ଦେଶରେ ଧାର୍ମିକ ସ୍ୱାଧୀନତା ଆଜି ବିପନ୍ନ ନୁହେଁ କି ?


– ପ୍ରସାଦ ରାଓ –
ଜୁନ ୨୬ ତାରିଖ
ବିଶ୍ୱର ସର୍ବ ବୃହତ୍ ଓ ସର୍ବ ଶକ୍ତିମାନ ଗଣତନ୍ତ୍ର ଭାରତର ‘ଧର୍ମନିରପେକ୍ଷ’ ଚରିତ୍ର ନେଇ କାହାରି ସନ୍ଦେହ ନାହିଁ । ପିଲା ବେଳୁ ଆମେ ଏକଥା ଶୁଣିଛୁ ଓ ବହିରେ ମଧ୍ୟ ପଢିଛୁ । ହିନ୍ଦୁ, ଖ୍ରୀଷ୍ଟିଆନ, ମୁସମାନ, ବୌଦ୍ଧ, ଜୈନ, ଇଶାଇ ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ଆମ ସମ୍ବିଧାନ ସମାନ ସୁବିଧା ସୁଯୋଗ ଓ ଅଧିକାର ଦେଇଛି । କେବଳ ଜମ୍ମୁ-କଶ୍ମୀର ଛଡା ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମୂଳ ଭାରତୀୟ ସମ୍ବିଧାନ ସହ ବଂଧା । ତେବେ, ବିଭିନ୍ନ କାରଣରୁ ଦେଶରେ ବିଭିନ୍ନ ସମୟରେ ଧର୍ମକୁ ନେଇ ହିଂସାର ସୂତ୍ରପାତ ହୋଇଛି । ତାହା ମଧ୍ୟ ସୀମିତ ପରିସରରେ । ଦେଶରେ ଥିବା ଆଇନର ବ୍ୟବସ୍ଥା ଭିତରେ ତାହା ନିୟନ୍ତ୍ରଣ ହୋଇଛି । ଅଧିକାଂଶ କ୍ଷେତ୍ରରେ ଆଂଚଳିକ ସ୍ତରର ମତଭେଦ ବା ବିବାଦକୁ ନେଇ ଅଥବା ରାଜନୀତି ବା କିଛି ଅପରାଧୀ ତତ୍ତ୍ୱଙ୍କ ମନସ୍ତାତି୍ୱକ କାରଣକୁ ନେଇ ଏଭଳି ସଂଘାତ ଘଟୁ ଥିବା ଦେଶର ଶାସକ, ପ୍ରଶାସକମାନେ ମତ ଦେଇଛନ୍ତି । ତେବେ, ଦେଶର ବୟସ ବଢିବା ସଂଗେ ସଂଗେ ଧର୍ମ ଓ ଭାବନାକୁ ନେଇ ଭାରତୀୟ ଭାବନା ଓ ସଂପର୍କରେ ସମୀକରଣ ବଦଳୁ ଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି । ତଳସ୍ତରରେ ଧାର୍ମିକ ଭାବନା ଗୁରୁତ୍ୱ ରଖୁ ନ ଥିଲେ ମଧ୍ୟ ରାଜନୀତିରେ ଏହା ସର୍ବାଧିକ ଗୁରୁତ୍ୱ ରଖୁଥିବା ବିଗତ କିଛି ବର୍ଷ ମଧ୍ୟରେ ହୋଇଥିବା ପରିବର୍ତନରୁ ଅନୁଭବ କରି ହୁଏ । ଯେତେ ଯିଏ ମନା କଲେ ବି ଭାରତରେ ଧର୍ମକୁ ନେଇ ଦ୍ୱେଷ ବଢୁଛି ଓ ଧାର୍ମିକ ସ୍ୱାଧୀନତା ବିପନ୍ନ ହେବାରେ ଲାଗିଛି, ଯାହା କି ଆଜିର ଦିନରେ ପ୍ରତ୍ୟେକ ଭାରତୀୟଙ୍କୁ ଚିନ୍ତାରେ ପକାଉଛି ।
ଭାରତରେ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ‘ହିଂସ୍ର ହିନ୍ଦୁବାଦୀ ଗୋଷ୍ଠୀ’ଙ୍କ ଦ୍ୱାରା ଅତ୍ୟାଚାର ବଢିଛି, ଏକଥା ସଦ୍ୟ ପ୍ରକାଶିତ ୨୦୧୮ ବାର୍ଷିକ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧୀନତା ରିପୋର୍ଟରେ ଅଭିଯୋଗ କରାଯାଇଛି । ଆମେରିକା ପରରାଷ୍ଟ୍ର ବିଭାଗ ବା ଷ୍ଟେଟ୍ ଡ଼ିପାର୍ଟମେଂଟ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବିଶେଷକରି, ୨୦୧୮ ବର୍ଷରେ ବ୍ୟାପକ ଧର୍ମାନ୍ତରୀକରଣ ଅଭିଯୋଗରେ ଭାରତରେ ମୁସଲମାନ ଓ ଖ୍ରୀଷ୍ଟ ସଂପ୍ରଦାୟ ବିରୋଧରେ କିଛି ଦକ୍ଷିଣପନ୍ଥୀ ନେତା ବିଷୋଦଗାର କରିବା ସହ ଦ୍ୱେଷ ସୃଷ୍ଟିକାରୀ ଭାଷଣମାନ ଦେଇଥିବା ଏବଂ ଗୋଷ୍ଠୀଗତ ଭାବେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢି ଥିବା ଏହି ରିପୋର୍ଟରେ ଅଭିଯୋଗ ହୋଇଛି । ଅପରପକ୍ଷରେ, ଏହି ରିପୋର୍ଟ ଭାରତୀୟ ବିଚାର ବ୍ୟବସ୍ଥା ବା ଜୁଡ଼ିସିଆରୀକୁ ପ୍ରଶଂସା କରିଛି । ଭାରତରେ ଧର୍ମନିରପେକ୍ଷତା ବା ଧାର୍ମିକ ସ୍ୱାଧୀନତାରେ ଅଧୋଗତି ଘଟି ଚାଲି ଥିବା ବେଳେ କିଛି କ୍ଷେତ୍ରରେ ଏହି ଅରାଜକତା ସଂପର୍କରେ ଆଲୋକପାତ କରିବାରେ ଭାରତୀୟ ବିଚାର ବ୍ୟବସ୍ଥା ସକ୍ଷମ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଥିବା ଜଣାପଡିଛି । ଜୁନ ୨୧ ତାରିଖରେ ପ୍ରକାଶିତ ଏହି ରିପୋର୍ଟକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ଏମଇଏମ ପକ୍ଷରୁ ଆମେରିକା ପରରାଷ୍ଟ୍ର ବିଭାଗର ରିପୋର୍ଟକୁ ଦୃଢତାର ସହ ଖଣ୍ଡନ କରାଯିବା ସହ ଏମଇଏ ମୁଖପାତ୍ର ରବିଶ କୁମାର ବିବୃତି ଦେଇ ଗୋଟିଏ ରାଷ୍ଟ୍ରର ଜନସାଧାରଣ ଉପଭୋଗ କରୁଥିବା ସାମ୍ବିଧାନିକ ଅଧିକାରକୁ ନେଇ ଅନ୍ୟ ଏକ ବୃହତ୍ ଶକ୍ତି ବା ରାଷ୍ଟ୍ର ଏଭଳି ମତବ୍ୟକ୍ତ କରିବା ଅଯଥାର୍ଥତା ବୋଲି କହିଛନ୍ତି । ଭାରତ ତାହାର ଧର୍ମନିରପେକ୍ଷ ଚରିତ୍ର, ଏକ ବୃହତ୍ ଗଣତନ୍ତ୍ର ଭାବେ ତାହାର ପରିଚୟ ଏବଂ ବିଭିନ୍ନ ଧର୍ମ ଓ ଭାଷାଭାଷୀଙ୍କ ମଧ୍ୟରେ ସହନଶୀଳତା ପ୍ରତି ଅଂଗୀକାରବଦ୍ଧତାକୁ ନେଇ ଭାରତ ଗର୍ବିତ ବୋଲି ମଧ୍ୟ ସେ ସୂଚାଇଛନ୍ତି ।
ଏମଇଏର ଏହି ପ୍ରତିକ୍ରିୟା ଦେଶର ଧର୍ମନିରପେକ୍ଷତା ଓ ଧାର୍ମିକ ସ୍ୱାଧୀନତାକୁ ନେଇ ବିଦେଶୀ ରାଷ୍ଟ୍ରଙ୍କ ଆକ୍ଷେପର ସମୟୋଚିତ ଜବାବ କହିବା ଭୁଲ ହେବ ନାହିଁ । କାରଣ, ଭାରତରେ ଯାହା ବି ଘଟୁଛି ତାହା ତା’ର ଆଭ୍ୟନ୍ତରୀଣ ବ୍ୟାପାର । ସେଥିରେ କୌଣସି ବିଦେଶୀ ଶକ୍ତି ହସ୍ତକ୍ଷେପ କରିବା କିମ୍ବା ଟିପ୍ପଣୀ ଦେବାର ଅଧିକାର ରଖୁ ନାହିଁ । ରବିଶ୍ କୁମାର ଆମେରିକା ପରରାଷ୍ଟ୍ର ବିଭାଗର ୨୦୧୮ ବାର୍ଷିକ ରିପୋର୍ଟରେ ଉପସ୍ଥାପିତ ତଥ୍ୟକୁ ଖଣ୍ଡନ କରି ଦେଶରେ ବହୁମତରେ ପ୍ରତିଷ୍ଠିତ ସରକାରର ଗାରିମା ରକ୍ଷା କରିବା ଦାୟିତ୍ୱ ତୁଲାଇଛନ୍ତି । ଆମେରିକା ପରରାଷ୍ଟ୍ର ବିଭାଗକୁ ଭାରତ ଏଭଳି ଭାବେ ତାଗିଦ କରିବା ମଧ୍ୟ ଉଚିତ ଥିଲା । ତେବେ, ଆମେରିକା ପରରାଷ୍ଟ୍ର ବିଭାଗ ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟ ଯେ ସଂପୂର୍ଣ୍ଣ ଅସତ୍ୟ, ଏହା ଜଣେ ଭାରତୀୟ ଛାତିରେ ହାତ ରଖି କହି ପାରିବ କି ? ଦେଶରେ କଣ ଧର୍ମନିରପେକ୍ଷତା ଓ ଧାର୍ମିକ ସ୍ୱାଧୀନତାକୁ ନେଇ ସମ୍ବିଧାନ ପ୍ରଦତ୍ତ ସୁରକ୍ଷା ଅତୁଟ ରହିଛି କି? ଏଭଳି ପ୍ରଶ୍ନ କରା ଗଲେ ତାହା ‘ଦେଶ ବିରୋଧୀ’ କହି ଟାଳି ଦିଆଯାଇପାରେ ବା ଆଇପିସିରେ ଥିବା ‘ଦେଶଦ୍ରୋହ’ ଦଫାରେ ଛନ୍ଦି ଦିଆଯାଇପାରେ । କିନ୍ତୁ, ବାସ୍ତବତା ଯାହା, ଆଜିର ରାଜନୀତି ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ଗ୍ରାସ କରିବା ସହ ଦେଶକୁ ସମାନ୍ତରାଳ ଭାବେ ହିନ୍ଦୁ ଓ ଅଣ ହିନ୍ଦୁ ମଧ୍ୟରେ ବାଂଟି ଦେଇ ଥିବା ବିଗତ କିଛି ବର୍ଷର ଅଭିଜ୍ଞତାରୁ ରୋକଠୋକ କହି ହେବ । କିନ୍ତୁ, ଏଥିପାଇଁ ଆମେ କେବଳ ହିନ୍ଦୁବାଦୀ ଦଳଙ୍କୁ ଦୋଷ ଦେଇ ପାରିବା ନାହିଁ । ବିଗତ ଦିନର ତଥାକଥିତ ଧର୍ମନିରପେକ୍ଷ ସରକାର ଓ ରାଜନୈତିକ ଦଳମାନେ ମଧ୍ୟ ଏଥିପାଇଁ ସମାନ ଭାବେ ଦାୟୀ । ସେମାନେ ମଧ୍ୟ ବର୍ଷ ବର୍ଷ ଧରି ହିନ୍ଦୁ ଓ ଅଣହିନ୍ଦୁଙ୍କୁ ନେଇ ବିଭାଜନକାରୀ ରାଜନୀତି କରିଛନ୍ତି । ଦେଶରେ ହିନ୍ଦୁଙ୍କ ଅପେକ୍ଷା ଅଣହିନ୍ଦୁ ଅଧିକ ସୁରକ୍ଷିତ ଏବଂ ଅଧିକ ସୁବିଧାଜନକ ସ୍ଥିତିରେ, ଏଭଳି ଧାରଣା ସାଧାରଣ ଲୋକଙ୍କ ଭିତରେ ସୃଷ୍ଟି ହୋଇସାରିଛି । ଏହା ବିରୋଧରେ ସୃଷ୍ଟି ଜନଅସନ୍ତୋଷ ବର୍ଷ ବର୍ଷ ଧରି ଅଂକୁରିତ ହୋଇ ବିଷ ବୃକ୍ଷ ପାଲଟିଛି, ଯାହାକି ଆଜି ହିନ୍ଦୁତ୍ୱ ବା ହିନ୍ଦୁବାଦକୁ ବଳଶାଳୀ କରିଛି ।
ଦିନ ଥିଲା ଦେଶରେ ହିନ୍ଦୁତ୍ୱ ରାଜନୀତି ଦାନା ଧରୁ ନଥିଲା । ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ଡ଼. ମୁରଲୀ ମନୋହର ଯୋଶୀ, ଯଶବନ୍ତ ସିଂହ, ଯଶବନ୍ତ ସିହ୍ନାଙ୍କ ଭଳି ନେତାମାନେ ରାଜନୈତିକ ଜୀବନର ଅଧିକାଂଶ ସମୟ ସଂସଦରେ ବିରୋଧୀ ଭୂମିକାରେ କଟାଇଛନ୍ତି । ୫୪୫ ଆସନ ବିଶିଷ୍ଟ ଭାରତୀୟ ସଂସଦରେ ବିଜେପି ମାତ୍ର ଦୁଇଟି ଆସନ ପାଇ ସମାଲୋଚିତ ହୋଇଛି । ତଥାପି ଦଳ ତାହାର ଗାମ୍ଭୀର୍ଯ୍ୟକୁ ତ୍ୟାଗ ଦେଇ ନାହିଁ । ରାମ ଜନ୍ମଭୂମୀ-ବାବରୀ ମସଜିଦ୍ ବିବାଦ ଠାରୁ ଆରମ୍ଭ କରି ଆଡଭାନୀଙ୍କ ରାଜନୈତିକ ରଥଯାତ୍ରା ପର୍ଯ୍ୟନ୍ତ ବହୁ କସରତ ପରେ ଦେଶରେ ହିନ୍ଦୁତ୍ୱ ଦାନା ବାନ୍ଧି କ୍ଷମତାର ସ୍ୱାଦ ଚାଖି ଥିଲା । ଆଜି ସେହି ହିନ୍ଦୁତ୍ୱ ଚାରା ବରଗଛ ସଦୃଶ ଠିଆ ହେବା ପଛରେ ରହିଛି ଦେଶରେ କଂଗ୍ରେସ ଶାସନ ଅମଳରେ ହୋଇଥିବା ସଂଖ୍ୟାଲଘୁ ତୁଷ୍ଟୀକରଣ କାର୍ଯ୍ୟ । ଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଭଳି ସୁବିଧା ସୁଯୋଗ ନ ପାଇ ନିରାଶ ହୋଇଥିବା ବେଳେ ଅଣହିନ୍ଦୁ ଅବାଧ ସୁବିଧା ସୁଯୋଗ ପାଇ ନିଜର ବିସ୍ତାର କରିଛନ୍ତି । ସେମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଭିନ୍ନ ପ୍ରକାର ସଂରକ୍ଷଣ ବ୍ୟବସ୍ଥା ହିନ୍ଦୁ ବା ଉଚ୍ଚ ଜାତିର ସବୁ ସୁଖ, ସୁବିଧା ଛଡାଇ ନେଇଛି । ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ସକାଶେ ଅତୀତର କଂଗ୍ରେସ ସରକାର ଯେଭଳି ସଂଖ୍ୟାଲଘୁଙ୍କ କୋଳରେ ସମସ୍ତ ସୁଖ ସୁବିଧା ଅଜାଡିଛନ୍ତି ଏବଂ ହିନ୍ଦୁ ବା ଉଚ୍ଚ ଜାତିଙ୍କୁ ହତାଦାର କରିଛନ୍ତି ତାହା ଆଜି ହିନ୍ଦୁତ୍ୱ ଆଜେଣ୍ଡାକୁ ବଳିଷ୍ଠ କରିଛି । ଆଜି ସୁଦ୍ଧା କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟୀକରଣରୁ ଉଦ୍ଧ୍ୱର୍କୁ ଉଠି ପାରି ନାହିଁ । ଅନ୍ୟ ରାଜନୈତିକ ଦଳ ମଧ୍ୟ କଂଗ୍ରେସର ପଦାଙ୍କ ଅନୁସରଣ କରି ଧାର୍ମିକ ରାଜନୀତି ଓ ଜାତିଆଣ ରାଜନୀତିର ମୂଳଦୂଆ ସୁଦୃଢ କରିଛନ୍ତି ।
ଜାତି, ଧର୍ମ ଓ ସଂପ୍ରଦାୟ ଭିତ୍ତିରେ ଭାରତୀୟ ରାଜନୀତି ଆଜି ଏତେଦୂର ବାଂଟି ହୋଇଯାଇଛି ଯେ ରାଜନୈତିକ ଦଳମାନେ ଭୋଟ ପାଇବା ସକାଶେ ସବୁ କ୍ଷେତ୍ରରେ ଓ ସ୍ତରରେ ଏହି ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବୀ ଉଠାଇ ସଂସଦକୁ ଅଚଳ କରିବାକୁ ପଛାଇ ନାହାନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ପ୍ରଶଂସିତ ଯେ ନ୍ୟାୟାଳୟ ରାଜନୈତିକ ଚାପରୁ ଉଦ୍ଧ୍ୱର୍ରେ ରହି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦାବିକୁ ଅଗ୍ରାହ୍ୟ କରି ଆସିଛି । ଏହାଦ୍ୱାରା ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ଓ ଉଚ୍ଚ ଜାତିର ଲୋକମାନେ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି । ତଥାପି ଦେଶରେ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି ଶକ୍ତିମାନ ହୋଇ ରହିଛି । ଉଚ୍ଚ ଜାତିର ଯୁବକ, ଯୁବତୀ ନିଜର ହକ୍ କୁ ନେଇ ଚିନ୍ତାରେ । ଦେଶରେ କ୍ଷମତାସୀନ ଦଳଙ୍କ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି ଉଚ୍ଚ ଜାତିର ଯୁବକ, ଯୁବତୀଙ୍କ ମଧ୍ୟରେ ଅସୁରକ୍ଷା ଭାବ ଏତେମାତ୍ରାରେ ବଢାଇ ଦେଇଛି ଯେ ଏହା ବିରୋଧରେ ସଂଗଠିତ ଆନ୍ଦୋଳନ ମୁଣ୍ଡ ଟେକିଲାଣି । ୨୦୧୮ରେ ଦେଶରେ ବିଭିନ୍ନ ପ୍ରକାର ସଂରକ୍ଷଣ ଦାବୀ ନେଇ ସଂଖ୍ୟାଲଘୁଙ୍କ ‘ଭାରତ ବନ୍ଦ’ ପାଳନ ପରେ ଉଚ୍ଚ ବର୍ଣ୍ଣର ସଂଗଠନମାନେ ତାହା ବିରୋଧରେ ‘ଭାରତ ବନ୍ଦ’ ଡ଼ାକରା ଦେଇ ସଫଳ ହେବା ଏହାର ଏକ ଜ୍ୱଳନ୍ତ ଉଦାହରଣ ।
ତୁଷ୍ଟୀକରଣ ରାଜନୀତିରେ ଶାସକ ବିଜେପି ପୂର୍ବ କଂଗ୍ରେସ ସରକାର ତୁଳନାରେ କୌଣସି ଗୁଣରେ କମ୍ ମନେ ହେଉ ନାହିଁ । ତଥାପି, ନୂଆପୀଢିର ଭୋଟର ‘ହିନ୍ଦୁତ୍ୱ’ ଆଡକୁ ସ୍ୱତଃ ଆକର୍ଷିତ ହୋଇ ୨୦୧୯ ନିର୍ବାଚନରେ ଏହି ଦକ୍ଷିଣପନ୍ଥୀ ଦଳକୁ ଖୋଲା ମନରେ ଭୋଟ ଦେଇଛନ୍ତି । ୨୦୧୪ ନିର୍ବାଚନରୁ ଦେଶରେ କଂଗ୍ରେସ ଏବଂ ଜାତିଆଣ ରାଜନୀତି କବର ନେଇ ଥିବା ବେଳେ ବିଜେପି ଓ ତାହାର ସହଯୋଗୀ ଦଳମାନେ ଶକ୍ତିଶାଳୀ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଏକାକ ବିଜୟ (ସଂସଦରେ ୩୦୩ ଆସନ) ସଂଖ୍ୟାଲଘୁ ଓ ଜାତିବାଦୀ ରାଜନୀତି ବିରୋଧରେ ଜନମତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭୋଟରଙ୍କ ମାଡରେ ଅଣ-ହିନ୍ଦୁ ରାଜନୀତିର ସୂତ୍ରଧରମାନେ ସିକୁଡ଼ି ଯାଇଛନ୍ତି । ନିର୍ବାଚନ ପୂର୍ବ ସମସ୍ତ ବୁଝାମଣାରୁ ସେମାନେ ଓହରି ଯାଇ ନିଜକୁ ପୁନଃ ସଂଗଠିତ କରିବାକୁ ବାଧ୍ୟ ହେଉଛନ୍ତି । ଏବେ ‘ହିନ୍ଦୁତ୍ୱ’ ଏତେଦୂର ଶକ୍ତିଶାଳୀ ହୋଇଛି ଯେ ସଂସଦରେ ତାହାର ପ୍ରଭାବ ଅନୁଭବ ହେଲାଣି । ଶାସକ ଦଳ ଓ ତାହାର ସହଯୋଗୀ ସାଂସଦମାନେ ନିକଟରେ ସଂସଦରେ ଶପଥ ଗ୍ରହଣ କରିବା ସମୟରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ନିଜର ପ୍ରତିପତ୍ତି ଜାହିର କରିବା ଏବଂ କିଛି ବିରୋଧୀ ସାଂସଦ ତାହାର ମୁକାବିଲା କରିବା ସକାଶେ ‘ଆଲ୍ଲାହୁ ଆକବର’ ସ୍ଲୋଗାନ ଦେବା ଦେଶର ରାଜନୀତି ସମାନ୍ତରାଳ ଭାବେ ବିଭାଜିତ ହୋଇ ସାରିଥିବା ସୂଚନା ଦେଇଛି । ସାଂସଦମାନଙ୍କୁ ଶପଥ ପାଠ କରାଇ ଥିଲେ ପ୍ରେଟେମ୍ ସ୍ପିକର୍ ବିରେନ୍ଦ୍ର କୁମାର । ସେ ମଧ୍ୟ ତାଙ୍କ ଭାଷଣ ‘ବନେ୍ଦ ମାତରମ୍’ରେ ସାରିବା ହେଉଛି ଉଲ୍ଲେଖନୀୟ । ‘ଜୟ ଶ୍ରୀରାମ’ ବା ‘ଆଲ୍ଲାହୁ ଆକବର’ ସ୍ଲୋଗାନ ଆଇନ ବିରୋଧୀ ନୁହେଁ । କିନ୍ତୁ, ୨୦୧୯ରେ ନବ ନିର୍ବାଚିତ ସାଂସଦଙ୍କୁ ନେଇ ଆରମ୍ଭ ହୋଇଥିବା ଷୋଡଷତମ ଲୋକସଭା ଏଭଳି ସ୍ଲୋଗାନରୁ କାର୍ଯ୍ୟଦିବସ ଆରମ୍ଭ କରିବା ଏବଂ ସ୍ଲୋଗାନ ଦେଉଥିବା ସାଂସଦଙ୍କୁ ରୋକିବାର ଉପକ୍ରମ ନ ହୋଇ ଉତ୍ସାହିତ କରାଯିବା ଆଗାମୀ ଦିନର ରାଜନୀତିକୁ ସ୍ପଷ୍ଟ କରୁଛି । ଶାସକ ଦଳର ସାଂସଦମାନେ ଶପଥ ପାଠ ସାରି ‘ଜୟ ଶ୍ରୀରାମ’ ସ୍ଲୋଗନରେ ଗୃହକୁ ପ୍ରକଂପିତ କରୁଥିବା ବେଳେ ଗୃହରେ ଉପସ୍ଥିତ ଥିବା ଶାସକ ଦଳ ସାଂସଦଙ୍କ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଗିଦ କରିବା ବଦଳରେ ମୁରୁକିହସା ମାରିବା ଦେଶର ରାଜନୈତିକ ବିଶ୍ଲେଷକମାନଙ୍କୁ ଆଚମ୍ବିତ କରିଛି ।
ଆଜିର ଦିନରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ପଶ୍ଚିମ ବଂଗରେ ହିନ୍ଦୁବାଦ-ରାଜନୀତିର ଏକ ସ୍ୱୀକୃତ ରାଜନୈତିକ କୌଶଳରେ ପରିଣତ ହେଲାଣି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବା ବିଜେପି ନେତା ଓ ସମର୍ଥକମାନେ ତାଙ୍କୁ ଚିଡାଇବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଯିବା ଆସିବା ବାଟରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଛନ୍ତି । ମମତାଙ୍କ ତୃଣମୂଳ କଂଗ୍ରେସ ପାର୍ଟି ଏହାର ମୁକାବିଲା କରିବାକୁ ଯାଇ ‘ଜୟ ମା’ କାଳୀ’ ଓ ‘ଜୟ ବାଂଗଲା’ ସ୍ଲୋଗାନ ଆପଣାଇଛି । ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବା ବିଜେପି ନେତା ଓ କର୍ମୀଙ୍କୁ ମମତା ସରକାର ଗିରଫ କରୁଥିବା ଦେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବର୍ତମାନର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେ ନିଜେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉ ଥିବାରୁ ସତ୍ ସାହସ ଥିଲେ ତାଙ୍କୁ ଗିରଫ କରାଯାଉ ବୋଲି ମମତାଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀଙ୍କୁ ଏକାଭଳି ଆହ୍ୱାନ ଦେଇ ଏହି ସ୍ଲୋଗାନକୁ ମାନ୍ୟତା ଦେଇଛନ୍ତି । ‘ଜୟ ଶ୍ରୀରାମ’ସ୍ଲୋଗାନକୁ ନେଇ ଆଜି ପଶ୍ଚିମ ବଂଗରେ ଏଭଳି ପରିସ୍ଥିତି ହୋଇଛି ଯେ, ରାଜ୍ୟ ପୁଲିସ ଅଧିକାରୀମାନେ ନିଜ ଚାକିରି ବଂଚାଇବା ପାଇଁ ଏଭଳି ସ୍ଲୋଗାନ ହେବା ସମ୍ଭାବନା ବା ଆଶଙ୍କା ଥିବା ଅଂଚଳରୁ ଆଗୁଆ ତଥ୍ୟ ସଂଗ୍ରହ କରିବାକୁ ନିଜର ଗୁଇନ୍ଦା ବାହିନୀକୁ ନିୟୋଜିତ କରିଛନ୍ତି । ପଶ୍ଚିମ ବଂଗରେ ବିଜେପି ଓ ଟିଏମସି ମଧ୍ୟରେ ଦିନ୍ଦୁ ଓ ଅଣ ହିନ୍ଦୁଙ୍କୁ ନେଇ ଯେଭଳି ପ୍ରତିଯୋଗୀତାମୂଳକ ରାଜନୀତି ଚାଲିଛି ଓ ରାଜ୍ୟରେ ପ୍ରତି ଦିନ କେଉଁଠି ନା କେଉଁଠି ହିଂସାକାଣ୍ଡ ଘଟି ମୃତାହତ ହେବାର ଖବର ଆସୁଛି ସେଥିରୁ ଧର୍ମକୁ ନେଇ ଦେଶର ରାଜନୀତି କେତେଦୂର କଳୁଷିତ ହେଲାଣି ତାହା ଅନୁମାନ କରି ହେବ । ତେଣୁ, ଯିଏ ଯାହା କହୁ ନା କାହିଁକି ଦେଶରେ ଆଜି ଧର୍ମନିରପେକ୍ଷତା ଓ ଧାର୍ମିକ ସ୍ୱାଧୀନତା ଯେ ବିପନ୍ନ ଏହା ନିଃସନ୍ଦେହରେ କୁହାଯାଇପାରିବ । ଆମେରିକା ପରରାଷ୍ଟ୍ର ବିଭାଗର ରିପୋର୍ଟକୁ ଖଣ୍ଡନ କରିବା ଭାରତ ସରକାର ଏକ ଔପଚାରିକତା । ତାହା ଏମଇଏ କରିଛି । କିନ୍ତୁ, ବାସ୍ତବତା କଣ ପ୍ରତ୍ୟେକ ଭାରତୀୟ ବୁଝୁଛନ୍ତି । ତାହାକୁ ଖଣ୍ଡନ କରିବା ସରକାରଙ୍କ ସାଧ୍ୟ ବାହାରେ । କ୍ଷମତାରେ ରହିବା ପାଇଁ ହେଉ ବା କ୍ଷମତାକୁ ଫେରିବା ପାଇଁ ହେଉ ଦେଶର ରାଜନୈତିକ ଦଳମାନେ ସମ୍ବିଧାନ ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଦଳିମକଚି ଦେଲେ ଯେଉଁ ନୂଆ ସଂକଟ ସୃଷ୍ଟି ହେବ ଆସିବ ତାହାର ମୁକାବିଲା କରିବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ବି କାମ ଦେବ ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS