ଦୂତୀ ଦାୟି କଲେ ଭଉଣୀ ସରସ୍ୱତୀଙ୍କୁ
– ପ୍ରସାଦ ରାଓ –
ମେ’ ୨୧ ତାରିଖ
ଆନ୍ତର୍ଜାତିକ ଖେଳାଳୀ ଦୂତୀ ଚାନ୍ଦ୍ଂକ ସମଲିଂଗୀ ସଂପର୍କକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ସେ ନିଜେ ଚର୍ଚ୍ଚାକୁ ଆଗକୁ ନେଉଛନ୍ତି । ତାଙ୍କ ସମଲିଂଗୀ ସଂପର୍କକୁ ନେଇ ବିବାଦ ସୃଷ୍ଟି ପାଇଁ ସେ ଭଉଣୀ ତଥା ପୂର୍ବତନ ଦୌଡାଳୀ ସରସ୍ୱତୀ ଚାନ୍ଦ୍ଂକୁ ଆଜି ଦାୟି କରିଛନ୍ତି । ଦୂତୀ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମଳନୀ କରି ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ୍ ତାଙ୍କ ସଂପତ୍ତି ହଡପ ପାଇଁ ଏଭଳି ବିବାଦର ସୂତ୍ରପାତ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କରି ଗାଁର ଜଣେ ସଂପର୍କିତାଙ୍କ ସହ ତାଙ୍କ (ଦୂତୀଙ୍କ) ସମଲିଙ୍ଗୀ ସଂପର୍କ ଥିବା ଘର ଲୋକ ବହୁ ପୂର୍ବରୁ ଜାଣି ଥିଲେ । ତେବେ, ବଡ଼ ଭଉଣୀ ସରସ୍ୱତୀ ଉସୁକାଇବାରୁ ତାଙ୍କ ମା’ ଏବେ ଏହି ସଂପର୍କକୁ ବିରୋଧ କରୁଛନ୍ତି । ପରିବାର ଲୋକଙ୍କ ମଧ୍ୟରୁ ଯିଏ ବିରୋଧ କରିବ ସେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଦୂତୀଙ୍କ ସାମ୍ବାଦିକ ସମ୍ମଳନୀ ବାନ୍ଧବୀଙ୍କ ପ୍ରତି ତାଙ୍କ ସଂପର୍କର ଗଭୀରତାକୁ ପ୍ରତିପାଦିତ କରିଛି । ଦୂତୀଙ୍କ ଗାଁ ଯାଜପୁର ଜିଲ୍ଲାର ଚକଗୋପାଳପୁର ଏବେ ଗଣମାଧ୍ୟମ ପାଇଁ ଖବରର ସ୍ରୋତ ହୋଇଛି । ଗଣମାଧ୍ୟମ ପ୍ରତିନିଧିମାନେ କେବଳ ଦୂତୀଙ୍କୁ ନୁହେଁ, ତାଙ୍କ ପରିବାରକୁ ମଧ୍ୟ ଏକପ୍ରକାର ଜେରା କରି ଏହି ପରିବାରକୁ ଚର୍ଚ୍ଚା ଘେରରେ ରଖିଛନ୍ତି । ନିକଟରେ ଏହି ୨୩ ବର୍ଷ ବୟସ୍କା ଆଥେଲେଟ୍ ଏକ ଇଂରାଜୀ ପତ୍ରିକା ନିକଟରେ ନିଜର ସମଲିଂଗୀ ସଂପର୍କ ବିଷୟରେ ଖୁଲାସ କରି ସମସ୍ତଙ୍କୁ ଆଚମ୍ବିତ କରିଥିଲେ । ଗାଁର ଜଣେ ୧୯ ବୟସ୍କା ଝିଅ ସହ ତାଙ୍କର ପ୍ରେମ ସଂପର୍କ ରହିଛି ଏବଂ ଝିଅଟିକୁ ସେ ବିବାହ କରବେ ବୋଲି ଦୂତୀ ନିଜ ଆଡୁ ଖୁଲାସା କରିବା ପରେ ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ତାହାକୁ ଚର୍ଚ୍ଚା ବିଷୟ ବନାଇ ଥିଲେ । ପ୍ରେମରେ ପଡିଥିବା ତାଙ୍କ ବାନ୍ଧବୀ ମଧ୍ୟ ସାବାଳିକା । ଦେଶରେ ସମଲିଂଗୀ ସଂପର୍କକୁ ସୁପ୍ରିମ କୋର୍ଟ ବୈଧ କରିଥିବାରୁ ସେ ଏହି ଗୋପନ ସଂପର୍କର ଖୁଲାସା କରବାକୁ ସାହାସ କରିଛନ୍ତି ବୋଲି ଦୂତୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଉଲ୍ଲେଖନୀୟ ଯେ, ସୁପ୍ରିମ କୋର୍ଟ ୨୦୧୮ ସେପ୍ଟେମ୍ବରରେ ଏକ ଐତିହାସକ ରାୟ ଦେଇ ସମଲିଂଗୀ ସଂପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ୧୫୮ ବର୍ଷ ତଳର ବ୍ରିଟିଶ ଆଇନକୁ ରଦ୍ଦ କରଛନ୍ତି । ଭାରତୀୟ ପିଙ୍ଗଳ କୋଡ଼ର ବିବାଦୀୟ ୩୭୭ ଧାରାକୁ ସର୍ବୋଚ୍ଚ ନ୍ୟାୟଳୟ ଉଚ୍ଛେଦ କରିବା ପରେ ସମାଜର ପ୍ରତ୍ୟେକ ବ୍ୟକ୍ତି ନଜର ପସନ୍ଦ ମୁତାବକ ଓ ସହମତିରେ ଦୈହିକ ସଂପର୍କ ରଖି ପାରିବେ, ତାହା ଆଇନସମ୍ମତ ହୋଇଛି । ଦୂତୀ ହେଉଛନ୍ତି ଭାରତର ପ୍ରଥମ କ୍ରୀଡାବ୍ୟକ୍ତିତ୍ୱ ଯିଏ କି ତାଙ୍କ ସମଲିଂଗୀ ସଂପର୍କକୁ ଖୁଲାସା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦେଶର ଖୁବ କମ୍ ସେଲିବ୍ରିଟି ସେମାନଙ୍କ ଏଭଳି ସମଲିଂଗୀ ସଂପର୍କର ଖୁଲାସା କରିଥିବା ବେଳେ ଦୂତୀ ହେଉଛନ୍ତି ସେଥିରୁ ଅନ୍ୟତମ । ତାଙ୍କ ବଡ ଭଉଣୀ ସରସ୍ୱତୀ ଚାନ୍ଦ୍ ଓ ବାପା, ମା’ ଦୂତୀଙ୍କ ଏଭଳି ସଂପର୍କକୁ ନେଇ ବ୍ୟସ୍ତହେବା ସ୍ୱାଭାବିକ । ତେବେ, ଦୂତୀଙ୍କ ସଂପତ୍ତି ହଡପ ପାଇଁ ବାନ୍ଧବୀ ଜଣକ ଏଭଳି ଷଡଯନ୍ତ୍ର କରିଛନ୍ତି ବୋଲି ତାଙ୍କ ପରିବାର ଅଭିଯୋଗ କରୁଥିବା ବେଳେ ବଡ଼ ଭଉଣୀ ସଂପତ୍ତି ଲୋଭରେ ତାଙ୍କ ସମଲିଂଗୀ ସଂପର୍କକୁ ବିରୋଧ କରୁଥିବା ଏବଂ ତାଙ୍କ ବିରୋଧରେ ଷଡଯନ୍ତ୍ର ଚଳାଇଥିବା ଦୂତୀ ଅଭିଯୋଗ କରିଛନ୍ତି । ମାମଲା ଏତେଶୀଘ୍ର ଥମିବାକୁ ଯାଉ ନ ଥିବା ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS