ତଥାଗତ ସାକ୍ଷାତକାର, ଟାର୍ଗେଟ୍ ରେ ନବୀନ !


– ପ୍ରସାଦ ରାଓ –
ବୁଧବାର (ମେ’ ୧୫ ତାରିଖ) ଦିନ ଏକ ଜାତୀୟ ଇଂରାଜୀ ଦୈନିକ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ବିଜେଡ଼ି ସାଂସଦ ତଥାଗତ ସତପଥୀଙ୍କ ସାକ୍ଷାତକାର ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କଲା ଭଳି ହୋଇଥିଲେ ମଧ୍ୟ ଓଡ଼ିଶାର ଗଣମାଧ୍ୟମ ତାହାକୁ ସେମିତି କିଛି ଗୁରୁତ୍ୱ ଦେଇଥିବା ମନେ ହେଉ ନାହିଁ । ତଥାଗତ ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ୟାସ ଗ୍ରହଣ କରିଥିଲେ ମଧ୍ୟ ବିଜେଡ଼ି ଛାଡି ନାହାନ୍ତି । ନିରପେକ୍ଷ ସାମ୍ବାଦିକତା ପାଇଁ ସେ ରାଜନୀତି ଛାଡୁଥିବା କହିଥିଲେ ଏବଂ ପୁଅକୁ ଏହାର ଶ୍ରେୟ ଦେଇଥିଲେ । ଇତିମଧ୍ୟରେ ତାଙ୍କ ଦ୍ୱାରା ସଂପାଦିତ ଖବରକାଗଜର ସ୍ୱର କିଛିମାତ୍ରାରେ ବଦଳିଛି । ତାହା ମଧ୍ୟ ରାଜ୍ୟ ସରକାରଙ୍କୁ ନେଇ ।
ତଥାଗତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ଥିବା ସମୟରେ ତାଙ୍କ ଦ୍ୱାରା ସଂପାଦିତ ଖବରକାଗଜ ସରକାରୀ ବାବୁଙ୍କୁ ସମାଲୋଚନା କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ସୁରକ୍ଷା ଦେଇ ଆସୁଥିଲା । ୨୦୧୯ ଭୋଟ ପୂର୍ବରୁ କଣ ହେଲା କେଜାଣି ହଠାତ୍ ତଥାଗତ ରାଜନୀତିରୁ ସନ୍ୟାସ ନେଉଥିବା ଘୋଷଣା କରି ନିରପେକ୍ଷ ସାମ୍ବାଦିକତା ପାଇଁ ଏଭଳି ନିଷ୍ପତ୍ତି ନେଇ ଥିଲେ । ଇତିମଧ୍ୟରେ ତାଙ୍କ ସଂପାଦିତ ଖବରକାଗଜରେ ସରକାରଙ୍କ ବିରୋଧରେ ସ୍ୱର ଶାଣିତ ହୋଇଛି । ତାଙ୍କ ସ୍ୱରରେ କଂଗ୍ରେସ ପ୍ରତି ନ ହେଲେ ବି ବିଜେପି ପ୍ରତି ସାମାନ୍ୟ ଅନୁକଂପା ଥିବା ଅନୁଭବ କରିହେଉଛି । ବୁଧବାର ଏକ ଇଂରାଜୀ ଦୈନିକରେ ପ୍ରକାଶିତ ସାକ୍ଷାତକାରରେ ତଥାଗତ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବା ମନେ ହେଉଛି ।
ତଥାଗତଙ୍କ ସାକ୍ଷାତକାର ନେଇ ଥିବା ସଂପୃକ୍ତ ଇଂରାଜୀ ସମ୍ବାଦପତ୍ରର ପ୍ରତିନିଧିଙ୍କ ପ୍ରଥମ ପ୍ରଶ୍ନ ଥିଲା – ଓଡ଼ିଶାର ବର୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ଉପରେ । ତଥାଗତ ଏହି ଦୃଶ୍ୟପଟ୍ଟକୁ କିଭଳି ଦୃଷ୍ଟିରେ ଦେଖୁଛନ୍ତି (?) ବୋଲି ସେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ତଥାଗତ ସିଧାସଳଖ ନ ହେଲେ ବି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲା ଭଳି ମନେ ହେଉଛି । ତଥାଗତଙ୍କ ଉତ୍ତର ରହିଛି – ବିଜେଡ଼ି ଏକ ଆଦର୍ଶ ବା ବିଚାରଧାରାର ପ୍ରତିନିଧିତ୍ୱ ପାଇଁ ଗଠନ ହୋଇ ନ ଥିଲା, ଏହା ଏକ ବ୍ୟକ୍ତି-ସର୍ବସ୍ୱ ଦଳ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ ଆଚରଣ ପୂର୍ବ ନିର୍ବାଚନଗୁଡିକ ତୁଳନାରେ ଭିନ୍ନ ଥିଲା । ମତଦାନକୁ ନେଇ ଭୋଟର ହୃଦୟ ଖୋଲୁ ନ ଥିଲେ, ନୀରବ ରହିବାକୁ ପସନ୍ଦ କରିଥିଲେ । ଏହି ନୀରବତା ବହୁତ କିଛି କହୁଛି । ତେବେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ଭୋଟର ପସନ୍ଦ କରିଥିବା ମନେ ହେଉଛି । ଭୋଟର ଯେତେବେଳ ନୀରବତା ଅବଲମ୍ବନ କରନ୍ତି ବା ‘ସାଇଲେଂଟ୍ ମୋଡ୍’ରେ ରୁହନ୍ତି ତାହା ସରକାର-ବିରୋଧୀ ଜନମତର ଆଭାସ ଦେଇଥାଏ – ଏହା ତାଙ୍କ ଅଭିଜ୍ଞତା କହୁଛି ବୋଲି ତଥାଗତ କହିଛନ୍ତି ।
ତଥାଗତଙ୍କ ମତରେ, ରାଜ୍ୟରେ ଯେହେତୁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହୋଇଛି, ରାଜ୍ୟରେ ଦୀର୍ଘ ସମୟ ଧରି କ୍ଷମତାରେ ଥିବା ବିଜେଡ଼ି ଏବଂ କମ୍ ସମୟ ପାଇଁ ହେଲେ ମଧ୍ୟ କେନ୍ଦ୍ରରେ କ୍ଷମତାରେ ରହି ଏକ ପ୍ରତିକ୍ରିୟାଶୀଳ ଶାସନ ଦେଇଥିବା ବିଜେପିକୁ ରାଜ୍ୟବାସୀ ପରଖି ନିଷ୍ପତ୍ତି ନେବାର ସୁଯୋଗ ପାଇଛନ୍ତି । ଏଭଳି ପରିସ୍ଥିତିରେ କୋଉ ଘୋଡ଼ାର ବିଜୟ ହେବ ସଠିକ ଭାବେ ଆକଳନ କରିବା ସମ୍ଭବ ନୁହେଁ । ତେବେ, ବିଜେପି ଓଡ଼ିଶାରେ ୬୮ଟି ବିଧାନସଭା ଓ ୯ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି ଯାହା ଦାବୀ କରୁଛି ତାହାକୁ ଅଣଦେଖା କରି ହେବ ନାହିଁ । ବିଜେଡ଼ି-ବିଜେପି ଭିତରେ ଭିତିରି ବୁଝାମଣା ଥିବା ନେଇ ଯେଉଁ ଆଲୋଚନା ହେଉଛି ତାହା ଉପରେ ପ୍ରତିକ୍ରିୟା ଦେଇ ତଥାଗତ କହିଛନ୍ତି, ରାଜନେତାମାନେ ଯାହା ଭିତିରି ବୁଝାମଣା କରନ୍ତୁ ନା କାହିଁକି ଭୋଟର ସବୁବେଳେ ସେମାନଙ୍କ ଠାରୁ ପାଦେ ଆଗରେ ଥାଆନ୍ତି । ତେଣୁ, ଫଳାଫଳ କଣ ହେଉଛି ସମୟ କହିବ ।
ବିଜେଡ଼ି ନବୀନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ କି (?) ବୋଲି ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ । ତାହାର ଉତ୍ତରରେ ତଥାଗତ କହିଛନ୍ତି – ବିଜେଡ଼ି ପୂର୍ଣ୍ଣତଃ ନବୀନଙ୍କ ଉପରେ ନିର୍ଭରଶୀଳ । ନବୀନଙ୍କୁ ବାଦ୍ ଦେଲେ ବିଜେଡ଼ିରେ ଅନ୍ୟ କେହି ନାହିଁ ଯାହାକୁ ନେଇ ଚର୍ଚ୍ଚା ହୋଇପାରେ । ଏକାକୀ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡ଼ିର ୟୁଏସପି । ତାଙ୍କ ଉପରକୁ ଆଉ କିଛି ନାହିଁ । ଏକ ବିଚାରଧାରାକୁ ନେଇ ଏହି ରାଜନୈତିକ ଦଳ ଗଠନ ହୋଇ ନ ଥିଲା, ବ୍ୟକ୍ତିବିଶେଷକୁ ନେଇ ହୋଇଥିଲା, ଯାହାକି ଲମ୍ବା ସମୟ ପାଇଁ ଦଳକୁ ବଂଚାଇ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲି ଥିବା ପ୍ରଚାର ଓ ଦଳର ଭବିଷ୍ୟତ ନେତୃତ୍ୱ ଉପରେ ମଧ୍ୟ ଏହି ସାକ୍ଷାତକାର ବେଳେ ପ୍ରଶ୍ନ ହୋଇଛି । ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତଥାଗତ ଓଡ଼ିଶାର ରାଜନୈତିକ ଇତିହାସ ପୃଷ୍ଠା ଖୋଲିଛନ୍ତି ।
ତଥାଗତ କହିଛନ୍ତି, ଅତୀତରେ ଓଡ଼ିଆ ଭୋଟର କଂଗ୍ରେସକୁ ଭୋଟ ଦେଉଥିଲେ ମଧ୍ୟ ଅନ୍ତର ଭିତରେ କଂଗ୍ରେସକୁ ଭଲ ପାଉ ନଥିଲେ । ସେହିଭଳି, ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ଥିବା ସମୟରେ ଓଡ଼ିଆ ଭୋଟର ବିଜେପିକୁ ଭୋଟ ଦେଇଛନ୍ତି । କିନ୍ତୁ, ୨୦୦୯ରେ ବିଜେଡ଼ି ବିଜେପିକୁ ଦୂରେଇ ଦେଇ ଏକାକୀ ନିର୍ବାଚନ ଲଢିବାରୁ ରାଜ୍ୟରେ ବିଜେପି ତଳକୁ ଖସିବା ଆରମ୍ଭ କରି ମୂଳପୋଛ ହୋଇଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଅଧିକାଂଶ ଓଡ଼ିଆ ଭୋଟର ଉତ୍ତର ଭାରତରୁ ପ୍ରତିନିଧିତ୍ୱ କରୁଥିବା ବା କୌଣସି ହିନ୍ଦି ଭାଷୀ ଅଂଚଳର ରାଜନୈତିକ ଦଳକୁ ଭୋଟ ଦେବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣରୁ କଂଗ୍ରେସ ବା ବିଜେପି ଓଡ଼ିଶାରେ ତିଷ୍ଠି ପାରି ନାହିଁ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କି ଆଂଚଳିକ ଦଳ ଭାବେ ‘ସ୍ୱତନ୍ତ୍ର ପାଟି’ର୍ କ୍ଷମତାକୁ ଆସି ଥିଲା ଏବଂ ବଲାଙ୍ଗୀର ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେବଳ ସେତିକି ନୁହେଁ, ଉକ୍ରଳ କଂଗ୍ରେସ, ଜନକଂଗ୍ରେସ ପ୍ରଭୃତି ଏକାଧିକ ଆଂଚଳିକ ଦଳ ଓଡ଼ିଶାରେ ସରକାର ଗଠନ କରିବାରେ ସଫଳ ହୋଇଥିଲେ । ଏହି ପରଂପରା ଚାଲି ଆସିଛି ଏବଂ ତାହାର ସବୁଠାରୁ ବଡ ଉପଭୋକ୍ତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ମତରେ, ନବୀନ ବାବୁ ନିଜ ପିତା ବିଜୁ ପଟ୍ଟନାୟକଙ୍କ ପାଇଁ ନୁହେଁ, ଜାତୀୟ ଦଳଙ୍କ ପ୍ରତି ରାଜ୍ୟର ଅଧିକାଂଶ ଭୋଟରଙ୍କ ମନରେ ରହିଥିବା ଅସନ୍ତୋଷ ଯୋଗୁଁ ଏତେ ବର୍ଷ ଧରି କ୍ଷମତା ଭୋଗ କରୁଛନ୍ତି । ତେବେ, ଓଡ଼ିଶା ପାଇଁ ନବୀନ ପଟ୍ଟନାୟକ ଅପରିହାର୍ଯ୍ୟ କହିବା ଠିକ୍ ହେବ ନାହିଁ । ତାଙ୍କ ଅବର୍ତମାନରେ ସୁବିଧାବାଦୀ ନେତାମାନେ ଦଳ ଛାଡି ଚାଲି ଯିବେ । କିନ୍ତୁ, ଓଡ଼ିଶା ଭଳି ରାଜ୍ୟର ଅଧିବାସୀମାନେ, ଯେଉଁମାନେ କି ବିଭିନ୍ନ ସମୟରେ ଆଂଚଳିକ ଦଳଙ୍କୁ ବିଶ୍ୱାସକୁ ନେଇ କ୍ଷମତାସୀନ କରିଛନ୍ତି, ଭବିଷ୍ୟତରେ ସେମାନେ ଏକ ନୂଆ ଦଳକୁ (୨୦୨୪ରେ) ସୁଯୋଗ ଦେଇ ପାରନ୍ତି । ଏପରି ହୋଇପାରେ, ରାଜ୍ୟକୁ ଏକ ନୂତନ ନେତୃତ୍ୱ ମିଳିପାରେ । ନେତା ଯେ କେହି ହୁଅନ୍ତୁ ନା କାହିଁକି ।
‘ଫନି’ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଏବଂ ଆନ୍ତର୍ଜାତିକ ମିଡ଼ିଆ ଓ ଜାତିସଂଘ ପକ୍ଷରୁ ସରକାରଙ୍କୁ କରାଯାଇଥିବା ପ୍ରଶଂସାରେ ଏକ ପ୍ରଶ୍ନର ଉତ୍ତର ଦେଇ ତଥାଗତ କହିଛନ୍ତି, ବର୍ତମାନ ସମୟରେ ରାଜ୍ୟରେ ରାଜନୈତିକ ସରକାର ଥିଲା ଭଳି ଲାଗୁ ନାହଁ । ‘ଫନି’ ମୁକାବିଲାରେ ସରକାରଙ୍କ କଚ୍ଛପ ଗତିରୁ ତାହା ସୂଚିତ ହେଉଛି । ପ୍ରଶାସକମାନେ ସବୁ ବେଳେ ଗୋଳିଆ ଚିତ୍ର ଦେଖାଇ ପ୍ରଶଂସା ସାଉଟି ଥା’ନ୍ତି । ‘ଫାଇଲିନ୍’, ‘ହୁଡ଼ହୁଡ଼’ ଓ ‘ତିତିଲି’ ଭଳି ବାତ୍ୟା ରାଜ୍ୟର ଗ୍ରାମ୍ୟ ଓ ଦୁର୍ଗମ ଅଂଚଳକୁ କ୍ଷତିଗ୍ରସ୍ତ କରିଥିଲା । ସେସବୁ ବାତ୍ୟାରେ ସରକାରୀ କଳ କିଭଳି ମୁକାବିଲା, ପୁନରୁଦ୍ଧାର ଓ ଥଇଥାନ କରିଥିଲା ତାହା ପରଖିବାକୁ ରାଜ୍ୟର ରାଜନୈତିକ ନେତୃତ୍ୱ ଓ ମିଡ଼ିଆ ସେତେଟା ଗୁରୁତ୍ୱ ଦେଇ ନ ଥିଲେ । ତେଣୁ, ସରକାରଙ୍କ ଦୁର୍ବଳତା ଲୁଚି ଯାଇଥଲା । କିନ୍ତୁ, ‘ଫନି’ ପୁରୀ, କଟକ, ଭୁବନେଶ୍ୱର ଭଳି ସହାରାଂଚଳକୁ ବିଶେଷ ପ୍ରଭାବିତ କରିଛି । ଏହାର ମୁକାବିଲାରେ ରାଜ୍ୟ ସରକାରଙ୍କ ପାରିବାପଣିଆ ସମସ୍ତଙ୍କୁ ଜଳଜଳ ହୋଇ ଦିଶୁଛି । ‘ଫନି’ରେ ସରକାରଙ୍କ ପୁନରୁର୍ଦ୍ଧାର କାର୍ଯ୍ୟ ପର୍ଯ୍ୟାପ୍ତ ନୁହେଁ । ଆଉ, ପ୍ରଶଂସାପତ୍ର ସାଉଁଟିବା ! ଯେଉଁ ଆନ୍ତର୍ଜତିକ ସଂସ୍ଥା ପ୍ରଶଂସାପତ୍ର ଦେଇଛନ୍ତି ସେମାନଙ୍କ ଉପରେ ‘ମୋର’ ତିଳେ ମାତ୍ର ବିଶ୍ୱାସ ନାହିଁ ବୋଲି ସେ ମତ ଦେଇଛନ୍ତି ।
ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବାକୁ ହେଉଥିବା ଦାବି ସଂପର୍କରେ ପ୍ରଶ୍ନ ହେବାରୁ ତଥାଗତ ସକାରାତ୍ମକ ମତ ଦେଇଛନ୍ତି । ଓଡ଼ିଶା ଏକ ସୀମାନ୍ତ ରାଜ୍ୟ ହୋଇ ନ ଥିଲେ ମଧ୍ୟ ଲଗାତର ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଆସୁଛି । କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ପ୍ରଦେଶ ମଧ୍ୟ ଏକା ଭଳି ପରିସ୍ଥିତିର ସାମନା କରୁଛି । ତେଣୁ, ଦୁଇ ରାଜ୍ୟ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇବାକୁ ହକଦାର । ଦୁଇ ରାଜ୍ୟ, ବିଶେଷକରି ଓଡ଼ିଶା ଜାତୀୟ ରାଜକୋଷକୁ ପ୍ରଚୁର ପରିମାଣର ରାଜସ୍ୱ ଦେଇ ସମୃଦ୍ଧ କରୁଛି । ତେଣୁ, ଓଡ଼ିଶାବାସୀ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଭିକରେ ମାଗୁ ନାହିଁ ବା ରାଜନୈତିକ ଦଳ ଏହା ଦେଇ ଆମକୁ ଦୟା କରୁଛନ୍ତି ବୋଲି ଭାବିବା ଠିକ୍ ନୁହେଁ । ଏହା ଓଡ଼ିଶାବାସୀଙ୍କ ହକ୍ ବୋଲି ତଥାଗତ କହିଛନ୍ତି ।
ମୋଟାମୋଟି ଭାବେ ଏହି ସାକ୍ଷାତକାର ନିରପେକ୍ଷ ଓ ଓଡ଼ିଶାର ସ୍ୱାର୍ଥ-ସମ୍ବଳିତ ଥିଲେ ମଧ୍ୟ ଏଥିରେ ତଥାଗତଙ୍କ ବିଜେଡ଼ି ଓ ନବୀନଙ୍କ ପ୍ରତି ରହିଥିବା କ୍ଷୋଭ ବହୁମାତ୍ରାରେ ପ୍ରତିଫଳିତ ହୋଇଛି । ‘ବିଜେଡ଼ି’ ଏକ ବିଚାରଧାରା ନୁହେଁ, ବ୍ୟକ୍ତି-ସର୍ବସ୍ୱ ରାଜନୀତି ପାଇଁ ଗଠନ ହୋଇଥିବା ଏକ ରାଜନୈତିକ ଦଳ ବୋଲି ତଥାଗତଙ୍କ ମତ ସିଧାସଳଖ ନବୀନଙ୍କୁ ତୀର ମାରୁଛି । ୨୦୧୯ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ଆକଳନକୁ ଅଣଦେଖା କରି ହେବ ନାହିଁ କହି ବିଜେପିର ଉତ୍ଥାନକୁ ସ୍ୱୀକାର କରିଛନ୍ତି । ତେବେ, ୨୦୨୪ ବେଳକୁ ରାଜ୍ୟରେ ଯେଉଁ ନୂଆ ଆଂଚଳିକ ଦଳ ଓ ନେତୃତ୍ୱ କଥା କହୁଛନ୍ତି ତାହା କେଉଁମାନଙ୍କୁ ଆଖିରେ ରଖି (!), ତାହା ସ୍ପଷ୍ଟ ହୋଇ ନାହିଁ । ତଥାଗତ ବିଜେଡ଼ିରେ ରହି ମଧ୍ୟ ରାଜନୀତିରୁ ସନ୍ୟାସ ନେବା ପଛରେ ସୌମ୍ୟ ଓ ଅଚ୍ୟୁତଙ୍କ ବିଜେଡ଼ିିରେ ଅନୁପ୍ରବେଶ ପ୍ରମୁଖ କାରଣ ଭାବେ ବିଚାର କରାଯାଉଥିଲା । ଏହା ପଛରେ ଆଉ କିଛି ବଡ କାରଣ ମଧ୍ୟ ଥାଇ ପାରେ, ଏବେ ସେଭଳି ସନ୍ଦେହ ଦୃଢ ହେଉଛି । ୨୦୧୯ ନିର୍ବାଚନରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବିଜେପି ଯେଉଁ ବିଜୟ ସମ୍ଭାବନା ଦେଖୁଛି ତାହାକୁ ତଥାଗତ ନିଜ ଖବରକାଗଜରେ ଏକପ୍ରକାର ସ୍ୱୀକାର କରିଛନ୍ତି । ଏସବୁ ଦେଖିଲେ, ତଥାଗତଙ୍କ ରାଜନୀତିରୁ ସନ୍ୟାସ ପଛରେ ଆହୁରି ଅନେକ କାରଣ ରହିଥବା ସ୍ପଷ୍ଟ ବାରି ହେଉଛି ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS