ମେ’ ତେଇଶି ପାଇଁ ସବୁଠି ଉତ୍କଣ୍ଠା..
– ପ୍ରସାଦ ରାଓ –
ମେ’୧୯,୨୦୧୯
୨୦୧୯ ସାଧାରଣ ନିର୍ବାଚନ ଫଳାଫଳ କଣ ହେବ କେହି ଅନୁମାନ କରିପାରୁ ନାହାନ୍ତି । କେନ୍ଦ୍ର ବା ରାଜ୍ୟ ସଂପର୍କରେ ପଚାରିଲେ ଗୋଟିଏ ଉତ୍ତର ମିଳୁଛି – ଏଥରର ଭୋଟ ଭିନ୍ନ ପ୍ରକାରର ହୋଇଛି, ତେଣୁ କିଛି କହି ହେବ ନାହିଁ । ଜାତୀୟ ରାଜନୀତିରେ ଏନଡ଼ିଏ ଓ ୟୁପିଏ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ମାୟାବତୀ-ଅଖିଳେଶ-ମମତା-ନବୀନ-ଚନ୍ଦ୍ରବାବୁ ନାଇଡୁ- ଜଗମୋହନ ରେଡ୍ଡୀ-କେସିଆରଙ୍କ ଭଳି ନେତାମାନେ ସ୍ୱତଃ ଚର୍ଚ୍ଚାକୁ ଆସୁଛନ୍ତି। କେନ୍ଦ୍ରରେ କାହାର ସରକାର ପ୍ରତିଷ୍ଠାନ ହେବ ସେଥିରେ ଏହି ନେତାମାନଙ୍କ ନିର୍ଣ୍ଣାୟକ ଭୂମିକା ରହିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପୂର୍ବରୁ କହିସାରିଛନ୍ତି ଏତର କେନ୍ଦ୍ରରେ ଝୁଲା ସରକାର ହେବ ଏବଂ ବିଜୁ ଜନତା ଦଳ ଭଳି ଆଂଚଳିକ ଦଳମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ତାହା ହିଁ ହେବାକୁ ଯାଉଛି । ତେଣୁ, ମେ’ ୨୩ ତାରିଖକୁ ସମସ୍ତେ ଚାହିଁଛନ୍ତି । ସେ ଦିନ ସକାଳୁ ଭୋଟ ଗଣତି ଆରମ୍ଭ ହୋଇ ରାତି ସୁଦ୍ଧା ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି ।
୧୯ ତାରିଖ ଭୋଟ ସରିବା ପରେ ସନ୍ଧ୍ୟାରେ ନିର୍ବାଚନ କମିସନ ଜାରି କରିଥିବା କଟକଣା ହଟି ଯିବ । ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ପ୍ରାକ୍-ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମାହୋଲ ଅଧିକ ଗରମ ହେବ । ତେବେ, ଅତୀତ ଅଭିଜ୍ଞତାରୁ ଏହି ସର୍ବେକ୍ଷଣ ସବୁର ବିଶ୍ୱସନୀୟତା ମଧ୍ୟ ପ୍ରଶ୍ନବାଚୀ ହୋଇଛି । ତେଣୁ, ବାସ୍ତବ ଫଳାଫଳକୁ ସମସ୍ତେ ଅପେକ୍ଷା କରିବେ । ୨୦୧୯ ନିର୍ବାଚନରେ ବିଜେପି ୩୦୦ ଲୋକସଭା ଆସନ ପାଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା କରିବାକୁ ଯାଉଛି ବୋଲି ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ତେବେ, ଏନଡ଼ିଏର ଏହି ଦାବିକୁ ବିରୋଧୀ ଗ୍ରହଣ କରିପାରୁ ନାହାନ୍ତି । କେନ୍ଦ୍ରରେ ଝୁଲା ସରକାର ହେଲେ ବିରୋଧୀ ମହାମେଂଟ ତାହାର ଫାଇଦା ନେବାକୁ ଜୋରଦାର ଉଦ୍ୟମ ଆରମ୍ଭ କଲେଣି । ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ମହାମେଂଟକୁ ଚୂଡାନ୍ତ ରୂପ ଦେବା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ୨୩ ତାରିଖ ସନ୍ଧ୍ୟାରେ ବିରୋଧୀ ଦଳ ନେତାମାନଙ୍କୁ ଏକ ବୈଠକକୁ ନିମନ୍ତ୍ରଣ କରିଛନ୍ତି । କେନ୍ଦ୍ରରେ ସରକାର ଗଠନରେ ବିଶେଷକରି ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ତେଲେଙ୍ଗାନାର ଛଅଟି ଆଂଚଳିକ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସୋନିଆ ଏହି ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଦଳଗୁଡିକ ହେଉଛି – ବିଜେଡ଼ି, ଏସପି, ବିଏସପି, ଟିଆରଏସ୍, ତେଲୁଗୁ ଦେଶମ ପାର୍ଟି ଓ ୱାଇଏସଆର କଂଗ୍ରେସ ।
ଏହି ଚାରିଟି ରାଜ୍ୟରେ ୧୪୩ ଲୋକସଭା ଆସନ ରହିଥିବା ବେଳେ ୨୦୧୪ରେ ଛଅଟି ଆଂଚଳିକ ଦଳଙ୍କୁ ୫୯ ଆସନ ମିଳି ଥିଲା । ୨୦୧୯ରେ ସେମାନଙ୍କୁ ୮୦ରୁ ୯୦ ଆସନ ମିଳିବା ଆଶା କରାଯାଉଛି । ସୋନିଆଙ୍କ ୨୩ ତାରିଖ ବୈଠକର ଏସପି, ବିଏସପି, ଟିଡ଼ିପି, ୱାଇଏସଆର କଂଗ୍ରେସ ପାର୍ଟି, ଟିଆରଏସ, ତୃଣମୂଳ କଂଗ୍ରେସ ପ୍ରତିନିଧି ଯୋଗ ଦେବା ଆଶା ରହିଛି । ବିଜେଡ଼ି ମଧ୍ୟ ଏଥିରେ ସାମିଲ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ, ବିଜେଡ଼ି ରାଜ୍ୟ ଉପ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର ଦିନ ବିବୃତି ଦେଇ ବିଜେଡ଼ି କଂଗ୍ରେସ ସହ ଯିବ ନାହିଁ କହିବା ଦ୍ୱାରା ବିଜେଡ଼ି ଭୂମିକା ଅସ୍ପଷ୍ଟ ହୋଇଛି । ପାତ୍ରଙ୍କ କହିବା ଅନୁସାରେ, ମିଳିତ ସରକାର ପ୍ରତିଷ୍ଠା ହେଲେ କଂଗ୍ରେସ ଦଳ ସମୟ ଦେଖି ସମର୍ଥନ ପ୍ରତ୍ୟାହାର କରି ନେବାର ନଜିର ରହିଛି । ତେଣୁ, ବିଜେଡ଼ି କଂଗ୍ରେସ ସହ ଯିବାକୁ ଚାହୁଁନି । ପାତ୍ରଙ୍କ ଏହି ବିବୃତି ପଛରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହମତି ଥିବା ଅନୁମାନ କରାଯାଉଛି । ନ ହେଲେ ପାତ୍ର ଏଭଳି ଏକ ବିବୃତି ନିଜ ଆଡୁ ଦେବାକୁ ସାହାସ କରି ନଥା’ନ୍ତେ ।
ଅପରପକ୍ଷରେ,ବିଜେପି ଏନଡ଼ିଏ ଅଂଶୀଦାରଙ୍କ ଛଡା ବାହାରେ ଥିବା ବିରୋଧୀଙ୍କୁ ଏକାଠି କରିବା କାର୍ଯ୍ୟ ଆରମ୍ଭ କରିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦାୟିତ୍ୱ ନେଇଛନ୍ତି । ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଏକମାତ୍ର ଦାବି ହେଉଛି ‘ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ର ମାନ୍ୟତା ମିଳିବା । ନୀତିଶ ମଧ୍ୟ ବିହାରକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦିଆଯିବା ଦାବି କରିଛନ୍ତି । ତେଣୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରରେ ବଡ ଦଳ ଭାବେ ଉଭା ହେବାକୁ ଥିବା ୱାଇଏସଆର କଂଗ୍ରେସ ପାର୍ଟି ଅଧ୍ୟକ୍ଷ ୱାଇ. ଜଗନମୋହନ ରେଡ୍ଡୀଙ୍କୁ ସେହି ଥୋପରେ ବାନ୍ଧିବାକୁ ପ୍ରୟାସ କରି ପାରନ୍ତି । ତେବେ, ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଠକି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର କ୍ଷମତାକୁ ଆସିଲେ ଜଗନମୋହନ ଓ ନବୀନଙ୍କ ନ ଠକିବେ, ଏହାର ଗ୍ୟାରେଂଟି କିଏ ଦେବ?
୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୨୮୨ ପାଇଥିଲା । ଲୋକସଭାରେ ଏନଡ଼ିଏ ସଦସ୍ୟ ସଂଖ୍ୟା ଥିଲା ୩୩୬ । ସରକାର ଗଠନ ପାଇଁ ୨୭୨ ସଦସ୍ୟ ଆବଶ୍ୟକ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓ ତାହାର ସହଯୋଗୀମାନେ ଏକକ ସଂଖ୍ୟାଗରିଷ୍ଠତା ପାଇଲେ ଅନ୍ୟାନ୍ୟ ଆଂଚଳିକ ଦଳଙ୍କ ସହଯୋଗ ଲୋଡିବେ ନାହିଁ । ଏହା ନ ହେଲେ ଏନଡ଼ିଏ ବାହାରେ ଥିବା ଦଳଙ୍କ ସମର୍ଥନ ଆବଶ୍ୟକ ହେବ । ଏଭଳି ପରିସ୍ଥିତିରେ ବିଜେଡ଼ି, ଟିଆରଏସ ଓ ୱାଇଏସଆର କଂଗ୍ରେସ ପାର୍ଟି ବିଜେପିକୁ ସମର୍ଥନ ଦେବା ସମ୍ଭାବନା ଅଧିକ । ତେବେ, ୟୁପିର ଅଖିଳେଶ-ମାୟାବତୀ ମେଂଟ ଓ ପଶ୍ଚିମ ବଂଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି କେତେ ସଂଖ୍ୟକ ଆସନ ପାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯେତେ ଯାହା ହେଲେ ବି ଅଖିଳେଶ, ମାୟା, ମମତା, ଆନ୍ଧ୍ର ପ୍ରଦେଶର ଟିଡ଼ିପି ଓ ବିହାରର ଆରଜେଡ଼ି ବିଜେପି ସହ ନ ଯାଇ କଂଗ୍ରେସକୁ ନେଇ ଏକ ମହାମେଂଟ ସରକାର ପ୍ରତିଷ୍ଠା ଦିଗରେ ଆଗଭର ହୋଇପାରେ । ତେବେ, କଂଗ୍ରେସର ରଂଗ ବଦଳାଇବା ସ୍ୱଭାବ ଏକ ସମସ୍ୟା ହେବା ଆଶଙ୍କା କରାଯାଉଛି । ମହାମେଂଟର ପ୍ରଧାନମନ୍ତ୍ରୀ ମୁହଁ କିଏ (?), ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ମାୟା ଓ ମମତା ପ୍ରଧାନମନ୍ତ୍ରୀ ଦୌଡରେ ନାହାନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି । କଂଗ୍ରେସ ମଧ୍ୟ ଏହି ଦୌଡରେ ନାହିଁ ବୋଲି ଦିନକୁ ଆଗରୁ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଥିବା ବେଳେ କାଲି ପୁଣି ଥରେ ୟୁ-ଟର୍ଣ୍ଣ ମାରିଛନ୍ତି । କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ପ୍ରଧାନମନ୍ତ୍ରୀ ପଦର ଦାବିଦାର ରହିବ ବୋଲି ଗୁଲାମ ନବୀ କାଲି କହିବା ଦ୍ୱାରା ଦେଶରେ ବିରୋଧୀ ମହାମେଂଟ ସରକାର ଗଠନକୁ ନେଇ ପୁନର୍ବାର ବିବାଦ ସୃଷ୍ଟି ହେବା ଆଶଙ୍କା ଏଡାଇ ହେବ ନାହିଁ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଭଳି ଭାବେ ବିଜେପି-ବିରୋଧୀ ବା ମୋଦୀ-ବିରୋଧୀଙ୍କୁ ସଂଗଠିତ କରି କେନ୍ଦ୍ରରେ ଏକ ମହାମେଂଟ ସରକାର ପ୍ରତିଷ୍ଠାର ବାଟ ଖୋଲିବେ, ତାହା ୨୩ ତାରିଖ ଦିନ ଜଣାପଡିବ । ସବୁ ଦୃଷ୍ଟିରୁ ୨୦୧୯ ମେ’ ୨୩ ତାରିଖ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଦେଶବାସୀଙ୍କ ଆଖି ୨୩ ତାରିଖ ଉପରେ ରହିବା ସ୍ୱାଭାବିକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS