‘ନ୍ୟାୟ’ ପାଇଁ କାନ୍ଦୁଛନ୍ତି ରାହୁଲ !
– ପ୍ରସାଦ ରାଓ –
ଭୁବନେଶ୍ୱର, ମାର୍ଚ୍ଚ ୨୮: ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀଙ୍କ ହୃଦୟ କାନ୍ଦୁଛି ଗରୀବଙ୍କ ପାଇଁ । କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ଅତି ଗରୀବ ୨୦ ପ୍ରତିଶତ ପରିବାରଙ୍କୁୁ ମାସିକ ୬ ହଜାର ଟଙ୍କା ଲେଖାଏଁ ବର୍ଷକୁ ୭୨ ହଜାର ଟଙ୍କା (ପରିବାର ପିଛା) ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେ । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଏହି ‘ନ୍ୟାୟ’ ଯୋଜନା ଘୋଷଣା କରି ବିରୋଧୀଙ୍କ ହୃତକଂପ ବଢାଇଛନ୍ତି । ୨୦୧୯ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାହୁଲଙ୍କ ଏହି ଘୋଷଣା ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି କି ନାହିଁ ଭିନ୍ନ କଥା, ତେବେ ବିରୋଧୀ ଏହାକୁ ଏକ ଅବାସ୍ତବ ପରିକଳ୍ପନା କହି ନକାରି ଦେବାକୁ ଉଦ୍ୟମ କରୁଛନ୍ତି । ରାହୁଲଙ୍କ ଏହି ‘ଗରିବ କାର୍ଡ’ର ଉଦେ୍ଦଶ୍ୟ କାହାକୁ ଅଛପା ନାହିଁ । ସ୍ୱାଧୀନତା ପରେ ଦୀର୍ଘ ବର୍ଷ ଦେଶକୁ ଶାସନ କରିଥିବା କଂଗ୍ରେସର ‘ଗରିବୀ ହଟାଓ’ ସ୍ଲୋଗନ ବେଶ ଜନପ୍ରିୟ ଥିଲା । ଦେଶବାସୀ ଆଶା ରଖି ଥିଲେ କଂଗ୍ରେସ ଦେଶରୁ ଦାରିଦ୍ର୍ୟ ଦୂର କରି ଏକ ସାମ୍ୟବାଦୀ ଶାସନ ପ୍ରତିଷ୍ଠା କରିବ । କିନ୍ତୁ, ତାହା ହୋଇ ନାହିଁ । କଂଗ୍ରେସ ଶାସନରେ ଦେଶର ଦାରିଦ୍ର୍ୟ ଦୂର ହେବା ବଦଳରେ ଧନୀ ଅଧିକ ଧନୀ ହୋଇଛନ୍ତି ଏବଂ ଗରିବ ଅଧିକରୁ ଅଧିକ ଗରିବ ହୋଇଛି । ନେତାଙ୍କ ସଂପତ୍ତି ବହୁ ଗୁଣ ବଢିଛି । ଏପରି ଅସମାନତାକୁ ଅଣ-କଂଗ୍ରେସ ସରକାରମାନେ ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି । ଫଳରେ, ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଆମେ ଦେଶର ଉକ୍ରଟ ଦାରିଦ୍ର ସଂପର୍କରେ ଆଲୋଚନା କରୁଛେ ଏବଂ ବିଭିନ୍ନ ରାଜନୈତିକ ଦଳ ଦାରିଦ୍ର୍ୟ ଦୂର କରିବା ପ୍ରତିଶ୍ରୁତି ଦେଇ ଭୋଟ ରାଜନୀତି କରୁଛନ୍ତି । ଦେଶରେ ମୁଷ୍ଠିମେୟ ବିତ୍ତଶାଳୀ ପରିବାର ଓ ନବେ ପ୍ରତିଶତରୁ ଅଧିକ ଗରିବ ଲୋକଙ୍କ ମଧ୍ୟରେ ଆର୍ଥିକ ତାରତମ୍ୟ ଯେଭଳି ଭାବେ ବଢୁଛି ତାହା ଆଗାମୀ ଦିନରେ ଭୟଙ୍କର ଗୃହଯୁଦ୍ଧର ଭୟ ସୃଷ୍ଟି କରୁଛି ବୋଲି ନିକଟରେ ସ୍ୱେଚ୍ଛାସେବୀ ସଂଗଠନ ‘ଅକ୍ସଫାମ୍’ ଦ୍ୱାରା ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଚେତାଇ ଦିଆଯାଇଛି ।
ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଏକାକୀ ଦେଶକୁ ୩୦ ବର୍ଷରୁ ଅଧିକ ଶାସନ କରିଛି । ସ୍ୱାଧୀନତା ସମୟରେ ଦେଶର ଆର୍ଥିକ ସ୍ୱଚ୍ଛଳତା ନ ଥିଲା । ତେଣୁ, ପ୍ରଥମ କଂଗ୍ରେସ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମୟରେ ପଂଚ ବାର୍ଷିକ ଯୋଜନାର ପରିକଳ୍ପନା କରାଯାଇ ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା । ସତୁରୀ ଦଶକରେ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ‘ଗରିବୀ ହଟାଓ’ର ସ୍ଲୋଗାନ ଦେଇ ଭୋଟ ରାଜନୀତି ଆରମ୍ଭ କରିଥିଲେ । ଦେଶରୁ ଦାରିଦ୍ର୍ୟ ହଟାଇବା ନାମରେ ଗରିବଙ୍କୁ ଚାଉଳ, କିରାସିନି ରିହାତି ଦରରେ ବଂଟା ଯିବା ସହ ବ୍ୟାଙ୍କ ମାଧ୍ୟମରେ ଛେଳି, କୁକୁଡା, ଜର୍ସି ଗାଈ ଋଣ ବିତରଣ ମାଧ୍ୟମରେ ଆର୍ଥିକ ସ୍ୱଚ୍ଛଳ ହେବା ସ୍ୱପ୍ନ ବୁଣା ଯାଇଥିଲା । ଜାତୀୟକରଣ ବ୍ୟାଙ୍କ ଓ ସରକାରୀ ଅଧିକାରୀମାନେ ହିତାଧିକାରୀ ଚିହ୍ନଟ କରି ସବସିଡ଼ି ଯୁକ୍ତ ଋଣ ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ, ହିତାଧିକାରୀ ଚିହ୍ନଟ ଓ ସବ୍ସିଡ଼ି-ଯୁକ୍ତ ଋଣ ବଂଟନ ଏଭଳି ଭାବେ ହୋଇଥିଲା ଯେ ଗରିବ ଋଣ ବୋଝରେ ଘାଂଟି ହେଲେ ଓ ସବ୍ସିଡ଼ି ବାବଦ ଅର୍ଥ ପକେଟସ୍ଥ କଲେ ସରକାରୀ ବାବୁ ଓ ବ୍ୟାଙ୍କ୍ କ୍ଷେତ୍ର ଅଧିକାରୀମାନେ । ଇନ୍ଦିରାଙ୍କ ଯୋଜନାରେ ହିତାଧିକାରୀ ଗାଈ, ଛେଳି, କୁକୁଡା ପାଇ ରୋଜଗାରକ୍ଷମ ହେବା ଆଶା କରାଯାଉଥିଲା । କିନ୍ତୁ, ସବ୍ସିଡ଼ି ଆତ୍ମସାତ ଖେଳ ଏହି ଯୋଜନାର ସୁଫଳ ଗରିବଙ୍କ ନିକଟରେ ପହଂଚାଇଲା ନାହିଁ । ଫଳରେ, ଜର୍ସି ଗାଈ, କୁକୁଡା, ଛେଳି ଋଣ ପାଇ ଥିବା ହିତାଧିକାରୀ ପରବର୍ତର୍ୀ ସମୟରେ ପଶୁଙ୍କୁ ଆବଶ୍ୟକ ମୁତାବକ ଆହାର ଯୋଗାଇ ନ ପାରି ସେସବୁକୁ ବିକିବାକୁ ବାଧ୍ୟ ହୋଇଥିଲେ । ବ୍ୟାଙ୍କ ସେମାନଙ୍କୁ ‘ଋଣ ଖିଲାପୀ’ ଘୋଷଣା କରି ପରବର୍ତୀ ସମୟରେ ଅନ୍ୟାନ୍ୟ ଋଣ ଦେବାରୁ ବଂଚିତ କରିଥିଲା । ଗାଁ ମହାଜନ ହେଲେ ଗରିବଙ୍କ ଭରସା ।
ଇନ୍ଦିରାଙ୍କ ‘ଗରିବୀ ହଟାଓ’ ବାର୍ତା ଦେଶରେ ଦାରିଦ୍ର୍ୟ ବଢିଇବା ସହ ସରକାରୀ ଓ ବ୍ୟାଙ୍କ୍ ବାବୁଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାରେ ମୁଖ୍ୟ ଭୂମିକା ନେଲା । ଗରିବ ଲୋକ କଷ୍ଟରେ ରହିଲେ ସିନା ଇନ୍ଦିରା ମା’ଙ୍କୁ ପରିବର୍ତନର ସୂତ୍ରଧର ଭାବି ପୂଜାର୍ଚ୍ଚନା କଲେ । ବିଭିନ୍ନ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତାଙ୍କ ଦଳର ଚିହ୍ନକୁ ମନେ ରଖି ଗ୍ରାମାଂଚଳ ଓ ଆଦିବାସୀ ଅଂଚଳର ଭୋଟର ଭୋଟ ଦେବାରୁ କଂଗ୍ରେସ ଏକପ୍ରକାର ଅପରାଜେୟ ମନେ ହେଲା । ‘ଗାଇ ବାଛୁରୀ’ ଚିହ୍ନରୁ ଆରମ୍ଭ କରି ‘ହାତ’ ଚିହ୍ନ ପର୍ଯ୍ୟନ୍ତ କଂଗ୍ରେସର ଜୟଯାତ୍ରା ପଛରେ ଇନ୍ଦରା ଗାନ୍ଧୀଙ୍କ ‘ଗରିବୀ ହଟାଓ’ ସ୍ଲୋଗାନ ମୁଖ୍ୟ ଭୂମିକା ନେଇ ଥିଲା । ଇନ୍ଦିରାଙ୍କ ପରେ ତାଙ୍କ ପୁତ୍ର ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେଲେ । ଦାରିଦ୍ର୍ୟ ଦୂରୀକରଣ ସହ ଏକବିଂଶ ଶତାବ୍ଧୀର ସ୍ଲୋଗାନ ତାଙ୍କ ପାଇଁ ଭିନ୍ନ ପରିଚୟ ସୃଷ୍ଟି କଲା । ଇନ୍ଦିରା ଗାନ୍ଧୀ ବ୍ୟାଙ୍କ ଜାତୀୟକରଣ ମାଧ୍ୟମରେ ସାଧାରଣ ଲୋକଙ୍କୁ ବ୍ୟାଙ୍କ ସହ ଯୋଡିବା ଉଦ୍ୟମ କରିଥିବା ବେଳେ ରାଜୀବ ଗାନ୍ଧୀଙ୍କ ସମୟରେ ‘କଂପ୍ୟୁଟରାଇଜେସନ୍’ ପ୍ରାଥମିକତା ପାଇ ଥିଲା । ଯାହାକି, ଧୀରେ ଧୀରେ ସାଧାରଣ ମଣିଷ ହାତରୁ କର୍ମନିଯୁକ୍ତି ଛଡାଇ ନେଲା । ଆଜିର ଉକ୍ରଟ ବେକାର ସମସ୍ୟାର ମୂଳଦୁଆ ସେଇଠୁ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୁର୍ନୀତି ପ୍ରସଙ୍ଗରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ୱୀକାରୋକ୍ତି ଥିଲା ଉଲ୍ଲେଖନୀୟ । କେନ୍ଦ୍ର ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯେଉଁ ଟଙ୍କାଟିଏ ମଂଜୁରୀ କରୁଛନ୍ତି ତାହା ତଳସ୍ତରରେ ପହଂଚିବା ବେଳକୁ ୨୪ ପଇସା ହୋଇଯାଉଛି । ଅର୍ଥାତ, ଦେଶରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦିଆଯାଉଥିବା ଅର୍ଥରାଶୀ ବିଭିନ୍ନ ହାତ ଦେଇ ତଳସ୍ତର ଜନତା ନିକଟରେ ପହଂଚିବା ବେଳକୁ ସେଥିରୁ ୭୫ରୁ ଅଧିକ ପ୍ରତିଶତ ବାଟମାରଣା ହୋଇଯାଉଛି । ବାକି ଯେଉଁ ୨୪ ପ୍ରତିଶତ ବିନିଯୋଗ ହେଉଛି ସେଥିରେ ମଧ୍ୟ ମନ୍ତ୍ରୀ, ଯନ୍ତ୍ରୀ, ନେତା, ଦଲାଲଙ୍କ ପାଉଣା ରହୁଛି । ତେଣୁ, ଦେଶରେ ବିକାଶମୂଳକ କାର୍ଯ୍ୟ କିଭଳି ଭାବେ ହେଉଛି ତାହା ସମସ୍ତେ ଜାଣୁଛନ୍ତି ।
ଦେଶର ଗ୍ରାମାଂଚଳ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ କିଭଳି ବିକାଶ ହୋଇଛି ତାହା ରାଜ୍ୟର କୋରାପୁଟ, କଳାହାଂଡ଼ି, ମାଲକାନଗିରି, କନ୍ଧମାଳ, ରାୟଗଡା, ମୟୁରଭଂଜ,କେଉଁଝର, ସୁନ୍ଦରଗଡ଼ ଭଳି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକୁ ବୁଲିଲେ ଜଣେ ଅନୁଭବ କରିପାରିବ । ସତୁରୀ ଓ ଅଶି ଦଶକରେ ଏହି ସବୁ ଜିଲ୍ଲାରେ ଯେଭଳି ଉକ୍ରଟ ଦାରିଦ୍ର୍ୟ ଥିଲା ଆଜି ବି ତାହା ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ଓ ଆଦିବାସୀ ଉନ୍ନୟନ ଯୋଜନାରେ ବର୍ଷ ବର୍ଷ ଧରି ଯେଉଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସେଥିରେ କେଉଁମାନେ ସ୍ୱଚ୍ଛଳ ହୋଇଛନ୍ତି, ତାହା ଆଜିର ପ୍ରଶ୍ନ । ଆଦିବାସୀଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ସକାଶେ ସରକାରଙ୍କ ଦ୍ୱାରା ଗଠିତ ଡ଼ିଆରଡ଼ିଏ ଓ ଆଇଟିଡ଼ିଏ ସଂସ୍ଥା ଯେଉଁମାନଙ୍କ ଇଂଗିତରେ ପରିଚାଳିତ ସେମାନେ ଆର୍ଥିକ ସ୍ୱଚ୍ଛଳ । ଯେଉଁମାନଙ୍କ ଉନ୍ନତି ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଥିଲା ସେମାନେ ପୂର୍ବପରି ବନବାସୀ । ପାହାଡ଼, ଜଂଗଲ ସେମାନଙ୍କ ଆବାସ ହୋଇ ରହିଛି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଓ ଜଙ୍ଗଲକୁ କାଟି ପୋଡୁ ଚାଷ କରି ସେମାନେ ଜୀବିକା ନିର୍ବାହ କରୁଛନ୍ତି । ସରକାର ସେମାନଙ୍କୁ ପାହାଡ଼ ତଳକୁ ଆଣି ଇନ୍ଦିରା ଆବାସ ଯୋଜନାରେ ଥଇଥାନ କରିବାକୁ ଆଗ୍ରହ ପ୍ରକାଶ କରି ଥିଲେ ମଧ୍ୟ ବିଶେଷ ସଫଳ ହୋଇ ନାହାନ୍ତି । ଏହାର କାରଣ ହେଉଛି, ସରକାର ମୁଣ୍ଡ ଗୁଂଜିବାକୁ ଇନ୍ଦିରା ଆବାସ ଦେଉଛନ୍ତି ସିନା ପହାଡ଼ ତଳେ ସେମାନଙ୍କ ରୋଜଗାରର ବ୍ୟବସ୍ଥା କରି ନାହାନ୍ତି । ପେଟକୁ ଦାନା ମିଳିବାର ବ୍ୟବସ୍ଥା ନ ଥିଲେ ପାହାଡ଼ ତଳେ ସେମାନେ ପକ୍କା ଘରେ ରହିବେ କେମିତି !
ଆଦିବାସୀଙ୍କ ନାମରେ ଅସୁଥିବା କଂଟ୍ରୋଲ ଚାଉଳ, କିରାସିନି ବାଟମାରଣ ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ୟୁପିଏ ସରକାର ଅମଳରେ ଗ୍ରାମାଂଚଳ ଓ ସହରାଂଚଳ ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ‘ମ-ନରେଗା’ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ବର୍ଷକୁ ୧୦୦ ଦିନ କାମ ଯୋଗାଇ ଦେବା ବ୍ୟବସ୍ଥା ରହିଛି । ତେବେ, କାଗଜପତ୍ରରେ ଯେତିକି କର୍ମନିଯୁକ୍ତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି ବାସ୍ତବରେ ତାହା ଠିକ୍ ନୁହଁ, ‘ମ-ନରେଗା’ରେ ମଧ୍ୟ ଆଖିବୁଜା ବାଟମାରଣା ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି । ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ ଏହି ଯୋଜନାରେ ମଣିଷ ବଦଳରେ ମେସିନ କାମ କରୁଥିଲେ, ବିଜେଡ଼ି ସରକାର ଅମଳରେ ମଧ୍ୟ ତାହା ଚାଲିଛି । କେବଳ ଏତିକି ଫରକ, ୨୦୦୦ରୁ ୨୦୧୯ ମଧ୍ୟରେ ରାଜ୍ୟ ସରକାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେଇ ଅଳସୁଆ କରିଛନ୍ତି । ଗ୍ରାମାଂଚଳରେ କାମ କରିବାକୁ ଲୋକ ମିଳୁ ନାହାନ୍ତି । ତେଣୁ, କୃଷି କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଛି । ତେବେ, ଗରିବଙ୍କ ମୁହଁକୁ ଦାନା ମିଳିଛି । ତେଣୁ, ଗ୍ରାମାଂଚଳ, ସହରାଂଚଳ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟକାର ଚାଲିଛି । କିନ୍ତୁ, ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉ ଥିବା କଂଟ୍ରୋଲ ସାମଗ୍ରୀର ବାଟମାରଣ ପୂର୍ବପରି ରହିଛି । କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ କଂଟ୍ରୋଲ କିରାସିନୀ ବଂଟନରେ ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ କରିବାକୁ ଘୋଷଣା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଜନାଦେଶ ଭିକ୍ଷା କଲେଣି, କିନ୍ତୁ ଆଜି ସୁଦ୍ଧା ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେଲା ନାହିଁ । ସରକାର ଉପରେ ଦଲାଲଙ୍କ ଚାପ କେତେ ପ୍ରଭାବ ରଖୁଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ରାହୁଲଙ୍କ ଦ୍ୱାରା ଘୋଷିତ ‘ନ୍ୟାୟ’ ଯୋଜନା ବିରୋଧୀଙ୍କୁ ବିଚଳିତ କରିବାର କାରଣ ହେଉଛି ଭାରତୀୟ ଜନସାଧାରଣ ରାଜନୈତିକ ଦଳଙ୍କ ସ୍ଲାଗାନ ଦ୍ୱାରା ତୁରନ୍ତ ପ୍ରଭାବିତ ହୋଇ ନିଷ୍ପତ୍ତି ନେଇଥା’ନ୍ତି । ଦେଶରେ ସର୍ବାଧିକ ସମୟ କ୍ଷମତାରେ ଥିବା କଂଗ୍ରେସ ସରକାର ସମୟରେ ତାହା ଦେଖିବାକୁ ମିଳି ଥିଲା । ୨୦୧୪ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଛି । ତେଣୁ, ୨୦୧୯ ସାଧାରଣ ନିର୍ବାଚନରେ ଠିକ୍ ଭୋଟ ପୂର୍ବରୁ ରାହୁଲଙ୍କ ‘ନ୍ୟାୟ’ ଯୋଜନା ଘୋଷଣା ବିରୋଧୀଙ୍କୁ ଗଳାବାଟ ଖୋଜିବାକୁ ବାଧ୍ୟ କରିଛି । ଏହି ଯୋଜନା ଯଦିବା କାର୍ଯ୍ୟକାରୀ ହୁଏ ଦେଶ ଉପରେ ଆର୍ଥିକ ବୋଝ ବଢିବ । ବର୍ତମାନ ସରକାର ଯେଉଁ ୩.୬ ଲକ୍ଷ କୋଟି ଟଙ୍କାର ଯୋଜନା ଚଳାଇଛନ୍ତି ସେଥିରେ ଏହି ଖର୍ଚ୍ଚ ଯୋଡି ହୋଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବ । ଏହା ହେଉଛି ଶାସକ ବିଜେପିର ଅଭିଯୋଗ । ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ହେଉଛି, ପ୍ରତ୍ୟେକ ପରିବାରର ସର୍ବନିମ୍ନ ମାସିକ ଆୟ ୧୨ ହଜାର ଟଙ୍କା ହେବା ଆବଶ୍ୟକ । ଏହାଠାରୁ କମ୍ ଆୟ କରୁଥିବା ପରିବାରଙ୍କୁ ସର୍ବନିମ୍ନ ୧୨ହଜାର ଟଙ୍କା ଆୟ ଦେବା ବ୍ୟବସ୍ଥା କରିବା । ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କ ମାସିକ ଆୟ ୧୨ ହଜାର ଟଙ୍କାରୁ କମ ରହୁ ଥିବାରୁ ସେମାନଙ୍କୁ ମାସିକ ୬ ହଜାର ଟଙ୍କା ଲେଖାଏଁ ବାଷିକ ୭୨ ହଜାର ଟଙ୍କା ବ୍ୟାଙ୍କ୍ ଟ୍ରାନ୍ସଫର୍ ମାଧ୍ୟମରେ ସରକାର ଦେବେ । ଏହି ଯୋଜନାରେ ଦେଶର ୫ କୋଟି ଅତି ଗରିବ ପରିବାରର ୨୫ କୋଟି ଲୋକ ଉପକୃତ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଦଳର ନିଜର ନିର୍ବାଚନ ଇସ୍ତାହାରରେ ଏହି ଯୋଜନାକୁ ସ୍ଥାନ ଦିଆଯାଇଛି । ନିକଟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି ।
୨୦୧୮ ଡ଼ିସେମ୍ବରରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳରେ କଂଗ୍ରେସ ଦଳ ଉତ୍ସାହିତ ହୋଇ ‘ନ୍ୟାୟ’ର ପରିକଳ୍ପନା କରିଥିବା କୁହାଯାଉଛି । ଉପରୋକ୍ତ ନିର୍ବାଚନଗୁଡିକରେ କଂଗ୍ରେସ ଦଳ ଚାଷୀଙ୍କୁ କୃଷିଋଣ ଛାଡ ପ୍ରତିଶ୍ରୁତି ଦେଇ ବିଜେପିକୁ ଚିତ୍ କରିଥିଲା । ତିନି ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବା ପରେ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ ହୋଇଛି । ଏହି ତିନିଟି ନିର୍ବାଚନରେ ଚାଷୀଙ୍କ ଅସନ୍ତୋଷ ପ୍ରତିଫଳିତ ହୋଇଥିବା କେନ୍ଦ୍ର ସରକାର ହୃଦୟଙ୍ଗମ କରିବା ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ତେବେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପାଦେ ଆଗରେ ରହି ରାଜ୍ୟର ଚାଷୀ, କୃଷି ଶ୍ରମିକ, ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କ ପାଇଁ ନୂତନ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରକ ସଂସ୍ଥା ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ମୋଦୀଙ୍କ ପିଏମ୍-କିଷାନ ଯୋଜନା ,ହାର ଏକ ପ୍ରତିଛବି । ତେବେ, ସେଥିରେ ସଂପୂର୍ଣ୍ଣ ପ୍ୟାକେଜ ନାହିଁ । କେବଳ ଚାଷୀ ଓ କୃଷି ଶ୍ରମିକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି । ଏହି କେନ୍ଦ୍ରୀୟ ଯୋଜନାରେ ୫ ଏକରରୁ କମ୍ ଜମିର ମାଲିକ ହିଁ ଉପକୃତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ପିଏମ୍- କିଶାନ ଯୋଜନା ତୁଳନାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ’ ଯୋଜନା ଅଧିକ ଲୋଭନୀୟ ମନେ ହେଉ ଥିବାରୁ ବିଜେପି ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇଛି । ଏହି ପ୍ରତିଶ୍ରୁତି ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ, ଅବାସ୍ତବ ଏବଂ ‘ନ୍ୟାୟ’ ଯୋଜନା ଯଦି କାର୍ଯ୍ୟକାରୀ ହୁଏ ତେବେ ଦେଶର ଅର୍ଥନୀତି ଭୂଷୁଡି ଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିକ୍ରି୍ରୟା ରଖିଛନ୍ତି ।
ଜେଟଲୀଙ୍କ କହିବା ଅନୁଯାୟୀ, ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ସରକାର ଖାଦ୍ୟ,ସାର ଓ ପେଟ୍ରୋଲିଅମ ସବ୍ସିଡ଼ି ବାବଦରେ ୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରି ଥିବା ବେଳେ ଶିକ୍ଷା ବାବଦରେ ଯୋଜନା ବ୍ୟୟବରାଦ ୯୪ ହଜାର କୋଟି ଟଙ୍କା ରହିଛି । ପିଏମ୍-କିଶାନ ଯୋଜନାରେ ୭୫ ହଜାର କୋଟି ଟଙ୍କାର କ୍ୟାସ୍ ଟ୍ରାନ୍ସଫର୍ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ୬୧ ହଜାର କୋଟି ଟଙ୍କା ବ୍ୟୟବରାଦ ରହିଛି । ଏସବୁ ମିଶି କେନ୍ଦ୍ର ସରକାରଙ୍କ ଉପରେ ୩ ଲକ୍ଷ ୬୦ ହଜାର କୋଟି ଟଙ୍କାର ଯୋଜନା ବ୍ୟୟ ବୋଝ ରହିଛି । ଏହି ଅବସ୍ଥାରେ ଅତି ଗରିବଙ୍କ ପାଇଁ ରାହୁଲଙ୍କ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବାକୁ ସମ୍ବଳ କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରୁଛନ୍ତି । ତେବେ, କଂଗ୍ରେସ ପକ୍ଷରୁ କୁହାଯାଇଛି, ଦେଶରେ ଅତୀତରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯେତେସବୁ ଯୋଜନା କାର୍ଯ୍ୟକାରୀ ହୋଇଛି ‘ନ୍ୟାୟ’ ଯୋଜନା ସବୁଠାରୁ ଭିନ୍ନ, ଫଳପ୍ରଦ ଓ ଲୋଭନୀୟ । ଯୁକ୍ତି ହେଉଛି, ଅଣକୁଶଳୀ ଶ୍ରମିକଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ମିଳିବା ଅର୍ଥ ହେଉଛି ୧୭୨ରୁ ୩୩୮ ଦିନର ସର୍ବନିମ୍ନ ମଜୁରୀ । ଅତିକୁଶଳୀ ଶ୍ରମିକଙ୍କ ପାଇଁ ଏହା ୧୩୨ରୁ ୨୫୪ ଦିନର ସର୍ବନିମ୍ନ ମଜୁରୀ ସହ ସମାନ । ମ-ନରେଗା (ଏମଏନଆରଇଜିଏ) ଯୋଜନାରେ ଅତି ଗରିବ ଲୋକଙ୍କୁ ୧୦୦ ଦିନ କର୍ମ ନିଯୁକ୍ତିର ଗ୍ୟାରେଂଟି ଥିଲେ ବି ବାସ୍ତବରେ ୪୦ରୁ ୪୫ ଦିନର କାମ ଓ ମଜୁରୀ ମିଳୁଛି । ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ’ ଯୋଜନାରେ ଅତି ଗରିବ ପରିବାରଙ୍କ ବ୍ୟାଙ୍କ୍ ଖାତାକୁ ବର୍ଷକୁ ୭୨ ହଜାର ଟଙ୍କା ପଠାଯିବା ଏବଂ ଏଥିରେ ହିତିଧିକାରୀଙ୍କୁ କାମ କରିବାକୁ ପୂର୍ବସର୍ତର୍ ନ ଥିବା ନିଶ୍ଚିତ ଭାବେ ଲୋଭନୀୟ । ଦେଶର ଗରିବ ଜନତାଙ୍କୁ ଏହା ଆକୃଷ୍ଟ କରି ରାହୁଲଙ୍କୁ ପ୍ରଦାନମନ୍ତ୍ରୀ କରିବାରେ ସାହାଯ୍ୟ କରିବ ବୋଲି କଂଗ୍ରେସ ଭାବୁଛି । ତେବେ, ‘ନ୍ୟାୟ’ ଦେଶବାସୀଙ୍କ କେତେଦୂର ପ୍ରଲୁବ୍ଧ କରିପାରିବ ଏବଂ ରହୁଲଙ୍କୁ କେତେଦୂର ନ୍ୟାୟ ଦେବ ତାହା ମେ’ ୨୩ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS