ଭାରତୀୟ ରାଜନୀତିରେ ସବୁ ସମ୍ଭବ
– ପ୍ରସାଦ ରାଓ –
ମେ’୧୯,୨୦୧୯
ଭାରତୀୟ ରାଜନୀତିରେ ସବୁ କଥା ସମ୍ଭବ । ଅତୀତରେ ତାହା ପ୍ରମାଣିତ ହୋଇଛି । ମେ’ ୨୩ ତାରିଖ ୨୦୧୯ ଭୋଟର ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ଭାରତୀୟ ଭୋଟର ତାହା ଦେଖିବାକୁ ଯାଉଛନ୍ତି । କାଲି ଯେଉଁମାନେ ପରସ୍ପର ବିରୋଧରେ ବିଷୋଦଗାର କରୁଥିଲେ ନିର୍ବାଚନ ସରିବା ପରେ ସେମାନେ କ୍ଷମତା ପାଇଁ ବନ୍ଧୁ ହେବାକୁ ଯାଉଛନ୍ତି । ବନ୍ଧୁମାନେ ବିରୋଧୀ ଶିବିରକୁ ଚାଲି ଯିବା ମଧ୍ୟ କିଛି ଅସମ୍ଭବ ନୁହେଁ ।
କ୍ଷମତା ହେଉଛି ଏଭଳି ଏକ ଲୋଭ ଯାହାକୁ ସମ୍ବରଣ କରିବା କାହାରି ସାଧ୍ୟ ଭିତରେ ନୁହେଁ । ୨୦୧୯ ନିର୍ବାଚନ ସମୟରେ ତାହା ଦେଖିବାକୁ ମିଳିଛି । ନିର୍ବାଚନ ଲଢିବା ପାଇଁ ଟିକଟ ନ ମିଳିବାରୁ ନେତାମାନେ ବହୁ ବର୍ଷର ବନ୍ଧନକୁ କାଟି ବିରୋଧୀ ଶିବିରକୁ ଚାଲି ଯିବାର ରେକର୍ଡ ଏହି ନିର୍ବାଚନରେ ଭଙ୍ଗ ହୋଇଛି । କୌଣସି ଦଳ ଏଥିରୁ ବାଦ ପଡି ନାହାନ୍ତି । କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଦଳମାନଙ୍କରେ ଅଧିକ ଭାବେ ଏଭଳି ଦଳବଦଳ ହୋଇଛି । କାଲି ଯିଏ ଗେରୁଆ ଉତ୍ତରୀୟ ପିନ୍ଧି ସବୁଜ ଉତ୍ତରୀୟକୁ ସମାଲୋଚନା କରୁଥିଲା ଆଜି ହଠାତ୍ ସେ ସବୁଜ ଉତ୍ତରୀୟ ପିନ୍ଧି ଗୋରୁଆଙ୍କୁ ସମାଲୋଚନା କରୁଥିବା ଭୋଟର ଦେଖିଛନ୍ତି । ହାରିବାର ଭୟରେ ବଡ ବଡ ବିରୋଧୀ ନେତା ଦଳ ବଦଳାଇ ଶାସକ ଦଳର ବଚସ୍କର ହେବା ମଧ୍ୟ ୨୦୧୯ରେ ଭୋଟ ରାଜନୀତିର ପ୍ରକୃତ ସ୍ୱରୂପ ପଦାରେ ପକାଇଛି । ଭୋଟ ସରି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏହି ସବୁ ନେତା ଅଂକ କଷୁଛନ୍ତି ସେମାନେ ଯାହା କରିଛନ୍ତି ତାହା ସେମାନଙ୍କୁ ଜିତା ଦେବ କି ହରା । ଏହା ପରେ ଆଉ ଗୋଟିଏ ପର୍ଯ୍ୟାୟ ଅଛି, ଘୋଡା ବେପାର । କେନ୍ଦ୍ର ବା ରାଜ୍ୟରେ ଯଦି କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବ ତେବେ ଘୋଡା ବେପାରର ବଡ଼ ସୁଯୋଗ ରହିଛି । କିଏ କେତେ ମୂଲ୍ୟ ବଦଳରେ ବିକ୍ରି ହୋଇ ପାରିବ, ତାହାର ମଧ୍ୟ ହିସାବକିତାବ ଆରମ୍ଭ ହୋଇଯାଇଛି ।
ଭାରତ ଭଳି ଏକ ବୃହତ ଗଣତନ୍ତ୍ରରେ ଏସବୁ କିଛି ନୂଆ କଥା ନୁହେଁ । ତେଣୁ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାମାନେ ନିଶ୍ଚିନ୍ତ । ଶିବୁ ସୋରେନଙ୍କ ଭଳି ନେତାଏ ଅତୀତରେ ଯେତେବେଳେ ଘୋଡା ଭଳି ବିକ୍ରି ହୋଇଥିଲେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ଆଜିର ଦିନରେ ସେଭଳି କିଛି ହେବାର ନାହିଁ । କାରଣ, ଭୋଟର ଜାଣି ସାରିଲେଣି ଭାରତରେ ସବୁ କିଛି ସମ୍ଭବ । ଏହାକୁ ବିଶ୍ୱାସଘାତକତା ନ କହି ବୁଦ୍ଧିମତ୍ତା କୁହାଗଲାଣି । ପାଂଚ ବର୍ଷ କ୍ଷମତା ଭୋଗ କରି ପାଂଚ ପୁରୁଷଙ୍କ ପାଇଁ ସଂପତ୍ତି ଠୁଳ କରିବା ଆଜିର ରାଜନୀତିରେ ଆଦର୍ଶ ହୋଇଛି । ପାଂଚ ବର୍ଷ ଯାଉ, ଅଂଟିରେ ଧନ ଥିଲେ ଭୋଟ କିଣି ହେବ ଓ ଆର ଥରକୁ ମଧ୍ୟ କ୍ଷମତା ଭୋଗ କରିବା ସୁଯୋଗ ମିଳିବ – ଏହି ଆଦର୍ଶ ନେଇ ନେତା ରାଜନୀତି କରୁଛନ୍ତି । ତେଣୁ, ତଥାଗତଙ୍କ ଭାଷାରେ ଆଜିର ରାଜନୀତି ଆଉ ଆଦର୍ଶ ସର୍ବସ୍ୱ ନ ହୋଇ ବ୍ୟକ୍ତି ସର୍ବସ୍ୱ ହୋଇଛି ।
ଆମେ ଏବେ ଆସିବା ଓଡ଼ିଶା ରାଜନୀତିକୁ । କାଲି ଯାଏଁ ସମଦୂରତା କଥା କହୁଥିବା ଶାସକ ବିଜେଡ଼ି ଭୋଟି ସରୁ ସରୁ କହିଲାଣି ଦଳର ନେତା ଏବେ ସେହି ଆଦର୍ଶକୁ ପଛରେ ଛାଡି ଓଡ଼ିଶାକୁ ଯିଏ ବିପଦ ବେଳେ ସହାୟତା କରୁଛି ସେହି ଦଳ ସହ ବୁଝାମଣା ହେବ । ନେତା ନିଜେ ଏହା ନ କହି ଚେଲାଚାମୁଣ୍ଡାଙ୍କ ଦ୍ୱାରା କୁହାଉଛନ୍ତି । ଚେଲାଚାମୁଣ୍ଡା ଆଉ ପାଦେ ଆଗେଇ ଯାଇ କହୁଛନ୍ତି – ଆମ ନେତା ଆଉ ରାଜ୍ୟର ମଉଡମଣୀ ହେବାକୁ ଚାହୁଁ ନାହାନ୍ତି, ଦେଶର ସମ୍ରାଟ ହେବାକୁ ଯୋଗ୍ୟତା ରଖିଛନ୍ତି । ସମ୍ରାଟ ହେବାର ସବୁ ଗୁଣଗାରିମା ତାଙ୍କର ରହିଛି । ଚାକରମାନଙ୍କ ମୁହଁରେ ଏଭଳି ଭାଷା ବାହାରିବା ପଛରେ ମାଲିକର ଇଂଗିତ ଥିବ, ଏକଥା ରାଜ୍ୟର ଭୋଟର ବୁଝୁଛନ୍ତି । କିନ୍ତୁ, ନାଚାର । କାରଣ, ଭୋଟର ଭୋଟ ଦେବା ପୂର୍ବରୁ ଗଣତନ୍ତ୍ରର ମାଲିକ ଥିଲା । ଭୋଟ ସରିବା ପରେ ଚାକର । ମାଲିକ ଯାହା କହିବ ସେଥିରେ ସହମତି ଜଣାଇବା ଛଡା ଅନ୍ୟ ଗତି ନାହିଁ । ଏଣ୍ଡୁଅ ରଂଗ ବଦଳାଇବା ଭଳି ମାଲିକ ରଂଗ ବଦଳାଇବା ଏକ ସ୍ୱାଭାବିକ ପ୍ରକ୍ରିୟାରେ ପରିଣତ ହୋଇ ସାରିଥିବାରୁ ପ୍ରଶ୍ନ କରିବା ଅବକାଶ ନାହିଁ । ଯଦି କିଏ ପ୍ରଶ୍ନ କରେ, କାଲି ତୁମେ ଯାହାକୁ ଚରମ ଶତୃ କହି ତା’ ବିରୋଧରେ ଭୋଟ ଦେବାକୁ ଆମକୁ ଉସୁକାଉ ଥିଲ ଆଜି ସେ ତୁମର କିଭଳି ମିତ୍ର ହେଲା (?) – ତାହାର ଉତ୍ତର ହେବ, ରାଜନୀତିରେ ଶତୃ-ମିତ୍ର ସାମୟିକ । ଭୋଟଦାତା ହିଁ ଗବଗାଣ୍ଡୁ ।
ସତରେ ଭୋଟଦାତା ଗବଗାଣ୍ଡୁ । ନିର୍ବାଚନ ସମୟରେ ମିଳୁଥିବା ପ୍ରଲୋଭନ ଓ ପ୍ରୋତ୍ସାହନରେ ସେମାନେ ଭାସି ଯାଆନ୍ତି । ନେତାଙ୍କ କୁମ୍ଭୀର କାନ୍ଦଣା ସେମାନଙ୍କୁ ପ୍ରଭାବିତ କରେ । ଏହି ନେତା ହିଁ ଆମର ଭଗବାନ, ଅନ୍ୟମାନେ ସବୁ ରାକ୍ଷସ – ଏଭଳି ଧାରଣା ଜାଗ୍ରତ କରିବାରେ ଅଜସ୍ର ଅର୍ଥ ବ୍ୟୟ ହୁଏ । ଚେଲାଚାମୁଣ୍ଡା ପ୍ରଚାରରେ ମାତନ୍ତି । ଦଳର ତଳିଆ କର୍ମୀମାନେ ଭଗବାନଙ୍କ ପାଇଁ ରାକ୍ଷସଙ୍କ ବିରୋଧରେ ଲଢିବାକୁ ନଜର କର୍ତବ୍ୟ ଭାବନ୍ତି । ଭୋଟ ରାଜନୀତି ସରଗରମ ହୁଏ । ଭୋଟ ସରିବା ପରେ କ୍ଷମତା ରାଜନୀତି ଆରମ୍ଭ ହେଲେ କର୍ମୀମାନେ ହୋଇ ଯାଆନ୍ତି ଅଲୋଡା । ଖାସ୍ ଚେଲାଚାମୁଣ୍ଡା ଲାଗି ପଡନ୍ତି ମନ୍ତ୍ରୀଟିଏ ହୋଇ ଆଗାମୀ ପାଂଚ ବର୍ଷକୁ ସୁରକ୍ଷିତ କରିବା ପାଇଁ । ଭୋଟର ବିଚରା ମୁଣ୍ଡରେ ହାତ ଦେଇ ବସେ । ଅପେକ୍ଷା କରେ ପରବର୍ତୀ ନିର୍ବାଚନକୁ । ଆମ ରାଜନେତାମାନେ ଭୋଟରଙ୍କ ଏହି ଦୁର୍ବଳତାକୁ ଭଲ ଭାବେ ବୁଝନ୍ତି । ତେଣୁ, କେବେ ଗୋଡ ଧରନ୍ତି ତ କେବେ ଚୁଟି ।
ଆପଣମାନେ ଦେଖିବେ, ମେ’ ୨୩ ପରେ ଏଭଳି ଅନେକ କଥା । ଆଗାମୀ ପାଂଚ ବର୍ଷ ପାଇଁ ନେତାଙ୍କୁ ଠିକା ଦିଆ ସରିଛି । ସେହି ଠିକାର ଆଳ କରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ନେତାମାନେ ସମର୍ଥନ ଗୋଟାଇବା ଆରମ୍ଭ କଲେଣି । ଯିଏ ଯିତିବା ଆଶା ରଖିଛି ସେ ନିର୍ବାଚନ ସମୟର ଶତୃଙ୍କୁ ମିତ୍ର ବନାଇ ସରକାର ଗଢିବା ପ୍ରସାୟରେ ଲାଗି ପଡିଛି । ଯିଏ ଜିତିବାର କମ୍ ଆଶା ରଖିଛି ସେ ମଧ୍ୟ ଏଭଳି ପ୍ରୟାସରୁ ବାଦ୍ ପଡିନି । ଅଧିକ ମିତ୍ରଙ୍କୁ ଠୁଳ କରିପାରିଲେ କ୍ଷମତା ଛଡାଇ ଆଣିବା କଷ୍ଟକର ହେବ ନାହିଁ । ଏହି ଆଦର୍ଶକୁ ପାଥେୟ କରି ସେ ନିଜର ଶକ୍ତି ଠୁଳ କରୁଛି । ଭୋଟର କାହାକୁ ଚାହୁଁଛନ୍ତି, ତାହା ଏଠାରେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି, ଯିଏ ନେଇ ଆଣି ଥୋଇପାରିବ, ସେ ହିଁ ସିକନ୍ଦର୍ । ଅନ୍ୟମାନେ ଭକୁଆ । ଏହା ହିଁ ହେଉଛି ଭାରତୀୟ ଗଣତନ୍ତ୍ରର ମୋଟାମୋଟି ପରଭାଷା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS