ବିବାଦରେ ବିଜେପୁର..
– ପ୍ରସାଦ ରାଓ –
ଭୁବନେଶ୍ୱର,୨୪ ମାର୍ଚ୍ଚ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଂଜିଳି ବିଧାନସଭା ଆସନରୁ ୨୦୦୦ ମସିହାରୁ ଲଗାତର ନିର୍ବାଚିତ ହେଉଛନ୍ତି । ଏହା ରାଜ୍ୟବାସୀ ଜାଣନ୍ତି । ୨୦୧୯ରେ ମଧ୍ୟ ସେ ହିଂଜିଳିରୁ ପ୍ରାର୍ଥୀ । ତେବେ, ବ୍ୟତିକ୍ରମ ଏତିକି, ସେ ଏଥର ଗୋଟିଏ ନୁହଁ, ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଗଞ୍ଜାମ ଜିଲ୍ଲାର ହିଂଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁରରୁ ।
ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା କିଛି ଅସ୍ୱାଭାବିକ ନୁହେଁ । ପୂର୍ବରୁ ମଧ୍ୟ ତାଙ୍କ ପିତା ତଥା ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଏକା ସମୟରେ ଏକାଧିକ ଆସନରୁ ନିର୍ବାଚନ ଲଢି ହାରିଛନ୍ତି । ତେବେ, ୨୦୧୯ ନିର୍ବାଚନ ସାଂଘାତିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେଉ ଥିବାରୁ ନବୀନଙ୍କ ଏହି କୌଶଳକୁ ବିରୋଧୀ ନକାରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀ କାଳେ ହିଂଜିଳିରୁ ହାରି ଯିବେ, ସେହି ଭୟରେ ପଶ୍ଚିମ ଓଡ଼ିଶାର ବିଜେପୁରକୁ ମଧ୍ୟ ଆଶ୍ରା କରିଛନ୍ତି ବୋଲି ବିଜେପି ପ୍ରଚାର କରି ଅଡୁଆ ଡାକି ଆଣିଛି । ଦଳ ଏଭଳି ଅଭିଯୋଗକୁ ପୃଷ୍ଟି କରିବା ପାଇଁ ରାଜ୍ୟ ପୁଲିସ ଗୁଇନ୍ଦା ବିଭାଗର ଏକ ଗୋପନ ରିପୋର୍ଟ ନାମରେ ଟିଭି ପରଦାରେ କାଗଜଟିଏ ହଲାଉଛି । ଶାସକ ବିଜେଡ଼ି ଏହାକୁ ଦୃଢ ଭାବେ ଖଣ୍ଡନ କରିଛି ଏବଂ ବିଜେପି ନେତାଏ ପ୍ରଦର୍ଶନ କରୁଥିବା କଥିତ ଗୁଇନ୍ଦା ରିପୋର୍ଟଟି ‘ଜାଲ୍’ ବୋଲି ଦଳର ମୁଖପାତ୍ରମାନେ ହଲ୍ଲାପଟା କରୁଛନ୍ତି । ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ଶାସକ ଦଳର ସାଥ୍ ଦେଇଛନ୍ତି ।
ଏହି ଜାଲିଆତି ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଉଛି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ବିଜେପିର ଜଣେ ବରିଷ୍ଠ ମୁଖପାତ୍ରଙ୍କୁ ଥାନାରେ ହାଜର ହୋଇ କଥିତ ଗୁଇନ୍ଦା ରିପୋର୍ଟର ପ୍ରମାଣ ଉପସ୍ଥାପନ କରିବାକୁ ନୋଟିସ ଜାରି କରାଯାଇଛି । ବିଜେପି ନେତା ମଧ୍ୟ ଓକିଲଙ୍କୁ ଧରି ଥାନାକୁ ଯାଇ କଥିତ ଗୁଇନ୍ଦା ରିପୋର୍ଟର ଉତ୍ସ ସଂପର୍କରେ ସ୍ପଷ୍ଟିକରଣ ଦେଇଥିବା କହୁଛନ୍ତି । ବାସ୍ତବରେ ଏହି ଜାଲ ରିପୋର୍ଟ (?)ଟି ବିଜେପି କେଉଁଠାରୁ ପାଇଲା ଓ ହଠାତ କେମିତି ବିଶ୍ୱାସ କରି ଗଲା, ତାହା ଏବେ ଏକ ବଡ ପ୍ରଶ୍ନ ହୋଇଛି । ନିର୍ବାଚନ ପାଖେଇ ଆସିବା ସହ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ତୀକ୍ତତା ବଢୁ ଥିବା ଏହି କଥିତ ଗୁଇନ୍ଦା ରିପୋର୍ଟରୁ ସ୍ପଷ୍ଟ ହେଉଛି ।
ବାସ୍ତବରେ କଣ ନବୀନ ହିଂଜିଳିରେ ହାରିବା ଭୟରେ ପଶ୍ଚିମ ଓଡ଼ିଶାକୁ ପଳାଇଛନ୍ତି ? ବିଜେପି ଯେଉଁ ଗୁଇନ୍ଦା ରିପୋର୍ଟ କଥା କହୁଛି ତାହାର ଆଧାର କଣ ?? ପୁଲିସ ହଠାତ୍ ହଡବଡାଇଲା କାହିଁକି ?? ଏଭଳି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କୁ ଭାରାକ୍ରାନ୍ତ କରିବା ସ୍ୱାଭାବିକ । ତେବେ, ଦକ୍ଷିଣ ଓଡ଼ିଶାର ହିଂଜିଳି ନିର୍ବାଚନ ମଣ୍ଡଳୀ ତାଙ୍କ ପାଇଁ ସୁରକ୍ଷିତ ଜାଣି ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲାର ବିଜେପୁର ଆସନ ମୁହାଁ ହେବା ପଛରେ ଆଉ କିଛି ରହସ୍ୟ ରହିଛି । ଏକା ଥରେ ଦୁଇଟି ଆସନରୁ ବିଜୟୀ ହେଲେ ନିର୍ବାଚନ ପରେ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ହେବ । ଯେଉଁ ଆସନଟି ଅଧିକ ସୁରକ୍ଷିତ ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କରିବେ ସେହି ଆସନଟି ନିଜର କେହି ଘନିଷ୍ଟ ସଂପର୍କିୟଙ୍କ ପାଇଁ ଛାଡିବେ ବୋଲି ଏବେ ବିଜେଡ଼ି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ହେଉଛି ।
ହିଂଜିଳି ଭଳି ବିଜେପୁର ବିଧାନସଭା ଆସନ ଦିନେ କଂଗ୍ରସର ଗଡ଼ ଥିଲା । ଦିବଙ୍ଗତ ବିଧାୟକ ସୁବଳ ସାହୁ ଲଗାତର ଏହି ଆସନରୁ ଜିତିଛନ୍ତି । ୨୦୧୪ ନିର୍ବାଚନରେ ମଧ୍ୟ ଏହି ଆସନ ତାଙ୍କ ହାତକୁ ଯାଇଥିଲା । ବିଧାୟକ ସାହୁଙ୍କ ଆକସ୍ମିକ ମୃତ୍ୟୁ ପରେ ଯେଉଁ ଉପ ନିର୍ବାଚନ ହେଲା ସେଥିରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଜିତିଲେ । ରୀତା ବିଜେଡ଼ିରୁ ପ୍ରାର୍ଥୀ ହେବାରୁ ସେହି ସମୟରେ ଦଳ (ବିଜେଡ଼ି)ରେ ଯେଉଁ ବିଦ୍ରୋହ ଦେଖା ଦେଇଥିଲା ତାହାକୁ ପ୍ରସମିତ କରିବାକୁ ନବୀନ ନିଜେ ରୀତା ପାଇଁ ପ୍ରଚାରର ମଙ୍ଗ ଧରି ଥିଲେ । ବରଗଡ଼ ଜିଲ୍ଲାରେ ସେଚ ସୁବିଧାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ସେସବୁର ଅଗ୍ରଗତିକୁ ନେଇ ସମୀକ୍ଷା କରୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ତାଙ୍କ ଜିମାରେ ରହିଲା ବୋଲି ବିଜେପୁର ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରି ଥିଲେ ତାହାକୁ ୨୦୧୯ରେ ବାସ୍ତବ ରୂପ ଦେଇଛନ୍ତି । ଏଥିରେ ବିଜେପି ବିଚଳିତ ହେବାର କାରଣ ହେଉଛି, ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦଳକୁ ଯେଉଁ ସଫଳତା ମିଳି ଥିଲା ପରବର୍ତୀ ଉପ ନିର୍ବାଚନ ସବୁରେ ତାହା ପ୍ରତିଫଳିତ ହୋଇ ନ ଥିଲେ ମଧ୍ୟ ଦଳ ପଶ୍ଚିମ ଓଡ଼ିଶାକୁ ଦୁର୍ଗ କରି ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଛି । ପଡୋଶୀ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ଦୁର୍ଗ ପତନ ପୂର୍ବରୁ ସେହି ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବିଭିନ୍ନ ନିର୍ବାଚନ ସମୟରେ ରିତିମତ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ଦଳର ପ୍ରଚାର କରୁଥିଲେ । ଏବେ ଦଳ ଏହି ଦୁଇ ରାଜ୍ୟରେ କ୍ଷମତାରେ ନ ଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାକୁ ଗଳାବାଟ କରି ଥିବାରୁ ବିଜେଡ଼ି ତାହାକୁ ରୋକିବାକୁ ଚାହୁଁଛି ।
ବିଜେପି ପରେ କଂଗ୍ରେସ ଏହି ଦୁଇ ରାଜ୍ୟରେ କ୍ଷମତାକୁ ଆସୁ ଆସୁ କୃଷିଋଣ ଛାଡ ଭଳି ପଦକ୍ଷେପ ନେଇ ଓଡ଼ିଶାରେ ମଧ୍ୟ ତାହା କରାଯିବା ଉଚିତ ବୋଲି ଚାଷୀଙ୍କୁ ଉସିକାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ କଂଗ୍ରେସ ଓ ବିଜେପିର କୃଷିଋଣ ଛାଡ କୌଶଳକୁୁ ଗ୍ରହଣ ନ କରି ନିଜସ୍ୱ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ସବୁଠାରୁ ଭଲ ଏବଂ ସେଥିରେ ସବୁ ବର୍ଗର ଚାଷୀ, କୃଷି ଶ୍ରମିକ ଓ ଭୂମିହୀନ ଶ୍ରମିକ ଉପକୃତ ହେଉଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଠାରୁ ଆରମ୍ଭ କରି ସମସ୍ତ ନୀତି ନିର୍ଦ୍ଧାରକ ସଂସ୍ଥା ସ୍ୱୀକାର କରୁଛନ୍ତି । କେନ୍ଦ୍ର ସରକାର ‘କାଳିଆ’କୁ କପି କଲା ଭଳି ‘ପ୍ରଧାନମନ୍ତ୍ରୀ କୃଷି ଯୋଜାନ’ କାର୍ଯ୍ୟକାରୀ କରିଛନ୍ତି ସତ, କିନ୍ତୁ ସେଥିରେ କେବଳ ଚାଷୀ ଓ କୃଷି ଶ୍ରମିକଙ୍କୁ ରଖା ଯାଇ ଭୂମିହୀନଙ୍କୁ ହତାଦର କରାଯାଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ‘କାଳିଆ’ଯୋଜନାରେ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଚାଷୀଙ୍କୁ ବାଂଟି ସାରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ସହାୟତା ଏପ୍ରିଲରେ ମିଳିବ ବୋଲି ପ୍ରତିଶ୍ରୁତି ରହିଛି । ବିଜେଡ଼ିର ଯୋଜନା ସବୁ ବିଜେପିକୁ ଆତଙ୍କିତ କରୁଥିବାରୁ ଦଳ ହିଂଜିଳିରେ ପରାଜୟ ଭୟ କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ରାର୍ଥୀତ୍ୱକୁ ସନ୍ଦେହ ଘେରକୁ ଆଣିବା ଉଦ୍ୟମ କରୁଛି ।
ଏବେ ପଶ୍ଚିମ ଓଡ଼ିଶା ଉଭୟ ବିଜେପି ଓ କଂଗ୍ରେସ ପାଇଁ ଗଳା ବାଟ ହୋଇ ଥିବାରୁ ବିଜେଡ଼ି ସତର୍କ । ନିର୍ବାଚନ ସମୟରେ ଅପର୍ଯ୍ୟାପ୍ତ ଅର୍ଥ ଏହି ବାଟ ଦେଇ ଓଡ଼ିଶାକୁ ଆସୁଥିବା ଏବଂ ତାହା ନିର୍ବାଚନ କାର୍ଯ୍ୟରେ ଲଗା ଯାଉଥିବା ଅଭିଯୋଗ ହୋଇଆସୁଛି । ବିଜେପୁର ଉପନିର୍ବାଚନରେ ଏଭଳି ଅଭିଯୋଗ ହୋଇଥିଲା । ଉଭୟ ଶାସକ ବିଜେଡ଼ି ଓ ବିଜେପି ଆଖି ଖୋସି ହେବା ଭଳି ଅର୍ଥ ଖର୍ଚ୍ଚ କରି ପରସ୍ପରକୁ ଟକ୍କର ଦେଇଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ତାହା ହେବାକୁ ଯାଉଛି । ବିଜେପି ତାହାର ଗଳାବାଟକୁ ବ୍ୟବହାର କରି ପଶ୍ଚିମ ଓଡ଼ିଶାରେ ବିଜେଡ଼ିକୁ ଟକ୍କର ଦେବ । ସେହିପରି, ମଧ୍ୟ ପ୍ରଦେଶ, ଛତିଶଗଡ଼ରେ କଂଗ୍ରେସର ସରକାର ଥିବାରୁ କଂଗ୍ରେସ ମଧ୍ୟ ପଶ୍ଚିମ ଓଡ଼ିଶାରେ ଏକା ଖେଳ ଦେଖାଇବ ବୋଲି ବିଜେଡ଼ି ଆଶଙ୍କା କରୁଛି । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣାଂଚଳ ଗଡ଼ ରକ୍ଷା କରିବା ସହ ପଶ୍ଚିମ ଓଡ଼ିଶାରେ ବିରୋଧୀଙ୍କ ଗଳାବାଟ ବନ୍ଦ କରିବାକୁ ଏବଂ ବିଜେଡ଼ିକୁ ମଜଭୁତ କରିବାକୁ ‘ବିଜେପୁର-କାର୍ଡ’ ଖେଳି ଥିବା ଅନୁମାନ କରାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS