ବେବିନା ପାଇଁ ବଳି ପଡିଲେ ମହାରଥୀ
– ପ୍ରସାଦ ରାଓ –
ଭୁବନେଶ୍ୱର, ୦୬ ଜାନୁୟାରୀ: ପ୍ରଥମେ ଚାଷି ଓ ପରେ ବେବିନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟ ଦୁଇଟି ଓଡ଼ିଶା ଗସ୍ତ ସହ ଏହି ଦୁଇ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ୨୦୧୪ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ପ୍ରତିଶ୍ରୁତି ମୁତାବକ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ଦର୍ଶାଇ ଗତ ଡ଼ିସେମ୍ବର ୨୪ ତାରିଖ ଦିନ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖୋର୍ଦ୍ଧାଠାରେ ଆୟୋଜିତ ବିଜେପିର ସ୍ୱାଭିମାନ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ନମ୍ରତାର ସହ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରି । ତେବେ, ବେବିନା ପ୍ରସଙ୍ଗରେ ପ୍ରତିରକ୍ଷାତ୍ମକ ସ୍ଥିତିରେ ଅଛନ୍ତି ରାଜ୍ୟ ସରକାର । ରବିବାର ଦିନ ରାଜ୍ୟ କୃଷି ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେବା କଥାରୁ ତାହା ସ୍ପଷ୍ଟ ହୋଇଛି ।
ପୁରୀ ଜିଲ୍ଲା ପିପିଲି ଅଂଚଳର ନାବାଳିକା ବେବିନା ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହେବାର ସାତ ବର୍ଷ ପରେ ଯେଉଁ ରାୟ ପ୍ରକାଶ ପାଇଲା ତାହା ତଦନ୍ତ ବାଟବଣା ହୋଇ ଥିବା ନେଇ ରାଜ୍ୟବାସୀଙ୍କ ସନ୍ଦେହକୁ ଦୃଢ କରିଛି । ବେବିନାକୁ ନ୍ୟାୟ ମିଳି ନାହିଁ। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନେ ତଥ୍ୟ ପ୍ରମାଣ ଅଭାବରୁ ନିଦେ୍ର୍ଦାଶରେ ଖଲାସ ହୋଇଛନ୍ତି । ତେବେ, ଅଦାଲତ ରାୟ ସଂପର୍କରେ ମନ୍ତ୍ରୀ ମହାରଥୀଙ୍କ ପ୍ରଥମ ପ୍ରତିକ୍ରିୟା ଥିଲା ‘ବେବିନା ନ୍ୟାୟ ପାଇଛି’ । ଏଭଳି ପ୍ରତିକ୍ରିୟା ମହାରଥୀଙ୍କୁ ମନ୍ତ୍ରୀ ପରିଷଦରୁ ବିଦାୟର ମୁଖ୍ୟ କାରଣ ହୋଇଛି । ବେବିନା ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ତଦନ୍ତ ଠିକ୍ ବାଟରେ ହୋଇ ନ ଥିବାରୁ ସମସ୍ତେ ନିର୍ଦୋଶରେ ଖଲାସ ହୋଇ ଗଲେ ବୋଲି ଚାଲି ଥିବା ଚର୍ଚ୍ଚାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦୀ ଶନିବାର (ଜାନୁୟାରୀ ୫ ତାରିଖ)ଦିନ ବାରିପଦା ଛଉ ପଡିଆରେ ହୋଇଥିବା ବିଜେପିର ସ୍ୱାଭିମାନ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ମାମଲାର ପୁନଃ ତଦନ୍ତ କରାଯାଇ ବେବିନା ପରିବାରକୁ ଉଚିତ ନ୍ୟାୟ ଦିଆଯିବାକୁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପ୍ରସଙ୍ଗ (ଜଳସେଚନ) ଭଳି ଏହି ଦ୍ୱିତୀୟ ପ୍ରସଙ୍ଗ (ବେବିନା)ରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର କିଭଳି ଉତ୍ତର ରଖିବେ (!), ତାହା ଜାଣିବା ସକାଶେ ସମସ୍ତଙ୍କ ମନରେ ଉକ୍ରଂଠା ଥିଲା । ତେବେ, ମାମଲାର ଗୁରୁତ୍ୱ ସଂପର୍କରେ ସେ ସଚେତନ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୀମିତ ମନ୍ତବ୍ୟ ଦେଇ ଥିବା ବେଳେ ରବିବାର ଦିନ ଏହି ମାମଲାରେ କୃଷି ଓ ପଂଚାୟତରାଜ ମନ୍ତ୍ରୀ ମହାରଥୀ ନିଜ ପଦରୁ ଇସ୍ତଫା ଦେବା ମୁଖ୍ୟମନ୍ତ୍ରୀଙ୍କ ସୀମିତ ମନ୍ତବ୍ୟର ପ୍ରଭାକୁ ସ୍ପଷ୍ଟ କରିଛି । ମହାରଥୀଙ୍କ ଇସ୍ତଫାକୁ ନେଇ ବଜେପି ଉତ୍ସାହିତ । ଏହାଦ୍ୱାରା ରାଜ୍ୟ ସରକାର ବେବିନା ମାମଲାର ତଦନ୍ତରେ ରହିଥିବା ଖଇଚାକୁ ସ୍ୱୀକାର କରିଛନ୍ତି ବୋଲି ଅନ୍ୟ ବିରୋଧୀମାନେ ଚର୍ଚ୍ଚା କରିବାର ସୁଯୋଗ ପାଇଛନ୍ତି ।
ତେବେ, ରାଜ୍ୟ କୃଷି ଓ ପଂଚାୟତରାଜ ମନ୍ତ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀଙ୍କ ଇଂଗିତରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି କି ଗତକାଲିର ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ସ୍ୱାଭିମାନ ଦୃଷ୍ଟିରୁ ସ୍ୱତଃ ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ, ଏହି ଇସ୍ତଫା ବିରୋଧୀଙ୍କୁ ଉଲ୍ଲସିତ ହେବା ପାଇଁ ଏକ ସୁନ୍ଦର ଅବକାଶ ସୃଷ୍ଟି କରିଛି । ତିନି ମାସ ପରେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ବିଜେଡ଼ି ଏହା ମାଧ୍ୟମରେ ଦଳ ପାଇଁ ହୋଇଥିବା କ୍ଷତିର ଭରଣା କରିଛି ବୋଲି ମଧ୍ୟ କିଛି ସମାଲୋଚକ ମତ ଦେଇଛନ୍ତି । କାହିଁକି ନା, ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା (ବେବିନା) ମାମଲାର ତଦନ୍ତକୁ ବାଟବଣା କରିବାରେ ଅଂଚଳର ବିଧାୟକ ତଥା ମନ୍ତ୍ରୀ ମହାରଥୀଙ୍କ ଭୂମିକା ମୂଳରୁ ସନ୍ଦେହ ଘେରରେ ଥିଲା । ମାମଲାରେ ସଂପୃକ୍ତ ଅଭିଯୁକ୍ତମାନେ ମହାରଥୀଙ୍କ ଘନିଷ୍ଟ ସମର୍ଥକ ଥିଲେ ଏବଂ ସେମାନଙ୍କ ମନ୍ତ୍ରୀ ଘଂଟ ଘୋଡାଉ ଥିଲେ ବୋଲ ଅଭିଯୋଗ ହେଉଥିଲା । ମାମଲାର ବିଚାର କରିଥିବା କୋର୍ଟ ମଧ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ନ ଦେଇ ଆବଶ୍ୟକ ସାକ୍ଷ୍ୟ, ପ୍ରମାଣ ଅଭାବରୁ ସେମାନଙ୍କୁ ଖଲାସ କରାଯାଇଥିବା ଦର୍ଶାଇଛନ୍ତି । କୋର୍ଟ ରାୟ ପ୍ରକାଶ ପାଇବା ପରେ ମନ୍ତ୍ରୀ ମହାରଥୀଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ହଟାଇବା ଦାବିରେ ଉଭୟ କଂଗ୍ରେସ ଓ ବିଜେପିର ମହିଳା ଶାଖା ଜୋରଦାର ଆନ୍ଦୋଳନ ଚଳାଇ ଥିଲେ । ପାନ ପତରରେ ଚୁନ ମାରିଲା ଭଳି ପ୍ରଧାନମନ୍ତ୍ରୀ ମୋଦୀ ଜାନୁୟାରୀ ୫ ତାରିଖ ବାରିପଦା ସଭାରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନ କରିବା ଏବଂ ଓଡ଼ିଶାରେ ମହିଳା ଓ ଶିଶୁ ଅସୁରକ୍ଷିତ ବୋଲି ମନ୍ତବ୍ୟ ଦେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଡୁଆରେ ପକାଇଛି । ସରକାର ଏହି ଘଟଣାର ଗୁରୁତ୍ୱ ସଂପର୍କରେ ଅବଗତ ବୋଲି ପ୍ରଧାନମନ୍ତ୍ରୀଙ୍କ ବାରିପଦା ସଭା ପରେ ମୁଖ୍ୟମନ୍ତ୍ରୀ ନିଜ ଉତ୍ତର ରଖି କହି ଥିଲେ । ଆଜି ମନ୍ତ୍ରୀ ପରିଷଦରୁ ମହାରଥୀଙ୍କ ଇସ୍ତଫା ଦେଇ ନବୀନଙ୍କ କାଲିର ସୀମିତ ଉତ୍ତରର ପରିଣତି କୁହାଯାଇ ପାରେ । ନିଜର ଭାବମୂର୍ତର୍ୀ ଅକ୍ଷୁର୍ଣ୍ଣ ରଖିବା ସକାଶେ ନବୀନ ଏହି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଉଲ୍ଲେଖନୀୟ ହେଉଛି, କିଛି ଦିନ ହେଲା ଚାଷ ଓ ଚାଷିଙ୍କୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ‘ତୁ ତୁ.. ମେଁ ମେଁ’ ଚାଲି ଥିଲା । ଚାଷିଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁ ନ ଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡ଼ି ସାଂସଦ, ମନ୍ତ୍ରୀ ଓ ବିଭିନ୍ନ ସ୍ତରର ନେତା ମାନେ ୮ ତାରିଖ ଦିନ ନୂଆଦିଲ୍ଲୀରେ ପାର୍ଲାମେଂଟ ଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିବେ ବୋଲି ଆଗୁଆ ଘୋଷଣା କରାଯାଇଛି । ଏହାକୁ ନେଇ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ, ଓଡ଼ିଶାର ବିଜେଡ଼ି ସରକାର ଚାଷିଙ୍କ ଶୁଭାକଂକ୍ଷୀ ନୁହନ୍ତି, ଚାଷି ବିରୋଧୀ ବୋଲି ‘ବ୍ରାଣ୍ଡିଂ’ କରିବା ସକାଶେ ପ୍ରଧାନମନ୍ତ୍ରୀ ଡ଼ିସେମ୍ବର ୨୪ ତାରିଖ ଖୋର୍ଦ୍ଧ ସ୍ୱାଭିମାନ ସଭାରେ ଜଳସେଚନ ପ୍ରସଙ୍ଗ ଉଠାଇ ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଦେଇଥିବା ପ୍ରତିଶ୍ରୁତି କଥା ଉଠାଇ ଥିଲେ । ସରକାର ରାଜ୍ୟରେ ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ୨୦୧୮ ଶେଷ ସୁଦ୍ଧା ମାତ୍ର ୨୨ ହଜାର ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି । କେନ୍ଦ୍ର ସରକାର ଚାଷିଙ୍କ ପାଇଁ ସେମାନଙ୍କ ଉତ୍ପାଦନର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶା ଚାଷିଙ୍କୁ ତାହା ମଧ୍ୟ ମିଳୁନି । ବିଜେଡ଼ି ନିର୍ବାଚନକୁ ଆଖିରେ ରଖି ଚାଷିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ତେବେ, ସଭାରେ ସେ ଉପସ୍ଥାପନ କରିଥିବା ତଥ୍ୟରେ ସତ୍ୟତା ନ ଥିବା ରାଜ୍ୟ ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖି ଥିବା ଚିଠିରେ ୨୦୧୪ରୁ ୨୦୧୮ ମଧ୍ୟରେ ରାଜ୍ୟରେ ଅତିରିକ୍ତ ୭.୮ ଲକ୍ଷ ହେକ୍ଟର ଜମି ପାଇଁ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ଥିବା ଜଣାଇବା ସହ ଏହାର ଟିକିନିଖି ହିସାବ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାୟୀ, ରାଜ୍ୟ ସରକାର ୨୦୧୪ ନିର୍ବାଚନ ସମୟରେ ଚାଷିଙ୍କୁ ଦେଇ ଥିବା ପ୍ରତିଶ୍ରୁତି ମୁତାବକ ୨୦୧୮ ବର୍ଷ ଶେଷ ସୁଦ୍ଧା ୭.୮ ଲକ୍ଷ ହେକ୍ଟର ଜମି ପାଇଁ ଅତିରିକ୍ତ ସେଚ ସୁବିଧା ସୃଷ୍ଟି କରିଛନ୍ତି । ଚାଷି ସେସବୁ ପ୍ରକଳ୍ପରୁ ଜମିକୁ ପାଣି ପାଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅତିରିକ୍ତ ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଜମି ଅତିରିକ୍ତ ସେଚ ସୁବିଧା ପାଇବ । ରାଜ୍ୟରେ ଜଳସେଚନ ଓ ପାନୀୟ ଜଳ କ୍ଷେତ୍ରରେ ଗତ ଚାରି ବର୍ଷ ମଧ୍ୟରେ ୨୬,୮୮୯ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ସେଥିରେ କେନ୍ଦ୍ର ସରକାରଙ୍କ ୪.୫ ପ୍ରତିଶତ ଅର୍ଥାତ ୧୨୧୧ କୋଟି ଟଙ୍କାର ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ କୃଷି ସିଂଚୟି ଯୋଜନା (ପିଏମକେଏସୱାଇ)/ ଆକ୍ସଲିରେଟେଡ ଇରିଗେସେନ ବେନିଫିଟ୍ ପ୍ରୋଗ୍ରାମ (ଏଆଇବିପି) ମାଧ୍ୟମରେ ଏହି କେନ୍ଦ୍ରୀୟ ଅଂଶଧନ ବିନିଯୋଗ କରାଯାଇଛି । ରାଜ୍ୟ ସରକାର ଚଳିତ ବର୍ଷ ରେକର୍ଡ ପରିମାଣର ଅର୍ଥ ଏକ୍ଷେତ୍ରରେ ବିନିଯୋଗ କରିଛନ୍ତି । ତାହାର ପରିମାଣ ହେଉଛି ୧୦,୧୯୬ କୋଟି ଟଙ୍କା ବୋଲି ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଦର୍ଶାଯାଇଛି ।
ବିଗତ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ୪୬ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୫୪,୪୭୨ ହେକ୍ଟର, ୫୩,୫୭୬ ଡ଼ିପ୍ ବୋର୍ ୱେଲ୍ ମାଧ୍ୟମରେ ୨, ୬୭, ୮୮୦ ହେକ୍ଟର, ୫୮୩୭ କମ୍ୟୁନିଟି ଲିଫ୍ଟ୍୍ ପଏଂଟ ମାଧ୍ୟମରେ ୧,୨୯, ୭୬୪ ହେକ୍ଟର ଓ ୮୩୩୫ ଚେକ୍ ଡ଼୍ୟାମ୍ ମାଧ୍ୟମରେ ୯୭, ୬୯୪ ହେକ୍ଟର ଚାଷ ଜମି ଅତିରିକ୍ତ ସେଚ ସୁବିଧା ପାଇ ଥିବା ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ହିସାବ ଦିଆଯାଇଛି । ନୂତନ ସେଚ ସୁବିଧା ସୃଷ୍ଟି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଡ଼ିସେମ୍ବର ୨୪ ତାରିଖରେ ଯେଉଁ ସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସେସବୁର କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ମଧ୍ୟ ରାଜ୍ୟ ସହଯୋଗ କରିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହିସାବ ‘ସରକାରୀ କାଗଜପତ୍ର’ରେ ସୀମିତ, ବାସ୍ତବରେ କାଣିଚାଏ ଅତିରିକ୍ତ ସେଚ ସୁବଧା ସୃଷ୍ଟି ହୋଇ ନାହିଁ’ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବା ବେଳେ ବିଜେଡ଼ି ତାହାର ପାଲଟା ଜବାବ ଦେଇ ବାତାବରଣକୁ ଗରମ କରିଛି ।
ପ୍ରଧାନମନ୍ତ୍ରୀ ୫ ତାରିଖ ବାରିପଦା ସଭାରେ ଆଉ କୃଷି ଓ ଜଳସେଚନକୁ ପ୍ରସଙ୍ଗ ନ କରି ‘ବେବିନା’ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଦ୍ୱାରା ରାଜ୍ୟ ସରକାର ଏବେ ‘ବ୍ୟାକ୍ ଫୁଟ୍’ରେ । ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ସ୍ୱାଭିମାନ ସଭାକୁ କାଉଂଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକା ଦିନ ଓ ଏକା ସମୟରେ ପୁରୀ ତାଳବଣିଆରେ ମହିଳା ମିଶନ ଶକ୍ତି ସମାବେଶ ରଖି ଥିଲେ । ସଭାରେ ରାଜ୍ୟରେ ଥିବା ୬୦ ହଜାରରୁ ଅଧିକ ମହିଳା ଏସଏଚଜିଙ୍କୁ ଋଣ ଉପରେ ସୁଧ ଛାଡ, ପ୍ରତି ଏସଏଚଜିକୁ ୧୫,୦୦୦ ଟଙ୍କା ଲେଖାଏଁ ସିଡ୍ ମନି ଓ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବାର ଲୋଭନୀୟ ପ୍ରତିଶ୍ରୁତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଧ୍ୟ ସଫଳ ହୋଇଛି । ବିଜେପି ମୁଖ୍ୟମନ୍ତ୍ରୀଙ୍କ ପୁରୀ ସଭାକୁ ନଜରରେ ରଖି ପ୍ରଧାନମନ୍ତ୍ରୀଙ୍କ ବାରିପଦା ସଭା ଅପରାହ୍ନକୁ ଗଡାଇ ନେଇ ଥିଲା ଏବଂ ଏହି ସଭା ମାଧ୍ୟମରେ ମହିଳା ସଶକ୍ତିକରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟର୍ଗେଟ୍ କରିବାର ସୁଯୋଗ ମଧ୍ୟ ହାତ ଛାଡା କରି ନ ଥିଲା । ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ପ୍ରସଂଗରେ ବାରିପଦାରେ ମା ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣନ୍ତି କହି ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ଥିଲେ । ଓଡ଼ିଶାରେ ନାରୀ ଓ ଶିଶୁମାନେ ସଂପୂର୍ଣ୍ଣ ଅସୁରକ୍ଷିତ ଦର୍ଶାଇ ବେବିନା ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିଲେ । ମୁଖ୍ୟମନ୍ତ୍ରୀ ଏହି ନୂଆ ବିବାଦକୁ କିଭଳି ଭାବେ ମୁକାବିଲା କରିବେ ଦେଖିବା ପାଇଁ ରାଜ୍ୟବାସୀ ଉକ୍ରଂଠାର ସହ ଅପେକ୍ଷା କରିଥିବା ବେଳେ ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ବହୁକଥା ସ୍ପଷ୍ଟ କରି ଦେଇଛି । ଦାମଙ୍କ ଭଳି ମୁହଁଖୋର ଗୁଣ ଯୋଗୁଁ ମହାରଥୀଙ୍କୁ ବଳି ପଡିବାକୁ ହେଲା ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜ ଭାବମୂର୍ତର୍ୀକୁ ବଂଚାଇବା ପାଇଁ ମହାରଥୀଙ୍କୁ ବଳି ପକାଇଲେ ବୋଲି ବିରୋଧୀ ଆଲୋଚନା କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS