ସଂବିଧାନ ସଂଶୋଧନ ଆଡେ ମୁହାଁଇଛନ୍ତି ସରକାର ?


– ପ୍ରସାଦ ରାଓ –
ଜୁନ ୨୧ ତାରିଖ
୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନମତ ପାଇ କେନ୍ଦ୍ରରେ ଦ୍ୱତୀୟ ଥର ପାଇଁ କ୍ଷମତାକୁ ଆସୁ ଆସୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସବୁ ସମସ୍ୟାକୁ ପଛକୁ ପକାଇ ବିଜେପି ଓ ଆରଏସଏସର ପୁରୁଣା ଆଜେଣ୍ଡା ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବାକୁ ଅଂଟା ଭିଡିଛନ୍ତି । ଚାଷୀ, ବେକାରୀ ଚୁଲିକୁ ଯାଇଛି । ବିମୁଦ୍ରୀକରଣ ଓ ଜିଏସଟି ଲାଗୁ ହେବା ପରେ ଦେଶରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲାକୁ ସରକାର ପ୍ରାଥମିକତା ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ, ଦ୍ୱତୀୟ ସଂସ୍କରଣରେ ମୋଦୀ ସରକାରଙ୍କ ପ୍ରଥମ ଆଜେଣ୍ଡା ହୋଇଛି ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା । ଏଥିସକାଶେ ସହମତି ସୃଷ୍ଟି ଉଦ୍ୟମ ଆରମ୍ଭ ହୋଇଛି ପାର୍ଲାମେଂଟ ଅଧିବେଶନ ଆରମ୍ଭରୁ । ତାହା ଆଗାମୀ ଦିନରେ ଏକ ବଡ ଧରଣର ସାଂବିଧାନିକ ସଂଶୋଧନର ବାଟ ଖୋଲୁଛି । ବୁଧବାର (୧୯ ତାରିଖ) ପ୍ରଧାନମନ୍ତ୍ରୀ ପାର୍ଲାମେଂଟରେ ଏକ ସର୍ବଦଳୀୟ ବୈଠକ ଆୟୋଜନ କରି ସରକାରଙ୍କ ଏହି ଆଜେଣ୍ଡାକୁ ଆଗେଇ ନେବାକୁ ଉଦ୍ୟମ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିିନ୍ଦ ଗୁରୁବାର (୨୦ ତାରିଖ) ପାର୍ଲାମେଂଟର ଉଭୟ ଗୃହର ମିଳିତ ଅଧିବେଶନରେ ନିର୍ବାଚିତ ସଦସ୍ୟମାନଙ୍କୁ ଉଦବୋଧନ ଦେଇ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଯିବା ପ୍ରସ୍ତାବକୁ ବିଚାର କରିବାକୁ ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି । ସରକାରଙ୍କ ପ୍ରସ୍ତାବ ‘ବିକାଶମୁଖୀ’ କହି ରାଷ୍ଟ୍ରପତି ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ମୋଦୀ-୨ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ।
ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଅଭିଭାଷଣରେ କହିଥିଲେ, ଦେଶବାସୀ ହୃଦୟକୁ ଖୋଲି ମୋଦୀ ସରକାରଙ୍କୁ ଦ୍ୱିତୀୟ ଥର ପାଇଁ ଦେଇଥିବା ବିପୁଳ ସମର୍ଥନ ତ୍ରିପୁଲ ତଲାକ୍ ବିଲ୍ ଚଳିତ ଅ÷ଧିବେଶନରେ ପାରିତ ହେବା, ଦେଶରେ ଏନଆରସି (ନ୍ୟାସନାଲ ରେଜିଷ୍ଟାର ଅଫ୍ ସିଟିଜନ୍ସ)କୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯିବା ଏବଂ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ନିରାପତ୍ତା ବାହିନୀ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣ ବିରୋଧରେ ସରକାର ଉଚିତ ଜବାବ ଦେଇଥିବା ଭଳି କାର୍ଯ୍ୟ ପ୍ରତି ନୀରବ ସମର୍ଥନ ଓ ସ୍ୱୀକୃତି । ‘ଗୋଟିଏ ରାଷ୍ଟ୍ର ଓ ଏକାଠି ଉଭୟ ଲୋକସଭା, ବିଧାନସଭା ନିର୍ବାଚନ’ ହେଉଛି ଆଜି ଦିନର ଆବଶ୍ୟକତା । ଏହାଦ୍ୱାରା ଦେଶରେ ବିକାଶମୂଳକରେ ଆଉ ବାଧା ରହିବ ନାହିଁ, ଦେଶର ପ୍ରଗତି ମଧ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜନୈତିକ ଦଳମାନେ ନିଜ ନିଜ ବିଚାରଧାରାର ଗଣ୍ଡି ଭିତରେ ରହି ଦେଶର ବିକାଶ ଓ ଜନକଲ୍ୟାଣ କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ଶକ୍ତି ବିନିଯୋଗ କରିପାରିବେ । ତେଣୁ,ଏହା ଉପରେ ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ ।
ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଶାସକ ବିଜେପି ଓ ତାହାର ମେଂଟ ଅଂଶୀଦାରଙ୍କୁ ଉତ୍ସାହିତ କରିବା ସ୍ୱାଭାବିକ । କାରଣ, ବିଜେପି-ଆରଏସଏସର ଦୀର୍ଘ ଦିନର ଅଭିଳାଷା ରହିଛି – ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା । କିନ୍ତୁ, ଭାରତୀୟ ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଂଖ୍ୟା ବଳ ଥାଉ ବା ନ ଥାଉ ବିନା ସହମତିରେ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକାକୀ ନେଇ ପାରିବେ ନାହିଁ । ତେଣୁ ସହମତି ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗ ଉପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସହମତି ଆଣିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାକୁ ଦେଶର ଅନେକ ବିରୋଧୀ ଦଳର ନେତା ସମର୍ଥନ କରିବା ଅବସ୍ଥାରେ ନ ଥିବା ବୁଧବାର ଦେଖିବାକୁ ମିଳିଛି । କାରଣ, ସେମାନେ ଏହି ବିଜେପି-ଆରଏସଏସ ଆଜେଣ୍ଡା ଆଗେଇବା ଚାହୁଁ ନାହାନ୍ତି । ପ୍ରଧାନମନ୍ତ୍ରୀ ୪୦ଟି ରାଜନୈତିକ ଦଳର ସଭାପତିଙ୍କୁ ବୁଧବାର ବୈଠକକୁ ନିମନ୍ତ୍ରଣ କରିଥିବା ବେଳେ ୨୧ଟି ରାଜନୈତିକ ଦଳର ସଭାପତି ଯୋଗ ଦେଇଥିଲେ । ତିନିଟି ଦଳର ସଭାପତି ନିଜ ପ୍ରତିନିଧିଙ୍କ ମାଧ୍ୟମରେ ଉପସ୍ଥିତି ଜାହିର କରିଥିବା ଏବଂ ୧୬ଟି ଦଳର ସଭାପତି ଏହି ବୈଠକକୁ ବର୍ଜନ କରିଥିବା ଦେଖାବାକୁ ମିଳିଛି । ଏହା ସହମତି ସଂଭାବନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେହେତୁ ଓଡ଼ିଶାରେ ୨୦୦୪ରୁ ୨୦୧୯ ମଧ୍ୟରେ ହୋଇ ଥିବା ସମସ୍ତ ସାଧାରଣ ନିର୍ବାଚନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୋଇଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀ ସରକାରଙ୍କ ପ୍ରସ୍ତାବରେ ସହମତ ହେବା ସ୍ୱାଭାବିକ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ ଏନଡ଼ିଏର ନୂଆ ବଂଧୁ । ତେଣୁ, ରେଡ୍ଡୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ଆଖିବୁଜି ସମର୍ଥନ ଦେଇଛନ୍ତି । କିନ୍ତୁ, ଏନଡ଼ିଏ ସହଯୋଗୀ ଶିବ ସେନା ବୁଧବାର ବୈଠକରୁ ଦୂରେଇ ରହିବା ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ (ଟିଆରଏସ) ନିଜେ ବୈଠକକୁ ନ ଆସି ଜଣେ ପ୍ରତିନିଧିଙ୍କୁ ପଠାଇ ଦେବା ଏନଡ଼ିଏ ଅଂଶୀଦାରଙ୍କ ଭିତରେ ମଧ୍ୟ ସହମତିର ଅଭାବ ଥିବା ସ୍ପଷ୍ଟ କରୁଛି ।
ପ୍ରଧାନମନ୍ତ୍ରୀଙ୍କ ବୁଧବାର ବୈଠକକୁ ବର୍ଜନ କରିଥିବା ରାଜନେତାଙ୍କ ମଧ୍ୟରେ ଅଛନ୍ତି – ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ (ତୃଣମୂଳ କଂଗ୍ରେସ), ୟୁପିର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି) ଓ ମାୟାବତୀ (ବହୁଜନ ସମାଜ ପାର୍ଟି), ରାହୁଲ ଗାନ୍ଧୀ (କଂଗ୍ରେସ), ଡ଼ିଏମକେ, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡ଼ିପି, ଆରଜେଡ଼ି, ଜେଡ଼ିଏସ୍, ଜେଏମଏମ, ଏଆଇୟୁଡିଏଫ, ଆଇୟୁଏମଏଲ ପ୍ରଭୃତି ୧୬ଟି ରାଜନୈତିକ ଦଳର ମୁଖ୍ୟ । ଆମ୍ ଆଦମୀ ପାର୍ଟି ବୁଧବାର ବୈଠକରେ ପ୍ରତିନିଧି କରିବାକୁ ଦଳର ମୁଖପାତ୍ର ରାଘବ ଚଡ୍ଡାଙ୍କୁ ପଠାଇ ଥିଲା । କିନ୍ତୁ, ବ÷ଠକରେ ଯୋଗ ଦେବାକୁ ତାଙ୍କୁ ଅନୁମତି ମିଳି ନ ଥିଲା । ଟିଆରଏସ୍ ଅଧ୍ୟକ୍ଷ ନିଜେ ନ ଆସି ପ୍ରତିନିଧି ମାଧ୍ୟମରେ ବାର୍ତା ପଠାଇ ଥିଲେ । ବିଜେପିର ଘନିଷ୍ଟ ସହଯୋଗୀ ଶିବ ସେନା ଓ ଏଆଇଏଡ଼ିଏମକେର ଅଧ୍ୟକ୍ଷ ବୈଠକରେ ଅନୁପସ୍ଥିତ ରହିବା ଏନଡ଼ିଏରେ ସବୁ କିଛି ଠିକ୍ ଚାଲିନି ବୋଲି ବାର୍ତା ଦେଉଛି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରସ୍ତାବ ଉପରେ ସହମତିର ଆଶା କ୍ଷୀଣ ବୋଲି ଜାଣି ମଧ୍ୟ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଇଥିବା ଏବଂ ପ୍ରସ୍ତାବର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ବିରୋଧୀଙ୍କ ମତାମତକୁ ପରୀକ୍ଷା ନିରୀକ୍ଷା କରିବା ସକାଶେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବୈଠକରେ ବାମପନ୍ଥୀଙ୍କ ଭଳି କିଛି ଦଳ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ନେଇ କିଛି କିଛି ଆପତ୍ତି ଉଠାଇଛନ୍ତି ସିନା ପ୍ରସ୍ତାବକୁ ପୂରାପୁରି ବିରୋଧ କରି ନାହାନ୍ତି । କେବଳ ଏହାର କାର୍ଯ୍ୟକାରିତାକୁ ନେଇ କିଛି ପ୍ରଶ୍ନ ଉଠାଇଛନ୍ତି ବୋଲି ରାଜନାଥଙ୍କ କହିଛନ୍ତି ।
ଅନ୍ୟପକ୍ଷରେ, ବୈଠକକୁ ଯାଇ ଥିବା ସିପିଏମ୍ ମହାସଚିବ ସୀତାରାମ ୟାଚୁରୀ ଓ ବରିଷ୍ଠ ସିପିଆଇ ନେତା ଡ଼ି. ରାଜା କହିଛନ୍ତି ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ନେଇ ମୋଦୀ ସରକାରଙ୍କ ପ୍ରସ୍ତାବ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା ଓ ସମ୍ବିଧାନ ବିରୋଧୀ । ବାମପନ୍ଥୀମାନେ ଏହାର ଜୋରଦାର ବିରୋଧ କରିବେ । ବସପା ନେତ୍ରୀ ମାୟାବତୀ ମଧ୍ୟ ୨୦୧୯ ନିର୍ବାଚନରେ ଇଭିଏମ୍ ଜାଲିଆତି ହୋଇଥିବା ଅଭିଯୋଗ ଦୋହରାଇ ସେ ସଂପର୍କରେ ଆଲୋଚନା ହୋଇଥିଲେ ଦଳ ସେଥିରେ ଭାଗ ନେଇ ଥା’ନ୍ତା ବୋଲି କଟାକ୍ଷ କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପି ସରକାରଙ୍କ ଏହି ପ୍ରସ୍ତାବକୁ ଅନେକ ଦଳ ବିରୋଧ କରିବେ ବୋଲି କହିଥିବା ବେଳେ କଂଗ୍ରେସ ସଭାପତି (ଇସ୍ତଫା ଗୃହୀତ ହୋଇ ନ ଥିବାରୁ ) ରାହୁଲ ଗାନ୍ଧୀ ବ୍ୟକ୍ତିଗତ କାରଣରୁ ଏହି ବୈଠକରେ ଯୋଗ ଦେଉ ନ ଥିବା ସ୍ପଷ୍ଟ କରିଥିଲେ । କିନ୍ତୁ, ତାଙ୍କରି ଦଳର ଜଣେ ପୂର୍ବତନ ସାଂସଦ ମିଳିନ୍ଦ ଦେଓରା ମୋଦୀଙ୍କ ପ୍ରସ୍ତାବକୁ ସମର୍ଥନ କଲା ଭଳି ବୟାନ ଦେବା କଂଗ୍ରେସ ଭିତରେ ରହିଥିବା ମତାନ୍ତରକୁ ଉଜ୍ଜୀବିତ କରିଛି । ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ସୁଶାସନରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇ ଦେଓରା ସରକାର ଏହି ପ୍ରସ୍ତାବ ଉପରେ ସବୁ ଦଳକୁ ନେଇ ସହମତି ସୃଷ୍ଟି ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି । ତୃଣମୂଳ କଂଗ୍ରେସ ମୁଖ୍ୟା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁ ବେଳେ ନିଆରା । ସେ ଏହି ଉପରେ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଡୁ ଏକ ଶ୍ୱେତପତ୍ର ଦାବି କରିଛନ୍ତି । ଏସବୁ କଥାକୁ ଦେଖିଲେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଶାସକ ଦଳ ସହମତି ସୃଷ୍ଟି କରିବା କାଠିକର ପାଠ ହେବ ବୋଲି କୁହାଯାଇପାରେ । ବିରୋଧୀ ଦୁର୍ବଳ ହେଲେ ବି ଶାସକ ଦଳ ସହ ସମାନ୍ତରାଳ ଭାବେ ଚାଲିବାକୁ ମନ କରି ସାରିଥିବା ମଧ୍ୟ ଏଥିରୁ ଜଣାପଡୁଛି । ଏହା ୨୦୧୯ ସାଧାରଣ ନିର୍ବାଚନ ପୂର୍ବ ଦେଶର ରାଜନୈତିକ ପରିସ୍ଥିତିକୁ ପୁନର୍ବାର ମନେ ପକାଇବାକୁ ବାଧ୍ୟ କରିଛି ।
ରାଜନୈତିକ ବିଶ୍ଲେଷକଙ୍କ ମତରେ, ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ହେଉଛି ଆରଏସଏସ-ବିଜେପିର ଦୀର୍ଘର୍ ଦିନର ଆଜେଣ୍ଡା ଏବଂ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ଏହି ପ୍ରସଙ୍ଗକୁ ସାମିଲ କରିଥିଲା। ଗତ ବର୍ଷ ଅଗଷ୍ଟ ମାସରେ ଏହି ପ୍ରସଙ୍ଗରେ ଲ’ କମିସନଙ୍କ ପ୍ରସ୍ତାବ ଥିଲା, ନିର୍ବାଚନ ବ୍ୟୟ କମାଇବା ସକାଶେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବା ଉଚିତ । କିନ୍ତୁ, ଆଇନ ମନ୍ତ୍ରଣାଳୟକୁ ଦେଇଥିବା ରିପୋର୍ଟରେ ଲ’ କମିସନ କହିଥିଲେ-ବର୍ତମାନ ପ୍ରଚଳିତ ସାମ୍ବିଧାନିକ ବ୍ୟବସ୍ଥାରେ ଏକାଠି ନିର୍ବାଚନ କରିବା ସମ୍ଭବ ନୁହେଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ – ସମ୍ବିଧାନରେ ସଂଶୋଧନ ନିତାନ୍ତ ଆବଶ୍ୟକ । ଗତ ବର୍ଷ ମୋଦୀ ସରକାର ଏହି ପ୍ରସଙ୍ଗକୁ ନେଇ ବିତର୍କ ଆରମ୍ଭ କରିଥିଲେ । ଦୁଇଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଏବଂ ୨୦୨୪ରୁ ସମସ୍ତ ରାଜ୍ୟରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବାକୁ ନୀତି ଆୟୋଗ ପ୍ରସ୍ତାବ ଦେଇ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଶାସନରେ ଏହି ପ୍ରସଙ୍ଗକୁ ବାସ୍ତବ ରୂପ ଦେବାକୁ ଅଂଟା ଭିଡ଼ିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୂତ ବୁଧବାର ବୈଠକରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ଥିଲେ ଏନସିପି ନେତା ଶରଦ ପାୱାର, ସିପିଏମ ନେତା ସୀତାରାମ ୟାଚୁରୀ, ସିପିଆଇ ନେତା ଡ଼ି. ରାଜା, ଜେଡ଼ିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିରୋମଣୀ ଅକାଳୀ ଦଳ (ଏସଏଡ଼ି) ନେତା ସୁଖବୀର ସିଂହ ବାଦଲ, ନ୍ୟାସନାଲ ପିପୁଲ୍ସ ପାର୍ଟି ନେତା କୋନାର୍ଡୋ ସାଙ୍ଗମା, ପିିଡ଼ିପି ନେତ୍ରୀ ତଥା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଓ ନ୍ୟାସନାଲ କନଫରେନ୍ସ (ଏନସି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ।
ବାମପନ୍ଥୀ ଦଳମାନେ ବିଜେପି-ଆରଏସଏସ୍ ଆଜେଣ୍ଡା କାର୍ଯ୍ୟକାରୀ ହେବାକୁ ଦେବେ ନାହିଁ ବୋଲି ଅଂଟା ଭିଡ଼ି ଥିବା ଏନସିପି ନେତା ଶରଦ ପାୱାର ସମ୍ବିଧାନରେ ବଡ ଧରଣର ସଂଶୋଧନକୁ ଇଂଗିତ କରି ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସମ୍ବିଧାନରେ ସଂଶୋଧନ ଆଣିଲେ ହିଁ ଦେଶବ୍ୟାପୀ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ଭବ ବୋଲି ସେ କହିଛନ୍ତି । ତେବେ, ରାଷ୍ଟପତି ରାମନାଥ କୋବିନ୍ଦଙ୍କ ଗୁରୁବାର ଅଭିଭାଷଣରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବା ସମ୍ବିଦାନରେ ଏକ ବଡ ଧରଣର ସଂଶୋଧନ ପାଇଁ ସରାର ପ୍ରସ୍ତୁତ ହେଉଥିବା ସୂଚନା ଦେଉଛି । ଦେଶରେ ରାଷ୍ଟ୍ରପତି-ପଦ୍ଧତ ସରକାର (ପ୍ରେସିଡେନ୍ସିଆଲ ଫର୍ମ ଅଫ୍ ଗଭର୍ଣ୍ଣମେଂଟ ) ପ୍ରତିଷ୍ଠା କଥା ମଧ୍ୟ ଚିନ୍ତା କରାଯାଉଥିବା ଏବଂ ତାହାର ମୂଳଦୂଆ ପକାଇବାକୁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ ପ୍ରସଙ୍ଗ କରାଯାଇଥିବା ରାଜନୈତିକ ବିଶ୍ଲେଷକମାନେ ମଧ୍ୟ ଅନୁମାନ କରୁଛନ୍ତି । ଲୋକସଭାରେ ମୋଦୀ ସରକାରଙ୍କ ଯଥେଷ୍ଟ ସଂଖ୍ୟା ରହିଛି । ରାଜ୍ୟସଭାରେ ମଧ୍ୟ ଆବଶ୍ୟକ ସଂଖ୍ୟା ପାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅଧିକ ସମୟ ଲାଗିବ ନାହିଁ । ଏହାଛଡା, ଏନଡ଼ିଏ ବାହାରେ ଥିବା ବିଜେଡ଼ି, ୱାଇଏସଆର କଂଗ୍ରେସ ଭଳି ଦଳମାନେ ନିର୍ବାଚନ ସମୟରେ ରୋଷ ଦେଖାନ୍ତୁ ପଛେ ସରିବା ପରେ ବିଜେପିକୁ ସମର୍ଥନ ଦେଇ ଆସିଛନ୍ତି । ତେଣୁ ସରକାର ସମ୍ବିଧାନରେ ନିଜ ଇଚ୍ଛା ମୁତାବକ ସଂଶୋଧନ ଆଣି ପାରିବେ ଏବଂ ବିରୋଧୀ ଦାନ୍ତ କାମୁଡ଼ି ରହିବେ, ଏହାହିଁ ଆଗାମୀ ଦିନରେ ହେବାକୁ ଯାଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS