‘ସ୍ପ୍ଲିଟ୍ ଭୋଟିଂ’ ବିଜେଡ଼ି ପାଇଁ ଚିନ୍ତାର କାରଣ ହୋଇଛି ?
– ପ୍ରସାଦ ରାଓ –
ମେ’ ୨୨ ତାରିଖ
ଓଡ଼ିଶାରେ ବିଜେଡ଼ି ପଂଚମ ଥର ପାଇଁ କ୍ଷମତାକୁ ଆସିବା ଓ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ତେବେ, ଦଳ କେତେ ସଂଖ୍ୟାରେ ବିଧାନସଭା ଓ ଲୋକସଭା ଆସନ ପାଇବ ସେ ନେଇ ବିଭିନ୍ନ ସର୍ଭେ ସଂସ୍ଥାର ଭିନ୍ନ ଭିନ୍ନ ମତ ଶାସକ ଦଳକୁ ଦ୍ୱନ୍ଦ୍ୱରେ ପକାଇଛି । ବିଜେଡ଼ିର ନିଜସ୍ୱ ସର୍ଭେ କହୁଛି, ରାଜ୍ୟରେ ନିର୍ବାଚନ ସରି ଥିବା ୧୪୬ ବିଧାନସଭା ଆସନରୁ ଦଳର ଖାତାକୁ ୧୦୦ରୁ ଅଧିକ ଆସନ ଆସିବ । କେବଳ ପାଟକୁରା ବିଧାନସଭା ଉପ ନିର୍ବାଚନ ବାକି ରହିଛି । ସେହିଭଳି, ରାଜ୍ୟର ୨୧ ଲୋକସଭା ଆସନରୁ ଅନ୍ତତଃ ୧୫ଟି ବିଜେଡ଼ି ସପକ୍ଷରେ ଯିବ ବୋଲି ଦଳର ଅନ୍ତଃରୀଣ ସର୍ଭେ କହୁଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, କେନ୍ଦ୍ରାପଡା, କଳାହାଣ୍ଡି, ବଲାଂଗୀର, କେନ୍ଦୁଝର ଭଳି କିଛି ଲୋକସଭା ଆସନରେ ବିଜେଡ଼ି-ବିଜେପି ମଧ୍ୟରେ କଡା ଟକ୍କର ହୋଇଛି । ତଥାପି, ଶାସକ ଦଳ ଭଲ ଫଳାଫଳ ଆଶା କରୁଛି । ସେହିପରି ବିଧାନସଭା ଭୋଟରେ ବିଜେପି ପୂର୍ବ ଥର (୨୦୧୪ରେ ୧୦ ଆସନ ପାଇ ଥିଲା) ତୁଳନାରେ ଏଥର ଭଲ ଫଳାଫଳ କରିବା ନିଶ୍ଚିତ । ଦଳ ୩୦ରୁ ୩୫ ଆସନ ମଧ୍ୟରେ ସୀମିତ ରହିବ ବୋଲି ବିଭିନ୍ନ ମହଲ ଆକଳନ କରୁଛନ୍ତି ।
ତେବେ, ଶାସକ ଦଳକୁ ଚିନ୍ତାଗ୍ରସ୍ତ କରିଛି ବିଭିନ୍ନ ଜାତୀୟ ଓ ଆଂଚଳିକସ୍ତରରେ ହୋଇଥିବା ସର୍ବେକ୍ଷଣ ରିପୋର୍ଟ । ପ୍ରାୟ ସମସ୍ତେ ସ୍ୱୀକାର କରୁଛନ୍ତି ଯେ, ରାଜ୍ୟରେ ପଂଚମ ଥର ପାଇଁ ବିଜେଡ଼ି ସରକାର କରିବ ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିବେ । କିନ୍ତୁ, ଲୋକସଭା ପାଇଁ ହୋଇଥିବା ଭୋଟ ଅନେକାଂଶରେ ବିଜେପି ସପକ୍ଷରେ ଯାଇଛି । ଓଡ଼ିଶାରେ ସ୍ପ୍ଲିଟ୍ ଭୋଟିଂ ହୋଇଛି । ଭୋଟର ରାଜ୍ୟରେ ନବୀନ ପଟ୍ଟନାୟକ ଓ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ହେବା ଚାହିଁ ଥିବାରୁ ବିଧାନସଭା ପାଇଁ ବିଜେଡ଼ିକୁ ଓ ଲୋକସଭା ପାଇଁ ବିଜେପିକୁ ଭୋଟ ଦେଇଛନ୍ତି । ତେଣୁ, ଓଡ଼ିଶାରେ ଲୋକସଭା ଭୋଟ ଫଳାଫଳ ଚମକାଇ ଦେଲା ଭଳି ହେବ । ବିଜେଡ଼ି ଏହି ‘ସ୍ପ୍ଲିଟ୍ ଭୋଟିଂ’ ଥିଓରୀକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । କାରଣ, ରାଜ୍ୟର କିଛି ସହରାଂଚଳରେ ଏଭଳି ସମ୍ଭାବନା ଥିଲେ ମଧ୍ୟ ସାମଗ୍ରିକ ଭାବେ ଏଭଳି ହୋଇଛି ବୋଲି କୁହାଯାଇ ନ ପାରେ । ଗ୍ରାମାଂଚଳ ଭୋଟର ପ୍ରାୟତଃ ଏକପାଖିଆ ଭୋଟ ଦେଇଥା’ନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ‘ମୋଦୀ ହାୱା’ ଥିବା ସମୟରେ ଓଡ଼ିଶାରେ ବିଜେଡ଼ି ୧୪୭ରୁ ୧୧୭ ବିଧାନସଭା ଓ ୨୧ରୁ ୨୦ ଲୋକସଭା ଆସନରେ ବିଜୟୀ ହୋଇଥିଲା । ୨୦୧୯ରେ ଭୋଟର ବିଧାନସଭା ପାଇଁ ବିଜେଡ଼ିକୁ ଓ ଲୋକସଭା ପାଇଁ ବିଜେପିକୁ ଭୋଟ ଦେଇ ଥିବେ କେମିତି ?
ରାଜ୍ୟରେ ‘ସ୍ପ୍ଲିଟ୍ ଭୋଟିଂ’ ହୋଇଥିବା ଚର୍ଚ୍ଚାକୁ ନେଇ ରାଜ୍ୟ ବିଜେପି ନେତାମାନେ ଉତ୍ସାହିତ ଥିଲେ ମଧ୍ୟ ବିଜେଡ଼ି ନେତାମାନେ ଏହି ସମ୍ଭାବନାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ରାଜ୍ୟରେ ଚାରି ପର୍ଯ୍ୟାୟରେ ଏକାସମୟରେ ବିଧାନସଭା ଓ ଲୋକସଭା ଭୋଟ ହୋଇଛି । ଶାସକ ଦଳକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦେବାକୁ ଯେଉଁ ଭୋଟର ଚାହୁଁଛନ୍ତି ସେହି ଭୋଟର କେମିତି ଲୋକସଭା ପାଇଁ ଅନ୍ୟ ଦଳକୁ ଭୋଟ ଦେବେ ? ଭାରତର ରାଜନୈତିକ ଇତିହାସରେ କେବେ ବି ଏମିତି ହୋଇ ନାହିଁ । ତେଣୁ, ୨୦୧୯ ନିର୍ବାଚନରେ ତାହା ହୋଇଥିବ ବୋଲି ମାନିବା ଅବସ୍ଥାରେ ନାହିଁ ବିଜେଡ଼ି । ଦଳର ଜଣେ ତୁଙ୍ଗ ନେତା କହିଛନ୍ତି, ୨୦୧୯ରେ ବିଜେଡ଼ି ରାଜ୍ୟ ବିଧାନସଭାର ୯୮ରୁ ଅଧିକ ଆସନ ପାଇବା ଆଶା ରଖିଛି । ସେହିଭଳି, ୨୧ ଲୋକସଭା ଆସନରୁ ଆନ୍ତତଃ ୧୮/୧୯ଟି ଦଳର ଖାତାକୁ ଆସିବା ଆଶା ରହିଛି । ଏହି ପରିସ୍ଥିତିରେ ଘରବାହୁଡା ଭୋଟରଙ୍କ ମତାମତକୁ ନେଇ ଯେଉଁ ଏକଜିଟ୍ ପୋଲ୍ ହୋଇଛି ସେଥିରେ ଓଡ଼ିଶାରୁ ବିଜେପି ଅଧିକ ସଂଖ୍ୟକ ଲୋକସଭା ଆସନ ପାଇବ ବୋଲି ଆକଳନ କରାଯିବା ସଂପୂର୍ଣର୍ ଅବାସ୍ତବ । ମେ’୨୩ରେ ଯେଉଁ ଫଳାଫଳ ପ୍ରକାଶ ପାଇବ ଉଭୟ ଲୋକସଭା ଓ ବିଧାନସଭାରେ ବିଜୟୀ ହେବାରେ ବିଜେଡ଼ି ବିଜେପି ଠାରୁ ବହୁ ଆଗରେ ରହିବ । ଫଳାଫଳ ଚକିତ କଲା ଭଳି ହେବ ବୋଲି ଏହି ନେତା ଜଣକ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଦଳକୁ ଅନ୍ୟୁନ ୧୪ଟି ଲୋକସଭା ଆସନ ମିଳିବ ବୋଲି ଜୋର୍ ଦେଇ କହିଛନ୍ତି । ଅପରପକ୍ଷରେ, ବିଜେଡ଼ିରୁ ବହିଷ୍କୃତ ହୋଇ ବିଜେପିରୁ ବିଧାନସଭା ନିର୍ବାଚନ ଲଢି ଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡ.ଦାମୋଦର ରାଉତଙ୍କ ବୟାନ ତାଙ୍କରି ଦଳକୁ ଅଡୁଆରେ ପକାଇଛି । ଓଡ଼ିଶାରେ ବିଜେପି ୫୦ରୁ ୫୫ ଓ କଂଗ୍ରେସ ୨୫ରୁ ୩୦ ବିଧାନସଭା ଆସନ ପାଇବେ ଏବଂ ବିଜେଡ଼ି ୬୦ରୁ ଅଧିକ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେବ ବୋଲି ସେ କହିଛନ୍ତି । କିନ୍ତୁ, ବିଜେଡ଼ି ସରକାର ଗଠନ ପାଇଁ ଆବଶ୍ୟକ ୭୪ ମେଜିକ୍ ସଂଖ୍ୟା ପାଇବ ନାହିଁ ଓ କଂଗ୍ରେସ ଦଳ ରାଜ୍ୟରେ ସରକାର ଗଢିବ ବୋଲି ଡ. ରାଉତଙ୍କ ଭବିଷ୍ୟତବାଣୀ ଚର୍ଚ୍ଚାର ଖୋରାକ ଯୋଗାଇଛି ।
କେନ୍ଦ୍ରରେ ଝୁଲା ସରକାର ହେଲେ ଯେଉଁ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବ ତାହାକୁ ବିଜେଡ଼ି ସମର୍ଥନ କରିବ ବୋଲି ଘୋଷଣା କରିଛି । କିନ୍ତୁ, ବିଭିନ୍ନ ଏକଜିଟ୍ ପୋଲ୍ ରିପୋର୍ଟ ରାଜ୍ୟରେ ‘ସ୍ପ୍ଲିଟ୍ ଭୋଟିଂ’ କଥା କହି ଏହି ସମ୍ଭାବନାକୁ କ୍ଷୀଣ କରିଛି । ବିଭିନ୍ନ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପି ଏକାକୀ ୨୭୬ରୁ ୩୦୦ ପର୍ଯ୍ୟନ୍ତ ଆସନ ପାଇଁ କେନ୍ଦ୍ରରେ ସରକାର ଗଠନ କରୁଥିବା କୁହାଯାଇଛି । ୧୯ ତାରିଖ ସନ୍ଧ୍ୟାରେ ଏକଜିଟ୍ ପୋଲ୍ ରିପୋର୍ଟ ସବୁ ପ୍ରକାଶ ପାଇଛି । ଏକଜିଟ୍ ପୋଲ୍ ରିପୋର୍ଟଗୁଡ଼ିକ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଉତ୍ସାହିତ । ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଦ୍ୱିତୀୟ ବାର ସରକାର ପ୍ରତିଷ୍ଠା ପାଇଁ ଶାହା ସଜବାଜ ଆରମ୍ଭ କରିଛନ୍ତି । ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ବିଜେପି ମନ୍ତ୍ରୀମାନଙ୍କ ବୈଠକ ହୋଇଯାଇଛି । ଅନ୍ୟପକ୍ଷରେ, ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ‘ଏକଜିଟ୍ ପୋଲ୍’ ରିପୋର୍ଟକୁ ‘ଏକଜାଟ୍ ପୋଲ୍’ ନୁହେଁ କହି ଫୁ’ରେ ଉଡାଇଛନ୍ତି । ତଥାପି, ସେମାନେ ଏଭଳି ଏକ ସମ୍ଭାବନାକୁ ସଂପୂର୍ଣର୍ ଭାବେ ନକାରି ପାରି ନାହାନ୍ତି । କଂଗ୍ରେସ ଶିବିରରେ ଦେଖା ଦେଇଥିବା ନୈରାଶ୍ୟରୁ ତାହା ପ୍ରତିଫଳିତ ହେଉଛି । ବିଜେପି ଓ ପ୍ରଧାନମନ୍ତ୍ରୀ ମାଦୀଙ୍କୁ ଦ୍ୱିତୀୟ ବାର କେନ୍ଦ୍ରରେ କ୍ଷମତାସୀନ ହେବାକୁ ଦିଆଯିବ ନାହିଁ ବୋଲି ଆସ୍ଫାଳନ କରୁଥିବା ୟୁପିର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀ ହଠାତ୍ କଂଗ୍ରେସ ବା ଅନ୍ୟ ବିରୋଧୀଙ୍କ ମହାମେଂଟ ଆଡକୁ ନ ଯାଇ ୨୩ ତାରିଖ ଫଳାଫଳକୁ ଅପେକ୍ଷା କରିବା ସେମାନଙ୍କ ମନରେ ଉପୁଜି ଥିବା ସନ୍ଦେହକୁ ସ୍ପଷ୍ଟ କରିଛି । ଆଜିର ରାଜନୈତିକ ପରସ୍ଥିତିକୁ ବିଚାରକୁ ନେଲେ କେନ୍ଦ୍ରରେ କିଏ ସରକାର କରିବ ତାହା ସ୍ପଷ୍ଟ ହେଉଛି । ତେବେ, ଓଡ଼ିଶାର ଚିତ୍ର କେନ୍ଦ୍ର ଠାରୁ ସଂପୂର୍ଣର୍ ଭିନ୍ନ ହୋଇପାରେ ସେଭଳି ଆଶା ରଖି ବିଜେଡ଼ି ୨୩କୁ ଅପେକ୍ଷା କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS