ରାଜନୀତିରେ ପଲିଟିକ୍ସ ! ଓଡ଼ିଶାରେ ଗେରୁଆ ରାଜନୀତି ପକ୍ଷ ବିସ୍ତାର କରୁଛି
ରାଜନୀତିରେ ପଲିଟିକ୍ସ !
ଓଡ଼ିଶାରେ ଗେରୁଆ ରାଜନୀତି ପକ୍ଷ ବିସ୍ତାର କରୁଛି
। ପ୍ରସାଦ ରାଓ ।
ଯିଏ ଯାହା କହୁନା କାହିଁକି, ଓଡ଼ିଶାରେ ଗେରୁଆ ରାଜନୀତି ପକ୍ଷ ବିସ୍ତାର କରୁଥିବା ଗତ ପଂଚାୟତ ନିର୍ବାଚନ ପରଠାରୁ ସ୍ପଷ୍ଟ ହେଉଛି । ଫେବୃଆରୀରେ ଅନୁଷ୍ଠିତ ରାଜ୍ୟ ପଂଚାୟତ ନିର୍ବାଚନରେ ବିଜେପି ୩୩ ଭାଗ ଭୋଟ ହାତେଇ ଏକ ବିକଳ୍ପ ଶକ୍ତି ଭାବେ ଉଭା ହେଉଥିବା ଦୃଢତାର ସହ ଜାହିର କରିଥିବା ବେଳେ ପରେ ପରେ ସରିଥିବା ୟୁପି ନିର୍ବାଚନରେ ଆଶା ଠାରୁ ଯଥେଷ୍ଟ ଅଧିକ ସଫଳତା ତାହାର ଓଡ଼ିଶା ଦଖଲ ଅଭିଯାନକୁ ଶାଣିତ କରିଛି । ବିଜେପିର ୟୁପି ସଫଳତାକୁ ନେଇ ଦେଶର ରାଜନୈତିକ ପଂଡ଼ିତମାନେ ଆଚମ୍ବିତ । କୌଣସି ସନେ୍ଦହ ନାହିଁଁ ଯେ, ୟୁପି ଜନସାଧାରଣ ପୂର୍ବରୁ ମଧ୍ୟ ଗେରୁଆ ଶାସନକୁ ଅଂଗେ ନିଭାଇଛନ୍ତି । ବିଜେପିର ‘ହିନ୍ଦୁତ୍ୱ’ ନାରା, ବିଏସ୍ପିର ‘ଦଳିତ ଗୋଟି’ ଏବଂ ସମାଜବଦୀ ପାର୍ଟିର ‘ସଂଖ୍ୟଲଘୁ ସଂପ୍ରଦାୟ ତୁଷ୍ଟୀକରଣ’ ରାଜନୀତିକୁ ଅତି ନିକଟରୁ ଦେଖି ଥିବା ୟୁପିବାସୀ ୨୦୧୭ରେ ପୁଣି ଥରେ ଗେରୁଆଙ୍କୁ ଆଶାତୀତ ସଫଳତା ଦେଇ କ୍ଷମତାକୁ ଫେରାଇ ଆଣିବା ପଛରେ ଯେ ‘ହିନ୍ଦୁତ୍ୱବାଦ’ ପ୍ରତି ଆକର୍ଷଣ ବୃଦ୍ଧି କହିବା ଠିକ୍ ହେବ ନାହିଁ । ବ୍ୟାପକ ଦୂର୍ନୀତି, ଅରାଜକତା ଏବଂ ମାତ୍ରଧିକ ପ୍ରିୟାପ୍ରୀତି ସହ ରାଜ୍ୟରେ ଚାଲିଥିବା ଜଙ୍ଗଲ୍ ରାଜ୍ ବିରୋଧରେ ଏବଂ ପରିବର୍ତନ ସପକ୍ଷରେ ସେମାନଙ୍କ ମତ ଦାନ ଥିଲା । ‘ଦଳିତ କାର୍ଡ଼’ ଓ ‘ସଂଖ୍ୟାଲଘୁ ତୁଷ୍ଟୀକରଣ’ ଓ ଜଙ୍ଗଲ୍ ରାଜ୍ ଅପକ୍ଷା ‘ହିନ୍ଦୁତ୍ୱ’ର ଅସ୍ମିତା ସପକ୍ଷରେ ଯୁକ୍ତି ବାଢୁଥିବା ଗେରୁଆ ଦଳ ଯେ ଅଧିକ ଗ୍ରହଣୀୟ, ତାହା ମତଦାତା ଅନୁଭବ କରିଥିବା ୟୁପି ନିର୍ବାଚନ ଫଳାଫଳରୁ ସୂଚନା ମିଳିଛି ।
ୟୁପିରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ୨୦୧୭ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିବ, ତାହା ରାଜନୈତିକ ସମୀକ୍ଷକମାନେ ଅନୁମାନ କରି ସାରି ଥିଲେ । ନିର୍ବାଚନ ସମୟରେ କ୍ଷମତାରେ ଥିବା ସମାଜବାଦୀ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ଦଳକୁ ଫମ୍ପା କରି ଚାଲି ଥିଲା । ତେବେ, ସବୁଠାରୁ ଅଧିକ ଝଟ୍କା ଦେଲା ଅଖିଳେଶ-ରାହୁଳ (ସପା-କଂଗ୍ରେସ) ଗଠ୍ବନ୍ଦନ୍ । ସପା-ବିରୋଧୀ ଜନମତ ତୀବ୍ର ହେବା ବିଜେପିକୁ ସୁହାଇଲା । ‘ବିମୁଦ୍ରକାଣ’ ଓ “କଳାଧନ-ବିରୋଧୀ ଅଭିଯାନ’ର ଗୋଟିି ଚଳାଇ ଭାରତୀୟ ଜନସାଧାରଣଙ୍କ ନାଡ଼ି ଚିପୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପି ନିର୍ବାଚନରେ “କର ବା ମର’ ରଣନୀତି ଆପଣାଇ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ପ୍ରଚାରର ଡ଼ୋର ସମ୍ଭାଳିଲେ । ମୋଦୀଙ୍କ ପ୍ରତି ସୃଷ୍ଟି ହୋଇଥିବା ବିଶ୍ୱାସର ଅନ୍ତଃସ୍ରୋତ ଏତେଦୂର ତୀବ୍ରତର ଥିଲା ଯେ, ସୁନାମି ଭଳି ଧୋଇ ଦେଲା ସପା-କଂଗ୍ରେସର ମିଳିତ ଅଭିଯାନକୁ । ବୋଧହୁଏ, କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଅନୁମାନ କରି ସାରିଥିଲେ ଏଭଳି ଏକ ବିପର୍ଯୟ ହେବ ବୋଲି । ତେଣୁ, ନିଜେ ୟୁପି ଗଲେନି ପ୍ରଚାର ପାଇଁ । ଝିଅ ପ୍ରିୟଙ୍କା ଓ ପୁଅ ରାହୁଳ ମଙ୍ଗ ଧରିଲେ । ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ସର୍ବଦା ଆଶାବାଦୀ ରହି ଆସିଛି । ୟୁପି ନିର୍ବାଚନରେ ସପା-କଂଗ୍ରେସ ମିଳିତ ଅଭିଯାନ ସଫଳ ହୋଇଥିଲେ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କ ସହ ରାହୁଳ ଓ ପ୍ରିୟଙ୍କା ତାହାର ଶ୍ରେୟ ନେଇ ଥା’ନ୍ତେ । ତେବେ, ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସର ପରୀକ୍ଷାନିରୀକ୍ଷା ସଫଳ ହେଲାନି ବୋଲି ଏବେ କହି ହେବ ।
ୟୁପିରେ ବିଜେପିର ବିଜୟ ଝଟ୍କା ଏତେ ତୀବ୍ର ଯେ, ସପା-କଂଗ୍ରେସ ମେଂଟ ସହ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ପ୍ରାୟତଃ ମୂଳପୋଛ ହୋଇ ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ଏକାକୀ ବିଜେପି ଦଖଲ କଲା ୩୨୫ ଆସନ । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଜାତୀୟ ସଭାପତି ଅମିତ ଶାହା ନିର୍ବାଚନ ପ୍ରଚାର ବେଳେ ଦଳ ୩୦୦ରୁ ଅଧିକ ଆସରେ ବିଜୟୀ ହେବ ବୋଲି ବାରମ୍ବାର ସଭାମାନଙ୍କରେ କହୁଥିଲେ ବି ଗଣମାଧ୍ୟମ ବିଶ୍ୱାସ କରୁ ନ ଥିଲା । ରାଜନୈତିକ ବିଶ୍ଲେଷକମାନେ ଏହାକୁ ଏକ ଫୁଲା ଫାଙ୍କିଆ ଆକଳନ ବୋଲି ଧରି ନେଇଥିଲେ । କିନ୍ତୁ, ଭୋଟ ଫଳାଫଳ ସବୁ ପ୍ରକାର ଗଣିତକୁ ଭୁଲ ପ୍ରମାଣିତ କରି ମୋଦୀ-ଶାହାଙ୍କ ଆକଳନଠାରୁ ମଧ୍ୟ ଅଧିକ ସଫଳତା ଦେଲା ପାର୍ଟିକୁ । ଏବେ, ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନୂଆ ଏକ ଗବେଷଣା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଜାତୀୟ ସଭାପତି ଅମିତ ଶାହା । କଟ୍ଟରବାଦୀ ଆଦିତ୍ୟନାଥ ଏବେ ‘ଉଦାରବାଦୀ’ ମୁଖ୍ୟମନ୍ତ୍ରୀ ଭାବେ ଅଭିନୟ କରି କେବଳ ୟୁପିବାସୀଙ୍କୁ ନୁହେଁ, ସମଗ୍ର ଭାରତ ବର୍ଷକୁ ଚକିତ କଲେଣି । ବେଆଇନ ଗୋ-ଚାଲାଣ ଓ କଂସେଇଖାନା ବନ୍ଦ କରିବା, ରୋଡ୍ ରୋମିଓଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ, ସରକାରୀ କାର୍ଯାଳୟରେ ସ୍ୱଚ୍ଛତା ଓ ସାଧୁତାର ବାର୍ତା ଦେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓଡ଼ିଶା ଭଳି ଅଣ-ବିଜେପି ରାଜ୍ୟକୁ ବାର୍ତା ଦେବାକୁ ଚାହୁଁଛନ୍ତି ଯେ, ମୋଦୀ ଓ ଶାହାଙ୍କ ନେତୃତ୍ୱାଧୀନ ବିଜେପି ଏବେ ଗୁଜୁରାଟ ଫର୍ମୁଲା ଛାଡ଼ି ଦେଶରେ ବିକାଶର ରାସ୍ତାକୁ ଆପଣାଇଛି । ଯେଉଁମାନେ ଅନୁଭବ କରିପାରୁ ନାହାନ୍ତି ୟୁପି ପରୀକ୍ଷା ନିରୀକ୍ଷାକୁ ଦେଖନ୍ତୁ । ବୋଧହୁଏ, ବିଜେପିର ଏହି ପରିବର୍ତିତ ଆଭିମୁଖ୍ୟ ଯୋଗୁ ଓଡ଼ିଶାର ଭଦ୍ରକ ସହରରେ ନକଟରେ ହୋଇଥିବା ଦଙ୍ଗା ଖୁବ କମ୍ ସମୟ ଓ କମ୍ କ୍ଷୟକ୍ଷତିରେ ପ୍ରସମିତ ହୋଇ ଗଲା ! ଓଡ଼ିଶାରେ ବିଜେପିର ମୋର୍ଚ ସମ୍ଭାଳୁ ଥିବା କେନ୍ଦ୍ର ପେଟ୍ରୋଲିଅମ୍ ରାଷ୍ଟ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ଥିଲା ମାର୍ଜିର୍ତ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଳମ୍ବରେ ହେଲେ ବି ଭଦ୍ରକ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ବାଧ୍ୟ ହୋଇଛନ୍ତି ।
ଓଡ଼ିଶାର ରାଜନୀତି ବିଶ୍ଲେଷକମାନଙ୍କ ମତ ହେଉଛି, ରାଜ୍ୟବାସୀ ବିଜେପିକୁ ଅତୀତରେ ଭୋଟ ଦେଇ ପରଖି ସାରିଛନ୍ତି । ୨୦୦୦ରୁ ୨୦୦୯ ପର୍ଯନ୍ତ ବିଜେଡ଼ି ସହ ମେଂଟରେ ଥିଲା ବିଜେପି । ରାଜ୍ୟ ଶାସନରେ ମଧ୍ୟ ଅଂଶୀଦାର ରହିଥିଲା । ରାଜସ୍ୱ, ନଗର ଉନ୍ନୟନ ଭଳି ବହୁ ଗୁରୁତ୍ୱପୂର୍ଣ ବିଭାଗ ବିଜେପି ମନ୍ତ୍ରୀମାନେ ହାତେଇ ଥିଲେ । ତେବେ, ବ୍ୟାପକ ଦୁର୍ନୀତି ଓ ଗୋପନ ପ୍ରୀତି ଅଭିଯୋଗ ବିଜେପି ମନ୍ତ୍ରୀଙ୍କୁ କଳଙ୍କିତ କରିଥିଲା । ନବୀନ ବାଧ୍ୟ ହୋଇ ସେମାନଙ୍କୁ ମନ୍ତ୍ରୀ ପରିଷଦରୁ ବିଦାୟ କରିଥିଲେ । ସମୀୟ ଦେ, ମନମୋହନ ସାମଲଙ୍କ ପରି ତକ୍ରାଳୀନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ଏବେ ବି ଦଳରେ ଅଛନ୍ତି । ୨୦୦୯ରେ ବିଜେଡ଼ି ଗେରୁଆ ଦଳ ସହ ସଂପର୍କ ତୁଟାଇବା ପରେ ଅଧିକ ଶକ୍ତିଶାଳୀ ହେଲା ସତ, କିନ୍ତୁ ବିଜେପିର ଭୋଟ ହାର ଶତକଡ଼ା ୧୮ ପ୍ରତିଶତ ରହିଥିଲା । ଗତ ପଂଚାୟତ ନିର୍ବାଚନରେ ବିଜେପି ୩୩ ପ୍ରତିଶତ ଭୋଟ ପାଇଛି । ଦୀର୍ଘ ୧୭ ବର୍ଷ କ୍ଷମତାରେ ରହିବା ପରେ ବିଜେଡ଼ିରେ ଦେଖା ଦେଇଥିବା ସ୍ଥାଣୁତା ଏବଂ ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁ ରାଜ୍ୟରେ ଅସ୍ତିତ୍ୱ ହରାଇ ଥିବା କଂଗ୍ରେସର ନିଷ୍କ୍ରିୟତା ବିଜେପି ଭୋଟ ହାର ବୃଦ୍ଧିରମୁଖ୍ୟ କାରଣ ବୋଲି ଆକଳନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପରିବର୍ତନ’ ଓ “ବିକାଶ’ର ବାର୍ତା ୟୁପି ଭଳି ଓଡ଼ିଶାର ବିଭିନ୍ନ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରୁଥିବା ଜନସାଧାରଣଙ୍କ ସହ ଆଲୋଚନା ବେଳେ ଆଭାସ ମିଳୁଛି । ରାଜଧାନୀ ଭୁବନେଶ୍ୱରର ଜଣେ ବୟସ୍କ ଭୋଟରଙ୍କ ମତ ହେଲା, ନିକଟରେ ସରିଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଅନ୍ୟାନ ବିଷୟକୁ ନେଇ ପ୍ରଚାର ବେଳେ ଆଲୋଚନା, ସମାଲୋଚନା ହୋଇଥିବା ବେଳେ ପ୍ରଥମ ଥର ପାଇଁ କୌଣସି ଦଳ ଦରଦାମ ପ୍ରସଙ୍ଗକୁ ଛୁଇଁ ନାହାନ୍ତି । ଖାଉଟୀ ସାମଗ୍ରୀର ଦରଦାମ କମି ଥିବା ଏଥିରୁ ସ୍ପଷ୍ଟ ହେଉଛି । ତେବେ, ପେଟ୍ରୋଲ, ଡ଼ିଜେଲ, ଜାଳେଣୀ ଗ୍ୟାସ୍ର ଆକାଶଛୁଆଁ ଦରବୃଦ୍ଧି ଖାଉଟୀଙ୍କୁ ବିଚଳିତ କରୁଛି । ବୋଧହୁଏ,ଏହା ଜଣକର ନୁହେଁ, ସାର୍ବଜନୀନ ମତ ।
ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମର୍ଯାଦା ଦିଆଯିବା,ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଏବଂ ଅନୁଦାନ କାଟ୍, ମହାନଦୀ ଏବଂ ପୋଲାଭରମ୍ ଇସ୍ୟୁରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରୁ ବିଜେଡ଼ି ଫାଇଦା ପାଇବାର ଯେଉଁ ଆଶା ରଖି ଥିଲା, ଗତ ପଂଚାୟତ ନିର୍ବାଚନରେ ତାହା ମିଳି ନାହିଁ । କିରାସିନୀ କୋଟା ହ୍ରାସକୁ ଏବେ ବିଜେଡ଼ି ଇସ୍ୟୁ କରି ରାଜ୍ୟବ୍ୟାପୀ ଆନେ୍ଦଳନ କାର୍ଯ୍ୟକ୍ରମ ହାତକୁ ନେଇଛି । ତବେ, ଏହା ବୁମେରାଂ ହେବା ଆଶଙ୍କା ଅଧିକ । କାରଣ,କଂଟ୍ରୋଲ୍ କରାସିନୀର କଳାବଜାର କଥା କହାକୁ ଅଛପା ନାହିଁ । ହୋଲସେଲର୍ ଓ ସବ୍ ହୋଲସେଲରମାନେ କଂଟ୍ରୋଲ କିରାସିନୀକୁ ଗରୀବଗୁରୁବାଙ୍କୁ ବିତରଣ ପାଇଁ କମ୍ ଦେଇଥା’ନ୍ତି ଏବଂ ସର୍ବାଧିକ ପରିମାଣ କଂଟ୍ରୋଲ ସାମଗ୍ରୀ ବିତରକମାନଙ୍କ ସହାୟତାରେ ବାଟମାରଣା ହୋଇଥାଏ । ମନ୍ତ୍ରୀ, ବିଭାଗୀୟ ଶାସନ ସଚିବ, ବିଧାୟକ, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପ୍ରଶାସନ କଳାବଜାର ସଂପର୍କରେ ଅବଗତ । ଛୋଟ କଂଟ୍ରୋଲ ଡ଼ିଲର୍ ଠାରୁ ଆରମ୍ଭ କରି ମନ୍ତ୍ରାଳୟ ପର୍ଯନ୍ତ ସମସ୍ତେ ଏହାଦ୍ୱାରା ଉପକୃତ ହେଉଥିବା ଅଭିଯୋଗ ହୁଏ । ହୋଲ୍ସେଲର, ସବ୍ ହୋଲସେଲରମାନେ କୌଣସି ଦଳର ସ୍ଥାୟୀ ସଦସ୍ୟ ନୁହନ୍ତି । ଯେଉଁ ଦଳର ସରକାର ଆସେ ସେହି ଦଳର ଛତା ତଳେ ଆଶ୍ରୟ ନେଇ ଥା’ନ୍ତି । । ତେଣୁ, ଓଡ଼ିଶାକୁ ଯେତିକି କିରାସିନୀ କୋଟା ଆସିଛି ତାହା ଠିକ୍ ଭାବେ ବିତରଣ ହୋଇଛି କି ନାହିଁଁ ଆଗେ ବିଭାଗୀୟ ମନ୍ତ୍ରୀ ସମୀକ୍ଷା କରିବା ଉଚିତ । ତା’ ପରେ କୋଟା କମିବା ନେଇ ଉଦ୍ବେଗ ପ୍ରକାଶ କରିବାର ଅବକାଶ ରହିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣନ୍ତି ଦୁର୍ବଳତା କେଉଁଠି ରହିଛି । ତେଣୁ ସରକାରଙ୍କୁ ପାଲଟା ଆକ୍ରମଣ କରି ବିଜେଡ଼ିର ଏହି ଚାଲ୍କୁ ନାକାମ୍ କଲେଣି ।
ବିଜେପି ଚାଲ୍କୁ ମାତ୍ ଦେବା ପାଇଁ ବିଜେଡ଼ି ମନ୍ତ୍ରୀମାନେ ଯାହା ବି ଯୋଜନା କରୁଛନ୍ତି କାମ ଦେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ବେଗ ବଢୁଛି । ସେ ଏବେ ନୂଆ ରଣ କୌଶଳ ଆପଣାଇ ରାଜ୍ୟବାସୀଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନର ରାସ୍ତା ଧରିଲେଣି । ନିଜ ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରସମିତ କରିବା ସହ ଭୋଟରଙ୍କ ନିକଟତର ହେବା କୌଶଳ ମାଧ୍ୟମରେ ବିଜେଡ଼ି ବିରୋଧୀ ପରିବେଶକୁ ହାଲ୍କା କରିବା ଯୋଜନା କେତେଦୂର ସଫଳ ହେବ, ତାହା ସମୟ କହିବ । ଜନମତକୁ ଆକଳନ କରିବାରେ ୟୁପିରେ ଯେଉଁ ତ୍ରୁଟୀ ହୋଇଥିଲା,ତାହା ଓଡ଼ିଶାରେ ବି ହୋଇପାରେ । ବିଜେପିର ଗେରୁଆ ରାଜନୀତି ଓଡ଼ିଶା ମାଟିକୁ ସଂପୂର୍ଣ୍ଣ କବଳିତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ନେତୃତ୍ୱାଧୀନ ବିଜେଡ଼ି ନିଜର କାର୍ଯ୍ୟଶୈଳୀରେ ପରିବର୍ତନ କରିବାକୁ ପଡ଼ିବ । ନହେଲେ, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କ୍ଷମତାକୁ ଫେରିବାର ଆକଳନକୁ ଗେରୁଆ ରାଜନୀତି ଯେ ଗିଳି ଦେବ, ଏଥିରେ କୌଣସି ସନେ୍ଦହ ନାହିଁ । ନିର୍ବାଚନ ପାଇଁ ଦୁଇ ବର୍ଷ ସମୟ ଥିବାରୁ ରାଜନୀତିର ରଂଗ ବଦଳି ଯିବ ବୋଲି ଯେଉଁମାନେ ବିଶ୍ୱାସ କରୁଛନ୍ତି ଏବଂ ‘ବିଜୁ ଲିଗାସୀ’କୁ ନେଇ ଆଶାବାଦୀ ଅଛନ୍ତି, ସେମାନେ ୟୁପି ଭଳି ଏଠି ମଧ୍ୟ ଧୁଳି ଚାଟିବେ । ଓଡ଼ିଶାରେ ବସୁ ଥିବା ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯକାରିଣୀ (ଏପ୍ରିଲ ୧୫ ଓ ୧୬) ଗେରୁଆଙ୍କ ଓଡ଼ିଶା ଦଖଲ ଅଭିଯାନକୁ କେତେଦୂର ଗତିଶୀଳ କରିବ, ତାହା ମଧ୍ୟ ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇ ଯିବ ।
Share this:
After a long, got chance to read ‘Rajneeteere Politics’…. Nice Sir…