ଚାଷି ସମସ୍ୟା ଓଡ଼ିଶା ପାଇଁ କେତେ ଅଡୁଆ ହେବ ?


– ପ୍ରସାଦ ରାଓ –
ଭୁବନେଶ୍ୱର: ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଦେଶର ଦଳିତ ଓ ଚାଷି ଅସନ୍ତୋଷକୁ ଅଧିକ ଉଜାଗର କରିଛି । ରାଜସ୍ଥାନରେ ଦଳିତଙ୍କ ପ୍ରତି ସରକାରଙ୍କ ଅବହେଳା ବସୁନ୍ଧରା ରାଜେ ସରକାରଙ୍କ ପତନର ପ୍ରମୁଖ କାରଣ ଭାବେ ବିଚାର କରାଯାଉଥିବା ବେଳେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଶିବରାଜ ସିଂହ ଚୌହାନ ଓ ରମଣ ସିଂହ ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ କରି ସୁଦ୍ଧା ଗ୍ରାମାଂଚଳ ଜନସାଧାରଣ ଏବଂ ଚାଷିଙ୍କ ଆକ୍ରେଶର ଶିକାର ହୋଇ କ୍ଷମତାଚ୍ୟୁତ ହୋଇଥିବା ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି । ବିଶେଷକରି, ଛତିଶଗଡ଼ରେ ଶିବରାଜ ସିଂହ ଚୌହାନ ସରକାର ୨୦୧୮ ନିର୍ବାଚନରେ ଖୁବ୍ କମ୍ ଭୋଟ ଓ ଆସନ ବ୍ୟବଧାନରେ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାରୁ ବଂଚିତ ହୋଇଛନ୍ତି। ଦୁଇ ସରକାର ଯେତେ ଯାହା ଭଲ କାମ କରି ଥିଲେ ମଧ୍ୟ କେନ୍ଦ୍ର ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ ବିଭିନ୍ନ ଚାଷି ଓ ଗ୍ରାମାଂଚଳ ଜନତା ବିରୋଧୀ ନୀତିର ପ୍ରଭାବ ଏହି ହିନ୍ଦିଭାଷୀ ରାଜ୍ୟଗୁଡିକରେ ଅନୁଭୂତ ହୋଇଛି ଏବଂ ବିଜେପି କ୍ଷମତା ହରାଇଛି । ଚାଷିଙ୍କ ଆନ୍ଦୋଳନ ଉପରେ ହୋଇଥିବା ସରକାରୀ ଜୁଲମ ଶିବରାଜ ସିଂହଙ୍କ ପାଇଁ ମହଙ୍ଗା ପଡିଲା ବୋଲି ରାଜନୈତିକ ପଣ୍ଡିତମାନେ ଅଭିଯୋଗ କରିବାକୁ ପଛାଉ ନାହାନ୍ତି ।
କେନ୍ଦ୍ର ସରକାର ଏସବୁ ଅଭିଯୋଗକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଉଭୟ ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଜେପି ଲଗାତର ୧୫ ବର୍ଷ ଶାସନରେ ରହିଛି, ଯାହାକି ଜନସାଧାରଣରେ ‘ସରକାର ବିରୋଧୀ ହାୱା’ ସୃଷ୍ଟି କରି ଥିଲା । ତାହା ରମଣ ସିଂହ ଓ ଶିବରାଜ ସିଂହ ଚୌହାନ ସରକାରଙ୍କ ପତନର ମୁଖ୍ୟ କାରଣ ହେଲା ବୋଲି ବିଜେପି କେନ୍ଦ୍ରୀୟ ନେତୃତ୍ୱ କହୁଛନ୍ତି । ଉଭୟ ରମଣ ସିଂହ ଓ ଶିବରାଜ ସିଂହ ଚୌହାନ ମଧ୍ୟ ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଦଳର ପରାଜୟ ପାଇଁ ନିଜକୁ ଦାୟି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ସମାଲୋଚନାରୁ ଉଦ୍ଧ୍ୱର୍ରେ ରଖିବାକୁ ପଛାଉ ନାହାନ୍ତି । ତେବେ, ରାଜନୈତିକ ବିଶ୍ଲେଷକମାନେ ଏହି ଦଲିଲକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି ।
କେନ୍ଦ୍ର ସରକାରଙ୍କ ରାତି ଅଧିଆ ବିମୁଦ୍ରାକରଣ ଘୋଷଣା ଓ ଜିଏସ୍ ଟି ଲାଗୁ ନିଷ୍ପତ୍ତି ଉଭୟ ଗ୍ରାମାଂଚଳ ଓ ସହରାଂଚଳ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା । ସାଧାରଣ ଲୋକ ସେମାନଙ୍କ ଜରୁରୀ ଆବଶ୍ୟକତାକୁ ମେଂଟାଇବା ପାଇଁ ସର୍ବନିମ୍ନ ଦୁଇ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇବାକୁ ଯାଇ ଘଂଟା ଘଂଟା ଧରି ଏଟିଏମ୍ ଗୁଡ଼ିକ ସାମନାରେ ଧାଡିବାନ୍ଧି ଠିଆ ହେବାକୁ ବାଧ୍ୟ ହୋଇଥିଲେ । ତାହା ମଧ୍ୟ ମିଳିବା ନେଇ ଅନିଶ୍ଚୟତା ଦେଖିବାକୁ ମିଳି ଥିଲା । ଚାଷି, କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ଏହି ସଂକଟରୁ ବାଦ ପଡି ନ ଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ଅଚାନକ ନିଷ୍ପତ୍ତି ଯୋଗୁ ଦେଶରେ ବହୁ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ବନ୍ଦ ହୋଇ ଯାଇଥିଲା । ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ହେବାରୁ ଦେଶରେ ବେରୋଜଗାରୀ ବଢିଲା । ଅନ୍ୟପକ୍ଷରେ, ବଡ଼ ବଡ଼ ବ୍ୟାଙ୍କ ଅଧିକାରୀଙ୍କ ଅସାଧୁ ସହାୟତା ନେଇ ଦଲାଲମାନେ ହଜାର ହଜାର କୋଟି ଟଙ୍କାର ପୁରୁଣା ହଜାରେ ଓ ପାଂଚ ଶହ ଟଙ୍କିଆ ନୋଟ୍ ବ୍ୟାଙ୍କ ଗୁଡିକରେ ବଦଳାଇ ହଡପ କଲେ । ଅନେକ ଧରାପଡ଼ିଲେ । ବହୁ ପଦସ୍ଥ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା । ତେବେ, ମୋଦୀ ସରକାରଙ୍କ ଏହି କଳାଧନ-ବିରୋଧୀ ଅଭିଯାନ ଏବଂ ରାତିଅଧିଆ ପଦକ୍ଷେପ ନିରର୍ଥକ ହୋଇଥିବା ପରେ ଆରବିଆଇ ରିପୋର୍ଟରୁ ଜଣାପଡିଲା । ତେବେ, ତାହା ପୂର୍ବରୁ ମୋଦୀ ସରକାର ଭୋଟରଙ୍କୁ ଭଣ୍ଡାଇ ବିଭିନ୍ନ ନିର୍ବାଚନ ଜିତି ସାରିଥିଲେ । ଭୋଟର ମଧ୍ୟ ସରକାରଙ୍କୁ ବିଶ୍ୱାସ କରି ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇ ଥିଲେ ।
ବିଳମ୍ବରେ ହେଉ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମୋଦୀ ସରକାରଙ୍କ ମୁଖା ଖୋଲି ଦେବା ପରେ ଦେଶବାସୀଙ୍କ ଚେତା ପଶିଛି । ‘ନୋଟବନ୍ଦୀ’ ସମୟରେ ଯେଉଁ ପରିମାଣର ହଜାରେ ଓ ପାଂଚ ଶହ ଟଙ୍କିଆ ନୋଟ୍ ଅକାମୀ ହୋଇ ବଜାରରେ ଥିଲା ତାହାର ଶତକଡା ୯୯ ଭାଗରୁ ଅଧିକ ନୂଆ ନୋଟ ଆକାରରେ ରିଜର୍ଭ ବ୍ୟାଙ୍କକୁ ଫେରି ଆସି ଥିବା ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିବା ପରେ ମୋଦୀ ସରକାରଙ୍କ ‘କଳାଧନ ଉଦ୍ଧାର’ କାହାଣୀ ମିଛ ସାବ୍ୟସ୍ତ ହୋଇଛି । ସରକାର ଯେଉଁ ସବୁ କାରଣ ଦର୍ଶାଇ ରାତି ଅଧିଆ ‘ନୋଟବନ୍ଦୀ’ କରି ଥିଲେ ତାହା ଯେ କେନ୍ଦ୍ର ସରକାରଙ୍କ ବଡ ‘ଜୁମଲା’ ବା ମିଛ ଥିଲା, ତାହା ପରବର୍ତର୍ୀ ସମୟରେ ଦେଶବାସୀଙ୍କ ହୃଦବୋଧ ହୋଇଛି । ଏହାଛଡା ଆହୁରି ଅନେକ ‘ଜୁମଲା’ ପଦାକୁ ଆସିବା ପରେ ମୋଦୀ ସରକାରଙ୍କ ପ୍ରକୃତ ଚେହେରା ଜନ ସମ୍ମୁଖକୁ ଆସିଛି ।
‘ନୋଟବନ୍ଦୀ’ ପରେ ବିଜେପି ବହୁ କୋଟି ଟଙ୍କା ବ୍ୟୟରେ ନୂଆଦିଲ୍ଲୀରେ ତାହାର ରାଷ୍ଟ୍ରୀୟ କାର୍ଯ୍ୟାଳୟ ନିର୍ମାଣ କରାଇବା ପରେ ଆଡମ୍ବର ସହକାରେ ଉଦଘାଟନ କରାଇବା, ବିଜେପିର ବରିଷ୍ଠ ନେତାମାନେ ହଠାତ୍ ବହୁ କୋଟି ସଂପତ୍ତିର ମାଲିକ ହୋଇଯିବା (ଯାହା ଜାତୀୟସ୍ତର ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଥିଲା), ମୋଦୀଜୀଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଭାସମିତି ଓ ବିଦେଶଯାତ୍ରା ସମୟରେ ତାଙ୍କ ସହ ଦେଖିବାକୁ ମିଳିଥିବା ନୀରବ ମୋଦୀ, ତାଙ୍କ ମାମୁଁ ଚୋକସୀଙ୍କ ଭଳି ଗୁଜରାଟୀ ବ୍ୟବସାୟୀ ଓ ଅନ୍ୟ କିଛି ବଡ ବ୍ୟବସାୟୀ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ହଜାର ହଜାର କୋଟି ଟଙ୍କାର ଚୁନ ଲଗାଇ ବିଦେଶକୁ ଖସି ପଳାଇବା ମଧ୍ୟ ମୋଦୀ ସରକାରଙ୍କ ବିଶ୍ୱସନୀୟତା ପ୍ରତି ସନ୍ଦେହର ବାତାବରଣ ସୃଷ୍ଟି କରିଛି ।
ମୋଦୀ ସରକାରଙ୍କ ପ୍ରତି ଦେଶର ଗ୍ରାମାଂଚଳରେ ଅସନ୍ତୋଷ ବଢି ଚାଲି ଥିବା ପ୍ରଥମେ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳରୁ ଜଣାପଡି ଥିଲା । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନିଜ ‘ହୋମଟର୍ଫ’ରେ ନାକେଦମ ହୋଇ ‘ବିକାଶ’ରୁ ଦୂରେଇ ଯାଇ କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ପାକିସ୍ତାନର ଏଜେଂଟ୍ ବୋଲି ଅଭିଯୋଗ କରି ତାହାକୁ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ରିପୋର୍ଟ ଭିତ୍ତିରେ ସାବ୍ୟସ୍ତ କରିବାକୁ ବହୁ ପରିଶ୍ରମ କରିଥିଲେ । ବିରୋଧୀ- ଏକତା ଉଦ୍ୟମକୁ ମଧ୍ୟ ବ୍ୟକ୍ତିଗତସ୍ତରକୁ ନିଆଯାଇ ସମାଲୋଚନା କରାଯାଇଥିଲା । ବିରୋଧୀ ଦଳମାନେ ବିଜେପି ବିରୋଧରେ ଏକାଠି ହେବାକୁ ଉଦ୍ୟମ କରୁଥିଲେ ମଧ୍ୟ ନେତୃତ୍ୱକୁ ନେଇ ସେମାନଙ୍କ ମଧ୍ୟରେ ମତଭେଦ ରହିଛି । ସେମାନଙ୍କ ପାଖରେ ‘ବିକାଶ’ ସଂପର୍କିତ କୌଣସି ଯୋଜନା ବା କାର୍ଯ୍ୟକ୍ରମ ନାହିଁ । କେବଳ ‘ମୋଦୀ ହଟାଓ’ ଆଜେଣ୍ଡାକୁ ନେଇ ଏଭଳି ମେଂଟ ଉଦ୍ୟମ ଚାଲିଛି ବୋଲି ମୋଦୀଜୀ ଓ ଅମିତ ଶାହା ନିର୍ବାଚନ ପ୍ରଚାର କରିବା ସତ୍ୱେ ଗୁଜରାଟ ଗ୍ରମାଂଚଳ ଭୋଟର କଂଗ୍ରେସ ସପକ୍ଷରେ ଭୋଟ ଦେଇ ଥିଲେ । ବିଜେପି ସହରାଂଚଳ ଭୋଟରଙ୍କ ସମର୍ଥନରେ ବିପର୍ଯ୍ୟୟରୁ ରକ୍ଷା ପାଇ ଥିଲା । ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଜନତା ବିଜେପିକୁ ସେତିକି ସୁଯୋଗ ମଧ୍ୟ ଦେଇ ନାହାନ୍ତି । ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ଚାଷି ଓ ଦଳିତ ଶ୍ରେଣୀ ପ୍ରତିନିଧିଙ୍କ ସାକ୍ଷାତକାରରୁ ସରକାରଙ୍କ ପ୍ରତି ଚାଷିଙ୍କ ମନରେ ଥିବା କ୍ଷୋଭ ପ୍ରତିଫଳିତ ହୋଇଛି । ଚାଷିଙ୍କ ଖୋଲାଖୋଲି ଅଭିଯୋଗ ଥିଲା, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିଭିନ୍ନ ଆର୍ଥିକ ନୀତି ସେମାନଙ୍କି ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ବିମୁଦ୍ରାକରଣ ଠାରୁ ଆରମ୍ଭ କରି ଚାଷିଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରୀ ନୀତି ‘ଚାଷି ଓ ଗରିବ ବିରୋଧୀ’ ରହିଛି । କେବଳ ହିନ୍ଦିଭାଷୀ ଅଂଚଳ ନୁହେଁ, ସମଗ୍ର ଦେଶରେ ଚାଷି ଓ ଗରିବ ଜନସାଧାରଣଙ୍କ ପ୍ରତିକ୍ରିୟା ଏକାଭଳି, ଯାହାକି କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟର ସରକାରମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।
କେନ୍ଦ୍ର ବା ରାଜ୍ୟ ସରକାରମାନେ କୃଷି ସଂପର୍କିତ ସ୍ୱାମୀନାଥନ୍ କମିସନ ରିପୋର୍ଟ କାର୍ଯ୍ୟକାରୀ ନ କରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଓଡ଼ିଶା ସରକାର ରାଜ୍ୟର ଚାଷିଙ୍କୁ ଧାନ ଉତ୍ପାଦନ ବାବଦରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଖାପାଖି ୩ ହଜାର ଟଙ୍କା ଦିଆ ଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ରାଜ୍ୟ ବିଧାନସଭାରେ ଏସଂପର୍କରେ ଏକ ସଂକଳ୍ପ ଗୃହୀତ କରାଯାଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ଗୃହ କମିଟି ଗଠନ କରାଯାଇଥିଲା । କମିଟି ପ୍ରଧାନମନ୍ତ୍ରୀଙ୍କୁ ଭୋଟି ଆଲୋଚନା କରିବାକୁ ସମୟ ମାଗି ଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଏତେ ବ୍ୟସ୍ତ ରହିଲେ ଯେ ଓଡ଼ିଶା ବିଧାନସଭା ଗୃହ କମିଟିକୁ ଭେଟିବାକୁ ସମୟ ଦେଇ ପାରିଲେ ନାହିଁ । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଅସହଯୋଗ ଦେଖି ରାଷ୍ଟ୍ରପତିଙ୍କୁ ଭେଟି ଦାବି ଉପସ୍ଥାପନ କରିବେ ବୋଲି ଘୋଷଣା କରିବା ସହ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ଦେଲେ । ଏସବୁ ସତ୍ୱେ କେନ୍ଦ୍ର ସରକାର ଚାଷିଙ୍କ ପାଇଁ ସେମାନଙ୍କ ଉତ୍ପାଦନ ବାବଦରେ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କଲେ ତାହା ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ବୋଲି ମୋଦୀ ସରକାର ଦାବି କରୁଥିବା ବେଳେ ଚାଷି ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ମଧ୍ୟ ସେଥିରୁ ଉଠୁ ନ ଥିବା କହୁଛନ୍ତି । ଓଡ଼ିଶା ସମେତ ବିଭିନ୍ନ କୃଷିଭିତ୍ତିକ ରାଜ୍ୟରେ ଚାଷିଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହଯୋଗ ମିଳୁ ନ ଥିବାରୁ ଚାଷି ଆତ୍ମହତ୍ୟା ବୃଦ୍ଧି ପାଇଛି । ଓଡ଼ିଶାରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଷି ଆନ୍ଦୋଳନ ଚାଲିଛି । ତେବେ, ଏହାର ନେତାମାନେ ଜାତୀୟସ୍ତରରେ ହେଉ ଥିବା ଚାଷି ଆନ୍ଦୋଳନରେ ସାମିଲ ନ ହେବା ଏବଂ ରାଜ୍ୟର ଚାଷି ନେତାମାନେ ଚାଷି ଆନ୍ଦୋଳନକୁ ନିଜ ରାଜନୈତିକ ଉତ୍ଥାନରେ ବ୍ୟବହାର କରିଥିବା ସମାଲୋଚନାର ବିଷୟ ହୋଇଛି । ତଥାପି, ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ଚାଷିଙ୍କୁ ସଂଗଠିତ କରିବାରେ କିଛିମାତ୍ରାରେ ସଫଳ ହୋଇଛି ବୋଲି ସମାଲୋଚକମାନେ ସ୍ୱୀକାର କରୁଛନ୍ତି । ତେବେ, ପ୍ରାରମ୍ଭରେ ଏହି ଆନ୍ଦୋଳନର ପୃଷ୍ଠପୋଷକ ଥିବା ତୁଙ୍ଗ ନେତାଏ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଶାସକ ଦଳରେ ସାମିଲ ହୋଇ ଉଚ୍ଚ ପଦପଦବୀରେ ରହିବା ଚାଷିଙ୍କୁ ଚକିତ କରିଛି ।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଦୋଳନରତ ଚାଷିଙ୍କ ସହ ଆଲୋଚନା କରିବା ପରିବର୍ତେ ସେମାନଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ନ ଦେଇ ପୁଲିସ ଲଗାଇ ଘଉଡାଇଲେ । ସେମାନଙ୍କ ସର୍ବନିମ୍ନ ଦାବି ମଧ୍ୟ ବିଚାରକୁ ନିଆ ଗଲା ନାହିଁ । ତେବେ, ସକାଳୁ ଉଠିଲେ ଚାଷିଙ୍କ ପାଇଁ ସରକାର ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଫଟୋ ସେସନ୍ ରେ ବ୍ୟସ୍ତ ରହୁଛନ୍ତି । ଉଣେଇସି ନିର୍ବାଚନ ପୂର୍ବରୁ ସରକାରୀ ଘୋଷଣା ସବୁ ‘ନିର୍ବାଚନୀ ଚାଲ୍’ ବୋଲି ବିରୋଧୀଙ୍କ ଆଡୁ ଅଭିଯୋଗ ହେଉଛି । ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ମାଟି କାମୁଡ଼ିବାର ପ୍ରମୁଖ କାରଣ ଦେଶବ୍ୟାପୀ ଚାଷି ଅସନ୍ତୋଷ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଫଳାଫଳ ପ୍ରକାଶ ପାଉ ପାଉ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । କିନ୍ତୁ, ନିଜ ରାଜ୍ୟରେ ଚାଷି ଅଶାନ୍ତିର ସମାଧାନ ନେଇ ଉଦାସୀନ । ଓଡ଼ିଶାରେ ଆଂଟି-ଇନକମ୍ବେନ୍ସି ବା ସରକାର ବିରୋଧୀ ଜନମତ ରହିଛି । କିନ୍ତୁ, ରାଜ୍ୟରେ ବିଜେପି ବା କଂଗ୍ରେସ ପ୍ରାୟ ୨୦ ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡ଼ିର ବିକଳ୍ପ ଭାବେ ନିଜକୁ ପ୍ରତିଷ୍ଠା କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇ ନାହାନ୍ତି । ତେଣୁ, ଶାସକ ଦଳ ଆଶ୍ୱସ୍ତ । ଓଡ଼ିଶାରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ବିବୃତି ଦଳରେ ଭିନ୍ନମତ ରହି ଥିବା ସୂଚନା ଦେଉଥିବା ବେଳେ ନୂଆ କରି ଦଳରେ ଯୋଗ ଦେଇଥିବା ସ୍ୱେଚ୍ଛାରେ ଅବସରପ୍ରାପ୍ତ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କୁ ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ ମଧ୍ୟ ପ୍ରଚାର ହେଉଛି । ଯାହାକୁ ନେଇ କି ଦଳ ଅଡୁଆରେ ପଡିଛି । ବିଜେପିର ଦୁଇ ତୁଙ୍ଗ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ନିକଟରେ ଦଳରୁ ଇସ୍ତଫା ଦେବା ପରେ ବିଜେପିକୁ ଆଉ ଏକ ଝଟକା ଲାଗିଛି । ସେହିପରି, କଂଗ୍ରେସରେ ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ସାଂଗଠନିକ ସ୍ଥିତିରେ ସୁଧାର ଓ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ, ନିକଟରେ ଦଳର କିଛି ତୁଙ୍ଗ ନେତା ବିବଦମାନ ମନ୍ତବ୍ୟ ଦେବା, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରୁ ଓ ବିଧାୟକ ପଦରୁ ଇସ୍ତଫା ଦେବା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପିସିସି ସଭାପତି ନିରଂଜନଙ୍କୁ ଖଣି ମାଫିଆ ଭାବେ ଆକ୍ଷେପ କରିବା ପରେ ଶ୍ରୀକାନ୍ତଙ୍କୁ ଦଳରୁ ନିର୍ବାଚନ ଇସ୍ତାହାର କମିଟିରୁ ହଟାଇ ଦିଆଯିବା ରାଜ୍ୟରେ କଂଗ୍ରେସର ଦୁଃସ୍ଥିତିକୁ ପଦାରେ ପକାଇଛି । ଜେନା-ପଟ୍ଟନାୟକ ବିବାଦ ଓ ବିବୃତି ଯୁଦ୍ଧ ଏବେ ଜାତୀୟ ଫେରମ୍ ରେ ବା ରାହୁଲ ଗାନ୍ଧୀଙ୍କ ଦରବାରର ବିଚାରାଧିନ । ଏଭଳି ସ୍ଥିତିରେ ରାଜ୍ୟବାସୀ ବିଜେପି ବା କଂଗ୍ରେସରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତୀ ସହ ସମକକ୍ଷ ହେଲା ଭଳି ନେତାଙ୍କୁ ଦେଖିବାକୁ ପାଉ ନାହାନ୍ତି । ଯାହାକି ବିଜେଡ଼ିକୁ ସ୍ୱେଚ୍ଛାଚାରୀ କରୁଛି ।
ରାଜ୍ୟର ଚାଷି ଦୁଃଖି । ଚିଟ୍ଫଣ୍ଡ୍ ଦୁର୍ନୀତି ଭଳି ବଡ ବଡ ଦୁର୍ନୀତି ଶାସକ ବିଜେଡ଼ରି ଚେହେରାକୁ କଳୁଷିତ କରି ସାରିଛି । ନିକଟରେ କୃଷି, ସମବାୟ ଓ ଉଦ୍ୟାନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସେଥିରେ ଯୋଡି ହୋଇଛି । ଜନତାଙ୍କ ମଧ୍ୟରେ ସରକାର-ବିରୋଧୀ ଅସନ୍ତୋଷ ଖୁନ୍ଦି ହୋଇ ରହି ଥିଲେ ସୁଦ୍ଧା ବିରୋଧୀ ଶିବିରରେ ଉପଯୁକତ ବିକଳ୍ପ ନେତୃତ୍ୱର ଅଭାବ ଯୋଗୁ ଏହି ସରକାର ସୁରକ୍ଷିତ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଶାସକ ଦଳ ୨୦୧୪ ନିର୍ବାଚନ ତୁଳନାରେ କମ୍ ଆସନ ପାଇବ ବୋଲି ସରକାର ଜାଣନ୍ତି । ତେବେ, ଭୋଟରଙ୍କ ନିକଟରେ ଉଚିତ ବିକଳ୍ପର ଅଭାବରୁ ନବୀନ ବାବୁ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ରାଜନୈତିକ ବିଶ୍ଲେଷକ କହୁଛନ୍ତି । ତେବେ, ରାଜ୍ୟରେ ଲାଗି ରହି ଥିବା ଚାଷି ଅସନ୍ତୋଷ ଶାସକ ଦଳର କେତେ କ୍ଷତି କରୁଛି, ତାହା ଭୋଟରୁ ହିଁ ଜଣାପଡିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS