ପୂର୍ବ ଅଭିଜ୍ଞତା ଓଡ଼ିଶା ବିକାଶର ଆଧାର ହେବ !
– ପ୍ରସାଦ ରାଓ –
ଭୁବନେଶ୍ୱର: ଓଡ଼ିଶାରେ କୋଡ଼ିଏ ବର୍ଷ ହେଲା କ୍ଷମତାରୁ ଦୂରରେ ଅଛି କଂଗ୍ରେସ । ଏହି କୋଡ଼ିଏ ବର୍ଷ ମଧ୍ୟରେ ଦଳ ଦୁର୍ବଳ ହୋଇ ତୃତୀୟ ସ୍ଥାନକୁ ଖସି ଯାଇଛି । ବିରୋଧୀ ଦଳରେ ଥାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଦଳର ମଂଗ ଧରି ଆସିଛନ୍ତି । ରାଜ୍ୟ ବିଧାନସଭାରେ ଏହି ଜାତୀୟ ଦଳ ୧୪୭ରୁ ମାତ୍ର ୧୬ ବିଧାୟକଙ୍କୁ ଧରି କୌଣସି ପ୍ରକାର ବିରୋଧୀ ଦଳର ଦାୟିତ୍ୱ ତୁଲାଇ ଆସୁଥିଲା । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି । ତେବେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସଙ୍କ ସମେତ ଦଳର ଆଉ କିଛି ବିଧାୟକ କଂଗ୍ରେସ ଛାଡି ଶାସକ ବିଜେଡ଼ି ଆଡକୁ ମୁହାଁଇବା ପରେ ବିଧାନ ସଭାରେ ଦଳର ବିଧାୟକ ସଂଖ୍ୟା ହ୍ରାସ ପାଇବା ସହ ଦଳ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି । ତେବେ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଆଶା ରଖିଛନ୍ତି । ଦଳ ପ୍ରତି ଜନସାଧାରଣରେ ପୁନଃ ଆସ୍ଥା ଭାବ ଫେରୁଥିବା ସେ ବିଭିନ୍ନ ଅଚଂଳ ଗସ୍ତ ସମୟରେ ଦେଖୁଛନ୍ତି ବୋଲି କହିଛନ୍ତି ।
କଂଗ୍ରେସ ରାଜ୍ୟ ସଂଗଠନରେ ତୀବ୍ର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ୨୦୧୭ ପଂଚାୟତ ନିର୍ବାଚନରେ ଦଳ ବିଜେପି ତଳକୁ ତୃତୀୟ ସ୍ଥାନକୁ ଖସି ଥିଲା । ଦଳ ତକ୍ରାଳୀନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ପଂଚାୟତ ନିର୍ବାଚନ ଲଢି ଥିଲା ସତ, କିନ୍ତୁ ଆର୍ଥିକ ଅସ୍ୱଚ୍ଛଳତା ଏବଂ ପିସିସି ନେତୃତ୍ୱ ପରିବର୍ତର୍ନ ଦାବିରେ ବିଧାୟକମାନଙ୍କ ଅସହଯୋଗ ଯୋଗୁ ତୃତୀୟ ସ୍ଥାନକୁ ଖସି ଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନକୁ ଯିବାର ସୁଯୋଗ ପାଇଥିଲା । ଏହି ସଫଳତାକୁ ଆଧାର କରି ବିଜେପି ୨୦୧୯ ବିଧାନ ସଭା ନିର୍ବାଚନରେ ବିଜେଡ଼ିକୁ ପଛରେ ପକାଇ ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛି । ଶାସକ ବିଜେଡ଼ି ଓ ବିଜେପି ରାଜ୍ୟରେ ‘ଶହେ ପ୍ଲସ୍’ ଆସନ ଦଖଲ କରି ସରକାର ଗଢିବାକୁ ଦମ୍ଭ ଦେଖାଉ ଥିବା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନମ୍ରତାର ସହ କହିଛନ୍ତି, ସେ ବାହାସ୍ପୋଟ ମାରିବାରେ ବିଶ୍ୱାସ କରନ୍ତି ନାହିଁ, ରାଜ୍ୟବାସୀଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି । ବିଭିନ୍ନ ଅଂଚଳ ଗସ୍ତ ସମୟରେ ଜନସାଧାରଣରେ କଂଗ୍ରେସ ପ୍ରତି ସମର୍ଥନ ବୃଦ୍ଧି ପାଉ ଥିବା ଦେଖୁଛନ୍ତି । ତେଣୁ, ଦଳ ଦ୍ୱିତୀୟ ସ୍ଥାନ ନୁହେଁ, ଏକାଥରକେ ପ୍ରଥମ ସ୍ଥାନକୁ ଉଠି ପୁନର୍ବାର ସରକାର ଗଠନ କରିବା ସେ ଆଶା କରୁଛନ୍ତି । କଂଗ୍ରେସ ଦଳର ଆତ୍ମବିଶ୍ୱାସ ବଢିବା ଫଳରେ ଓଡ଼ିଶାରେ ତ୍ରିମୁଖୀ ଲଢେଇ ଯୋରଦାର ହେବ ବୋଲି ବିଶ୍ୱାସ କରାଯାଉଛି । ଅନ୍ୟ ଦଳଙ୍କ ଭଳି କଂଗ୍ରେସ ମଧ୍ୟ ବିରୋଧୀଙ୍କୁ ତୀବ୍ର ଆକ୍ରମଣ କରିବା ସହ ଲୋଭନୀୟ ‘ପ୍ରତିଶ୍ରୁତିର ଝୁଡି’ ଧରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ।
ଓଡ଼ିଶାରେ ୨୦୧୯ରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭାରତର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ନଥିଲେ ମଧ୍ୟ ମାର୍ଚ୍ଚ ପ୍ରଥମ ସସ୍ତାହରେ ତାହା ଘୋଷଣା ହୋଇ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ନିଶ୍ଚିତ । ତେଣୁ, ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଅଭିଯାନ ଯୋର ଧରିଛି । ରାଜ୍ୟରେ ଶାସକ ବିଜେଡ଼ି ଲଗାତର ପଂଚମ ଥର ପାଇଁ ସରକାରକୁ ଆସିବା ସକାଶେ ହଜାର ହଜାର କୋଟି ଟଙ୍କାର ‘ପ୍ରତିଶ୍ରୁତିର ଝୁଡ଼ି’ ଧରି ରାଜ୍ୟ ସାରା ବୁଲୁଛି । ବିଜେଡ଼ି ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମଂଗ ଧରିଛନ୍ତି । ‘ମିଶନ ଶକ୍ତି’ ନାମରେ ମହିଳା ସ୍ୱୟଂ ସହାୟକ ସଂଘଙ୍କୁ ମୋବାଇଲ ଓ ଆର୍ଥିକ ପ୍ରୋତ୍ସାହନ ବଂଟା ଚାଲିଛି । ଚାଷୀ, କୃଷି ଶ୍ରମିକ ଓ ଭୂମିହୀନଙ୍କ ପାଇଁ ‘କାଳିଆ’କୁ ସାହା କରାଯାଇଛି । ୫୦ରୁ ୬୦ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ବଂଟନ କରି ବିଜେଡ଼ି ନିଜର ଭୟ ଦୂର କରିବାକୁ ଦିନ ରାତି ଏକାଠି କରି ଦେଇଛି । ସେହିପରି, ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କ ନେତୃତ୍ୱ ଏବଂ ଉଜ୍ଜ୍ୱଳା, ପିଏମ୍-କିଶାନ ଯୋଜନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଚାଷୀ, ମହିଳା ଓ ବିଭିନ୍ନ ବର୍ଗର ଭୋଟରଙ୍କୁ ପ୍ରଭାବିତ କରିଛି । ପୁଲୱାମା ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଂଚଳରେ ହୋଇଥିବା ମିରେଜ୍ ବିମାନ ଆକ୍ରମଣକୁ ନେଇ ବିଜେପି ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ପଛାଉ ନାହିଁ ।
୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ‘ପ୍ଳସ୍’ ଆସନ ଦଖଲ କରିବାକୁ ଦେଖୁଥିବା ସ୍ୱପ୍ନ ଅବାସ୍ତବ ବୋଲି ଏବେ ଦଳର ନେତାମାନେ ବୁଝି ଗଲେଣି । ତେଣୁ, ପଇଁତରା ବଦଳାଇ ଦୁଇ ମାସ ହେଲା ରାଜ୍ୟର ୨୧ ଲୋକସଭା ଆସନକୁ ଫେକସ୍ କରିଛନ୍ତି । ଓଡ଼ିଶାରୁ ଅଧିକ ଲୋକସଭା ଆସନ ମିଳିଲେ କେନ୍ଦ୍ରରେ ବିଜେପିକୁ ସରକାର ଗଠନରେ ସହାୟକ ହେବ । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀ ଓ ଦଳର ରାଷ୍ଟ୍ରୀୟ ସଭାପତି ଶାହା ଓଡ଼ିଶା ଆସିଲେ ୨୧ ଲୋକସଭା ଆସନକୁ ନେଇ ଅଙ୍କ କଷୁଛନ୍ତି । ୨୦୧୪ ନିର୍ବାଚନରେ ଓଡ଼ିଶାରୁ ବିଜେପିକୁ ମିଳି ଥିଲା ମାତ୍ର ଗୋଟିଏ (ସୁନ୍ଦରଗଡ଼) ଲୋକସଭା ଆସନ । କଂଗ୍ରେସ ଖାତା ଖୋଲି ପାରି ନଥିଲା । ବିଜେଡ଼ି ପୋଛି ନେଇ ଥିଲା ୨୦ ଆସନ । ୨୦୧୯ ସାଧାରଣ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ବଡ ଦାବିଦାର ଥିବା ବେଳେ କଂଗ୍ରେସ ଓଡ଼ିଶାରେ ମୁଖ୍ୟସ୍ରୋତକୁ ଫେରିବାକୁ ସଂଘର୍ଷ କରୁଛି । ଦଳରେ ତୀବ୍ର ଅନ୍ତଃକନ୍ଦଳ ଏବଂ ପୂର୍ବରୁ ଆଶି ଓ ନବେ ଦଶକରେ କଂଗ୍ରେସ ସରକାର ଅମଳରେ ହୋଇଥିବା ଦୁର୍ନୀତି, ପ୍ରିୟାପ୍ରୀତି ଓ କୁଶାସନର ଭୂତ ଆଜି ଯାଏଁ ଦଳର ପିଛା ଛାଡି ନାହିଁ । ତଥାପି ଦଳ ବିଜେଡ଼ି ବିରୋଧରେ ଥିବା ‘ଆଂଟି ଇନ୍କମ୍ବେନ୍ସ’ ବା ସରକାର ବିରୋଧୀ ଅସନ୍ତୋଷରୁ ଫାଇଦା ନେଇ କ୍ଷମତାକୁ ଫେରିବାକୁ ଆଶାୟୀ । ରାଜ୍ୟବାସୀ କଂଗ୍ରେସକୁ ଧୀରେ ଧୀରେ ଗ୍ରହଣ କରୁ ଥିବାରୁ ଦଳ ଏଥର ବିଜେଡ଼ିର ବିକଳ୍ପ ଭାବେ ଉଭା ହେବ ବୋଲି ୧୦ ମାସ ତଳେ ଦ୍ୱତୀୟ ଥର ପାଇଁ ପିସିସି ସଭାପତି ହୋଇ ଥିବା ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।
ପଟ୍ଟନାୟକ ଅଶି ଓ ନବେ ଦଶକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ । ତେଣୁ, ସରକାରଙ୍କ କାର୍ଯ୍ୟଧାରା ସଂପର୍କରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ୧୯୮୦ରୁ ୧୯୮୫ ସେ ରାଜ୍ୟରେ ଜଳ ସଂପଦ ଓ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିଲେ । ତାଙ୍କରି ସମୟରେ ବୃହତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ହୋଇଛି । ଓପିଜିସି ଗଠନ କରାଯିବା ସହ ଏନଟିପିସିର ଦୁଇଟି ପ୍ରୋଜେକ୍ଟ୍ ଓଡ଼ିଶାକୁ ଅଣାଯାଇ ରାଜ୍ୟକୁ ବିଦ୍ୟୁତ ନିଅଂଟରୁ ‘ବିଦ୍ୟୁତ ବଳକା’ ରାଜ୍ୟରେ ପରିଣତ କରାଯାଇଛି । କଂଗ୍ରେସ ଶାସନରେ ଓଡ଼ିଶାରେ ଶିଳ୍ପ ବିସ୍ତାର ହୋଇଛି । କୃଷି ଭିତ୍ତିକ ଶିଳ୍ପ ସହ ବୈଷୟିକ ଶିକ୍ଷାର ବିକାଶ ଘଟିଛି । ତେଣୁ, ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଯେଉଁ ପ୍ରତିଶ୍ରୁତିର ଝୁଡି ଧରି ବାହାରିଛି ସେଥିରେ ଏସବୁ କଥା ରହିଛି । ବିଜେଡ଼ି ସରକାରଙ୍କ ଅପାରଗତାକୁ ଜନସାଧାରଣରେ ଉପସ୍ଥାପନ କରି ରାଜ୍ୟରେ ଥିବା ସରକାର ବିରୋଧୀ ହାୱାରୁ କଂଗ୍ରେସ ଫାଇଦା ନେବ ବୋଲି ପଟ୍ଟନାୟକ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପିଏମ୍-କିଶାନ’ ଯୋଜନା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘କାଳିଆ’ ଯୋଜନା ଚାଷୀଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିବା ସହ କଂଗ୍ରେସ ସରକାରକୁ ଫେରିଲେ ହିଁ ରାଜ୍ୟରେ ଅଶି ଓ ନବେ ଦଶକ ଭଳି କୃଷି, ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତର୍ନ ଆସି ପାରିବ ବୋଲି ସେ ଦୃଢ ମତ ରଖିଛନ୍ତି ।
ଏକ ଅନୌପଚାରିକ ଆଲୋଚନାରେ ପଟ୍ଟନାୟକ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ସାମନା କରିବା ପାଇଁ କଂଗ୍ରେସ ଯେଉଁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଛି ସେଥିରେ କୃଷି, ଜଳସେଚନ, ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଧାନ୍ୟ ଦିଆଯାଇଛି । ଏସବୁ କ୍ଷେତ୍ରରେ ବୈପ୍ଳବିକ ପରିବର୍ତର୍ନ ଆସିଲେ ହିଁ ରାଜ୍ୟର ଦୃତ ବିକାଶ ଘଟିବ ଏବଂ ବେକାର ଯୁବକ, ଯୁବତୀଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି ହୋଇପାରିବ । ଅଣ-କଂଗ୍ରେସ ସରକାର ଅମଳରେ ରାଜ୍ୟରେ କୌଣସି ଆଖିଦୃଶିଆ ବିକାଶ ହୋଇ ନାହିଁ, ଯାହା ହୋଇଛି ଅତୀତରେ କଂଗ୍ରେସ ସରକାରଙ୍କ ସମୟରେ ସମୟରେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ‘କାଳିଆ’ଯୋଜନାରେ ଚାଷୀ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଏବଂ ତାହା ଅଢେଇ ବର୍ଷ ପାଇଁ ପାଇବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପିଏମ୍-କିଶାନ୍’ ଯୋଜନାରେ ଚାଷୀଙ୍କୁ ତିନିଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ମିଳିବ । ଏହି ଦୁଇ ଯୋଜନାରେ ଚାଷୀଙ୍କ ପରିବାର ମାସକୁ ୨୨ରୁ ୨୩ ଟଙ୍କା ଏବଂ ଦିନକୁ ହାରାହାରି ୫ରୁ ୭ ଟଙ୍କା ପାଇବେ, ଯାହାକି ଆଜିର ଦିନରେ ଚା’କପ୍ ର ଦାମ ସହ ସମାନ । ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ ଇନ୍ଦ୍ରବତୀ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ‘ଅନାହାର ମୃତ୍ୟୁ’ ପାଇଁ ବଦନାମ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଧାନ ଉତ୍ପାଦନରେ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯାଇଥିଲା । ସେହିଭଳି, ଅଶି ଦଶକରେ ଓଡ଼ିଶାକୁ ବିଦ୍ୟୁତ ନିଅଂଟିଆ ରାଜ୍ୟରୁ ବିଦ୍ୟୁତ ବଳକା ରାଜ୍ୟରେ ପରିଣତ କରାଯାଇଛି । ଓପିଜିସି, ଏନଟିପିସି ସହ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ସେ ମନ୍ତ୍ରୀ ଥିବା ସମୟରେ ହୋଇଛି ।
ରାଜ୍ୟରେ ହଜାର ଦିନରେ ହଜାର କୋଟି ଟଙ୍କା ବ୍ୟୟରେ ହଜାରେ ଶିଳ୍ପ ପ୍ରତିଷ୍ଠା ଘୋଷଣା ଧୂଆଁବାଣ ନ ଥିଲା । ଅଶି ଦଶକରେ ରାଜ୍ୟରେ ହଜାରରୁ ଅଧିକ କୋଟି ଟଙ୍କା ବିନିଯୋଗ କରାଯାଇ ବହୁ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ବାଲେଶ୍ୱର ଭଳି ଶିଳ୍ପ ବିହୀନ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇଛି । କଳାହାଣ୍ଡି, ରାୟଗଡା ଜିଲ୍ଲାର କପା ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସାକଶେ ଓଡ଼ିଶାରେ ୧୨ଟି ସୂତା କଳ ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟରେ ଆଖୁ ଚାଷକୁ ପ୍ରେତ୍ସାହିତ କରିବା ପାଇଁ ୧୮ଟି ଚିନି ଶିଳ୍ପ ପ୍ରତିଷ୍ଠା ହୋଇଥିଲା । ଆଜି ସେ ସବୁ ଶିଳ୍ପ ବନ୍ଦ ହୋଇ ଯାଇଛି । କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ହିଁ ରାଜ୍ୟର ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି ଉଲ୍ଲେଖ କରି ପଟ୍ଟନାୟକ କହିଛନ୍ତି ବିଜେଡ଼ି ସରକାରଙ୍କ ଜଳସେଚନର ବିସ୍ତାର ଏବଂ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପ୍ରତିଶ୍ରୁତି କେବଳ ଧୂଆଁବାଣ ମନେ ହେଉଛି । ଆଜିର ଦିନରେ ଗୋଟିଏ ହେଲେ ସୂତା କଳ ଚାଲୁନି । ଚିନି କାରଖାନା ମଧ୍ୟରୁ ଅଧିଂକାଶ ବନ୍ଦ ହୋଇ ଗଲାଣି । କଂଗ୍ରେସ ସରକାର ସମୟରେ ରାଜ୍ୟରେ ଆଇଟିଆଇ ଭଳି ବୈଷୟିକ ଶିକ୍ଷାନୁଷ୍ଠାନର ବିସ୍ତାର କରାଯାଇ କୁଶଳୀ କର୍ମଶକ୍ତି ସୃଷ୍ଟି କରାଯାଇଥିବା ବେଳେ ଗଲା ୨୦ ବର୍ଷରେ ସରକାର ଓଡ଼ିଶାରେ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେଇ ସେହି ଅନୁପାତରେ କର୍ମନିଯୁକ୍ତ ସୃଷ୍ଟି କରିପାରି ନାହାନ୍ତି । ତେଣୁ, ରାଜ୍ୟର ୬୦ ଲକ୍ଷ ଯୁବକ ରାଜ୍ୟ ବାହାରେ ସିକୁରିଟି ଗାର୍ଡ, ପାଣି ପଂପ୍ ମିସ୍ତ୍ରୀ, ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ୮୫ ଲକ୍ଷ ପାଠୁଆ, ଅପାଠୁଆ ଯୁବକ ଯୁବତୀ ବେକାର ହୋଇ ରାସ୍ତାରେ ବୁଲୁଛନ୍ତି ।
ସରକାରକୁ ଆସିଲେ କୃଷି ଋଣ ଛାଡ କରିବ ବୋଲି କଂଗ୍ରେସର ପ୍ରତିଶ୍ରୁତି ରାଜ୍ୟ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବ ନାହିଁ କି (?) ବୋଲି ପ୍ରଶ୍ନ ହେବାରୁ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ଯଦି କ୍ଷମତାକୁ ଆସେ ଚାଷୀଙ୍କୁ କୃଷି ଋଣ ଛାଡ ସହ ସୋଲାର ପଂପ୍ ଓ ପାଂଚ ବର୍ଷ ପାଇଁ ମାଗଣା ଆର୍ଥିକ ସହାୟତା ଦେବାକୁ ଦଳ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ଚାଷୀ ସୋଲାର ପଂପ୍ ଓ ମାଗଣାରେ ୫ ବର୍ଷ ପାଇଁ ଆର୍ଥିକ ସହାୟତା ପାଇଲେ ବର୍ଷ ସାରା ଧାନ ସହ ଅନ୍ୟ ମୂଲ୍ୟଭିତ୍ତିକ ଫସଲ ଉତ୍ପାଦନ କରି ଆନ୍ଧ୍ର ପ୍ରଦେଶ, ପଂଜାବ, ହରିୟାନା ଭଳି ଆର୍ଥିକ ସମୃଦ୍ଧ ହୋଇ ପାରିବେ । କେବଳ ଚାଷ ନୁହେଁ, ରାଜ୍ୟକୁ ଶିଳ୍ପ ସମୃଦ୍ଧ କରି ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ କଂଗ୍ରେସ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦେବ । ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ ହେଉଛନ୍ତି ଦେଶର ଖଣି ସମୃଦ୍ଧ ରାଜ୍ୟ । ତେବେ, ରାଜ୍ୟର ଖଣିଜ ସଂପଦ ରାଜ୍ୟରେ ବିନିଯୋଗ ହୋଇପାରୁ ନାହିଁ । ରାଜ୍ୟ ସଂପଦ ବାହାରକୁ ଚାଲି ଯାଉଥିବା ବେଳେ ଓଡ଼ିଶାକୁ ମିଳୁଛି କେବଳ ପ୍ରଦୂଷଣ ଓ ରୋଗ । କେନ୍ଦ୍ର ସରକାରଙ୍କ ନୂତନ ଖଣି ନୀତି ରାଜ୍ୟ ଭିତରେ ଖଣିଜ ସଂପଦର ବିନିଯୋଗ ହୋଇ ଶିଳ୍ପ ପ୍ରତିଷ୍ଠା ସୁଯୋଗକୁ ଅନିଶ୍ଚିତ କରି ଦେଇଛି । ଏହା କେନ୍ଦ୍ରୀୟ ନୀତି ହୋଇ ଥିବାରୁ କଂଗ୍ରେସ କ୍ଷମତାକୁ ଆସିଲେ ତାହା ବଦଳାଇ ପାରିବ ନାହିଁ । ତେବେ, ରାଜ୍ୟରେ ଯେଉଁ ଇସ୍ପାତ, ଆଲୁମିନିଅମ ଭିତ୍ତିକ ମଦର ଇଣ୍ଡଷ୍ଟ୍ରି ରହିଛି ସେମାନଙ୍କୁ ଉତ୍ପାଦନର ୩୦ ପ୍ରତିଶତ ମୂଲ୍ୟଭିତ୍ତିକ ଆନସିଲିଆରୀ ଓ ଡ଼ାଉନଷ୍ଟ୍ରିମ୍ ଶିଳ୍ପ ରାଜ୍ୟରେ ପ୍ରତିଷ୍ଠା କରିବାକୁ କୁହାଯିବ ଏବଂ ନିଯୁକ୍ତିର ୮୦ ପ୍ରତିଶତ ଓଡ଼ିଆ ଯୁବକ, ଯୁବତୀଙ୍କୁ ଦେବାକୁ ବାଧ୍ୟ କରାଯିବ ।
ପଟ୍ଟନାୟକଙ୍କ ଅଭିଯୋଗ ହେଉଛି, ରାଜ୍ୟରେ ମହିଳା ସଶକ୍ତିକରଣ କଥା କୁହାଯାଉଥିବା ବେଳେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୮୭ ପ୍ରତିଶତ ଝିଅ ଅଧାରୁ ପାଠ ଛାଡୁଛନ୍ତି । ୬୫ଟି ସରକାରୀ କଲେଜ ମଧ୍ୟରୁ ଗୋଟିଏରେ ବି ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ପୂର୍ବରୁ ବିଭିନ୍ନ ସର୍ବଭାରତୀୟ ପରୀକ୍ଷାରେ ରାଜ୍ୟର ୧୦ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଥିବା ବେଳେ ଏବେ ତାହା ୧ ପ୍ରତିଶତ ବି ନୁହେଁ । ସ୍ପଷ୍ଟ ଦିବାଲୋକରେ ରାଜ୍ୟରେ ଖଣି ସଂପଦ ଚୋରୀ ହୋଇଥିବା ବେଳେ ରାଜ୍ୟ ସରକାର ବା ଶାହା କମିସନ ପ୍ରକୃତ ଚୋରଙ୍କୁ ନ ଧରି ୧୦୦/୨୦୦ ଟନ୍ ଅଧିକ ମାଲ୍ ଖୋଳି ନେଇ ଥିବା ଖଣି ମାଲିକଙ୍କୁ ଚୋର କହୁଛନ୍ତି । ଶାସକ ଦଳର ଲୋକଙ୍କୁ ଅଣଦେଖା କରାଯାଇ ସଚ୍ଚୋଟ ଖଣି ମାଲିକଙ୍କୁ ହାରାଶ କରାଯାଉଛି । ପିସିସି ସଭାପତି ପଟ୍ଟନାୟକଙ୍କ ଏସବୁ ଦଲିଲ ୨୦୧୯ ନିର୍ବାଚନକୁ ରାଜ୍ୟରେ କଂଗ୍ରେସ ସପକ୍ଷରେ କେତେଦୂର ପ୍ରଭାବିତ କରିବ ଭିନ୍ନ କଥା, ତେବେ ସେ ଚାଷ, ଜଳସେଚନ, ଶିଳ୍ପ, ଖଣି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ପ୍ରତିଶ୍ରୁତିର ‘ଝୁଡି’ ଧରି ଜନସାଧାରଣଙ୍କ ସାମନାକୁ ଯାଉଥିବା ନିଶ୍ଚିତ । ଯେତେ ଯିଏ ମନା କଲେ ବି ଓଡ଼ିଶାରେ ଶାସକ ବିଜେଡ଼ି ସରକାରଙ୍କ ବିରୋଧରେ ଏକ ଅନ୍ତଃସ୍ରୋତ ରହି ଥିବା ସରକାର ନିଜେ ଜାଣନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଦିନ ରାତି ଏକାଠି କରି ରାଜ୍ୟ ସାରା ବୁଲୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତୀ ଏବଂ ରାଜ୍ୟର ଗ୍ରାମାଂଚଳରେ ତାଙ୍କ ପ୍ରତି ଥିବା ସମ୍ମାନ ଓ ସମର୍ଥନ ସରକାର ବିରୋଧୀ ଅସନ୍ତୋଷକୁ ଧୋଇ ଦେଇ ବିଜେଡ଼ିକୁ ପୁନଃ ସରକାର ଗଠନର ମଉକା ଦେବ ତାହା ‘ଆପଣମାନେ ଖୁସି ତ.. ମୁଁ ବି ଖୁସି..’ ବୋଲି ବିଭିନ୍ନ ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀ କହିବା ବେଳେ ହେଉଥିବା କରତାଳି ଓ ମହିଳାଙ୍କ ହୁଳହୁଳିରୁ ସ୍ପଷ୍ଟ ହେଉଛି । ବିଜେପି ପ୍ରଚାର ହାଇ-ପ୍ରୋଫାଇଲ୍ ହେଲେ ମଧ୍ୟ ରାଜ୍ୟରେ ଦଳର ନେତା କିଏ ସ୍ପଷ୍ଟ ନ ଥିବାରୁ ଓଡ଼ିଶାବାସୀଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରୁନି । ଏଭଳି ଏକ ନିର୍ବାଚନୀ ମାହୋଲରେ ପିସିସି ସଭାପତି ପଟ୍ଟନାୟକ ଓଡ଼ିଶା ବିକାଶର ନୂଆ ଫର୍ମୁଲ୍ଲା ଓ ପ୍ରତିଶ୍ରୁତିର ଝୁଡି ଓଡ଼ିଶାବାସୀ ମନରୁ ପୂର୍ବର ସେହି କଟୁ ଅଭିଜ୍ଞତା (ପୂର୍ବ କଂଗ୍ରେସ ସରକାରକୁ ନେଇ)କୁ ପୋଛି ପାରିବ କି (?) – ତାହା ହିଁ ଆଜିର ମୁଖ୍ୟ ପ୍ରଶ୍ନ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS