ଅସୂୟା ରାଜନୀତି…. କାହାକୁ କିଏ ଅସମ୍ମାନ କରିଛି ! ମୋଦୀଙ୍କୁ ନବୀନ ନା ବିଜୁଙ୍କୁ ମୋଦୀ !!
। ପ୍ରସାଦ ରାଓ ।
ଭୁବନେଶ୍ୱର, ଏପ୍ରିଲ ୧୯: ରାଜଧାନୀରେ ଗଲା ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ହଟ୍ଟଚମଟ ଥମି ଯାଇଛି । ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଓ ବିଜୁ ବାବୁଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀକୁ ନେଇ ଏହି ହଟ୍ଟଚମଟ ଚାଲି ଥିଲା । ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତାରେ ଉତ୍ସାହିତ ହୋଇ ବିଜେପିର ଜାତୀୟସ୍ତର ନେତାମାନେ ଓଡ଼ିଶାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିଥିଲେ । ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ଦଳ ସପକ୍ଷରେ ହାୱା ସୃଷ୍ଟି ପାଇଁ ବିଜେପି ପକ୍ଷରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରାଯାଇ ଥିଲା । ବ୍ୟକ୍ତିଗତ ଆକ୍ଷେପ ଏଭଳି ଏକ ସ୍ତରକୁ ଚାଲି ଯାଇଥିଲା ଯେ, ଛୋଟ ଛୋଟ କଥାକୁ ନେଇ ଉଭୟ ଦଳ ପରସ୍ପରକୁ ନିଚ୍ଚା ଦେଖାଇବାକୁ ପଛାଇ ନଥିଲେ । ପଂଚାୟତ ନିର୍ବାଚନ ପରେ ପରେ ହଠାତ୍ ନିଜକୁ ବଳଶାଳୀ ମନେ କରୁଥିବା ବିଜେପିର ରାଜନୈତିକ ଆକ୍ରମଣ ବିଜେଡ଼ି ପାଇଁ ଥିଲା ଅସହ୍ୟ । କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ ବିଜେପିର ମୋର୍ଚା ସମ୍ଭାଳି ଥିବା ବେଳେ ଶାସକ ବିଜେଡ଼ି ଦଳୀୟ ମୁଖପାତ୍ରମାନଙ୍କୁ ଲଗାଇ ଦେଇଥିଲା ପାଲଟା ଜବାବ ଦେବା କାର୍ଯ୍ୟରେ । ଦୁଇ ଦଳର ନେତା ପରସ୍ପର ବିରୋଧରେ ଏଭଳି ତୀକ୍ତ ମନ୍ତବ୍ୟମାନ ଦେଉଥିଲେ ଯେ, ହାତାହାତି ହୋଇଯିବାର ଭ୍ରମ ସୃଷ୍ଟି ହୋଇଥିଲା । ସେତେବେଳେ, ବିଜେପି ଜାତୀୟ କାର୍ଯ୍ୟକାରିଣୀର ସମ୍ଭାବ୍ୟ ପ୍ରଭାବକୁ ନେଇ ବିଜେଡ଼ି ଚିନ୍ତିତ ଥିଲା । ଗେରୁଆ ଦଳର ପ୍ରଚାର ଅଭିଯାନକୁ ପ୍ରତିହତ କରିବାରେ ଶାସକ ଦଳ ପ୍ରତିରକ୍ଷାତ୍ମକ ରଣକୌଶଳ ଆପଣାଇ ଥିଲା । ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆହୁରି ପାଖାପାଖି ଦୁଇ ବର୍ଷ ସମୟ ରହିଛି । ଦୁଇ ଦଳ ଏବେଠାରୁ ଏମିତି ମୁହଁମୁହିଁ ହେଲେଣି । ଆଗକୁ କଣ ହେବ! ଏଭଳି ଚର୍ଚାର ଖୋରାକ ଯୋଗାଇ ଥିଲେ ଉଭୟ ବିଜେପି ଓ ବିଜେଡ଼ି ଏବଂ ସେମାନଙ୍କ ମୁକାବିଲାତ୍ମକ ରଣନୀତି ।
ବିଜେପି ଜାତୀୟ କାର୍ଯକାରିଣୀ ଏପ୍ରିଲ ୧୬ରେ ସରିଛି । ୧୭ ତାରିଖ ଶାସକ ବିଜେଡ଼ି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଂଶତମ ଶ୍ରାଦ୍ଧ ଦିବସକୁ ବହ୍ୱାଡ଼ମ୍ବରରେ ପାଳନ କରି ବିଜେପିକୁ ପାଲଟା ଜବାବ ଦେଇଛି । ବିଜେଡ଼ି ଏବେ ଗୋର ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଛି ଏବଂ ନବୀନ ସରକାର ରାଜ୍ୟର ବିକାଶ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବାର୍ତା ଛାଡ଼ି ଯାଇଥିବା ବିଜେପିକୁ ନବୀନ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା ମଂଚରୁ ସ୍ପଷ୍ଟ ଜବାବ ଦେଇଛନ୍ତି ଯେ, ୨୦୦୦ ମସିହାରେ ତାଙ୍କ ଦଳ କ୍ଷମତାସୀନ ହେବା ପରେ ହିଁ ରାଜ୍ୟରେ ଭୁଶୁଡ଼ିଭ୍ ପଡ଼ି ଥବା ଅର୍ଥନୀତିକୁ ସଜାଡ଼ିଛି । ଯାହା କିଛି ପ୍ରଗତି ହୋଇଛି ଏହି ୧୭ ବର୍ଷ ଭିତରେ । ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଆଭିମୁଖ୍ୟକୁ ନେଇ ହିଁ କାମ ଚାଲିଛି । ୨୦୧୯ରେ ରାଜ୍ୟରେ କ୍ଷମତା ଦଖଲ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଛି, ତାହା ଅବାସ୍ତବ । ବିଜେଡ଼ିକୁ ରାଜ୍ୟବାସୀ ପସନ୍ଦ କରନ୍ତି । ପୁନର୍ବାର କ୍ଷମତାକୁ ଆସିବା ପାଇଁ ଭୋଟ ଦେବେ । ରାଜ୍ୟର କଂଗ୍ରେସ ଓ ବାମ ଦଳ ନେତୃବର୍ଗ ମଧ୍ୟ ୨୦୧୯ରେ ବିଜେପିର କ୍ଷମତା ଦଖଲ ଦାବୀକୁ ଅବାସ୍ତବ କହି ବିଜେଡ଼ିର ଯୁକ୍ତିକୁ ପରୋକ୍ଷ ସମର୍ଥନ ଦେବା ସାଂପ୍ରଦାୟିକତା ବିରୋଧୀ ରାଜନୀତିର ଆହ୍ୱାନ ଭାବେ ବିଚାର କରାଯାଇ ପାରେ । ଏ ତ ଗଲା ଜାତୀୟ କାର୍ଯ୍ୟକାରିଣୀ କଥା । ୨୦୧୯ରେ କିଏ କ୍ଷମତାକୁ ଆସିବ, କିଏ ଯିବ – ତାହା ସମୟ କହିବ । ତେବେ, ଗୋଟିଏ କଥାକୁ ଅସ୍ୱୀକାର କରି ହେବ ନାହିଁ । ତାହା ହେଉଛି, ବିଜେପି ଜାତୀୟ କାର୍ଯ୍ୟକାରିଣୀ ନା’ରେ ଦଳର ଜାତୀୟ ସଭାପତି, ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ,ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ ଏପ୍ରିଲ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଡ଼େରା ପକାଇ ବୟାନବାଜୀ ମାଧ୍ୟମରେ ରାଜ୍ୟ ବିଜେପି ନେତାଙ୍କ ଭିତରେ ଯେଉଁ ଉତ୍ସାହ ଭରି ଦେଇ ଗଲେ, ତାହା ଅତୁଟ ରହିଲେ ରାଜ୍ୟରେ ଶାସକ ବିଜେଡ଼ି ପାଇଁ ଅଡ଼ୁଆ ବଢିବ । ଏବେ ବିଜେପି ସେହି କୌଶଳ ଆପଣାଇଛି । ଜାତୀୟ କାର୍ଯ୍ୟକାରିଣୀ ସାରି ଫେରିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚା ଅବ୍ୟାହତ ରହିଛି । ତାହା ପୁଣି ପ୍ରଧାନମନ୍ତ୍ରୀଙ୍କୁ ସଂଖୋଳିବାରେ ମୁଖ୍ୟମନ୍ତ୍ରୀଙ୍କ ଅବହେଳାକୁ ନେଇ । ମୋଦୀ ଦୁଇ ଦିନ ଓଡ଼ିଶାରେ ରହିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀ ତାଙ୍କୁ ସଂଖୋଳିବାକୁ ବିମାନ ବନ୍ଦରକୁ ଗଲେନି କି ରାଜଭବନ ଯାଇ ଦେଖା କଲେ ନାହିଁ । ଏଭଳି କରିବା ଦ୍ୱାରା ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଆସି ଥିବା ଅତିଥିଙ୍କ ପ୍ରତି ଅସମ୍ମାନ କରିବା ସହ ନିଜର ସାମ୍ଭିଧାନିକ ଦାୟିତ୍ୱ ତୁଲାଇ ନାହାନ୍ତି ବୋଲି ବିଜେପିର ପ୍ରଚାର ସେଲ୍ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ଚଳାଇଛି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଅସୂୟା ରାଜନୀତି’ ବୋଲି ଆକ୍ଷେପ କରୁଥିବା ବିଜେପିକୁ ପାଳଟା ଜବାବ ଦେଇଛି ବିଜେଡ଼ି, ପ୍ରଧାନମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣି । ପ୍ରଧାନମନ୍ତ୍ରୀ ଓଡ଼ିଶା ମାଟିରେ ପାଦ ଥାପି ବିମାନ ବନ୍ଦର ବାହାରେ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିବା ବେଳେ ବିଜୁ ବାବୁଙ୍କୁ ଜାଣିଶୁଣି ଅଣଦେଖା କରିବା “ଅସୂୟା’ ନୁହେଁ କି ବୋଲି ବିଜେଡ଼ିର ପାଲଟା ପ୍ରଶ୍ନ ବିଜେପିକୁ ହରଡ଼ଘଣାରେ ପକାଇଛି । ଏବେ ଏଠି ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀ ଜାଣତରେ ଏଭଳି ଭୁଲ କରିଛନ୍ତି ନା ଅଜାଣତରେ? ଜାଣତରେ ଯଦି ଭୁଲ ହୋଇଥାଏ, ତାହା ଅକ୍ଷମଣୀୟ । କାରଣ, ବିଜୁ ପଟ୍ଟନାୟକ ବର୍ତମାନର ସଂକୀର୍ଣ୍ଣ ରାଜନୀତିରୁ ଉଦ୍ଧ୍ୱର୍ରେ । ସେ କେବଳ ଜଣେ ଦିବଙ୍ଗତ ପୂର୍ବତନ ମୂୁଖ୍ୟମନ୍ତ୍ରୀ ନୁହନ୍ତି, ଭାରତୀୟ ରାଜନୀତିର ଏକ ଅବିସ୍ମରଣୀୟ ବିନ୍ଧାଣୀ । ୧୯୭୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରୀ କରି ଯେଉଁ ସବୁ ନେତାଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଜେଲ୍ରେ ଅଟକ ରଖି ଥିଲେ ସେମାନଙ୍କ ମଧ୍ୟରେ ବିଜୁ ବାବୁ ଥିଲେ ଅନ୍ୟତମ । ଜରୁରୀ ପରିସ୍ଥିତି ପରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଦେଶରେ ଅଣ-କଂଗ୍ରେସ ମେଂଟ (ଜନତା ପାର୍ଟି) ଗଠନ ହେଲା ଏବଂ ଇନ୍ଦିରାଙ୍କୁ ପରାଜିତ କରି ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ରରେ ସରକାର ପ୍ରତିଷ୍ଠା କରାଗଲା । ସେଥିରେ ମଧ୍ୟ ପ୍ରମୁଖ ଭୂମିକାରେ ଥିଲେ ବିଜୁ ବାବୁ । ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାଣୀ, ଜର୍ଜ ଫର୍ଣ୍ଣାଂଡିଜ୍ଙ୍କ ଭଳି ଦେଶର ତୁଙ୍ଗ ରାଜନେତା ମାନେ ସର୍ବଦା ବିଜୁ ବାବୁଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଇ ଆସିଛନ୍ତି । ନବୀନ ନିଜ ପିତାଙ୍କ ନାମରେ ରାଜନୈତିକ ଦଳ (ବିଜୁ ଜନତା ଦଳ) ଗଠନ କରି ୧୭ ବର୍ଷ ହେଲା ଓଡ଼ିଶାରେ ଶାସନ କରୁଥିବାରୁ ୨୦୧୯ରେ କ୍ଷମତା ହାତେଇବାକୁ ଚାହୁଁ ଥିବା ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଅସୂୟା ରାଜନୀତି କରୁଛନ୍ତି ବୋଲି ଅଭିଯୋଗ ହେଲାଣି । ବିଜୁ ବାବୁଙ୍କୁ ଅଣଦେଖା କରାଯିବା ଏବଂ ଓଡ଼ିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ । ପ୍ରଧାନମନ୍ତ୍ରୀ ଯଦି ଅଜାଣତରେ ବିଜୁ ବାବୁଙ୍କଙ୍କ ପ୍ରତି ଅସମ୍ମାନ କଲେ ତେବେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣୁଥିବା ବିଜେପିର ଜାତୀୟ ଓ ରାଜ୍ୟସ୍ତରରୟ ତୁଙ୍ଗ ନେତାମାନେ ଏଥିପାଇଁ ଦାୟୀ ହେବା ଆବଶ୍ୟକ । ବିମାନ ବନ୍ଦର ବାହାରେ ବିଜୁ ବାବୁଙ୍କ ପ୍ରତିମୂର୍ତୀ ନିକଟରେ ଏକ ମଂଚ ତିଆରି ହୋଇ ଥିଲା । ପ୍ରଧାନମନ୍ତ୍ରୀ ଅନ୍ୟ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲା ବେଳେ ବିଜୁ ବାବୁଙ୍କ ପ୍ରତିମୂର୍ତୀକୁ ଅଣଦେଖା କରିବା ସାମ୍ବିଧାନିକ ଅପରାଧ ନ ହେଲେ ବି ଉଚ୍ଚ ମୂଲ୍ୟବୋଧର ଅଭାବ କୁହାଯାଇ ପାରେ । ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଛାଇ ଭଳି ରହିଥିବା କେନ୍ଦ୍ର ପେଟ୍ରୋଲିଅମ ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଏହାର ଜବାବ ଦେବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ମାଟିରେ ସଂଖୋଳିବାକୁ ଯାଇ ନ ଥିବା ନବୀନ ବାବୁ ସାମ୍ବିଧାନିକ ବ୍ୟବସ୍ଥାକୁ ଅମର୍ଯାଦା କରିଛନ୍ତି ସତ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭଳି ‘ଅସୂୟା ରାଜନୀତି’ କରି ନାହାନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ରାଜନୈତିକ ବିଚାରଧାରା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ପରସ୍ପରକୁ ଅଣଦେଖା କରି ଥାଇ ପାରନ୍ତି । ତେବେ, ଓଡ଼ିଶାର ବିକାଶ ପାଇଁ ଏହି ସୁଯୋଗକୁ ଉଭୟେ ଉପଯୋଗ କରିବା ଉଚିତ ଥିଲା । ପ୍ରଧାନମନ୍ତ୍ରୀ ତାଙ୍କର ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତରୁ କିଛି ସମୟ ବାହାର କରି ରାଜ୍ୟରେ ଚାଲି ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ବୋଧହୁଏ ମାହୋଲ ଭିନ୍ନ ପ୍ରକାର ହୋଇଥା’ନ୍ତା । କୌଣସି ପକ୍ଷ “ଅସୂୟା ରାଜନୀତି” ଅଭିଯୋଗ କରିବାର ସୁଯୋଗ ପାଇ ନ ଥା’ନ୍ତେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS