ଜୁଲାଇ ୪ରେ ରଥଯାତ୍ରା, ଚିନ୍ତାରେ ସରକାର ଓ ହୋଟେଲ ବ୍ୟବସାୟୀ
– ପ୍ରସାଦ ରାଓ –
ଭୁବନେଶ୍ୱର, ମେ’୧୪ : ଜୁଲାଇ ୪ ତାରିଖରେ ପୁରୀର ପ୍ରସିଦ୍ଧ ରଥଯାତ୍ରା । ରଥ ନିର୍ମାଣରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ନିକଟରେ ମାତ୍ର ଦେଢ ମାସ ସମୟ ଥିବା ବେଳେ ‘ଫନି’ ବିଗାଡି ଦେଇଛି ସବୁ କିଛି । ମେ’ ୩ ତାରିଖର ସୁପର ସାଇକ୍ଲୋନ ‘ଫନି’ ଓଡ଼ିଶାର ଏହି ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ଶ୍ରୀହୀନ କରିଛି । ସମୁଦ୍ର ବେଳାଭୂମୀ (ମେରାଇନ ଡ୍ରାଇଭ) ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଓ ସମଗ୍ର ପୁରୀ ସହରରେ ବିପର୍ଯ୍ୟୟର ଛାପ। ବେଳାଭୂମୀ ରାସ୍ତା ପରସ୍ତ ପରସ୍ତ ବାଲିରେ ପୋତି ହୋଇଯାଇଛି । ସହର ଚାରି ପାଖ ସବୁଜିମା ମଧ୍ୟ ନଷ୍ଟଭ୍ରଷ୍ଟ । ରଥ ନିର୍ମାଣ ପାଇଁ ଥିବା ‘ରଥଖଳା’ର ଛାତ ଉଡିଯାଇଛି । ବିଦ୍ୟୁତ ସେବା ସଂପୂର୍ଣର୍ ବ୍ୟାହତ । ସନ୍ଧ୍ୟା ନଇଁଲେ ଅନ୍ଧାର ମାଡି ଆସି ସଂପୂର୍ଣ୍ଣ ସହରକୁ ଗ୍ରାସ କରୁଛି । ବିଶୁଦ୍ଧ ପାନୀୟ ଜଳ ଅଭାବ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବ୍ୟାହତ । ହୋଟେଲ ଶିଳ୍ପ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଭଳି ପରିସ୍ଥିତିରେ କେମିତି ରଥ ନିର୍ମାଣ ହେବ, ବ୍ୟାହତ ସେବା ସବୁ ପୁନର୍ବାହାଲ ହେବ ଓ ଶୃଙ୍ଖଳିତ ଭାବେ ରଥଯାତ୍ର ସମାପନ ହେବ (?) ତାହା ଆଜି ସରକାରଙ୍କ ନିକଟରେ ମୁଖ୍ୟ ପ୍ରଶ୍ନ ହୋଇଛି ।
‘ଫନି’ ମହାବାତ୍ୟାରେ ରାଜ୍ୟର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସର୍ବାଧିକ କ୍ଷତି ହୋଇଛି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସମେତ ଭୁବନେଶ୍ୱର ମହାନଗରର । ମହାବାତ୍ୟାର ଲ୍ୟାଣ୍ଡଫଲ୍ ବା କୂଳଛୁଆଁ ହୋଇଥିଲା ପୁରୀ ସହରରେ । ତେଣୁ, କ୍ଷତି ମଧ୍ୟ ସର୍ବାଧିକ ହେବା ସ୍ୱାଭାବିକ । ମହାବାତ୍ୟା ପର ୧୦ ଦିନରେ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଂଚଳରେ ବିଜୁଳି ଓ ପାଣି ସମସ୍ୟା ସଂପୂର୍ଣ୍ଣ ନ ହେଲେ ବି ଅନେକାଂଶରେ ସମାଧାନ ହେଲାଣି । ଦୁଇ ସହରରେ ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେଉଛି । କିନ୍ତୁ, ପୁରୀରେ ମହାବାତ୍ୟାର ୧୦ ଦିନ ପରେ ମଧ୍ୟ ବିଜୁଳି ଓ ବିଶୁଦ୍ଧ ପିଇବା ପାଣି ସ୍ୱପ୍ନ । ସର୍ବନିମ୍ନ ସେବା ଅଭାବରୁ ସହରବାସୀ ଅକଥନୀୟ ସମସ୍ୟା ଭୋଗୁଛନ୍ତି । ପୁରୀ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଭୟଙ୍କର ବାତ୍ୟାରେ ଯେଉଁ ପରିମାଣରେ କ୍ଷୟକ୍ଷତି ଘଟିଛି ତାହା ସୁଧୁରିବାକୁ ମାସାଧିକ ସମୟ ଲାଗିବ ବୋଲିି ତଥ୍ୟାଭିଜ୍ଞ ମହଲରୁ ସୂଚନା ମିଳୁଛି । ସରକାରୀ କଳର କଚ୍ଛପ ଗତି ଏହି ଆଶଙ୍କାକୁ ବହୁଗୁଣିତ କରିଛି । ପୁରୀ ବେଳାଭୂମୀରେ ଯେଉଁ ପରିମାଣର ଆବର୍ଜନା ଗଦା ହୋଇଛି ଓ ମେରାଇନ୍ ଡ୍ରାଇଭ୍ ଯେଭଳି ପାହାଡ଼ ଉଚ୍ଚର ବାଲିରେ ପୋତି ହୋଇଛି ତାହାକୁ ସଫା କରିବା ପୁରୀ ପୋøରପାଳିକା ଓ ସହାୟତା ପାଇଁ ଆସିଥିବା ବ୍ରହ୍ମପୁର ମହାନଗର ନିଗମ ସଫେଇ କର୍ମଚାରୀଙ୍କ ପାଇଁ ସହଜସାଧ୍ୟ ନୁହେଁ ।
ମେ’ ୩ ତାରିଖ ପୂର୍ବାହ୍ନରେ ଜଗନ୍ନାଥ ଧାମକୁ ସିଧାସଳଖ ମାଡ କରିଥିବା ‘ଫନି’ କେବଳ ପୁରୀ ସହରକୁ ନୁହେଁ, ସମଗ୍ର ପୁରୀ ଜିଲ୍ଲାକୁ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଖପାଖ ଅଂଚଳର ପ୍ରାକୃତିକ ଶୋଭାକୁ ଉଜାଡି ଦେଇଛି । ଭୁନେଶ୍ୱର-ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଦୁଇ ପାଶ୍ୱ ସବୁଜିମା ଉଜୁଡ଼ି ଯିବା ସହ ବାଲୁଖଣ୍ଡ ଅଭୟାରଣ୍ୟ ନିଶ୍ଚିହ୍ନ ହୋଇଯାଇଛି । ପୂର୍ବାବସ୍ଥା ଫେରିବାକୁ ବର୍ଷ ବର୍ଷ ଲାଗି ଯିବ ବୋଲି ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଜଙ୍ଗଲରୁ ନିଖୋଜ ହୋଇଯାଇଥିବା ୪ ହଜାର ଚିତ୍ରା ହରିଣଙ୍କ ଖୋଜଖବର ମିଳି ନାହିଁ । କାଁ ଭାଁ ହରିଣ ଫେରୁଥିବା ଦେଖାଯାଇଛି । କିଛିି ହରିଣଙ୍କ ପଚା ଶବ ମିଳି ଥିବା ସରକାର ମାନିଛନ୍ତି । ଓଡ଼ିଶା ଆସୁଥିବା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହେଉଛି ମନ୍ଦିରମାଳିନୀ ଭୁବନେଶ୍ୱର ସହର, ଭୁବନେଶ୍ୱର-କୋଣାର୍କ-ପୁରୀ ମେରାଇନ ଡ୍ରାଇଭ୍ , ପୁରୀ ଶ୍ରୀମନ୍ଦି. ପୁରୀ ବେଳାଭୂମୀର ସ୍ୱର୍ଣ୍ଣାଭ ବାଲୁକାରାଶି ଓ ସୁଦୀର୍ଘ ସମୁଦ୍ର କୂଳ । ପୁରୀରେ ସମୁଦ୍ର ସେତେଟା ଗଭୀର ନୁହେଁ । ତେଣୁ, ପର୍ଯ୍ୟଟକ ସେଠାରେ ସମୁଦ୍ର ସ୍ନାନର ଆନନ୍ଦ ନେଇଥା’ନ୍ତି । ରଥଯାତ୍ରା ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରିଥାଏ ।
ପୁରୀରେ ‘ଫନି’ ତାଣ୍ଡବର ସବୁଠାରୁ ବଡ ଉଦାହରଣ ହେଉଛି, ଏହି ମାହାବାତ୍ୟାରେ ପୁରୀ ଜିଲ୍ଲାରେ ଘଟି ଥିବା ସର୍ବାଧିକ ମୃତ୍ୟୁ । ରାଜ୍ୟର ‘ଫନି’ ପ୍ରଭାବିତ ଜିଲ୍ଲାମାନଙ୍କରେ ୬୪ ଜଣଙ୍କ ମୃତ୍ୟୁ ଘଟି ଥିବା ରବିବାର (୧୨ ତାରିଖ) ଦିନ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ସେଥିରୁ ସର୍ବାଧିକ ୩୯ ଜଣ ହେଉଛନ୍ତି ପୁରୀ ଜିଲ୍ଲାର । ତାହା ପଛକୁ ରହିଛି ଖୋର୍ଦ୍ଧା (୯), କଟକ (୬), ମୟୁରଭଂଜ (୪), କେନ୍ଦ୍ରାପଡା ଓ ଯାଜପୁର (୩ ଜଣ ଲେଖାଏଁ) । ମହାବାତ୍ୟାରେ ଆହତ ୨୪୧ ଜଣଙ୍କ ମଧ୍ୟରୁ ୧୬୦ ଜଣ ହେଉଛନ୍ତି ପୁରୀ ଜିଲ୍ଲାର ଓ ୭୪ ଜଣ ଯାଜପୁର ଜିଲ୍ଲାର । ପୁରୀ ଜିଳ୍ଲାର ୨୯ ଲକ୍ଷରୁ ଅଧିକ ବିଦ୍ୟୁତ ଗ୍ରାହକ ‘ଫନି’ ଦ୍ୱାରା କ୍ଷତିଗ୍ରସ୍ତ । ମହାବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପୁରୀ ସହରରୁ ସମସ୍ତ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କୁ ହଟାଇ ଦିଆଯାଇଥିଲା । ଫଳରେ, ପର୍ଯ୍ୟଟକମାନେ କ୍ଷତିଗ୍ରସ୍ତ ହୋଇ ନାହାନ୍ତି । କିନ୍ତୁ, ପୁରୀ ସମୁଦ୍ର କୂଳରେ ବର୍ଷ ବର୍ଷ ଧରି ହସପିଟାଲିଟି ଶିଳ୍ପର ବିସ୍ତାର କରି ଆସିଥିବା ହୋଟେଲ ବ୍ୟବସାୟୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ପୁରୀ ସମୁଦ୍ରକୂଳରେ ଥିବା ସବୁ ବଡ଼ ବଡ଼ ହୋଟେଲ ବାହାରୁ ଓ ଭିତରୁ ଭାଙ୍ଗିରୁଜି ଯାଇଛି । କେବଳ ପୁରୀ ନୁହେଁ ରାଜଧାନୀ ଭୁବନେଶ୍ୱରରେ ଥିବା ତାରକା ହୋଟେଲଗୁଡିକ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଓଡ଼ିଶାରେ ମେ’ ୩ ତାରିଖ ‘ଫନି’ ମହାବାତ୍ୟାରେ ପର୍ଯ୍ୟଟନ ଶିଳ୍ପର ୧୦୦ କୋଟି ଟଙ୍କା କ୍ଷତି ଘଟି ଥିବା ବେଳେ ହୋଟେଲ ଶିଳ୍ପର ୨୦ କୋଟି ଟଙ୍କା କ୍ଷତି ହୋଇଥିବା ସରକାରୀ ଭାବେ କୁହାଯାଇଛି । ମହାବାତ୍ୟା ପ୍ରଭାବରେ ଏହି ହସପିଟାଲିଟି ଶିଳ୍ପ ଯେଭଳି ଭାବେ କ୍ଷତିଗ୍ରସ୍ତ ହୋଇଛି ସେଥିରେ ପ୍ରତି ଦିନ ୨ କୋଟିରୁ ଅଧିକ ଟଙ୍କାର ବ୍ୟବସାୟିକ କ୍ଷତି ହେଉଛି ବୋଲି ଓଡ଼ିଶା ହୋଟେଲ ଏଣ୍ଡ୍ ରେଷ୍ଟାଉରାଂଟ ଆସୋସିଏସନ୍ (ଏଚଆରଏଓ)ର ଅଧ୍ୟକ୍ଷ ଜୀତେନ୍ଦ୍ର କୁମାର ମହାନ୍ତି ନିକଟରେ ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ କହିଛନ୍ତି । ମହାନ୍ତି କହିବା ଅନୁସାରେ, କେବଳ ରଥଯାତ୍ରା ପାଇଁ ନୁହେଁ, ଛୁଟି ବିତାଇବାକୁ ମଧ୍ୟ ପର୍ଯ୍ୟଟକ ଓଡ଼ିଶା ମୁହାଁ ହୋଇଥା’ନ୍ତି । ସେମାନଙ୍କୁ ସେବା ଯୋଗାଇବା ସମ୍ଭବ ହେଉ ନ ଥିବାରୁ ପୁରୀ, ଭୁବନେଶ୍ୱରରେ ହୋଟେଲ ଶିଳ୍ପକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି ।
ମହାବାତ୍ୟା ପରେ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ କୁଶଳୀ ଶ୍ରମଶକ୍ତିର ଅଭାବ ମୁଖ୍ୟ ସମସ୍ୟା ହୋଇଛି । ହୋଟେଲଗୁଡିକର ବାହାର ଓ ଭିତରର ଇଂଟରିୟର ଡିଜାଇନ ଯେଉଁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ତାହାକୁ ସଜାଡିବା ସମୟସାପେକ୍ଷ । କଲିକତା, ମୁଂବାଇ ଭଳି ବାହାର ରାଜ୍ୟରୁ ଇଂଟେରିୟର ଡ଼ିଜାଇନରଙ୍କୁ ଆଣି ପୁଣି ଥରେ ଭିତର, ବାହାର ସଜାଇବାକୁ ପଡିବ । ସମସ୍ତ ବଡ ବଡ ହୋଟେଲ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ଶିଳ୍ପ ପ୍ରତିଷ୍ଠା କରି ଥିବାରୁ ନିୟମିତ ଋଣ ପରିଶୋଧର ବୋଝ ତଳେ ଦବି ହୋଇ ରହିଛନ୍ତି । ବର୍ତମାନ ପରିପ୍ରେକ୍ଷୀରେ ସେମାନଙ୍କୁ ଋଣ ଟଙ୍କା ଉପରେ ସୁଧ ହାର କୋହଳ କରାଯିବା ଏବଂ ଋଣ ପରିଶୋଧର ଅବଧି ବୃଦ୍ଧି କରାଯିବା ସହ ପୁଣି ଥରେ ଅଂଟା ସଳଖିବାକୁ କୋହଳ ସୁଧ ହାରରେ ପୁନଃ ଅର୍ଥଲଗାଣ ସୁବିଧା ଦିଆଯିବା ନିତାନ୍ତ ଆବଶ୍ୟକ । ଏସଂପର୍କରେ ଆଲୋଚନା ପାଇଁ ଓଡ଼ିଶା ହୋଟେଲ ଏଣ୍ଡ ରେଷ୍ଟାଉରାଂଟ ଆସୋସିଏସନର ବୈଠକ ଡ଼କା ଯାଇଛି । ଆଲୋଚନା ପରେ ଆସୋସିଏସନ୍ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ସ୍ମାରକପତ୍ର ଦିଆଯିବ ବୋଲି ମହାନ୍ତିଙ୍କ ଠାରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ମାସାଧିକ ସମୟ ଲାଗିବ । ରଥଯାତ୍ରା ସୁଦ୍ଧା ସବୁ କିଛି ସ୍ୱାଭାବିକ ହେବା ଆଶା କ୍ଷୀଣ । ତଥାପି, ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ସାରିିବା ଉଦ୍ୟମ ଚାଲିଛି ବୋଲି କୁହାଯାଉଛି ।
ପୁରୀରେ ୪୩୦ରୁ ଅଧିକ ହେଟେଲ ରହିଛି । ସେଥିରୁ ସମୁଦ୍ର ଆଡକୁ ମୁହଁ କରିଥିବା ବା ସି-ଫେସିଂ ଓ ସମୁଦ୍ର ନିକଟ ହୋଟେଲ ସଂଖ୍ୟା ହେଉଛି ପାଖାପାଖି ୨୫୦ । କମ୍ କ୍ଷତି ହୋଇଥିବା ଅଳ୍ପ କିଛି ହୋଟେଲକୁ ଛାଡି ଦେଲେ ବାକି ସବୁ ହୋଟେଲ ବନ୍ଦ । ସାଧାରଣତଃ, ଗ୍ରୀଷ୍ମ ଋତୁରେ ପୁରୀରେ ହୋଟେଲଗୁଡିକର ଅକୁପାନ୍ସି ହାର ୬୦ ପ୍ରତିଶତ ରୁହେ । ‘ଫନି’ ପରେ ଅକୁପାନ୍ସି ହାର ଦୁଇ ଅଙ୍କ ଛୁଉଁ ନାହିଁ ବୋଲି ହୋଟେଲ ବ୍ୟବସାୟୀମାନେ କହିଛନ୍ତି । ବାତ୍ୟା ପ୍ରଭାବରେ ଭାଂଗିରୁଜି ଯାଇଥିବା ହୋଟେଲ କୋଠରୀ ଗୁଡିକୁ ସଜାଡିବାକୁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ । ତାରକା ହୋଟେଲମାନେ ସେହି ପରିମଣର ଅର୍ଥ ଯୋଗାଡ କରିବାକୁ ସକ୍ଷମ ହୋଇପାରନ୍ତି । କିନ୍ତୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ହୋଟେଲଗୁଡିକ ପାଇଁ ପୁନରୁଦ୍ଧାର କାଠିକର ପାଠ ହେବାକୁ ଯାଉଛି । ପ୍ରତି ବର୍ଷ ରଥଯାତ୍ରା ସମୟରେ ୧୦ ଲକ୍ଷରୁ ଅଧିକ ଦେଶୀ, ବିଦେଶୀ ପର୍ଯ୍ୟଟକ ପୁରୀ ଆସିଥା’ନ୍ତି । ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ନଅ ଦିନ କାଳ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ସହରରେ ରହଣୀ ଏଥର ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି । ରାଜ୍ୟ ସରକାର ଯେତେ ଯାହା କହିଲେ ବି ବାତ୍ୟା କ୍ଷତିଗ୍ରସ୍ତ ହୋଟେଲ ଶିଳ୍ପ ପୁନର୍ବାର ସେବା ଯୋଗାଇବା ସକ୍ଷମ ହେବାକୁ ମାସ ମାସ ସମୟ ଲାଗିବ । ସରକାର ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କଲେ ରଥଯାତ୍ରା ସମୟକୁ ପରିସ୍ଥିତି କିଛିଟା ସୁଧୁରିବ ବୋଲି ପୁରୀ ଓ ଭୁବନେଶ୍ୱରର ହୋଟେଲ ବ୍ୟବସାୟୀମାନେ ଆଶା କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS