ବିଜେପିର ଗାନ୍ଧୀ-ଗଡସେ ରାଜନୀତି ବୁମେରାଂ ହୋଇଛି
– ପ୍ରସାଦ ରାଓ –
ମେ’୧୯, ୨୦୧୯
ନାଥୁରାମ ଗଡସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ । ଏକଥା ଆମେ ପିଲା ଦିନୁ ପଢି ଆସୁଛେ । ମହାତ୍ମା ଗାନ୍ଧୀ ପ୍ରାର୍ଥନା ସାରି ଫେରୁ ଥିବା ସମୟରେ ଗଡସେ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ । ‘ହେ ରାମ୍’ କହି ମହାତ୍ମା ଟଳି ପଡି ଥିଲେ । ହତ୍ୟାକାରୀ ଗଡସେଙ୍କୁ ଆମେ ‘ଖଳନାୟକ’ ଚରିତ୍ରରେ ଦେଖି ଆସିଛେ । ଏହାର କାରଣ ହେଲା, ଯେଉଁ ବ୍ୟକ୍ତି ଅନାଶକ୍ତ ଭାବେ ଭାରତକୁ ସ୍ୱାଧୀନତା ଦେବାରେ ନଜର ସମସ୍ତ ସୁଖ, ସୁବିଧା ତ୍ୟାଗ କରିଥିଲେ ଏବଂ ଦେଶକୁ ସ୍ୱାଧୀନତା ମଧ୍ୟ ଦେଇଥିଲେ ସେହି ବ୍ୟକ୍ତିଙ୍କୁ ସ୍ୱାଧୀନ ଭାରତରେ ଜଣେ ଆତତାୟୀ ନିର୍ମମ ଭାବେ ହତ୍ୟା କଲା । କାରଣ ଯାହା ବି ହୋଇଥାଉ ।
ଆଜି ସେହି ଆତତାୟୀକୁ ‘ଦେଶଭକ୍ତ’ କୁହାଯାଇ ଗୌରବାନ୍ୱିତ କରାଯାଉଥିବା ନୂତନ ଇତିହାସ ହେବାକୁ ଯାଉଛି । ଯେଉଁ ସମୟରେ ମହାତ୍ମାଙ୍କ ଆଦର୍ଶକୁ ଭିତ୍ତି କରି ଚଳଚ୍ଚିତ୍ର ନିର୍ମାଣ ହେଉଛି ଏବଂ ଯୁବ ପୀଢି ସେହି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉତ୍ସାହ ଦେଖାଉଛନ୍ତି ସେହି ସମୟରେ ଆତତାୟୀ ଗଡସେକୁ ‘ଦେଶଭକ୍ତ’ କହି ଗୌରବମଂଡିତ କରିବାର ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ଏକ ସୁଚିନ୍ତିତ ଷଡଯନ୍ତ୍ର ନୁହେଁ ତ? ଦେଶର ରାଜନୀତି ଦକ୍ଷିଣପନ୍ଥୀଙ୍କ ଦ୍ୱାରା କବଳିତ ହେବା ପରେ ନୂଆ ଇତିହାସ ରଚନା ପାଇଁ ଯେଭଳି ତତ୍ପରତା ପ୍ରକାଶ ପାଇଛି ଏହା ତାହାର ଅଂଶବଶେଷ ନୁହେଁ ତ ?? ଏଭଳି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି ।
କ୍ଷୋଭର ବିଷୟ ହେଉଛି, ଏହି ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ନମନୀୟ ମନୋଭାବ । ଦେଶରେ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଂଚି ଥିବା ଜଣେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ‘ଦେଶଭକ୍ତ’ ଭାବେ ଚିତ୍ରିତ କରିଛନ୍ତି । ତାଙ୍କ ସହ ସ୍ୱର ମିଳାଇଛନ୍ତି ଆଉ ଦୁଇ ଜଣ ବିଜେପି ନେତା କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ ଓ ନଳୀନ କୁମାର କତିଲ୍ । ମଧ୍ୟପ୍ରଦେଶର ଆଉ ଜଣେ ବିଜେପି ନେତା ତଥା ଦଳର ମୁଖପାତ୍ର ଅନିଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କୁ ‘ପାକିସ୍ତାନର ପିତା’ କହିଛନ୍ତି । ପ୍ରଜ୍ଞା, ହେଗଡେ ଓ କତିଲ୍ଂକୁ ବିଜେପିର ଶୃଙ୍ଖଳା କମିଟି ନୋଟିସ ଜାରି କରି ୧୦ ଦିନ ମଧ୍ୟରେ ବୟାନ ସଂପର୍କରେ ଜବାବ ଦେବାକୁ କହିଥିବା ବେଳେ ସୌମିତ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛି ।
ପ୍ରଖ୍ୟାତ ଚଳିଚ୍ଚିତ୍ର ଅଭିନେତା ତଥା ଏମଏନଏମ୍ ନେତା କମଳ ହାସନ ‘ଦେଶର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ, ସେ ହେଉଛନ୍ତି ନାଥୁରାମ ଗଡସେ’ ବୋଲି ମନ୍ତବ୍ୟ ଦେବା ପରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଉଗ୍ର ପ୍ରତିକ୍ରିୟା ବ୍ୟକ୍ତ କରି ‘ଗଡସେ ଦେଶଭକ୍ତ ଥିଲେ ଓ ଦେଶଭକ୍ତ ରହିବେ’ ବୋଲି କହିଥିଲେ । ଗଡସେଙ୍କୁ ଆତଙ୍କବାଦୀ କହିଥିବା ଲୋକଙ୍କୁ ଏହି ନିର୍ବାଚନରେ ସଠିକ୍ ଜବାବ ମିଳିବ ବୋଲି ପ୍ରଜ୍ଞା କହିବା ପରେ ହେଗଡେ ଓ କତିଲ୍ ସ୍ୱର ମିଳାଇ ଥିଲେ । କେନ୍ଦ୍ର ମନ୍ତ୍ରୀ ହେଗଡେ ଟ୍ୱିଟ୍ କରି ‘ମୁଁ ଖୁସି ଯେ ୭୦ ବର୍ଷ ପରେ ଦେଶର ଯୁବ ପୀଢି ଏକ ପରିବର୍ତିତ ବାତାବରଣରେ ବିତର୍କ କରୁଛନ୍ତି ଏବଂ ଗଡସେ ଜୀବିତ ଥିଲେ ସେ ମଧ୍ୟ ଏହି ବିତର୍କରେ ଖୁସି ହୋଇଥା’ନ୍ତେ’ ବୋଲି ପ୍ରତିକ୍ରିୟା ବ୍ୟକ୍ତ କରିଥିିଲେ । ତେବେ, ସମାଲୋଚନାର ସମ୍ମୁଖୀନ ହୋଇ ହେଗଡେ ଟ୍ୱିଟ୍ କୁ ହଟାଇ ନେଇ ତାଙ୍କ ଟ୍ୱିଟର ଆକାଉଂଟ ହ୍ୟାକ୍ ହୋଇଛି ବୋଲି ସଫେଇ ଦେଇଛନ୍ତି । କତିଲ୍ ଙ୍କ ମନ୍ତବ୍ୟ ମଧ୍ୟ ଆପତ୍ତିଜନକ ଥିଲା । ବିଜେପିର ଶୃଙ୍ଖଳା କମିଟି ଏହି ତିନି ଜଣ ନେତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ ମଧ୍ୟ କୌଣସି କଡା କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ରବିବାର (ମେ’ ୧୯ ତାରିଖ) ଭୋଟ ସରିବା ପରେ ପରିବର୍ତିତ ରାଜନୈତିକ ପରିସ୍ଥିତିରେ ସବୁ କିଛି ଦବି ଯିବ ଏବଂ ଗଡସେ ଉପାଖ୍ୟାନରେ ପୂର୍ଣ୍ଣଛେଦ ପଡି ଯିବ । ତେଣୁ, ଦଳ ସମୟ ଗଡାଉ ଥିବା ଅନୁମାନ କରାଯାଉଛି ।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପ୍ରତିକ୍ରିୟା ମଧ୍ୟ ଆଲୋଚନାର ଅବକାଶ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ୧୭ ତାରିଖ ଦିନ ପ୍ରଜ୍ଞାଙ୍କ ଗଡସେ ବୟାନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଜ୍ଞା ସିଂହ ଠାକୁର ତାଙ୍କ ଭୁଲ ଟିପ୍ପଣୀ ପାଇଁ କ୍ଷମା ମାଗି ସାରିଛନ୍ତି । ତଥାପି ସେ ତାଙ୍କୁ କ୍ଷମା ଦେବେ ନାହିଁ । ଏଭଳି ଟିପ୍ପଣୀ ଖୁବ୍ ଖରାପ ଓ ସମାଜ ପାଇଁ ହାନୀକାରକ । ଶାହା କହିଛନ୍ତି, ଗାନ୍ଧୀ-ଗଡସେ ବୟାନ ଦେଇ ବିବାଦ ସୃଷ୍ଟି କରୁଥିବା ନେତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ଉତ୍ତର ଦେବାକୁ ୧୦ ଦିନ ସମୟ ଦିଆଯାଇଛି । ଉତ୍ତର ମିଳିବା ପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦୁହେଁ ଚତୁରତାର ସହ ଏହି ବାବଦକୁ ଏଡାଇ ଯାଇ ସମୟ ଗଡାଇବାକୁ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଥିବା ଯେ କେହି ଅନୁମାନ କରିପାରିବ ।
ବାସ୍ତବରେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ସରକାର ପ୍ରତିଷ୍ଠା ହେବା ପରେ ନେହେରୁ ଓ ଗାନ୍ଧୀ ବିତର୍କର ପରିଧିରେ ରହିଛନ୍ତି । ବିଧିବଦ୍ଧ ଭାବେ ଦଳ ନେହେରୁଙ୍କୁ ଦେଶର ବିଭାଜନ ପାଇଁ ଦାୟୀ କରି ଆସିଛି । ନେହୁରଙ୍କ ଉଚ୍ଚାଭିଳାଷ ଯୋଗୁ ଭାରତ ବିଭାଜିତ ହୋଇ ଦୁଇଟି ରାଷ୍ଟ୍ରରେ ପରିଣତ ହେଲା । ସେ (ନେହେରୁ) ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଅଡ଼ି ନ ବସି ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ବାଟ ଛାଡି ଥିଲେ ଭାରତର ବିଭାଜନ ଏଡାଇବା ସମ୍ଭବ ହୋଇଥା’ନ୍ତା ଓ ନୂତନ ରାଷ୍ଟ୍ର ପାକିସ୍ତାନ ସୃଷ୍ଟି ନ ଥା’ନ୍ତା ବୋଲି ବିଜେପି ତାହାର ପ୍ରଚାର ମାଧ୍ୟମଗୁଡିକ ଜରିଆରେ ରିତିମତ ପ୍ରଚାର ଚଳାଇଛି । ସେହିଭଳି, ନେହେରୁଙ୍କ ଚୀନ ପ୍ରତି ଉଦାର ମନୋଭାବ ଯୋଗୁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବାରୁ ବଂଚିତ ରହିଛି ବୋଲି ମଧ୍ୟ ବିଜେପି ମୁଖପାତ୍ରଗୁଡିକ ପ୍ରଚାର କରି ଆସୁଛନ୍ତି । ୨୦୧୯ ନିର୍ବାଚନରେ ନେହେରୁଙ୍କ ବିଭିନ୍ନ ଐତିହାସକ ଭୁଲ୍ (!)କୁ ବିଜେପି ପ୍ରଚାର ମାଧ୍ୟମ କରିଥିଲା । ନେହେରୁ-ଗାନ୍ଧୀଙ୍କ ପ୍ରତି କେନ୍ଦ୍ର ବିଜେପି ନେତୃତ୍ୱ ଯେଉଁ ବିଷ ଉଦଗୀରଣ କରୁଛି ତାହା କଟ୍ଟର୍ ହିନ୍ଦୁବାଦୀ ବିଜେପି ନେତ୍ରୀ ପ୍ରଜ୍ଞା ସିଂହ ଠାକୁର, କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ, ନଳୀନ କତିଲ୍ ଓ ବିଜେପି ମୁଖପାତ୍ର ଅନୀଲ୍ ସୌମିତ୍ରଙ୍କୁ ମହାତ୍ମା ଗାନ୍ଧୀ-ବିରୋଧୀ ଓ ଗଡସେ-ସପକ୍ଷବାସୀ ଟିପ୍ପଣୀ ଦେବାକୁ ପ୍ରୋତ୍ସାହିତ କରିଥିବା କୁହାଯାଉଛି । ଗାନ୍ଧୀ-ନେହେରୁ ପରିବାକୁ ଆକ୍ରମଣ ପାଇଁ ବିଜେପିର ଅସ୍ତ୍ର ଏବେ ବୁମେରାଂ ହୋଇ ଥିବାରୁ ସେଥିରୁ ବଂଚିବା ପାଇଁ ଏହି ସବୁ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାଟକ ଚାଲି ଥିିବା ବୁଝି ହେଉଛି ।
ଏଠାରେ ଦୁଇଟି କଥା କୁହାଯାଇପାରେ । ପ୍ରଥମଟି ହେଉଛି, ଦଳରେ ଥିବା କଟ୍ଟରପନ୍ଥୀ (ଆରଏସଏସ୍ ସମର୍ଥିତ) ନେତାଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ନିୟନ୍ତ୍ରଣ ନାହିଁ । ତେଣୁ, ସେମାନେ ବିଭିନ୍ନ ସମୟରେ ବିଭିନ୍ନ ଇସ୍ୟୁରେ ମୁହଁଖୋର ବୟାନ ଦେଇ ଦଳକୁ ଅଡୁଆରେ ପକାଉଛନ୍ତି । ଚେତାବନୀ ଓ କାର୍ଯ୍ୟାନୁଷ୍ଠାନର ବାହାନା ଦେଖାଇ ବିଜେପି ପରିସ୍ଥିତିକୁ ସମ୍ଭାଳୁଛି । ଦି୍ୱତୀୟଟି ହେଉଛି, ବିଜେପି ନିକଟରେ ବିକାଶର ପ୍ରସଙ୍ଗ କିଛି ନ ଥିଲେ ଚର୍ଚ୍ଚାରେ ରହିବା ପାଇଁ କଠୋରପନ୍ଥୀଙ୍କୁ ଏଭଳି ଶସ୍ତା ବୟାନବାଜୀ କରିବାରେ ବ୍ୟବହାର କରୁଛି । ତାହା ବୁମେରାଂ ହେଲେ ଦଳ ପଛଘୁଂଚା ଦେଉଛି । ଏଥିରୁ ଯେଉଁ ଗୋଟିକ ସତ୍ୟ ହୋଇଥାଉ ନା କାହିଁକି ତାହା ବିଜେପିର ଭାବମୂର୍ତୀକୁ ହିଁ କ୍ଷୁର୍ଣ୍ଣ କରୁଛି । କିଛି କଠୋରପନ୍ଥୀ ଟିପ୍ପଣୀ ଦେଇ ଗଡସେଙ୍କୁ ଭଗବାନ କରି ଦେଇପାରିବେ ନାହିଁ କି ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନୀ । ଭାରତର ରାଜନୈତିକ ଇତିହାସରେ ମହାତ୍ମା ଗାନ୍ଧୀ ଜାତିର ପିତା, ଜବାହାରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଓ ଗଡସେ ମହାତ୍ମାଙ୍କ ହତ୍ୟାକାରୀ ହିଁ ରହିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS