ଭିନ୍ନସ୍ୱାଦର ନିର୍ବାଚନ ୨୦୧୯
– ପ୍ରସାଦ ରାଓ –
ଗୋଟିଏ ପଟେ ଅଲ୍ଲୀ ଓ ଅନ୍ୟପଟେ ବଜରଂଗବଲୀ । ଏହା ମୋର ବ୍ୟକ୍ତବ୍ୟ ନୁହେଁ । ବକ୍ତବ୍ୟଟି ଥିଲା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ । ଏହାର ଉତ୍ତର ଦେଇ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମନ୍ତବ୍ୟ ଦେଇଥିଲେ-ତାଙ୍କ ସହ ଅଛନ୍ତି ଅଲ୍ଳୀଙ୍କ ସହ ବଜରଂଗବଲୀ । ଯୋଗୀ ଆଦିତ୍ୟନାଥ ଓ ମାୟାବତୀଙ୍କ ମନ୍ତବ୍ୟର ସାରମର୍ମ ବୁଝିବାରେ କିଛି ଅସୁବିଧା ନାହିଁ । ଜଣେ ସାଧାରଣ ଭୋଟର ବିନା ଦ୍ୱିଧାରେ ଏହାକୁ ଡ଼ି-କୋଡିଂ କରି ମୂଳରେ ପହଂଚି ପାରିବ । କିନ୍ତୁ, ପ୍ରଥମେ ପ୍ରଥମେ ଭାରତୀୟ ଭୋଟତନ୍ତ୍ରର ଜଗୁଆଳୀ କୁହାଯାଉଥିବା ନିର୍ବାଚନ କମିସନ ଏହାକୁ ବୁଝି ମଧ୍ୟ ଅବୁଝା ରହି ଥିଲେ । ମିଡ଼ିଆ ଓ ସାଧାରଣ ଜନତାରେ ତୀବ୍ର ପ୍ରତିକ୍ରି୍ରୟା ପରେ ନିର୍ବାଚନ କମିସନ ଆଖିତରାଟି ଚାହିଁଲେ ଉଭୟ ଆଦିତ୍ୟନାଥ ଓ ମାୟାବତୀଙ୍କୁ । ୭୨ ଘଂଟା ପାଇଁ ଯୋଗୀ ଆଦିତ୍ୟନାଥ ଓ ୪୮ ଘଂଟା ପାଇଁ ମାୟାବତୀଙ୍କୁ ପ୍ରଚାରରୁ ଦୂରେଇ ରଖା ଗଲା । ତଥାପି, ଶାସକ ବା ବିରୋଧୀଙ୍କ ଆଡୁ ଆସୂୟା ରାଜନୀତିର ଅନ୍ତ ଘଟିନି । ୨୦୧୯ ସାଧାରଣ ନିର୍ବାଚନ ପ୍ରାରମ୍ଭରୁ ହିଁ ଦାନା ବାନ୍ଧି ଥିବା ଏହି ଅସୂୟା ରାଜନୀତି ଏବେ ପାକଳ ହୋଇ ଧୀରେ ଧୀରେ ହିଂସାତ୍ମକ ଦିଗକୁ ଗତି କରୁଥିବା ଲକ୍ଷ୍ୟ କରାଯାଉଛି ।
କେବଳ ଯୋଗୀ ଆଦିତ୍ୟନାଥ ବା ମାୟାବତୀ ନୁହନ୍ତି, ପ୍ରଧାନମନ୍ତ୍ରୀ ନାରେନ୍ଦ୍ର ମୋଦୀ ଓ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଭଳି ଉଭୟ ଶାସକ ଓ ବିରୋଧୀ ଦଳର ବହୁ ତୁଙ୍ଗ ନେତା ଚଳିତ ନିର୍ବାଚନକୁ ଗଣତନ୍ତ୍ରର ମହାକୁମ୍ଭରୁ ମହାଭାରତର କୁରୁକ୍ଷେତ୍ରରେ ପରିଣତ କରିଛନ୍ତି । ରାଫେଲ୍ ପ୍ରସଙ୍ଗରୁ ଆରମ୍ଭ ହୋଇଥିବା କଥା କଟାକଟି ଏବେ ‘ଚୌକିଦାର’ ଓ ‘ଚୋର’ ସ୍ତରକୁ ଚାଲି ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ‘ଚୌକିଦାର’ ଓ ବିରୋଧୀଙ୍କୁ ‘ଚୋର’ କହି ଆକ୍ଷେପ କରୁଥିବା ବେଳେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ‘ଚୌକିଦାର ନୁହଁନ୍ତି, ଚୋର’ କହି ଆକ୍ଷେପ କରିବା ସହ କଂଗ୍ରେସର ବିଜେପି-ବିରୋଧୀ ପ୍ରଚାରକୁ ଶାଣିତ କରିଛନ୍ତି । ସେହିଭଳି, ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ସମୟରେ ଶାସକ ବିଜେପିର ପରାଜୟର ଅର୍ଥ ‘ପାକିସ୍ତାନର ବିଜୟ’ କହି ଭୋଟରଙ୍କ ଭାବନାକୁ ନେଇ ଖେଳୁ ଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ନେତାମାନେ ‘ରାଷ୍ଟ୍ରବାଦ’ ନାମରେ ଭାରତୀୟ ଜନତା ପାର୍ଟି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଘେରିବା ଉଦ୍ୟମରେ ଅଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ୨୦୧୪ରୁ ୨୦୧୯ ପାଂଚ ବର୍ଷ ମଧ୍ୟରେ ଦେଶରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନାହିଁ । ତେଣୁ, ଶାସକ ବିଜେପି ଭୋଟରଙ୍କୁ ବିଭିନ୍ନ ମୌଳିକ ସମସ୍ୟାଠାରୁ ଦୂରେଇ ନେବାକୁ ‘ରାଷ୍ଟ୍ରବାଦ’ କଥା କହୁଛି ଓ ଦେଶର ସେନା ବାହିନୀକୁ ସେଥିରେ ମୋହରା କରୁଛି । କଂଗ୍ରେସ ମୁଖ୍ୟ ଏଭଳି ଅଭିଯୋଗ ଆଣିି ଭାରତୀୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରେ ଥିବା କିଛି ମନ୍ତ୍ରୀ ଓ ବିଜେପିର ତୁଙ୍ଗ ନେତା ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ସେନା ବାହିନୀର ୟୁନିଫର୍ମର ଦୁରୁପଯୋଗ କରୁଥିବା ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ଜଣେ ଦକ୍ଷିଣପନ୍ଥୀ ମୁଖ୍ୟମନ୍ତ୍ରୀ ଭାରତୀୟ ସେନାକୁ ‘ମୋଦୀ ସେନା’ କହି ପାକିସ୍ତାନର ବାଲାକୋଟ୍ ରେ ହୋଇଥିବା ଭାରତୀୟ ବିମାନ ବାହିନୀର ଏୟାର ଷ୍ଟ୍ରାଇକ୍ କୁ ବିଜେପି ସହ ଯୋଡିବାକୁ ଉଦ୍ୟମ କରିଥିବା ବିଳମ୍ବରେ ହେଲେ ମଧ୍ୟ ଭାରତୀୟ ନିର୍ବାଚନ କମିସନଙ୍କ ତଂଟିରେ କଂଟା ହୋଇଛି । କମିସନ ବିଭିନ୍ନ ମହଲରୁ ଚାପର ସମ୍ମୁଖୀନ ହୋଇ ନିର୍ବାଚନ ପ୍ରଚାରରେ ସେନା ପୋଷାକର ଦୁରୁପଯୋଗ କରା ନ ଯିବାକୁ ନିର୍ଦେଶ ଦେଇଛନ୍ତି । ଆଚରଣବିଧି ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା (ବିଶେଷକରି ଶାସକ ଦଳ ବିରୋଧରେ) ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନଙ୍କ ସଫେଇ ହେଉଛି – ସାଧାରଣ ନିର୍ବାଚନକୁ ଅବାଧ ଓ ନୀରପେକ୍ଷ ଭାବେ ପରିଚାଳନା କରିବା ସକାଶେ ଆଦର୍ଶ ଆଚରଣବିଧି ଲାଗୁ ହେଉଛି ସତ, କିନ୍ତୁ ଏହାର ଉଲଂଘନକାରୀଙ୍କୁ ଦଣ୍ଡିତ କରିବା କ୍ଷମତା କମିସନ୍ ର ନାହିଁ । ତେଣୁ, କମିସନ୍ କେବଳ ଚେତାବନୀ ଓ ମାମଲା ରୁଜୁ କରିବାରେ ସୀମିତ ରହୁଛନ୍ତି । କିନ୍ତୁ, କମିସନ ଶାସକ ଦଳ ପାଇଁ ଗୋଟିଏ ନିୟମ ଓ ବିରୋଧୀଙ୍କ ପାଇଁ ଆଉ ଏକ ନିୟମ ଅନୁସରଣ କରୁଥିବାରୁ କମିସନଙ୍କ ବିଶ୍ୱସନୀୟତା ହ୍ରାସ ପାଇବାରେ ଲାଗିଛି । ଶେଷ ହୋଇ ଥିବା ଦୁଇ ପର୍ଯ୍ୟାୟ ନିର୍ବାଚନ ସମୟରେ ଏଭଳିି ପକ୍ଷପାତିତା ହୋଇ ଥିବାର ବହୁ ନଜିର ରହିଛି ।
ନିକଟରେ, ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ନିଯୁକ୍ତ ସ୍କ୍ୱାଡ୍ (ଯାଂଚ ଦଳ) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପଟରକୁ ଯାଂଚ କରିବା ସମୟରେ ଯେଭଳି ବିରୋଧର ସମ୍ମୁଖୀନ ହେଲେ ତାହା କାହାରିକୁ ଅଛପା ନାହିଁ । ନିର୍ବାଚନ କମିସନଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ଏହି ସ୍କ୍ୱାଡକୁ କେନ୍ଦ୍ର ମନ୍ତ୍ରୀ ଗାଳିଗୁଳଜ କରୁଥିବା ଭିଡ଼ିଓ ଭାଇରାଲ ହୋଇଛି । କିନ୍ତୁ, ନିର୍ବାଚନ କମିସନଙ୍କ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଥିବା ସମୟରେ ତାଙ୍କ ହେଲିକପ୍ଟର ମଧ୍ୟ ଯାଂଚ ହୋଇଥିଲା । କର୍ଣ୍ଣାଟକ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଯାଂଚକାରୀ ଦଳର ନେତୃତ୍ୱ ନେଇଥିଲେ । ଏହି ଯାଂଚ ପରେ ଭାରତୀୟ ନିର୍ବାଚନ କମିସନ୍ ଙ୍କ ଦ୍ୱାରା ସେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଯାଂଚ ପାଇଁ ନିର୍ଦେଶ ଥିଲେ ମଧ୍ୟ ଏଥି ସକାଶେ ଥିବା ନୀତି ନିୟମ ଠିକ୍ ଭାବରେ ପାଳନ ହୋଇ ନାହିଁ କହି କମିସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସଫେଇ ଦେଇଛନ୍ତି । ଏଥିରୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଆଜି କେତେଦୂର ବିପନ୍ନ, ତାହା ସ୍ପଷ୍ଟ ହେଉଛି । ଏହା ମଧ୍ୟ ନିର୍ବାଚନ କମିସନଙ୍କ ଭୟକୁ ଉଜାଗର କରିଛି । ଅପରପକ୍ଷରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ହେଲିକପ୍ଟରକୁ ଯାଂଚ କରିଥିବା ନିର୍ବାଚନ କମିସନଙ୍କ ଯାଂଚକାରୀ ଦଳକୁ ପୂର୍ଣ୍ଣ ସହଯୋଗ ଦେଇ ନିଜ ଉଦାର ମନୋଭାବର ପରିଚୟ ଦେଇଛନ୍ତି । ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର୍ ଏସ୍.ୱାଇ.କୁରେଶୀ ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଯଦି ଏଭଳି ସହନଶୀଳତା ପ୍ରଦର୍ଶନ କରିଥା’ନ୍ତେ ତାହା ହେଲେ ଜନସାଧାରଣରେ ତାଙ୍କ ଭାବମୂର୍ତର୍ୀ ଉଜ୍ୱଳ ହୋଇଥା’ନ୍ତା ଏବଂ ନିର୍ବାଚନ କମିସନ ମଧ୍ୟ ନିଜର ପକ୍ଷପାତ ଆଚରଣକୁ ନେଇ ଯେଭଳି ନିନ୍ଦିତ ହେଉଛନ୍ତି ସେଥିରେ ମଧ୍ୟ ସୁଧାର ଆସି ଥା’ନ୍ତା ବୋଲି ମନ୍ତବ୍ୟ ଦେଇଛନ୍ତି ଯାହାକି ଜାତୀୟ ସ୍ତରରେ ଉଭୟ ପ୍ରଧାନମନ୍ତ୍ରୀ ଓ ଭାରତୀୟ ନିର୍ବାଚନ କମିସନଙ୍କ ଏକଛତ୍ରବାଦ ଓ ପକ୍ଷପାତିତାର ଦଲିଲ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ କି, ୨୦୧୯ ସାଧାରଣ ନିର୍ବାଚନରେ କେବଳ ଛୋଟକାଟିଆ ନେତା ନୁହନ୍ତି ପ୍ରଧାନମନ୍ତ୍ରୀଙ୍କ ଭଳି ବଡ ବଡ ରାଜନେତା ମଧ୍ୟ ଲଗାତର ଆଦର୍ଶ ନିର୍ବାଚନ ଆଚରଣବିଧିର ଉଲଂଘନ କରୁଛନ୍ତି । ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବାଗ୍ରେ ଥିବା ବେଳେ ଭାରତୀୟ ନିର୍ବାଚନ କମିସନ ସେମାନଙ୍କ କାର୍ଯ୍ୟକୁ ଅଣଦେଖା କରୁଛି । ଅପରପକ୍ଷରେ, ବିରୋଧୀଙ୍କ ପ୍ରତି କଠୋର ମନୋଭାବ ପ୍ରଦର୍ଶନ କରାଯାଉଥିବା ନଜିର ସାମନାକୁ ଆସୁଛି । ବାଲକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଆଡୁ ବିମାନ ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ଭାରତୀୟ ବିମାନ ବାହିନୀର ଜଣେ ଅଧିକାରୀ ଅଭିନନ୍ଦନ ପାକ୍ ସେନା ଦ୍ୱାରା ବନ୍ଦୀ ହୋଇଥିଲେ । ସେ ପାକିସ୍ତାନକୁ କଡା ଚେତାବନୀ ଦେବାରୁ ପାକିସ୍ତାନ ସରକାର ଅଭନନ୍ଦନଙ୍କୁ ଭାରତକୁ ଫେରାଇ ଦେଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ ନିର୍ବାଚନ ସଭାରେ ଦେଇଥିବା ଭାଷଣ ପୁଣି ଥରେ ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ବିରୋଧୀଙ୍କ ଆଡୁ ଅଭିଯୋଗ ହୋଇଥିବା ସତ୍ୱେ ନିର୍ବାଚନ କମିସନ ଆଖିବୁଜି ବସି ରହିବା ୨୦୧୯ ନିର୍ବାଚନର ସ୍ୱଚ୍ଛତା ଓ ନୀରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ ।
କେବଳ ଆଚରଣବିଧି ଉଲଂଘନ ନୁହେଁ, ଏହି ନିର୍ବାଚନରେ ହିଂସା ମଧ୍ୟ ବହୁମାତ୍ରରେ ବଢିଛି । ଓଡ଼ିଶାରେ ଦୁଇ ପର୍ଯ୍ୟାୟ ନିର୍ବାଚନ (ଏପ୍ରିଲ ୧୧ ଓ ୧୮) ସରି ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ ହେଉଛି । ପ୍ରଥମ ପର୍ଯ୍ୟାୟ ଭୋଟ ଆପାତତଃ ଶାନ୍ତପୂର୍ଣ୍ଣ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରାଜନୈତିକ ହତ୍ୟା ଠାରୁ ଆରମ୍ଭ କରି ମରଣାନ୍ତକ ଆକ୍ରମଣ ପରି ଘଟଣା ବଢୁଥିବା କେବଳ ପ୍ରାର୍ଥୀଙ୍କ ପାଇଁ ନୁହେଁ, ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି । ୨୩ ତାରିଖ ତୃତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ୨୧ ତାରିଖ ରାତିରେ କେଉଁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକମାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ । ଏହି ଆକ୍ରମଣରେ ସେଠାକାର ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଦୁଇ ପୁଅ ଓ ସେମାନଙ୍କ ସମର୍ଥକମାନେ ସଂପୃକ୍ତ ଥିବା କଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ସେହି ଅଂଚଳରେ କିଛି ଦିନ ହେଲା ଆତଙ୍କରାଜ ଚଳାଇ ଥିବା କଂଗ୍ରେସର ଗୁଣ୍ଡା ବାହିନୀକୁ ରବିବାର ବିଳମ୍ବିତ ସନ୍ଧ୍ୟାରେ ଅଂଚଳବାସୀ ପାଲଟା ଜବାବ ଦେଇଛନ୍ତି ବୋଲି ବିଜେଡ଼ି ସମର୍ଥକମାନେ କହୁଛନ୍ତି । ସେମାନଙ୍କ କହିବା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଇଁ ନିଯୁକ୍ତ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଅପରାଧ ପୃଷ୍ଠଭୂମୀ ଯାହା ନିରଂଜନ ବାବୁ ତାଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାରର ବୁଲିବା ହିଂସାକୁ ପ୍ରୋତ୍ସାହିତ କରିଛି । ତେଣୁ, ଅଂଚଳବାସୀ ପାଲଟା ଜବାବ ଦେଇଛନ୍ତି । କେବଳ ଘଷିପୁରା ନୁହେଁ, ରାଜଧାନୀ ଭୁବନେଶ୍ୱରର ଝାରପଡା ଅଂଚଳରେ ରବିବାର ରାତିରେ ବିଏମ୍ ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେ ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଗୋଟିଏ ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଅଛନ୍ତି । ସେହି ରବିବାର ସନ୍ଧ୍ୟାରେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଥିବା ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରେ ବୋମା ମାଡ ହୋଇ ଥିବା ଥାନାରେ ଏତଲା ହୋଇଛି । ତୃତୀୟ ପର୍ଯ୍ୟାୟ ଭୋଟର ଗୋଟିଏ ଦିନ ପୂର୍ବରୁ ଘଟି ଥିବା ଏହି ହିଂସା ଦ୍ୱାରା କେଉଁ ଦଳ ଲାଭବାନ ହେବ ତାହା ଭିନ୍ନ କଥା । କିନ୍ତୁ, ଭୋଟରଙ୍କ ଭୟଭୀତ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର, ଏଥିରେ କିଛି ସନ୍ଦେହ ନାହିଁ ।
ସେହିଭଳି, ତୃତୀୟ ପର୍ଯ୍ୟାୟ ଭୋଟ୍ ର ପୂର୍ବ ଦିନ ପିପିଲି ବିଧାୟକ ତଥା ସେହି ଆସନରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରି ଜେଲ ପଠାଇବା ମଧ୍ୟ ୨୦୧୯ ରାଜନୈତିକ ପଶାପାଲିର ଆଉ ଏକ ଏକ ଅଂଶ କୁହାଯାଇପାରେ । ମହାରଥୀଙ୍କ ବିରୋଧରେ ଯାହା ଅଭିଯୋଗ ହୋଇଛି ତାହା ଯେ ଅତି ସଂଗୀନ, ଏଥିରେ କୌଣସି ସନ୍ଦେହ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଯେ ମହାରଥୀ ଗିରଫ ହୋଇଛନ୍ତି, ଏହା ଭାବିବା ମଧ୍ୟ ମୁର୍ଖାମୀ । ବିଜେପି ଏହାକୁ ନେଇ ରାଜନୈତିକ ଖେଳ ଖେଳି ପାରେ । କିନ୍ତୁ, ମହାରଥୀଙ୍କ ଗିରଫଦାରୀରୁ ଯେ ବିଜେପି ଅପେକ୍ଷା ବିଜେଡ଼ି ଅଧିକ ଲାଭବାନ ହେବ, ଏଥିରେ ସନ୍ଦେହ ନାହିଁ । କାରଣ, ମୁଖ୍ୟମନ୍ତ୍ରୀ ସବୁ ବେଳେ ସବୁ କଥାରେ କହି ଆସୁଛନ୍ତି – ‘ଆଇନ ତା’ ବାଟରେ ଯାଉଛି’ । ମହାରଥୀଙ୍କ କ୍ଷେତ୍ରରେ ମଧ୍ୟ ସେ ତାହାହିଁ କହିବେ । ବିଜେପି ଅଧିକ କିଛି କହିଲେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହେଲିକପଟର ଯାଂଚ ପ୍ରସଙ୍ଗ ଉଠିବ ଏବଂ ନିର୍ବାଚନ କମିସନଙ୍କ ସ୍କ୍ୱାଡକୁ ଦୁର୍ବ୍ୟବହାର ହୋଇଥିବା ବେଳେ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିବ । ବିଜେପି ନେତାଏ ଏକଥା ଜାଣନ୍ତି । ତେଣୁ, ବିଜେଡ଼ି କିଛି କହିବା ଆଗରୁ ଧର୍ମେନ୍ଦ୍ରଙ୍କୁ ନେଇ ଏଭଳି ପ୍ରଶ୍ନ ଉଠି ପାରେ ବୋଲି ବିଜେପି ନେତା ପ୍ରଚାର ଆରମ୍ଭ କରି ଦେଲେଣି ।
୨୦୧୯ ସାଧାରଣ ନିର୍ବାଚନ ଗଣତନ୍ତ୍ରର ମହାକୁମ୍ଭ ବୋଲି ଯେଉଁମାନେ ସରଳ ଭାବେ ବିଶ୍ୱାସ କରୁଛନ୍ତି ତାହା ଯେ ସଂପୂର୍ଣ୍ଣ ମିଥ୍ୟା, ତାହା ୨୦୧୯ ନିର୍ବାଚନ ପ୍ରଚାର ଆରମ୍ଭରୁ ଚାଲି ଥିବା ରାଜନୈତିକ ମାରପେଂଚରୁ ଅତ୍ୟନ୍ତ ସ୍ପଷ୍ଟ । ମହାଭାରତରେ ଜଣେ ଶକୁନିଙ୍କ କଥା ଉଲ୍ଲେଖ ରହିଛି । କିନ୍ତୁ, ୨୦୧୯ ସାଧାରଣ ନିର୍ବାଚନରେ ଅସଂଖ୍ୟ ଶକୁନି ପଶାକାଠି ପିଙ୍ଗି ଚାଲିଛନ୍ତି । ତେଣୁ, ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ସେ ନେଇ କେହି ଆକଳନ କରିପାରୁ ନାହାନ୍ତି । ଓଡ଼ିଶାରେ ଆଉ ଗୋଟିଏ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ଦେଶରେ ଆଉ ଚାରି ପର୍ଯ୍ୟାୟ ଭୋଟ ବାକି ରହିଛି । ମେ’ ୧୯ରେ ତାହା ସରିବ ଏବଂ ମେ’୨୩ରେ ଫଳାଫଳ ପ୍ରକାଶ ପାଇବ । ଏହି ମହାଭାରତରେ ଆଉ କେତେ ମୁଣ୍ଡ ଗଡିବ ଓ କାହା ମୁଣ୍ଡରେ ବିଜୟର ଶିରିପା ଚଢିବ, ତାହା ସମୟ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS