ଦୂତୀ ବାହା ହେବେ ବାନ୍ଧବୀଙ୍କୁ


– ପ୍ରସାଦ ରାଓ –
ମେ’ ୨୧ ତାରିଖ
ଆନ୍ତର୍ଜାତିକସ୍ତରର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଏବେ ଚର୍ଚ୍ଚାରେ । କ୍ରୀଡ଼ା କ୍ଷେତ୍ରରେ ନୂଆ ରେକର୍ଡ ପାଇଁ ନୁହେଁ, ସାବାଳିକା ବାନ୍ଧବୀଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇ । କିଛି ବର୍ଷ ହେଲା ଦୂତୀ ଅନ୍ୟ କାରଣରୁ ଚର୍ଚ୍ଚାରେ ରହି ଥିଲେ। କେତେବେଳେ ହାଇପରଆଣ୍ଡ୍ରୋଜେନିଜମ୍ ପାଇଁ ତ ଅନ୍ୟ କେତେବେଳେ ପ୍ରତିକୂଳ ପରିସ୍ଥିତି ସହ ଲଢି ଦେଶ ପାଇଁ ଖେଳିବା ସହ ଦେଶ ଓ ରାଜ୍ୟକୁ ଗୌରାବନ୍ୱିତ କରିବା ପାଇଁ । ଆଜିର ଚର୍ଚ୍ଚା ଦୂତୀଙ୍କ ସମଲିଂଗୀ ସଂପର୍କ ପାଇଁ । ଓଡ଼ିଶା ଯାଜପୁର ଜିଲ୍ଲା ଚକଗୋପାଳପୁର ଗ୍ରାମର ଏହି ୨୩ ବର୍ଷର ଆଥେଲେଟ୍ ପ୍ରେମରେ ପଡିଛନ୍ତି ତାଙ୍କରି ଗାଁର ଜଣେ ୧୯ ବୟସ୍କା ସଂପର୍କିୟା ସହ । ଝିଅଟି ସହ ବିବାହ କରିବେ ଏକା ଜିଦରେ ଥିବା ବେଳେ ପରିବାର ସଦସ୍ୟମାନେ ବିରୋଧ କରୁଥିବା ଦୂତୀ ନିଜ ଆଡୁ ତାହା ଖୁଲାସା କରିଛନ୍ତି, ଯାହାକି ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ବଡ଼ ଖବର ହୋଇଛି । ଦୂତୀଙ୍କ ପ୍ରେମିକା ଓ ସେ ନିଜେ ସାବାଳିକା । ତେଣୁ, କାହାରି ବିରୋଧର କିଛି ମୂଲ୍ୟ ନାହିଁ । ଭାରତରେ ସମଲିଂଗି ସଂପର୍କ ଆଉ ଅପରାଧ ହୋଇ ରହି ନାହିଁ । ସେ ନିଜ ବାନ୍ଧବୀଙ୍କ ଜୀବନ ବିତାଇବାକୁ ଚାହୁଁ ଥିବାରୁ କୌଣସି ପ୍ରକାର ପ୍ରତିବନ୍ଧକ ଗ୍ରହଣୀୟ ନୁହେଁ। ପରିବାର ଲୋକମାନେ ଆଜି ନ ହେଲେ ବି କାଲି ଏହି ସଂପର୍କକୁ ସ୍ୱୀକୃତି ଦେବେ । ଏକଥା ନିଜେ କହିଛନ୍ତି ଦୂତୀ ଚାନ୍ଦ୍ ।
ଗତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଦେଇଥିବା ରାୟ ମୁତାବକ ଭାରତରେ ସମଲିଂଗୀ ସଂପର୍କ ଆଉ ଫୌଜଦାରୀ ଅପରାଧ ନୁହେଁ । ତେବେ, ସମଲିଂଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳି ନାହିଁ । ସୁପ୍ରିମ କୋର୍ଟ ୨୦୧୮ ସେପ୍ଟେମ୍ବରରେ ଏକ ଐତିହାସକ ରାୟ ଦେଇ ଏଭଳି ସଂପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ୧୫୮ ବର୍ଷ ତଳର ବ୍ରିଟିଶ ଆଇନକୁ ରଦ୍ଦ କରିଛନ୍ତି । ତେଣୁ, ସର୍ବସାଧାରଣରେ ନିଜର ଗୋପନ ସଂପର୍କକୁ ଖୁଲାସା କରବାକୁ ତାଙ୍କ ସାହାସ ମିଳିଛି । ଗଲା ତନି ବର୍ଷ ହେଲା ସଂପର୍କିୟା ବାନ୍ଧବୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଛି । ଏହି ସଂପର୍କ ଅବ୍ୟାହତ ରହିବ – ଦୂତୀ ଏହା ଗଣମାଧ୍ୟମକୁ ସୂଚନା ଦେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛନ୍ତି । ଭାରତୀୟ ପିଙ୍ଗଳ କୋଡ୍ ର ଏହି ବିବାଦୀୟ ୩୭୭ ଧାରାକୁ ସର୍ବୋଚ୍ଚ ନ୍ୟାୟଳୟ ଉଚ୍ଛେଦ କରିବା ପରେ ଦେଶବ୍ୟାପୀ ସମଲିଂଗୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା । ପୂର୍ବ ଆଇନ ଅନୁସାରେ ଦୁଇ ଜଣ ସାବାଳକ ବା ସାବାଳିକା ସହମତିରେ ସମଲିଂଗୀ ସଂପର୍କ ରଖିଲେ ବି ଜେଲ୍ ଦଣ୍ଡର ବ୍ୟବସ୍ଥା ରହି ଥିଲା । ପାଂଚ ଜଣ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଆଇପିସିର ଏହି ଧାରାକୁ ରଦ୍ଦ କରି ସମାଜର ପ୍ରତ୍ୟେକ ବ୍ୟକ୍ତି ନଜର ପସନ୍ଦ ମୁତାବକ ଓ ସହମତିରେ ଦୈହିକ ସଂପର୍କ ରଖି ପାରିବେ ବୋଲି ରାୟ ପ୍ରକାଶ କରି ସମଲିଂଗି ସଂପର୍କକୁ ବୈଧ କରିଛନ୍ତିି। ସୁପ୍ରିମ କୋର୍ଟ ଖଣ୍ଡପୀଠ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ସମ୍ବିଧାନର ଧାରା ୧୪, ୧୫ ଓ ୨୧ ପ୍ରଦାନ କରୁଥିବା ମୌଳିକ ଅଧିକାରର ଏହା ପରିସରଭୁକ୍ତ । ଦୂତୀ ଦେଶର ପ୍ରଥମ କ୍ରୀଡ଼ାବିତ୍ ଯିଏକି ଏଭଳି ସଂପର୍କର ଖୁଲାସା କରି ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ।
ଦୂତୀଙ୍କ ଖୁଲାସା ତାଙ୍କୁ ଜାତୀୟ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାକୁ ଟାଣି ଆଣିଛି । ଏକ ଜାତୀୟ ଇଂରାଜୀ ଦୈନିକରେ ପ୍ରକାଶିତ ରିପୋର୍ଟ ଦର୍ଶାଇଛି, ଦେଶର ଖୁବ କମ୍ ସେଲିବ୍ରିଟି ସେମାନଙ୍କ ଏଭଳି ଗୋପନ ସଂପର୍କର ଖୁଲାସା କରିଛନ୍ତି । ଦୂତୀ ସେଥିରୁ ଅନ୍ୟତମ । କ୍ରୀଡ଼ାବିତ୍ ଭାବେ ଦୂତୀ ହେଉଛନ୍ତି ଭାରତରେ ପ୍ରଥମ ଯିଏକି ତାଙ୍କ ବାନ୍ଧବୀଙ୍କ ସହ ସମଲିଂଗୀ ଥିବା ଖୁଲାସା କରିଛନ୍ତି । ଦୂତୀ ଏବେ ହାଇଦ୍ରାବାଦରେ ତାଲିମ ନେଉଥିବା ବେଳେ ତାଙ୍କ ପରିବାର ଗଣମାଧ୍ୟମର ସ୍କାନରରେ । ଦୂତୀଙ୍କ ବଡ ଭଉଣୀ ସରସ୍ୱତୀ ଚାନ୍ଦ୍ ମଧ୍ୟ ଜଣେ ପୂର୍ବତନ ସ୍ପ୍ରିଂଟର୍ । ଦୂତୀଙ୍କ ସମଲିଂଗି ସଂପର୍କକୁ ନେଇ ସେ ବିଚଳିତ । ଦୂତୀଙ୍କ ବାପା, ମା’ ମଧ୍ୟ ଏଭଳି ସଂପର୍କକୁ ନେଇ ଚିନ୍ତାରେ । ଦୂତୀଙ୍କ ସଂପତ୍ତି ହଡପ ପାଇଁ ବାନ୍ଧବୀ ଜଣକ ଷଡଯନ୍ତ୍ର କରିଥିବା ଦୂତୀଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିଥିବା ବେଳେ ଦୂତୀ ଏଭଳି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । ସେ ବାନ୍ଧବୀଙ୍କୁ ବିବାହ କରିବା ସକାଶେ ସମସ୍ତ ତ୍ୟାଗ କରିବାକୁ ପ୍ରସ୍ଥୁତ ବୋଲି ସୂଚନା ଦେଇ ଦୂତୀ ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । ଦୂତୀ କହିଛନ୍ତି ବାନ୍ଧବୀ ଜଣକ ହେଉଛନ୍ତି ତାଙ୍କ ପ୍ରେରଣା । ବଡ ବଡ ପ୍ରତିଯୋଗୀତାକୁ ସେ ତାଙ୍କ ସହ ନ ଗଲେ ବି ତାଙ୍କ ବିଜୟ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥା’ନ୍ତି । ଦୃଢମନା ଦୂତୀଙ୍କ ଏହି ଖୁଲାସା ଆଗାମୀ ଦିନରେ ତାଙ୍କ କ୍ରୀଡା ଜୀବନକୁ କିଭଳି ପ୍ରଭାବିତ କରିବ ଏବେଠାରୁ କହିବା ସମ୍ଭବ ନୁହେଁ । ତେବେ, ସଂଘର୍ଷ ଓ ସଂଗ୍ରାମ ମଧ୍ୟ ଦେଇ ନିଜ ଲକ୍ଷ୍ୟ ପଥରେ ଆଗେଇ ଥିବା ଦୂତୀ ଅତୀତର ସବୁ ସଂକଟ ଭଳି ଏହି ସଂକଟକୁ ମଧ୍ୟ ଅତିକ୍ରମ କରି ଆଗେଇ ଯିବେ, ତାହା ହିଁ ଆମେ ଆଶା କରିବା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS