ଝରପଡା ଜେଲରେ ରାତି କାଟିଲେ ମହାରଥୀ
– ପ୍ରସାଦ ରାଓ –
ଭୁବନେଶ୍ୱର, ଏପ୍ରିଲ ୨୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରଭାବଶାଳୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବେ ଝାରପଡା ଜେଲରେ । ଗତ ରବିବାର ରାତିରେ ନିର୍ବାଚନ କମିସନଙ୍କ ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର ଓ ତାଙ୍କ ସହ ଥିବା ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ (ଏସଏସଟି) ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ମହାରଥୀଙ୍କୁ ସୋମବାର ପୂର୍ବାହ୍ନରେ ଗିରଫ କରାଯିବା ପରେ ପିପିଲି ଥାନାରେ ଜେରା କରାଯାଇଥିଲା । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜାମିନ ନାମଂଜୁର ହୋଇ ଯିବାରୁ ରାତି ୯ଟା ପରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ମହାରଥୀ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହି ଜାମିନ ଆବେଦନ କରିଥିଲେ ମଧ୍ୟ କ୍ୟାପିଟାଲ ହସପିଟାଲରୁ ମିଳି ଥିବା ସ୍ୱାସ୍ଥ୍ୟ ସଂପର୍କିତ ରିପୋର୍ଟ ଭିତ୍ତିରେ ମାଜିଷ୍ଟ୍ରେଟ୍ ତାଙ୍କ ଆବେଦନକୁ ଖାରଜ କରି ଦେଇ ଜେଲ୍ ହସପିଟାଲରେ ଚିକିତ୍ସିତ ହେବାକୁ କହିଥିଲେ । ୨୪ ତାରିଖ ପରବର୍ତୀ ଶୁଣାଣୀ ତାରିଖ ଧାର୍ଯ୍ୟ ହୋଇଛି । ମହାରଥୀଙ୍କୁ ସୋମବାର ରାତିରେ ଜେଲକୁ ଅଣା ଯାଇଥିଲେ ମଧ୍ୟ ସେଲ୍ ରେ ରଖା ନ ଯାଇ ଜେଲ୍ ଡାକ୍ତରଖାନାରେ ରଖା ଯାଇଥିବା ସୂଚନା ମିଳିଛି ।
୨୩ ତାରିଖ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ପିପିଲି ବିଧାୟକ ମହାରଥୀଙ୍କୁ ୨୨ ତାରିଖ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ପିପିଲିର ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ଏବଂ ମାମଲାର ରାୟ ଅଭିଯୁକ୍ତମାନଙ୍କ ସପକ୍ଷରେ ଯିବା ପରେ ବେବିନାଙ୍କୁ ନେଇ କଟୁ ମନ୍ତବ୍ୟ ଦେବା ଘଟଣା ମହାରଥୀଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ବିରୋଧୀ ମହାରଥୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବାରୁ ଏବଂ ଉଭୟ କଂଗ୍ରେସ ଓ ବିଜେପିର ମହିଳା ସଂଗଠନ ତାଙ୍କ ବହିଷ୍କାର ଦାବି କରି ରାଜଧାନୀରେ ଜୋରଦାର ଆନ୍ଦୋଳନ ଚଳାଇବାରୁ କୃଷି ମନ୍ତ୍ରୀ ଥିବା ମହାରଥୀଙ୍କୁ ମନ୍ତ୍ରୀ ପରିଷଦରୁ ହଟାଇବାକୁ ନବୀନ ବାଧ୍ୟ ହୋଇଥିଲେ । ବିଦାୟକ ଥାଇ ମଧ୍ୟ ମହାରଥୀଙ୍କ ଭାଉ କମି ନ ଥିଲା । ୨୦୧୯ ନିର୍ବାଚନରେ ପୁରୀ ଜିଲ୍ଲାର ପିପିଲିରୁ ବିଜେଡ଼ି ପ୍ରାର୍ଥୀ ଥିବା ମହାରଥୀ ହୁଂକେଇପୁରରେ ଥିବା ତାଙ୍କ ଫାର୍ମ ହାଉସ୍ରେ ଟଙ୍କା ଓ ମଦ ବାଂଟୁଥିବା ଖବର ପାଇ ନିର୍ବାଚନ କମିସନ ଦ୍ୱାରା ନିୟୋଜିତ ଫ୍ଲାଇଂ ସ୍କ୍ୱାଡ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ (ଏସଏସଟି)ର ସଦସ୍ୟମାନେ ମାଜିଷ୍ଟ୍ରେଟ୍ ପାତ୍ରଙ୍କୁ ନେଇ ମିଳିତ ଭାବେ ରବିବାର ରାତିରେ ସେହି ଫାର୍ମ ହାଉସରେ ଚଢାଉ କରିଥିଲେ । ଚଢାଉ ବେଳେ ମହାରଥୀ ଓ ତାଙ୍କ ସମର୍ଥକମାନେ ଉଭୟ ମାଜିଷ୍ଟ୍ରେଟ୍ ଓ ମିଳିତ ସ୍କ୍ୱାଡ୍ ସଦସ୍ୟଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।
ପୁଲିସ ମହାରଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ (ଦଫା ୩୦୭), ସରକାରୀ କର୍ମଚାରୀଙ୍କୁ ଦାୟିତ୍ୱ ସଂପାଦନ ବେଳେ ବଳ ପ୍ରୟୋଗ କରି ସେଥିରେ ବାଧା ଦେବା ବା ମାଡ ମାରିବା (ଦଫା ୩୫୩) ସମେତ ଦଫା ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧-ଖ, ୧୮୬ ଓ ଜନପ୍ରତିନିଧି ଆଇନର ଧାରା ୧୨୩ରେ ମାମଲା ରୁଜୁ କରିଛି । ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ ହୋଇ ଥିବାରୁ ମହାରଥୀଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଯାଇଛି । ତେବେ, ତାଙ୍କ ଫାର୍ମ ହାଉସରେ ନିର୍ବାଚନ କମିସନଙ୍କ ସ୍କ୍ୱାଡ ଉପରେ ଏଭଳି ଆକ୍ରମଣ ହୋଇଥିବା ଖବରରେ ସେ ଦୁଃଖିତ, ସେ କିମ୍ବା ତାଙ୍କ ଦଳ ଏଥିରେ ସଂପୃକ୍ତ ନାହାନ୍ତି ବୋଲି ମହାରଥୀ ସଫେଇ ଦେଇଥିବା ବେଳେ ରବିବାର ରାତି ଆକ୍ରମଣରେ ଗୁରୁତର ଆହତ ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍ ପାତ୍ର କହିଛନ୍ତି, ଫାର୍ମ ହାଉସ୍ ରେ ଟଙ୍କା ଓ ମଦ ବଂଟା ଯାଉଥିବା ଅଭିଯୋଗ ପାଇଁ ସେମାନେ ଯାଂଚ କରିବାକୁ ଯାଇଥିବା ବେଳେ ମହାରଥୀ ଓ ତାଙ୍କ ସମର୍ଥକମାନେ ଗାଳିଗୁଲଜ କରିବା ସହ ସେମାନଙ୍କୁ ନିସ୍ତୁକ ମାଡ ମାରି ଥିଲେ । ପୁରୀ ଏସପି ଉମାଶଂକର ଦାସ ମଧ୍ୟ ଏକା କଥା କହିଛନ୍ତି ।
ମହାରଥୀଙ୍କ ସୋମବାର ରାତିରେ ଝାରପଡା ଜେଲକୁ ସ୍ଥାନାନ୍ତର କରିବା ପରେ ଜେଲ ଫାଟକ ବାହାରେ ବୁମ୍ ଧରି ଥିବା ସାମ୍ବାଦିକ ଓ ଫଟୋ ସାମ୍ବାଦିକଙ୍କ ଭିଡ ଜମି ଥିଲା । ମହାରଥୀଙ୍କ ସମର୍ଥକମାନେ ମଧ୍ୟ ଜେଲ୍ ବାହାରେ ଭିଡ଼ ଜମାଇବାରୁ ସଂପୃକ୍ତ ଅଂଚଳରେ ଅସ୍ୱାଭାବିକ ଭିଡ ପରିଲକ୍ଷିତ ହୋଇଥିଲା । ମହାରଥୀଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇପାରେ ବୋଲି ସୂଚନା ମିଳିବା ପରେ ଜେଲ ବାହାରେ ଜମି ଥିବା ଭିଡ଼ ପରେ ପତଳା ହେବାକୁ ଲାଗି ଥିଲା । ରାତିରେ କିଛି ହୋବର ନାହିଁ, ଯାହା ହେବ ମଙ୍ଗଳବାର ସକାଳେ ବୋଲି ମହାରଥୀଙ୍କ ଓକିଲ ବାହାରେ ଆସି ସୂଚନା ଦେବା ପରେ ସାମ୍ବାଦିକମାନେ ଫେରି ଯାଇଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS