ଜାତୀୟ ବିପର୍ଯ୍ୟୟକୁ ନ୍ୟୁନ କରିବା ଚକ୍ରାନ୍ତ ଚାଲିଛି !
– ପ୍ରସାଦ ରାଓ –
- ଭୁବନେଶ୍ୱର, ୧୨ ମେ: ମେ ୩ ତାରିଖ ଓଡ଼ିଶାରେ ଯାହା ଘଟିଲା ତାହା ଥିଲା ଏକ ଜାତୀୟ ବିପର୍ଯ୍ୟୟ । ଗୁଜରାଟର ଲାଟୁର ସହରରେ ଭୂମିକଂପ ବେଳେ ହୋଇଥିବା ବିପର୍ଯ୍ୟୟ ସହ ଏହାକୁ ତୁଳନା କରିବା ଭୁଲ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୬ ତାରିଖରେ ଓଡ଼ିଶା ଆସି ପୁରୀଠାରୁ ଆରମ୍ଭ କରି ଜଗତସିଂହପୁର ପର୍ଯ୍ୟନ୍ତ ହୋଇଥିବା ବିପର୍ଯ୍ୟୟର ଚିତ୍ର ଓ କ୍ଷୟକ୍ଷତିର ପରିସଂଖ୍ୟାନ ନେଇ ଫେରିଛନ୍ତି । ତଥାପି, ଏହି ଭୟଙ୍କର ମହାବାତ୍ୟାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ଆଗେଇ ଆସି ନ ଥିବା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନାଭାବ କହିବା ଭୁଲ ହେବ ନାହିଁ ।
‘ଫନି’ ମହାବାତ୍ୟାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରି କେନ୍ଦ୍ର ସରକାର ରାଜ୍ୟକୁ ପୁନର୍ଗଠନ କାର୍ଯ୍ୟରେ ସଂପୂର୍ଣର୍ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବାତ୍ୟା ପରେ ପରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ମେ’ ୬ ତାରିଖ ସମୀକ୍ଷା ବୈଠକରେ ମଧ୍ୟ ଏହି ଦାବି ଉପସ୍ଥାପନ କରାଯାଇଛି । ‘ଫନି’କୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଗଲେ କେନ୍ଦ୍ର ସରକାରଙ୍କୁ ପୁଠର୍ଗଠନ କାର୍ଯ୍ୟ ପାଇଁ ରାଜ୍ୟକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଦେବାକୁ ପଡିବ । ଏଥିସକାଶେ ଥିବା ନୀତି ନିୟମ ରାଜ୍ୟ ପାଇଁ ଲାଗୁ ହେବ । ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ସଂସ୍ଥାମାନେ ନିଜ ନିଜ ଅଂଟା ସଳଖିବାରେ ସକ୍ଷମ ହୋଇ ପାରିବେ । ୨୦ ବର୍ଷ ପଛକୁ ଫେରି ଯାଇଥିବା ରାଜ୍ୟର ଅର୍ଥନୀତି ସଜାଡି ହୋଇ ପୁନର୍ବାର ମୁଖ୍ୟ ସ୍ରୋତକୁ ଫେରି ପାରିବ । ତେଣୁ, ‘ଫନି’ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯିବା ସମସ୍ତେ ଚାହୁଁଛନ୍ତି । ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ସଂଗଠନମାନେ ଏହି ମର୍ମରେ କେନ୍ଦ୍ର ସରକାର ଓ ଆରବିଆଇକୁ ସ୍ମାରକପତ୍ର ଦେଇଥିବା ବେଳେ ଓଡ଼ିଶା ହାଇକୋର୍ଟରେ ମଧ୍ୟ ଏଥି ନେଇ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ତେବେ, କେନ୍ଦ୍ରରେ କ୍ଷମତାରେ ଥିବା ନରେନ୍ଦ୍ର ମୋଦୀଙ୍କ ସରକାର ବିପର୍ଯ୍ୟୟ ଘଟିବାର ଆଠ ଦିନ ପରେ ମଧ୍ୟ ନୀରବ ରହିଥିବା ବେଳେ କେନ୍ଦ୍ର ପ୍ରେଟ୍ରୋଲିୟମ ମନ୍ତ୍ରୀ ଥିବା ଓଡ଼ିଶାର ବିଜେପି ନେତା ବା ତାଙ୍କ ଦଳର ସଦସ୍ୟମାନେ ପାଟୁ ଖୋଲୁ ନାହାନ୍ତି । ଅପରପକ୍ଷରେ, ରାଜ୍ୟ ବିପର୍ଯ୍ୟୟ ପ୍ରସମ ପାଂଠିରୁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କା ନେଇ ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନାରେ ଲଗାଇ ଥିବା ଚର୍ଚ୍ଚାକୁ ଆଣି ରାଜ୍ୟର ଦାବିକୁ ଅପ୍ରାସଙ୍ଗିକ କରିବା ଚକ୍ରାନ୍ତ ଚଳାଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ରାଜନୀତିର ରୋଟି ସେକୁଛି । ରାଜ୍ୟ ପ୍ରତି ଉତ୍ତର ଦାୟିତ୍ୱ ନ ଥିବା ଏହି ନେତାମାନେ ଓଡ଼ିଶାର ମଂଗ ଧରିଲେ ରାଜ୍ୟର କିପ୍ରକାର ମଙ୍ଗଳ ହେବ ବୋଲି ପ୍ରଶ୍ନ ଉଠୁଛି ।
‘ଫନି’ ଯୋଗୁଁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଯେଭଳି ଭାବେ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ତାହାକୁ ସଜାଡିବା ରାଜ୍ୟ ସରକାରଙ୍କ ସାଧ୍ୟ ବାହାରେ, ଏକଥା ସମସ୍ତେ ଜାଣନ୍ତି । କହିବାକୁ ଗଲେ ‘ଫନି’ ଓଡ଼ିଶାର ଅର୍ଥନୈତିକ ଚିତ୍ରକୁ ବିଗାଡି ଚାଲି ଯାଇଛି । ସାଧାରଣ ଜନତାର ଯାହା କ୍ଷତି ହୋଇଛି ଛାଡନ୍ତୁ, ‘ଫନି’ ମହାବାତ୍ୟା ଛୋଟ, ବଡ଼ ବ୍ୟବସାୟ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଛି । ବଡ ବଡ ବିଦ୍ୟୁତ ଓ ଟେଲିକମ୍ ଟାୱାର ଭାଂଗି ଭୁଇଁରେ ଲୋଟୁଛି । ଆଲୁଅ, ପାଣି ପାଇଁ ହାହାକାର ଲାଗି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଗୋଟିଏ ପଟେ ବାଲୁଗାଁ ଓ ଅନ୍ୟପଟେ ବାଲେଶ୍ୱର ପର୍ଯ୍ୟନ୍ତ ଅଂଚଳରେ ଶିଳ୍ପ ଓ ବାଣିଜ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ସହରାଂଚଳରେ ଅବସ୍ଥା ସୁଧୁରି ଆସୁଛି । କିନ୍ତୁ, ଗ୍ରମାଂଚଳ ଅବସ୍ଥା ଏତେ ଶୀଘ୍ର ସୁଧୁରିବା ଭଳି ଦିଶୁ ନାହିଁ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସହର ପୁରୀ ଶ୍ରୀକ୍ଷେତ୍ର ଶ୍ରୀହୀନ ହୋଇଛି । ଭୁବନେଶ୍ୱର-ପୁରୀ-କୋଣାର୍କ ଦେଶ, ବିଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିଥାଏ । ଆଗକୁ ରଥଯାତ୍ରା ଆସୁଛି । ଏହି ପରିସ୍ଥିତିରେ ଓଡ଼ିଶା ଆସିଥିବା ପର୍ଯ୍ୟଟକଙ୍କୁ ବିଜୁଳି, ପାଣି ଓ ରହଣି ସୁବିଧା ନ ଥିବା କଥା କହି ଘଉଡାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଆଣିବା କାଠିକର ପାଠ ହେବ ବୋଲି କୁହାଯାଉଛି । ପୁରୀ ସହରର ପରିସ୍ଥିତି ସୁଧୁରିବାକୁ ଦେଢ ମାସରୁ ଅଧିକ ଲାଗି ଯିବ । ବାତ୍ୟାରେ ସବୁଜିମା ହଜି ଯାଇଛି । ସମୁଦ୍ର କୂଳ ବାଲିରେ ପୋତି ହୋଇଯାଇଛି । କୋଣାର୍କ ଅବସ୍ତା ଅନୁରୂପ । ଭୁବନେଶ୍ୱର ସହରରେ ଆଠ ଦିନ ପରେ ମଧ୍ୟ ସ୍ୱାଭାବିକ ଅବସ୍ଥା ଫେରି ନାହିଁ । ମହାବାତ୍ୟା ପରଠାରୁ ରାଜଧାନୀର ପ୍ରମୁଖ ହୋଟେଲ ସବୁ ବଡ ବଡିଆଙ୍କ ଅୟସକେନ୍ଦ୍ର ହୋଇଥିବା ବେଳେ ରାସ୍ତା ସାରା ପଡି ରହିଥିବା ଗଛ ଓ ଲାଇଟ ଖୁଂଟ ସହରର ‘ସ୍ମାର୍ଟ ସିଟି’ ଦାବିକୁ ଖତେଇ ହେଉଛି । ଏତିରେ କି ପର୍ଯ୍ୟଟକ ଆସିବେ, କିଭଳି ପର୍ଯ୍ୟଟନ ଅର୍ଥନୀତିରେ ଉନ୍ନତି ଆସିବ (?), ତାହା ମୁଖ୍ୟ ପ୍ରଶ୍ନ ହୋଇଛି । ପରିସ୍ଥିତି ସୁଧାରିବା ପାଇଁ ଯୋଜନାବଦ୍ଧ ଉପଚାର ଓ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ସରକାର ମୁହଁ ମୋଡିବା ଅଗାମୀ ଦିନରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
‘ଫନି’ ମେ’ ୩ ତାରିଖରେ ପୁରୀରୁ ପଶ୍ଚିମ ବଂଗ ପର୍ଯ୍ୟନ୍ତ ଉପକୂଳ ଅଂଚଳକୁ ଧ୍ୱସ୍ତ କରିଛି । ମହାବାତ୍ୟାର ତୀବ୍ରତା ଏତେ ଅଧିକ ଥିଲା ଯେ ବାତ୍ୟା ପୂର୍ବରୁ କେହି ତାହା ଆକଳନ କରି ପାରି ନ ଥିଲେ । କ୍ଷୟକ୍ଷତିର ପରିମାଣ ମଧ୍ୟ ୧୯୯୯ ମହାବାତ୍ୟାକୁ ଟପି ଯାଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାର ‘ଫନି’ ପ୍ରସ୍ତୁତି ଥିଲେ ଏକ ସାଧାରଣ ମହାବାତ୍ୟାର ମୁକାବିଲା ପାଇଁ । ତଳିଆ ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସକାଶେ ‘ଫନି’ର ପୂର୍ବ ୨୪ ଘଂଟା ଅକ୍ଳାନ୍ତ ପରିଶ୍ରମ ହୋଇଥିଲା । ଫଳରେ, ମୃତାହାତ ସଂଖ୍ୟା ସରକାରୀ ଭାବେ ୪୧ରେ ସୀମିତ ରହିଲ । ମହାବାତ୍ୟାର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳ ଓ ଏସପିମାନେ ଏଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଘରଦ୍ୱାର ଛାଡିବାକୁ ଚହୁଁ ନ ଥିବା ପରିବାରଙ୍କୁ ସେମାେ ହାତଯୋଡି ନେହୁରା ହେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଥିଲା । ୧୯୯୯ ଅକ୍ଟୋବର ମହାବାତ୍ୟାରେ ପ୍ରାୟ ୨୦ ହଜାର ଳୋକ ମରିଥିବା ବେଳେ ୨୦୧୯ ସୁପର ମହାବାତ୍ୟାରେ ତାହା ଦୁଇ ଅଙ୍କରେ ସୀମିତ ରହିଲା । ମୃତ୍ୟୁ ସଂଖ୍ୟାକୁ ସୀମିତ କରି ରାଜ୍ୟ ସରକାର ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଛନ୍ତି ସତ, କିନ୍ତୁ ୨୦୧୯ ମହାବାତ୍ୟା ପରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପ ଓ ବାଣିଜ୍ୟ ସଂସ୍ଥାଙ୍କ ନିକଟରେ କେହି ପହଂଚି ନାହାନ୍ତି ବା ସେମାଙ୍କ କ୍ଷୟକ୍ଷତି ଆକଳନ କରି ନାହାନ୍ତି । ଏତିରେ କହାରି ସନ୍ଦେହ ନାହିଁ ଯେ ‘ଫନି’ ଦ୍ୱାରା ବିପର୍ଯ୍ୟସ୍ତ ହୋଇପଡିଥିବା ଟେଲି ଯୋଗାଯୋଗ, ବିଦ୍ୟୁତ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବାରେ ସମସ୍ତେ ବ୍ୟସ୍ତ । ତେବେ, ଲକ୍ଷାଧିକ ପରିବାରକୁ ଅନ୍ନ ଦେଉଥିବା ଶିଳ୍ପ ଓ ବାଣିଜ୍ୟକୁ କେମିତି ଅରଦେଖା କରିହେବ ! ଯେଉଁ ଭଳି ଭାବେ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ କ୍ଷତିର ସମ୍ମୁଖୀନ ହୋଇଛି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ତାହାର ପୁନଃରୁଥାନ ଦିଗରେ ଧ୍ୟାନ ନ ଦେଲ ଶ୍ରମିକ, କର୍ମଚାରୀଙ୍କ ଚୁଲି ଜଳିବ ନାହିଁ । ତାହା ରାଜ୍ୟ ପାଇଁ ଆଉ ଏକ ମାରାତ୍ମକ ବିପଦ ଡାକି ଆଣିବ । କେନ୍ଦ୍ର ସରକାର ‘ଫନି’କୁ ଏକ ‘ଜାତୀୟ ବିପର୍ଯ୍ୟୟ’ ଭାବେ ଘୋଷଣା କରି ଏଥିସକାଶେ ଥିବା ନୀତି ନିୟମ ଲାଗୁ କଲେ ହିଁ ଉଜୁଡ଼ି ଯାଇଥିବା ଶିଳ୍ପ ଓ ବାଣିଜ୍ୟ ସଜାଡିବା ସମ୍ଭବ ହେବ । ନ ହେଲେ ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନେ ନିଆଁ ଗିଳି ପାରୁ ନ ଥିବେ ବା ତାହାକୁ ଶାନ୍ତ କରି ପାରୁ ନ ଥିବେ ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୧୯୯୯ ମହାବାତ୍ୟା ପରେ ରାଜ୍ୟକୁ ସେଭଳି ଏକ ବଡ ଧରଣର ମହାବାତ୍ୟା ଆସି ନ ଥିବାରୁ ସରକାରଙ୍କ ପ୍ରସ୍ତୁତି ଥିଲା ୨୦୧୩ରୁ ୨୦୧୮ ମଧରେ ହୋଇ ଥିବା ବାତ୍ୟାଗୁଡିକର ପରିମାପକରେ । ଗ୍ରୀଷ୍ମ ଋତୁରେ ‘ଫନି’ ଭଳି ଏକ ଭୟଙ୍କର ମହାବାତ୍ୟା ଆସିବା ବିରଳ । ୧୫୦ ବର୍ଷରେ ଏହା ତୃତୀୟ ଏବଂ ୪୪ ବର୍ଷ ତଳେ ଏଭଳି ଏକ ଭୟଙ୍କର ମହାବାତ୍ୟା ଆସି ଥିଲା ବୋଲି ସେମାନେ କୁହନ୍ତି । ଓଡ଼ିଶାକୁ ଅତି ଭୟଙ୍କର ବା ସିଭିୟର ଟୁ ସିଭିୟର ମହାବାତ୍ୟା ମାଡ଼ି ଆସୁଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ମଧ୍ୟ ତାହାର ତୀବ୍ରତାକୁ କେହି ଆକଳନ କରି ପାରି ନ ଥିଲେ । ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନେ ମଧ୍ୟ ସେହି ପରିମାପକକୁ ନେଇ ନିଜର ପ୍ରସ୍ତୁତି କରି ଥିଲେ । ତେବେ, ମହାବାତ୍ୟାର ଆଶାତୀତ ତୀବ୍ରତା ସବୁ ଅଂକ ବିଗାଡି ଦେଇଛି । ଶିଳ୍ପଦ୍ୟୋଗୀ ଓ ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ‘ଫନି’ରେ ସର୍ବାଧିକ କ୍ଷତି ହୋଇଛନ୍ତି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ । ସେମାନେ କୋଟିଏରୁ ପାଂଚ କୋଟି ଟଙ୍କା ପର୍ଯ୍ୟନ୍ତ ପୁଂଜି ଲଗାଇ ବ୍ୟବସାୟ କରୁଥିଲେ । ବ୍ୟାଙ୍କ ଓ ଅନ୍ୟାନ୍ୟ ସୂତ୍ରରୁ ଋଣ ଆଣି ବିନିଯୋଗ କରିଥିଲେ । ମେ’ ୩ ତାରିଖ ମହାବାତ୍ୟା ପରେ ସେମାନେ ଏକପ୍ରକାର ରାସ୍ତାକୁ ଚାଲି ଆସିଛନ୍ତି । ପ୍ରବଳ ବର୍ଷା ଓ ବାତ୍ୟାରେ ଶିଳ୍ପାନୁଷ୍ଠାନଗୁଡିକର ଅଜବେଷ୍ଟସ୍ ଚଦର ଉଡିଯାଇ ପାଣି ପାଶି ଯାଇଛି । ବାଣିଜି୍ୟକ ସଂସ୍ଥାଙ୍କ ସଂସ୍ଥାଙ୍କ ସମସ୍ୟା ମଧ୍ୟ ଏକା ଭଳି । ଛାତ ଉଡି ଯାଇ ବା କବାଟ ଝରକା ଭାଙ୍ଗି ପାଣି ପଶି ଯିବାରୁ ଗଚ୍ଛିତ ସାମଗ୍ରୀ ନଷ୍ଟ ହେବା ସହ ବ୍ୟବସାୟ ଠପ୍ ହୋଇଯାଇଛି । ସାଧାରଣତଃ, ଶିଳ୍ପାନୁଷ୍ଠାନର ଆଜବେଷ୍ଟସ୍ ଛାତ ତଳେ ମେସିନାରୀ, କଂଚାମାଲ ଓ ଉତ୍ପାଦିତ ସାମଗ୍ରୀ ଗଚ୍ଛିତ ଥାଏ । ମଣିଷ ଓ ମେସିନ ଏକା ଛାତ ତଳେ କାମ କରୁଥିବାରୁ ପକ୍କାଘର ବ୍ୟବହାର କରିବା ସମ୍ବବ ନୁହେଁ । ୪୦ରୁ ୫୦ ଫୁଟ ଉଚ୍ଚରେ ଛାତ ରହିବା ଆବଶ୍ୟକ ଥିବାରୁ ସାଧାରଣତଃ ଶିଳ୍ପାଂଚଳ ସେଡ୍ରେ ଆଜବେଷ୍ଟସ୍ ବ୍ୟବହାର ହୋଇଥାଏ । ‘ଫନି’ ଯୋଗୁ ଛାତ ଉଡିଛି । କଂଚାମାଲ ଓ ଉତ୍ପାଦିତ ସାମଗ୍ରୀ ସବୁ ନଷ୍ଟ ହୋଇଯାଇଛି । କର୍ମଚାର, ଶ୍ରମିକମାନେ କାମଧନ୍ଦା ହରାଇବା ଆଶଙ୍କାରେ ବିବ୍ରତ । ମାଲିକମାନେ ଛଟେଇକୁ ଭୟ କରୁଛନ୍ତି । କାରଣ, ପ୍ରତି ସଂସ୍ଥାରେ ନିୟୋଜିତ ପାଠୁଆ ଓ ଅପାଠୁଆ ଶ୍ରମିକ, କର୍ମଚାରୀମାନେ ପରିଣତ ବୟସରେ କୁଆଡେ ଯିବେ ଓ ପରିବାର ପ୍ରତିପୋଷଣ କେମିତି କରିବେ ?
ଏହି ଚିନ୍ତା ଶିଳ୍ପ ଓ ବାଣିଜ୍ୟ ସଂସ୍ଥାର ମାଲିକମାନଙ୍କୁ ଆକ୍ରମନ୍ତ କରିଥିବା ବେଳେ ରାଜ୍ୟ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟରୁ କେହି ଜଣେ ହେଲେ ସେମାନଙ୍କ କ୍ଷୟକ୍ଷତିର ଆକଳନ କରିବାକୁ ପହଂଚି ନାହାନ୍ତି । ବିଦ୍ୟୁତ, ପାଣି ଓ ଇଂଟରନେଟ୍ ସେବା ବିପର୍ଯ୍ୟସ୍ତ । ସଂଜ ନଇଁଲେ ସହରରେ ଅନ୍ଧାର ମାଡି ଆସୁଛି । ପିଇବା ଓ ଶୌଚ ପାଇଁ ପାଣି ଚିନ୍ତା ସମସ୍ତଙ୍କୁ ଘାରୁଛି । ମୋବାଇଲ୍ ଓ ନେଟ୍ କାମ କରୁ ନ ଥିବାରୁ ବାହାର ଦୁନିଆ ସହ ଯୋଗାଯୋଗ ହୋଇ ପାରୁ ନାହିଁ । ଇଂଟରନେଟ୍ ବ୍ୟାଙ୍କିଂ ସେବା ବ୍ୟାହତ ହୋଇ ବ୍ୟାଙ୍କରୁ ଜମା ଟଙ୍କା ଉଠାଇ ହେଉ ନାହିଁ । ଲିଙ୍କ୍-ଫେଲ୍ କହି ବ୍ୟାଙ୍କ୍ କର୍ତର୍ପକ୍ଷ ଗ୍ରାହକଙ୍କୁ ଫେରାଉଛନ୍ତି । ଏଟିଏମ୍ ସେବା ଅଚଳ । ସହରର ପ୍ରାୟ ସବୁ ସପିଂ ମଲ୍ ଅବସ୍ଥା ଶୋଚନୀୟ । ବର୍ଷା ଓ ବାତ୍ୟାରେ ସେସବୁ କ୍ଷତିଗ୍ରସ୍ତ । ଡ଼ିଜି ସେଟ୍ ରେ ବ୍ୟବସାୟ ଚଳାଇବା ବ୍ୟୟ ସାପେକ୍ଷ । ଲିଂକ୍ ଫେଲ୍ ଯୋଗୁ ଡ଼େବିଟ୍ ଓ କ୍ରେଡ଼ିଟ୍ କାର୍ଡ କାମ କରୁ ନାହିଁ । ନଗଦରେ ବ୍ୟବସାୟ କରିବା କଷ୍ଟସାଧ୍ୟ ଗ୍ରାହକ ମଧ୍ୟ ସପିଂ ମଲ୍ ଯାଇ ଝାଳନାଳ ହେବା ପରେ ପରିସ୍ଥିତି ସୁଧୁରିବା ଅପେକ୍ଷାରେ ଅଛନ୍ତି । ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନେ ସରକାରୀ ଭାବେ କ୍ଷତି ଭରଣାର କିଛି ବ୍ୟବସ୍ଥା ନ ଥିବାରୁ ପୁନର୍ବାର ମୂଳଧନ କେଉଁଠୁ ଯୋଗାଡ କରି ସଂସ୍ଥା ଚଳାଇବେ ତାହାର ବାଟ ଖୋଜୁଛନ୍ତି । କେନ୍ଦ୍ର ସରକାର ‘ଫନି’କୁ ଜାତୀୟ ବିପର୍ଯ୍ୟୟ ଘୋଷଣା କଲେ ଶିଳ୍ପ ଓ ବାଣିଜ୍ୟ ସଂସ୍ଥାର ପୁନରୁଦ୍ଧାର ପାଇଁ ବିଭିନ୍ନ ରିହାତି ଓ ସୁଲଭ ସୁଧରେ ବ୍ୟାଙ୍କ ଋଣ ମିଳି ପାରିବ ଏବଂ ଉଜୁଡି ଯାଇଥିବା ବ୍ୟବସାୟ ସୁଦୁରିଯିବ ବୋଲି ସେମାନେ ଆଶା କରୁଛନ୍ତି ।
‘ଫନି’ରେ ରାଜ୍ୟର କ୍ଷୟକ୍ଷତି ପରିମାଣ ୨୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ସରକାର କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କାର ସହାୟତା ମାଗି ଥିବା ବେଳେ ମିଳିଛି ମାତ୍ର ୧୩୫୦ କୋଟି ଟଙ୍କା । ‘ଫନି’ ମହାବାତ୍ୟା ଓଡ଼ିଶା ଛୁଇଁବା ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରସମନ ପାଂଠିରୁ ଓଡ଼ିଶାକୁ ଦେଇଥିଲେ ୩୫୦ କୋଟି ଟଙ୍କା । ପରେ, ମେ’ ୬ ତାରିଖ ଦିନ ଆଉ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଓଡ଼ିଶାକୁ ‘ସାଇକଲୋନ୍ ରେଜିଷ୍ଟାନ୍ସ ଷ୍ଟେଟ୍’ରେ ପରିଣତ କରିବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ୧୭୦୦୦ କୋଟି ଟଙ୍କାର ଦୀର୍ଘକାଳୀନ ସହାୟତା ମାଗିଛନ୍ତି । ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିକୁ ଦୋହଲି ଦେଇ ଥିବାରୁ ‘ଡ଼ିଜାଷ୍ଟାର ରେଜିଷ୍ଟାନ୍ସ ପାୱାର ଇନଫ୍ରାଷ୍ଟ୍ରକ୍ଚର’ ସୃଷ୍ଟି ପାଇଁ ମଧ୍ୟ କେନ୍ଦ୍ରକୁ ୧୦,୦୦୦ କୋଟି ଟଙ୍କା ସହାୟତା ମଗାଯାଇଛି । କରିଛନ୍ତି । ରାଜ୍ୟର ପାଂଚ ଲକ୍ଷ କଚ୍ଚା ଘରକୁ ପକ୍କା କରିବା ସକାଶେ ୭,୦୦୦କୋଟି ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପକ୍କା ଗୃହ ନିର୍ମାଣ ବାବଦ ଖର୍ଚ୍ଚର ୯୦ ପ୍ରତିଶତ କେନ୍ଦ୍ର ଓ ୧୦ ପ୍ରତିଶତ ରାଜ୍ୟ ସରକାର ବହନ କରିବା ପ୍ରସ୍ତାବ ଦିଆଯାଇଛି । ଉପକୂଳ ଓଡ଼ିଶାରେ ହେଉଥିବା ବାତ୍ୟାରେ ଟେଲିକମ୍ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହେଉ ଥିବାରୁ କେନ୍ଦ୍ର ସରକାର ‘ଡ଼ିଜାଷ୍ଟର ରେଜିଷ୍ଟାନ୍ସ ଟେଲିକମ୍ ଇନଫ୍ରାଷ୍ଟ୍ରକ୍ଚର’ ସୃଷ୍ଟି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛିି । ତେବେ, ପ୍ରଧାନମନ୍ତ୍ରୀ ଓଡ଼ିଶାର ଏହି ଦାବିକୁ କେତେଦୂର ଗ୍ରହଣ କରୁଛନ୍ତି ଜଣାପଡିନାହିଁ । ଦେଶରେ ଚାଲି ଥିବା ସାଧାରଣ ନିର୍ବାଚନ ମେ’ ୧୯ରେ ସରିବା ପରେ ୨୩ରେ ପ୍ରକାଶ ପାଇବ । ଏହି ଫଳାଫଳ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଅନୁମାନ କରାଯାଉଛି । ‘ଫନି’କୁ ଜାତୀୟ ବିପର୍ଯ୍ୟୟର ମାନ୍ୟତା ଦେବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଓଡ଼ିଶା ୨୦ ବର୍ଷ ପଛୁଆ ରହି ଯିବ । ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କ ନିକଟରେ ଉତ୍ତରଦାୟୀ ରହିବାକୁ ବାଧ୍ୟ ହେବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS