ଭୋଟ ସରୁ ସରୁ ‘ନମୋ’ ଟିଭି ହେଲା ‘ଅଫ୍-ଏୟାର’
– ପ୍ରସାଦ ରାଓ –
ମେ’ ୨୧ ତାରିଖ
ବିରୋଧୀ ଦଳମାନେ ଯାହା ଆଶଙ୍କା କରୁଥିଲେ ତାହା ସତ୍ୟ ହୋଇଛି । ମାର୍ଚ୍ଚ ୩୧ତାରିଖରୁ ବିଭିନ୍ନ ଡ଼ିଟିଏଚ୍ (ଡାଇରେକ୍ଟ-ଟୁ-ହୋମ୍) ପ୍ଲାଟଫର୍ମରେ ରହି ଥିବା ବିଜେପିର ପ୍ରଚାର ମାଧ୍ୟମ ‘ନମୋ’ ଟିଭି ମେ’ ୧୭ ତାରିଖରୁ ‘ଅଫ୍-ଏୟାର’ ହୋଇଛି । ‘ନମୋ’ ଟିଭିର ଆକ୍ଷରିକ ଅର୍ଥ ହେଉଛି ‘ନରେନ୍ଦ୍ର ମୋଦୀ ଟିଭି’ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେପିର ପ୍ରଚାର ପାଇଁ ଏହି ଟିଭି ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଓ ଲୋଗୋ ଥାଇ ପ୍ରସାରିତ ହେଉଥିବା ଏହି ଟିଭିରେ ମୋଦୀ ସରକାରଙ୍କ ବିଭିନ୍ନ ସଫଳତା ପ୍ରସାରିତ ହେଉଥିଲା । ଡ଼ିଟିଏଚ୍ ପ୍ଲାଟଫର୍ମରେ ଏୟାରଟେଲ୍, ଡ଼ିସ୍ ଟିଭି, ଟାଟା ସ୍କାଏ ପ୍ରଭୃତି ‘ନମୋ’ ଟିଭିର ପ୍ରସାରଣ କରୁଥିଲେ। ଶାସକ ଦଳ ପ୍ରଧାନମନ୍ତ୍ରୀଙ୍କ ନାମରେ ଗୋଟିଏ ଟିଭି ଚ୍ୟାନେଲ ଚଳାଇବା ଏବଂ ନିର୍ବାଚନ ସମୟରେ ଏଥିରେ କେବଳ ବିଜେପିର ପ୍ରଚାର ହେଉଥିବା ବିରୋଧୀଙ୍କୁ ବିଚଳିତ କରିଥିଲା । ଫଳରେ, ସେମାନେ ଆଦର୍ଶ ଆଚରଣ ବିଧିର ଉଲଂଘନ ହେଉଥିବା ସଂପର୍କରେ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ ।
ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ଦଳ ମଧ୍ୟ ସମାନ ସୁଯୋଗ ପାଇବା ଅଧିକାର ରଖିଛି । ଶାସକ ଦଳ ତାହାର ଅବମାନନା କରି ନିର୍ବାଚନ ଆଚରଣ ବିଧିର ଉଲଂଘନ କରିଛି ବୋଲି କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବା ପରେ ନିର୍ବାଚନ କମସନ ଏସଂପର୍କରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ରିପୋର୍ଟ ମାଗି ଥିଲେ । ତେବେ,‘ନମୋ’ ଟିଭି କେବଳ ଶାସକ ଦଳର ଏକ ବିଜ୍ଞାପନ ପ୍ଲାଟଫର୍ମ, ଏହାର ପ୍ରସାରଣ ପାଇଁ ମନ୍ତ୍ରଣାଳୟର ଅନୁମତିର ଆବଶ୍ୟକତା ନାହିଁ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇ ଥିଲେ । ଉଲ୍ଲେଖନୀୟ ଯେ, ଏହ ଟିଭି ମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମରେ କେବଳ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ନିର୍ବାଚନୀ ଭାଷଣ ସ୍ଥାନ ପାଉଥିଲା । ସ୍କ୍ରୋଲିଂରେ ମଧ୍ୟ ଭାଷଣର ମୁଖ୍ୟାଂଶ ରହୁଥିଲା । ନର୍ବାଚନ ସରିବା ପର୍ଯ୍ୟନ୍ତ ଏହି ଟିଭିର ପ୍ରସାରଣ ଚାଲିବ ବୋଲି ପୂର୍ବରୁ ନିଧାର୍ଯ୍ୟ ହୋଇଥିବା ବେଳେ ଶେଷ ପର୍ଯ୍ୟାୟ ନର୍ବାଚନ ପ୍ରଚାର ସରୁ ସରୁ ହଠାତ୍ ଏହାର ପ୍ରସାରଣ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି ବୋଲି ନିର୍ବାଚନ କମିସନ ସୂତ୍ରରୁ ପ୍ରକାଶ ।
୨୦୧୪ ସାଧାରଣ ନର୍ବାଚନରେ ବିଜେପି ବ୍ୟାପକ ଭାବେ ସାମାଜିକ ଗଣମାଧ୍ୟମ ଓ ଡ଼ିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରି ବିଶେଷ ସଫଳତା ପାଇଥିବା ଦେଖି ଗତ ପାଂଚ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ନିର୍ବାଚନରେ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ସାମାଜିକ ଗଣମାଧ୍ୟମକୁ ଅଧିକରୁ ଅଧିକ ବ୍ୟବହାର କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାର ପାଇଁ ଫେସ୍ ବୁକ୍, ଗୁଗୁଲ, ୟୁଟ୍ୟୁବ୍ ଭଳି ଗଣମାଧ୍ୟମକୁ ବ୍ୟବହାର କରିଥିବା ଜଣାପଡିଛି । ଗତ ଫେବୃୟାରୀରୁ ଅଦ୍ୟାବଧି ରାଜନୈତିକ ଦଳମାନେ ବଭିନ୍ନ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ବାବଦରେ ୫୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ଏଥିରେ ଶାସକ ବିଜେପି ଆଗୁଆ ରହିଛି । ଫେସ୍ ବୁକ୍ ର ବିଜ୍ଞାପନ ସଂପର୍କିତ ରିପୋର୍ଟ ଅନୁଯାୟୀ, ଫେବୃୟାରୀରୁ ମେ’୧୫ ସୁଦ୍ଧା ଏହି ସାମାଜିକ ଗଣମାଧ୍ୟମରେ ୧ ଲକ୍ଷ ୨୧ ହଜାର ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି । ଏହି ସବୁ ବିଜ୍ଞାପନ ବାବଦରେ ରାଜନୈତିକ ଦଳମାନେ ୨୬.୫ କୋଟି ଟଙ୍କା ବ୍ୟୟ କରିଛନ୍ତି । ସେହିଭଳି, ଗୁଗୁଲ, ୟୁଟ୍ୟୁବ୍ ଓ ଏହାର ସହାୟକ କଂପାନୀରେ ଫେବୃୟାରୀ ୧୯ରୁ ଏପର୍ଯ୍ୟନ୍ତ ୧୪,୮୩୭ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି ଓ ରାଜନୈତିକ ଦଳମାନେ ୨୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଶାସକ ବିଜେପି ଫେସ୍ ବୁକ୍ ରେ ୨୫ଶହରୁ ଅଧିକ ବିଜ୍ଞାପନ ଦେଇ ୪.୨୩ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଗୁଗୁଲ ମଂଚରେ ୧୭ କୋଟି ଟଙ୍କା ବ୍ୟୟ କରିଛି । କଂଗ୍ରେସ ଦଳ ଫେସ୍ ବୁକ୍ ରେ ୩,୬୮୬ ବିଜ୍ଞାପନ ଦେଇ ୧.୪୬ କୋଟି ଟଙ୍କା ଓ ଗୁଗୁଲ ମଂଚରେ ୪୨୫ ବିଜ୍ଞାପନ ବାବଦରେ ୨.୭୧ କୋଟି ଟଙ୍କା ବ୍ୟୟ କରିଥିବା ଜଣାପଡିଛି । ସେହିପରି, ତୃଣମୂଳ କଂଗ୍ରେସ ଫେସ୍ ବୁକ୍ ବିଜ୍ଞାପନ ବାବଦରେ ୨୯.୨୮ ଲକ୍ଷ ଟଙ୍କା ଓ ଆମ୍ ଆଦମୀ ପାଟ (ଆପ୍) ୧୩.୬୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଯାଇଛି । ‘ନମୋ’ ଟିଭି ୨୦୧୯ ନିର୍ବାଚନରେ ଶାସକ ଦଳର ଅନ୍ୟତମ ଅଭିନବ ପ୍ରୟାସ ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS