ସାଧାରଣ ନିର୍ବାଚନ ସରୁଛି, ବଦଳୁଛି ସମୀକରଣ
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ମେ’୧୪: ଭାରତରେ ସାଧାରଣ ନିର୍ବାଚନ-୨୦୧୯ ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଂଚିଛି । ସପ୍ତମ ତଥା ଅନ୍ତିମ ପଯ୍ୟାୟ ଭୋଟ ହେବ ଚଳିତ ମାସ ୧୯ ତାରିଖରେ । ୮ ଟି ରାଜ୍ୟର ୫୯ଟି ଲୋକସଭା ଆସନରେ ୧୯ ତାରିଖ ଭୋଟ ସରିବା ପରେ ସମସ୍ତଙ୍କ ଅପେକ୍ଷା ରହିବ ୨୩ ତାରିଖ ଭୋଟ ଗଣତିକୁ । ଫଳାଫଳ କାହା ସପକ୍ଷରେ ଯିବ ତାହାକୁ ନେଇ ଉଭୟ ଶାସକ ବିଜେପି ଓ ବିରୋଧୀଙ୍କ ଅଙ୍କ କଷା ଆରମ୍ଭ ହୋଇ ଗଲାଣି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ମେଂଟ (ଏନଡ଼ିଏ) ୨୦୧୪ ତୁଳନାରେ ଅଧିକ ଆସନ ପାଇ ସରକାର ଗଢିବ ବୋଲି ବାହାସ୍ପୋଟ ମାରୁଥିବା ବେଳେ କଂଗ୍ରେସ ମେଂଟ (ୟୁପିଏ) ଅନ୍ୟ ଅଣ-କଂଗ୍ରେସ ଦଳଙ୍କ ମେଂଟ ସହ ନିର୍ବାଚନ ପରବର୍ତୀ ମହାମେଂଟ କରି କେନ୍ଦ୍ରରେ କ୍ଷମତାସୀନ ହେବା ଆଶା ରଖିଛି । ଏହି ସମ୍ଭାବ୍ୟ ମହାମେଂଟର ପ୍ରଧାନମନ୍ତ୍ରୀ ମୁହଁ କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତଥାପି, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ବିଏସପି ନେତ୍ରୀ ସୁଶ୍ରୀ ମାୟାବତୀ କିମ୍ବା ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ମଧ୍ୟରୁ ଜଣେ କିଏ ବିରୋଧୀ ମହାମେଂଟର ପ୍ରଧାନମନ୍ତ୍ରୀ ମୁହଁ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଏହି ନିର୍ବାଚନ ମହାକୁମ୍ଭ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢୁ ଥିବା ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ଏନଡ଼ିଏ ସରକାରର ପୁନଃ ପ୍ରତିଷ୍ଠା କରିବ ବୋଲି ଆଶା ରଖିଥିଲା । ତେବେ, ନିର୍ବାଚନ ରଣାଂଗନର ବଦଳି ଥିବା ଚିତ୍ର ଓ ଚରିତ୍ର ବିଜେପିର ସେହି ଆଶାକୁ ମୁଉଳାଇ ଦେଇଛି । ବିରୋଧୀ କଂଗ୍ରେସ ଏଥର ଗାନ୍ଧୀ ପରିବାରର ଦୁଇ ଆଶା-କିରଣ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ତାଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବାଜିରେ ଲଗାଇ ଥିବା ବେଳେ ଦୁଇ ୟୁପି ମୁଖ୍ୟମନ୍ତ୍ରୀ ମୟାବତୀ ଓ ଅଖିଳେଶ ଯାଦବ ଉଭୟ କଂଗ୍ରେସ ଓ ବିଜେପି ବିରୋଧରେ ସଂଗଠିତ ଭାବେ ଏହି ନିର୍ବାଚନ ଲଢିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ବା ଅନ୍ୟ କୌଣସି ମେଂଟ ସହ ନ ରହି ଏକାକୀ ବିଜେପିର ସାମନା କରିଛନ୍ତି । ଏହି ତିନି ରାଜ୍ୟରେ ଦୁଇ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କ୍ଷମତାସୀନ ଥିବା ଆଂଚଳିକ ଦଳ ବିଜେଡ଼ି, ତୃଣମୂଳ କଂଗ୍ରେସ ଓ ତେଲୁଗୁ ଦେଶମ ଆଡୁ ତୀବ୍ର ଆକ୍ରମଣର ସାମନା କରିବାକୁ ବାଧ୍ୟ ହୋଇଛନ୍ତି । ଓଡ଼ିଶାରେ ବିଜେଡ଼ି ସମଦୂରତା କଥା କହି ଉଭୟ କଂଗ୍ରେସ ଓ ବିଜେପିର ମୁକାବିଲା କରିଥିବା ବେଳେ ପଶ୍ଚିମ ବଂଗରେ ମମତା ବିଜେପି ଓ ସିପିଏମ୍ ର (ଭିତିରି ବୁଝାମଣା) ମିଳିତ ଶକ୍ତିକୁ ସାମନା କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ୱାଇଏସଆର କଂଗ୍ରେସ (ୱାଇ. ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ) ଓ ବିଜେପିର ମିଳିତ (ଭିତିରି) ଶକ୍ତିକୁ ମୁକାବିଲା କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଆଂଚଳିକ ଦଳ ଟିଆରଏସ୍ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ଘୋଷଣା ପରେ ବିଜେପି ଆଡକୁ ଆଉଜି ରହି ଥିବା ବେଳେ ଏବେ ପରିସ୍ଥିତି ଦେଖି ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏକ ‘ଫେଡେରାଲ ଫ୍ରଂଟ୍’ ଗଠନ ପ୍ରସ୍ତାବ ନେଇ ମାୟାବତୀ, ଅଖିଳେଶ, ମମତା, ଚନ୍ଦ୍ରବାବୁ, ନବୀନଙ୍କ ଦୁଆରକୁ ଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମେଂଟ ଦଳଙ୍କୁ ସାଙ୍ଗରେ ନେଇ ସରକାର ଚଳାଇବା କଳା ତାଙ୍କୁ ଜଣା ଅଛି କହି ମେ’୨୩ରେ ଏକ ଝୁଲା ଜନାଦେଶ ଦେଶବାସୀଙ୍କ ସାମନାକୁ ଆସୁଥିବାର ସଂକେତ ଦେଇଛନ୍ତି ।
ବାସ୍ତବରେ, ଭାରତୀୟ ଭୋଟର ୨୦୧୯ ସାଧାରଣ ନିର୍ବାଚନକୁ ଏଭଳି ଏକ ଅସ୍ୱଚ୍ଛ ବା ଗୋଳିଆ ଅବସ୍ଥାରେ ଦେଖୁଛନ୍ତି ଯେ ସଂଖ୍ୟାଗରିଷ୍ଠ ଜନାଦେଶ କାହା ସପକ୍ଷରେ ଯିବ – ତାହା ଆକଳନ କରିପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକାଶ’କୁ ବହୁ ପଛରେ ଛାଡି ‘ରାଷ୍ଟ୍ରବାଦ’ ଓ ‘ପାକିସ୍ତାନର ବାଲକୋଟ୍ ରେ ଭାରତୀୟ ବିମାନ ବାହିନୀର ଗୋପନ ଏୟାରଷ୍ଟ୍ରାଇକ୍’କୁ ୨୦୧୯ ନିର୍ବାଚନର ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢିଛନ୍ତି। ସେହିପରି, ଏଆଇସିସି ସଭାପତି ରାହୁଲ ଗାନ୍ଧୀ ‘ରାଫେଲ୍’ ଯୁଦ୍ଧ ବିମାନ କିଣାରେ ହୋଇଥିବା କଥିତ ଘୋଟାଲାକୁ ନେଇ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଘେରିଛନ୍ତି । ଓଡ଼ିଶାକୁ ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଅବହେଳା କରି ଆସିଥିବା ଏବଂ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ରାଜ୍ୟକୁ ମିଳୁ ଥିବା ସବୁ କେନ୍ଦ୍ରୀୟ ଅନୁଦାନକୁ କାଟଛାଂଟ କରି ରାଜ୍ୟ ଅର୍ଥନୀତିକୁ ଦୁର୍ବଳ କରି ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିବା ସହ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବା ଦାବୀରେ ୨୦୧୯ ନିର୍ବାଚନ ଲଢିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବୀ ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତାକୁ ପ୍ରସଙ୍ଗ କରିଛନ୍ତି । ଆଉ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆସାମ ଓ ପଶ୍ଚିମ ବଂଗରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବିଜେପି ଟାର୍ଗେଟ୍ କରିଥିବା ଅଭିଯୋଗ କରି ମୋଦୀ ସରକାର ଦେଶରେ ଜାତୀୟ ନାଗରିକ ଆଇନ କାର୍ଯ୍ୟକାରୀ କରିବା ମାଧ୍ୟମରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଦେଶରୁ ତଡିବା ଚକ୍ରାନ୍ତ କରୁଥିବା କହିଛନ୍ତି । ବିଜେପି ବିରୋଧରେ ସେ ଦମ୍ଦାର ଲଢେଇ ଜାରୀ ରଖିଛନ୍ତି । ମାୟା-ଅଖିଳେଶ ଯୋଡି ଅଲୱାର ଲିଂଚିଂକୁ ପ୍ରସଙ୍ଗ କରି ଦେଶରେ ବିଭିନ୍ନ ଅଂଚଳରେ ପଛୁଆ ଜାତି, ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଦକ୍ଷିଣପନ୍ଥୀ ବର୍ବର ଆକ୍ରମଣ ଚଳାଇ ଥିବା ଅଭିଯୋଗ କରିଛନ୍ତି । ଏହାକୁ ମୁଦ୍ଦା କରି ସେ ୨୦୧୯ ନିର୍ବାଚନରେ ବିଜେପି ଓ ତାହା ସହଯୋଗୀଙ୍କୁ ଘେରିବା ଉଦ୍ୟମ କରିଛନ୍ତି । ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ‘ସଚ୍ଚା ଦେଶଭକ୍ତ’ ଓ ବିରୋଧୀମାନେ ‘ପାକିସ୍ତାନ-ସପକ୍ଷବାଦୀ’ କହି ଭୋଟରଙ୍କୁ କେବଳ ପ୍ରଭାବିତ କରି ନାହାନ୍ତି ‘ବିରୋଧୀଙ୍କୁ ଭୋଟ ଦେଇ ଜିତାଇଲେ ପାକିସ୍ତାନକୁ ଭୋଟ ଦେଲା ଭଳି ହେବ’ କହି ଭାରତୀୟ ଭୋଟରଙ୍କ ଭାବନା ସହ ଖେଳିଛନ୍ତି । ‘କେବଳ ବିଜେପି ଦେଶକୁ ସୁରକ୍ଷିତ ରଖି ପାରିବ, ବିରୋଧୀ ନୁହନ୍ତି’- ଏଭଳି ଏକ ବାର୍ତା ବିଜେପି ଦେଶବାସୀଙ୍କୁ ଦେବାକୁ ଚାହିଁଛି । କିଛି ମାତ୍ରାରେ ଏହି ବାର୍ତା ଭୋଟରଙ୍କୁ ପ୍ରଭାବିତ ମଧ୍ୟ କରିଛି । ତେବେ, କେତେ ପରିମାଣର ତାହା ଭୋଟ୍ ରେ ରୂପାନ୍ତରିତ ହୋଇଛି ତାହା ୨୩ ତାରିଖ ଭୋଟ ଫଳାଫଳରୁ ଜଣାପଡିବ ।
ଏହି ନିର୍ବାଚନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଭୋଟ ସମୟରେ ରାଜନେତାମାନେ ପରସ୍ପର ପ୍ରତି ଅସୂୟା ଓ ଅପଶବ୍ଦର ଖୋଲି ପ୍ରୟୋଗ କରିବା । ତେବେ, ଝୁଲା ସରକାର ହେବା ସମ୍ଭାବନାକୁ ଦେଖି ସେହି ନେତାମାନେ ରଂଗ ବଦଳାଇବା ଆରମ୍ଭ କଲେଣି । ରାଜ୍ୟ ବିଜେଡ଼ି ସରକାର ‘ଅପାରଗ’ ଓ ‘ପୋଡା ଟ୍ରାନ୍ସଫର୍ମର’ କହି ସମାଲୋଚନା କରିଥିବା ବିଜେପି ଏବେ ‘ଫନି’ ଆଢୁଆଳରେ ନବୀନଙ୍କୁ ଦେଖି ଦାନ୍ତ ନିକୁଟୁଛି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଭୋଟ ପରେ ଦିଲ୍ଲୀ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶାବାଡି ହେବାର ଉପକ୍ରମ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫନି’ ଓଡ଼ିଶା ନ ଛୁଉଁଣୁ ରାଜ୍ୟକୁ ୩୪୨ କୋଟି ଟଙ୍କା ଆଗୁଆ ସହାୟତା ଏବଂ ‘ଫନି’ ମହାବାତ୍ୟା ରାଜ୍ୟକୁ ଉଜାଡି ଦେବା ପରେ ମେ’ ୬ ତାରିଖ ଓଡ଼ିଶା ଆସି ଆଉ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିବା ପଛରେ ରାଜନୀତିର ଗନ୍ଧ ବାରି ହେଉଛି । ‘ଫାଇଲିନ’ରେ ଆସିଲେନି, ‘ହୁଡହୁଡ’ରେ ଆସିଲେନି, ‘ତିତିଲି’ରେ ଆସିଲେନି … ଏବେ ଭୋଟ ସମୟରେ ଆସି ଗଲେ’ କହି ବିଭିନ୍ନ ନିର୍ବାଚନ ସଭାରେ କେନ୍ଦ୍ର ବିଜେପି ସରକାରଙ୍କୁ ସମାଲୋଚନା କରିଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ୧୪୫୦ କୋଟିର ‘ଫନି’ ସହାୟତା ପାଇ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେପିକୁ ବାହାରୁ ସମର୍ଥନର ଆବଶ୍ୟକତା ପଡିଲେ ବିଜେଡ଼ି, ଟିଆରଏସ୍ ଓ ୱାଇଏସଆର କଂଗ୍ରେସ ଆଗତୁରା ହାତ ବଢାଇବେ ବୋଲି ଜାତୀୟସ୍ତରରେ ଚର୍ଚ୍ଚା ହେଉଛି । ଅତୀତ ଅଭିଜ୍ଞତା ମଧ୍ୟ ଏଭଳି ଆକଳନକୁ ପୃଷ୍ଟି କରୁଛି । ଯଦି ଭିତରେ ବୁଝାମଣା ରହିଛି, ଓଡ଼ିଶାବାସୀଙ୍କ ସାମନାରେ ଶିଙ୍ଗ ଲଢେଇର ନାଟକ କରୁଥିଲ କାହିଁକି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରଶ୍ନ କରିବାର ସମୟ ଆସି ନାହିଁ । ମେ’ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଯଦି ବିଜେପି ସହ ବିଜେଡ଼ି କøଣସି ପରିସ୍ଥିତିରେ ବୁଝାମଣା କରେ ଓଡ଼ିଶାବାସୀ ଏହି ପ୍ରଶ୍ନ କରିବାର ଅବକାଶ ପାଇବେ । ବିଶେଷକରି, ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ ଅକୁଣ୍ଠ ସମର୍ଥନ ଦେଇଥିବା ଓଡ଼ିଶାର ଯୁବ ଓ ନୂଆ ଭୋଟର ଭବିଷ୍ୟତରେ ବିଜେଡ଼ିକୁ କେବେ କ୍ଷମା ଦେବେ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS