ରାହୁଲଙ୍କ ଇସ୍ତଫା କଂଗ୍ରେସ ପାଇଁ ଲାଭ ନା କ୍ଷତି ?
– ପ୍ରସାଦ ରାଓ –
ଜୁଲାଇ ୦୪ ତାରିଖ
ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ନେଇ ଏକ ନୂଆ ବିତର୍କର ସୂତ୍ରପାତ ହୋଇଛି । ଏହି ଇସ୍ତଫା କଂଗ୍ରେସ ପାଇଁ କେତେ ଲାଭ ବା କେତେ କ୍ଷତି – ସେ ନେଇ ବିତର୍କ ହେଉଛି । ୨୦୧୯ ଏପ୍ରିଲ-ମେ ଲୋକସଭା ନିର୍ବାଚନ ପଳାଫଳ ପ୍ରକାଶ ପାଇବା ପରେ ମେ’୨୫ରେ ଅନୁଷ୍ଠିତ କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣୀରେ ରାହୁଲ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ତେବେ, ଦଳର ଜାତୀୟ କାର୍ଯ୍ୟକାରୀଣୀ ତାଙ୍କ ଇସ୍ତଫାକୁ ଗ୍ରହଣ ନ କରି ତାହା ପ୍ରତ୍ୟାହାର କରାଯିବାକୁ ଚାପ ପକାଇ ସମସ୍ତଙ୍କୁ ଝୁଲାଇ ରଖି ଥିଲା । ଦଳର ବହୁ ବରିଷ୍ଠ ଓ କନିଷ୍ଠ ନେତାଙ୍କ ସମେତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାହୁଲଙ୍କୁ ଇସ୍ତଫା ଫେରାଇ ନେବାକୁ ପ୍ରବର୍ତାଇବାରେ ବିଫଳ ହେବା ପରେ ଗାନ୍ଧୀ ପରିବାର ବାହାରୁ ଜଣକୁ ମଧ୍ୟବର୍ତୀକାଳୀନ ସଭାପତି କରିବା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାହୁଲ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସକାଶେ ବୁଧବାର (ଜୁନ ୩ ତାରିଖ) ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସ୍ଥିତିକୁ ଅଧିକ ସ୍ପଷ୍ଟ କରିଛନ୍ତି । ସେ ଦଳରେ ଆଉ ସଭାପତି ହୋଇ ନାହାନ୍ତି, ଜଣେ ସାଧାରଣ କର୍ମୀ ରହିଛନ୍ତି ବୋଲି ରାହୁଲ ଗାନ୍ଧୀ ସୂଚନା ଦେବା ସହ ନିଜ ଇସ୍ତଫା ନିଷ୍ପତ୍ତିରେ କାଏମ ଥିବା ସୂଚାଇଛନ୍ତି । ଦଳର ଜାତୀୟ କାର୍ଯ୍ୟକାରୀଣୀ ନିଜ ଆଡୁ ଜଣେ ସଭାପତିଙ୍କୁ ମନୋନୀତ କରି ଦଳକୁ ଆଗେଇ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟି କରି ରାହୁଲ ଗାନ୍ଧୀ ଦଳର ସଭାପତି ପଦରୁ ଇସ୍ତଫା ଦେବା କଂଗ୍ରେସ ଇତିହାସରେ ଏକ ବିରଳ ଘଟଣା କୁହାଯାଇପାରେ । କାରଣ, ଅତୀତରେ ଏଭଳି ପରିସ୍ଥିତିରେ ଦଳର ସଭାପତିମାନେ ଇସ୍ତଫା ନ ଦେଇ କ୍ଷମତାକୁ ଜାବୁଡ଼ି ଧରିବା ସକାଶେ ଅସତ୍ ଉପାୟର ଆଶ୍ରୟ ନେଇ ଥିବାର ନଜିର ରହିଛି । ରାହୁଲ ପରାଜୟ ପାଇଁ ନିଜକୁ ଦାୟି କରି ଯେଭଳି ଭାବେ କଂଗ୍ରେସ ନେତୃତ୍ୱରୁ ଓହରି ଗଲେ ତାହା ଅନ୍ୟମାନଙ୍କ ଦୃଷ୍ଟିରେ ଯାହା ହୋଇ ଥାଉନା କାହିଁକି ଦଳର ଯୁବ ପୀଢି ପାଇଁ ଏହା ଏକ ଉଦାହରଣ ହେବାକୁ ଯାଉଛି । ପୁରୁଣା ପୀଢି ନେତା ଏଥିରେ ବିଚଳିତ ନ ହୋଇ ଚେତିବାର ଆବଶ୍ୟକତା ରହିଛି । ଏକଥା କହିବାର ଉଦେ୍ଦଶ୍ୟ ହେଉଛି, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ରାହୁଲ ଏକାକୀ ଦାୟୀ ନ ଥିଲେ, ଦଳର ଉଭୟ ପୁରୁଖା ଓ ଯୁବ ନେତାମାନେ ସମାନ ଭାବେ ଦାୟି ଥିଲେ । ରାହୁଲ ଏଆଇସିସି ସଭାପତିର ଶିରିପା ପିନ୍ଧି ଥିବାରୁ ତାଭ୍କ ମୁଣ୍ଡରେ ପରାଜୟର ଖଣ୍ଡା ଛିଣ୍ଡିଛି । ନିର୍ବାଚନରେ ଶକ୍ତିଶାଳୀ ବିଜେପି ନେତାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ସେ ଏକାକୀ ଲଢୁଥିବା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳି ଥିଲା । ଦଳର ତୁଂଗ ନେତାମାନେ ନିଜର ଓ ପରିବାରର ଥଇଥାନରେ ବ୍ୟସ୍ତ ରହି ଦଳକୁ ଗୁରୁତ୍ୱ ଦେଇ ନ ଥିବା ବେଳେ ରାହୁଲ ‘ଏକାକୀ ଅଭିମନ୍ୟୁ’ ସାଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଚକ୍ରବ୍ୟୁହ ଭେଦ ଉଦ୍ୟମ କରିଥିଲେ ସିନା ଅଧା ବାଟରେ ବାଟବଣା ହୋଇ ଗଲେ ସିନା ଭିତରୁ ବାହାରି ପାରିଲେ ନାହିଁ । ବିଜେପିର ପ୍ରଭାବଶାଳୀ ପ୍ରଚାରର ମୁକାବିଲା କରିବା ପାଇଁ ରାହୁଲ ଶେଷ ପର୍ଯ୍ୟନ୍ତ ମଇଦାନରେ ପରାଜୟ ମୁଣ୍ଡାଇ ଥିଲେ । ‘ରାଫେଲ୍’ ପ୍ରସଙ୍ଗ ଉଠାଇ ସେ କେନ୍ଦ୍ର ସରକାରଙ୍କୁ ଘେରୁ ଥିବା ବେଳେ ଦଳର କୌଣସି ପୁରୁଖା ନେତା ତାଙ୍କୁ ଉତ୍ସାହିତ କରିବାକୁ ଆଗେଇ ଆସି ନଥିଲେ ବୋଲି ନିଜେ ରାହୁଲ ଅଭିଯୋଗ କରିଛନ୍ତି । ବିଜେପି ପ୍ରଚାର କୌଶଳ ନିକଟରେ କଂଗ୍ରେସ ରଣନୀତି ନିଷ୍ପ୍ରଭ ରହିବା ରାହୁଲଙ୍କ ଅଭିଯୋଗକୁ ପୃଷ୍ଟି କରୁଛି ।
ମେ ୨୫ ତାରିଖ କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀରେ ଦଳର ସଭାପତି ଭାବେ ଆସୀନ ଥିବା ରାହୁଲ ଗାନ୍ଧୀ ତାଙ୍କରି ଦୂର ତୁଂଗ ନେତା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାମ ନେଇ ଖୋଲାଖୋଲି ଅଭିଯୋଗ କରିବା ଏବଂ ଦଳର ପରାଜୟ ପାଇଁ ସେମାନଙ୍କୁ ଦାୟି କରିବା ଏକ ବିରଳ ଘଟଣା । ବରିଷ୍ଠ ନେତାଙ୍କ ମଧ୍ୟରୁ କେହି ପରାଜୟକୁ ମୁଣ୍ଡାଉ ନ ଥିବାରୁ ସେ ନିଜକୁ ଦାୟି କରି ଦଳର ସଭାପତି ପଦରୁ ଇସ୍ତଫା ଦେଉଛନ୍ତି ବୋଲି ରାହୁଲ କହି ଥିଲେ । ଜାତୀୟ କାର୍ଯ୍ୟକାରୀଣୀରେ ଥିବା ନେତାମାନେ ରାହୁଲଙ୍କୁ ଏଆଇସିସି ସଭାପତି ପଦରୁ ଇସ୍ତଫା ନ ଦେବାକୁ ପ୍ରବର୍ତାଇ ଥିଲେ ସିନା ଦଳକୁ ପୁନର୍ଗଠନ କରିବା ସକାଶେ ସେମାନେ ବି ଇସ୍ତଫା ଦେଉଛନ୍ତି ବୋଲି ଦଳର କୌଣସି ବରିଷ୍ଠ ନେତା ଘୋଷଣା କରି ନ ଥିଲେ । ଏଭଳି ଦାୟିତ୍ୱହୀନତା ବୋଧହୁଏ ରାହୁଲଙ୍କୁ ବିଚଳିତ କରିଛି । ତେଣୁ, ସେ ନିଜ ଜିଦ୍ ରେ ଅଟଳ ରହି ଶେଷରେ ବୁଧବାର ଦିନ ତାଙ୍କ ସ୍ଥିତିକୁ ଅଧିକ ସ୍ପଷ୍ଟ କରିଛନ୍ତି । ସେ ଦଳର ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି, ଦଳ ର ଜାତୀୟ କାର୍ଯ୍ୟକାରୀଣୀ ଏବେ ତାଙ୍କ ପରିବାର ବାହାରୁ କାହାରିକୁ ସଭାପତି ବାଛୁ – ଏକଥା କହି ରାହୁଲ ଦଳର ପୁନର୍ଗଠନ ବାଟକୁ ଖୋଲା ଛାଡିଛନ୍ତି । ଏଥି ସକାଶେ କଠୋର ନିଷ୍ପତ୍ତି ନିଆଯିବା ଏବଂ ନିର୍ବାଚନ ପରାଜୟ ପାଇଁ ଦାୟି ନେତାଙ୍କୁ ଉତ୍ତରଦାୟୀ କରାଯିବା ସପକ୍ଷରେ ମତଦେଇ ରାହୁଲ ଟ୍ୱିଟ୍ ମାଧ୍ୟମରେ ନିଜର କ୍ଷୋଭ ଜାହିର କରିଛନ୍ତି । ରାହୁଲଙ୍କ ଏଭଳି ସ୍ପଷ୍ଟ ମତ ତାଙ୍କୁ ଦୁର୍ବଳତା କୁହା ନ ଯାଇ ପୁରୁଣା ପୀଢି ନେତାଙ୍କ ପାଇଁ ଏକ ଆହ୍ୱାନ କୁହାଯିବା ଉଚିତ ହେବ ।
ରାହୁଲଙ୍କ ମତିଗତିକୁ ନେଇ ଦଳର ବୟୋଜ୍ୟେଷ୍ଠ ନେତାମାନେ ବିଚଳିତ ହେବା ସ୍ୱାଭାବିକ । କାରଣ, ଦଳ ନେହେରୁ-ଗାନ୍ଧୀ ପରିବାରକୁ ବାଦ୍ ଦେଇ ନିଜର ଅସ୍ତିତ୍ୱକୁ ନେଇ ସନ୍ଦେହରେ । ରାହୁଲ ସଭାପତି ପଦରୁ ହଟି ଗଲେ ଦଳ ଭାଗ ଭାଗ ହୋଇ ଯିବା ଆଶଙ୍କା ରହିଛି । ଏକଥା ଦଳର ଅନେକ ନେତା ସ୍ୱୀକାର କଲେଣି । ରାହୁଲଙ୍କ ସ୍ଥାନରେ ଗାନ୍ଧୀ ପରିବାରର ଅନ୍ୟ କେହି ସଦସ୍ୟ ଯଦି ଦଳର ସଭାପତି ପଦରେ ଥା’ନ୍ତେ ତେବେ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟର ଅଠା ଅନ୍ୟ ମୁଣ୍ଡରେ ବୋଳି ନିଜ ପଦକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଥା’ନ୍ତେ । ଦଳର କିଛି ଛୋଟ ମୁଣ୍ଡ ଗଡି ଥା’ନ୍ତା । କିନ୍ତୁ, ରାହୁଲ ଗାନ୍ଧୀ ଏକ ବ୍ୟତିକ୍ରମ ସାଜିଛନ୍ତି । ନିଜେ ଇସ୍ତଫା ଦେଇ ଦଳର ବରିଷ୍ଠ ନେତାମାନେ ଚେତାଇାକୁ ଉଦ୍ୟମ କରିଛନ୍ତି । ଏହା ରହୁଲଙ୍କ ଦୁର୍ବଳତା କୁହା ନ ଯାଇ ସାହସିକତାର ପରିଚୟ କୁହାଯାଇପାରେ । ନିର୍ବାଚନ ସମୟରେ ଦଳର ପୁରୁଖା ନେତାଙ୍କ ବିଶୃଙ୍ଖଳ ଆଚରଣକୁ ବରଦାସ୍ତ କରିବା ରହୁଲଙ୍କ ଦୁର୍ବଳତା ଥିଲା । କିନ୍ତୁ, ପରାଜୟକୁ ମୁଣ୍ଡାଇ ନିଜେ ସଭାପତି ପଦରୁ ିସ୍ତଫା ଦେବା ଏବଂ ସବୁ ଚାପ ସତ୍ୱେ ସେଥିରେ ଅଟଳ ରହିବା ହେଉଛି ତାଙ୍କ ସାହାସର ପରିଚୟ । କେହି କେହି କହି ପାରନ୍ତି ରାହୁଲ ପରାଜୟ ପରର ହତାଶାକୁ ସମ୍ଭାଳି ନ ପାରି ଦଳର ମୁଖିଆ ପଦ ଛାଡିଛନ୍ତି । ତେବେ, ଏହା ମଧ୍ୟ କୁହାଯାଇପାରିବ, ଗାନ୍ଧୀ-ନେହେରୁ ପରିବାର ଏବଂ ବଂଶବାଦ ରାଜନୀତିକୁ ଆକ୍ଷେପ କରି କଂଗ୍ରେସ-ବିରୋଧୀ ରାଜନୀତି କରୁଥିବା ବିରୋଧୀଙ୍କୁ ନିରସ୍ତ୍ର କରିବା ସକାଶେ ରାହୁଲଙ୍କ ଏହା ଏକ କୂଟନୀତି ମଧ୍ୟ ହୋଇପାରେ ।
ରାହୁଲ ନିଜ ଇସ୍ତଫାକୁ ପକ୍କା କରିବା ପରେ ଏବେ ଦଳ ଜଣେ ମଧ୍ୟବର୍ତୀକାଳୀନ ସଭାପତିଙ୍କୁ ନିଯୁକ୍ତି ନେଇ ଆଗକୁ ବଢିବାର ବାଟ ଖୋଲିଛି । ବିରୋଧୀ (ବିଜେପି)ଙ୍କ ମୁହଁ ବନ୍ଦ କରିବାରେ ଏହି ଅସ୍ତ୍ର ବେଶ୍ କାମ କରିପାରେ । କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣୀ ଦଳର ପୁରୁଖା ନେତାଙ୍କ ମଧ୍ୟରୁ କାହାରିକୁ ସଭାପତି ମନୋନୀତ ବା ନିର୍ବାଚିତ କରି ନୂଆ ଢଙ୍ଗରେ ଦଳର ପୁନରୁଦ୍ଧାର କାର୍ଯ୍ୟ କରି ପାରିବ । ବର୍ତମାନ ଦଳର ମଂଗ ଯିଏ ଧରନ୍ତୁ ନା କାହିଁକି ତାହା ଅସ୍ଥାୟୀ, ନେହେରୁ- ଗାନ୍ଧୀ ପରିବାର ବିନା ଅନ୍ୟ କେହି ଦଳକୁ ଏକାଠି ରଖି ପାରିବେ ନାହିଁ ବୋଲି ଯେଉଁ ଧାରଣା ରହିଛି ତାହାକୁ ଦୂର କରିବାକୁ ପଡିବ । ରାହୁଲ ଗାନ୍ଧୀ ଏଥିି ସକାଶେ ପଥ ଉନ୍ମୁକ୍ତ କରିଛନ୍ତି । ନୂଆ ସଭାପତି ପ୍ରାଥମିକତା ଭିତ୍ତିରେ ତାହାକୁ କାର୍ଯ୍ୟକାରୀ କରିବାକୁ ପଡିବ । ନହେଲେ କଂଗ୍ରେସରେ ରହି ଆସି ଥିବା ହାଇକମାଣ୍ଡ ସଂସ୍କୃତି ପୁଣି ଥରେ ଦଳକୁ ଗିଳିବା ଅରମ୍ଭ କରିବ । ଗାନ୍ଧୀ-ନେହେରୁ ପରିବାର ଦଳ ପାଇଁ ଅପରିହାର୍ଯ୍ୟ ହୋଇପଡିବେ । ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ରାହୁଲ, ନଚେତ ତାଙ୍କ ମା’ ସୋନିଆ ଗାନ୍ଧୀ କଂଗ୍ରେସର ମଂଗ ଧରିବାକୁ ବାଧ୍ୟ ହେବେ । ଗାନ୍ଧୀ-ନେହେରୁ ପରିବାର ଓ ବଂଶବାଦକୁ ବିରୋଧ କରି ବିଜେପି ଦେଶରେ ଯେଉଁ ଆକ୍ରମଣାତ୍ମକ ରାଜନୀତି କରୁଛି ତାହାକୁ ପ୍ରତିହତ କରିବା ଯଦି ରାହୁଲଙ୍କ ଉଦେ୍ଦଶ୍ୟ ହୋଇଥାଏ ତାହାକୁ ରୂପରେଖ ଦେବା କାର୍ଯ୍ୟ ହେଉଛି କଂଗ୍ରେସ ନେତୃତ୍ୱର । ଏବେ, ଗାନ୍ଧୀ-ନେହେରୁ ପରିବାର ବାହାରୁ ଯିଏ ସଭାପତି ହେବେ ସେ ଏହି ଦାୟିତ୍ୱକୁ କିଭଳି ନିର୍ବାହ କରିବେ ତାହା ସମୟ କହିବ । ତେଣୁ, ରାହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ‘ଦୁର୍ବଳତାର ପରିଚୟ’ କୁହା ନ ଯାଇ ‘ଦାୟିତ୍ୱବୋଧତା’ କୁହାଯିବା ଅଧିକ ଉଚିତ ହେବ । ଏହାଦ୍ୱାରା ଭାରତୀୟ ଜାତୀୟ କଂଗ୍ରେସର ଳାଭ ହେବ ସିନା କ୍ଷତି ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS