ଓଡ଼ିଶାକୁ ମିଳିବ ନାହିଁ ‘ସ୍ୱତନ୍ତ୍ର ପାହ୍ୟା’ ରାଜ୍ୟ ମାନ୍ୟତା
– ପ୍ରସାଦ ରାଓ –
ଜୁଲାଇ ୦୪ ତାରିଖ
ଓଡ଼ିଶାକୁ ମିଳିବ ନାହିଁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା । ରାଜ୍ୟସଭାରେ ଆଜି ଏକଥା ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ‘ଫନି’ ସୁପର ସାଇକ୍ଲୋନ୍ ବ ମହାବାତ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟି ଥିବାରୁ ଓଡ଼ିଶାକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦିଆଯାଇ ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଜୁନ ୧୫ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ପଂଚମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଦାବି ଉଠାଇ ସେଠାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ରାଜ୍ୟସଭାରେ ଓଡ଼ିଶାର ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ରାୟ ଓଡ଼ିଶାର ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି ।
ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିଶରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଓ ସାଧାରଣ କାଟାଗୋରୀ ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ନ ଥିବା ଦର୍ଶାଇ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବିକୁ ଅଗ୍ରାହ୍ୟ କରି ଦେଇଥିବା ଜଣାପଡିଛି । ଦେଶର ଯେଉଁ ରାଜନୈତିକ ଦଳ ଓଡ଼ିଶାର ସ୍ୱାର୍ଥକୁ ପ୍ରଧାନ୍ୟ ଦେବ ସେହି ରାଜନୈତିକ ଦଳ ସହ ବିଜେଡ଼ି ରହିବ ବୋଲି ମୁଖ୍ୟମନ୍ତ୍ରୀ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଘୋଷଣା କରିଥିଲେ ଏବଂ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ପ୍ରତିଷ୍ଠିତ ଏନଡ଼ିଏ ସରକାରଙ୍କୁ ଅକୁଷ୍ଠ ସମର୍ଥନ ମଧ୍ୟ ଦେଉଛନ୍ତି । ନିକଟରେ, ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେଡ଼ି ତିନିଟି ଯାକ ଆସନ ଜିତିବାର ସଂଖ୍ୟା (ରାଜ୍ୟ ବିଧାନସଭାରେ) ଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସନ୍ତୁଷ୍ଟ ସକାଶେ ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଦାନ କରିଛନ୍ତି । ଏହା ରାଜ୍ୟର ବିଭିନ୍ନ ମହଲରେ ଭୃକୁଂଚନ ସୃଷ୍ଟି କରିଥିଲା । ଏହାର ପ୍ରତିବଦଳରେ ଅନ୍ତତଃ କେନ୍ଦ୍ର ସରକାର ରାଜ୍ୟକୁ ‘ସ୍ୱତନ୍ତ୍ର ପାହ୍ୟା ମାନ୍ୟତା’ ଦେଇ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବେ ବୋଲି ଯାହା ଆଶା କରାଯାଉଥିଲାଏବେ ତାହା ଭୁଲ ପ୍ରମାଣିତ ହୋଇଛି ।
ମୁଖ୍ୟମନ୍ତ୍ରୀ ବିଜେଡ଼ିର ରାଜ୍ୟସଭା ଆସନ ବିଜେପିକୁ ଦେଇ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ପଛରେ କି ସ୍ୱାର୍ଥ ରହିଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ଏବେ ପୁଣି ଥରେ ରାଜ୍ୟ ସରକାର ଏକ ପ୍ରଶ୍ନର ସାମନା କରିବା ନିଶ୍ଚିତ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ତେବେ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ରାୟ ‘ଫନି’ ପୂର୍ବରୁ ଓ ପରେ ରାଜ୍ୟକୁ କେନ୍ଦ୍ର ସରକାର ଦେଇଥିବା ଆର୍ଥିକ ସହାୟତା କଥା ମନେ ପକାଇ ଦେଇ ଓଡ଼ିଶାବାସୀଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ‘ଫନି’ ମୁକାବିଲା ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୯ରେ ଓଡ଼ିଶାକୁ ଏସଡ଼ିଆରଏଫରୁ ୩୪୦.୮୭୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ‘ଫନି’ ପରେ ମେ’ ୭ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସି ପ୍ରତ୍ୟକ୍ଷ ଭାବେ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆଉ ୧୦୦୦ କୋଟି ଟଙ୍କା ସହାୟତା ଦେଇଛନ୍ତି । ମେ’ ୧୨ରୁ ୧୫ ପର୍ଯ୍ୟନ୍ତ ଏକ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଓଡ଼ିଶାର ‘ଫନି’ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଥିଲେ । ଆଉ ଏକ କେନ୍ଦ୍ରୀୟ ଦଳ ଜୁନ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଫନି’ କ୍ଷତିଗ୍ରସ୍ତ ଅଂଚଳରେ ‘ଅନ୍-ଦି ଷ୍ପଟ୍’ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ଦୁଇ କେନ୍ଦ୍ରୀୟ ଦଳର ରିପୋର୍ଟ ମିଳିବା ପରେ ରାଜ୍ୟକୁ ଅତିରିକ୍ତ ଆର୍ଥିକ ସହାୟତା ମିଳିବ ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ଦେଇ ଏନଡ଼ିଆରଏଫରୁ ୫୨୨୭.୬୮ କୋଟି ସହାୟତା ମାଗିଛନ୍ତି । ତେବେ, ‘ଫନି’ କ୍ଷୟକ୍ଷତିର ପରିମାଣ ୨୦ ହଜାର କୋଟି ଟଙ୍କା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS