ଟିଭି ସାମ୍ବାଦିକତା ଓ ମୁଁ…
– ପ୍ରସାଦ ରାଓ –
ଜୁଲାଇ ୧୨ ତାରିଖ
ଯେତେବେଳେ ବି ଆମ ଯୁବ ପୀଢି ସାମ୍ବାଦିକତା କଥା ଚିନ୍ତା କରନ୍ତି, ଆପେ ଆପେ ସେମାନେ ଆକର୍ଷିତ ହୁଅନ୍ତି ଟିଭି ସାମ୍ବାଦିକତା ଆଡକୁ । କାରଣ, ଟେଲିଭିଜନରେ ମୁହଁ ଦେଖାଇବାର ଆକର୍ଷଣ ପ୍ରତ୍ୟେକ ମଣିଷର ରହିଛି । ଟିଭି ପରଦାରେ ନିଜେ ନିଜ ମୁହଁ ଦେଖାଇବା ସହ ବନ୍ଧୁ, ପରିବାରବର୍ଗ ଓ ପରିଚିତ ଲୋକମାନଙ୍କ ଆଖିରେ ହଠାତ୍ ସେଲିବ୍ରିଟି ହେବା ପାଇଁ ଟିଭି ପରଦା ହେଉଛି ସବୁଠାରୁ ସହଜ ମାଧ୍ୟମ । ତେଣୁ, ଟିଭି ଆଂକର ବା ରିପୋର୍ଟର ହେବାକୁ ଯୁବ ପୀଢିରେ ଆଗ୍ରହ ଅଧିକ । ଆମେ ଯେତେବେଳେ ଅଶି ଦଶକରେ ସାମ୍ବାଦିକତା କ୍ଷେତ୍ରକୁ ଆସି ଥିଲୁ ଟେଲିଭିଜନରେ ମୁହଁ ଦେଖାଇବା ସୁଯୋଗ ନ ଥିଲା । କାରଣ, ଓଡ଼ିଶାରେ ଟେଲିଭିଜନ ସାମ୍ବଦିକତା ଆରମ୍ଭ ହୋଇ ନ ଥିଲା । ଛାପା ଖବରକାଗଜ ହିଁ ଥିଲା ଏକମାତ୍ର ମାଧ୍ୟମ । ସୀସା ଅକ୍ଷର ଖଂଜା ଛାପାଖାନାଗୁଡିକରେ ଖବରକାଗଜ ଛପା ହେଉଥିଲା । ପିଲା ବେଳେ ଖବରକାଗଜ ପଢିବାର ଆଗ୍ରହ ଏବଂ ପରବର୍ତୀ ସମୟରେ ସାମ୍ବାଦିକ ହେବାର ଜିଜ୍ଞାସା ଆମକୁ ଖବରକାଗଜ ଦୁନିଆକୁ ଟାଣି ଆଣି ଥିଲା । ସାମ୍ବାଦିକତାର ପ୍ରଥମ ସୋପାନ ଥିଲା ପ୍ରୁଫ୍ ରିଡ଼ିଂ ବା ଚୂଡାନ୍ତ ଛପେଇ ପୂର୍ବରୁ ଖବରକାଗଜରେ ପ୍ରକାଶ ପାଇବାକୁ ଥିବା ଖବରଗୁଡ଼ିକ ସୀସା ଅକ୍ଷରରେ ଗୁନ୍ଥା ଯିବା ପରେ ତାହାର ଡେଲି-କପି ବାହାର କରି ଭୁଲ ଭଟକା ସୁଧାରିବା । ଥରେ ପ୍ରୁଫ୍ ରିଡ଼ିଂ ସରି ଗଲେ କଂପୋଜିଟର ଆବଶ୍ୟକ ସଂଶୋଧନ କରେ ଓ ସୁପରଭାଇଜର ସଂପାଦକଙ୍କ ନିର୍ଦେଶ ପ୍ରକାରେ ପେଜ୍ ପ୍ରସ୍ତୁତ କରି ସଂପୂର୍ଣ୍ଣ ପୃଷ୍ଠାକୁ ସୂତା ଭିଡି ଭଳ ଭାବେ ବାନ୍ଧିବା ପରେ ତାହା ଚପା ପାଇଁ ଯାଏ । ଫ୍ଲାଟ୍ ମେସିନରେ ସୀସା ଅକ୍ଷର ଖଂଜା ଖବରକାଗଜ ପୃଷ୍ଠା ସବୁ ଯେତେବେଳେ ଛପା ହୁଏ ନିଜେ ଲେଖି ଥିବା ଖବର ବା ନିବନ୍ଧ ଖବରକାଗଜରେ ଦେଖି ଖୁସି ଲାଗେ ।
ମନେ ଅଛି, ଭୁବନେଶ୍ୱରର ଏକ ହାଟରେ ପଚା ମାଛ ବିକ୍ରି ହେଉଥିବା ସଂପର୍କରେ ଏକ ‘ସଂପାଦକଙ୍କୁ ପତ୍ର’ ଛାପି ପର ଦିନ ସକାଳେ ସେହି ହାଟକୁ ଯାଇ ହଟ୍ଟହଟା ହେବାକୁ ପଡି ଥିଲା । ମାଛ ବଜାର ନିକଟରେ ଥିବା ମାଂସ ଦୋକାନ ଉପରେ ମଧ୍ୟ ସରକାରଙ୍କ ଫୁଡ୍ ଇନିସପେକ୍ଟମାନେ ଚଢାଉ କରି ବିକ୍ରି ହେବାକୁ ଥିବା ଛେଳି ମାଂସ ଜବତ କରି ହୁଲସ୍ତୁଲ କରିଥିଲେ । ମେତେ ଅତି ଭଲ ଭାବେ ଜାଣି ଥିବା ଏବଂ ଦୋକାନ ପାଖକୁ ଗଲେ ସହାସ୍ୟ ବଦନରେ ମାଂସ ଓଜନ କରି ଦେଉଥିବା ମୁସଲିମ୍ ବେପାରୀ ଜଣକ ସେଦିନ ମୁହଁ ଚିଂଚାଡ଼ି କଥା ହୋଇଥିଲେ । ମାଛ ବେପାରୀ ତ ଖଡ୍ଗହସ୍ତ ! ପନିକି ଧରି ଜଗି ରହି ଥିଲେ ଆକ୍ରମଣ ପାଇଁ । ଲୁଚିଛପି ସେମାନଙ୍କ ଆକ୍ରୋଶ ଦେଖିବାରେ ମଧ୍ୟ ଏକପ୍ରକାର ଆନନ୍ଦ ଥିଲା । ପରବର୍ତୀ ସମୟରେ ଜଣେ ଛାପା ଖବରକାଗଜର ସାମ୍ବାଦିକ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଖବର ଛାପିଛି । ଲେଖାକୁ ନେଇ ପ୍ରଶଂସା ଓ ଆକ୍ରୋଶର ଶିକାର ମଧ୍ୟ ହୋଇଛି । ଗୋଟିଏ ଲେଖାକୁ ନେଇ ଜଣେ ସେହି ସମୟର ଜଣାଶୁଣା ଓଡ଼ିଆ ଅଭିନେତା କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ । ଜଣେ ଓକିଲ ବନ୍ଧୁ ମୋ ମାମଲା ହାତକୁ ନେଇ ଲଢିବା ସମୟରେ ମାନସିକ ଚାପ ରହି ଥିଲା ସତ, କିନ୍ତୁ ସେଥିରେ ବି ସଫଳତାର ଏକ ଆନନ୍ଦ ଥିଲା । ଗୋଟିଏ ଓଡିଆ ପତ୍ରିକାରେ ତକ୍ରାଳୀନ ବିଧାନସଭା ବାଚସ୍ପତି (ଆଜି ସେ ଦିବଂଗତ)ଙ୍କ ସଂପର୍କରେ ଲେଖାଟିଏ ଲେଖି ବିଧାନସଭାରେ ‘ସ୍ୱାଧୀକାର ଭଙ୍ଗ’ ପ୍ରସ୍ତାବର ସାମନା କରିବାକୁ ପଡି ଥିଲା । ଏହାକୁ ନେଇ ମନରେ ଆନନ୍ଦ ଓ ଆଶଙ୍କାର ମିଶ୍ର ପ୍ରଭାବ ଥିବା ବେଳେ ତକ୍ରାଳନୀ ବାଚସ୍ପତି ଲେଖାରେ ଥିବା ତଥ୍ୟକୁ ଯାଂଚ କରାଇବା ବଦଳରେ ‘ଉଇ ମେ’ ଇଗନୋର୍ ଦ ପ୍ରେସ୍’ କହି ଟାଳି ଦେଇଥିଲେ । ପରବର୍ତୀ ସମୟରେ ସେହି ବାଚସ୍ପତି ଜଣକ ସଂପୃକ୍ତ ସାପ୍ତାହିକ ପତ୍ରିକାର ସଂପାଦକଙ୍କୁ ଡାକି ନିଜ ସପକ୍ଷରେ ଏକ ଲେଖା ଲେଖାଇ ଥିଲେ । ସଂପାଦକ ବଂଧୁ (ଏବେ ଦିବଂଗତ) ସଂପୃକ୍ତ ବାଚସ୍ପତି ମହୋଦୟଙ୍କ ଡ଼ିକ୍ଟେସନ ନେବା ସମୟରେ ହଠାତ୍ ସେଠି ମୁ ପହଂଚି ଯିବାରୁ ଅପ୍ରସ୍ତୁତ ହୋଇପଡି ଥିଲେ ।
ଏତେ ସବୁ କହିବାର ଉଦେ୍ଦଶ୍ୟ ହେଉଛି, ଓଡ଼ିଶାରେ ଟେଲିଭିଜନ ସାମ୍ବାଦିକତାର ପ୍ରବେଶ ପୂର୍ବରୁ ଛପା ଗଣମାଧ୍ୟମ ଥିଲା ସାମ୍ବାଦିକତାର ମୁଖ୍ୟସ୍ରୋତ । ଓଡ଼ିଶାର ବହୁ ପ୍ରତିଷ୍ଠିତ (ବିଭିନ୍ନ ସମୟରେ ରାଜ୍ୟରେ ଶାସନରେ ଥିବା ମୁଖିଆଙ୍କ ପାଖ ଲୋକ ଓ ବିରୋଧୀ) ସାମ୍ବାଦିକଙ୍କ ସହ କାମ କରିବାର ସୁଯୋଗ ମିଳିଛି । କାମ କରିବା ସମୟରେ ଲେଖା ମାଧ୍ୟମରେ ଅନ୍ୟମାନଙ୍କ ଠାରୁ ଭିନ୍ନ ହେବାର ନିଶା ମଧ୍ୟ ଲୋକକୁ ପରିମାର୍ଜିତ ଓ ଭିନ୍ନମୁଖୀ କରିଛି । ଦଳଗତ ଭାବରେ କୌଣସି ଖବର ସଂଗ୍ରହ କରି ଅନ୍ୟମାନଙ୍କ ଠାରୁ ଭିନ୍ନ ଭାବେ ପରିବେଷଣ କରିବା ଏବଂ ପ୍ରଶଂସା ସାଉଁଟିବାରେ ଯେଉଁ ଆନନ୍ଦ ରହିଛି ତାହା ଆଜିର ସ୍ମାର୍ଟ ଫୋନ୍, ଫେସ୍ ବୁକ୍, ହ୍ୱାଟସ୍ ଆପ୍ ସାମ୍ବାଦିକତାରେ ନାହିଁ । ଅଶି, ନବେ ଦଶକରେ ପାରଳାଖେମୁଣ୍ଡି ରାଜବାଟୀ ହୋଇଥିବା ଚୋରୀ ଘଟଣା ସଂପର୍କୀତ ତଥ୍ୟ ସଂଗ୍ରହ ପାଇଁ ଟେଲିଫୋନ୍ ଭବନକୁ ଯାଇ କଲ୍ ବୁକ୍ କରିବାକୁ ପଡୁ ଥିଲା । ଲାଇନ୍ ଠିକ୍ ନ ଥିଲେ ଘଂଟା ଘଂଟା ଅପେକ୍ଷା ଏବଂ ଟେଲିଫୋନ୍ ଅପରେଟରଙ୍କ ସହ ବଂଧୁତା ଯୋଡିବା ଆବଶ୍ୟକ ହେଉଥିଲା । ନ ହେଲେ କୋଉ ଭାଗ୍ୟଶାଳୀ ସାମ୍ବାଦିକ ବନ୍ଧୁଙ୍କ ଏସଟିଡି ଟେଲିଫୋନ୍ ଉପରେ ଅତ୍ୟାଚାର କରିବାକୁ ପଡୁଥିଲା । ସଂଗୃହୀତ ଖବର ଟେଲିଫୋନ୍ ରେ ଟିପିବାକୁ ସଂପାଦନା ବିଭାଗ ମନା କଲେ ଡ଼ିଇଟି ଅଫିସକୁ ଯାଇ ଟେଲିଗ୍ରାମରେ ଖବର ପଠାଇବାକୁ ବାଧ୍ୟ ହେଉଥିଲୁ ।
ଅଶୀଦଶକରେ ଖବରକାଗଜ ଛପେଇ ଜଗତକୁ ସୀସା ଅକ୍ଷର ବଦଳରେ କଂପ୍ୟୁଟର ଅକ୍ଷର ଓ ଫ୍ଲାଟବେଡ୍ ମେସିନ ବଦଳରେ ଅଫ୍ସେଟ୍ ମେସିନ୍ ମିଳି ଗଲା । ଖବରକାଗଜର ରୂପରେଖ ବଦଳିଲା । ଇଂଟରନେଟ୍ ଓ ଲିଜ୍ ଲାଇନ୍ର ବ୍ୟବହାର ଖବର ସଂଗ୍ରହ ଓ ପ୍ରେରଣକୁ ତ୍ୱରାନ୍ୱିତ କଲା । ବିଭିନ୍ନ ସ୍ଥାନରୁ ଖବର କାଗଜଗୁଡିକର ସଂସ୍କରଣମାନ ପ୍ରକାଶ ପାଇବା ପାଠକ ସଂଖ୍ୟା ଓ ବ୍ୟବସାୟ ବୃଦ୍ଧି ପାଇଲା ସିନା ଛାପା ସାମ୍ବାଦିକତାର ଚରିତ୍ର ପୂର୍ବବତ୍ ରହିଛି । ଓଡ଼ିଶାରେ ଟେଲିଭିଜନ ସାମ୍ବାଦିକତାର ବହୁଳ ପ୍ରସାର ପରେ ଛାପା ଗଣମାଧ୍ୟମର ଗ୍ଳାମର୍ କମିଛି ସିନା ଗୁରୁତ୍ୱ କମିନି । ସେହି ହାତ ଲେଖା ବା କଂପୁଟରରେ ପ୍ରସ୍ତୁତ ଖବର ଭିଜୁଆଲ ମିଡ଼ିଆ ସାମନାରେ ଫିକା ଲାଗୁ ଥିଲେ ବି ପାଠକଙ୍କ ମଧ୍ୟରେ ପ୍ରିଂଟ ମିଡ଼ିଆର ଚାହିଦା କମିବା ଅପେକ୍ଷା ବଢିଛି । ବିଜ୍ଞାପନଦାତାମାନେ ଭିଜୁଆଲ ମିଡ଼ିଆ ଅପେକ୍ଷା ପ୍ରିଂଟ୍ ମିଡ଼ିଆକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କ କ୍ୟାଂପେନ୍ ରିଲିଜ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । କାରଣ, ଛାପା ଖବରକାଗଜରେ ପହୁଂଚ ଟେଲିଭିଜନଠାରୁ ଅଧିକ । ଟେଲିଭିଜନରେ ପ୍ରସାରିତ ବିଜ୍ଞାପନ ନିମିଷକ ମଧ୍ୟରେ (ବାରମ୍ବାର ନ ବାଜିଲେ) ଆଖି ସାମନାରୁ ହଜି ଯାଉଥିବା ବେଳେ ପ୍ରିଂଟ ମିଡ଼ିଆରେ ପ୍ରକାଶ ପାଉଥିବା ଲେଖା ଓ ବିଜ୍ଞାପନ ବର୍ଷକ ପରେ ଖୋଜିଲେ ମଧ୍ୟ ମିଳିବା ସମ୍ଭବ । ତେଣୁ, ପ୍ରିଂଟ ମିଡ଼ିଆର ଲୋକପ୍ରିୟତା କମି ନାହିଁ ।
ଆଜିର ଦିନରେ ଓଡ଼ିଶାରେ ଭିଜୁଆଲ ମିଡ଼ିଆ ବା ବୈଦ୍ୟୁତିକ ଗଣମାଧ୍ୟମରେ କାମ କରୁଥିବା ଅଧିକାଂଶ ବରିଷ୍ଟ ସାମ୍ବାଦିକ କୌଣସି ନା କୌଣସି ପ୍ରିଂଟ୍ ମିଡ଼ିଆ ବା ଛାପା ଗଣମାଧ୍ୟମରୁ ସେମାନଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିଛନ୍ତି । ତେବେ, ଟେଲିଭିଜନ ମିଡ଼ିଆରେ ପ୍ରବେଶ କରି କିଛିଟା ଅଭିଜ୍ଞତା ହାସଲ କରିବା ପରେ ସେମାନେ ଛାପା ଗଣମାଧ୍ୟମ ନା’ ଶୁଣିଲେ ଯେଭଳି ନାକ ଟେକୁଛନ୍ତି ତାହା ଅବିଶ୍ୱସନୀୟ ମନେ ହେଉଛି । ବୈଦ୍ୟୁତିକ ଗଣମାଧ୍ୟମରେ ବ୍ୟବହାର କରାଯାଉଥିବା ବ୍ରେକିଂ, ଆଷ୍ଟନ୍, ହେଡ଼ର୍, ଜିମି, ୱିଣ୍ଡୋଜ୍ ଭଳି ଶବ୍ଦକୁ ଥୋଇ ଛାପା ଗଣମାଧ୍ୟମରୁ ଆସୁଥିବା ସାମ୍ବାଦିକମାନଙ୍କୁ ବୋକା ବନାଇବାର ଏଭଳି ଉଦ୍ୟମ ହେଉଛି ଯେ ଅନ୍ୟମାନେ ଯେମିତି ସେସବୁ କିଛି ଜାଣନ୍ତି ନାହିଁ ! ଆମେ ଖବରକାଗଜରେ ଯାହାକୁ ହେଡିଂ କହୁଥିଲୁ ତାହା ଏଠି ହେଡର୍ । ଛାପା ଗଣମାଧ୍ୟମରେ ଫଟୋ ତଳେ ନା’ ଲେଖା ଥାଏ । ଭିଜୁଆଲ୍ ଗଣମାଧ୍ୟମରେ ତାହାକୁ ଆଷ୍ଟନ୍ କହୁଛନ୍ତି । ଭିଜୁଆଲ ମିଡ଼ିଆରେ ତୁରନ୍ତ ପହଂଚୁ ଥିବା ଗୁରୁତ୍ୱପୂର୍ଣ୍ଣ ଖବର ‘ନ୍ୟୁଜ୍ ଆଲର୍ଟ’ ବା ବ୍ରେକିଂରେ ଯାଏ ଏବଂ ଟେଲିଭିଜନ ପରଦା ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରିବା ସକାଶେ ବ୍ୟାଙ୍ଗ୍ ସମେତ ଅନ୍ୟ ଅନ୍-ଲାଇନ୍ ବା ଅଫ୍-ଲାଇନ୍ ଗ୍ରାଫିକ୍ସ, ୱିଣ୍ଡୋଜ୍ ବ୍ୟବହାର କରାଯାଏ । ଖବର ପ୍ରସାରଣ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ପିସିଆର୍ ଓ ଏମସିଆର୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଆଂକରମାନେ ପିସିଆର୍ ଦ୍ୱାରା ପରିଚାଳିତ ହୁଅନ୍ତୁି । ବୁଲେଟିନ୍ ପ୍ରଡ୍ୟୁସର ବା ବିପିମାନେ ଯେଉଁ ନ୍ୟୁଜ୍ ବୁଲେଟିନ୍ର ଦାୟିତ୍ୱରେ ଥାଆନ୍ତି ତାହାକୁ ପ୍ରସ୍ତୁତ କରି ଅନ୍ ଲାଇନରେ ପକାଇବା ପରେ ପିସିଆର୍ ରେ ଥିବା ପିପି (ପ୍ୟାନେଲ୍ ପ୍ରଡ଼୍ୟୁସର)ତାହାକୁ ନିୟନ୍ତ୍ରଣ କରି ଆଂକରଙ୍କୁ କମାଣ୍ଡ୍ ଦେଇଥା’ନ୍ତି । ଆଂକର ପିପିରେ ପଡି ଥିବା ଖବରକୁ ପଢେ ଓ ପିପି ଯେଉଁଠି ବ୍ରେକ୍ ମାରିବାକୁ କମାଣ୍ଡ୍ ଦିଅନ୍ତି ସେଠି ଅଟକିବାକୁ ବାଧ୍ୟ ହୋଇଥାଏ । ଯେହେତୁ ଟେଲିଭିଜନ ହେଉଛି ଏକ ଅନ୍ ଲାଇନ୍ ମିଡ଼ିଆ ଏଥିରେ ପ୍ରସାରିତ ହେଉଥିବା ଖବରକୁ ଭିଜୁଆଲ୍ ସପୋର୍ଟ ଦେବା କାର୍ଯ୍ୟ ଭିଜୁଆଲ୍ ଏଡ଼ିଟରମାନଙ୍କର । ସାମ୍ବାଦିକମାନେ ପଠାଉ ଥିବା ଭିଜୁଆଲ୍ କୁ କାଟି ଯେତିକି ଆବଶ୍ୟକ ତାହା ପ୍ରସାରଣ ପାଇଁ ଯୋଗାଇ ଦେବା ହେଉଛି ଭିଜୁଆଲ୍ ଏଡିଟରମାନଙ୍କ କାର୍ଯ୍ୟ । ଏହା ହେଉଛି ଭିଜୁଆଲ୍ ମିଡ଼ିଆ ବା ଟେଲିଭିଜନ ମିଡ଼ିଆର ମୋଟାମୋଟି ଚିତ୍ର ।
ଉଭୟ ଛାପା ଓ ଭିଜୁଆଲ ଗଣମାଧ୍ୟମର କାର୍ଯ୍ୟ ହେଉଛି ପାଠକ ବା ଦର୍ଶକଙ୍କୁ ଖବର ଯୋଗାଇ ଦେବା । ତେବେ, ତରିକା ଭିନ୍ନ । ପାଠକଙ୍କୁ ବାଂଧି ରଖିବା ପାଇଁ ଛାପା ଗଣମାଧ୍ୟମ ଭଲ ଖବର, ଅନୁସଂଧାନମୂଳକ ଖବର, ଖବରର ବିଶ୍ଲେଷଣକୁ ଗୁରୁତ୍ୱ ଦେଇଥାଏ । ଯାହା ବିରୋଧରେ ଖବର ଲେଖିବ ତାଙ୍କ ପ୍ରତିକ୍ରିୟା ମଧ୍ୟ ଲେଖାରେ ଥିବା ଆବଶ୍ୟକ । ଏହା ହେଉଛି ‘ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ’ର ଗାଇଡ୍ ଲାଇନ୍ । ଭିଜୁଆଲ୍ ନ ଥିଲେ ବି ଲେଖାଟି ଅଟକେ ନାହିଁ । କିନ୍ତୁ, ଅନ୍ୟ ଲାଇନ୍ ବା ଭିଜୁଆଲ୍ ମିଡ଼ିଆରେ ଖବରଟି ଯେତେ ଗୁରୁତ୍ୱପୂର୍ଣ୍ଣ ହୋଇ ଥାଉ ନା କାହିଁକି ସେ ସଂପର୍କିତ ଭିଜୁଆଲ୍, ବାଇଟ୍ ଓ କାଉଂଟର ବାଇଟ୍ ନ ମିଳିଲେ ପ୍ରସାରଯୋଗ୍ୟ ବିବେଚନା ହୁଏ ନାହିଁ । ବିଚରା ଟିଭି ସାମ୍ବାଦିକ ଖବର ସହ ଭିଜୁଆଲ୍ ଯୋଗାଡ କରି ବାଇଟ୍, କାଉଂଟର ବାଇଟ୍ ଯୋଗାଡ କରି ନ ପାରିଲେ ହତାଶ ହୋଇ ବସି ରୁହେ । ସଂପାଦକ ମହାଶୟ ଏଭିଓ, ଭିଓରେ କାମ ଚଳାଇବାକୁ ବାଧ୍ୟ କରନ୍ତି । ପ୍ୟାକେଜ୍ ନ୍ୟୁଜ୍ ର ଶ୍ରମ କରି ଏଭିଓ, ଭିଓରେ ଖବରଟି ଗଲେ ତାହାର କିଛି ଗୁରୁତ୍ୱ ନଥାଏ ।
ମୋତେ ଏହି ଲେଖାଟି ଲେଖିବାକୁ ପ୍ରେରିତ କଲା, ମୋ ସହ କାମ କରୁଥିବା ଜଣେ ଟିଭି ସାମ୍ବାଦିକଙ୍କ ଅସହାୟତା । ଏଇ କିଛି ଦିନ ତଳର କଥା । ଟିଭି ସାମ୍ବାଦିକ ବନ୍ଧୁ ଜଣକ ଖବର ସଂଗ୍ରହ ପାଇଁ କ୍ୟାମେରାମ୍ୟାନଙ୍କୁ ସାଙ୍ଗରେ ନେଇ ଅଫିସରୁ ବାହାରି ଗଲେ ସିନା ଫିଲ୍ଡରେ ପହଂଚି ଦେଖିଲେ କ୍ୟାମେରାମ୍ୟାନ ଜଣକ ତଳେ ପାଦ ଥୋଇବାକୁ କଷ୍ଟ ଅନୁଭବ କରୁଛନ୍ତି । ଠିକ୍ ଭାବେ ଚାଲି ପାରୁ ନାହାନ୍ତି । ବନ୍ଧୁ ବିରକ୍ତ ହେବାରୁ ଜାଣିଲେ କ୍ୟାମେରାମ୍ୟାନଙ୍କ ପାଦରେ ଖଣ୍ଡିଆ ହୋଇ ଗୋଡ ଫୁଲି ଯାଇଛି । ଚାଲିବାକୁ କଷ୍ଟ ହେଉଛି । ଦୁହେଁ ପହଂଚିଲେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ କ୍ୟାପିଟାଲ ହସପିଟାଲରେ । କାଉଂଟରରେ ଆବଶ୍ୟକ ଫି’ ଜମା କରି ରିସେପ୍ସନରେ ଟିକଟ କଲେ । ଡ଼ାକ୍ତରଙ୍କ ନିକଟରେ ପହଂଚିବାକୁ ଲମ୍ବା ଧାଡିରେ ଠିଆ ରହିବାକୁ ପଡିଲା । କ୍ୟାପିଟାଲ ହସପିଟାଲରେ ଗୋଟିଏ ଟେବୁଲ ଚାରି ପାଖରେ ଦୁଇ, ଚାରିଟା ଡ଼ାକ୍ତର ବସି ଥିବା ବେଳେ ଶହ ଶହ ରୋଗୀ ଧାଡିରେ ରହୁଛନ୍ତି । ତେଣୁ, ରୋଗୀର ରୋଗ କଣ ଜାଣିବା ପାଇଁ ଡ଼ାକ୍ତରଙ୍କ ସ୍ପୃହା ବା ଧୌର୍ଯ୍ୟ ନ ଥାଏ । ଚିଡିଚିଡା ହୋଇ ରୋଗୀଙ୍କୁ ଖିଂକାରି ହେବା ଓ ପ୍ରେସକ୍ରିପ୍ସନ୍ ଫୋପାଡିବା ନିତିଦିନିଆ କଥା । କ୍ୟାମେରାମ୍ୟାନଙ୍କ ଗୋଡ ଅବସ୍ଥା କଣ ଅଛି, କେମିତି ଖଣ୍ଡିଆ ହେଲା ଜାଣିବାକୁ ଚାହିଁ ନ ଥିଲେ ଡାକ୍ତର । ରିସେପ୍ସନରୁ ନେଇ ଥିବା ଚିଠା ଥୋଉ ଥୋଉ ଗାରେଇ ଦେଇ ଥିଲେ ଓøଷଧ ଚିଠା । ଗୋଡ ଡ୍ରେସିଂ ପାଇଁ ଯାଇ ସେଠି ସେମାନେ ଦେଖିଲେ ଡ୍ରେସିଂ କରୁଥିବା ଆଟେଣ୍ଡାଂଟଙ୍କ ଖୋଲାଖୋଲି ହାତଗୁଂଜା ଆଦାୟକୁ । ବେକରେ ପ୍ରେସ୍ କାର୍ଡ ଝୁଲୁଥିବା ଦେଖି ମଧ୍ୟ କାହାରି ସାମାନ୍ୟତମ ଭୟ ବା ସମବେଦନା ନାହିଁ । ରିପୋର୍ଟର ଜଣକ ଫେରିଲେ କଟୁ ଅଭିଜ୍ଞତା ନେଇ ।
ନିକଟରେ ସେହି କ୍ୟାପିଟାଲ ହସପିଟାଲର ଜଣେ ମହିଳା ଆଟେଂଡାଂଟ୍ କାମ କରୁଥିବା ଅବସ୍ଥାରେ ହୃଦଘାତର ଶିକାର ହେଲେ । ତାଙ୍କୁ ତୁରନ୍ତ ଚିକିତ୍ସା କରି ସ୍ଥିତି ଗମ୍ଭୀର ଥିବାରୁ ଆଇସିୟୁରେ ରଖିବାକୁ ସଂପୃକ୍ତ ଡ଼ାକ୍ତର ପରାମର୍ଶ ଦେଲେ । ତେବେ, ଆଇସିୟୁରେ ବେଡ୍ ଖାଲି ନାହିଁ କହି ମହିଳା ଆଟେଂଡାଂଟ ଜଣକୁ ୱାଡରେ ରଖା ଯିବାରୁ ସେହି ଦିନ ରାତିରେ ତାଙ୍କ ମୃତ୍ୟୁ ଘଟିଲା । ଅପରପକ୍ଷରେ, ଆଇସିୟୁରେ ବେଡ୍ ଖାଲି ଥାଇ ମହିଳା ଆଟେଂଡାଂଟଙ୍କୁ ହତାଦାର କରାଗଲା ବୋଲି ପରେ ଅନ୍ୟ ଆଟେଂଡାଂଟମାନେ ଅଭିଯୋଗ କରି କାମ ବନ୍ଦ କରିବାରୁ ପୁଲିସ ପହଂଚି ବୁଝାଶୁଝା କରି ପରିସ୍ଥିତି ଶାନ୍ତ କଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନୂଆ । ତଦନ୍ତ କରାଯିବ କହି କାମ ସାରି ଦେଲେ । କଥା ସେଇଠି ସରି ଗଲା । ଦୁଇଟି ଯାକ ଘଟଣା ଅତି ନିନ୍ଦନୀୟ ଏବଂ ଉଦ୍ବେଗଜନକ । ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହେବାକୁ ଯୋଗ୍ୟ । ଛାପା ଗଣମାଧ୍ୟମରେ ଜଣେ ହାତ ଖୋଲି ଫର୍ଦ୍ଦଫର୍ଦ୍ଦ ଲେଖି ପାରିବ । ଏଥିସକାଶେ ଭିଜୁଆଲ, ବାଇଟ୍, କାଉଂଟର ବାଇଟ୍ ଆଣିବା ଚାପ ନାହିଁ । କିନ୍ତୁ, ଭିଜୁଆଲ୍ ବା ଟେଲିଭିଜନରେ କାମ କରୁଥିବା ଜଣେ ସାମ୍ବାଦିକ ପ୍ରଥମ ଘଟଣାରେ କାହାଠୁ, କେମିତି ଭିଜୁଆଲ,ବାଇଟ୍ ଓ କାଉଂଟର ବାଇଟ୍ ପାଇବ ଯେ କ୍ୟାପିଟାଲ୍ ହସପିଟାଲରେ ରୋଗୀ ଦେଖିଲା ବେଳେ ଡ଼ାକ୍ତର ଖିଂକାରୀ ହେଉଥିବା ଓ ଡ୍ରେସିଂ କଲା ବେଳେ ଆଟେଂଡାଂ ହାତଗୁଂଜା ନେଉ ଥିବା ଖବର ପ୍ରକାଶ୍ୟକୁ ଆଣି ପାରିବ? ଆଜି କାଲି ସବୁ ବଡ ଶିକ୍ଷାନୁଷ୍ଠାନ, ହସପିଟାଲ୍, ସରକାରୀ ଦପ୍ତର, କର୍ପୋରେଟ ସଂସ୍ଥା ଦୁଆର ଜଗୁଛନ୍ତି ବାଉନ୍ସର ବା ସିକ୍ୟୁରିଟି ସଂସ୍ଥା । ବିଚରା ଟେଲିଭିଜନ ସାଂବାଦିକ ଭିତରକୁ ଗଲେ ସିନା ଖବର ପାଇବ । ବେକରେ ମିଡ଼ିଆ ଦଉଡି ଓ ହାତରେ ଟିଭି କ୍ୟାମେରା ଥିଲେ ବିଚରା ଦୁଆର ମୁହଁରୁ ହିଁ ବିଦା ହେଉଛନ୍ତି । ଏହା ହେଉଛି ଟିଭି ସାଂବାଦିକତାର ଅସଲି ଗ୍ଲାମର୍ । ଛାପା ସାଂବାଦିକତାକୁ ନାକ ଟେକୁଥିବା ଟିଭି ସଂପାଦକମାନେ ନିଜେ କେବେ ହାତରେ ବୁମ୍ ଧରନ୍ତି ନାହିଁ । ଆଷ୍ଟନ୍, ହେଡର୍, ବ୍ୟାଂଗ୍, ଗ୍ରାଫିକ୍ସ, ପିସିଆର,ଏମସିଆର ଓ ଷ୍ଟୁଡ଼ିଓ ଭିତରେ ସୀମିତ । ବାସ୍ତବରେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ସମ୍ବାଦିକମାନଙ୍କ ଗ୍ଳାମର ସେମାନଙ୍କ ନଜରକୁ ଆସିଥାଏ, କିନ୍ତୁ ଅସହାୟତା ନୁହେଁ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS