‘ଫନି’ର ଦୁଃଖଦ ଅନୁଭବ
– ପ୍ରସାଦ ରାଓ –
‘ଫନି’ ଚାଲି ଯାଇ ସପ୍ତାହେ ବିତିଲାଣି । କିନ୍ତୁ, ଏହି ମହାବାତ୍ୟା ଛାଡି ଯାଇ ଥିବା ଦୁଃଖଦ ଅନୁଭବ ଆଉ ଏକ ଅଲିଭା ସ୍ମୃତି ହେବାକୁ ଯାଉଛି । ୧୯୯୯ ମହାବାତ୍ୟାର ଅନୁଭବ ଥାଇ ମୁଁ ୨୦୧୯ ସୁପର ମହାବାତ୍ୟାକୁ ଅନୁଭବ କରିଛି । ଦୁଇ ମହାବାତ୍ୟାର ଅନୁଭବ ଭିନ୍ନ । ତେଣୁ, ‘ଫନି’କୁ ନେଇ ଯେଉଁ ଅନୁଭବ ହୋଇଛି ତାହାକୁ ପାଠକଙ୍କୁ ବାଂଟିବା ଉଚିତ ମନେ କରୁଛି ।
‘ଫନି’ ଥିଲା ଅନେକଙ୍କ ପାଇଁ ପ୍ରଥମ ଅନୁଭବ । ମେ’ ୩ ତାରିଖ ସକାଳେ କେହି ଭାବି ନ ଥିଲେ ଏହି ବାତ୍ୟା ଏତେ ମାତ୍ରାରେ ଯନ୍ତ୍ରଣା ଦେବ । ବର୍ଷା ଋତୁର ଝଡବାତ୍ୟା ବା ଶୀତ ଋତୁରେ ଆସୁଥିବା ବାତ୍ୟା ଭଳି ଏହା ମଧ୍ୟ ଏକ ବାତ୍ୟା । ଜୋରରେ ପବନ ବହିବ, ଲଗାଣ ବର୍ଷା ହେବ । ଏବଂ, କିଛି ଘଂଟା ପରେ ସବୁ କିଛି ସ୍ୱାଭାବିକ ହୋଇ ଯିବ । ବିଦ୍ୟୁତ ବିଚ୍ଛିନ୍ନ ହେଲେ ବି ୨୪ ଘଂଟା ମଧ୍ୟରେ ସଜାଡି ହୋଇ ଜୀବନ ତା’ ବାଟର ଚାଲିବ । ଲଗାଣ ବର୍ଷାରେ ଚାଷବାସ ଯାହା କ୍ଷତିଗ୍ରସ୍ତ ହେବ । ଅଧିକ ବର୍ଷା ହେଲେ ନଦୀ, ନାଳରେ ବନ୍ୟା ଆସିବ । ଏହା ଥିଲା ୧୯୯୯ ମହାବାତ୍ୟାର ଅନୁଭବ ନ ଥିବା ସାଧାରଣ ମଣିଷର । ଯେଉଁମାନେ ୧୯୯୯ ମହାବାତ୍ୟାକୁ ଅଙ୍ଗେ ନିଭାଇଛନ୍ତି ସେମାନଙ୍କ ଆକଳନ ଥିଲା ଭିନ୍ନ । ମନରେ ଭୟ ଥିଲା । ପାଣିପାଗ ବିଭାଗ ବାରମ୍ବାର କହୁଥିଲେ ‘ଫନି’ ଭୟଙ୍କରରୁ ଭୟଙ୍କର ବାତ୍ୟାର ରୂପ ନେଇ ଓଡ଼ିଶା ମୁହାଁ ମାଡି ଆସୁଛି । ଏହାର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ପ୍ରଥମ ଆକଳନ ଥିଲା, ଏହି ମହାବାତ୍ୟା ଦକ୍ଷିଣ ଉପକୂଳର ଚେନ୍ନାଇରୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ମଧ୍ୟରେ ସୀମିତ ରହିବ । ଓଡ଼ିଶାର ଦକ୍ଷିଣାଂଚଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ମିଳି ଥିଲା । ଉପକୂଳ ଓଡ଼ିଶାରେ ୫୦ରୁ ୭୦ କିମି ବେଗରେ ପବନ ସହ ବର୍ଷା ହେବ ବୋଲି କୁହାଯାଇଥିଲା । ପରବର୍ତୀ ସମୟରେ ‘ଫନି’ ଗତିପଥ ବଦଳାଇ ଓଡ଼ିଶା ମୁହାଁ ହେବ ଏବଂ ପୁରୀରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ବିଭାଗ ସତର୍କ ସୂଚନା ଦେଇଥିଲା ।
ପୁରୀ ସହର ଓ ଆଖପାଖ ଅଂଚଳ ଏହି ଭୟଙ୍କର ମହାବାତ୍ୟାର ଶିକାର ହେବାକୁ ଯାଉଥିବା ସୂଚନା ଓଡ଼ିଶାବାସୀଙ୍କୁ ଭୟଭୀତ କରି ଥିଲା ସିନା ଅତୀତର ‘ଫାଇଲିନ୍’, ‘ହୁଡହୁଡ’ ଓ ‘ତିତଲି’ ବାତ୍ୟାକୁ ଆଖିରେ ରଖି ସମସ୍ତେ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ନେଇ ଥିଲେ । ୨ ତାରିଖ ସନ୍ଧ୍ୟାରୁ ହାଟ ବଜାରରୁ ଆଳୁ, ପିଆଜ, ଚୁଡା, ଗୁଡ, କ୍ୟାଣ୍ଡେଲ୍, ଦିଆସିଲି ଗାଏବ ହୋଇଗଲା । ହଠାତ୍ କିଲୋ ୧୨ଟଙ୍କାରେ ମିଳୁଥିବା ଆଳୁର ଦର ୨୫ରୁ ୩୦ ଟଙ୍କା ଏବଂ ପିଆଜ ୨୦ ଟଙ୍କାରୁ ୩୦ ଟଙ୍କାକୁ ଡ଼ିଆଁ ମାରିବା ଯେମିତି ଅତି ସାଧାରଣ କଥା ଥିଲା । ବଜାରରେ ଯେଭଳି ଭିଡ ଥିଲା ରାସ୍ତାରେ ତାହା ଟ୍ରାଫିକ୍ ଜାମ୍ ଆକାରରେ ପ୍ରତିଫଳିତ ହେଉଥିଲା । ଜୁଆଡେ ଗଲେ ଗୋଟିଏ କଥା, ବାତ୍ୟା ମାଡ଼ି ଆସୁଛି । ଛୋଟ କ୍ୟାଣ୍ଡେଲ୍ ଗୋଟିକର ଦାମ ୧୦ ଟଙ୍କା । ତାହା ମଧ୍ୟ ଜଣ ପିଛା ଦୁଇଟିରୁ ଅଧିକ ନୁହେଁ । ପନି ପରିବା ଦର ମଧ୍ୟ ଆକାଶଛୁଆଁ । ଲୋକଙ୍କ ବିକଳ ଅବସ୍ଥାକୁ ଦେଖି ବେପାରୀ ହାଂକି ଚାଲି ଥିଲେ । ରାଜ୍ୟ ସରକାରଙ୍କ ମାର୍କେଟିଂ ଇଂଟେଲିଜେନ୍ସ ବିଭାଗ ନାହିରେ ତେଲ ଦେଇ ଶୋଇଥିଲା।
ମେ’ ୨ ତାରିଖ ସନ୍ଧ୍ୟାରୁ ଖବର ଚାଲି ଥିଲା ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅତ୍ୟନ୍ତ ଭୟଂକର ମହାବାତ୍ୟାର ରୂପ ନେଇ ମାଡ଼ି ଆସୁଛି ଓଡ଼ିଶାକୁ । ପୁରୀ ଉପକୂଳରେ ଥିବା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ତାହା ସ୍ଥଳଭାଗ ଛୁଇଁବ । ମହାବାତ୍ୟାର କେନ୍ଦ୍ର ବା ‘ଆଖି’ପୁରୀରେ ଛୁଇଁଲେ ତାହାର ୫୦ କିମି ବ୍ୟାସାର୍ଦ୍ଧରେ ଥିବା ଅଂଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ରାଜଧାନୀ ଭୁବନେଶ୍ୱର ମହାନଗର ଏହି ବ୍ୟାସାର୍ଦ୍ଧରେ ଥିବାରୁ ଅତ୍ୟାଧୁନିକ ଜୀବନଶୈଳୀରେ ଅଭ୍ୟସ୍ତ ରାଜଧାନୀ ବାସିନ୍ଦା ଆତଙ୍କିତ ହେଲେ ସିନା ସେମାନଙ୍କ ମନରେ ଭୟ ଅପେକ୍ଷା ଉତ୍କଂଠା ଅଧିକ ମାତ୍ରାରେ ରହି ଥିଲା । ସମସ୍ତେ ନିଜ ନିଜ ପରିବାରର ସୁଖ, ସୁବିଧା ଓ ସୁରକ୍ଷାକୁ ନେଇ ବ୍ୟଗ୍ର । ୩ ତାରିଖ ସକାଳେ କଣ ହେବାକୁ ଯାଉଛି, ସେ ନେଇ କାହାରି ସ୍ପଷ୍ଟ ଧାରଣା ନ ଥିଲା । ଅନେକ ସମୟରେ ପାଣିପାଗ ବିଭାଗ ଆକଳନ ଓ ବାସ୍ତବତା ମଧ୍ୟରେ ଭିନ୍ନତା ଦେଖା ଦେଇଛି । ଗଣମାଧ୍ୟମରେ ପ୍ରସାରିତ ଖବର ଅତିରଂଜିତ ଏବଂ ଲୋକଙ୍କ ମନରେ ଭୟ ଭରିବାକୁ ଉଦ୍ଦିଷ୍ଟ ବୋଲି ମଧ୍ୟ ସାଧାରଣରେ ଧାରଣା ରହିଛି । ତେଣୁ, ‘ଫନି’ର ଲ୍ୟାଣ୍ଡଫଲ୍ କୁ ନେଇ ଆସୁଥିବା ଖବରକୁ ସମସ୍ତେ ଗୁରୁତ୍ୱ ଦେଉଥିଲେ ମଧ୍ୟ ଆସୁଥିବା ମହାବାତ୍ୟାର ଭୟାବହତାକୁ ଠିକ୍ ଆକଳନ କରି ପାରି ନ ଥିଲେ । ତେଣୁ, ପରବର୍ତୀ ସ୍ଥିତି ଯନ୍ତ୍ରଣାଦାୟକ ହୋଇଥିଲା ।
ରାଜଧାନୀରେ ମେ’ ୨ ତାରିଖ ସକାଳ ଖରାଟିଆ ଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ତୁହାକୁ ତୁହା ବର୍ଷା । ଲାଲ୍ ଦିଶୁଥିବା ଆକାଶ ସୂଚନା ଦେଉଥିଲା – ବିପଦ ମାଡି ଆସୁଛି । ବାତ୍ୟାର ଅଗ୍ରଗତି ସଂପର୍କରେ ଜାଣିବାର ଏକମାତ୍ର ସାଧନ ଥିଲା – ‘ଫେସବୁକ୍ ଲାଇଭ୍’ । ‘ଫନି’ ଘଂଟାକୁ ୧୫ରୁ ୧୭ କିମି ବେଗରେ ମାଡି ଆସୁଥିଲା ଓଡ଼ିଶା ମୁହାଁ । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ଏହାର ‘ଲ୍ୟାଣ୍ଡଫଲ୍’ ହେବା ସୂଚନା ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଡେରା ପକାଇଲେ ଅଭୟାରଣ୍ୟ ନିକଟସ୍ଥ ଅଂଚଳରେ । ଅଭୟାରଣ୍ୟରେ ବହୁ ସଂଖ୍ୟାରେ ହରିଣ ଓ ଅନ୍ୟାନ୍ୟ ଜୀବଜନ୍ତୁ ରହୁ ଥିବା ଦୃଷ୍ଟିରୁ ମୁକ ପ୍ରାଣୀଙ୍କ ସୁରକ୍ଷା ଚିନ୍ତା ଘାରି ଥିଲା ପରିବେଶ-ପ୍ରେମୀଙ୍କୁ ।
ତେବେ, ରାଜ୍ୟ ସରକାର ‘ଫନି’ ମୁକାବିଲା ପ୍ରସ୍ତୁତିରେ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଥିବା ମଣିଷଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟକୁ ଯେଉଁ ପରିମାଣରେ ଗୁରୁତ୍ୱ ଦେଇଥିଲେ ସେତିକି ଗୁରୁତ୍ୱ ଦେଇ ନ ଥିଲେ ଅଭୟାରଣ୍ୟରେ ଥିବା ମୁକ ଜୀବଜନ୍ତୁଙ୍କୁ। ତେଣୁ, ମହାବାତ୍ୟାର ପ୍ରତ୍ୟକ୍ଷ କରିବାକୁ ପୁରୀ, ଭୁବନେଶ୍ୱର, ଗୋପାଳପୁର ସମେତ ରାଜ୍ୟର ୧୧ଟି ଜିଲ୍ଲାରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଜୀବନହାନୀ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରଖି ପାରି ଥିବାରୁ ରାଜ୍ୟ ସରକାର ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିବା ବେଳେ ମହାବାତ୍ୟା ବିଭୀଷିକା ପରେ ବନ ବିଭାଗ ଅଧିକାରୀମାନେ ଖୋଜୁଛନ୍ତି ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ହରିଣଙ୍କୁ । ମେ’ ୩ ତାରିଖ ପୂର୍ବାହ୍ନର ଭୟଙ୍କର ‘ଫନି’ ମହାବାତ୍ୟା ଉଜାଡି ଦେଇଛି ବାଲୁଖଣ୍ଡ ଅଭୟାରଣ୍ୟ ଓ ଆଖପାଖ ଅଂଚଳକୁ । ବାଳୁକା ସ୍ତୁପରେ ପୋତି ହୋଇଯାଇଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ । ପୁରୀ, କୋଣାର୍କ ଓ ଭୁବନେଶ୍ୱର ସହରର ଛାରଖାର ଅବସ୍ଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପାଇଁ ଶକ୍ତ ଧକ୍କା ହୋଇଛି । ବାଲୁଖଣ୍ଡ ଅଭୟାରଣ୍ୟରୁ ଜୀବଜନ୍ତୁଙ୍କ ପଚା ଶବର ଦୁର୍ଗନ୍ଧ ବାହାରକୁ ଆସୁଥିବା ଅଂଚଳବାସୀ କହୁ ଥିବା ସମୟରେ ଅଭୟାରଣ୍ୟରୁ କୌଣସି ଜନ୍ତୁର ଶବ ମିଳି ନ ଥିବା ବନ ବିଭାଗ କହିଛନ୍ତି । ତଥାପ, ପରିସ୍ଥିତି ଯାହା ହୋଇଛି ଆସନ୍ତା ଦିନରେ ଏହି ଅଂଚଳରେ ମହାମାରୀ ବ୍ୟାପିବା ଆଶଙ୍କା କରୁଛନ୍ତି ଏଡାଇ ହେବ ନାହିଁ ।
ମେ’ ୩ ତାରିଖ ଓ ତତ୍ ପରବର୍ତୀ ‘ଫନି’ ଜନିତ ଯନ୍ତ୍ରଣାର କାରଣ ହେଉଛି, ଏହି ମହାବାତ୍ୟାର ଉଗ୍ରତାକୁ ଆକଳନ କରିବାରେ ସରକାରଙ୍କ ବିଫଳତା । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡ଼ି ସରକାର ପ୍ରତିଷ୍ଠା ହେବା ପରେ ୧୯୯୯ ମହାବାତ୍ୟା ପରବର୍ତୀ ପୁନର୍ଗଠନ କାର୍ଯ୍ୟ ହୋଇଛି ସିନା ସରକାର ଏଭଳି ଏକ ବଡ଼ ବିପଦର କେବେ ସମ୍ମୁଖୀନ ହୋଇ ନ ଥିଲେ । ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡି ହୋଇଛି । ରାଜ୍ୟ ସରକାର ୨୦୧୩ରେ ‘ଫାଇଲିନ୍’, ୨୦୧୪ରେ ‘ହୁଡ଼ହୁଡ଼’ ଏବଂ ୨୦୧୫ରେ ଗୁରୁତର ମରୁଡି ପରିସ୍ଥିତି ଓ ୨୦୧୮ରେ ‘ତିତଲି’ ଭଳି ବାତ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ, ‘ଫନି’ର ସ୍ୱରୂପ ଥିଲା ସଂପୂର୍ଣ୍ଣ ଭିନ୍ନ । ମେ’ ୩ ତାରିଖ ସକାଳେ ବର୍ଷା ଓ ପବନର ବେଗ ଟିକିଏ ଅଧିକ ଥିଲା । କିନ୍ତୁୁ, ପୂର୍ବାହ୍ନ ବେଳକୁ ତାହାର ପରିମାଣ ବୃଦ୍ଧି ପାଇ ‘ଫନି’ ପୁରୀରେ ସ୍ଥଳଭାଗ ଛୁଉଁ ଥିବାର ଆଭାସ ଦେଇଥିଲା । ହଠାତ୍ ପବନ ଓ ବର୍ଷାର ବେଗ ଦୃତ ଗତିରେ ବୃଦ୍ଧି ପାଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିଲା । ପୁରୀରେ ୨୦୦ କିମିରୁ ଅଧିକ ବେଗରେ ପବନ ବହିବା ସହ ପ୍ରଳୟଂକରୀ ବର୍ଷା ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଅଂଚଳକୁ ଛାରଖାର କରି ଦେବା ସହ ‘ଆଖି’ର ୫୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଖୋର୍ଦ୍ଧା ଓ ଭୁବନେଶ୍ୱର ମହାନଗର ଅଂଚଳକୁ ଦୋହଲାଇ ଦେଇଥିଲା । ଭୁବନେଶ୍ୱରରେ ବର୍ଷା ଓ ପବନର ବେଗ ଘଂଟା ପ୍ରତି ୧୪୫ କିମି ଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ତାହା ୧୫୦ରୁ ୧୭୦ କିମି ବୋଲି ଘରୋଇ ଭାବେ ଆକଳନ କରାଯାଉଛି । ଏହି ପବନ ଓ ବର୍ଷା ସମୟରେ ପକ୍କା ଘର ମଧ୍ୟ ସୁରକ୍ଷିତ ମନେ ହେଉ ନ ଥିଲା । ବାହାରେ ପ୍ରଳୟଙ୍କରୀ ଗର୍ଜନ ସହ ବର୍ଷା, ପବନ ଚାଲି ଥିଲା ବେଳେ ଘର ଭିତରେ ଥିବା ମଣିଷ ଭୟରେ ଥରୁ ଥିଲା । ନିଜକୁ ଓ ଘର ଭିତରେ ଥିବା ଆସବାବପତ୍ରକୁ ସମ୍ଭାଳିବାକୁ ପ୍ରତ୍ୟେକ ପରିବାର ସଂଘର୍ଷ କରୁଥିଲେ । ସୁ..ସୁ ଗର୍ଜନ ସହ ପବନ ଓ ବର୍ଷା ଯେଭଳି ତାଣ୍ଡବ ସୃଷ୍ଟି କଲା ସେଥିରେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହେଲା ସମଗ୍ର ଭୁବନେଶ୍ୱର । ଛୋଟ ବଡ ଗଛ, ଲାଇଟ୍ ଖୁଂଟ, ଘରର ଆଜବେଷ୍ଟସ ଛାତ, ପାଣି ଟାଂକି, ଟିଭି ଆଂଟେନା ସବୁ ସୁଅ ମୁହଁରେ ପତର ଭଳି ଉପୁଡ଼ିବାରେ ଲାଗିଲା । ବଡ ବଡ ବିଦ୍ୟୁତ, ଟେଲିଫୋନ୍ ଓ ମୋବାଇଲ୍ ଟାୱାର ଧନୁ ଭଳି ବଂକା ହୋଇ ରାସ୍ତାରେ ଲୋଟିଲା । ବୈଦ୍ୟୁତିକ ଗଣମାଧ୍ୟମ ଛାତରେ ଲାଗି ଥିବା ବିରାଟକାୟ ଛତା ସବୁ ମୋଡିବାଙ୍କି ହୋଇ ପ୍ରସାରଣ ବନ୍ଦ ହୋଇଗଲା । ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ‘ଫନି’ କିଛି ସମୟ ପାଇଁ ଶାନ୍ତ ରହିବା ପରେ ଯେଉଁ ଫେରନ୍ତି ବାତ୍ୟା ଆସିଲା ତାହା ଅପରାହ୍ନ ଯାଏଁ ତାଣ୍ଡବ ସୃଷ୍ଟି କଲା । ପ୍ରଥମ ବାତ୍ୟାରେ ଯାହା କିଛି ବର୍ତୀ ଯାଇଥିଲା ତାହାକୁ ପୋଛି ନେଲା ଫେରନ୍ତି ବାତ୍ୟା । ୧୯୯୯ ମହାବାତ୍ୟାରେ ମଧ୍ୟ ସେହି ଏକାପ୍ରକାର ଧ୍ୱଂସ ଲିଳା ଦେଖିଥିଲୁ । ୨୦୧୯ରେ ପୁରୀ, ଖୋର୍ଦ୍ଧା ଓ ରାଜଧାନୀବାସୀ ପ୍ରତ୍ୟକ୍ଷ ଅନୁଭବ ପାଇଥିଲେ ମହାପ୍ରଳୟର।
୧୯୯୯ ମହାବାତ୍ୟା ଅଧିକ ଭୟଙ୍କର ଥିଲା ନା ୨୦୧୯ ମହାବାତ୍ୟା ? ଏହି ପ୍ରଶ୍ନକୁ ନେଇ ଭିନ୍ନମତ ପ୍ରକାଶ ପାଉଛି । ତେବେ, ପାଣିପାଗ ବିଶେଷଜ୍ଞ କହୁଛନ୍ତି ୧୯୯୯ ବାତ୍ୟା ଅଧିକ ଭୟଙ୍କର ଥିଲା ସିନା ୨୦୧୯ ମହାବାତ୍ୟା ଅଧିକ କ୍ଷୟକ୍ଷତି କରିଛି । ‘ଫନି’ର ବିଶେଷତ୍ୱ ହେଲା – ଏହି ମହାବାତ୍ୟା ପୁରୀ ନିକଟକୁ ଆସିବା ପୂର୍ବରୁ ଶ୍ରୀକ୍ଷେତ୍ରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚୂଡାରୁ ବାନା ଉଡ଼ାଇ ଦେଇଥିଲା । ପୁରୀ ସହରବାସୀ ପୂର୍ବରୁ କେବେ ଏଭଳି ମହାବାତ୍ୟାକୁ ପ୍ରତ୍ୟକ୍ଷ କରି ନାହାନ୍ତି । ବାତ୍ୟା ପବନରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଚୂଡାରେ ଲାଗି ଥିବା ବାନା ଝିଣ୍ଡି ଉଡିଯିବା ଏବଂ ପୁରୀ ସହର ଧ୍ୱସ୍ତବିଧ୍ୱସ୍ତ ହେବା ଆଗାମୀ ପ୍ରଳୟର ପୂର୍ବ ସୂଚନା ବୋଲି ସାଧାରଣରେ ଆଲୋଚନା ହେଉଛି । ପୁରୀ ଶ୍ରୀମନ୍ଦିର ଏବଂ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଦେଇ ଏହି ମହାବାତ୍ୟାର ଆଖି ଗତି କରିଥିଲେ ସୁଦ୍ଧା ଦୁଇ ମନ୍ଦିରର ବିଶେଷ କିଛି କ୍ଷତି ଘଟି ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ୧୯୯୯ ଓ ୨୦୧୯ ମହାବାତ୍ୟା ମଧ୍ୟରେ ବଡ ଫରକ ହେଉଛି – ୧୯୯୯ ମହାବାତ୍ୟା ସମୟରେ ପାଣିପାଗ ସଂପକିତ ସୂଚନା ଏତେଦୂର ସହଜରେ ଓ ସଠିକ୍ ଭାବେ ମିଳି ପାରୁ ନ ଥିଲା । ବାତ୍ୟାର ତୀବ୍ରତା କେତେ ହେବ ଓ କେଉଁଠି ତାହା ସ୍ଥଳଭାଗ ଛୁଇଁବ ତାହାର ସଠିକ ଆକଳନ କରିବା କଷ୍ଟକର ଥିଲା । ତେଣୁ, ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ମୃତ୍ୟୁକୁ ରୋକିବା ସମ୍ଭବ ହୋଇ ନ ଥିଲା । ଫଳରେ, ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନହାନୀ ଘଟି ଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ତତ୍କାଳୀନ କଂଗ୍ରେସ ସରକାର ବାତ୍ୟା ପରବର୍ତୀ ପରିସ୍ଥିତିକୁ ସମ୍ଭାଳି ନ ପାରି ଜନ-ଆକ୍ରୋଶର ଶିକାର ହୋଇଥିଲେ । ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଙ୍ଗଙ୍କ ନେତୃତ୍ୱାଧୀନ ସରକାର ୨୦୦୦ ସାଧାରଣ ନିର୍ବାଚନରେ କ୍ଷମତାରୁ ଗଲେ ଯେ ଆଜି ସୁଦ୍ଧା ରାଜ୍ୟରେ କଂଗ୍ରେସ ମୁଣ୍ଡ ଟେକି ପାରି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ ମସିହାରେ ରାଜ୍ୟରେ ବିଜୁ ଜନତା ଦଳ ସରକାର ପ୍ରତିଷ୍ଠା ହେବା ପରେ ୧୯୯୯ କ୍ଷତ ଭରଣା ଉଦ୍ୟମ ସହ ପରବର୍ତୀ ବାତ୍ୟା, ବନ୍ୟାର ମୁକାବିଲା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି ।
ବିଜୁ ଜନତା ଦଳ ସରକାର ଅମଳରେ ରାଜ୍ୟ ସବୁ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ‘ଜିରୋ କାଜୁଆଲିଟି’କୁ ଗୁରୁତ୍ୱ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ସୂଚନା ମିଳୁ ମିଳୁ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ତଳିଆ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ଦେବା ବ୍ୟବସ୍ଥା ହେଉଛି । ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଡ଼ପଲର ରାଡ଼ାରମାନ ଖଂଜା ଯାଇ ପାଣିପାଗର ଆଗୁଆ ଓ ସଠିକ ସୂଚନା ସଂଗ୍ରହ କରାଯାଉଛି । ସେହି ସୂଚନା ଭିତ୍ତିରେ ବାତ୍ୟା ବା ମହାବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ହେଉଛି। ତେଣୁ, ରାଜ୍ୟ ସରକାର ବାତ୍ୟାରେ ମୃତ୍ୟୁସଂଖ୍ୟା କମାଇ ‘ଜିରୋ କାଜୁଆଲିଟି’ର ଦମ୍ଭ ଦେଖାଉଛନ୍ତି ।
ଓଡ଼ିଶା ହେଉଛି ଏଭଳି ଏକ ଉପକୂଳବର୍ତୀ ରାଜ୍ୟ ଯେଉଁଠାରେ କି ପ୍ରତି ବର୍ଷ ବାତ୍ୟା, ବନ୍ୟା, ମରୁଡି ଭଳି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପ ସମୟରେ ଅଂଶୁଘାତ, ବର୍ଷା ଋତୁରେ ମାତ୍ରାଧିକ ବର୍ଷା ଯୋଗୁ ବନ୍ୟା, ବାତ୍ୟା ଏବଂ ଯଥେଷ୍ଟ ମାତ୍ରାରେ ବର୍ଷା ନ ହେଲେ ଗୁରୁତର ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି । ପ୍ରତି ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଛୋଟ ବଡ ବାତ୍ୟା ଆସି ଧନ-ଜୀବନ ନଷ୍ଟ କରୁଥିବା ବେଳେ ତାହାର ସଫଳ ମୁକାବିଲା ଦାୟିତ୍ୱ ହେଉଛି ରାଜ୍ୟ ସରକାର ଓ ପ୍ରଶାସନର ।
ଗବେଷଣାରୁ ଜଣାପଡ଼ିଛି, ଦେଶର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । ସମୁଦ୍ର କୂଳରୁ ୧୦୦ କିମି ଅଂଚଳକୁ ନେଇ ଏହି ଜିଲ୍ଳା ସଂଖ୍ୟା ନିର୍ଣ୍ଣୟ କରାଯାଇଛି । ପୂର୍ବ ଉପକୂଳରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଳନାଡୁ ବ୍ୟତୀତ ପଶ୍ଚିମ ବଂଗ, କେନ୍ଦ୍ର ଶାସିତ ପଣ୍ଡିଚେରୀ ଏବଂ ପଶ୍ଚିମ ଉପକୂଳରେ ଗୁଜରାଟ ବାତ୍ୟା ଦୃଷ୍ଟିରୁ ସମ୍ବେଦନଶୀଳ ରାଜ୍ୟ । ଓଡ଼ିଶାର ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଏବଂ ଆନ୍ଧ୍ରର ମଛଲିପାଟନମ୍ ବା ଇଷ୍ଟ-ଗୋଦାବରୀ ଜିଲ୍ଲା ବାତ୍ୟା ଦୃଷ୍ଟିରୁ ସର୍ବାଧିକ ସମ୍ବେଦନଶୀଳ । ୧୯୦୦ରୁ ୨୦୦୦ ମସିହା ଅର୍ଥାତ ୧୦୦ ବର୍ଷର ରିପୋର୍ଟକୁ ତର୍ଜମା କଲେ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ଅଧିକ ବାତ୍ୟା ସଂଘଟିତ ହେଉଥିବା ସୂଚନା ମିଳୁଛି । ଗୋଟିଏ ଏପ୍ରିଲ-ମେ-ଜୁନ୍ ଓ ଅନ୍ୟଟି ଅକ୍ଟୋବର-ନଭେମ୍ବର-ଡ଼ିସେମ୍ବର । ତେବେ, ନଭେମ୍ବର ଓ ମେ’ ମାସରେ ଅଧିକ ବାତ୍ୟା ହୋଇଥାଏ । ୧୮୯୧ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପରିସଂଖ୍ୟାନରୁ ଜଣାପଡିଛି, ଏହି ସମୟ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରାୟ ୩୦୮ଟି ବାତ୍ୟା ପୂର୍ବ ଉପକୂଳରେ ମାଡ ହୋଇଛି । ସେଥିରୁ ୧୦୩ଟି ଅତି ଭୟଙ୍କର ଥିଲା । ସେହି ସମୟ ମଧ୍ୟରେ ପଶ୍ଚିମ ଉପକୂଳରେ ମାଡ ହୋଇଥିବା ବାତ୍ୟା ସଂଖ୍ୟା ମାତ୍ର ୪୮ । ପ୍ରତିବର୍ଷ ହାରାହାରି ଗୋଟିଏ ବାତ୍ୟା ଓଡ଼ିଶା ଉପକୂଳରେ ମାଡ ହେଉଥିବା ବିଶେଷଜ୍ଞ ରିପୋର୍ଟରୁ ଜଣାପଡିଛି । ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରତି ବର୍ଷ ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ହେଉଛି। ତେଣୁ, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି । ପୂର୍ବରୁ କେନ୍ଦ୍ରର କ୍ଷମତାସୀନ ଥିବା କଂଗ୍ରେସ ଦଳ ଓଡ଼ିଶାର ଏହି ଦାବିକୁ ହତାଦର କରୁଥିଲେ । ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବା ବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଶ୍ରୁତି ରକ୍ଷା କରିବା ବଦଳରେ କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ସହାୟତା ଦେଉଛନ୍ତି, କିନ୍ତୁ ୧୯ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ି ତାହାକୁ ଖର୍ଚ୍ଚ କରି ପାରୁ ନାହିଁ ବୋଲି ପାଲଟା ଅଭିଯୋଗ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର (ଡ଼ବଲ ଇଂଜିନ ସରକାର) ରହିଲେ ରାଜ୍ୟର ବିକାଶ ସମ୍ଭବ ହେବ ବୋଲି ୨୦୧୯ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତି ବାଢିବା ଓଡ଼ିଶାବାସୀଙ୍କୁ କ୍ଷୁବ୍ଧ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଡ଼ବଲ ଇଂଜିନ’ର ପରିଭାଷା ପ୍ରଧାନମନ୍ତ୍ରୀଙ୍କୁ ବୁଝାଇ ଦେବା ସହ ବିଜେପିର ଡ଼ବଲ୍ ଇଂଜିନ ସରକାର ଥିବା ରାଜ୍ୟରେ ବିକାଶ ହେଲା ନାହିଁ କାହିଁକି ଏବଂ ଜନସାଧାରଣ ସରକାରଙ୍କୁ ପ୍ରତ୍ୟାଖ୍ୟାନ କଲେ କାହିଁକି (?) ବୋଲି ପ୍ରଶ୍ନ କରିଛନ୍ତି । ନିର୍ବାଚନ ସମୟରେ କ୍ଷମତା ଦଖଲ ପାଇଁ ରାଜନୈତିକ ଦଳଙ୍କ ନାକ ରଗଡା-ରଗଡି କିଛି ନୂଆ କଥା ନୁହେଁ । ତେଣୁ, ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଥା କଟାକଟି ଯେ ‘କେବଳ ରାଜନୀତି’, ଏଥିରେ କିଛି ସନ୍ଦେହ ନାହିଁ ।
‘ଫନି’ ମହାବାତ୍ୟାର ଦୁଃଖଦ ଦିଗ ହେଉଛି, ଅଧାଅଧି ରାଜ୍ୟ (ପୁରୀ, ଖୋର୍ଦ୍ଧା ଆଦି ୧୪ଟି ଜିଲ୍ଲାର ସହର ଓ ଗ୍ରାମାଂଚଳ) ଏହି ମହାବାତ୍ୟାରେ ଛାରଖାର ହୋଇଥିବା ବେଳେ ବିଦ୍ୟୁତ, ଜଳ ଯୋଗାଣ ଭଳି ସର୍ବନିମ୍ନ ଆବଶ୍ୟକତାର ପୁନର୍ବାହାଲ କରିବାରେ ସରକାର ବିଫଳ ହୋଇଛନ୍ତି । ୩ ତାରିଖରୁ ରାଜଧାନୀ ସମେତ କ୍ଷତିଗ୍ରସ୍ତ ଅଂଚଳମାନଙ୍କରେ ବିଦ୍ୟୁତ ଓ ପାଣି ପାଇଁ ହାହାକାର ଲାଗି ରହିଥିଲା । କିନ୍ତୁ, ସରକାର ମୁହଁ ମାଡି ରହି ଥିଲେ । ୬ ତାରିଖ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିବା ପରେ ରାସ୍ତାରୁ ଗଛ କାଟିବା ଓ ଭାଂଗି ଯାଇଥିବା ବିଦ୍ୟୁତ ଟାୱାର ସଜାଡିବା କାମ ଆରମ୍ଭ ହୋଇଥିଲା । ସମଗ୍ର ରାଜଧାନୀ ପାଂଚ ଦିନ ଧରି ଅନ୍ଧାରରେ ବୁଡ଼ି ରହିବା ପରେ ମେ’ ୧୦ ତାରିଖ (ଲେଖାଟି ପ୍ରସ୍ତୁତ ହେବା ଯାଏଁ) ସୁଦ୍ଧା ଆଂଶିକ ଭାବେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇଛି । ରାଜଧାନୀର ବହୁ ଅଂଚଳ ବାତ୍ୟାର ସପ୍ତାହକ ପରେ ମଧ୍ୟ ଅନ୍ଧାରରେ ବୁଡି ରହିଛି । ରାସ୍ତା ଉପରୁ ଭଙ୍ଗା ଗଛ ଓ ଭଂଗା ବିଦ୍ୟୁତ ଖୁଂଟ ହଟି ନାହିଁ । ବିଦ୍ୟୁତ ବଂଟନ ବ୍ୟବସ୍ଥା ସୁଧୁରି ନ ଥିବାରୁ ପାନୀୟ ଜଳ ଯୋଗାଣରେ ସୁଧାର ଆସି ନାହିଁ । ବିଭିନ୍ନ ଆପାର୍ଟମେଂଟ ଓ ସ୍ୱଚ୍ଛଳ ବର୍ଗଙ୍କ ବାସଗୃହରେ ଜେନେରେଟର ସୁବିଧା ଥିବାରୁ ସେମାନେ ଏହି ଦୁଇ ସମସ୍ୟାକୁ କିଛି ମାତ୍ରାରେ ଅନୁଭବ କରିଛନ୍ତି । କିନ୍ତୁ, ଲକ୍ଷାଧିକ ପରିବାର ଅନ୍ଧାରରେ ସଢିବା ସହ ଜେନେରେଟର ବ୍ୟବସ୍ଥା କରି ନ ପାରି ପିଇବା ପାଣି ପାଇଁ ଛଟପଟ ହେଉଛନ୍ତି । ବିଦ୍ୟୁତ ଟାନ୍ସଫର୍ମର ଭଳି ଟେଲିକମ୍ ଟାୱାରା ସବୁ ମୋଡିବାଙ୍କି ଯାଇଛି । ଫଳରେ, ମୋବାଇଲ୍ ଓ ଇଂଟରନେଟ୍ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏୟାରଟେଲ୍ ବ୍ୟତୀତ ଅନ୍ୟ କୌଣସି ମୋବାଇଲ୍ ଓ ଇଂଟରନେଟ୍ ସେବା କାମ କରୁ ନାହିଁ । ବିଭିନ୍ନ ମାଗଣା ବା ସୁଲଭ ମୂଲ୍ୟର ସେବା ଯୋଗାଇ ଦେବା ମାଧ୍ୟମରେ ଖୁବ୍ କମ୍ ଦିନରେ ଲୋକପ୍ରିୟ ହୋଇ କୋଟି କୋଟି ଗ୍ରାହକ ହାତେଇ ଥିବା ରିଲାଏନ୍ସ ‘ଜିଓ’ ମହାବାତ୍ୟା ପରେ ଆଂଠେଇ ପଡିଛି । ମହାବାତ୍ୟା ଦିନ ସକାଳେ ସବୁ ନେଟ୍ ୱାର୍କ କାମ କରୁଥିବା ବେଳେ ସନ୍ଧ୍ୟାରେ ଇଂଟରନେଟ୍ ଓ ମୋବାଇଲ୍ ସେବା ଠପ୍ ହୋଇଯିବା ସମସ୍ତଙ୍କୁ ବିସ୍ମିତ କରିଛି । ଜେନେରେଟର ଚଳାଇ ସେବାକୁ ବାହାଲ ରଖିବା ବ୍ୟୟସାପେକ୍ଷ ହୋଇ ଥିବାରୁ ଏବଂ କଂପାନୀ ଏକାକୀ ସେହି ଅତିରିକ୍ତ ବ୍ୟୟ ବହନ କରିବାକୁ ବାଧ୍ୟ ହେଉ ଥିବାରୁ ହଠାତ୍ ମୋବାଇଲ୍ ଓ ଇଂଟରନେଟ୍ ସେବା ଗାଏବ ହୋଇଗଲା ବୋଲି ତଥ୍ୟାଭିଜ୍ଞ ମହଲରୁ ସୂଚନା ମିଳିଛି ।
ଆଜି ଅଷ୍ଟମ ଦିନରେ ମଧ୍ୟ ରାଜଧାନୀର ଅଧିକାଂଶ ଅଂଚଳ ଅନ୍ଧାରରେ ବୁଡି ରହିଛି । ସନ୍ଧ୍ୟା ପରେ ରାସ୍ତାକୁ ବାହାରିଲେ ଦୁର୍ଘଟଣା ଓ ଲୁଟେରାଙ୍କ ଭୟ ରହିଛି । ସାଧାରଣ ଜନତାର ଦୁର୍ଦ୍ଦଶା କେବେ ଦୂର ହେବ, ତାହାର ସଠିକ ଉତ୍ତର ମିଳୁନାହିଁ । ୨୦୧୯ ଭୋଟ ସରି ଥିବାରୁ ସରକାର ଓ ପ୍ରଶାସନ ବିଶ୍ରାମରେ ଥିବା ଭଳି ମନେ ହେଉଛି । ପ୍ରାୟ ଦେଢ କୋଟି ଲୋକ ଏହି ମହାବାତ୍ୟାରେ ପ୍ରଭାବିତ । ମେ’ ୩ ତାରିଖରୁ ବିଦ୍ୟୁତ, ପାନୀୟ ଜଳ, ମୋବାଇଲ୍ ଓ ଇଂଟରନେଟ୍ ସେବା ଠପ୍ ହେବା ପରେ ବିଭିନ୍ନ ହଷ୍ଟେଲ୍ ରେ ରହୁ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ ବାଧ୍ୟ କରାଯାଇଛି । ସେମାନେ କୁଆଡେ ଯିବେ, କଣ କରିବେ (!) ସେକଥା ବୁଝିବାକୁ କେହି ନାହାନ୍ତି । ରାଜଧାନୀ ରାସ୍ତା କଡରେ ଥିବା ଝୁଂପୁଡି ହୋଟେଲ ମଧ୍ୟରୁ ଅଧିକାଂଶ ଭାଂଗି ଯାଇଛି ବା ବିଦ୍ୟୁତ ଓ ପାଣି ଅଭାବରୁ ବନ୍ଦ ରହିଛି । ସୁଲଭ ମୂଲ୍ୟରେ ଖାଦ୍ୟ ମିଳୁ ନାହିଁଁ । ବଡ ହୋଟେଲ ଓ.ମଲ୍ ରେ ପାଦ ରଖିବାକୁ ସାଧାରଣ ଲୋକଙ୍କ ଶକ୍ତି ନାହିଁ । ଲିଙ୍କ୍ ଫେଲ୍ ଓ ନେଟ୍ କାମ କରୁ ନ ଥିବା ଯୋଗୁ ବ୍ୟାଙ୍କରୁ ନଗଦ ଅର୍ଥ ମିଳୁ ନାହିଁ । ଅଧିକାଂଶ ଏଟିଏମ୍ ମଧ୍ୟ କାମ କରୁନାହିଁ । ଯେଉଁଠି କାମ କରୁଛି, ସୀମିତ ଅର୍ଥ ଉଠାଣ ବ୍ୟବସ୍ଥା ହୋଇଛି । ୨୦୧୬ରେ କେନ୍ଦ୍ର ସରକାର ଦେଶରେ ବିମୁଦ୍ରିକରଣ ଘୋଷଣା କରିବା ପରେ ଯେଭଳି ପରିସ୍ଥିତି ଉପୁଜିଥିଲା ଆଜିର ଦିନରେ ‘ଫନି’କୁ ନେଇ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟବସ୍ଥାକୁ ସୁଧାରିବାରେ ସରକାରଙ୍କ କଚ୍ଛପ ଗତି ଦେଖି ହଜାର ହଜାର ପରିବାର ରାଜଧାନୀ ଛାଡି ଗାଁ ମୁହାଁ । ସରକାର କେବେ ତତ୍ପର ହେବେ, ପରିସ୍ଥିତିରେ କେବେ ସୁଧାର ଆସିବ, ତାହା ହିଁ ଆଜିର ମୌଳିକ ପ୍ରଶ୍ନ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS