ଦୟାଳୁ ମୁଖ୍ୟମନ୍ତ୍ରୀ..ବୈଷ୍ଣବଙ୍କୁ ନେଇ କି ବାଧ୍ୟବାଧକତା ରହିଛି ?
– ପ୍ରସାଦ ରାଓ –
ଜୁନ ୨୩ ତାରିଖ
୨୦୧୯ ଏପ୍ରିଲରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଆଖିରେ ଥିଲେ ଅପାରଗ ଓ ପୋଡି ଯାଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଆକ୍ଷେପ କରିବା ନବୀନ-ପ୍ରେମୀଙ୍କ ରକ୍ତରେ ନିଆଁ ଲଗାଇ ଥିଲେ । ନବୀନଙ୍କୁ ‘ଚିଟ୍ ଫଣ୍ଡ ଚୋର’ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ବାନ୍ଧି ଜେଲରେ ପୁରାଇ ଦେବ ବୋଲି ମୋଦୀ ଓ ଶାହା ଧମକ ଦେବାକୁ ପଛାଇ ନ ଥିଲେ । ଭୋଟ ସରି ପଂଚମ ଥର ପାଇଁ ବିଜେଡ଼ି ରାଜ୍ୟରେ କ୍ଷମତାସୀନ ହେବା ପରେ ବିଜେପିର ଚିତ୍ର ଓ ଚରିତ୍ର ବଦଳିଛି । ବିଜେପି ନେତାମାନେ ଆଉ ବାହାସ୍ପୋଟ ମାରୁ ନାହାନ୍ତି । ଏବେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଆଖିରେ ନବୀନ ହେଉଛନ୍ତି ଜଣେ ପାରଂଗମ ନେତା ଏବଂ ଜୀବନ୍ତ ଟ୍ରାନ୍ସଫର୍ମର । ବିଜେପିର କଟୁ ସମାଲୋଚନାକୁ କେବେ କଟୁ ଭାଷାରେ ଉତ୍ତର ଦେଇ ନ ଥିବା ଓ ନମ୍ରତାର ସହ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଥିବା ନବୀନ ପଟ୍ଟନାୟକ ବିରୋଧୀଙ୍କ ପ୍ରତି ଦୟା ମଧ୍ୟ ଦେଖାଇ ପାରନ୍ତି ତାହା ପ୍ରମାଣିତ ହୋଇଛି ଶୁକ୍ରବାର ଦିନ, ଯେତେବେଳେ ନବୀନ ପ୍ରଚଳିତ ରାଜନୈତିକ ପରଂପରାକୁ ଭଂଗ କରି ବିଜେଡ଼ି କୋଟାରେ ବିଜେପିରୁ ଜଣକୁ ରାଜ୍ୟସଭାକୁ ମନୋନୀତ କରିଥିବା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀ ଏହି ବଦାନ୍ୟତା ଦେଖାଇ ଥିବା ନିଜେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଦୟାର ପାତ୍ର ହୋଇଥିବା ଏହି ବିଜେପି ସଦସ୍ୟ ହେଉଛନ୍ତି ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସେ ବ୍ୟକ୍ତଗତ ସଚିବ ଥିଲେ । ଓଡ଼ିଶାର ବିଭିନ୍ନ ଅଂଚଳରେ ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଛନ୍ତି । ତେବେ, ଶାସକ ବିଜେଡ଼ି ନିଜ ପେଟକୁ କାଟି ଗୋଟିଏ ଆସନ ବିଜେପିକୁ ଛାଡିବା ସହ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇବାର ୪ଥାର୍ଥତା କେତେ ତାହା ରାଜ୍ୟ ବିଜେଡ଼ି ନେତାମାନେ ମଧ୍ୟ କହି ପାରୁ ନାହାନ୍ତି । ପ୍ରଶ୍ନ ହେଲେ ଉତ୍ତର ଦେଉଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ତାହା କହି ପାରିବେ । ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ଖୁସି କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କୁ ଅସନ୍ତୁଷ୍ଟ କରିବା ତାଙ୍କ ଏକଛତ୍ର ମନୋଭାବ କୁହାଯିବ ନା ରାଜ୍ୟର ସ୍ୱାର୍ଥକୁ ନେଇ ନୂଆ ଧରଣର ରାଜନୀତି କୁହାଯିବ, ତାହା ସମୟ କହିବ । କିନ୍ତୁ, ସମାଲୋଚନାର ଝଡ ବୋହିବ ଏବଂ ଅସନ୍ତୁଷ୍ଟ ବିଜେଡ଼ି ନେତାମାନେ କେବଳ ନୁହନ୍ତୁ, ବିରୋଧୀମାନେ ମଧ୍ୟ ରାଜ୍ୟରେ ବିଜେଡ଼ି-ବିଜେପି ସଂପର୍କକୁ ନେଇ ନାନାକଥା କହିବେ । ଶାହା କେନ୍ଦ୍ରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ଓଡ଼ିଶାରେ ଶାସକ ଦଳକୁ ସିବିଆଇ ଭୟ ଘାରିଛି । ତେଣୁ, ମୋଦୀ-ଶାହାଙ୍କୁ ସନ୍ତୁଷ୍ଟ କରିବା ବିଜେଡ଼ି ପାଇଁ ଅପରିହାର୍ଯ୍ୟ ହୋଇପଡିଛି ବୋଲି ମଧ୍ୟ ସମାଲୋଚନା ହେବ । କେବଳ ମୁଖ୍ୟମନ୍ତ୍ରୀ ତାହାର ଜବାବ ଦେଇ ପାରିବେ ।
୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତିନି ଜଣ ରାଜ୍ୟସଭା ସାଂସଦଙ୍କୁ ଆଣି ଓଡ଼ିଶାରେ ଦୁଇଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ କରିଥିଲେ । ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡା ବିଧାନସଭା, ପ୍ରତାପ କେଶରୀ ଦେଓ ଆଳି ବିଧାନସଭା ଓ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଛନ୍ତି । ସେମାନଙ୍କ ରାଜ୍ୟସଭା ସଭ୍ୟ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା କହିଲେ ଚଳେ । ଏହି ତିନି ଜଣ ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ଏବଂ ନିର୍ବାଚନ କମିସନ ଏହି ତିନିଟି ଆସନ ପାଇଁ ଜୁଲାଇ ମାସରେ ନିର୍ବାଚନ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ଏଭଳି ପରିସ୍ଥିତିରେ ତିନି ଜଣ ବିଜେଡ଼ି ନେତା ରାଜ୍ୟସଭାକୁ ଯିବାକୁ ମନସ୍ତ କରିବାରେ କିଛି ଅସ୍ୱାଭାବିକତା ନାହିଁ । ତିନିଟି ରାଜ୍ୟସଭା ପଦରେ ନିର୍ବାଚନ ପାଇଁ ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ପାଇ ଥିବାରୁ ବିଧାନସଭାରେ ୧୧୨ ସଭ୍ୟ ଥିବା ବିଜେଡ଼ି ଅନ୍ୟ କାହାରି ସହାୟତା ନ ନେଇ ତିନିଟି ଯାକ ଆସନରେ ଜିତିବାରେ କିଛି ଅସୁବିଧା ନଥିଲା । ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ସମୟରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଟିକଟ ନ ଦେଇ ରାଜ୍ୟସଭାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଦୁଇ ଆଶାୟୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ରାଜ୍ୟସଭାକୁ ଯିବା ଆଶା ବାନ୍ଧି ଥିବା ବେଳେ ମୁଖ୍ୟମନ୍ତ୍ରୀ ଗଲା ଶୁକ୍ରବାର ସନ୍ଧ୍ୟାରେ ପୂର୍ବତନ ଅତିରିକ୍ତ ଅଡ଼ିଟର ଜେନେରାଲ ଅମର ପଟ୍ଟନାୟକ, ବିଜେଡ଼ିର ମୁଖ୍ୟ ମୁଖପାତ୍ର ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କୁ ନେଇ କାହାରି ମନରେ ଦ୍ୱିଧା ନ ଥିଲେ ମଧ୍ୟ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ିରେ ଅଶାନ୍ତି ରହିଛି ।
ଭୁବନେଶ୍ୱର ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ଅରୁପ ପଟ୍ଟନାୟକଙ୍କ ପରାଜୟ ପାଇଁ ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ପରୋକ୍ଷରେ ପୂର୍ବ ସାଂସଦ ଡ଼.ପାଟ୍ଟଶାଣୀଙ୍କୁ ବିଜେଡ଼ି ଦାୟୀ କରୁଛି । ଏହି ଆସନ ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ୍ ଅପରାଜିତା ଷଡଙ୍ଗୀଙ୍କ ହାତକୁ ଚାଲି ଯିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖଟକା ହୋଇଛି । ଅରୁପଙ୍କ ପରାଜୟର କାରଣ ସଂପର୍କରେ ତର୍ଜମା ବେଳେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମୁଣ୍ଡରେ ମଧ୍ୟ ଖଣ୍ଡା ଛିଡିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ, ପଣ୍ଡା ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି । ଡ.ପାଟ୍ଟଶାଣୀ ମୁଖ୍ୟମନ୍ତ୍ରୀଙ୍କ କୋଧର ଶିକାର ହୋଇଛନ୍ତି । ଲୋକସଭା ଟିକଟ ନ ପାଇବାରୁ ଡ. ପାଟ୍ଟଶାଣୀ ଦଳ ପାଇଁ କାମ କଲେ ନାହିଁ ବୋଲି ଅରୁପ ଅଭିଯୋଗ କରୁଥିବା ବେଳେ ପାଟ୍ଟଶାଣୀ ଏହାକୁ ଖଣ୍ଡନ କରି ସେ ଦଳ ପାଇଁ କାମ କରିଥିବା ଦାବି କରୁଛନ୍ତି । ତାଙ୍କୁ ରାଜ୍ୟସଭାକୁ ପଠା ଯିବା ପ୍ରତିଶ୍ରୁତି ଦେଇ ଦଳ ଏବେ ସେଥିରୁ ଓହରି ଯାଇ ଥିବାରୁ ସେ ଦଃଖିତ ବୋଲି ମଧ୍ୟ ପାଟ୍ଟଶାଣୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଅପରପକ୍ଷରେ, ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସକ ଅମର ପଟ୍ଟନାୟକଙ୍କ ନାମ ପୂର୍ବରୁ ବିଜେଡ଼ି ଶିବିରରେ ଆଲୋଚନାରେ ଥିଲା । ତେଣୁ, ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ଅମରଙ୍କୁ ରାଜ୍ୟସଭାକୁ ପଠାଇବାକୁ ମନସ୍ତ କରିବାରେ କିଛି ବିଚିତ୍ରତା ନାହିଁ । ସେହିଭଳି, ଦଳର ମୁଖ୍ୟ ମୁଖପାତ୍ର ଥିବା ସସ୍ମିତ ପାତ୍ର ୨୦୧୯ ନିର୍ବାଚନ ସମୟରେ ଦଳ ତଥା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତୀକୁ ଜଗିବାରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୈନନ୍ଦିନ ଗସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଯେଭଳି ଦକ୍ଷତା ଦେଖାଇଛନ୍ତି ତାହାର ପୁରସ୍କାର ତାଙ୍କୁ ମିଳିଛି । ରାଜ୍ୟସଭା ଯିବା ପାଇଁ ସସ୍ମିତଙ୍କୁ ଚୟନ କରାଯିବ ବୋଲି କେହି ଆଶା କରି ନ ଥିଲେ । ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ଦଳରେ କେହି ପ୍ରଶ୍ନ ଉଠାଇ ନାହାନ୍ତି ।
ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେବାରୁ ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ରହିଛି । ତେବେ, ତାହା ପ୍ରକାଶ କରିବାକୁ କାହାରି ସାହାସ ନାହିଁ । ଭବିଷ୍ୟତରେ ଆଉ ତିନିଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବାରୁ ସେଥିରୁ ଗୋଟିଏ ତାଙ୍କୁ ମିଳି ପାରେ ବୋଲି ଚ୍ୟାଉ ଆଶା କରୁଛନ୍ତି । ଚ୍ୟାଉଙ୍କ କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳ ବାହାରୁ ଆସିଥିବା ନେତାଙ୍କୁ ପ୍ରାଧାନ୍ୟ ଦେଇ ତାଙ୍କ ରାଜନୈତିକ ଭବିଷ୍ୟତକୁ ଅନିଶ୍ଚିତ କରି ଦେଇଥିଲେ । ପୂର୍ବତନ କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡା ବିଜେଡ଼ିରେ ଯୋଗ ଦେଉ ଦେଉ ବ୍ରହ୍ମପୁରରୁ ବିଜେଡ଼ିର ବିଧାୟକ ପ୍ରାର୍ଥୀ ହୋଇଥିଲେ । ଚ୍ୟାଉ ଓ ତାଙ୍କ ସମର୍ଥମାନେ ଭିତିରି ଯାହା କରି ଥା’ନ୍ତୁ ନା କାହିଁକି ବାହାରକୁ ପଣ୍ଡାଙ୍କ ପାଇଁ କାମ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ, ଖାଲି ହୋଇ ଥିବା ତିନିଟି ରାଜ୍ୟସଭା ଆସନରୁ ଗୋଟିଏ ଅନ୍ତତଃ ଚ୍ୟାଉ ବାବୁଙ୍କ ଭାଗରେ ପଡିବ ବୋଲି ସମସ୍ତଙ୍କ ଆଶା ଥିଲା ।
ସବୁଠାରୁ ଦୟନୀୟ ବିଷୟ ହୋଇଛି, ବିଜେଡ଼ି ଠାରୁ ଦାନସୂତ୍ରରେ ପାଇଥିବା ତୃତୀୟ ରାଜ୍ୟସଭା ଆସକୁ ବିଜେପିକୁ ଓଡ଼ିଶା ପ୍ରତି କୌଣସି ଅବଦାନ ନ ଥିବା ଜଣେ ବ୍ୟକ୍ତିଙ୍କ ହାତରେ ଟେକି ଦେଇଛି । ଜୁନ ୨୧ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବ ଘୋଷଣା କରିଥିବା ବେଳେ ୨୨ ତାରିଖ ସକାଳେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିବା ଖବର ଆସିଛି । ଦଳରେ ନ ଥିବା ଜଣେ ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ଏତେଦୂର ଦରଦୀ ହୋଇ ପଡିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବା ଅବସରରେ ତାଙ୍କୁ ମନାଇ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇବା ବିସ୍ମୟ ନୁହେଁ ତ ଆଉ କଣ ? ଗୋଟିଏ ରାଜନୈତିକ ଦଳର ମୁଖ୍ୟ ଅନ୍ୟ ଗୋଟିଏ ରାଜନୈତିକ ଦଳର ମୁଖ୍ୟଙ୍କ ଅନୁରୋଧକ୍ରମେ ରାଜନୀତି ଭିତରେ ନ ଥିବା ଜଣେ ବ୍ୟକ୍ତିଙ୍କୁ ହଠାତ ରାଜ୍ୟସଭାକୁ ପଠାଇବାକୁ ଆଗ୍ରହ ପ୍ରକାଶ କରିବା ପଛରେ ଓଡ଼ିଶାର ସ୍ୱାର୍ଥ କମ୍, ବ୍ୟକ୍ତି ବା ଦଳୀୟ ସ୍ୱାର୍ଥ ଅଧିକ ଥିବା ମନେ ହେଉଛି । ଓଡ଼ିଶା ରାଜନୀତିରେ ଏହା ଏକ ବିରଳ ଘଟଣା ବୋଲି ମଧ୍ୟ ଅନେକ କହୁଛନ୍ତି । ବିଜେଡ଼ିରେ ଯୋଗ୍ୟତା ଓ ଦଳ ପ୍ରତି ଆନୁଗତ୍ୟ ଦୃଷ୍ଟିରୁ ନେତାଙକ ସଂଖ୍ୟ କମ୍ ନ ଥିଲା । ତୃତୀୟ ଆସନରେ ସେମାନଙ୍କ ମଧ୍ୟରୁ ଜଣେ ଥଇଥାନ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦଳର ଆସ୍ଥା ବଢିଥା’ନ୍ତା । ତାହା ନ ହୋଇ ଚାପରେ ପଡିଲା ଭଳି ବିଜେପିକୁ ସନ୍ତୁଷ୍ଟ କରିବା କାର୍ଯ୍ୟ ହୋଇଛି ।
ଏଥିସକାଶେ ମୁଖ୍ୟମନ୍ତ୍ରୀଙ୍କ ସାମନାରେ କି ବାଧ୍ୟବାଧକତା ଥିଲା ଆମେ ଜାଣି ନାହୁଁ । ଜୁନ ୨୧ ତାରିଖ ସନ୍ଧ୍ୟାରେ ନିର୍ବାଚନ ହେବାକୁ ଥିବା ରାଜ୍ୟର ତିନିଟି ରାଜ୍ୟସଭା ଆସନ ପାଇଁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଥିଲା ସମସ୍ତେ ଧରି ନେଇଥିଲେ ଅଶ୍ୱିନୀ ମଧ୍ୟ ବିଜେଡିର ରାଜ୍ୟସଭା ପ୍ରାର୍ଥୀ । ହଠାତ ବିଜେପି ତାହାର ଟ୍ୱିଟର୍ ହାଣ୍ଡେଲରେ ବୈଷ୍ଣବଙ୍କୁ ନିଜ ଦଳର ରାଜ୍ୟସଭା ପ୍ରାର୍ଥୀ ଭାବେ ଉଲ୍ଲେଖ କରିବାରୁ ଖେଳ ଧରାପଡି ଥିଲା । ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେଇ ବାସ୍ତବରେ ଅଶ୍ୱିନୀ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ ଅନୁରୋଧକ୍ରମେ ବିଜେଡ଼ି ତାଙ୍କୁ ସମର୍ଥନ ଦେଉଛି ବୋଲି କହି କଥା ଗୋଳାଇ ଥିଲେ । କଂଗ୍ରେସ ଓ ବିଜେପି ସହ ସମଦୂରତା କଥାକୁ ଭୁଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏବେ କେନ୍ଦ୍ର ଆଡକୁ ଆଉଜୁ ଥିବା କେନ୍ଦ୍ରରେ ମୋଦୀଙ୍କ ଦ୍ୱିତୀୟ ପାଳି ସରକାର ପ୍ରତିଷ୍ଠା ପରେ ଯାହା ଦେଖିବାକୁ ମିଳୁ ଥିଲା ଏବେ ତାହା ଅଧିକ ନିବିଡ ହୋଇ ସାରି ଥିବା ଅନୁଭବ କରି ହେଉଛି । ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ବିଜେଡ଼ି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଦେଇଛି । ଏବେ, ବିଜେପି ଓ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇ ‘ଦିଆ, ନିଆ ସଂପର୍କ’କୁ ସୁଦୃଢ କରିବା ଚକ୍କରରେ ରହିଛି । ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପଶ୍ଚିମ ବଂଗରେ ତୃଣମୂଳ କଂଗ୍ରେସ, ଆନ୍ଧ୍ରରେ ତେଲୁଗୁ ଦେଶମ ଦଳ ଏବଂ କର୍ଣ୍ଣାଟକରେ ଜେଡ଼ିଏସ୍- କଂଗ୍ରେସ ମିଳିତ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଯେଭଳି ଦିନ ରାତି ଏକ୍ କରି ଦେଇଛି ସେଥିରେ ବିଜେଡ଼ି ବିଚଳିତ ନୁହେଁ ତ ? ଆଜି ଆମ ମନରେ ଏଭଳି ପ୍ରଶ୍ନ ଉଂକି ମାରୁଛି । ବିଜେପି ପ୍ରତି ଅସ୍ୱାଭାବିକ ଅନୁକଂପା ଦଳରେ ଅଶାନ୍ତି ସୃଷ୍ଟି କରୁଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଏକ ନିଷ୍ପତ୍ତି ନେବା ପଛରେ ବାଧ୍ୟବାଧକତା ଥାଇ ପାରେ । ସେ ବାଧ୍ୟବାଧକତା କଣ (?) – ତାହା ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS