୨୦୧୯: ବିଗ୍ ଫାଇଟ୍ – ବ୍ରହ୍ମପୁର
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୪ ମାର୍ଚ୍ଚ: ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ । ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ଏହି ପର୍ଯ୍ୟାୟରେ ରହିଛି । ଶାସକ ବିଜେଡ଼ି, କଂଗ୍ରେସ ଓ ବିଜେପି ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ “ବିଗ୍ ଫାଇଟ୍” ନିଶ୍ଚିତ ହୋଇଯାଇଛି । ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡ଼ିର ପ୍ରାର୍ଥୀ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଗୁରୁବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଏହି ଆସନରୁ ନୂଆ ମୁହଁ ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ପ୍ରାର୍ଥୀ କରି ‘ଶେଖର’ ବନାମ ‘ଶେଖର’ ଏଢେଇ ପାଇଁ ବାଟ ଖୋଲିଛି । ଭି.ଚନ୍ଦ୍ରଶେଖର ଜଣେ ଶିଳ୍ପପତି । ଦିଲ୍ଲୀରେ ରୁହନ୍ତି। ଏକାଧିକ ପାୱାର ପ୍ଲାଂଟ୍ ର ମାଲିକ ଥିବା କୁହାଯାଉଛି । ବିଜେପି ଦଳର ଜଣେ ତୁଙ୍ଗ ନେତା ଭ୍ରୁଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରି ପୁନର୍ବାର ଅନାଦୀ ବାବୁଙ୍କ (୧୯୯୯ରୁ ୨୦୦୪) କାହାଣୀ ରିପିଟ୍ କରିଛି । ସେହିଭଳି, ବ୍ରହ୍ମପୁର ବିଧାନସଭା ଆସନରୁ ପୂର୍ବତନ କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡା ବିଜେଡ଼ିରୁ ପ୍ରାର୍ଥୀ ଥିବା ବେଳେ କଂଗ୍ରେସ ସହରର ଜଣାଶୁଣା ସମାଜସେବୀ ତଥା ବ୍ୟବସାୟୀ ଲିଙ୍ଗରାଜ ଚୌଧୁରୀଙ୍କୁ ଏବଂ ବିଜେପି ଦଳର ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କୁ ପ୍ରାର୍ଥୀ କରି ଲଢେଇକୁ ଅବତୀର୍ଣ୍ଣ ହୋଇଛି ।
ଗଲା ୧୦ ବର୍ଷ ହେଲା ଓଡ଼ିଆ ଫିଲ୍ମ ହୀରୋ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ସାଂସଦ ଓ ୨୫ ବର୍ଷ ହେଲା ଡ଼କ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁର ବିଧାୟକ ଅଛନ୍ତି । ସିଦ୍ଧାନ୍ତ ବିଜେଡ଼ି ଟିକଟରେ ସେ ୨୦୦୯ ଓ ୨୦୧୪ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେହିଭଳି, ବ୍ରହ୍ମପୁର ବିଧାନସଭା ଆସନରୁ ୧୯୯୫ରେ ପ୍ରଥମେ ଜନତା ଦଳ ଓ ୨୦୦୦ରୁ ଲଗାତର ଚାରି ଥର ବିଜେଡ଼ି ଏଭଳି ପାଂଚ ଥର ନିର୍ବାଚନ ଜିତିଛନ୍ତି । ତେବେ, ବ୍ରହ୍ମପୁର ସହର ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ୟା ପୂର୍ବବତ୍ ରହିଛି । ସାଂସଦ ସିଦ୍ଧାନ୍ତ ମଧ୍ୟ ୧୦ ବର୍ଷ କ୍ଷମତାରେ ରହିବା ଭିତରେ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ସେଭଳି କିଛି ଉଲ୍ଲେଖନୀୟ କାର୍ଯ୍ୟ କରି ନାହାନ୍ତି । କେବଳ ସିନେ-ଇମେଜ୍ ଦଳର ପାଇଁ ଭିଡ ଜମାଇ ପାରିଛି । ବିଜୟ ସମ୍ଭାବନାକୁ ପ୍ରାଧାନ୍ୟ ଦେଇ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଉଭୟ ସିଦ୍ଧାନ୍ତ ଓ ଡ.ଚ୍ୟାଉ ପଟ୍ଟନାୟକଙ୍କୁ ବାହାର ରାସ୍ତା ଦେଖାଇ କଂଗ୍ରେସରୁ ବିଜେଡ଼ିକୁ ଡ଼ିଆଁ ମାରିଥିବା ଚନ୍ଦ୍ରଶେଖର ସାହୁଙ୍କୁ ଦଳର ସାଂସଦ ପ୍ରାର୍ଥୀ ଏବଂ ଯୁବ ନେତା ବିକ୍ରମ ପଣ୍ଡାଙ୍କୁ ବିଧାୟକ ପ୍ରାର୍ଥୀ କରିଛନ୍ତି । ସିଦ୍ଧାନ୍ତ ବିଜେପିକୁ ଚାଲି ଯାଇ ପାରନ୍ତି ବୋଲି ପ୍ରଥମେ ଶୁଣିବାକୁ ମିଳି ଥିଲା । ତେବେ, ସେ ଦଳରେ ଥିବା ଏବେ କୁହାଯାଉଛି । ସେହିପରି, ଚ୍ୟାଉ ବାବୁ ଷଷ୍ଠ ଥର ପାଇଁ ଟିକଟ ନ ପାଇ ସୁପ୍ରିମୋଙ୍କ ଉପରେ ରୁଷି ଥିଲେ । ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡ଼ି ମୁଖ୍ୟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବାକୁ ପଛାଇ ନ ଥିଲେ । ତେବେ, ବିଜେଡ଼ି ମୁଖ୍ୟ ହିଂଜିଳିରେ ନାମାଙ୍କନପତ୍ର ଦାଖଲ କରିବା ଅବସରରେ ଚ୍ୟାଉବାବୁଙ୍କୁ ରାଜ୍ୟସଭା ଟିକଟର ମୁଆଁ ଖୁଆଇ ନୀରବ କରିଥିବା ସୂଚନା ମିଳିଛି । ଚ୍ୟାଉଙ୍କୁ ନବୀନ ପ୍ରଚାର କମିଟି ଅଧ୍ୟକ୍ଷ କରି କର୍ମୀଙ୍କୁ ସନ୍ତୁଷ୍ଟ କରିଥିଲେ ସୁଦ୍ଧା ତାହା ଚନ୍ଦ୍ରଶେଖରଙ୍କ ନାମାଙ୍କନପତ୍ର ଦାଖଲ ବେଳେ ପ୍ରତିଫଳିତ ହୋଇ ନ ଥିବା କୁହାଯାଉଛି । ଗୋଳିଆ ପାଣିରୁ ମାଛ ଧରିବା ସକାଶେ କଂଗ୍ରେସ ଦଳ ବ୍ରହ୍ମପୁର ଆସନରୁ ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ପ୍ରାର୍ଥୀ କରିଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ ଓ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଘନିଷ୍ଟତା ଥିବାରୁ ଏହି ଟିକଟ ମିଳି ଥିବା ଚର୍ଚ୍ଚା ହେଉଛି ।
ବିଜେପି ବିଳମ୍ବରେ ହେଲେ ମଧ୍ୟ ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ମୁଖପାତ୍ର ଭ୍ରୁଗୁ ବକ୍ସପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧିବାସୀ । ତେବେ, ବ୍ରହ୍ମପୁର ବା ଗଂଞ୍ଜାମ ରାଜନୀତି ସହ ତାଙ୍କର ସେଭଳି କିଛି ଆତ୍ମିକ ସଂପର୍କ ନାହିଁ । ୧୯୯୯ରେ ବିଜେପି ଏହି ଭଳି ପରୀକ୍ଷା ନିରୀକ୍ଷା କରିଥିଲା । ଆଇପିଏସ୍ ଅନାଦୀ ସାହୁଙ୍କୁ କଟକରୁ ଆଣି ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ଚିକିଟି ଅଂଚଳରେ ତାଙ୍କ ଘର । ସେ ଭୋଟ ପାଇ ଜିତିଲେ । ୨୦୦୪ ପର୍ଯ୍ୟନ୍ତ ସାଂସଦ ରହିଲେ । ତେବେ, ଅନାଦୀ ବାବୁଙ୍କ କାର୍ଯ୍ୟାଳୟରେ ସାଂସଦ ପ୍ରତିନିଧିଙ୍କୁ ହିଁ ଦେଖିବାକୁ ମିଳି ଥିଲା । ସାଂସଦଙ୍କୁ ନୁହେଁ ।ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ମଧ୍ୟ ‘ଶୂନ’ ଥିଲା । ଏଥର ଭ୍ରୁଗୁ ବାବୁ ଭୋଟ ପ୍ରଚାର ସମୟରେ ଜନତାକୁ କି ପ୍ରତିଶ୍ରୁତି ଦେବେ ତାହା ଦେଖିବାକୁ ବାକି ରହିଛି ।
କଂଗ୍ରେସ ଦଳ ସଂକଟ ସମୟରେ ‘ତେଲୁଗୁ ଭୋଟ’ ଉପରେ ନିର୍ଭର କରେ । ଏହି ନିର୍ବାଚନରେ ମଧ୍ୟ ତାହା କରିଛି । ଭି. ଚନ୍ଦ୍ରଶେଖର ନାଇଡୁ ଭଳି ଗୋଟିଏ ନୂଆ ମୁହଁକୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏହି ନିର୍ବାଚନ ତ୍ରିମୁଖୀ ହେବା ନିଶ୍ଚିତ ଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ୨୦୦୯ ଓ ୨୦୧୪ରେ ହାରି ୨୦୧୯ରେ ପୁନର୍ବାର ଭାଗ୍ୟ ପରୀକ୍ଷା କରୁଛନ୍ତି । ସାହୁଙ୍କ ଅଧାରୁ ଅଧିକ ରାଜନୈତିକ ଜୀବନ କଂଗ୍ରେସରେ କଟିଛି । ନବେ ଦଶକ ମଧ୍ୟଭାଗ ପର୍ଯ୍ୟନ୍ତ ସେ କଂଗ୍ରେସ ନେତୃତ୍ୱାଧୀନ ବ୍ରହ୍ମପୁର ପୌର ପରିଷଦର ନିର୍ବାଚିତ ଅଧ୍ୟକ୍ଷ ଥିଲେ । ପୂର୍ବରୁ ଏକାଧିକ ଥର ସେ ବ୍ରହ୍ମପୁର ବିଧାନସଭା ଆସନରୁ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନରେ ହାରିଛନ୍ତି । ଆସିକା ଲୋକସଭା ଆସନରେ ମଧ୍ୟ ସେ ଥରେ ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଥିଲେ । ୨୦୧୯ ନିର୍ବାଚନ ତାଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଛି । କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ କଂଗ୍ରେସ ଓ ତେଲୁଗୁ ଭୋଟକୁ ଭରସା କରି ନିର୍ବାଚନ ମଇଦାନରେ ଥିବା ବେଳେ ଚନ୍ଦ୍ରଶେଖର ସାହୁ ବିଜେଡ଼ି, କଂଗ୍ରେସ ଓ ତେଲୁଗୁ ଭୋଟକୁ ଭରସା କରିଥିବାରୁ ବ୍ରହ୍ମପୁରରେ ୨୦୧୯ ଲୋକସଭା ନିର୍ବାଚନ ଚନ୍ଦ୍ରଶେଖର ବନାମ ଚନ୍ଦ୍ରଶେଖର ହେବା ଅନୁମାନ କରାଯାଉଛି । ବ୍ରହ୍ମପୁର ମହାନଗର ଅଂଚଳରେ ୪୦ ପ୍ରତିଶତ ତେଲୁଗୁ ଭୋଟର ଅଛନ୍ତି । ଏହାଛଡା, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର, ଚିକିଟି, ପାତ୍ରପୁର, ଗୋପାଳପୁର, ରଂଗେଇଲୁଣ୍ଡା, ପାରଳାଖେମୁଣ୍ଡି, ଦିଗପହଣ୍ଡି ପ୍ରଭୃତି ଅଂଚଳରେ ତେଲୁଗୁ ଭୋଟରଙ୍କ ସଂଖ୍ୟା କିଛି କମ୍ ନୁହେଁ । କଂଗ୍ରେସ ପ୍ରାର୍ଥୀ ନାଇଡୁଙ୍କୁ ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ସଂପର୍କିୟ କୁହାଯାଉଛି । ୧୯୯୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଏହି ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ, ସେ ଶିଳାନ୍ୟାସ କରି ଥିବା ‘ଟାଟା’ର ଗୋପାଳପୁର ମେଗା ଇସ୍ପାତ ପ୍ରକଳ୍ପ ଗଞ୍ଜାମବାସୀଙ୍କ ପ୍ରତି ପ୍ରବଂଛନା ଥିଲା, ଏା ନିଃସନ୍ଦେହରେ କୁହାଯାଇପାରେ ।
ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ‘ଗଡ଼’ କୁହା ଯିବାର ଯଥେଷ୍ଟ କାରଣ ରହିଛି । ୨୦୦୦ ମସିହା ପୂର୍ବରୁ ଅବିଭକ୍ତ ଗଂଜାମ ଜିଲ୍ଲା ଓ ବ୍ରହ୍ମପୁର ସହରରେ କଂଗ୍ରେସର ଆଧିପତ୍ୟ ଥିଲା । ୧୯୫୧-୫୨ ପ୍ରଥମ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନ ‘ଗଞ୍ଜାମ’ ନାମରେ ପରିଚିତ ଥିଲା । ଦାତାରାମ ଭି.ଏନ. ରାଓ ଏହି ଆସନରୁ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହୋଇ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟ ଚନ୍ଦ୍ର ଦାସଙ୍କ ନିକଟରୁ ପରାଜିତ ହୋଇଥିଲେ । ତାହା ପରେ, ୧୯୬୭ ଲୋକସଭା ନିର୍ବାଚନ ବେଳକୁ ଗଞ୍ଜାମ ହୋଇ ଗଲା ‘ଛତ୍ରପୁର’ ଲୋକସଭା ନିର୍ବାଚନ ମଣ୍ଡଳୀ । କଂଗ୍ରେସ ପ୍ରାର୍ଥୀ ଆର. ଜଗନ୍ନାଥ ରାଓ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ଦୀର୍ଘ ବର୍ଷ ରାଜୁତି କରି ଥିଲେ । ୧୯୭୧ ପଂଚମ ଲୋକସଭା ନିର୍ବାଚନରେ ସେ ଛତ୍ରପୁରରୁ ବିଜୟୀ ହୋଇଥିବା ବେଳେ ୧୯୭୭ରେ ଛତ୍ରପୁର ଲୋକସଭା ଆସନର ନାମ ବଦଳି ବ୍ରହ୍ମପୁର ଲୋକସଭା ଆସନ ହୋଇଥିଲା । ଆର. ଜଗନ୍ନାଥ ରାଓ ପାଂଚ ଥର ଲଗାତର ସାଂସଦ ନିର୍ବାଚିତ ହୋଇଥିଲେ । ସେ ଅସୁସ୍ଥ ହୋଇ ଶଯ୍ୟାଶୀୟୀ ହୋଇ ପଡିବାରୁ କଂଗ୍ରେସ ପାରଳାଖେମୁଣ୍ଡି ଗଜପତି ଗୋପୀନାଥ ଗଜପତି ନାରାୟଣ ଦେଓଙ୍କୁ ଭରସା କରିଥିଲା । ସେ ଦୁଇ ଥର ସାଂସଦକୁ ହୋଇଥିଲେ । ୧୯୯୬ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଦୁଇଟି ଆସନରୁ ନିର୍ବାଚନ ଲଢି ଥିଲେ । ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତିବା ପରେ ବ୍ରହ୍ମପୁର ସାଂସଦ ଭାବେ ପାଂଚ ବର୍ଷ ରହି ଥିଲେ । ରାଓ ୧୯୯୬ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ହରାଇ ଥିଲେ । ୨୦୧୯ରେ ଭି.ଚନ୍ଦ୍ରଶେଖର ନାଇଡଙ୍କୁ ପ୍ରାର୍ଥୀ କରି କଂଗ୍ରେସ ସେହି ଖେଳକୁ ଦୋହରାଇଛି । ବ୍ରହ୍ମପୁରରୁ ପାଂଚ ଥର ସାଂସଦ ନିର୍ବାଚିତ ହୋଇ ଥିବା ଆର.ଜଗନ୍ନାଥ ରାଓଙ୍କ ପୁଅ ନୂଆଦିଲ୍ଲୀରେ ବ୍ୟବସାୟ କରୁଥିବା ଆର.ୱାରାହାଲୁ ରାଓ ବାପାଙ୍କ ଉତ୍ତରାଧିକାରୀ ହେବାକୁ ବହୁବାର ଉଦ୍ୟମ କରି ବିଫଳ ହେଇଥିବା ବେଳେ କେବେ ବି ଏହି ନିର୍ବାଚନ ମଣ୍ଡଳୀର ମୁହଁ ଦେଖି ନ ଥିବା ଭି.ଚନ୍ଦ୍ରଶେଖର ନାଇଡୁ ଅନାୟାସରେ ପ୍ରାର୍ଥୀ ହେବା ତେଲୁଗୁ ଭୋଟରଙ୍କୁ ମଧ୍ୟ ବିସ୍ମିତ କରିଛି ।
ବିଡମ୍ବନାର ବିଷୟ ହେଉଛି, ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଲଗାତର ପାଂଚ ଥର ବିଜୟ ହାସଲ କରି ବଜନତା ଦଳ ଓ ବିଜେଡ଼ିର ସେବା କରିଥବା ଡ.ଚ୍ୟାଉ ପଟ୍ଟନାୟକଙ୍କୁ ଥରଟିଏ ହେଲେ ମନ୍ତ୍ରୀ ହେବା ସୁଯୋଗ ମିଳିଲା ନାହିଁ । ଅପରପକ୍ଷରେ, ବହୁ ପଛରେ ଦଳକୁ ଆସି ବିଧାୟକ ହୋଇଥିବା ଡ.ପ୍ରଦାପ ପାଣିଗ୍ରାହୀ ରାଜ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ହେଲେ । ଚ୍ୟାଉବାବୁଙ୍କ ମନରେ ଏହା ଗଭୀର କ୍ଷତ ହୋଇ ରହିଗଲା । ୧୯୮୦-୮୫ ଜେ.ବି. ପଟ୍ଟନାୟକ ସରକାର ଅମଳରେ ବ୍ର୍ରହ୍ମପୁର ବିଧାୟକ ନିର୍ବାଚିତ ହୋଇ ଥିବା କୃଷ୍ଣଚରଣ ପଟ୍ଟନାୟକ ରାଜ୍ୟରେ ପରିବହନ ମନ୍ତ୍ରୀ ହୋଇ ଥିଲେ । ତାଙ୍କ ପରେ ଏହି ସୌଭାଗ୍ୟ କୌଣସି ବ୍ରହ୍ମପୁର ବିଧାୟକଙ୍କୁ ମିଳି ନାହିଁ । ବିଜେଡ଼ିର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ରାଜନୈତିକ ଅତୀତ ମଧ୍ୟ ଆଲୋଚନାର ଆବଶ୍ୟକତା ରଖୁଛି । କଂଗ୍ରେସର ଦିବଙ୍ଗତ ନେତା ପୂର୍ବତନ ବିଧାୟକ ଲୁଲୁ ମହାପାତ୍ର ବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଖାସ୍ ଶିଷ୍ୟଙ୍କ ମଧ୍ୟରେ ବିକ୍ରମ ଥିଲେ ଅନ୍ୟତମ । ଅତୀତରେ ବ୍ରହ୍ମପୁର ବିଧାୟକ ଡ.ଚ୍ୟାଉ ପଟ୍ଟନାୟକଙ୍କ ବିରୋଧରେ ସେ ଚାରି ଥର ନିର୍ବାଚନ ଲଢିଛନ୍ତି ଏବଂ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । କଂଗ୍ରେସ ଭିତରେ ଆନ୍ତରୀଣ କନ୍ଦଳ ସର୍ବଦା ଚ୍ୟାଉଙ୍କୁ ସଫଳତା ଓ କଂଗ୍ରସକୁ ବିଫଳତା ଦେଇଛି । ଏଥର କିନ୍ତୁ ଚନ୍ଦ୍ର ଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କ ରାଜନୈତିକ ସମୀକରଣ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିଥିବା ଏବଂ ଦୁହେଁ ବିଜେଡ଼ି ଟିକଟ ପାଇଥିବା ଅନୁମାନ କରାଯାଉଛି ।
କଂଗ୍ରେସର ବିଧାୟକ ପ୍ରାର୍ଥୀ ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଳ୍ଲଭ ପଟ୍ଟନାୟକ ଓ ବର୍ତମାନର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପରିବାର ସହ ଘନିଷ୍ଟ । ଅତୀତରେ ସେ ଚନ୍ଦ୍ରଶେଖର ଓ ବିକ୍ରମଙ୍କ ସହ କାମ କରିଛନ୍ତି । ତେବେ, ବ୍ରହ୍ମପୁର କଂଗ୍ରେସ ରାଜନୀତିରେ ଶେଖର-ଅଲେଖ ବିବାଦ ଲିଙ୍ଗରାଜଙ୍କୁ ପକ୍ଷଭୁକ୍ତ ହେବାକୁ ବାଧ୍ୟ କରିଥିଲା । ସେ ଅଲେଖଙ୍କ ସହ ରହି ଶେଖର-ବିକ୍ରମ ରାଜନୀତିକୁ ବିରୋଧ କରୁଥିଲେ । ବର୍ତମାନ ଅଲେଖ ଓ ଶେଖର ଗୋଟିଏ ଛାତ ତଳେ । କିନ୍ତୁ, ଲିଙ୍ଗରାଜ ବିରୋଧୀ ଭୂମିକାରେ । ଜନସଂପର୍କ ଦୃଷ୍ଟିରୁ ବିକ୍ରମ ଓ ଲିଙ୍ଗରାଜ ବ୍ରହ୍ମପୁର ସହରରେ ବେଶ୍ ପରିଚିତ । ବ୍ରହ୍ମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା କାହ୍ନୁ ଚରଣ ପତି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ବାସିନ୍ଦା ହୋଇଥିଲେ ମଧ୍ୟ କିଛି ବର୍ଷ ହେଲା ବ୍ରହ୍ମପୁର ରାଜନୀତିରେ ସକ୍ରିୟ । ଦଳର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ସେ ବିଭିନ୍ନ ସମସ୍ୟାକୁ ନେଇ ଲଢୁଛନ୍ତି । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ମହାନଗର ନିଗମ ଅନ୍ତର୍ଗତ କିଛି ୱାର୍ଡକୁ ମଧ୍ୟରେ ସୀମିତ ଥିବାରୁ ଲୋକସଭା ଅପେକ୍ଷା ବ୍ରହ୍ମପୁର ବିଧାନସଭା ପାଇଁ ଲଢେଇ ରୋଚକ ହେବ ବୋଲି ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS