ଫୋକସ୍ ରେ ପାଟକୁରା
– ପ୍ରସାଦ ରାଓ –
ଭୁବନେଶ୍ୱର, ୩୦ ଏପ୍ରିଲ: ସୋମବାର ସନ୍ଧ୍ୟାରେ ଓଡ଼ିଶାରେ ଭୋଟ ସରିଛି । ରାଜ୍ୟର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରୁ ୧୪୬ଟି ଆସନରେ ନିର୍ବାଚନ ହୋଇଛି । କେବଳ ପାଟକୁରା ବିଧାନସଭା ନିର୍ବାଚନ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ଥିଲା । ମେ’ ୧୯ରେ ଏହି ଆସନରେ ଉପ ନିର୍ବାଚନ ହେବ । କେନ୍ଦ୍ରାପଡ଼ା ଲୋକସଭା ଆସନ ଭଳି ପାଟକୁରା ବିଧାନସଭା ଆସନ ମଧ୍ୟ ଶାସକ ଦଳ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ତେଣୁ, ଆଗାମୀ ଦିନରେ ରାଜ୍ୟବାସୀ ପାଟକୁରାରେ ଏକ ହାଇପ୍ରୋଫାଇଲ ଲଢେଇ ଦେଖିବା ନିଶ୍ଚିତ ହୋଇଯାଇଛି ।
ଉପ ନିର୍ବାଚନରେ ଏହି ଆସନରେ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ, ସେ ନେଇ କିଛି ଦିନ ହେଲା ଗଣମାଧ୍ୟମରେ କଳ୍ପନାଜଳ୍ପନା ଚାଲି ଥିଲା । ଦଳର ବହୁ ଆଶାୟୀ ପ୍ରାର୍ଥୀ ହେବା ଲବିରେ ଥିବା ବେଳେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରୱାଲଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବେ ବୋଲି ଆଭାସ ମିଳୁ ଥିଲା । ତେବେ, ଅଗୱାଲଙ୍କ ସ୍ତ୍ରୀ କି ପୁଅ – କିଏ ପ୍ରାର୍ଥୀ ହେବ, ସେ ନେଇ ଅନିଶ୍ଚିତତା ରହି ଥିଲା । ରାଜ୍ୟରେ ଚାଲି ଥିବା ଚାରି ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ସୋମବାର ସନ୍ଧ୍ୟାରେ ସରିବା ପରେ ପରେ ବିଜେଡ଼ି ସୁପ୍ରିମୋ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯାଉଥିବା ଘୋଷଣା କରିଛନ୍ତି । ମେ’ ୧ ତାରିଖ ପାଟକୁରା ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିବାରୁ ଶ୍ରୀମତୀ ଅଗ୍ରୱାଲ କାଲି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରି ଉପ ନିର୍ବାଚନ ରଣାଂଗନକୁ ଆସିବେ । ବର୍ଷେ ତଳେ ହୋଇଥିବା ବିଜେପୁର ବିଧାନସଭା ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ସେଠାକାର ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ସଂପୂର୍ଣର୍ ଦାୟିତ୍ୱ ନେଇ ତାଙ୍କୁ ବିଜୟୀ କରାଇ ଥିଲେ ଠିକ୍ ସେହିଭଳି ମେ’ ୧୯ ପାଟକୁରା ବିଧାନସଭା ଉପ ନିର୍ବାଚନରେ ସେ ସାବିତ୍ରୀ ଅଗୱାଲଙ୍କ ନିର୍ବାଚନ ଦାୟିତ୍ୱ ନିଜ ହାତକୁ ନେଇ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିବେ ବୋଲି ଆଶା କରାଯାଉଛି । କାରଣ, ୨୦୧୯ ନିର୍ବାଚନରେ ଏହି ଆସନରୁ ତାଙ୍କର ଚରମ ଶତୃ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ଅଛନ୍ତି ।
ବିଜୟ ମହାପାତ୍ର ବିଜେଡ଼ିର ପ୍ରତିଷ୍ଠାତା ସଦସ୍ୟ ଥିଲେ ମଧ୍ୟ ତାଙ୍କ ମାତ୍ରାଧିକ କ୍ଷମତାଲୋଭ ତାଙ୍କୁ ବିଜେଡ଼ି ଛାଡିବାକୁ ବାଧ୍ୟ କରିଥିଲା । ନବୀନଙ୍କ ଦ୍ୱାରା ଦଳରୁ ବହିଷ୍କୃତ ହେବା ପରେ ବିଜୟ ଆପ୍ରାଣ ଉଦ୍ୟମ କରି ମଧ୍ୟ ଆଉ ବିଧାନସଭାକୁ ଫେରି ପାରି ନାହାନ୍ତି । ବିଜେଡ଼ିରୁ ବହିଷ୍କୃତ ହେବା ପରେ ସେ ନବୀନଙ୍କୁ ଟକ୍କର ଦେବା ସକାଶେ ଏକ ଆଂଚଳିକ ଦଳ ଗଠନ କରିଥିଲେ । ତେବେ, ବିଜୟଙ୍କ ଅନୁଗତ କୁହାଯାଉଥିବା ବିଜେଡ଼ି ମନ୍ତ୍ରୀ ଓ ବିଧାୟକମାନେ ତାଙ୍କ ନୂଆ ଦଳରେ ସାମିଲ ନ ହେବାରୁ ବିଜୟଙ୍କ ସ୍ୱପ୍ନ ସବୁ ଚୁରମାର ହୋଇଯାଇଥିଲା । ନିରାଶ ବିଜୟ ଅନ୍ୟ ରାଜନୈତିକ ଦଳକୁ ଡ଼ିଆଁ ମାରି ନିଜର ଭବିଷ୍ୟତ ଖୋଜୁ ଖୋଜୁ ବିଜେପିରେ ପହଂଚି ଥିଲେ । କିନ୍ତୁ, ନିଜର ମାତ୍ରାଧିକ କ୍ଷମତାଲୋଭ ଓ ଆତ୍ମାଭିମାନ ଯୋଗୁ ସେ ବିଜେପିରେ ମଧ୍ୟ କୋଣଠେସା ହୋଇ ୨୦୧୯ ନିର୍ବାଚନ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିଲେ । ବିଜୟ ମହାପାତ୍ର ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଏକା ଦିନ, ଏକା ସାଙ୍ଗରେ ବିଜେପିରୁ ଇସ୍ତଫା ଦେବା ଏକ ଜାତୀୟ ଖବର ହୋଇଥିଲା । ଦୁହେଁ ନବୀନଙ୍କ ସହ ବୁଝାମଣା କରି ବିଜେଡ଼ିକୁ ଫେରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଥିଲେ । କିନ୍ତୁ, ନବୀନ ବିଜୟଙ୍କୁ ଗୁରୁତ୍ୱ ନ ଦେଇ ଏକାକୀ ଦିଲ୍ଳୀପ ରାୟଙ୍କୁ ‘ନବୀନ ନିବାସ’କୁ ଡ଼କାଇ ଆଲୋଚନା କରିଥିଲେ । ବୋଧହୁଏ ବିଜୟଙ୍କୁ ସାଙ୍ଗରେ ନେବାକୁ ନବୀନ ରାଜି ନ ହେବାରୁ ଏହି ଆଲୋଚନା ଆଗେଇ ନ ଥିଲା । ନବୀନ ରାଉରକେଲା ଓ ପାଟକୁରା ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜୟ- ଦିଲ୍ଲୀପକୁ ନେଇ ଗଣମାଧ୍ୟମରେ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇ ଥିଲେ ।
ଦିଲ୍ଲୀପ ରାୟ ପୁନର୍ବାର ବିଜେପିକୁ ନ ଫେରି ନୀରବ ରହି ଥିବା ବେଳେ ବିଜୟ ମହାପାତ୍ର ପୁନର୍ବାର ବିଜେପିକୁ ଫେରି ଦଳର ପାଟକୁରା ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ପାଟକୁରା ହେଉଛି ତାଙ୍କ (ବିଜୟଙ୍କ) ଜନ୍ମମାଟି । ତେଣୁ ସେହି ଆସନରୁ ବିଜୟଙ୍କ ବିଜୟ ସୁନିଶ୍ଚିତ ବୋଲି ବିଜେପି ଦାବି କରୁଥିବା ବେଳେ ବିଜେଡ଼ି ଏହାକୁ ପ୍ରତିହତ କରିବା ସକାଶେ ସମସ୍ତ ଶକ୍ତି ଖଟାଇବା ଆଶା କରାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ କଲା ବେଳେ ପାଟକୁରା ବିଧାନସଭା ଆସନରୁ କିଏ ପ୍ରାର୍ଥୀ ହେବ ଘୋଷଣା କରିବାରେ କିଛିଟା ବିଳମ୍ବ କରି ନିଜର ରାଜନୈତିକ ଚାତୁର୍ଯ୍ୟର ଝଲକ ଦେଖାଇ ଥିଲେ । ବିଜୁ ବାବୁଙ୍କ ଅତି ଘନିଷ୍ଟ ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ ବୟସାଧିକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ହସପାତାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କୁ ରୋଗ ଶଯ୍ୟାରୁ ଉଠାଇ ଆଣି ନାମାଙ୍କନପତ୍ର ଦାଖଲ କରାଇ ଥିଲେ । ବେଦପ୍ରକାଶ ଚାଲିବା ବୁଲିବା ଅବସ୍ଥାରେ ନ ଥିବାରୁ ତାଙ୍କ ପୁଅ ବା ପତ୍ନୀଙ୍କୁ ପ୍ରାର୍ଥୀ କରାଯିବାକୁ ନବୀନଙ୍କ ପରାମର୍ଶଦାତାମାନେ ପ୍ରସ୍ତାବ ଦେଇଥିଲେ ମଧ୍ୟ ନବୀନ ନିଜ ଗୋଟି ଚାଳନା କରି ବେଦପ୍ରକାଶଙ୍କୁ ନାମାଙ୍କନପତ୍ର ଦାଖଲ କରାଇଥିଲେ । ଏଭଳି ରଣନୀତିର କାରଣ କଣ ହୋଇପାରେ ? ଏହି ପ୍ରଶ୍ନ ସେତେବେଳେ ଅନେକଙ୍କୁ ଆନ୍ଦୋଳିତ କରିଥିଲା । ଆଜି କିନ୍ତୁ ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ହେବାରେ ଲାଗିଛି ।
ବେଦୁଙ୍କୁ ପାଟକୁରାରୁ ପ୍ରାର୍ଥୀ କଲେ ବିଜେଡ଼ିରେ ବିଦ୍ରୋହର ଅବକାଶ ରହିବ ନାହିଁ । ସବୁ ବିଜେଡ଼ି ନେତା ଏକାଠି ରହି ବେଦୁଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ । ବେଦୁ ଜୀବନର ଶେଷ ପାହାଚରେ ଥିବାରୁ ଭୋଟରଙ୍କ ସମ୍ମାନ ଓ ‘ଅନୁକଂପା’ ପାଇବେ । ଯଦିବା କିଛି ଅଘଟଣ ଘଟିବ ତାହାକୁ ସମ୍ଭାଳିବାକୁ ମୁଖ୍ୟମନ୍ତ୍ରୀ ସମୟ ପାଇବେ । ଏଭଳି ଏକ ଦୂରଦୃଷ୍ଟି ନେଇ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଦପ୍ରକାଶ ଅଗ୍ରୱାଲାଙ୍କୁ ପାଟକୁରାରୁ ପ୍ରାର୍ଥୀ କରି ନାମାଙ୍କନପତ୍ର ଦାଖଲ କରାଇ ଥିବା ଅନୁମାନ କରାଯାଉଛି । ପ୍ରାର୍ଥୀ ଥାଇ ବେଦପ୍ରକାଶଙ୍କ ଦେହାନ୍ତ ହେବା ପରେ ଏହି ଆସନରେ ଭୋଟ ସ୍ଥଗିତ ରହିବା ବିଜେଡ଼ି ପାଇଁ ପ୍ଲସ୍-ପଏଂଟ୍ ହୋଇଛି । ଏପ୍ରିଲ ୨୯ରେ ଓଡ଼ିଶାରେ ସାଧାରଣ ନିର୍ବାଚନ ସରି ଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଓ ତାଙ୍କ ଦଳର ସମସ୍ତ ନେତା ପାଟକୁରା ମୁହାଁ ହେବା ବିଜୟଙ୍କ ସଂକଟ ବଢାଇଛି । ବିଜୟଙ୍କ ଏହା ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ରାଜନୀତିରେ ଧୁରୀଣ ବିଜୟ ମହାପାତ୍ର ଏଭଳି କିଛି ଘଟିବ ବୋଲି ବୋଧହୁଏ ମୂଳରୁ ଆଶଙ୍କା କରୁଥିଲେ । ତେଣୁ, ବେଦପ୍ରକାଶଙ୍କ ମୃତ୍ୟୁ ଖବର ପଦାକୁ ଆସିବା ସଂଗେ ସଂଗେ ତାଙ୍କ ପ୍ରତିକ୍ରିୟା ଥିଲା – ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ବ୍ୟକ୍ତିଙ୍କୁ ରୋଗଶଯ୍ୟାରୁ ଉଠାଇ ଆଣି ପ୍ରାର୍ଥୀ କରିବା ଏକ ରାଜନୈତିକ ଷଡଯନ୍ତ୍ର । କେନ୍ଦ୍ରପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଭଳି ପାଟକୁରା ବିଧାନସଭା ଆସନ ମଧ୍ୟ ହୋଇଛି ଅତ୍ୟନ୍ତ ସ୍ପର୍ଶକାତର । କେନ୍ଦ୍ରାପଡା ଲୋକସଭା ଆସନ ଭୋଟ ଏପ୍ରିଲ ୨୯ରେ ସରିଛି । ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ଏଠାରୁ ବିଜେପି ପ୍ରାର୍ଥୀ ଥିବା ବେଳେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜେଡ଼ି ପ୍ରାର୍ଥୀ କରି କଡା ଟକ୍କର ଦେଇଥିଲା । ବିଜୟଙ୍କ ପରି ବୈଜୟନ୍ତ ମଧ୍ୟ ଦିନେ ନବୀନଙ୍କ ଶୁଭାକାଂକ୍ଷୀ ଥିଲେ । ସର୍ବୋଚ୍ଚ କ୍ଷମତାର ଲୋଭ ମିତ୍ରକୁ ଶତ୍ରୁରେ ପରିଣତ କରିବାକୁ ସମୟ ନିଏ ନାହିଁ । ବିଜୟଙ୍କ ପରି ବୈଜୟନ୍ତ ମଧ୍ୟ ନବୀନଙ୍କ ଦ୍ୱାରା ବିଜେଡ଼ିରୁ ତଡା ଖାଇଛନ୍ତି । ଉଭୟ ବିଜୟ ଓ ବୈଜୟନ୍ତଙ୍କୁ ବିଜେପି କେନ୍ଦ୍ରାପଡା ଓ ପାଟକୁରାରୁ ପ୍ରାର୍ଥୀ କରି ନବୀନଙ୍କୁ ଉସୁକାଇଥିବା ବେଳେ ବିଜେଡ଼ି ଦୁହିଁଙ୍କୁ ହରାଇବାକୁ ପଣ ନେଇ ସମସ୍ତ ଶକ୍ତି ଖଟାଇଛି । ତେଣୁ, ୨୦୧୯ ସାଧାରଣ ନିର୍ବାଚନ ଭଳି ମେ’ ୧୯ ପାଟକୁରା ବିଧାନସଭା ଉପ ନିର୍ବାଚନ ମଧ୍ୟ ରୋଚକ ଓ ରୋମାଂଚକର ହେବ, ସେଥିରେ କୌଣସି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS