ଗଣତନ୍ତ୍ରର ଏକ ଦୁଃଖଦ ଚିତ୍ର କର୍ଣ୍ଣାଟକ !
– ପ୍ରସାଦ ରାଓ –
ଜୁଲାଇ ୧୩ ତାରିଖ
ବୁଦ୍ଧିଜୀବୀଙ୍କ ରାଜଧାନୀ ଭାବେ ପରିଚିତ କର୍ଣ୍ଣାଟକର ବେଙ୍ଗୁଲୁର ସହରରେ କିଛି ଦିନ ହେଲା ଯେଉଁ ରାଜନୈତିକ ହଲଚଲ ଚାଳିଛି ତାହା ଭାରତୀୟ ଗଣତନ୍ତ୍ରର ଏକ ଦୁଃଖଦ ଚିତ୍ରକୁ ବୟାନ କରୁଛି । ରାଜ୍ୟରେ ତଥାକଥିତ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିଷ୍ଠିତ କଂଗ୍ରେସ-ଜେଡ଼ିଏସ୍ ମେଂଟ ସରକାରକୁ ଗାଦିଚ୍ୟୁତ କରିବା ସକାଶେ ଯେଉଁ ଘୃଣ୍ୟ ଖେଳ ଚାଲିଛି ତାହାର ମୁଖ୍ୟ ନାୟକ ସ୍ୱଚ୍ଛତାର ଧ୍ୱଜାଧାରୀ ବିଜେପି ବୋଲି ଅଭିଯୋଗ ହେଉଛି । ବିଧାନସଭାରେ ମୁଖ୍ୟ ବିରୋଧୀ ରହିଛି ବିଜେପି । କେନ୍ଦ୍ରୀୟ ନେତାଙ୍କ ପ୍ରଚ୍ଛନ୍ନ ସମର୍ଥନରେ କଂଗ୍ରେସ-ଜେଡ଼ିଏସ୍ ମେଂଟକୁ ଅସ୍ଥିର କରି କ୍ଷମତାଚ୍ୟୁତ କରିବା ସହ ରାଜ୍ୟରେ ବିଜେପିର ସରକାର ପ୍ରତିଷ୍ଠା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ବିଜେପି ନେତାମାନେ ଯେଉଁ ଷଡଯନ୍ତ୍ର ରଚିଛନ୍ତି ତାହା ଦୃଶ୍ୟମାନ ହେଉଥିଲେ ମଧ୍ୟ ବିଜେପି ନେତାମାନେ ତାହା ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ରାଜ୍ୟରେ କଂଗ୍ରେସ-ଜେଡ଼ିଏସ୍ରେ ଥିବା ଅନ୍ତଦ୍ଦ୍ୱର୍ନ୍ଦ୍ୱର ପରିଣତି ସରକାରର ସମ୍ଭାବ୍ୟ ପତନର କାରଣ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରାପାଙ୍କ ସମେତ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ପାଲଟା ଅଭିଯୋଗ କରୁଛନ୍ତି । ଏଆଇସିସି ସଭାପତି ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଜାତୀୟ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । କର୍ଣ୍ଣାଟକର କଂଗ୍ରେସ-ଜେଡ଼ିଏସ ମେଂଟ ସରକାରକୁ ତାହା ସଂକ୍ରମିତ କରିବା ଫଳରେ ମେଂଟ ସରକାର ଭୁଶୁଡ଼ିବା ସ୍ଥିତିକୁ ଆସିଛି ବୋଲି ବିଜେପି ନେତାଏ କହୁଛନ୍ତି । ଗଣତନ୍ତ୍ରରେ ଶାସକ ଓ ବିରୋଧୀ ଛକାପଂଝା ହୋଇ ପରସ୍ପରକୁ ଦୋଷ ଦେବା କିଛି ନୂଆ କଥା ନୁହେଁ । କିନ୍ତୁ, କର୍ଣ୍ଣାଟକ ପରିସ୍ଥିତି ଭିନ୍ନ । ସେଠାରେ କଂଗ୍ରେସ, ଜେଡ଼ିଏସ୍ ବିଧାୟକଙ୍କ ମଧ୍ୟରେ ଯେଭଳି ଅସ୍ଥିରତା ସୃଷ୍ଟି କରାଯାଇ ରୁଟି ଶେକିବାର ଉଦ୍ୟମ ହେଉଛି, ତାହା ହିଁ ଚିନ୍ତାର କାରଣ ହୋଇଛି । ଶାସନରେ ଥିବା ଦୁଇ ଦଳର ବିଧାୟକଙ୍କ ମଧ୍ୟରୁ ଅନ୍ୟୁନ ୧୫ରୁ ୧୬ ଜଣ ଇସ୍ତଫା ଦେଇ ମେଂଟ ସରକାରର ପତନ ପାଇଁ ବାଟ ଖୋଲିଛନ୍ତି। ସେଥି ସକାଶେ ଅର୍ଥ ଓ କ୍ଷମତାର ଯେଭଳି ଦୂରୁପଯୋଗ ହୋଇଛି ତାହା କେବଳ ଏକ କ୍ଷମତାଶାଳୀ ଓ ବିତ୍ତଶାଳୀ ଶକ୍ତି ଦ୍ୱାରା ହିଁ ସମ୍ଭବ । ବେଙ୍ଗୁଲୁରରେ ଚାଲି ଥିବା ରାଜନୀତିକ ଘମାସାନ ପଛରେ ସୁଚିନ୍ତିତ ଷଡଯନ୍ତ୍ର ରହି ଥିବା ଏଥିରୁ ସ୍ପଷ୍ଟ ହେଉଛି ।
୧୩ ମାସ ତଳେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖିଆ ୟେଦୁରାପ୍ପାଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢି ୧୦୫ ଆସନରେ ବିଜୟୀ ହୋଇଥିବା ମଧ୍ୟ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥିବାରୁ ସରକାର ଗଠନ କରି ପାରୁ ନଥିଲା । କାରଣ, ସରକାର ଗଠନ ପାଇଁ ୧୧୩ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି । ବିଜେପି ଏକାକୀ ସର୍ବାଧିକ ଆସନ ପାଇଥିବା ବେଳେ କଂଗ୍ରେସ ବା ଜେଡ଼ିଏସ୍ ର ସମର୍ଥନ ପାଇବା ଅବକାଶ ନ ଥିଲା । ୟେଦୁରାପ୍ପା ବିଜେପି ସପକ୍ଷରେ ସମର୍ଥନ ଯୋଗାଡ କରିବାକୁ ଉଦ୍ୟମ ଜାରି ରଖି ଥିବା ବେଳେ କର୍ଣ୍ଣାଟକ ବିଧାନସଭାରେ ୭୯ ଆସନରେ ବିଜୟୀ ହୋଇଥିବା କଂଗ୍ରେସ ଦଳ ୩୬ ଆସନ ପାଇ ଥିବା ଜନତା ଦଳ (ଧର୍ମନିରପେକ୍ଷ) ବା ଜେଡ଼ିଏସ୍ ସହ ନିର୍ବାଚନ ପରବର୍ତୀ ମେଂଟ କରି ସ୍ୱାଧୀନ ଏବଂ ବିଏସ୍ ପି ବିଧାୟକଙ୍କ ସମର୍ଥନରେ ସରକାର ଗଠନ ଉଦ୍ୟମ କରିଥିଲା । ତେବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ସହଜରେ ମଇଦାନ ଛାଡିବା ଅବସ୍ଥାରେ ନ ଥିଲେ । କଂଗ୍ରେସ-ଜେଡ଼ିଏସ୍ ମେଂଟକୁ ସରକାର ଗଠନରୁ ଦୂରେଇ ରଖିବା ସକାଶେ ସେ ରାଜ୍ୟପାଳଙ୍କ ସହାୟତା ନେଇ ଥିଲେ । ରାଜ୍ୟପାଳ ମେଂଟକୁ ସରକାର ଗଠନ ପାଇଁ ନ ଡ଼ାକି ୧୦୫ ବିଧାୟକ ଥିବା ୟେଦୁରାପ୍ପାଙ୍କୁ ତରବରିଆ ଭାବେ ସରକାର ଗଠନ କରିବା ସୁଯୋଗ ଦେଇଥିଲେ । ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଆସ୍ଥା ଭୋଟରେ ବିଜୟୀ ହେବା ଉପକ୍ରମ କରୁଥିବା ବେଳେ କଂଗ୍ରେସ ଓ ଜେଡ଼ିଏସ୍ ରାଜ୍ୟପାଳଙ୍କ ପଦକ୍ଷେପ ଅଗଣତାନ୍ତ୍ରିକ ଏବଂ ତାହା ଘୋଡା ବେପାରକୁ ପ୍ରୋତ୍ସାହିତ କରୁଛି ଦର୍ଶାଇ ସୁପ୍ରିମ କୋର୍ଟରେ ଆଶ୍ରୟ ନେଇ ଥିଲେ । ସୁପ୍ରିମ କୋର୍ଟ ଅଗ୍ରାଧିକାର ଭିତ୍ତିରେ ଆବେଦନର ଶୁଣାଣୀ କରି ରାଜ୍ୟପାଳଙ୍କ ପଦକ୍ଷେପକୁ ସମାଲୋଚନା କରିବା ସହ ୟେଦୁରାପ୍ପାଙ୍କୁ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ କହି ଥିଲେ । ଏଥି ସକାଶେ ୟେଦୁରାପ୍ପା ଯେତିକି ସମୟ ଚାହିଁ ଥିଲେ ତାହା ମିଳି ନଥିଲା । କୋର୍ଟ ଯେତିକି ସମୟ ଦେଲେ ସେଥିରେ ଆବଶ୍ୟକ ସଂଖ୍ୟା ଯୋଗାଡ କରି ନ ପାରି ୟେଦୁରାପ୍ପା ଅନାସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ-ଜେଡ଼ିଏସ୍ ମେଂଟ ରାଜ୍ୟରେ ସରକାର ଗଠନ କଲେ।
ଏହି ପୃଷ୍ଠଭୂମିରେ କର୍ଣ୍ଣାଟକରେ ୨୦୧୮ ନିର୍ବାଚନ ପରଠାରୁ ଅସ୍ଥିରତା ଲାଗି ରହିଛି । ରାଜ୍ୟରେ କଂଗ୍ରେସ ଓ ଜେଡ଼ିଏସ୍ ମେଂଟ ସରକାର ଥିଲେ ମଧ୍ୟ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ବିଧାୟକ ସଂଖ୍ୟା (୭୯) ଅଧିକ । ତେବେ, ଜେଡ଼ିଏସ୍ ସହ ବିଝାମଣା ଭିତ୍ତିରେ କଂଗ୍ରେସ ଦଳ ମାତ୍ର ୩୬ ବିଧାୟକ ଥିବା ଜେଡ଼ିଏସ୍ କୁ ମୁଖ୍ୟମନ୍ତ୍ରୀ ପଦ ସମର୍ପଣ କରିଥିଲା, ଯାହାକି ରାଜ୍ୟ କଂଗ୍ରେସ ନେତୃ ମହଲରେ ଅଶାନ୍ତିର କାରଣ ହୋଇଥିଲା । ଜେଡ଼ିଏସ୍ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବଗୌଡାଙ୍କ ପୁତ୍ର ଏଚଡ଼ି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ଦିନ ଠାରୁ ଦୁଇ ଦଳ ମଧ୍ୟରେ ଅନ୍ତନ୍ଦ୍ୱର୍ନ୍ଦ୍ୱ ରହିଛି । ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ (ମୁଖ୍ୟମନ୍ତ୍ରୀ ଆଶାୟୀ) ମେଂଟ ସରକାରରେ ଅସ୍ଥିରତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଥାଇ ଦଳର ରାଜ୍ୟସ୍ତର ନେତାମାନଙ୍କୁ ନିୟନ୍ତ୍ରଣ କରି ନ ପାରିବାରୁ ବିଶୃଙ୍ଖଳା ବଢି ଚାଲିଲା । କଂଗ୍ରେସ ନେତାଙ୍କ ମେଂଟ ବିରୋଧୀ ଆଚରଣରେ କ୍ଷୁବ୍ଧ ଜେଡ଼ିଏସ୍ ନେତା ତଥା ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ‘ରାଜ୍ୟରେ ସରକାର ଚଳାଇବା ମୁସ୍କିଲ ହେଉଛି ଏବଂ ସକାଳୁ ଉଠିଲେ ବିଶୃଙ୍ଖଳାର ଗରଳ ପିଇବାକୁ ପଡୁଛି’ ବୋଲି ଗଣମାଧ୍ୟମରେ ମନ୍ତବ୍ୟ ଦେଇ ନିଜର ଅସହାୟତା ବ୍ୟକ୍ତ କରିଥିଲେ । କଂଗ୍ରେସ ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସେ ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀ ପରିଷଦର ପୁନର୍ଗଠନ କରିଥିଲେ ମଧ୍ୟ କଂଗ୍ରେସ ନେତାଙ୍କ ଅସନ୍ତୋଷ ଥମି ନଥିଲା । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ‘କଂଗ୍ରେସ ତୁଷ୍ଟିକରଣ ନୀତି’ ଜେଡ଼ିଏସ୍ ବିଧାୟକଙ୍କ ଅସନ୍ତୋଷର କାରଣ ହୋଇଥିଲା । ରାଜ୍ୟରେ କଂଗ୍ରେସ-ଜେଡ଼ିଏସ୍ ମେଂଟ ସରକାର ଏଭଳି ଏକ ‘ତରଳ’ ରାଜନୈତିକ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଥିବା ବେଳେ ରାଜ୍ୟ ବିଜେପି ଅଧ୍ୟକ୍ଷ ୟେଦୁରାପ୍ପା ସୁଯୋଗ ଦେଖି କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକଙ୍କୁ ପ୍ରଲୋଭିତ କରି ସରକାର ଭାଙ୍ଗିବା ଉଦ୍ୟମ ଜାରି ରଖି ଥିଲେ । ବର୍ଷକ ପରେ ମେଂଟ ସରକାରକୁ ଭାଙ୍ଗିବା ପାଇଁ ତାଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ମାତ୍ରାଧିକ ଜନସମର୍ଥନ ପାଇ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ବିଜେପି କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ୍ ମେଂଟ ସରକାରର ପତନ ଘଟାଇ ବିଜେପି ସରକାର ପ୍ରତିଷ୍ଠା କରିବାକୁ ୟେଦୁରାପ୍ପାଙ୍କୁ ସବୁଜ ସଂକେତ ଦେଇ ସାରିଛି । ଫଳରେ, ଦୁଇ ଦଳର ବିଧାୟକଙ୍କୁ ବିଜେପି ଆଡକୁ ଟାଣି ମେଂଟ ସରକାର ଭାଂଗିବାର ସଫଳ ଯୋଜନା କରିଛନ୍ତି ୟେଦୁରାପ୍ପା ।
ରାଜ୍ୟର କଂଗ୍ରେସ ନେତାମାନେ କ୍ଷମତା ପାଇଁ ଏତେଦୂର ଅନ୍ଧ ଯେ ବିଜେପିର ଚାଲ୍ କୁ ବୁଝି ନ ବୁଝିଲା ଭଳି ଗୋଷ୍ଠୀ କନ୍ଦଳରେ ମାତିଛନ୍ତି । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସରକାରକୁ ଅସ୍ଥିର କରିବାରେ ସେମାନଙ୍କ ଭୂମିକା କିଛି କମ୍ ନୁହେଁ । କେନ୍ଦ୍ରରେ କଂଗ୍ରେସର ଦୁର୍ବଳ ସ୍ଥିତି ଏବଂ ରାଜ୍ୟରେ କଂଗ୍ରେସ ନେତାଙ୍କ କ୍ଷମତା କଂଦଳରେ ଅତିଷ୍ଟ କଂଗ୍ରେସ ବିଧାୟକମାନେ ୟେଦୁରାପ୍ପାଙ୍କ ଜାଲରେ ଫସି ଥିବା ବେଳେ ଜେଡ଼ିଏସ୍ ବିଧାୟକଙ୍କ ମଧ୍ୟରୁ କିଛି ଏହି ଷଡଯନ୍ତ୍ରର ଶିକାର ହୋଇଛନ୍ତି । ପ୍ରଥମେ କଂଗ୍ରେସର ୧୦ ଓ ଜେଡ଼ିଏସ୍ ର ୩ ଏପରି ମୋଟ ୧୩ ବିଧାୟକ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଲେ । କୁମାରସ୍ୱାମୀଙ୍କ ସରକାରଙ୍କୁ ସମର୍ଥନ ଦେଉଥିବା ସ୍ୱାଧୀନ ବିଧାୟକ ନାଗେଶ ମଧ୍ୟ ମନ୍ତ୍ରୀ ପଦ ଛାଡି ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ତାହାକୁ ସମର୍ଥନ ଦେବେ ବୋଲି ବାଚସ୍ପତିଙ୍କୁ ଜଣାଇ ଦେଲେ । ପରେ ପରେ ଆଉ କିଛି ବିଧାୟକଙ୍କ ଇସ୍ତଫା ବିଦ୍ରୋହୀଙ୍କ ତାଲିକାକୁ ଲମ୍ବା କରିଛି । ରାଜ୍ୟରେ ଏହି ଇସ୍ତଫା ନାଟକ ଚାଲି ଥିବା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ କଂଗ୍ରେସର ବରିଷ୍ଠ ନେତାମାନେ ବିଦେଶ ଗସ୍ତରେ ଥିଲେ । ବିଦ୍ରୋହୀ ବିଧାୟକମାନଙ୍କୁ ଚାଟର୍ଡ ବିମାନରେ ନେଇ ମୁମ୍ବାଇ, ଗୋଆରେ ରଖା ଯାଇ ଥିବା ଖବର ପାଇ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ କଂଗ୍ରେସର ବରିଷ୍ଠ ନେତା ଶିବ କୁମାର ମୁମ୍ବାଇ ଯାଇ ବିଦ୍ରୋହୀଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ, ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ଧମକ ଦିଆ ଗଲା । ତେବେ, ତାହା ମଧ୍ୟ କାମ କଲାନି । ଓଲଟା, ମୁମ୍ବାଇର ଏକ ପଂଚ ତାରକା ହୋଟେଲରେ ମଉଜ କରୁଥିବା ବିଦ୍ରୋହୀ କଂଗ୍ରେସ, ଜେଡ଼ିଏସ୍ ବିଧାୟକମାନେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ କଂଗ୍ରେସ ନେତା ଡ଼ି. ଶିବକୁମାର ସେମାନେ ରହୁଥିବା ହୋଟେଲରେ ଧଶେଇ ପଶିବାର ଆଶଙ୍କା ରହିଛି ବୋଲି ଦର୍ଶାଇ ସୁରକ୍ଷା ଦେବାକୁ ମୁମ୍ବାଇ ପୁଲିସ କମିଶନରଙ୍କୁ ଚିଠି ଲେଖିଲେ । ପୁଲିସ ସଂପୃକ୍ତ ଷ୍ଟାର୍ ହୋଟେଲ ନିକଟରେ ଯଗି ରହି କଂଗ୍ରେସ ନେତା ଶିବ କୁମାରଙ୍କ ଉଠାଇ ନେଲେ । ଏଥିରୁ ବିଦ୍ରୋହୀ ବିଦ୍ରୋହୀଙ୍କ ପଛରେ କାହା ଆଶୀର୍ବାଦ ରହିଛି ସୁସ୍ପଷ୍ଟ ।
କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଦ୍ରୋହୀଙ୍କ ଇସ୍ତଫା ଗ୍ରହଣ ନ କରି ମେଂଟ ସରକାରର ଆୟୁଷ ବଢାଇବାକୁ ଉଦ୍ୟମ କରିବାରୁ ବିଦ୍ରୋହୀ ବିଧାୟକମାନେ ସୁପ୍ରିମ କୋର୍ଟର ଆଶ୍ରୟ ନେଇଛନ୍ତି । କୋର୍ଟ ବିଧାନସଭା ବାଚସ୍ପତିଙ୍କ ସ୍ପଷ୍ଟୀକାରଣ ଲୋଡିବାରୁ ବୈଷୟିକ କାରଣରୁ ଇସ୍ତଫାଗୁଡିକ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ବାଚସ୍ପତି ସୁପ୍ରିମ କୋର୍ଟକୁ ଜଣାଇଛନ୍ତି । ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ କେତେକ ଉଚିତ ଫର୍ମାଟରେ ସେମାନଙ୍କ ଇସ୍ତଫା ଦେଇ ନ ଥିବା ବାଚସ୍ପତି କୋର୍ଟକୁ ଜଣାଇବାରୁ ଆବେଦନକାରୀ ବିଧାୟକମାନଙ୍କୁ କର୍ଣ୍ଣାଟକ ବିଧାନସଭାରେ ପହଂଚି ନିର୍ଦ୍ଧାରିତ ଫର୍ମାଟରେ ଇସ୍ତଫା ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇ ଥିଲେ । ବିଧାୟକମାନଙ୍କୁ ସୁରକ୍ଷିତ ଭାବେ ବିଧାନସଭାରେ ପହଂଚାଇବା ସକାଶେ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ସେହି ଅନୁସାରେ ବିଦ୍ରୋହୀ ବିଧାୟକମାନେ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ବିଧାନସଭାରେ ପହଂଚି ନିର୍ଦ୍ଧାରିତ ଫର୍ମାଟ୍ ରେ ସେମାନଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟରେ ଦାଖଲ କରିଛନ୍ତି । କୋର୍ଟଙ୍କ ୧୨ ତାରିଖ ନିଷ୍ପତ୍ତି ଅନୁଯାୟୀ ସବୁ କାର୍ଯ୍ୟ ହୋଇଛି । ଉଭୟ କଂଗ୍ରେସ ଓ ଜେଡ଼ିଏସ୍ ନେତୃତ୍ୱ ପକ୍ଷରୁ ବିଦ୍ରୋହୀ ବିଧାୟକମାନଙ୍କୁ ବୁଝାଇବାର ଶେଷ ଚେଷ୍ଟା ମଧ୍ୟ ସରିଛି । କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଇ ମାମଲାର ପରବର୍ତୀ ଶୁଣାଣୀ ୧୬ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି । ଏଭଳି ସ୍ଥିତିରେ ବାଚସ୍ପତି ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ସରକାରଙ୍କୁ ନିର୍ଦେଶ ଦେବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରିସ୍ଥିତିକୁ ବୁଝି ବିଧାନସଭାରେ ଅନାସ୍ଥା ପ୍ରସ୍ତାବର ସାମନା କରିବାକୁ ତାଙ୍କ ସରକାର ପ୍ରସ୍ତୁତ ବୋଲି କହିଲେଣି । ସରକାରଙ୍କ ବିଜୟ ସୁନିଶ୍ଚିତ ବୋଲି ମୁଖ୍ୟମନ୍ତ୍ରୀ କହିବା ଆଉ ଏକ ଘୋଡା ବେପାରର ବାଟ ଖୋଲିଛି ।
ପୂର୍ବରୁ ବିଦ୍ରୋହୀ ବିଧାୟକମାନଙ୍କୁ ମନ୍ତ୍ରୀ କରିବା ଥୋପ ଦେଖାଇ ରାଜ୍ୟ ମନ୍ତ୍ରୀ ପରିଷଦରୁ ସମସ୍ତ କଂଗ୍ରେସ ଓ ଜେଡ଼ିଏସ୍ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ତଥାପି, ବିଦ୍ରୋହୀ ଜାଲରେ ପଡୁ ନାହାନ୍ତି । ବିଧାନସଭାରେ ଶକ୍ତି ପରୀକ୍ଷାର ଦିନ ଧାର୍ଯ୍ୟ କରିବାକୁ ସରକାର ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇ ଥିବାରୁ ମେଂଟ କିଛି ବିଧାୟକକୁ ଦଳକୁ ଫେରାଇ ଆଣିବାକୁ ଜାଲ ପକାଇବା ନିଶ୍ଚିତ । ଏତିରେ ସଫଳ ନହେଲେ କୁମାରସ୍ୱାମୀ ବର୍ଷେ ତଳେ ୟେୁଦୁରାପ୍ପାଙ୍କ ଭଳି ମଇଦାନ ଛାଡିବାକୁ ବାଧ୍ୟ ହେବେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନେ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେବାର ପରଂପରା ରହିଛି । ତାହ ମଧ୍ୟ ଆଇନ ଅନୁମୋଦିତ । ତେଣୁ, କର୍ଣ୍ଣାଟକ ବିଧାନସଭାର ବିଦ୍ରୋହୀ ବିଧାୟକମାନେ ନିଜ ପଦରୁ ଇସ୍ତଫା ଦେବାର ପୂର୍ଣ୍ଣ ଅଧିକାର ରଖିଛନ୍ତି । ବାଚସ୍ପତି କିମ୍ବା ବିଚାର ବିଭାଗ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରି ପାରିବେ ନାହିଁ । କିନ୍ତୁ, ଏତେ ସଂଖ୍ୟାରେ ବିଧାୟକ ଏକାଠି ଇସ୍ତଫା ଦେବା ପଛରେ କି ଉଦେ୍ଦଶ୍ୟ ରହିଛି ତାହା ଅଛପା ନୁହେଁ । ବିଦ୍ରୋହୀ ବିଧାୟକମାନେ ବିଜେପିକୁ ସିଧାସଳଖ ସମର୍ଥନ ଦେଇ ‘ଦଳ ବଦଳ ଆଇନ’ରେ ଫସିବାକୁ ଚାହୁଁ ନାହାନ୍ତି । ତେଣୁ, ଇସ୍ତଫାର ନାଟକ କରିଛନ୍ତି । ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କଲେ ମେଂଟ ସରକାର ଭୁଶୁଡ଼ିବ ଏବଂ ସରକାର ଗଠନ ପାଇଁ ବେଂଚମାର୍କ ତଳକୁ ଖସି ଆସିଲେ ୟେଦୁରାପ୍ପାଙ୍କ ନେତୃତ୍ୱରେ ବିଜେପି ଆରାମରେ ସରକାର ଗଢି ପାରିବ । ତେଣୁ, ବାଚସ୍ପତି ତାହା କରାଇ ନ ଦେବାକୁ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରୁ ନ ଥିଲେ । ବିଦ୍ରୋହୀ ବିଧାୟକମାନେ ବାଚସ୍ପତିଙ୍କୁ ସୁପ୍ରିମ କୋର୍ଟକୁ ଟାଣି ବିଜେପିକୁ ସୁହାଇଲା ଭଳି ଖେଳ ଖେଳିଛନ୍ତି ।
ଶାସକ ମେଂଟର ୧୫ରୁ ଅଧିକ ବିଧାୟକ ଏକା ସାଂଗରେ ଇସ୍ତଫା ଦେବାର ଅଭିପ୍ରାୟ କଣ ଜାଣିଥିବା ବାଙ୍ଗାଲୁର ବୁଦ୍ଧିଜୀବୀ ରାଜ୍ୟ ରାଜଧାନୀରେ ଚାଲିଥିବା ରାଜନୈତିକ ଖେଳକୁ ନେଇ ଆଚମ୍ବିତ ନୁହନ୍ତି । କାରଣ, ଅତୀତରେ ରାମକୃଷ୍ଣ ହେଗଡେଙ୍କ ଭଳି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତାଚ୍ୟୁତ କରି ନିଜେ ମୁଖ୍ୟମନ୍ତ୍ରୀ ହେବା ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେ ଗୌଡା ଏହି ପରଂପରା ଆରମ୍ଭ କରିଛନ୍ତି । ହେଗଡେ କ୍ଷମତାଚ୍ୟୁତ ହୋଇ ଯେଭଳି ଦୟନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲେ ସେହି ଅବସ୍ଥା ଆଜି ଦେବେଗୌଡାଙ୍କ ପୁଅ କୁମାରସ୍ୱାମୀଙ୍କ ହେବାକୁ ଯାଉଛି । ପରିଣତ ବୟସରେ ପହଂଚି ସାରି ଥିବା ଦେବେଗୌଡା ଏବେ ମଧ୍ୟ ରାଜନୀତିର ସକ୍ରିୟ । ସେ ଜାଣନ୍ତି ଏବେ ଚାଲି ଥିବା ଖେଳ ୟେଦୁରାପ୍ପାଙ୍କ ମଧ୍ୟରେ ସୀମିତ ନୁହେଁ, ଏହା ପଛରେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରିୟ ସଭାପତିଙ୍କ ପ୍ରଚ୍ଛନ୍ନୂ ଭୂମିକା ରହିଛି । ତେଣୁ, ସେ କୁମାରସ୍ୱାମୀଙ୍କୁ ଇସ୍ତଫା ନ ଦେଇ ନିଜ ପଦରେ ଅଡି ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ, ବିଧାନସଭାରେ ସଂଖ୍ୟାର ଖେଳ ଉପରେ ସରକାରଙ୍କ ଭବିଷ୍ୟକ ନିର୍ଭର କରୁଥିବାରୁ କର୍ଣ୍ଣାଟକ ରାଜନୀତି କୁଆଡକୁ ଯିବ ତାହା ଦିନେ ୧୬ ତାରିଖ ପରେ ସ୍ପଷ୍ଟ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS