କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ
– ମୋଅନୁଭବ –
ଭୁବନେଶ୍ୱର, ୧୨ ମେ: ମେ’ ୩ ତାରିଖ ‘ଫନି’ ମହାବାତ୍ୟାର କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ଦଳ ୧୨ ତାରିଖ ଓଡ଼ିଶା ଆସିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ବିବେକ ଭରଧ୍ୱଜଙ୍କ ନେତୃତ୍ୱରେ ଏହି ଟିମ୍ ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି । ୧୩ ତାରିଖରୁ ସେମାନେ ମହାବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକୁ ଗସ୍ତ କରି ପ୍ରତ୍ୟକ୍ଷ ଭାବେ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ସେମାନେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଦ୍ୱିତୀୟ ରାଉଣ୍ଡ ଉଚ୍ଚସ୍ତରୀୟ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ନିକଟରେ ଉପସ୍ଥାପନ କରିବା ସକାଶେ ଏକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ‘ଫନି’ ମହାବାତ୍ୟାରେ ରାଜ୍ୟରେ ୫ ଲକ୍ଷ ୮ ହଜାର ୪୬୭ଟି ଗୃହ ଭାଂଗି ଥିବା, ୩୪ ଲକ୍ଷ ୫୬ ହଜାର ୩୬୨ ଗୃହପାଳିତ ପଶୁ, ପକ୍ଷୀ ଏବଂ ୪୩ ଜଣ ମଣିଷ ମରିଥିବା ଏସଆରସିଙ୍କ ରିପୋର୍ଟରେ ଦର୍ଶାଯାଇଛି ।
ସରକାରୀ ରିପୋର୍ଟ ଅନୁଯାୟୀ, ‘ଫନି’ ମହାବାତ୍ୟାର କେନ୍ଦ୍ର ବା ‘ଆଖି’ ପୁରୀରେ ସ୍ଥଳଭାଗ ଛୁଇଁ ଥିବାରୁ ପୁରୀ ସହର ଓ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପୁରୀରେ ପାଖାପାଖି ୧.୯ ଲକ୍ଷ ଘର ଭାଂଗିଛି ବା କ୍ଷତିଗ୍ରସ୍ତ ହୋଇଛି । ପୁରୀ ଜିଲ୍ଲାର ବ୍ୟାପକ ଅଂଚଳରେ ଟେଲିକମ୍ ବ୍ୟବସ୍ଥା ଅଚଳ ହୋଇପଡିଛି । ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଟେଲିଫୋନ ଓ ମୋବାଇଲ୍ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ମହାବାତ୍ୟା ଛୁଇଁ ଥିବା ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ୫,୨୪୪ ପ୍ରାଥମିକ ସ୍କୁଲ, ୧, ୫୪୭ଟି ସେକେଂଡାରୀ ସ୍କୁଲର ଘର ଓ ୧୮୦ଟି ଉଚ୍ଚତର ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ଏହି ମହାବାତ୍ୟା ୯୮୦. ୬୯ କିମି ନଦୀ ବନ୍ଧ ଭାଂଗି ପକାଇଛି । ମହାବତ୍ୟା ଫଳରେ ୨୨୭ଟି ବନ୍ଧରେ ଫାଟ ସୃଷ୍ଟି ହୋଇଥିବା, ୫,୫୯୬ କିମି ରାସ୍ତା ଓ ୩୨୬ଟି କଲଭର୍ଟ ଭାଂଗି ଥିବା ଏବଂ ଗଛ ଓ ତାର ସହ ଇଲେକ୍ଟ୍ରି ଖୁଂଟ ସବୁ ଭାଂଗି ପଡି ଥିବାରୁ ୫୫୬ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା, ୯୬୯୩.୨୫ କିମି ଗ୍ରାମ୍ୟ ରାସ୍ତା ଓ ୪, ୬୧୦ ଘର ଭାଂଗିରୁଜି ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS