକୁ ଆକ୍ରମଣ ଶାଣିତ କରିଛନ୍ତି । ଆଇଏଏସ ଅପରାଜିତା ବିଜେପିରେ ଯୋଗ ଦେବା ନିଷ୍ପତ୍ତି ମଧ୍ୟ ‘ମିଶନ ଓଡ଼ିଶା’ର ଏକ ଅଂଶ । ଏହି ଖବର ବିରୋଧୀ ମହଲରେ ହଲଚଲ ସୃଷ୍ଟି କରିଛି । ଅପରାଜିତା ଚାକିରୀରୁ ଇସ୍ତଫା ଦେବା ସକାଶେ ଆବେଦନ କରିବା ଠାରୁ ରାଜ୍ୟ ସରକାର ତାହାକୁ ମଂଜୁରୀ ଦେବାରେ ବିଳମ୍ବ କରିବା, କେନ୍ଦ୍ର ସରକାର ରାଜ୍ୟ ଉପରେ ଚାପ ପକାଇବା ଏବଂ ୨୭ ତାରିଖରେ ସେ ବିଜେପିରେ ଯୋଗ ଦେଉଥିବା ପର୍ଯ୍ୟନ୍ତ ଖବର ଯେଭଳି ଭାବେ ଓଡ଼ିଶା ତଥା ଜାତୀୟ ମିଡ଼ିଆରେ ପ୍ରମୁଖ ଖବର ହୋଇ ପ୍ରକାଶ ପାଇଲା ତାହା ଅପରାଜିତାଙ୍କ ଲୋକପ୍ରିୟତା ପାଇଁ ବୋଲି ଅନେକ ଭାବୁ ଥିବେ । ତେବେ, ତାହା ଠିକ୍ ନୁହେଁ । ଅପରାଜିତାଙ୍କୁ ନେଇ ମିଡ଼ିଆରେ ‘ହାଇପ୍’ ସୃଷ୍ଟି କରିବା ବିଜେପିର ଏକ ସଫଳ ଗୋଟିଚାଳନା କହିବ ଠିକ୍ ହେବ । ତେବେ, ପୂର୍ବତନ ପୁଲିସ ଡ଼ିଜି ପ୍ରକାଶ ମିଶ୍ର ନିକଟରେ ବିବୃତି ଦେଇ ସେ କୌଣସି ରାଜନୈତିକ ଦଳରେ ଯୋଗ ଦେଉ ନାହାନ୍ତି ବୋଲି କହିବା ବିଜେପି ରଣନୀତିକୁ ଟିକିଏ ପାଣିଚିଆ କରିଦେଇଛି । ତଥାପି, ତାଙ୍କୁ ନେଇ ବିଜେପି ଆଶାୟୀ ଥିବା ସୂଚନା ମିଳୁଛି ।
ଅପରାଜିତାଙ୍କୁ ନେଇ ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ତାହା କେତେ ବାସ୍ତବ ହେବ (?), ଏ ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । ବିଜେପି ଭାବୁଛି, ଅପରାଜିତା ଓଡ଼ିଶାରେ, ବିଶେଷକରି ଭୁବନେଶ୍ୱ ଠାରେ ବିଭିନ୍ନ ଉଚ୍ଚ ସରକାରୀ ପଦ ପଦବୀରେ ଥିବା ସମୟରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଜଣେ ନିର୍ଭିକ ପ୍ରଶାସନିକ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ତେଣୁ, ତାଙ୍କୁ ନବୀନଙ୍କ ବିକଳ୍ପ ଭାବେ ଓଡ଼ିଶାରେ ପ୍ରୋଜେକ୍ଟ୍ କରାଯାଇପାରେ । ଅପରାଜିତାଙ୍କ ଅନ୍ୟ ଦିଗଟି ହେଉଛି, ତାଙ୍କର ଅହଂକାରୀ ଆଚରଣ ଯୋଗୁ ସେ ଓଡ଼ିଶାରେ କାର୍ଯ୍ୟରତ ଥିବା ସମୟରେ କୌଣସି ମନ୍ତ୍ରୀଙ୍କ ସହ ଅଧିକ ସମୟ ତିଷ୍ଠି ନ ପାରି ଶେଷରେ କେନ୍ଦ୍ରୀୟ ଡେପୁଟେସନରେ ଚାଲି ଯାଇଥିଲେ । ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତାଙ୍କୁ ପ୍ରାର୍ଥୀ କରା ଗଲେ ତାଙ୍କ ପୂର୍ବ ଲୋକପ୍ରିୟତାରୁ ଦଳକୁ ଫାଇଦା ମିଳିବ ବୋଲି ବିଜେପି ଆଶା ରଖିଛି । କିନ୍ତୁ, ଏବେ ବିଜେଡ଼ିର ରାଜ୍ୟସଭା ସାଂସଦ ଥିବା ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଅତୀତରେ ଲୋକପ୍ରିୟ ଓ ସର୍ବଗୁଣ ସଂପନ୍ନ ଥାଇ ସୁଦ୍ଧା ଭୁବନେଶ୍ୱର ଲୋକସଭା ଆସନରୁ ବା ନୟାଗଡ ଜିଲ୍ଲାରେ ଥିବା ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବେ ଜିତି ପାରି ନଥିଲେ । ତେଣୁ, ଅପରାଜିତାଙ୍କ ବାବୁଆଣୀ କାଇଦା ବିଜେପିକୁ କେତେ ସଫଳତା ଦେବ (!), ତାହା ମଧ୍ୟ ଏବେ ଆଲୋଚନା ହେଉଛି । ବିଜେଡ଼ି ଭୁବନେଶ୍ୱର ଆସନରୁ ଲଗାତର ଭାବେ ଏମପି ପ୍ରସନ୍ନ ପାଟଶାଣୀଙ୍କୁ ପ୍ରାର୍ଥୀ କରି ଆସିଛି । ଏଥର ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବ ବା ଅନ୍ୟ କାହା କଥା ଚିନ୍ତା କରିବ ତାହା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ତଥ୍ୟାଭିଜ୍ଞ ମହଲ କହୁଛନ୍ତି ।
ଏଥର ଆମେ ପୁରୀ ଲୋକସଭା ନିର୍ବାଚନ କ୍ଷେତ୍ରକୁ ନେଇ ଚାଲି ଥିବା ବିଜେପି ରଣନୀତିକୁ ନେଇ ଆଲୋଚନା କରିବା । ଏହି ଲୋକସଭା କ୍ଷେତ୍ରକୁ ନେଇ ଏବେ ରୋଚକ ଖବରମାନ ଆସୁଛି । ବିଜେଡ଼ିର ‘ହେଭିୱେଟ’ କୁହାଯାଉଥିବା କିଛି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ବିଜେପି ତାହାର ମହିଳା ବ୍ରିଗେଡ୍ କୁ କାମରେ ଲଗାଇଛି । ପିପିଲିରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ଦଳର ବିବାଦୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବ୍ରହ୍ମଗିରିରେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବିରୋଧରେ ଦିବଙ୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର, ନୟାଗଡରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ବିଜେପି ନେତ୍ରୀ ଇରାନୀ ରାୟ ଏବଂ ରଣପୁରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ପ୍ରାର୍ଥୀ ହେବା ନେଇ ସୂଚନା ମିଳୁ ଥିବା ବେଳେ ପୁରୀ ଆସନରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଭାତୀ ପରିଡା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପୁରୀ ଲୋକସଭା କ୍ଷେତ୍ରରେ ବିଜେପିର ରଣନୀତିକୁ ସଫଳ କରିବା ସକାଶେ ଦୁଇ ବର୍ଷ ହେଲା କାମ ଚାଲିଛି । ଦୁଇ ବର୍ଷ ମଧ୍ୟରେ ଅନେକ କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଛନ୍ତି । ବିଭିନ୍ନ ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇ ଥିବା ଛାମୁଆଁ କଂଗ୍ରେସ ନେତାଙ୍କୁ ବିଜେପିରେ ସାମିଲ କରାଯାଇଛି । ନୟାଗଡ ବିଧାନସଭା କ୍ଷେତ୍ରରେ ଲାଲା ମନୋଜ ରାୟ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ କମ୍ ଭୋଟ ବ୍ୟବଧାନରେ ହାରି ଥିଲେ । ସେ ଏବେ ବିଜେପିରେ । ତାଙ୍କ ପତ୍ନୀ ଇରାନୀ ରାୟ ନୟାଗଡ ଆସନରୁ ପ୍ରାର୍ଥୀ ହେବାକୁ ଆଗ୍ରହୀ । ରଣପୁର ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସତ୍ୟଜିତ ପଟ୍ଟନାୟକ ଏବେ ବିଜେପିରେ । ବ୍ରହ୍ମଗିରିର ଦିବଙ୍ଗତ କଂଗ୍ରେସ ନେତା ମହାପାତ୍ରଙ୍କ କନ୍ୟା ଉପାସନା ଦଳବଳ ସହ ବିଜେପିର କମାଣ ଧରିଛନ୍ତି । ବାହୁବଳୀ ନେତା କୁହାଯାଉଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ମୁହଁଖୋର ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ସାମନା କରିବା ସମ୍ଭାବନା ରହିଛି । ପୁରୀ ଆସନରୁ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧରେ କିଏ ପାର୍ଥୀ ହେବ ତାହା ସ୍ଥିର ହୋଇ ନ ଥିଲେ ମଧ୍ୟ ପ୍ରଭାତୀ ପରିଡାଙ୍କ ନାମ ଆଲୋଚନାରେ ରହିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS