ଜନାଦେଶ ମୋଦୀଙ୍କ ସପକ୍ଷରେ ନା ବିରୋଧୀଙ୍କ ବପକ୍ଷରେ ?
– ପ୍ରସାଦ ରାଓ –
ମେ’ ୨୧ ତାରିଖ
ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ମହାପର୍ବ ଶେଷ ହୋଇଛି । ରବିବାର (୧୯ ତାରିଖ) ସନ୍ଧ୍ୟାରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭେଟ ଗ୍ରହଣ ସରିବା ପରେ ଆଲୋଚନାକୁ ଆସିଛି ଘରବାହୁଡା ଭୋଟରଙ୍କୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକ୍ଜିଟି ପୋଲ୍ ରିପୋର୍ଟ । ନିର୍ବାଚନ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ବଭିନ୍ନ ଜାତୀୟ ତଥା ଆଂଚଳିକସ୍ତରରେ ବିଭିନ୍ନ ଗଣମାଧ୍ୟମ ଓ କୁଶଳୀ ସଂସ୍ଥା ଦ୍ୱାରା ହୋଇଥିଲା ଏହି ଏକ୍ଜିଟି ପୋଲ୍ । ପ୍ରକାଶ ପାଇଥିବା ଘରବାହୁଡା ଭୋଟରଙ୍କ ସ୍ୱୀକାରୋକ୍ତି କେତେ ବାସ୍ତବ ତାହା ୨୩ ତାରିଖ ଭୋଟ ଗଣତି ପରେ ଜଣାପଡିବ । ତେବେ, ପ୍ରକାଶିତ ପୂର୍ବାନୁମାନ ରିପୋର୍ଟ ସବୁରେ ବିଜେପି ଓ ତାହାର ଏନଡ଼ିଏ ମେଂଟକୁ ବହୁମତ ଦେଇ ଦେଶବ୍ୟାପୀ ଗେରୁଆ-ଶିବିରକୁ ଉତ୍ସାହିତ କରିଛନ୍ତି ।
‘ଇସ୍ ବାର୍ ଭି ମୋଦୀଜୀ କି ସରକାର’- ଏହା କହୁଛି ପ୍ରାୟ ସବୁ ସଂସ୍ଥାର ଏକଜିଟ୍ ପୋଲ୍ । ଗେରୁଆଙ୍କ ଶିବିରରେ ଉତ୍ସାହ ବିିରୋଧୀଙ୍କ ପାଇଁ ବିଷ ସଦୃଶ ହୋଇଛିି । ସେମାନେ ପ୍ରାକ୍ ନିର୍ବାଚନୀ ଆକାଳନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ୨୩ ତାରିଖ ଚୂଡାନ୍ତ ଫଳାଫଳ ସଂପୂର୍ଣ୍ଣ ଭିନ୍ନ ହେବ ବୋଲି ସେମାନଙ୍କ ଆଶା । କିନ୍ତୁ, ଘରବାହୁଡା ଜନମତ ଚୂଡାନ୍ତ ଫଳାଫଳରେ ଯଦି ପ୍ରତିଫଳିତ ହୁଏ ବା ପାଖାପାଖି ରୁହେ ତାହା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ । ମୋଦୀ-ହଟାଓ ସ୍ଲୋଗାନ ଦେଇ ୧୬ତମ ଲୋକସଭା ନିର୍ବାଚନ ଲଢି ଥିବା ମୋଦୀ-ବିରୋଧୀମାନେ ଆଉ ପାଂଚ ବର୍ଷ ସନ୍ୟାସ ନେବାକୁ ବାଧ୍ୟ ।
ଘରବାହୁଡା ଜନମତକୁ ନେଇ ଜାତୀୟସ୍ତରରେ ୨୦୧୯ ନିର୍ବାଚନ ଫଳାଫଳ ଯେଭଳି ବିଜେପି ସପକ୍ଷରେ ଯାଉଛି ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସପକ୍ଷରେ ଜନାଦେଶ ନା ବିରୋଧୀଙ୍କ ବିପକ୍ଷରେ ? ଏହି ପ୍ରଶ୍ନ ଆଲୋଚନାର ଅବକାଶ ସୃଷ୍ଟି କରିଛି । କାରଣ, ୨୦୧୯ ସାଧାରଣ ନିର୍ବାଚନର ପ୍ରାରମ୍ଭିକ ସ୍ତରରେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଦେଶବ୍ୟାପୀ ଏକ ଚାପା ଅସନ୍ତୋଷ ରହି ଥିଲା । ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପି ଓ ମୋଦୀଜୀ ଦେଶବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାରେ ବିଫଳ ହୋଇଥିବା ସବୁ ସ୍ତରରେ ଆଲୋଚନା ହେଉଥିଲା । ବେକାର ଯୁବକଙ୍କ କର୍ମନିଯୁକ୍ତି କଥା ଉଠିଲେ ପକୁଡି ବିକିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଥିଲେ । ବିଗତ ପାଂଚ ବର୍ଷ ଧରି ହିନ୍ଦିଭାଷୀ ରାଜ୍ୟମାନଙ୍କରେ ଯେଭଳି ଆତଙ୍କରାଜ ଚାଲିଲା ତାହା ସରକାର-ବିରୋଧୀ ଜନମତକୁ ତୀବ୍ର କରିଥିଲା । ଏହି ସରକାର ବିରୋଧରେ ଚାଷୀ ଅସନ୍ତୋଷ ମଧ୍ୟ ଏକ ବଡ଼ ମୁଦ୍ଦା ହୋଇଥିଲା । ଏସବୁ ଅସନ୍ତୋଷର ପ୍ରତିଫଳନ ହୋଇଥିଲା ୨୦୧୮ ଡ଼ିସେମ୍ବରରେ ଅନୁଷ୍ଠିତ ତିନିଟି ହିନ୍ଦିଭାଷୀ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ । ବିଜେପି ସେସବୁ ରାଜ୍ୟରେ ପରାଜୟ ହୋଇଥିବା ବେଳେ କଂଗ୍ରେସ ବିଜୟୀ ହୋଇ ମୋଦୀ ସରକାରଙ୍କ ବିରୋଧରେ ଲଢେଇକୁ ଜୋରଦାର କରିଥିଲା । ଜନାଦେଶ ବିଜେପି ବିରୋଧରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ବିଶ୍ୱାସ କରୁଥିଲେ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ୨୦୧୯ ସାଧାରଣ ନିର୍ବାଚନର ଅନୁରୂପ ଫଳାଫଳର ଆଶା ରଖି କ୍ଷମତାକୁ ଫେରିବାକୁ ମହାମେଂଟର ସ୍ୱପ୍ନ ଦେଖି ଥିଲେ । ତେବେ, ଭୋଟ ଚାଲି ଥିବା ଅବସରରେ ଭାରତୀୟ ଭୋଟର ପଟ୍ଟ ପରିବର୍ତନ କରି ପୁଣି ଥରେ ମୋଦୀଙ୍କ ଆଡକୁ ଢଳିବା ଓ ତାଙ୍କ ସରକାରକୁ ଭରସା କରିବା କାରଣ କଣ ହୋଇପାରେ?
ଜାତୀୟ ରାଜନୀତି ଓ ଭୋଟରଙ୍କ ମନୋଭାବକୁ ତର୍ଜମା କଲେ ଏହାର ଉତ୍ତର ମିଳୁଛି ଏହି ଭଳି । ‘ବିକାଶ’କୁ ଅଣଦେଖା କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ଅନ୍ୟ ଦିଗକୁ ଟାଣି ନେବା ସକାଶେ ପ୍ରସଙ୍ଗ ବାହାରକୁ ଚାଲି ଯାଇ ଭାରତ, ପାକିସ୍ତାନ ଓ ଅନ୍ୟାନ୍ୟ କଥା କହିଥିଲେ । ଅନାବନା ପ୍ରସଙ୍ଗକୁ ଧରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ସହ ଲୁଚକାଳି ଖେଳୁଥିବା ଜାଣି ମଧ୍ୟ ବିରୋଧୀ ତାଙ୍କୁ ଘେରିବାରେ ସଫଳ ହୋଇ ନଥିଲେ । କାରଣ, ସେମାନଙ୍କ ପାଖରେ ମଧ୍ୟ ‘ବିକାଶ’କୁ ନେଇ ବିକଳ୍ପ ବିଚାର ଓ ପ୍ରସ୍ତାବ କିଛି ନ ଥିଲା । କେବଳ ‘ମୋଦୀ ହଟାଓ – ଦେଶ ବଂଚାଓ’ ସ୍ଲୋଗାନ ନିର୍ବାଚନରେ ଦାନା ବାନ୍ଧି ନ ଥିଲା । ପରବର୍ତୀ ସମୟରେ ତାହା ହିଁ ବିରୋଧୀଙ୍କ ପାଇଁ ବୁମେରାଂ ହେଲା । ଭୋଟରଙ୍କ ମୁହଁ ଫେରାଇବାର ଦ୍ୱତୀୟ କାରଣ କୁହାଯାଇ ପାରେ, ରାହୁଲଙ୍କ ଅପରିପକ୍ୱ ନେତୃତ୍ୱ । ରାହୁଲ ନିଜ ଦଳକୁ ଦିଗଦର୍ଶନ ଦେବାରେ ବିଫଳ ହୋଇଥିଲେ, ସମଭାବାପନ୍ନ ବିରୋଧୀ ଦଳଙ୍କୁ ମଧ୍ୟ ସାଙ୍ଗରେ ନେଇ ନିର୍ବାଚନ ଲଢିବାର ରଣକୌଶଳ ପ୍ରସ୍ତୁତ କରି ପାରିଲେ ନାହିଁ । ୟୁପିରେ ଅଖିଳେଶ ଯାଦବ-ମାୟାବତୀ କଂଗ୍ରେସକୁ କୋଣଠେସା କରି ମେଂଟ କଲେ ଏବଂ ନିର୍ବାଚନ ଲଢିଲେ । ଦୟା ଦେଖାଇଲା ଭଳି କଂଗ୍ରେସକୁ ଗୋଟିଏ ଦୁଇଟି ଆସନରେ ସମର୍ଥନ ଦେଲେ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ କଂଗ୍ରେସକୁ ବାଦ୍ ଦେଇ ଏକ ବିକଳ୍ପ ମହାମେଂଟ ଗଠନ କରିବାକୁ ବିରୋଧୀଙ୍କ ପରିକଳ୍ପନା, ଆଉ ଦଳେ ମୋଦୀ-ବିରୋଧୀ ଫେଡେରାଲ୍ ଫ୍ରଂଟ୍ ଗଠନ ପାଇଁ ଦୁଆର ଦୁଆର ବୁଲିବା ବିରୋଧୀ ଏକତା ପ୍ରତି ଭୋଟରଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଭୋଟ ସରିବା ପରେ ବିରୋଧୀମାନେ ଏକାଠି ହେଲେ ବି ଏହି ମହାମେଂଟର ପ୍ରଧାନମନ୍ତ୍ରୀ ମୁହଁ କିଏ ହେବ ସେ ନେଇ ଶେଷ ପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲି ରହିଲା । କଂଗ୍ରେସ ପ୍ରଥମେ ଏହି ଦୌଡରେ ନାହିଁ ବୋଲି ଘୋଷଣା କରି ପରେ ୟୁ-ଟର୍ଣ୍ଣ ମାରିବା ଅପରିପକ୍ୱ ନେତୃତ୍ୱର ପରିଚୟ ଦେଲା ।
ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଙ୍କ ଏହି ଦୁର୍ବଳତାକୁ ହିଁ ଶେଷ ପର୍ଯ୍ୟନ୍ତ ହାତୁଡି ମାରିଥିଲେ । ବିରୋଧୀ କେବଳ ତାଙ୍କୁ ହଟାଇବାକୁ ଏକାଠି ହେଉଛନ୍ତି, ସେମାନଙ୍କ ପାଖରେ କୌଣସି ବିକଳ୍ପ ବିକାଶ ଯୋଜନା ନାହିଁ – ଏକଥା ସେ ଦେଶବାସୀଙ୍କୁ ବୁଝାଇ ସରକାର ବିରୋଧରେ ଥିବା ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିଲେ । ମହାମେଂଟ ବହୁମତ ପାଇ ସରକାର ଗଠନ କଲେ ଦେଶକୁ ଏକ ସ୍ଥିର ସରକାର ମିଳିିବ ନାହିଁ, ଦେଶର ସୁରକ୍ଷା ଅଧିକ ବିପନ୍ନ ହେବ, ଏହା ଭୋଟରଙ୍କ ମନରେ ଜବରଦସ୍ତ ଭରିଦେଇ ମୋଦୀଜୀ ନିଜକୁ ଏକମାତ୍ର ତ୍ରାଣକର୍ତା ଭାବେ ଉପସ୍ଥାପନ କରିଥିଲେ । ଭାଗ୍ୟକୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଅକ୍ରମଣ ହେଲା, ୩୪ ଯବାନ ସହୀଦ ହେଲେ ଏବଂ ଏହାର ପ୍ରତିଜବାବରେ ଭାରତୀୟ ବାୟୁ ସେନା ପାକିସ୍ତାନର ବାଲାକୋଟ ଆତଙ୍କୀଶିବିର ଉପରେ ସୀମିତ ଏୟାର ଷ୍ଟ୍ରାଇକ୍ କଲା । ବାୟୁ ସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନୀ ସେନା ହାତରେ ଧରା ପଡି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କଲେ । ତାଙ୍କୁ ମୁକୁଳାଇବା ସକାଶେ ଯେଉଁ କୂଟନୀତି ହେଲା ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରନାୟକ କରି ଦେଲା । ମୋଦୀଜୀ ଦେଶ ସାରା ବୁଲି ନିଜକୁ ‘ରାଷ୍ଟ୍ରବାଦୀ’ ଏବଂ ବିରୋଧୀଙ୍କୁ ପାକିସ୍ତାନର ‘ବଚସ୍କର’ କହି ଭୋଟ ଗୋଟାଉ ଥିବା ବେଳେ କଂଗ୍ରେସ ତଂଟିରେ ‘ରାଫେଲ୍’ କଂଟା ଲାଗି ରହିଥିଲା । ଅନ୍ୟ ବିରୋଧୀ ଦଳମାନେ ମୋଦୀଙ୍କ ଗାଳିକୁ ଗାଳିରେ ଜବାବ ଦେଇ ନିର୍ବାଚନ ମାହୋଲକୁ ଉତ୍ତେଜନାପୂର୍ଣ୍ଣ କଲେ ସିନା ନିଜ ସପକ୍ଷରେ ଜନମତ ଗୋଟାଇବାରେ ସେତେ ସଫଳ ହେଲେ ନାହିଁ ।
ଏଆଇସିସି ସଭାପତି ରହୁଲ ଗାନ୍ଧୀ ନିଜର ପରିପକ୍ୱତା ପ୍ରଦର୍ଶନ କରିବାକୁ ଯାଇ ଭୋଟ ଚାଲିଥିବା ବେଳେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ମଇଦାନକୁ ଆଣି ୟୁପିରେ ଦଳର ସାଧାରଣ ସଂପାଦକ ଦାୟିତ୍ୱ ଦେଲେ । ପ୍ରିୟଙ୍କା ମଧ୍ୟ ଭାଇକୁ ସାହାଯ୍ୟ କରିବା ସକାଶେ ଆପ୍ରାଣ ଉଦ୍ୟମ କରିଛନ୍ତି । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧରେ ସେ ବାରାଣସୀରୁ ନିର୍ବାଚନ ଲଢିବେ ବୋଲି କୁହାଯାଇ ପରେ କଂଗ୍ରେସ ସେଥିରୁ ଓହରି ଯିବା ଏବଂ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନ ପାଇ ଥିବା ଦଳର ପ୍ରାର୍ଥୀଙ୍କୁ ୨୦୧୯ରେ ପୁନର୍ବାର ପ୍ରାର୍ଥୀ କରାଯିବା କଂଗ୍ରେସର ଦୁର୍ବଳତା ପଦାରେ ପକାଇଲା । ପରାଜୟ ଭୟରେ କଂଗ୍ରେସ ପ୍ରିୟଙ୍କାଙ୍କୁ ବାରାଣାସୀ ପ୍ରାର୍ଥୀ କଲା ନାହିଁ ବୋଲି ବିଜେପି ପ୍ରଚାର କରିବାର ସୁଯୋଗ ପାଇଲା । ଏହାର ପ୍ରଭାବ ଦେଶବ୍ୟାପୀ କଂଗ୍ରେସ ଦଳରେ ଦେଖିବାକୁ ମିଳିଲା । ଭୋଟର କଂଗ୍ରେସ ପ୍ରତି ବିତୃଷ୍ଣ ହେଲେ । ନିର୍ବାଚନ ଲଢିବାକୁ ଦଳୀୟ ଟିକଟ ପାଇଥିବା ନେତାଙ୍କ ମଧ୍ୟରୁ କିଛି ଟିକଟ ଫେରାଇ ଦେଇ ପରାଜୟକୁ ଆଗୁଆ ଏଡାଇ ଗଲେ । କଂଗ୍ରେସ ଭଳି ଏକ ଐତିହ୍ୟ ସଂପନ୍ନ ଓ ଶତାଧିକ ବର୍ଷ ପୂରାତନ ଦଳରେ ଏଭଳି ଅସ୍ଥିରତା ଏବଂ ଦେଶକୁ ନେତୃତ୍ୱ ଦେବାରେ ପରିପକ୍ୱତାର ଅଭାବ କଂଗ୍ରେସ ପ୍ରତି ଘୋର ଅନାସ୍ଥା ଭାବ ସୃଷ୍ଟି କରିଛି । ବିରୋଧୀ ମହାମେଂଟର ପରିକଳ୍ପନା ‘ବିକାଶମୁଖୀ’ ନ ହୋଇ ବ୍ୟକ୍ତଗତ ସ୍ତରରେ ସମାଲୋଚନା ପାଇଁ ଉଦ୍ଦିଷ୍ଟ ହେବାରୁ ତାହା ମଧ୍ୟ ଭୋଟରଙ୍କୁ ବିରୋଧୀ ମେଂଟ ଠାରୁ ଦୂରେଇ ନେଇଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭୋଟ ସରିବା ପରେ ସରକାର ଗଠନ ସମ୍ଭାବନା ଦେଖି ସମଭାବାପନ୍ନ ବିରୋଧୀଙ୍କୁ ଏକାଠି କରିବାର ଯେଭଳି ଉଦ୍ୟମ କଲେ ଭୋଟ ପୂର୍ବରୁ ତାଙ୍କ ନେତୃତ୍ୱରେ ସେଭଳି ଉଦ୍ୟମ ହୋଇଥିଲେ ଏବଂ ସେ ନିଜକୁ ବିରୋଧୀ ମେଂଟର ନେତା ଭାବେ ଉପସ୍ଥାପନ କରିଥିଲେ ବୋଧହୁଏ ଫଳାଫଳ ଭିନ୍ନ ହୋଇଥା’ନ୍ତା ବୋଲି ଏବେ ଆଲୋଚନା ହେଉଛି । କାରଣ, ଦେଶବାସୀ ରହୁଲଙ୍କ ଭିତରେ ପ୍ରଧାନମନ୍ତ୍ରୀ ହେଲା ଭଳି ଦକ୍ଷତା ଏପର୍ଯ୍ୟନ୍ତ ଦେଖି ନଥିବାରୁ ମୁହଁ ଫେରାଇଛନ୍ତି ।
ଶେଷ କଥା ହେଉଛି, ଦେଶରେ ୨୦୧୯ ନିର୍ବାଚନ ଥିଲା ସଂପୂର୍ଣ୍ଣ ଭିନ୍ନ ଧରଣର । ମୋଟାମୋଟି ଭାବେ ନିର୍ବାଚନରେ ‘ବିକାଶ’ ବାଟବଣା ହୋଇ ବ୍ୟକ୍ତିଗତ ଆକ୍ଷେପ ପ୍ରତ୍ୟାକ୍ଷେପ ମୁଖ୍ୟ ଭୂମିକା ନେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିରୋଧୀଙ୍କୁ ଆକ୍ଷେପ କଲା ବେଳେ ଅତି ତଳସ୍ତରକୁ ଚାଲିଯିବା ଏବଂ ବିରୋଧୀ ନେତାମାନେ ସେହି ଭାଷାରେ ବିଜେପି ନେତୃତ୍ୱକୁ ଉତ୍ତର ଦେବା ବୋଧହୁଏ ଏହି ନିର୍ବାଚନର ବିଶେଷତ୍ୱ ଥିଲା । ନିର୍ବାଚନ କମିସନଙ୍କ ସନ୍ଦିଗ୍ଧ ଆଚରଣ ମଧ୍ୟ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଧୀରେ ଧୀରେ ନିରପେକ୍ଷତା ଓ ନିର୍ଭୀକତା ଠାରୁ ଦୂରେଇ ଯାଉଥିବାର ଆଭାସ ଦେଇଥିଲା । ମୋଟାମୋଟି କହିବାକୁ ଗଲେ ଏହି ନିର୍ବାଚନ ବିଜେପି ଓ ଅଣ-ବିଜେପି ଦଳଙ୍କ ମଧ୍ୟରେ ଅସୂୟାର ଲଢେଇ । ବିଜେପି ବନାମ ଅବିକଶିତ ବିରୋଧୀ ମହାମେଂଟର ଏହି ଲଢେଇ ଭିତରେ ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗ ଭୋଟରଙ୍କୁ ପ୍ରଭାବିତ କରିଛି । ତେଣୁ, ଭୋଟର ବିଧାନସଭା ପାଇଁ ଆଂଚଳିକ ଦଳଙ୍କୁ ଭୋଟ ଦେଇ ଥିବା ବେଳେ ଲୋକସଭା ପାଇଁ ବିଜେପିକୁ ଭୋଟ ଦେବାକୁ ଉଚିତ ମନେ କରିଛନ୍ତି । ମୋଦୀ ବନାମ ବିରୋଧୀଙ୍କ ଏହି ଲଢେଇରେ ମୋଦୀଙ୍କ ବାକ୍-ଚାତୁରୀ ବିରୋଧୀଙ୍କୁ ମାତ୍ ଦେଇଛି । ୨୩ ତାରିଖ ଭୋଟ ଫଳାଫଳ ଯଦି ଘରବାହୁଡା ଜନମତକୁ ପ୍ରତିଫଳିତ କରେ, ତାହା ହେଲେ ଧରି ନେବାକୁ ହେବ ଯେ ଭୋଟର ମୋଦୀଙ୍କୁ ଭରସା କରିଛନ୍ତି ଏବଂ ବିରୋଧୀଙ୍କ ଅପରିପକ୍ୱତା ଓ ଆତ୍ମବଡିମାକୁ ନକାରି ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS