ପାକିସ୍ତାନ ‘ଆଳାପ’ ବିନା ବିଜେପିର ସ୍ଥିତି ବିପନ୍ନ ?
– ପ୍ରସାଦ ରାଓ –
୨୦୧୪ ସାଧାରଣ ନିର୍ବାଚନରେ ବିପୁଳ ଜନମତ ପାଇ କ୍ଷମତାସୀନ ହୋଇଥିବା ଭାରତୀୟ ଜନତା ପାର୍ଟି ବା ବିଜେପି ଏବେ ପ୍ରତି କଥାରେ ପାକିସ୍ତାନକୁ ଟାଣି ବିରୋଧୀଙ୍କୁ ଅଡୁଆରେ ପକାଇବା ଉଦ୍ୟମ କରୁଛି । ବିଗତ ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଶରେ ହୋଇଥିବା ବିଭିନ୍ନ ସାଧାରଣ ଓ ଉପ ନିର୍ବାଚନମାନଙ୍କରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ସେ ଗୁଜରାଟ ବିଧାନସଭା ନିର୍ବାଚନ ହେଉ ବା ପରବର୍ତୀ ସମୟରେ ହୋଇଥିବା ଅନ୍ୟ ରାଜ୍ୟର ବିଧାନସଭା, ଲୋକସଭା ଉପ ନିର୍ବାଚନରେ ହେଉ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଆଡୁ ଟାଣି ଓଟାରି ‘ପାକିସ୍ତାନ ଆଳାପ’କୁ ସାମିଲ କରୁଛନ୍ତି । ବିରୋଧୀ କଂଗ୍ରେସକୁ ପାକିସ୍ତାନର ଶୁଭାକାଂକ୍ଷୀ କହି ଆକ୍ଷେପ କରିବା ସହ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ପାକିସ୍ତାନ ପ୍ରରୋଚନାରେ ବିରୋଧୀଙ୍କ ଷଡଯନ୍ତ୍ର ଚାଲିଛି ବୋଲି ସେ ଅଭିଯୋଗ କରିବାକୁ ପଛାଉ ନାହାନ୍ତି । ଅଭିଯୋଗକୁ ସାବ୍ୟସ୍ତ କରିବାକୁ ପାକିସ୍ତାନ ହାଇକମିସନ୍ ଅଧିକାରୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଂକର ଆୟାରଙ୍କ ହୋଇଥିବା ଏକ କଥିତ ଗୋପନ ବୈଠକକୁ ଉଲ୍ଲେଖ କରିବାକୁ ସେ ପଛାଉ ନାହାନ୍ତି । ପାକିସ୍ତାନର ଇଂଗିତରେ ଷଡଯନ୍ତ୍ର ଚାଲିଛି ବୋଲି ମୋଦୀଜୀ କହୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସାବ୍ୟସ୍ତ ହୋଇ ପାରି ନାହାନ୍ତି ।
ମୋଦୀଜୀ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନର ଶୁଭେଚ୍ଛୁ କହି କଂଗ୍ରେସକୁ ଗାଳି ଦେବା ଭିନ୍ନ କଥା । କିନ୍ତୁ, ଦୀର୍ଘ ଦଶ ବର୍ଷ କାଳ ଦେଶର ପ୍ରଧାନମନ୍ତ୍ରୀ ଥିବା ଡ.ମନମୋହନ ସିଂହଙ୍କୁ ପାକିସ୍ତାନୀ ଏଜେଂଟ ବୋଲି ଆକ୍ଷେପ କରିବା ଏବଂ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ସକାଶେ ତାଙ୍କ ଜାଣତରେ ବିରୋଧୀଙ୍କ ପକ୍ଷରୁ ଷଡଯନ୍ତ୍ର ଚାଲିଛି ବୋଲି ଆକ୍ଷେପ କରିବା ନିଶ୍ଚିତ ଭାବେ ଏକ ଗୁରୁତର ବିଷୟ । ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗର ଅର୍ଥ ହେଉଛି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ସିଂହ କେବଳ ବିଜେପିକୁ ରାଜନୈତିକ ଦୃଷ୍ଟିରୁ ବିରୋଧ କରୁ ନାହାନ୍ତି, ପାକିସ୍ତାନ ଇଂଗିତରେ ଦେଶରେ କ୍ଷମତାରେ ଥିବା ସରକାରଙ୍କୁ ଗାଦିଚ୍ୟୁତ କରିବା ସକାଶେ ଷଡଯନ୍ତ୍ରରେ ସାମିଲ ଅଛନ୍ତି । ଏହା ଦେଶଦ୍ରୋହ କୁହାଯାଇପାରେ । ଏହି ଅଭିଯୋଗର ଆଧାର କଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ବିଭିନ୍ନ ସମୟରେ ପାକିସ୍ତାନ ହାଇକମିସନ୍ ଅଧିକାରୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣି ଶଂକର ଆୟାର,ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ଅନ୍ୟ କିଛି କଂଗ୍ରେସ ନେତାଙ୍କ ଗୋପନ ଆଲୋଚନା ହୋଇଥିବା କୁହାଯାଉଛି । ଆଇ.ବି (ଗୋଇନ୍ଦା ବ୍ୟୁରୋ) ରିପୋର୍ଟ ଭିତ୍ତିରେ ପ୍ରଧାନମନ୍ତ୍ରୀ କଂଗ୍ରେସ ନେତାଙ୍କ ବିରୋଧରେ ଏଭଳି ମହାଭିଯୋଗ ଆଣୁ ଥାଇ ପାରନ୍ତି ବୋଲି କୁହାଯାଇପାରେ ।
ତେବେ, କୌଣସି ନିର୍ବାଚନ ସମୟରେ ହିଁ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ନେତାଙ୍କ ବିରୋଧରେ ଏଭଳି ମହାଭିଯୋଗ ଆଣୁ ଥିବାରୁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇବା ସ୍ୱାଭାବିକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିୟନ୍ତ୍ରଣରେ ଦେଶର ଗୁଇନ୍ଦା ସଂସ୍ଥାଗୁଡିକ ରହିଛି । ଅଜିତ ଡ଼ୋଭାଲଙ୍କ ଭଳି ଜଣେ ଅଭିଜ୍ଞ ଅଧିକାରୀଙ୍କୁ ସେମାନଙ୍କୁ ତଦାରଖ କରୁଛନ୍ତି । ‘ର’ ଠାରୁ ଆରମ୍ଭ କରି ଦେଶର ସମସ୍ତ ଗୁଇନ୍ଦା ସଂସ୍ଥାଙ୍କୁ ସରକାରଙ୍କ ଇଚ୍ଛା ଅନୁସାରେ ପରିଚାଳିତ କରାଯାଉଛି । ସରକାର ଚାହିଁଲେ କଥିତ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ରାଜନେତାଙ୍କୁ ଆଇନର କାଠଗଡାକୁ ଟାଣି ପାରନ୍ତେ । କିନ୍ତୁ, ମୋଦୀଜୀ ତାହା କରୁ ନାହାନ୍ତି । ନିର୍ବାଚନ ସମୟ ଆସିଲେ ହିଁ ପାକିସ୍ତାନ ପ୍ରସଙ୍ଗ ଉଠୁଛି । ତାହା ପରେ ସବୁ କଥା ଶୀତଳ ଭଣ୍ଡାରକୁ ଚାଲି ଯାଉଛି । ତେଣୁ, ପ୍ରଧାନମନ୍ତ୍ରୀଙ୍କ ‘ପାକିସ୍ତାନ ଆଳାପ’ ପଛରେ ରାଜନୀତି ବ୍ୟତୀତ ଆଉ କିଛି ନାହିଁ । ବିରୋଧୀମାନେ ଏକଥା କହୁଛନ୍ତି ।
ଏବେ କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗ ଆଲୋଚନାକୁ ନିଆ ଯାଉ । କଶ୍ମୀର ସହ ସବୁ ବେଳେ ପାକିସ୍ତାନୀ ଆତଙ୍କ ଯୋଡି ହୋଇ ରହିଛି । ତେବେ, ବିଧାନସଭା ଭଙ୍ଗ ସହ ବିଜେପି ପାକିସ୍ତାନକୁ ଯେଭଳି ଭାବେ ଯୋଡିଛି ତାହା ଅନେକଙ୍କୁ ଚକିତ କରିଛି । ନିଜେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ‘ପାକିସ୍ତାନ କାର୍ଡ’ ଖେଳି ବିଜେପି ପ୍ରତି ସହାନୁଭୂତି ଗୋଟାଇବାକୁ ଉଦ୍ୟମ କରିଛନ୍ତି । ତେବେ, ତଥ୍ୟାଭିଜ୍ଞ ମହଲ ରାଜ୍ୟପାଳ ଥିଓରିକୁ ସଂପୂର୍ଣ୍ଣ ଭାବେ ହଜମ କରିପାରୁ ନାହାନ୍ତି । ବରଂ, ଏହାକୁ ବିଜେପିର ‘ସର୍ଭାଇଭାଲ ଗେମ୍’ ବା ‘କ୍ଷମତାକୁ ଜାବୁଡି ଧରିବାର ଖେଳ’ ବୋଲି ବିଶ୍ୱାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ସରିଥିବା ଛତିଶଗଡ଼ ବିଧାନସଭା ଭୋଟ ସମେତ ଅନ୍ୟ କିଛି ରାଜ୍ୟରେ ଚାଲିି ଥିବା ବିଧାନସଭା ନିର୍ବାଚନ ପ୍ରଚାରରେ ଭାଗ ନେଇ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାକିସ୍ତାନ ପ୍ରୟୋଜିତ ଷଡଯନ୍ତ୍ର ଚାଲିଛି ଏବଂ ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ସିଂହ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଂକର ଆୟାରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ରହିଛି ବୋଲି ଅଭିଯୋଗକୁ ଦୋହରାଉ ଥିବା ବେଳେ ଜମ୍ମୁ-କଶ୍ମୀର ରାଜ୍ୟପାଳ ମଲ୍ଲିକ ରାଜ୍ୟ ବିଧାନସଭା ଭଙ୍ଗ ପ୍ରସଙ୍ଗରେ ଲୋକହସା ହେଲା ଭଳି ଦଲିଲ ଉପସ୍ଥାପନ କରିଛନ୍ତି । ଏହି ରାଜ୍ୟ ଅଦ୍ୟାବଧି ରାଜ୍ୟପାଳଙ୍କ ଶାସନାଧୀନ ରହିଛି । ବିଦାନସଭା ଭଙ୍ଗ ହୋଇ ନ ଥିବାରୁ ରାଜ୍ୟର ଦୁଇଟି ପରସ୍ପର ବିରୋଧୀ ପ୍ରମୁଖ ଦଳ ନ୍ୟାସନାଲ୍ କନଫରେନ୍ସ (ଏନ୍.ସି) ଓ ପିଡ଼ିପି ମିଳିତ ସରକାର ଗଠନ କରିବା ଉଦ୍ୟମରେ ଥିଲେ । ସରକାର ଗଠନ ପାଇଁ ସେମାନେ ପ୍ରସ୍ତୁତ ଥିବା ସଂପର୍କରେ ବୁଧବାର ଦିନ ରାଜ୍ୟପାଳଙ୍କୁ ଫ୍ୟାକ୍ସ ଯୋଗେ ଜଣାଇ ଥିଲେ । ତେବେ, ରାଜ ଭବନରେ କୌଣସି ଫ୍ୟାକ୍ସ ବାର୍ତା ପହଂଚି ନାହିଁ ବୋଲି ରାଜ୍ୟପାଳ ସଫେଇ ଦେବା ସହ ସସପେଣ୍ଡ୍ ଥିବା ରାଜ୍ୟ ବିଧାନସଭାକୁ ତରବରିଆ ଭାବେ ଭାଙ୍ଗି ଦେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ଦେଲେ । ଜମ୍ମୁ-କଶ୍ମୀର ବିଧାନ ସଭା ଭଙ୍ଗ ପରେ ପରେ ଏହି ରାଜ୍ୟ ଦାୟିତ୍ୱରେ ଥିବା ବିଜେପିର ପ୍ରଭାରୀରାମ ମାଧବ ଏନ୍.ସି-ପିଡ଼ିପିର ସରକାର ଗଠନ ଉଦ୍ୟମକୁ ‘ପାକିସ୍ତାନ ପ୍ରୟୋଜିତ’ କହି ଏହି ଦୁଇ ପ୍ରମୁଖ ଦଳର ଦେଶ ପ୍ରତି ଆନୁଗତ୍ୟକୁ ସନ୍ଧିଗ୍ଧ କରିଛନ୍ତି । ଏନ୍.ସି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କଡା ପ୍ରତିକ୍ରିୟା ପ୍ରକାଶ କରିବା ପରେ ରାମ ମାଧବ ନିଜ ଛେପ ନିଜେ ଢୋକିବାକୁ ବାଧ୍ୟ ହୋଇଛନ୍ତି ।
ଜମ୍ମୁ-କଶ୍ମୀର ବିଧାନସଭା ଭଂଗ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ବିଜେପି ନେତୃତ୍ୱର ଏଭଳି ଅବାନ୍ତର ମନ୍ତବ୍ୟକୁ ‘ପାକିସ୍ତାନ-ଫୋବିଆ’ ଛଡା ଆଉ କଣ କୁହାଯିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ପୁନର୍ବାର କ୍ଷମତାସୀନ କରିବା ପାଇଁ ଆତୁର,ଏଥିରେ କିଛି ସନ୍ଦେହ ନାହ । ଜମ୍ମୁ-କଶ୍ମୀର ଡ଼ୋର ହାତଛଡା ହେବା ମଧ୍ୟ ସେ ଚାହୁଁ ନାହାନ୍ତି । ଆବଶ୍ୟକତା ଅନୁସାରେ ବିଜେପି କେତେଦୂର ଅଗଣତାନ୍ତ୍ରିକ ହୋଇ ପାରେ, ତାହା ମଧ୍ୟ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସ୍ପଷ୍ଟ କରି ଦେଇଛି ।
ଅତୀତରେ ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ପିଡ଼ିପି ସହ ବିଜେପି ହାତ ମିଳାଇ ଥିଲା । ସମସ୍ତଙ୍କୁ ଚକିତ କଲା ଭଳି ନିର୍ବାଚନ ପରବର୍ତର୍ୀ ମେଂଟ କରି କ୍ଷମତାର ସ୍ୱାଦ ଚାଖି ଥିଲା । ଦୁଇ ଦଳ ମଧ୍ୟରେ ବୁଝାମଣାରେ ପିଡ଼ିପି ମୁଖ୍ୟ ସ୍ୱର୍ଗତ ମୁଫତି ମହମ୍ମଦ ସୟଦ ମୁଖ୍ୟମନ୍ତ୍ରୀ ହୋଇ ଥିଲେ । ବିଜେପି ଉପ ମୁଖ୍ୟମନ୍ତ୍ରୀ ପଦରେ ବସି ଜମ୍ମୁର ହିନ୍ଦୁ ଭୋଟ୍ ବ୍ୟାଙ୍କକୁ ସୁଦୃଢ କରୁ ଥିବା ବେଳେ କଶ୍ମୀର ଉପତ୍ୟକାର ବାସିନ୍ଦା ପିଡ଼ିପି ଦୟାରେ ପୂର୍ବଭଳି ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁ ଥିଲେ । ରାଜ୍ୟରେ ବିଜେପିର ଏହି ବିଭାଜନ ରାଜନୀତି କଶ୍ମୀର ପରିସ୍ଥିତିକୁ ଅଧିକ ଜଟିଳ କରିଥିବା ଅଭିଯୋଗ ହେଉଛି । ସେତେବେଳେ ବିରୋଧୀମାନେ ପାକିସ୍ତାନ ପ୍ରୟୋଜିତ ଆତଙ୍କରାଜକୁ ପ୍ରୋତ୍ସାହନ ଦେଉଥିବା ପିଡ଼ିପି ସହ ବିଜେପିର ଅସାଧୁ ମେଂଟକୁ କଟୁ ସମାଲୋଚନା କରିଥିଲେ ସୁଦ୍ଧା ବିଜେପି ତାହାକୁ ଖାତିର ନ କରି ମୁଫତିଙ୍କ ସହ ଚାଲି ଥିଲା । ମୁଫତିଙ୍କ ମୃତ୍ୟୁ ପରେ ତାଙ୍କ କନ୍ୟା ମେହେବୁବା ମୁଫତି ପ୍ରଥମେ ବିଜେପି ସହ ଯିବାକୁ ଅମଙ୍ଗ ହେଲେ ସିନା ବୁଝାମଣା ପରେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲେ । ତେବେ, ବିଜେପି-ପିଡ଼ିପି ମଧୁଚନ୍ଦ୍ରିକା ଅଧିକ ଦିନ ତିଷ୍ଠିଲା ନାହିଁ । ଦିନେ ମେହେବୁବା ତାଙ୍କ ସଚିବାଳୟରେ କାର୍ଯ୍ୟରତ ଥିବା ସମୟରେ ବିଜେପି ପ୍ରଭାରୀ ରାମ ମାଧବ ସଚିବାଳୟ ବାହାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ମେଂଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ଘୋଷଣା କଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ମେହେବୁବାଙ୍କୁ ଏହି ଖବର ଦେଲେ ଓ ବିଜେପିର ଏହି ବିଶ୍ୱାସଘାତକ ଆଚରଣ ସଂପର୍କରେ ଖବର ପାଇବା ପରେ ମେହେବୁବା ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟପାଳଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଲେ । ରାଜ୍ୟପାଳ ମଧ୍ୟ ତାହାକୁ ତୁରନ୍ତ ଗ୍ରହଣ କରି ନେଲେ । ବିକଳ୍ପ ସରକାର ଗଠନ ପାଇଁ ଏନ୍.ସି ରାଜି ନ ହେବାରୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହେଲା । ରାଷ୍ଟ୍ରପତି ତୁରନ୍ତ ରାଜ୍ୟପାଳ ଶାସନ ଲାଗୁ କରିବା ପରେ ଏଥର ପାକିସ୍ତାନ ପ୍ରୟୋଜିତ ଆତଙ୍କରାଜର କଡା ଜବାବ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଗଲା । ତେବେ, ରାଜ୍ୟରେ ରାଜ୍ୟପାଳ ଶାସନ ଥିବା ସମୟରେ ମଧ୍ୟ ପାକିସ୍ତନ ପ୍ରୟୋଜିତ ଆତଙ୍କରାଜ ବଢିଛି । ଜମ୍ମୁ-କଶ୍ମୀରରେ ପୂର୍ବରୁ ସେନା ଯବାନଙ୍କୁ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ଟାର୍ଗେଟ୍ କରୁଥିଲେ । ଏବେ, ପାକିସ୍ତାନ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ସ୍ଥାନୀୟ ଯୁବକଙ୍କୁ ପୁଲିସ ସୂଚନାଦାତା ସନ୍ଦେହରେ ଅପହରଣ କରି ନେଇ ହତ୍ୟା କରୁଛନ୍ତି । ଜମ୍ମୁ-କଶ୍ମୀର ପରିସ୍ଥିତି ଅଧିକ ସଂଗୀନ ହୋଇଛି ।
ବାସ୍ତବରେ, ରାଜ୍ୟରେ ରାଜ୍ୟପାଳ ଶାସନ ଜାରି କରିବା ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଧାନସଭା ଭଙ୍ଗ ନ କରି ବିଧାୟକମାନଙ୍କୁ ସେମାନେ ପାଇ ଆସୁଥିବା ସମସ୍ତ ସରକାରୀ ସୁବିଧା ସୁଯୋଗ ପୂର୍ବ ପରି ଉପଲବ୍ଧ କରାଇଲେ । ରାଜ୍ୟପାଳ ଶାସନ ଆଢୁଆଳରେ ପିଡ଼ିପିରେ ବିଦ୍ରୋହର ମଂଜି ବୁଣାଯାଇ ବିଧାୟକ ଦଳରେ ଫାଟ ସୃଷ୍ଟି ଉଦ୍ୟମ ହେଲା । ପିଡ଼ିପିର ଅସନ୍ତୁଷ୍ଟ ବିଧାୟକଙ୍କ ସମେତ ସ୍ୱାଧୀନ ବିଧାୟକ ଓ ଅନ୍ୟ କିଛି ଛୋଟ ଦଳଙ୍କ ସାହଯୋଗରେ ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ବିଜେପି ପ୍ରୟାସ କରି ବିଫଳ ହେଲା । ଇତ୍ୟବସରରେ ପୁରୁଣା ରାଜ୍ୟପାଳ ଅବସର ଗ୍ରହଣ କଲେ ଏବଂ ଜେଡ଼ିୟୁର ବରିଷ୍ଠ ନେତା ସତ୍ୟପାଲ୍ ମଲ୍ଲିକ ଜମ୍ମୁ-କଶ୍ମୀରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ହେଲେ । ସତ୍ୟପାଲ୍ ରାଜ୍ୟପାଳ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବିଜେପିର ରାଜନୈତିକ ସଂପର୍କ ସୁଧୁରିଲା । ନୀତିଶ ଦେଶରେ ମିଳିତ ବିରୋଧୀ ରାଜନୀତିର ମଂଗ ଧରି ମୋଦୀଙ୍କ ବିପକ୍ଷରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହେଲା । କିନ୍ତୁ, ଜମ୍ମୁ-କଶ୍ମୀର ପରିସ୍ଥିତି ପୂର୍ବବତ୍ ସଂଗୀନ ରହିଲା ।
ରାଜ୍ୟପାଳ ଶାସନ ସତ୍ୱେ ରାଜ୍ୟରେ ଆତଙ୍କବାଦ ଥମୁ ନ ଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ତରବାରୀ ବିରୋଧୀଙ୍କ ଆଡକୁ ବୁଲାଇଛନ୍ତି । ରାଜ୍ୟର ଦୁଇ ପାରଂପରିକ ଶତ୍ରୁ ଭାବେ ପରିଚିତ ରାଜନୈତିକ ଦଳ ଏନ୍.ସି ଓ ପିଡ଼ିପି ମଧ୍ୟରେ ବୁଝାମଣା ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଉଦ୍ଦିଷ୍ଟ, ଏକଥା ସେ ଜାଣନ୍ତି । ତେଣୁ, ‘ମୂଳୁ ମାଇଲେ..’ ନ୍ୟାୟରେ ସେ ରାଜ୍ୟପାଳଙ୍କ ମାଧ୍ୟମରେ ବିଧାନସଭା ଭଙ୍ଗ କରାଇବା ସହ ନିର୍ବାଚନର ବାଟ ଖୋଲିଛନ୍ତି । ଏନ୍.ସି-ପିଡ଼ିପି ମେଂଟ ଅନୈତିକ ବୋଲି ପ୍ରଚାର ଆରମ୍ଭ ହୋଇଯାଇଛି । ମିଳିତ ସରକାର ଗଠନ ପାଇଁ ପିଡ଼ିପି (ପିପୁଲ୍ସ ଡ଼େମୋକ୍ରେଟିକ ପାର୍ଟି) ମୁଖ୍ୟା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ବୁଧବାର ରାଜ୍ୟପାଳଙ୍କ ନିକଟକୁ ପଠାଇ ଥିବା ଫ୍ୟାକ୍ସ ବାର୍ତର୍ା ରାଜ ଭବନରେ ପହଂଚି ନାହିଁ ବୋଲି ପିଲାଙ୍କ ଭଳି ଯୁକ୍ତି ଦର୍ଶା ଯିବା ସହ ତୁରନ୍ତ ବିଧାନସଭା ଭଙ୍ଗ କରାଯାଇଛି । ରାଜ୍ୟପାଳଙ୍କ ସଫେଇ ହେଉଛି, ତାଙ୍କ ନିକଟରେ ମେହେବୁବାଙ୍କ ଫ୍ୟାକ୍ସ ବାର୍ତା ପହଂଚି ନାହିଁ । ତେଣୁ, ରାଜ ଭବନରେ ଲାଗି ଥିବା ଫ୍ୟାକ୍ସ ମେସିନ ବଦଳାଇବାକୁ ସେ ପରାମର୍ଶ ଦେଇଛନ୍ତି । ବୁଧବାର ଦିନ ଇଦ୍ ଉପଲକ୍ଷେ ରାଜଭବନ କାର୍ଯ୍ୟାଳୟ ବନ୍ଦ ଥିଲା । ଏପରିକି ତାଙ୍କ ରେଷେୟା ମଧ୍ୟ ଛୁଟିରେ ଥିଲେ । ସେ ଦୃଷ୍ଟିରୁ ମେହେବୁବାଙ୍କ ଫ୍ୟାକ୍ସ ବାର୍ତା ତାଙ୍କ ନିକଟରେ ପହଂଚି ପାରି ନାହିଁ ବୋଲି ରାଜ୍ୟପାଳ ସାମ୍ବାଦିକଙ୍କୁ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଫ୍ୟାକ୍ସ ବାର୍ତର୍ା ତାଙ୍କ ନିକଟରେ ପହଂଚି ଥିଲେ ମଧ୍ୟ ସେ ଘୋଡା ବେପାରକୁ ପ୍ରୋତ୍ସାହିତ କରି ନ ଥାନ୍ତେ । କାରଣ, ଏନ୍.ସି-ପିଡ଼ିପି ମେଂଟ ହେଉଛି ‘ଅନୈତିକ ମେଂଟ’ । ରାଜ୍ୟପାଳ ଦାମ୍ଭିକତାର ସହ ଏନ୍.ସି-ପିଡ଼ିପି ମେଂଟକୁ ଅନୈତିକ କହିବା ଏବଂ ଫ୍ୟାକ୍ସ ବାର୍ତା ପାଇ ଥିଲେ ବି ଏହି ମେଂଟକୁ ସରକାର ଗଠନ ପାଇଁ ସୁଯୋଗ ଦେଇ ନଥା’ନ୍ତେ ବୋଲି ଦୃଢୋକ୍ତି ପ୍ରକାଶ କରିବା ପଛରେ ଯେ ବିଜେପିର କୌଣସି ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତାଙ୍କ ଆଶିର୍ବାଦ ରହିଛି, ଏଥିରେ କିଛି ସନ୍ଦେହ ନାହିଁ । ଏହାଦ୍ୱାରା ରାଜ୍ୟପାଳ ମଲ୍ଲିକ ନିଜ କାର୍ଯ୍ୟାଳୟର ଦୁର୍ବଳ ଭିତ୍ତିଭୂମୀକୁ ପଦାରେ ପକାଇବା ସହ ଏନ୍.ସି-ପିଡ଼ିପି ମେଂଟକୁ ‘ଅନୈତିକ ମେଂଟ’ ବୋଲି ଆକ୍ଷେପ କରି କେନ୍ଦ୍ର ସରକାରଙ୍କ ଉପଯୁକ୍ତ ‘ବୋଲକରା’ର ପରିଚୟ ଦେଇଛନ୍ତି । କ୍ଷମତାସୀନ ବିଜେପିର ଏକଛତ୍ରବାଦୀ ପରିଚୟ ମଧ୍ୟ ଏଥିରୁ ପ୍ରତିଫଳିତ ହୋଇଛି ।
ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ଗଠନ କରିବା ଅଧିକାର ସବୁ ରାଜନୈତିକ ଦଳର ରହିଛି । ଅତୀତର ପିଡ଼ିପି-ବିଜେପି ମେଂଟ ଯଦି ଅନୈତିକ ନ ଥିଲା ବର୍ତର୍ମାନ ଏନ୍.ସି-ପିଡ଼ିପି ମେଂଟର ସରକାର ଗଠନ ପାଇଁ ଉଦ୍ୟମ କିଭଳି ଭାବେ ଅନୈତିକ ହେଲା? ଜଣେ ରାଜ୍ୟପାଳ ଖୋଲାମେଲା ଭାବେ କୌଣସି ରାଜନୈତିକ ଦଳ ବା ମେଂଟକୁ ଅନୈତିକ କହିବା କେତେଦୂର ସମ୍ବିଧାନ ସମ୍ମତ?? ଏଭଳି ଅନେକ ପ୍ରଶ୍ନ ଏବେ ସାମନାକୁ ଆସୁଛି । ରାଜ୍ୟପାଳ ଫ୍ୟାକ୍ସ ବାର୍ତର୍ା ପାଇଛନ୍ତି ବୋଲି କହିଥିଲେ ତାଙ୍କୁ ଏନ୍.ସି-ପିଡ଼ିପି ମେଂଟକୁ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବାକୁ ପଡି ଥା’ନ୍ତା । ଫ୍ୟାକ୍ସ ବାର୍ତା ମିଳି ନାହିଁ କହି ସେ ଏହି ପ୍ରସଙ୍ଗକୁ ଏଡାଇ ଗଲେ । ଏଥିରୁ ଗଣତନ୍ତ୍ର ପ୍ରତି ମୋଦୀ ସରକାର ବା ବିଜେପିର କେତେଦୂର ସମ୍ମାନ ରହିଛି, ତାହା ସ୍ପଷ୍ଟ ହେଉଛି । ବିଧାନସଭା ଭଙ୍ଗ କରିବା ଅଧିକାର ରାଜ୍ୟପାଳଙ୍କ ରହିଛି । ତେବେ, ସେଥିପାଇଁ ଯଥେଷ୍ଟ କାରଣ ରହିବା ଆବଶ୍ୟକ । ତରବରିଆ ଭାବେ ବିଧାନସଭା ଭଙ୍ଗା ଯିବା ପଛରେ କେନ୍ଦ୍ରର ଇଂଗିତ ଥିବା ସ୍ପଷ୍ଟ କରିଛି । ବିଜେପିର ଭୟକୁ ମଧ୍ୟ ଉଜାଗର କରୁଛି । ରାଜ୍ୟରେ ଏନ୍.ସି-ପିଡ଼ିପି ମେଂଟ ସରକାର ପ୍ରତିଷ୍ଠା ହୋଇ ଥିଲେ ଜମ୍ମୁ-କଶ୍ମୀର ରାଜନୀତି ନୂଆ ମୋଡ ନେଇଥା’ନ୍ତା । ରାଜ୍ୟରେ ବିଜେପିର ରାଜନୀତି ବିପନ୍ନ ହୋଇଥା’ନ୍ତା । ତେଣୁ, ଜେଡ଼ିୟୁ ରାଜ୍ୟପାଳଙ୍କୁ ଅସ୍ତ୍ର କରି ବିଜେପି ଏହି ଖେଳ ଖେଳିଛି । ତେବେ, ନୀତିଶ କୁମାରଙ୍କ ଭଳି ଜଣେ କଥିତ ସ୍ୱାଭିମାନୀ ନେତା ଏଭଳି ହୀନ ରାଜନୀତିରେ ବିଜେପିକୁ କେମିତି ସହଯୋଗ ଦେଲେ (?), ତାହା ଆଜି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS