ପାକିସ୍ତାନ ମାଟିରେ ମାସୁଦକୁ ନିପାତ କରିବା ହିଁ ମରଦପଣିଆ ହେବ
– ପ୍ରସାଦ ରାଓ –
କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଶାସନ ସଚିବ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରି ଥିବା ଜଣେ ପ୍ରଶାସକ ପୁଲୱାମା ଘଟଣାର ଦୁଇ ଦିନ ପରେ ଏକ ଅନୌପଚାରିକ ଆଲୋଚନା ବେଳେ ଅନାଶକ୍ତ ମନ୍ତବ୍ୟଟିଏ ଦେଇଥିଲେ । କହିଥିଲେ – ଦେଖନ୍ତୁ ଆଉ ୪୮ ଘଂଟା ପରେ ସବୁ କିଛି ସାମାନ୍ୟ ହୋଇଯିବ । ଜମ୍ମୁ-କଶ୍ମୀରର ପୁଲୱାମାରେ ପାକ୍-ସମର୍ଥିତ ଆତଙ୍କୀ ଆତ୍ମଘାତୀ ବୋମା ବିସ୍ଫୋରଣ କରି ୪୦ରୁ ଅଧିକ ସିଆରପିଏଫ୍ ଯବାନଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଦେଶବ୍ୟାପୀ ଯେଉଁ ଜନଆକ୍ରୋଶ ଦେଖା ଦେଇଛି ତାହା ଥଣ୍ଡା ପଡି ଯିବା ପରେ କେନ୍ଦ୍ର ସରକାର ଓ ଦେଶର ବିରୋଧୀ ଦଳଙ୍କ ମିଳିତ ସ୍ୱର ମଧ୍ୟ ମଉଳି ଯିବ । ପୁଣି ଥରେ ତୁ ତୁ.. ମେଁ ମେଁ ଆରମ୍ଭ କରି ଦେବେ ଶାସକ ଓ ବିରୋଧୀ । ପୂର୍ବରୁ ଘଟି ଥିବା ସବୁ ଆତଙ୍କବାଦୀ ଆକ୍ରମଣକୁ ନେଇ ସରକାର ଯେଭଳି ସମୟ ଗଡାଇବାର କୌଶଳ ପ୍ରୟୋଗ କରିଥିଲେ ପୁଲୱାମା ଘଟଣାରେ ମଧ୍ୟ ତାହା ହିଁ ଦେଖିବାକୁ ମିଳିବ । ସରକାର ଶତ୍ରୁ ରାଷ୍ଟ୍ର ବିରୋଧରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ କଥା ଭୁଲି ଯାଇ ପାରଂପରିକ କୂଟନୀତିର ନାଟକ ଆରମ୍ଭ କରି ଦେବେ ଏବଂ ଦେଶବାସୀ ‘ପ୍ରତିଶୋଧ’ କଥା ଭୁଲି ପୁଣି ଥରେ ସାଧାରଣ ଜୀବନଯାତ୍ରାକୁ ଫେରି ଆସିବେ । ତେବେ, ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ସରକାର ବା ବିରୋଧୀ ପୁଲୱାମା ତାତିକୁ ପୁରା ଥଣ୍ଡା ହେବାକୁ ନ ଦେଇ ଟାଣି ନେବେ ନିର୍ବାଚନ ସରିବା ପର୍ଯ୍ୟନ୍ତ ।
ବାସ୍ତବରେ ଏବେ ତାହା ହିଁ ଦେଖିବାକୁ ମିଳୁଛି । ଘଟଣାର ଏକ ସପ୍ତାହ ପରେ ଜନଆକ୍ରୋଶ ଥଣ୍ଡା ପଡି ଯିବା ପରେ କେନ୍ଦ୍ର ସରକାର ବିଭିନ୍ନ ଆଳରେ ପଡୋଶୀ ରାଜ୍ୟ ବିରୋଧରେ ‘ପ୍ରତିଶୋଧ ପ୍ରତିଶ୍ରୁତି’କୁ ଥଣ୍ଡା ବାକ୍ସରେ ପୁରାଇ କଶ୍ମୀର ମାଟିରେ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି । ବିରୋଧୀ ଦଳମାନେ ଏକତାର ସ୍ୱରକୁ ଭୁଲି ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କଲେଣି । ଦୁଇ ପକ୍ଷ ମଧ୍ୟରେ ଛକାପଂଝା ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଣଦେଖା ହେବାରେ ଲାଗିଛି । ସରକାର ପଡୋଶୀ ରାଜ୍ୟ (ପାକିସ୍ତାନ) ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିଜ ମାଟିରେ ଭୟର ବାତବାରଣ ସୃଷ୍ଟି କରୁଥିବା କଶ୍ମୀରୀ ନେତାମାନେ ଅଭିଯୋଗ କଲେଣି । ଦେଶର ବିଭିନ୍ନ ଅଂଚଳରେ କଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣ ନେଇ କେନ୍ଦ୍ର ସରକାର ଚୁପ୍ ଥିବା ବେଳେ ସୁପ୍ରିମ କୋର୍ଟ ଗଭୀର କ୍ଷୋଭ ପ୍ରକାଶ କରି କଶ୍ମୀରୀ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦିଆ ଯିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିଭଳି, କଶ୍ମୀର ଘାଟିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ଶନିବାର ଅଧିକ ୧୦ ହଜାର ସୈନ୍ୟ ମୁତୟନ କରାଯାଇଛି । ୟାସିନ ମଲ୍ଲିକଙ୍କ ସମେତ ୧୫୦ ହୁରିଆତ ନେତା ଓ ବିଚ୍ଛିନ୍ନତାବାଦୀ ଗିରଫ ହେଲେଣି । ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏହାକୁ ସମର୍ଥନ କରି ଥିବା ବେଳେ ପିଡ଼ିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରି ଘାଟିରେ ଭିନ୍ନ ମତକୁ ଦବାଇ ଦେବାର ଉଦ୍ୟମ ହେଉଛି ବୋଲି କହିଛନ୍ତି । କାହାରିକୁ ଜେଲ୍ ରେ ପୁରାଇ ଦେଲେ ତାହାର ନିଜସ୍ୱ ମତ ବଦଳି ଯିବ ନାହିଁ ବୋଲି ସେ କହିଛନ୍ତି । ଜମ୍ମୁ-କଶ୍ମୀର ସୀମାନ୍ତରେ ମଧ୍ୟ ହଲଚଲ ଯୋର ହୋଇଥିବା ସୂଚନା ମିଳୁଛି । ତେବେ, ଭୋଟ ସରିବା ପର୍ଯ୍ୟନ୍ତ ସରକାର ଏହି ବାତାବରଣକୁ ତେଜାଇ ରଖିଲ ବି ହଠାତ୍ ଯୁଦ୍ଧମୁହାଁ ହେବେ ନାହିଁ ବୋଲି ରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ।
ଫେବୃୟାରୀ ୧୪ରେ ପୁଲୱାମା ଜାତୀୟ ରାଜପଥରେ ଜଣେ ଜୈଶ-ଏ-ମୋହମ୍ମଦ ଆତଙ୍କବାଦୀ ମାନବ ବୋମା ବିସ୍ଫୋରଣ ଘଟାଇ ୪୦ରୁ ଅଧିକ ସିଆରପିଏଫ୍ ଯବାନଙ୍କୁ ହତ୍ୟା କରିବା ପରେ ପାକିସ୍ତାନକୁ ଆକ୍ରମଣ କରି ପାକ୍-ସମର୍ଥିତ ଆତଙ୍କବାଦର ନିର୍ଣ୍ଣାୟକ ଜବାବ ଦେବାକୁ ସମଗ୍ର ଦେଶରେ ଦାବି ହେଉଛି । ମୃତ ସିଆରପିଏଫ୍ ଯବାନମାନଙ୍କ ପତ୍ନୀ ଓ ପରିବାର ମଧ୍ୟ ଆଖିର ଲୁହ ଓ ମନର କୋହକୁ ଚାପି କେନ୍ଦ୍ର ସରକାର କିଭଳି ‘ପ୍ରତିଶୋଧ’ ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା କରିଛନ୍ତି । ଯବାନଙ୍କ ଜୁଇ ଥଣ୍ଡା ପଡିବାର ନାମ ନେଉ ନାହିଁ । ପୁଲୱାମା ପରେ ମଧ୍ୟ ଆତଙ୍କବାଦୀ ଓ ସୀମାନ୍ତରେ ଗୁଳି ଚାଳନାରେ ଅଧିକ କିଛି ଭାରତୀୟ ଯବାନ ଓ ଅଧିକାରୀ ମୃତ୍ୟୁବରଣ କଲେଣି । ତେବେ, ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପଡୋଶୀ ପାକିସ୍ତାନକୁ ବିଚଳିତ କରୁ ନାହିଁ । ଓଲଟା ପାକିସ୍ତାନ ଆକ୍ରମଣ ହେଲେ ପ୍ରତିଆକ୍ରମଣ କରିବ ବୋଲି ଧମକ ଦେଉଛି । ଯୁଦ୍ଧ ଆରମ୍ଭ କରିବା ସହଜ, କିନ୍ତୁ ଶେଷ କରିବା ଏବଂ ଏହାର ପରିଣତି କାହାରି ହାତରେ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ପୂର୍ବତନ କ୍ରିକେଟର୍ ଇମ୍ରାନ୍ ଖାନ୍ ନିର୍ଲିପ୍ତ ଭାବେ କହିଛନ୍ତି ।
ଇତିମଧ୍ୟରେ କେନ୍ଦ୍ର ସରକାର ପାକିସ୍ତାନ ଠାରୁ ‘ମୋଷ୍ଟ୍ ଫେଭରଡ୍ କଂଟ୍ରି ଷ୍ଟାଟସ୍’ ପ୍ରତ୍ୟାହାର କରି ନେଇଛି । ସେନା ପକ୍ଷରୁ କଶ୍ମୀର ଘାଟି ଅଂଚଳରେ କାର୍ଯ୍ୟାନୁଷ୍ଠାନ ହୋଇ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ଜୈଶ୍ ଅତଙ୍କବାଦୀ ରସିଦ୍ ଗାଜି ଓରଫ କାମରାନ ସମେତ ତିନି ଜଣଙ୍କୁ ନିପାତ କରାଯାଇଛି । ଅବଶ୍ୟ, ଏହି ଗୁଳି ବିନିମୟରେ ଦେଶର ୫ ଜଣ ଯବାନ ମଧ୍ୟ ସହୀଦ ହୋଇଛନ୍ତି । କଶ୍ମୀରୀ ମା’ମାନଙ୍କୁ ଭାରତୀୟ ସେନା ପକ୍ଷରୁ କମାଣ୍ଡର ଜେନେରାଲ କେ.ଜେ.ଏସ. ଧିଲନ ସଚେତନ କରିବାକୁ ଯାଇ କହିଛନ୍ତି, ନିଜ ପୁଅମାନଙ୍କୁ କାବୁରେ ରଖ, ନଚେତ ସେମାନେ ମରିବେ । ଘାଟିରେ ଯିଏ ବନ୍ଧୁକ ଉଠାଇବ, ତାକୁ ମାରି ଦିଆଯିବ । ସରକାର ବହୁ ପୂର୍ବରୁ ସୂଚାଇ ଦେଇଛନ୍ତି ଯେ, ପାକ୍-ସମର୍ଥିତ ଆତଙ୍କବାଦ ବିରୋଧରେ କେବେ, କେଉଁ ସମୟରେ ଏବଂ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସେନା ନିର୍ଣ୍ଣୟ କରିବ । ତେବେ, ରକ୍ଷା ବିଶେଷଜ୍ଞମାନେ ସରକାରଙ୍କ ଏହି ପଇଁତରାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି । ସରକାର ସବୁ ବେଳେ ଏମିତି କୁହନ୍ତି । ଠିକ୍ କାର୍ଯ୍ୟାନୁଷ୍ଠାନ ସମୟକୁ ରୋକି ଦିଆଯାଏ ବୋଲି କିଛି ପୂର୍ବତନ ସେନା ଅଧିକାରୀ ମତ ଦେଇଛନ୍ତି । ବିଶେଷଜ୍ଞମାନେ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ୱାସ କରିପାରୁ ନ ଥିବା ବେଳେ କେନ୍ଦ୍ର ସରକାରଙ୍କ କୂଟନୀତି ଜାରି ଥିବା ଦେଖିବାକୁ ମିଳିଛି । ପାକିସ୍ତାନ ବିରୋଧରେ ବିଶ୍ୱ ନେତାଙ୍କୁ ଏକାଠି କରିବା, ପାକିସ୍ତନ ସହ ବାଣିଜ୍ୟ କାରବାର ରୋକାଯିବା, ଭାରତର ପୂର୍ବାଂଚଳରୁ ପ୍ରବାହିତ ତିନି ନଦୀର ଜଳ ପାକିସ୍ତାନର ପଂଜାବ ପ୍ରଦେଶକୁ ବନ୍ଦ କରାଯାଇ ପାକିସ୍ତାନର କୃଷି ଅର୍ଥନୀତି ଉପରେ ଚାପ ସୃଷ୍ଟି କରିବା, ସୀମାନ୍ତରେ ଯେକୌଣସି ଆକ୍ରମଣର ମୁକାବିଲା ପାଇଁ ଅଧିକ ସୈନ୍ୟ ଠୁଳ କରିବ ଭଳି ପଦକ୍ଷେପ ଦେଶବାସୀଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛି । ତେବେ, ମୃତ ଯବାନଙ୍କ ପରିବାର ଛାତିରେ ଜଳୁଥିବା ପ୍ରତିଶୋଧର ବହ୍ନିକୁ ନିର୍ବାପିତ କରିବା ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି ଚର୍ଚ୍ଚା ହେଉଛି ।
କେନ୍ଦ୍ର ସରକାର ସବୁ ଦିନ ପାଇଁ ପାକିସ୍ତାନକୁ ପଂଗୁ କଲା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଶବାସୀ ଚାହାଁନ୍ତି । ତାହା ସୀମିତ ଧରଣର ହେଉ ବା ବଡ ଧରଣର । ଅତୀତରେ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ କଥା କହି ଆନନ୍ଦ ନେଉ ଥିବା ମୋଦୀ ସରକାର ଏବେ ସେନା ଉପରେ ସବୁ କିଛି ଛାଡି ଥିବା କହି ସଭା ସମିତିରେ ଭାଷଣବାଜୀ କରୁଛନ୍ତି । ସରକାର ବିଶ୍ୱ ନେତାଙ୍କ ସମର୍ଥନ ଭାରତ ପ୍ରତି ରହି ଥିବା କହୁଥିବା ବେଳେ ଏକାକୀ ଚୀନ୍ ର ପ୍ରତିକୂଳ ଅଭିମୁଖ୍ୟ ଭାରତକୁ ଭୟଭୀତ କରୁଛି ବୋଲି ରକ୍ଷା ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି । ସେମାନଙ୍କ ମତରେ, ଭାରତ ଆମେରିକା ପଛରେ ନ ଗୋଡାଇ ଚୀନ ସହ ସଂପର୍କ ସୁଧାରିଲେ ପାକିସ୍ତାନର ହୃତକଂପ ବଢନ୍ତା ଏବଂ ପାକ୍-ସମର୍ଥିତ ଆତଙ୍କବାଦୀ ମଧ୍ୟ ଲାଂଗୁଡ ଜାକନ୍ତେ । କିିନ୍ତୁ, ସରକାର ଆମେରିକା ପଛରେ ଗୋଡାଇ ଚୀନ୍ କୁ ଅସନ୍ତୁଷ୍ଟ ରଖିଛନ୍ତି । ତେବେ, ଯୁଦ୍ଧ ହେଲେ ତାହାର ଭୟାନକ ପ୍ରଭାବ ସଂପର୍କରେ ଆଉ କିଛି ଯୁକ୍ତି ବାଢି ସରକାରଙ୍କ କୂଟନୈତିକ ଗୋଟି ଚାଳନାକୁ ସମର୍ଥନ କରୁଛନ୍ତି । ଏହି ଦୁଇ ମତବାଦକୁ ଛାଡିଲେ ଆଉ କିଛି ପାକ୍-ଆତଙ୍କବାଦର ସଂପୂର୍ଣ୍ଣ ମୂଳୋତ୍ପାଟନ ସପକ୍ଷରେ ମତ ଦେଉଛନ୍ତି । ସେମାନେ ଚାହୁଁଛନ୍ତି ଭାରତ ଆଡୁ ଏକ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ, ତାହା ନରମ ହେଉ ବା ଗରମ ହେଉ । କିନ୍ତୁ, ଭୋଟ ରାଜନୀତିରେ ମାତି ଥିବା କେନ୍ଦ୍ର ବିଜେପି ସରକାର ଭୋଟ ସରିବା ପର୍ଯ୍ୟନ୍ତ ତାୱାକୁ ଗରମ ରଖି ସେଥିରେ ରୁଟି ସେକିବା ଚକ୍କରରେ ଅଛନ୍ତି । ବିରୋଧୀ କଂଗ୍ରେସ ମଧ୍ୟ ନିଜର ପଇଁତରା ବଦଳାଇ ୧୪ ତାରିଖ ପୁଲୱାମା ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ କେଉଁଠାରେ ଥିଲେ (ନିଜ ଫିଲ୍ମର ସୁଟିଂ ପାଇଁ ଯାଇ ଥିଲେ ବୋଲି ବିରୋଧୀଙ୍କ ଅଭିଯୋଗ) ବୋଲି ପ୍ରଶ୍ନ ଉଠାଇ ବିଜେପିକୁ କଟୁ ସମାଲୋଚନା କରିଛି । ବିଜେପି ତୁରନ୍ତ ତାହାର ଉତ୍ତର ଦେବାକୁ ପଛାଇ ନାହିଁ । ଭୋଟ-କାଂଗାଳ ରାଜନେତାଙ୍କ ଏଭଳି ‘ତୁ ତୁ..ମେଁ ମେଁ’ରେ ବ୍ରସ୍ତ ଥିବା ବେଳେ ପୁଲୱାମା ଘଟଣାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମିଳୁ ନାହିଁ ।
ପ୍ରଥମ ପ୍ରଶ୍ୱ ହେଉଛି – ପାକ୍ ସମର୍ଥିତ ଜୈଶ୍ ଆତଙ୍କବାଦୀ ଏଭଳି ବିଭତ୍ସ ଆକ୍ରମଣକୁ ରୂପ ଦେବା ସମୟରେ ଭାରତୀୟ ଗୁଇନ୍ଦା ସଂସ୍ଥା କଣ କରୁଥିଲା ? କଶ୍ମୀର ଘାଟିର ଜନୈକ ଯୁବକ ଜୈଶ୍ -ଏ-ମହମ୍ମଦ ଦ୍ୱାରା ପ୍ରଭାବିତ ହୋଇ ନିଜକୁ ମାନବ ବୋମାରେ ପରିଣତ କରିବା ସହ ୬୦ରୁ ୭୦ କେଜି ଶକ୍ତିଶାଳୀ ଆରଡ଼ିଏକ୍ସ ବୋଝେଇ ଗାଡିକୁ ନେଇ ଯବାନଙ୍କ ଗାଡିକୁ ପିଟି ଦେଲେ । ଏହି ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ଘଟିଲା । ସିଆରପିଏଫ୍ ଯବାନଙ୍କ ଯାନ ସବୁ ପୁଲୱାମା ଜାତୀୟ ରାଜପଥରେ ଯିବା ସମୟରେ ଏବଂ ସେହି ଯାନ ଗୁଡିକରେ ଏତେ ସଂଖ୍ୟକ ସୁରକ୍ଷା ବଳଙ୍କୁ ସ୍ଥାନାନ୍ତର କରାଯିବା ବେଳେ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିଅର) ପାଳନ ହୋଇଥିଲା କି ? ଦ୍ୱିତୀୟରେ – ଏତେ ବଡ ଆକ୍ରମଣର ପ୍ରସ୍ତୁତି ଗୋଟିଏ ଦିନରେ ହୋଇ ନ ଥିବ । କଶ୍ମୀର ମାଟିରେ ହେଉ ବା ପିଓକେ (ପାକ୍ ଅଧିକୃତ କଶ୍ମୀର)ରେ ହେଉ – ଏହାର ପ୍ରସ୍ତୁତି ନିମନ୍ତ ସମୟ ଲାଗି ଥିବ । ଭାରତୀୟ ଗୁଇନ୍ଦା ସଂସ୍ଥା (‘ର’ ବା ଆଇବି) କେମିତି କିଛି ଆଗୁଆ ସୁରାକ ପାଇଲେ ନାହିଁ ? ଅକ୍ରମଣରେ ଯେଉଁ ପରିମାଣର ଅତ୍ୟନ୍ତ ଶକ୍ତିଶାଳୀ ଆରଡ଼ିଏକ୍ସର ବ୍ୟବହାର ହୋଇଛି ତାହା ସୀମା ଆର ପଟୁ ଆସି ଥିଲା ନା ଦେଶର କୌଣସି ଅଂଚଳରୁ ଅଣା ଯାଇଥିଲା ? ସବୁଠାରୁ ବଡ ପ୍ରଶ୍ନ ହେଉଛି, ଲମ୍ବା ଧାଡିରେ ଯାଉ ଥିବା ସିଆରପିଏଫ୍ ଯବାନଙ୍କ ଯାନଗୁଡିକ ମଧ୍ୟରୁ ଗୋଟିଏ ନିର୍ଦ୍ଧିଷ୍ଟ ଯାନକୁ (ଯେଉଁ ଥିରେ କେବଳ ଯବାନ ହିଁ ଥିଲେ, ଅଫିସର କେହି ନ ଥିଲେ) ଟାର୍ଗେଟ୍ କରାଯିବାର କାରଣ କଣ ହୋଇପାରେ? ଦେଶର ପ୍ରମୁଖ ତଦନ୍ତ କାରୀ ସଂସ୍ଥା ଏନଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି) ଏହାର ତଦନ୍ତ କରୁଛି । ତଦନ୍ତ ସରି ରିପୋର୍ଟ ଆସିବା ବେଳେକୁ ଦେଶରେ ସରକାର ବଦଳି ସାରି ଥିବ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଥା’ନ୍ତୁ ବା ଅନ୍ୟ କେହି ସରକାର ଗଠନ କରିଥା’ନ୍ତୁ ଏହି ତଦନ୍ତ ରିପୋର୍ଟକୁ କେତେ ଗୁରୁତ୍ୱ ମିଳିବ କହିବା ସମ୍ଭବ ନୁହେଁ । ଘଟଣାର ୪୮ ଘଂଟା ପରେ ସଂପୃକ୍ତ ପ୍ରଶାସକଙ୍କ ଯାହା ଆକଳନ ଥିଲା, ତାହା ହିଁ ବାସ୍ତବ ହେବା ପୂର୍ବତନ ପ୍ରଶାସକଙ୍କ ଅଭିଜ୍ଞତାର ବୟାନ କରୁଛି ।
ପୁଲୱାମା ଘଟଣାରେ ମୋଦୀ ସରକାର ଚାପରେ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ଜନତାର ‘ମୁଡ୍’ ଏକ ନିର୍ଣ୍ଣାୟକ ଯୁଦ୍ଧ ସପକ୍ଷରେ, ସେଥିରେ କାହାରି ଦ୍ୱିମତ ହେବାର ନାହିଁ । ‘ସର୍ଜିକାଲ୍ ଷ୍ଟ୍ରାଇକ୍ ଏକ ‘ଲଜିକାଲ୍ କନକ୍ଲୁଜନ’ ନୁହଁ, ବିଶ୍ୱ ନେତାମାନେ ନିଜର ଆଭିମୁଖ୍ୟ ବଦଳାଇବା ପୂର୍ବରୁ ଭାରତ ଏକ ନିର୍ଣ୍ଣାୟକ ଯୁଦ୍ଧ ଲଢିବା ଆବଶ୍ୟକ – ଏହା ହେଉଛି କୂଟନୀତିଜ୍ଞଙ୍କ ମତ । ପାକିସ୍ତାନ ଜୈଶ୍-ଏ-ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରି ସାମୟିକ ଭାବେ ଭାରତକୁ ଚକମା ଦେଇଛି । ଆନ୍ତର୍ଜାତିକ ଚାପକୁ ଏଡାଇବା ଏହାର ଉଦେ୍ଦଶ୍ୟ । ବିଶ୍ୱ ନେତାମାନେ ଭାରତକୁ ସମର୍ଥନ ଦେଉଥିବା ସମୟରେ ହିଁ ଭାରତ ଆମେରିକା ପରି (ପାକିସ୍ତାନରେ ପଶି ବିନ୍ ଲାଦେନକୁ ନିପାତ କଲା ଭଳି) ପାକ୍ ଭୂମିରେ ପ୍ରବେଶ କରି ଜୈଶ୍ ମୁଖ୍ୟ ମାସୁଦ୍ ଆଝହାରକୁ ନିପାତ କରିବା ପ୍ରକୃତ ମରଦପଣିଆ ହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS