ସରକାର ବଦଳୁଛି, ଦେଶରେ ଦାରିଦ୍ର୍ୟର ଚିତ୍ର ବଦଳୁନି
– ପ୍ରସାଦ ରାଓ –
- ଭୁବନେଶ୍ୱର, ୨୩ ଜାନୁୟାରୀ: ସ୍ୱାଧୀନର ୭୨ ବର୍ଷ ବିତିଲାଣି । କିନ୍ତୁ, ଦେଶରୁ ଦାରିଦ୍ର୍ୟ ହଟିନି । ସରକାର ବଦଳୁଛନ୍ତି, ଶାସକ ବଦଳୁଛନ୍ତି । ବିକାଶକୁ ତ୍ୱାରାନ୍ୱିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଂଚ ବାର୍ଷିକ ଯୋଜନା ହେଉଛି । ‘ଗରୀବ ହଟାଓ’ ସ୍ଲୋଗାନ ଦେଇ ରାଜନୈତିକ ଦଳମାନେ କ୍ଷମତାକୁ ଆସି ଭୋଟ ରାଜନୀତି କରିଛନ୍ତି । ପୁଂଜିବାଦ, ସାମ୍ୟବାଦ ଓ ଶେଷରେ ମୁକ୍ତ ଅର୍ଥନୀତି… । ଦେଶରେ ଜନସଂଖ୍ୟା ବଢୁଛି । ଯୋଜନା ଅଟକଳ ବଢୁଛି । ଶିଳ୍ପର ବିସ୍ତାର ହେଉଛି । କୃଷି କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇଛି । ଖାଦ୍ୟଶସ୍ୟ ଉତ୍ପାଦନ ବଢିବା ସହ ଚାଷୀ ଆତ୍ମହତ୍ୟା ବଢିଛି । କୌଣସି ସରକାର ଚାଷୀଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେଇ ନାହାନ୍ତି । ଆଜି ବି ଦେଶରେ ଚାଷୀ ତାହାର ଉତ୍ପାଦନର ଉଚିତ ମୂଲ୍ୟ ପାଉନି । ଉତ୍ପାଦନ ବଢାଇଲେ ବି ତାହାକୁ ଅଧିକ ଦିନ ଗଚ୍ଛିତ ରଖିବାକୁ ଭଣ୍ଡାର ନ ଥିବାରୁ ଖାଦ୍ୟଶସ୍ୟ, ପନିପରିବା ନଷ୍ଟ ହୋଇଯାଉଛି । ଚାଷି ନିଜ ଉତ୍ପାଦନର ଉପଯୁକ୍ତ ଲାଭଜନକ ମୂଲ୍ୟ, ଉଚିତ ସମ୍ମାନ ଓ ବାର୍ଦ୍ଧକ୍ୟ ସମୟରେ ଗୁଜୁରାଣ ମେଂଟାଇବା ପାଇଁ ସାମାନ୍ୟ ଭତ୍ତା ଦାବି କରି ରାଜରାସ୍ତାରେ ଆନ୍ଦୋଳନ କରୁଛି, ପୁଲିସ ଠାରୁ ମାଠ ଖାଉଛି ।
ଦେଶର ଅର୍ଥନୀତିରେ ବିଶେଷ ଉନ୍ନତି ଆସି ଥିବା ଏବଂ ଭାରତ ବିଶ୍ୱର ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇଥିବା ଆମ ରାଜନେତାମାନେ ଦାବି କରୁଥିବା ବେଳେ ଅର୍ଥନୀତିଜ୍ଞମାନେ ଅର୍ଥନୀତିକୁ ନେଇ ଗୋଲାପି ଚିତ୍ର ଉପସ୍ଥାପନ କରୁଛନ୍ତି । ତେବେ, ବାସ୍ତବତା ହେଉଛି, ଦେଶରେ ଦାରିଦ୍ର୍ୟ ଓ ବେକାରୀ ଆଜି ବି ପ୍ରମୁଖ୍ୟ ସମସ୍ୟା ହୋଇ ରହିଛି । ଯୋଜନା କମିସନ୍ ର ନାମ ବଦଳା ଯାଇ ‘ନୀତି ଆୟୋଗ’ ହୋଇଛି ସିନା ସରକାରଙ୍କ ‘ନିୟତ୍’ ଓ ଦେଶର ଦାରିଦ୍ର୍ୟ ପୂର୍ବପରି ଅପରିବର୍ତର୍ୀତ ରହିଛି । ବିଶେଷଜ୍ଞମାନଙ୍କ ଅଭିଯୋଗ ହେଉଛି, ଦେଶରେ ରାଜନେତା, ବ୍ୟୁରୋକ୍ରାଟ୍ ଓ ଉଦ୍ୟୋଗପତିମାନଙ୍କ ଏକ ବିଷଚକ୍ର ଅର୍ଥନୀତିକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଛି । ଅର୍ଥନୀତିକୁ ଏଭଳି ଭାବେ ପରିଚାଳନା କରାଯାଉଛି ଯେ, କୋଟିପତି ଅରବପତି ହୋଇ ଦେଶର ରାଜନୀତି ଓ କ୍ଷମତାକେନ୍ଦ୍ରକୁ ନିୟନ୍ତ୍ରଣ କରୁଛନ୍ତି । ଗରୀବ ଲୋକ ଅଧିକ ଗରୀବ ହୋଇଛି । ତା’ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ମୁଣ୍ଡ ଗୁଂଜିବା ପାଇଁ ଆବାସ ପୂର୍ବପରି ଅପହଂଚ ରହି ଥିବା ବେଳେ ଧନୀକଙ୍କ ପାଇଁ ତାହା ବିଳାଶ ହୋଇଛି । ସ୍ୱାଧୀନତା ପରବର୍ତର୍ୀ ସମୟରୁ ରାଜନୈତିକ ଦଳମାନେ କ୍ଷମତା ପାଇଁ ଦାରିଦ୍ର୍ୟ ହଟାଇବା ନାମରେ ଓ ବିକାଶ କରିବା ନାମରେ ଭୋଟ ରାଜନୀତି କରୁଛନ୍ତି । ଆଜି ଜାତି, ଧର୍ମ, ସଂପ୍ରଦାୟ ନାମରେ ରାଜନୀତି ସେଥିରେ ଯୋଡି ହୋଇ ଯାଇଛି । ଗରୀବ ଲୋକଙ୍କ ବିକାଶ ନାମରେ ରାଜନୈତିକ ଦଳମାନେ ନିର୍ବାଚନ ସମୟରେ ପ୍ରତିଶ୍ରୁତିର ବନ୍ୟା ସୃଷ୍ଟି କରୁଛନ୍ତି ସିନା ଭୋଟ ସରିବା ପରେ ଗରୀବ, ବେକାର, ଚାଷୀ ଓ ସାଧାରଣ ଜନତାକୁ ଅଣଦେଖା କରି ପୁଂଜିପତିଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି । ତେଣୁ, ମୁଷ୍ଠିମେୟ ପୁଜିପତି ଆଜି ଅଧିକରୁ ଅଧିକ ବିତ୍ତଶାଳୀ ହୋଇଛନ୍ତି । ଯେଉଁ ଯୋଜନା ମାନ କରାଯାଉଛି ଏବଂ ସେଥି ପାଇଁ ଯେଉଁ ଅର୍ଥ ବରାଦ ହେଉଛି ତାହା ଗରୀବଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବା ବଦଳରେ ଅଧିକ ଋଣଗ୍ରସ୍ତ ଓ ଋଗ୍ଣ କରିଛି । ସେହି ଧନରେ ଅରବପତିମାନେ ଅଧିକ ବିତ୍ତଶାଳୀ ହୋଇ ସମସ୍ତ ସୁଖ, ସୁବିଧା ଉପଭୋଗ କରୁଛନ୍ତି ।
ଡାଭୋସ୍ ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍ ର ବାର୍ଷିକ ବୈଠକ ଆରମ୍ଭ ହେବା ପୂର୍ବରୁ ‘ଅକ୍ସଫାମ୍’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ପ୍ରକାଶ ପାଇ ଥିବା ସର୍ଭେ ରିପୋର୍ଟ ଦେଶର ଏଭଳି ଏକ ବିକଳ ଚିତ୍ର ଉପସ୍ଥାପନ କରିଛି । ଏହି ରିପୋର୍ଟ ଅନୁଯାୟୀ, ସ୍ୱାଧୀନତା ପରଠାରୁ ଦେଶରେ ଧନୀ ଓ ଗରୀବଙ୍କ ମଧ୍ୟରେ ଅର୍ଥନୈତିକ ବୈଷମ୍ୟ ବଢିଛି ସିନା କମିବା ନାମ ନେଉ ନାହିଁ । ଅରବପତିଙ୍କ ସଂପତ୍ତି ଦିନକୁ ୨,୨୦୦ କୋଟି ବଢି ଥିବା ବେଳେ ୨୦୦୪ ପରଠାରୁ ଦେଶର ୧୩.୬ କୋଟି ଲୋକଙ୍କ ମୁଣ୍ଡରେ ରହିଛି ଋଣ ବୋଝ । ୧୦ପ୍ରତିଶତ ଗରୀବ ଭାରତୀୟ ଏହି ଋଣବୋଝ ମୁଣ୍ଡାଇଛନ୍ତି । ଦେଶର ୧୦ ପ୍ରତିଶତ ଧନୀଙ୍କ ପାଖରେ ରହିଛି ୭୭.୪ ପ୍ରତିଶତ ଜାତୀୟ ସଂପତ୍ତି । ୨୦୧୮ରୁ ୨୦୨୨ ମଧ୍ୟରେ ଦେଶରେ ପ୍ରତିଦିନ ୭୦ ଜଣ ନୂଆ ଅରବପତି ସୃଷ୍ଟି ହେବେ । ଦେଶର ୫୦ ପ୍ରତିଶତ ଲୋକ (ସଂପତ୍ତିଧାରୀ ଭାବେ ତଳ ଆଡୁ ୬୧ କୋଟି)ଙ୍କ ପାଖରେ ଯେତିକି ସଂପତ୍ତି ରହିଛି, ୯ ଜଣ ଶୀର୍ଷ ଧନୀଙ୍କ ନିକଟରେ ସେହି ପରିମାଣର ସଂପତ୍ତି ରହିଛି । ସୋମବାର ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ତାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର୍ ଧରିଛି ।
‘ଅକ୍ସଫାମ୍’ର ଏହି ସର୍ଭେ ରିପୋର୍ଟରେ ଅନୁଯାୟୀ, ଗତ ବର୍ଷ ଭାରତରେ ଏକ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ସଂପତ୍ତି ୩୯ ପ୍ରତିଶତ ବଢି ଥିବା ବେଳେ ଭାରତୀୟ ଜନସଂଖ୍ୟାର ୫୦ ପ୍ରତିଶତ ଗରୀବଙ୍କ ସଂପତ୍ତି ମୂଲ୍ୟ କେବଳ ୩ ପ୍ରତିଶତ ବଢିଛି । ୨୦୧୮ରେ ବିଶ୍ୱବ୍ୟାପୀ ସମସ୍ତ ଅରବପତିଙ୍କ ସଂପତ୍ତି ଦିନକୁ ୧୨ ପ୍ରତିଶତ ବା ୨୫୦ କୋଟି ଡ଼ଲାର (୧୭, ୭୦୦ କୋଟି ଟଙ୍କା) ବଢି ଥିବା ସମୟରେ ବିଶ୍ୱର ଗରୀବ ୫୦ ପ୍ରତିଶତଙ୍କ ସଂପତ୍ତି ମୂଲ୍ୟ ୧୧ ପ୍ରତିଶତ କମିଛି । ସାରା ବିଶ୍ୱରେ ବଢି ଚାଲି ଥିବା ଧନୀ-ଗରୀବ ତାରତମ୍ୟ କୁ ନେଇ ଯେଉଁ ସମସ୍ୟା ଉପୁଜିଛି ତାହା ଦୂର କରିବା ସକାଶେ ଡ଼ାଭୋସ ଠାରେ ଏକତ୍ରିତ ହେଉଥିବା ରାଜନୈତିକ ଓ ବ୍ୟବସାୟିକ ନେତୃବୃନ୍ଦ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ରିପୋର୍ଟରେ ଆହ୍ୱାନ ଦିଆଯାଇଛି । ‘ଅକ୍ସଫାମ୍’ର ଆନ୍ତର୍ଜାତିକ କାର୍ଯ୍ୟନିର୍ବାହୀ ୱିନି ବୟାନିମା କହିଛନ୍ତି, ଭାରତରେ ବର୍ଦ୍ଧିତ ସଂପତ୍ତିର ବୃହତ ଅଂଶ ଅଳ୍ପ କିଛି ଧନୀଙ୍କ ନିକଟକୁ ଯାଉଛି । ଅନ୍ୟପଟେ, ଦେଶର ଗରୀବ ଲୋକମାନେ ଖାଇବା ପାଇଁ ବା ନିଜ ଛୁଆର ଔଷଧ ଖର୍ଚ୍ଚ ତୁଲାଇବା ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଯଦି ଭାରତର ୧ ପ୍ରତିଶତ ଧନୀ ଓ ବଳକା ଭାରତୀୟଙ୍କ ମଧ୍ୟରେ ଏଭଳି ଅସମାନତା ବଢି ଚାଲିବ, ତେବେ ଦେଶରେ ସାମାଜିକ ଓ ଗଣତାନ୍ତ୍ରିକ ଢାଂଚା ସଂପୂର୍ଣ୍ଣ ଭାବେ ଭାଂଗି ପଡିବ ।
ଧୀରେ ଧୀରେ ସଂପତ୍ତି ଗୋଟିଏ ସ୍ଥାନରେ ଠୁଳ ହେବାରେ ଲାଗି ଥିବା ‘ଅକ୍ସଫାମ୍’ ରିପୋର୍ଟ ଦର୍ଶାଇଛି । ଏହି ରିପୋର୍ଟ କହୁଛି, ୨୦୧୭ରେ ୪୪ ଜଣ ଧନୀ ବ୍ୟକ୍ତିଙ୍କ ପାଖରେ ଥିବା ସଂପତ୍ତି ମୂଲ୍ୟ ବିଶ୍ୱର ଅଧା ଗରୀବଙ୍କ ସଂପତ୍ତି ସହ ସମାନ ଥିଲା । ୨୦୧୮ରେ ଶ୍ରେଷ୍ଠ ୨୬ ଜଣ ଧନୀ ବ୍ୟକ୍ତିଙ୍କ ସଂପତ୍ତି ମୂଲ୍ୟ ଅଧା ଗରୀବଙ୍କ ସଂପତ୍ତି ସହ ସମାନ ରହିଛି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ‘ଆମାଜନ୍’ର ପ୍ରତିଷ୍ଠାତା ଜେଫ୍ ବୋଜେସ୍ଙ୍କ ସଂପତ୍ତିର ମୂଲ୍ୟରେ ବୃଦ୍ଧି ଘଟି ୧୧,୨୦୦ କୋଟି ଡ଼ଲାର ହୋଇଛି । ସେହି ସଂପତ୍ତିର ୧ ପ୍ରତିଶତ ଅର୍ଥ ୧୧.୫ କୋଟି ଜନସଂଖ୍ୟା ବିଶିଷ୍ଟ ଇଥିଓପିଆର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବଜେଟ ସହ ସମାନ । ଭାରତର ଶୀର୍ଷ ୧୦ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ନିକଟରେ ମୋଟ ଜାତୀୟ ସଂପତ୍ତିର ୭୭.୪ ପ୍ରତିଶତ ସଂପତ୍ତି ଥିବା ବେଳେ ଶୀର୍ଷ ୧ ପ୍ରତିଶତ ଧନୀଙ୍କ ନିକଟରେ ଜାତୀୟ ସଂପତ୍ତିର ୫୧.୫୩ ପ୍ରତିଶତ ରହିଛି । ଅପରପକ୍ଷରେ, ଭାରତ ଜନସଂଖ୍ୟାର ୬୦ ପ୍ରତିଶତ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଖରେ ଜାତୀୟ ସଂପତ୍ତିର ମାତ୍ର ୪.୮ ପ୍ରତିଶତ ରହିଛି । ସେହିଭଳି, ଶୀର୍ଷ ୯ ଜଣ ଅରବପତିଙ୍କ ସଂପତ୍ତିର ମୂଲ୍ୟ ୫୦ ପ୍ରତିଶତ ଗରୀବଙ୍କ ସଂପତ୍ତି ସହ ସମାନ । ଗତ ବର୍ଷ ଭାରତ ତାହାର ଅରବପତି ତାଲିକାରେ ନୂଆ ୧୮ ଜଣଙ୍କୁ ଯୋଡିଛି । ଫଳରେ, ଦେଶରେ ମୋଟ ଅରବପତିଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି । ସେମାନଙ୍କ ସଂପତ୍ତିର ମୂଲ୍ୟ ୪୦ ହଜାର କୋଟି ଡ଼ଲାର ବା ୨୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବର୍ଷକୁ ସାର୍ବଜନୀନ ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଯୋଗାଣରେ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଦେଶର ସବୁଠାରୁ ଧନୀ ମୁକେଶ ଆମ୍ବାନୀଙ୍କ ମୋଟ ସଂପତ୍ତି ଠାରୁ କମ୍ । ଦେଶରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଏକ ବିଳାଶର ବିଷୟ ହୋଇଛି, ଯାହାର ସୁବିଧା କେବଳ ଧନୀମାନେ ହିଁ ପାଉଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।
୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ‘ବିକାଶ’ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି । କ୍ଷମତାସୀନ ଦଳ ଏହାକୁ ନିର୍ବାଚନ ପ୍ରସଙ୍ଗ କରିଥିବା ବେଳେ ବିରୋଧୀ ଦେଶର ଦାରିଦ୍ର୍ୟ, ବେକାରୀ, ଚାଷ ଓ ଚାଷୀ ସମସ୍ୟା, ଅସହିଷ୍ଣୁତା ପ୍ରଭୃତି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିଛନ୍ତି । ଦେଶରେ ଭୋଟ ପାଇଁ ରାଜନୈତିକ ମାହୋଲ୍ ଗରମ ହେଉଥିବା ବେଳେ ‘ଅକ୍ସଫାମ୍’ର ଏହି ସର୍ଭେ ରିପୋର୍ଟ ସାମନାକୁ ଆସିଛି । ତେବେ, ଏହା ଭୋଟରଙ୍କ ଆଖି ଖୋଲିବାରେ କେତେ ସକ୍ଷମ ହେବ, ତାହା ଭବିଷ୍ୟତ କହିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଯେଉଁ ସବୁ ପ୍ରତିଶ୍ରୁତିର ବନ୍ୟା କରୁଛନ୍ତି ଓ ସେ ବାବଦରେ ଅର୍ଥ ବ୍ୟୟର ଯେଉଁ ଅଟକଳ ଉପସ୍ଥାପନ କରୁଛନ୍ତି ତାହା ଗରୀବଙ୍କ ମୁଣ୍ଡରେ ଆଉ କେତେ ଋଣବୋଝ ଲଦିବ, ତାହା ମଧ୍ୟ ପ୍ରଶ୍ନ ହେବାକୁ ଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS