୨୦୧୯ ନିର୍ବାଚନରେ କୋଟିପତି ଓ ଅପରାଧ ରେକର୍ଡ ଥିବା ପ୍ରାର୍ଥୀ ଅଧିକ
ଭୁବନେଶ୍ୱର, ୩୦/୪ (ମୋଅନୁଭବ): ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୦୧୪ ତୁଳନାରେ ୧୦ ପ୍ରତିଶତ ବଢିଛି । ୨୦୧୯ରେ ପୁନର୍ବାର ପ୍ରାର୍ଥୀ ହୋଇ ନିର୍ବାଚନ ଲଢି ଥିବା ୮୯ ବିଧାୟକଙ୍କ ସଂପତ୍ତି ମଧ୍ୟ ପାଂଚ ବର୍ଷ ମଧ୍ୟରେ (୨୦୧୪ ତୁଳନାରେ) ଦୁଇ ଗୁଣରୁ ଅଧିକ ବଢି ଯାଇଥିବା ସେମାନଙ୍କ ଆଡୁ ଦାଖଲ ହୋଇଥିବା ସତ୍ୟପାଠରୁ ସୂଚନା ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ଲଢି ଥିବା ପ୍ରାର୍ଥୀମାନେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ସେମାନଙ୍କ ସଂପତ୍ତି ପରିମାଣ ଓ ଅପରାଧ ବିବରଣୀ ଉଲ୍ଲେଖ କରିଛନ୍ତି । ଏସୋସିଏସନ୍ ଅଫ୍ ଡ଼େମୋକ୍ରେଟିକ ଫୋରମ୍ (ଏଡ଼ିଆର) ଓ ଓଡ଼ିଶା ଇଲେକ୍ସନ୍ ୱାଚ୍ ପକ୍ଷରୁ ମିଳିତ ଭାବେ ଓଡ଼ିଶାର ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନରୁ ନିର୍ବାଚନ ଲଢି ଥିବା ୧୧୨୧ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ତର୍ଜମା କରାଯାଇ ଏହି ତଥ୍ୟ ଉପସ୍ଥାପନ କରାଯାଇଛି ।
ଏଡ଼ିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚ୍ର ତର୍ଜମାରୁ ଜଣାପଡିଛି ଯେ, ୨୦୧୪ ନିର୍ବାଚନରେ ଓଡ଼ିଶାରେ ୨୪୪ ଜଣ କୋଟିପତି ପ୍ରାର୍ଥୀ (୧୭ ପ୍ରତିଶତ) ଥିଲେ । ୨୦୧୯ରେ ଏହି ସଂଖ୍ୟା ୩୦୪କୁ (୨୭ ପ୍ରତିଶତ) ବୃଦ୍ଧି ପାଇଛି । ରାଜନୈତିକ ଦଳଙ୍କ ମଧ୍ୟରୁ ଓଡ଼ିଶାରେ ଶାସକ ବିଜେଡ଼ିର କୋଟିପତି ପ୍ରାର୍ଥୀ ସଂଖ୍ୟା ୧୪୬ (ବିଧାନସଭା କ୍ଷେତ୍ର)ରୁ ୯୭ ଥିବା ବେଳେ ବିଜେପିର ୧୪୫ରୁ ୭୫ ଏବଂ କଂଗ୍ରେସର ୧୩୯ରୁ ୭୩ ରହିଛି । ସେହିପରି, ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଓଡ଼ିଶାର ୮୯ ବିଧାୟକଙ୍କ ହାରାହାରି ସଂପତ୍ତି ପରିମାଣ ୨୦୧୪ ତୁଳନାରେ ପ୍ରାୟତଃ ୧୩୯ ପ୍ରତିଶତ ବୃଦ୍ଧି ପାଇ ଥିବା ସତ୍ୟପାଠରୁ ଜଣାପଡିଛି । ୨୦୧୪ରେ ଏହି ବିଧାୟକମାନଙ୍କ ହାରାହାରି ସଂପତ୍ତି ପରିମାଣ ୨.୧୦ କୋଟି ଟଙ୍କା ଥିଲା । ୨୦୧୯ ନିର୍ବାଚନ ଲଢିବା ସମୟରେ ସେମାନେ ଦାଖଲ କରିଥିବା ସତ୍ୟପାଠରୁ ସେମାନଙ୍କ ହାରାହାରି ସଂପତ୍ତି ପରିମାଣ ୫.୦୨ କୋଟି ଥିବା ଜଣାପଡିଛି । ୨୦୧୯ରେ ବିଜେଡ଼ିର ସର୍ବାଧିକ ୬୬ ବିଧାୟକ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବେଳେ କଂଗ୍ରେସର ୧୦ ଜଣ, ବିଜେପିର ୬ ଜଣ, ସିପିଆଇ ଓ ବିଏସପିର ଜଣେ ଲେଖାଏଁ ପ୍ରତିଦ୍ୱନ୍ଦ୍ୱିତାରେ ଥିଲେ । ଦୁଇ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ୨୦୧୯ରେ ପ୍ରାର୍ଥୀ ରହିଛନ୍ତି ।
୨୦୧୪ରେ କୋରାପୁଟରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇ ୨୦୧୮ ପର୍ଯ୍ୟନ୍ତ ଦଳରେ ରହି ଥିବା ଏବଂ କଂଗ୍ରେସରୁ ବହିଷ୍କୃତ ହେବା ପରେ ୨୦୧୯ରେ ଜୟପୁରରୁ ବିଏସପିର ପ୍ରାର୍ଥୀ ଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସଂପତ୍ତି ପରିମାଣ ସର୍ବାଧିକ ୪୪୦.୬୫ ପ୍ରତିଶତ ବୃଦ୍ଧି ପାଇ ଥିବା ବେଳେ ବିଜେପି ବିଧାୟକଙ୍କ ସଂପତ୍ତି ୩୦୦.୩୮ ପ୍ରତିଶତ, କଂଗ୍ରେସ ବିଧାୟକଙ୍କ ସଂପତ୍ତି ୨୫୫.୯୪ ପ୍ରତିଶତ ଓ ବିଜେଡ଼ି ବିଧାୟକଙ୍କ ସଂପତ୍ତି ୧୧୨.୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୪ରେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ପ୍ରାର୍ଥୀଙ୍କ ସଂପତ୍ତି ହାର ପ୍ରାର୍ଥୀ ପିଛା ୯୧ ଲକ୍ଷ ୧୪ ହଜାର ଟଙ୍କା ଥିବା ବେଳେ ୨୦୧୯ରେ ତାହା ୧ କୋଟି ୬୯ ଲକ୍ଷ ହୋଇଛି ।
ରାଜ୍ୟର ବୃହତ ରାଜନୈତିକ ଦଳ ମଧ୍ୟରୁ ବିଜେଡ଼ିର ୧୪୬ ପ୍ରାର୍ଥୀଙ୍କ ହାରାହାରି ପ୍ରାର୍ଥୀ ପିଛା ସଂପତ୍ତି ହାର ୪.୫୯ କୋଟି ଟଙ୍କା ଥିବା ବେଳେ ବିଜେପିର ୧୪୫ ପ୍ରାର୍ଥୀଙ୍କ ପ୍ରାର୍ଥୀ ପିଛା ହାରାହାରି ସଂପତ୍ତି ୨.୭୮ କୋଟି ଟଙ୍କା, ୧୩୯ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀ ପିଛା ହାରାହାରି ସଂପତ୍ତି ୩.୮୫ କୋଟି ଟଙ୍କା, ୧୦୬ ବିଏସପି ପ୍ରାର୍ଥୀଙ୍କ ହାରାହାରି ସଂପତ୍ତି ୨୭.୭୫ ଲକ୍ଷ ଟଙ୍କା,୨୯୮ ସ୍ୱାଧୀନ ପ୍ରାର୍ଥୀଙ୍କ ହାରାହାରି ସଂପତ୍ତି ୬୮.୭୫ ଲକ୍ଷ ଟଙ୍କା ରହିଛି । ବଡ଼ମ୍ବା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ଥିବା ବବି ମହାନ୍ତିଙ୍କ ସଂପତ୍ତି ୧୦୬ କୋଟି ଟଙ୍କା ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସଂପତ୍ତି ମୂଲ୍ୟ ୬୮.୮୮ କୋଟି । ତୃତୀୟ ସ୍ଥାନରେ ଅଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ । ତାଙ୍କ ସଂପତ୍ତିର ମୂଲ୍ୟ ୬୦ କୋଟି ଟଙ୍କା ଦର୍ଶାଯାଇଛି ।
୨୦୧୯ ନିର୍ବାଚନରେ ଅପରାଧ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିଛି । ୨୦୧୪ ନିର୍ବାଚନରେ ଏହି ସଂଖ୍ୟା ଥିଲା ୨୩ ପ୍ରତିଶତ । ୨୦୧୯ରେ ତାହା ୩୦ ପ୍ରତିଶତ ରହିଛି । ମୋଟ ୧୧୨୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୯ ଜଣ ସେମାନଙ୍କ ବିରୋଧରେ ‘ମହିଳାଙ୍କୁ ଶୋଷଣ’ ଅଭିଯୋଗ ଥିବା ସତ୍ୟପାଠରେ ଦର୍ଶାଇ ଥିବା ବେଳେ ୨ ଜଣ ସେମାନଙ୍କ ବିରୋଧରେ ‘ଦୁଷ୍କର୍ମ ମାମଲା’, ୭ ଜଣ ସେମାନଙ୍କ ବିରୋଧରେ ‘ହତ୍ୟା’ ଅଭିଯୋଗ, ୯ ଜଣ ସେମାନଙ୍କ ବିରୋଧରେ ‘ହତ୍ୟା ଉଦ୍ୟମ’ ଅଭିଯୋଗ ଏବଂ ୧୭ ଜଣ ସେମାନଙ୍କ ବିରୋଧରେ ‘ଅପହରଣ ମାମଲା’ ଥିବା ଦର୍ଶାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS