୧୯୯୯ ମହାବାତ୍ୟା ଅନୁଭବରୁ କିଛି..
– ପ୍ରସାଦ ରାଓ –
ମୋ ଦେଖିବାରେ ଅନେକ ବାତ୍ୟା ଆସିଛି ଓ ଯାଇଛି । ତେବେ, ସ୍ମୃତି ହୋଇ ରହିଛି ୧୯୯୯ ମହାବାତ୍ୟା । ବ୍ରହ୍ମପୁର ‘ସମ୍ବାଦ’ ସଂସ୍କରଣରେ କାର୍ଯ୍ୟରତ ଥିବା ଅବସ୍ଥାରେ ଅଂଗେ ନିଭାଇବାର ସୁଯୋଗ ମିଳିଥିଲା ଏହି ମହାବାତ୍ୟାର । ଅକ୍ଟୋବର ୧୭ ତାରିଖ ରାତିରେ ସେହି ଅନୁଭବକୁ ବାଂଟିବାର ସୁଯୋଗ ମିଳି ନ ଥିଲା । ଆଜି ‘ଫୋନୀ’କୁ ନେଇ ଓଡ଼ିଶାର ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବା ବେଳେ ୧୯୯୯ ମହାବାତ୍ୟାର ସ୍ମୃତି ରୋମନ୍ଥନ କରିବାର ସୁଯୋଗ ମିଳିଛି ।
ରାତି ପାହିଲେ ମହାଷ୍ଟମୀ । ମା’ ଦୂର୍ଗାଙ୍କ ଅଷ୍ଟମୀ ପୂଜାକୁ ନେଇ ପ୍ରତ୍ୟେକଙ୍କ ମନରେ ଯେଉଁ ଉତ୍ସାହ ଓ ଉକ୍ରଣ୍ଠା ଥାଏ, ତାହା ବଖାଣିବା ଅନାବଶ୍ୟକ । ୧୭ ତାରିଖ ସୁଦ୍ଧା ବ୍ରହ୍ମପୁର ସହରର ବିଭିନ୍ନ ପୂଜା ପେଣ୍ଡାଲରେ ମେଢ ଭିଡା ସରିଥିଲା । ବାକି କାମ ସାରିବା ପାଇଁ ପୂଜା ମଣ୍ଡପଗୁଡିକ ଗହଳଚହଳ ଥିବା ସମୟରେ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ବର୍ଷା । ଲଘୁଚାପ ବର୍ଷା ହୋଇ ଥିବାରୁ କେହି ତାହାକୁ ଗୁରୁତ୍ୱ ଦେଇ ନ ଥିଲେ । କାରଣ, ମହାବାତ୍ୟାର ଅନୁଭବ କାହାରି ନ ଥିଲା । ମୁଁ ମୋ କାର୍ଯ୍ୟାଳୟରେ ବସି ପ୍ରଭାତୀ ସଂସ୍କରଣ ପାଇଁ ଖବର ପ୍ରସ୍ତୁତ କରୁଥିଲି । ବର୍ଷା କମିଲେ ଖବର ଲେଖା ସାରି ଘରକୁ ଫେରିବି । ସେହି ନିଶାରେ କାମ ସାରୁଥିବା ବେଳେ ବାହାରେ ବର୍ଷାର ବେଗ ବଢି ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରି ଥିଲା । ବାହାରେ ବର୍ଷା, ପବନରେ ମୋ ଅଫିସ ପ୍ରକୋଷ୍ଠର ଝରକା ସବୁ ପିଟି ହୋଇ କାଚ ସବୁ ଝୁଲିଲାଣି । ଟୁକୁରା ଟୁକୁରା ମୋ ଦେହ, ମୁହଁକୁ ଛୁଇକି ଉଡୁଥାଏ । ବିଦ୍ୟୁତ ବିଚ୍ଚିନ୍ନ ହୋଇ ବାହାରଟା ଅନ୍ଧାର । ଅଫିସ ବି ଅନ୍ଧାର । ପେଟ୍ରୋମାକ୍ସ ଆଲୁଅରେ କାମ କରୁ କରୁ ଚିନ୍ତା ବଢୁଥାଏ । ପାଂଚ କିମି ଦୂର ବ୍ରହ୍ମପୁର ଜାତୀୟ ରାଜପଥ ବାଇପାସରେ ଥିବା ସଂପାଦନା ବିଭାଗ ଓ ଛାପାଖାନା ସହ ଯୋଗଯୋଗ ସମ୍ଭବ ହେଉ ନ ଥାଏ । ସେଠାରେ କାମ କରୁଥିବା କର୍ମଚାରୀଙ୍କ କଣ, କେମିତି କାମ ହେଉଛି, ପର ଦିନର ଖବରକାଗଜ ଛପା ସମ୍ଭବ ହେବ କି ନାହିଁ – ଏହି ଚିନ୍ତା ମନକୁ ଘାରିଥାଏ । କାରଣ, ମୁଁ ନୂଆ କରି ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ପରିଚାଳନା ଭାର ମଧ୍ୟ ନେଇ ଥାଏ ।
ରାତି ପ୍ରାୟ ୧୧ଟା । ସିଟି ଅଫିସରେ ମୋ ପାଖରେ ଥିବା ସୀମିତ କର୍ମଚାରୀଙ୍କୁ ନେଇ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଲି । ପ୍ରେସ୍ ସହ ଯୋଗଯୋଗ ହୋଇ ପାରୁ ନ ଥିବାରୁ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଯୁଗ୍ମ ପରିଚାଳନା ନିର୍ଦେଶକଙ୍କୁ ପରିସ୍ଥିତି ଜଣାଇଲି । କୌଣସି ପ୍ରକାର ଖବରକାଗଜ ଛପା ହୋଇ ପାଠକଙ୍କ ନିକଟରେ ପହଂଚିବା ଆବଶ୍ୟକ ବୋଲି ମୁଖ୍ୟ କାର୍ଯ୍ୟାଳୟରୁ ନିର୍ଦେଶ ମିଳିବା ପରେ ମନରେ ଉକ୍ରଣ୍ଠା ବଢିଲା । ଛାପାଖାନାରେ ପହଂଚି ପାରିଲେ ଅନ୍ତତଃ ମନଟା ଶାନ୍ତ ହୁଅନ୍ତା । କିନ୍ତୁ, ବାହାରେ ଚାଲି ଥିବା ବର୍ଷା ଓ ପବନର ପ୍ରକୋପ ଏତେ ଦୂର ବଢି ଯାଇଥିଲା ଯେ କବାଟ ଖୋଲି ବାହାରିବା ସମ୍ଭବ ନ ଥିଲା । ଝରକା କାଚ ଭାଂଗି ସାରିଥାଏ । ଝରକା ବି ଭାଙ୍ଗିଲାଣି । ପର ଦିନ ସକାଳ ପାଇଁ ବିଜ୍ଞାପନ ପ୍ରସ୍ତୁତ ହେଉଥିବା କଂପ୍ୟୁଟର ରୁମ୍ ର ଝରକା ଉପୁଡି ଯାଇ ପ୍ରକୋଷ୍ଠରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଥାଏ । ପ୍ରଥମେ ସେହି କୋଠରୀର ସୁରକ୍ଷାକୁ ନଜରରେ ରଖି ଝୁଲି ପଡି ଥିବା ଝରକାକୁ ଟେକି ତା’ ସ୍ଥାନରେ ରଖିଲୁ । କୋଠରୀରେ ଗଦା ହୋଇ ରହିଥିବା ବର୍ଷ ଓ ମାସୱାରୀ ଖବରକାଗଜ ଫାଇଲଗୁଡିକୁ ବ୍ୟବହାର କଲୁ ଭଙ୍ଗା ଝରକାକୁ ଚାପି ରଖିବା ପାଇଁ । ବର୍ଷା ଓ ପବନ ଆମ ଦେହକୁ ଭିଜାଇ ସାରି ଥିଲା । କାର୍ଯ୍ୟାଳୟ ଭିତରେ ଯୁଆଡେ ଦେଖିଲେ ପାଣି । ଆଂଠୁ ପର୍ଯ୍ୟନ୍ତ ପାଣିରେ ବୁଡି ରହି ଅପେକ୍ଷା କଲୁ ବର୍ଷାର ପ୍ରକୋପ କମିବା ଯାଏଁ ।
ରାତି ପ୍ରାୟ ଗୋଟାଏ । ହଠାତ୍ ବର୍ଷା କମିଲା । ପବନର ବେଗ ମଧ୍ୟ କମିଲା । ଆଶ୍ୱସ୍ତ ହେଲି, ଏବେ ଅନ୍ତତଃ ହାଇୱେକୁ ଯାଇ ଛାପାଖାନା ଓ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଅବସ୍ଥା ଜାଣି ହେବ । ମୋ ସହ ନଗର କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସ୍ୱଳ୍ପ ସଂଖ୍ୟକ ସହଯୋଗୀଙ୍କୁ ପ୍ରବର୍ତର୍ାଇଲି ଟିକେ ଛାପାଖାନା ଆଡେ ବୁଲି ଆସିବା ବୋଲି । ଅଟୋ ଡ୍ରାଇଭର ପ୍ରଫୁଲ୍ଲ ପ୍ରଥମେ ପ୍ରଥମେ ରାଜି ନ ଥିଲା । ତେବେ, ମୋ ମାନସିକ ଅବସ୍ଥାକୁ ଦେଖି ସେ ରାଜି ହେଲା ଅଟୋ ନେଇ ମୋ ସହିତ ଯିବାକୁ । ଅଫିସରୁ ବାହାରି ବାଇପାସ୍ କୁ ଯିବାକୁ ଅଟୋ ଯେଉଁ ରାସ୍ତା ଧରିଲା ସବୁ ରାସ୍ତା ବନ୍ଦ । ରାସ୍ତା ଉପରେ ବଡ ବଡ ଗଛ ଓ ଲାଇଟ୍ ଖୁଂଟ ସବୁ ପଡି ରହିଛି । ତାର ସବୁ ଝୁଲି ରହି ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଛି । ଅଷ୍ଟମୀ ପୂଜା ପାଇଁ ନିର୍ମିତ ବିରାଟକାୟ ଦୁର୍ଗା ମେଢ ସବୁ ରାସ୍ତା ଉପରକୁ ମାଡି ପଡି ଥିବାରୁ ଗଳିପଶି ବାହାରିବା ମଧ୍ୟ ଅସମ୍ଭବ । ବର୍ଷା ପବନ କମୁ କମୁ ରାସ୍ତା ଉପରକୁ ଚାଲି ଆସିଛନ୍ତି ବିଭିନ୍ନ ସାହିର ବାଳୁଙ୍ଗାମାନେ । ବାତ୍ୟା ପବନରେ ରାସ୍ତାକୁ ଉଡି ଆସିଥିବା ଆଜବେଷ୍ଟସ ଠାରୁ ଆରମ୍ଭ କରି ଅନ୍ୟ ସବୁ ଜିନିଷ ଗୋଟାଇବାକୁ ଲାଗି ଥାଏ ପ୍ରତିଯୋଗିତା । ଆମେ ସେହି ରାସ୍ତା ଛାଡ଼ି ବିକଳ୍ପ ରାସ୍ତା ଧରିଲୁ । ରାସ୍ତାରେ ପଡି ଥିବା ଇଲେକ୍ ଟ୍ରି ତାର ଓ ଖୁଂଟ ତଳେ ଗଳିପଶି ଦ୍ୱିତୀୟ ରାସ୍ତାରେ କିଛି ବାଟ ଯାଇଛୁ ପୁଣି ସେହି ପ୍ରତିବନ୍ଧକ । ରାସ୍ତା ବନ୍ଦ । ବିରାଟକାୟ ପୂଜା ମେଢ ସବୁ ରାସ୍ତା ବନ୍ଦ କରି ପଡି ରହିଛି । ଆମେ ବାଇପାସ୍ ଧରି ନ ପାରି ଚିନ୍ତିତ ଅବସ୍ଥାରେ ଅଫିସକୁ ଫେରୁ ଫେରୁ ବାଟରେ ମାଡ କଲା ଫେରନ୍ତି ବାତ୍ୟାର ପବନ । ତାହା ଥିଲା ଅତ୍ୟନ୍ତ ଭୟଙ୍କର । ୨୦୦ରୁ ୨୨୦ କମି ବେଗରେ ପବନ ସହ ରାତି ସାରା ଲାଗି ରହିଲା ବର୍ଷା । ଜୀବନ ବଂଚାଇ ଫେରି ଆସି ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଲୁ । ଠାକୁରଙ୍କ ନାମ ସ୍ମରଣ କରି ଅନ୍ଧାର ଓ ଆଂଠୁଏ ପାଣିରେ ବସି ରହିଲୁ ନଗର କାର୍ଯ୍ୟାଳୟରେ ।
୧୮ ତାରିଖ ଭୋର ୫ଟା । ବର୍ଷା ଛାଡି ଯାଇ ଥାଏ । ପବନ ବି ବନ୍ଦ । ସୂର୍ଯ୍ୟଙ୍କ ସୁନେଲି କିରଣ ପୂର୍ବ ରାତିର ଭୟଙ୍କର ବାସ୍ତବତାକୁ ନକାରି ଦେଇଥାଏ । ଅଫିସରୁ ବାହାରି ପ୍ରଥମେ ମୋ ମୋଟର ସାଇକଲ୍ କୁ ପରଖି ନେଲି । ସୁଜକି ଗାଡି କ୍ୟାଂପସ ଭିତରେ ସେଇମିତି ଠିଆ ରହିଛି । ପ୍ରଶାସନ ପକ୍ଷରୁ ରାସ୍ତାରେ ଶୋଇ ରହି ଥିବା ଗଛ ସବୁ କାଟି ରାସ୍ତା ଖୋଲିବା କାର୍ଯ୍ୟ ଆରମ୍ଭ ହୋଇ ସାରିଥାଏ । ପ୍ରେସ୍ କର୍ମଚାରୀଙ୍କ ହାଲଚାଲ ଜାଣିବା ସକାଶେ ବ୍ୟଗ୍ରତା ବଢୁ ଥାଏ । ତେବେ, ହାଇୱେ ଯିବାକୁ ପଡିଲା ନାହିଁ । ପ୍ରେସ୍ ରେ କାମ କରୁଥିବା ସହଯୋଗୀମାନେ ବର୍ଷା ଛାଡୁ ଛାଡୁ ସହରକୁ ଫେରୁ ଥା’ନ୍ତି । ସେମାନଙ୍କ ଅଭିଜ୍ଞତା ଥିଲା ଅଧିକ ଭୟଙ୍କର । ଛାପାଖାନାର ଆଜବେଷ୍ଟସ ଛାତରୁ କିଛି ଟିଣ ଉଡି ଯାଇ ଭୟଙ୍କର ପବନ ଓ ବର୍ଷା ଭିତରକୁ ପଶିବା ଦେଖି ସେମାନେ ରାତି ସାରା କଟାଇ ଥିଲେ ନିକଟସ୍ଥ ଏକ ଛୋଟ କଂକ୍ରିଟ ଛାତ ଥିବା ଘର ଭିତରେ । ସେମାନଙ୍କ ଆଖି ସାମନାରେ ବଡ ବିଜୁଳିଟିଏ ମାରି ଆଖି ପଲକରେ ଜାଳି ଦେଇଥାଏ ଛାପାଖାନା ପରିସରରେ ଥିବା ଗୋଟିଏ ନଡ଼ିଆ ଗଛର ଉପର ଭାଗକୁ । ଭଗବାନଙ୍କ ନାମ ସ୍ମରଣ କରି ସେମାନେ ରାତି କଟାଇ ଥିବା କହିଥିଲେ । ଘରକୁ ଫେରି ଦେଖିଲି ମୋ ପରିବାର ସୁରକ୍ଷିତ । ରାତି ଅନିଦ୍ରାର କ୍ଲାନ୍ତି ମେଂଟାଇବାକୁ କିଛି ସମୟ ଶୋଇ ପଡିଲି । ଉଠିବା ପରେ ଆରମ୍ଭ ହେଲା ବାତ୍ୟା କ୍ଷୟକ୍ଷତିର ଖବର ସଂଗ୍ରହ ।
୧୯୯୯ ଅକ୍ଟୋବର ୧୭ ତାରିଖ ରାତି ମହାବାତ୍ୟା ଲୋକଙ୍କ ମନରୁ ଦୂର୍ଗା ପୂଜାର ଆନନ୍ଦ ପୋଛି ଦେଇଥାଏ । କଚ୍ଚା ଘର ସବୁ ଭାଙ୍ଗି ଯାଇ ବା ଭୁଷୁଡି ପଡି କିଛି ଲୋକଙ୍କ ମୃତ୍ୟୁ ଘଟି ଥିବା ଖବର ପହଂଚି ଥାଏ । କ୍ଷୟକ୍ଷତିର ପରିମାଣ ବହୁ ଅଧିକ । ମୋ’ ସହଯୋଗୀ ସନ୍ଧ୍ୟା ସୁଦ୍ଧା ୫୦ରୁ ଅଧିକ ଫଟୋ ସଂଗ୍ରହ କରି ସାରିଥା’ନ୍ତି । ମିଳିଥିବା କ୍ଷୟକ୍ଷତି ସଂପର୍କିତ ତଥ୍ୟ ଓ ଫଟୋର ବ୍ୟବହାର କେମିତି କରିବୁ ସେହି ଚିନ୍ତାରେ ଥିବା ସମୟରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରୁ କିଛି ସହଯୋଗୀ ପହଂଚିଲେ ଗାଡିଟିଏ ଧରି । ଆମଠାରୁ ମହାବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଓ ଫଟୋ ଧରି ରାଜଧାନୀ ଫେରିବାକୁ ସେମାନଙ୍କୁ ନିର୍ଦେଶ ଥିଲା ।
୧୯୯୯ ମହାବାତ୍ୟା ସମୟରେ ଡ଼ିଜିଟାଲ କ୍ୟାମେରା ବ୍ୟବହାର ବିଶେଷ ନ ଥିଲା । ରିଲ୍ କ୍ୟାମେରାରେ ଫଟୋ ଉଠାଇ ଧୁଆ ହେବା ପରେ ତାହା ଛପା ହେଉଥିଲା । ଆମ ପାଇଁ ଚିନ୍ତା ଥିଲା ଫଟୋ ସବୁ କେମିତି ଧୁଆଇ ପଜେଟିଭ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବୁ । ବିଦ୍ୟୁତ ଖୁଂଟ ସବୁ ଭାଙ୍ଗି ପଡିଛି, ତାର ଛିଡି ଯାଇଛି । ସହର ଅନ୍ଧାର । ଦୋକାନ ବଜାର ବନ୍ଦ । କୌଣସି ପ୍ରକାର ଜଣେ ଷ୍ଟୁଡିଓ ମାଲିକଙ୍କୁ ପ୍ରବର୍ତାଇ ଦୋକାନ ଖୋଲାଇଲୁ । ଜେନେରେଟରଟିଏ ଯୋଗାଡ କରି ଫଟୋ ସବୁ ଧୁଆଇଲୁ । ଓଦା ଫଟୋ ସବୁ ଆଣି ଅଫିସରେ ଶୁଖାଇବା ଭିତରେ ପେଟ୍ରୋମାକ୍ସ ଆଲୁଅରେ ହାତ ଲେଖା ରିପୋର୍ଟ ପ୍ରସ୍ତୁତ କଲି । ରାତି ୧୦ଟାରେ ଭୁବନେଶ୍ୱର ଟିମ୍ ରିପୋର୍ଟ ଓ ଫଟୋ ଧରି ଫେରିଲେ । ପରଦିନ ସକାଳେ ଚାରି ପୃଷ୍ଟା କାଗଜ ଛପା ହୋଇ ବ୍ରହ୍ମପୁର ସହରରେ ପହଂଚିଲା । ପାଠକ ବାତ୍ୟା କ୍ଷୟକ୍ଷତିର ବିସ୍ତୃତ ବିବରଣୀ ଜାଣିଲେ । ସପ୍ତାହ କାଳ ଏହି ଭଳି କାଗଜ ଛପା ହୋଇ ଆସିଲା । ୨୧ରୁ ୩୦ ଦିନ ଲାଗିଲା ସହରରେ ବିଦ୍ୟୁତ ସେବା ବାହାଲ ହେବାକୁ । ତାହା ପୁଣି ସମ୍ଭବ ହୋଇ ଥିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅକୁଣ୍ଠ ସହଯୋଗରୁ । ଆନ୍ଧ୍ରରୁ ଆସିଥିବା ଦକ୍ଷ ବିଦ୍ୟୁତ କର୍ମଚାରୀ ଦଳ ସାହି ସାହି ବୁଲି ଖୁଂଟ ସଜାଡିବା ସହ ତାର ଟାଣି ବିଦ୍ୟୁତ ସରବରାହ ବାହାଲ କରିଥିଲେ ।
୧୯୯୯ ମହାବାତ୍ୟାର ଆଉ ଏକ ଦିଗ ଥିଲା, ଏହି ମହାବାତ୍ୟା ଗୋପାଳପୁର ସମୁଦ୍ର ଉପକୂଳରୁ ସିଧା ମାଡି ଯାଇଥିଲା ଗୋଟିଏ ନିର୍ଦ୍ଧିଷ୍ଟ ଦିଗକୁ । ପୁରୁଷୋତ୍ତମପୁର ଦେଇ ମାଡି ଯିବା ଓ ଫେରିବା ବାଟରେ ଏହି ମହାବାତ୍ୟା ପୋଛି ଦେଇଥିଲା ସମସ୍ତ ସବୁଜିମାକୁ । ପାହାଡ ସବୁ ଲଂଡା ହୋଇଯାଇଥିଲା । ଏପରିକି, ବ୍ରହ୍ମପୁର ସହର ଠାରୁ ୩୫ କିମି ଦୂର ପୁରୁଷୋତ୍ତମପୁର ସହରକୁ ଯିବା ବାଟରେ ପଡୁ ଥିବା ତାରାତାରିଣୀ ପୀଠର ସବୁଜିମା ସଂପୂର୍ଣର୍ ଧ୍ୱଂସ ହୋଇ ପାହାଡ ଉପର ସୌନ୍ଦର୍ଯ୍ୟହୀନ ହୋଇପଡିଥିଲା ।
୧୯୯୯ ଅକ୍ଟୋବର ୧୭ ତାରିଖ ମହାବାତ୍ୟାକୁ ଅଙ୍ଗେ ନିଭାଇ ଥିବା ଗଂଜାମବାସୀ ହିଁ ଏହାର ଭୟାବହତାକୁ ଅନୁଭବ କରିଥିଲେ । ରାଜଧାନୀରେ କେହି ଏହି ମହାବାତ୍ୟାକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲେ । ସେହି ବର୍ଷ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ଆଉ ଏକ ମହାବାତ୍ୟା ରାଜ୍ୟବାସୀ ଓ ସରକାରଙ୍କ ଆଖି ଖୋଲି ଦେଲା । ଭୁନେଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଅଂଚଳରେ ତାହା ବ୍ୟାପକ ସଂହାରଲୀଳା ଓ କ୍ଷୟକ୍ଷତି ଘଟାଇ ରାଜ୍ୟବାସୀଙ୍କୁ ମହାବାତ୍ୟାର ଅନୁଭବ ଦେଇଥିଲା । ବର୍ତମାନ ବିଜେପିରେ ଥିବା ବରିଷ୍ଠ ନେତା ଗିରିଧର ଗମାଂଗ ସେହି ସମୟରେ ରାଜ୍ୟରେ ଥିବା କଂଗ୍ରେସ ସରକାରର ମୁ୍ଖ୍ୟମନ୍ତ୍ରୀ ଥିଲେ । ମହାବାତ୍ୟା ପରବର୍ତୀ ପରିସ୍ଥିତିର ମୁକାବିଲାରେ ବିଫଳ ହୋଇ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେଲେ ଏବଂ ୨୦୦୦ ମସିହାରେ ରାଜ୍ୟରେ ବିଜେଡ଼ି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁନର୍ଗଠନ କାର୍ଯ୍ୟ ଆରମ୍ଭ ହୋଇଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS