ବିରଳ ବ୍ୟକ୍ତିତ୍ୱ ଥିଲେ ଏସ୍. ଜୟପାଲ ରେଡ୍ଡୀ


– ପ୍ରସାଦ ରାଓ –
ଜୁଲାଇ ୩୧ ତାରିଖ
ବଂଚି ଥିବା ବେଳେ ଦେଶ ତାଙ୍କୁ ଭୁଲି ଯାଇଥିଲା । ମୃତ୍ୟୁ ପରେ ସମସ୍ତେ ମନେ ପକାଉଛନ୍ତି ସେହି ମହାନ ରାଜନେତାଙ୍କୁ, ଯିଏକି ନିଜର ସାଧୁତା ଓ ଗୁଣବତ୍ତା ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟ ଥିଲେ । ଏହି ରାଜନୈତିକ ବ୍ୟକ୍ତିତ୍ୱ ହେଉଛନ୍ତି ଆଜିର ତେଲେଙ୍ଗନାର ଦିବଙ୍ଗତ ନେତା ଏସ. ଜୟପାଲ ରେଡ୍ଡୀ । ୭୭ ବର୍ଷ ବୟସରେ ରବିବାର ଦିନ ତାଙ୍କ ପରଲୋକ ଘଟିଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ସବୁ ବରିଷ୍ଠ ରାଜନେତା ତାଙ୍କୁ ମନେ ପକାଉଛନ୍ତି ଓ ଗୁଣଗାନ କରିଛନ୍ତି । ଆଦର୍ଶ ଓ ଗୁଣବତ୍ତାର ପ୍ରତୀକ ଥିଲେ ଜୟପାଲ । ଆଜିର ରାଜନୀତିରେ ସେହି ମହାନତାର ଅଭାବ ଦେଖା ଦେଇଛି । ଭୁଲ ହେଲେ ନିଜ ଦଳର ନେତାଙ୍କୁ ମଧ୍ୟ ଚେତାଇ ଦେବାର ଦାମ୍ଭିକତା ଏହି ଭଳି କିଛି ରାଜନେତାଙ୍କ ମୃତ୍ୟୁ ପରେ ଶୂନ ହେବାକୁ ବସିଛି ।
ଆଜିର ତେଲେଙ୍ଗାନା ରାଜ୍ୟ ୨୦୧୪ ପର୍ଯ୍ୟନ୍ତ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ଏକ ଅଂଶ ଥିଲା । ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଦାବି ବହୁ ବର୍ଷ ପୁରୁଣା । ଦିଗଙ୍ଗତ ନେତା ଜୟପାଲ ରେଡ୍ଡୀ ତାଙ୍କ ଛାତ୍ର ଜୀବନରୁ ଏହି ଆନ୍ଦୋଳନର ନିଆଁକୁ ଅନୁଭବ କରିଛନ୍ତି । ତେବେ, ସେ ବିଭାଜନ ସପକ୍ଷରେ ନ ଥିଲେ । ଗୋଟିଏ ରାଜ୍ୟରେ ବିଶ୍ୱାସ କରୁଥିଲେ । ଛାତ୍ର ନେତା ଥିବା ସମୟରେ ସେ ଏଇଥି ପାଇଁ ବହୁ ବାର ଆକ୍ରମଣର ସମ୍ମୁଖୀନ ହୋଇଥିଲେ ବୋଲି ତାଙ୍କ ସମସାମୟିକ ରାଜନେତାମାନେ କୁହନ୍ତି । କିନ୍ତୁ, ଆଜିର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଦାବି ଚରମ ସ୍ତରରେ ପହଂଚିବା ପରେ ଜନମତକୁ ଦେଖି ଜୟପାଲ ବାଧ୍ୟ ହୋଇ ସ୍ୱର ବଦଳାଇ ଥିଲେ । ୟୁପିଏ-୨ ସରକାରରେ ୨୦୧୪ରେ ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ହେଲା । ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏହି ନିଷ୍ପତ୍ତି ନେଇ ଥିଲେ ସତ, କିନ୍ତୁ ଏହା ପଛରେ ଜୟପାଲଙ୍କ ନୀରବ ସହମତି ରହି ଥିଲା । ସେହି ସମୟରେ ଆନ୍ଧ୍ରବାସୀଙ୍କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ଆର୍ଥିକ ସହାୟତାର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡ଼ିଏ ସରକାର ଆନ୍ଧ୍ରବାସୀଙ୍କ ଏହି ଦାବି ପୂରଣ କରିବା ପ୍ରତିଶ୍ରୁତି ଦେଇ ପରେ ଓହରି ଯିବାରୁ ୨୦୧୯ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ଏନ.ଚନ୍ଦ୍ରବାବୁ ନାଇଡୁ ଏନଡ଼ିଏରୁ ଓହରି ଯାଇଥିଲେ । ବିଜେପି ନାଇଡୁଙ୍କୁ ଶିକ୍ଷା ଦେବା ସକାଶେ ୨୦୧୯ ନିର୍ବାଚନରେ ୱାଇ.ଏସ୍.ଆର କଂଗ୍ରେସ ସହ ଯୋଡି ହୋଇ ତାହାର ନେତା ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ।
ଆଜି ଦିନରେ ରାଜନୀତି କେଉଁ ସ୍ତରକୁ ଖସିଲାଣି ତାହା ଏଥିରୁ ଅନୁମାନ କରି ହେବ । ମୂଲ୍ୟବୋଧ ନ ଥିବା ରାଜନେତାମାନେ ଆଜିର ରାଜନୀତିକୁ କଳୁଷିତ କରିଥିବା ବେଳେ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସାହସ ଦେଖାଇ ପାରୁ ନାହାନ୍ତି ସହକର୍ମୀମାନେ । କିନ୍ତୁ, ଦିବଙ୍ଗତ ନେତା ଜୟପାଲ ରେଡ୍ଡୀ ଏଥିରେ ବ୍ୟତିକ୍ରମ ଥିଲେ । ସେ କଂଗ୍ରେସରେ ଥାଇ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ୧୯୭୫ରେ ଜାରି କରାଯାଇଥିବା ଜରୁରୀ ପରିସ୍ଥିତି (ଏମର୍ଜେନ୍ସି)କୁ ବିରୋଧ କରିଥିଲେ ଏବଂ କଂଗ୍ରେସ ଛାଡି ୧୯୭୭ରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଗଠିତ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୧୯୮୦ରେ ସେ ଇନ୍ଦିରାଙ୍କ ବିରୋଧରେ ଜନତା ପାର୍ଟି ପ୍ରାର୍ଥୀ ଭାବେ ମେଡାକ୍ ଲୋକସଭା ଆସନରୁ ନିର୍ବାଚନ ଲଢି ଥିଲେ । ଅବଶ୍ୟ, ପରେ ସେ କଂଗ୍ରେସକୁ ଫେରିଲେ ସିନା ବୋଫର୍ସ ମାମଲାରେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ କଯୁ ସମାଲୋଚନା କରିବାକୁ ପଛାଇ ନ ଥିଲେ । ଜୟପାଲ ନିଜର ଏହି ନିର୍ଭିକତା ପାଇ ଉଭୟ କଂଗ୍ରେସ ଓ ଅଣ-କଂଗ୍ରେସ ଦଳର ନେତାମାନଙ୍କ ସମ୍ମାନର ପାତ୍ର ଥିଲେ । ତାଙ୍କ ନିର୍ଭିକ ବିଚାରଧାରାକୁ ସମସ୍ତେ ସମ୍ମାନ କରୁଥିଲେ। ଜୟପାଲ କେବଳ ରାଜନେତା ନୁହେଁ ଜଣେ ଚିନ୍ତଶୀଳ ବ୍ୟକ୍ତତ୍ୱ, ଲେଖକ ଓ ବକ୍ତା ଭାବେ ପରିଚିତ ଥିଲେ । ଜନତା ସାଧାରଣଙ୍କ ଦୈନନ୍ଦିନ ସମସ୍ୟା ସବୁକୁ ସେ ଏଭଳି ଭାବେ ଉପସ୍ଥାପନ କରୁଥିଲେ ବିରୋଧୀ ମଧ୍ୟ ପ୍ରଶଂସା କରୁଥିଲେ ।
ଦିବଙ୍ଗତ ନେତା ଏସ. ଜୟପାଲ ରେଡ୍ଡୀଙ୍କ ଜନ୍ମ ୧୯୪୨ ମସିହାରେ । ସେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ନାଲଗୋଣ୍ଡା ଜିଲ୍ଲା ନେରମେଟ୍ଟାରେ ଜନ୍ମ ଗ୍ରହଣ କରିଥିଲେ । ୧୮ ମାସର ଛୁଆ ଥିବା ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ ଏବଂ ଶେଷ ଜୀବନ ପର୍ଯ୍ୟନ୍ତ ଜଣେ ଦିବ୍ୟାଙ୍ଗ ରାଜନେତା ଭାବେ ପ୍ରତିକୂଳ ପରିସ୍ଥିତି ସହ ଲଢି ନିଜର ଗାରିମା ପ୍ରତିଷ୍ଠା କରିଥିଲେ । ଉଭୟ ତେଲୁଗୁ ଓ ଇଂରାଜୀ ଭାଷାରେ ସେ ଓଜସ୍ୱନୀ ଭାଷଣ ଦେଇ ପାରୁ ଥିଲେ । ଜୟପାଲଙ୍କ ଭାଷଣ ଓ ଖଟା, ମିଠା ସମାଲୋଚନା ବିରୋଧୀଙ୍କୁ ଚମକ୍ତୃତ କରୁଥିଲା । ସେ ଏମ.ଏ ସହ ହାଇଦ୍ରାବାଦ ଓସମାନିଆ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକ ଡ଼ିଗ୍ରୀ ଆସଲ କରିଥିଲେ । ସେ ଲୋକସଭାକୁ ପାଂଚ ଥର, ରାଜ୍ୟସଭାକୁ ଦୁଇ ଥର ଓ ବିଧାନସଭାକୁ ଚାରି ଥର ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ କଂଗ୍ରେସ ଓ ଅଣ କଂଗ୍ରେସ ସରକାରରେ ଗୁରୁତ୍ୱପୂର୍ଣର୍ ମନ୍ତ୍ରୀ ରହିଥିଲେ । ଦିବଙ୍ଗତ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲଙ୍କ ସରକାରରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହି ଥିଲେ । ୟୁପିଏ-୧ ସରକାରରେ ତାଙ୍କୁ ସୂଚନା, ପ୍ରସାରଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ଦାୟିତ୍ୱ ମିଳି ଥିଲା । ୟୁପିଏ-୨ ସରକାରରେ ମଧ୍ୟ ସେ ନଗର ଉନ୍ନୟନ ବିଭାଗ ସହ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଦାୟିତ୍ୱ ପାଇ ଥିଲେ । ୧୯୯୮ରେ ତାଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ କରାଯାଇଥିଲା । ୨୦୧୪ ନିର୍ବାଚନରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ସେ ପରାଜିତ ହେବା ପରେ ତାଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଥମି ଯାଇଥିଲା ।
୧୯୬୯ରୁ ୨୦୧୯-ଦୀର୍ଘ ୫୦ ବର୍ଷର ରାଜନୈତିକ ଜୀବନରେ ଜୟପାଲ ରେଡ୍ଡୀ କଂଗ୍ରେସରୁ ନିର୍ବାଚିତ ପ୍ରତିନିଧି ଭାବେ ଯାତ୍ରା ଆରମ୍ଭ କରି କଂଗ୍ରେସରେ ସାରିଛନ୍ତି । ତେବେ, ଜରୁରୀ ପରିସ୍ଥିତିକୁ ବିରୋଧ କରି ସେ କଂଗ୍ରେସ ଛାଡିବା ପରେ କିଚି ବର୍ଷ ଜନତା ପାର୍ଟି, ଜନତା ଦଳ, ମିଳିତ ସାମ୍ମୁଖ୍ୟରେ ଥିଲେ । ସେହି ସବୁ ଦଳରେ ଥିବା ଅବସ୍ଥାରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ୧୯୮୦ରେ ମେଡାକ୍ ଆସନରୁ ସେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିମୋନିଆରେ ଆକ୍ରାନ୍ତ ହୋଇ ରବିବାର ଦିନ ସେ ହାଇଦ୍ରାବାଦର ଏସିଆନ୍ ଇନିଷ୍ଟିଚ୍ୟୁଟ ଅଫ୍ ଗ୍ୟାସ୍ଟ୍ରୋଏଂଟ୍ରୋକୋଲୋଜିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ନିର୍ମଳ ଭାବମୂର୍ତର୍ୀ ସଂପନ୍ନ ନିର୍ଭିକ ନେତା ଭାବେ ସେ ଯେଉଁ ପରିଚିତି ପାଇଥିଲେ ତାହା ଆଜି, କାଲିର ନେତାଙ୍କ ମଧ୍ୟରେ ଖୁବ୍ କମ୍ ଦେଖିବାକୁ ମିଳୁଛି । ସୋମବାର ଦିନ ହାଇଦ୍ରାବାଦରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଉପ ରାଷ୍ଟ୍ରପତି ଏମ. ଭେଂକାୟା ନାଇଡୁ ଜୟପାଲଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ଅବସରରେ କହିଛନ୍ତି ଜୟପାଳ ରୋଡ୍ଡୀ ଭଳି ଜଣେ ରାଜନୈତିକ ଗୁରୁଙ୍କୁ ସେ ହରାଇଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହ ମଧ୍ୟ ଦିବଙ୍ଗତ ନେତା ଏସ୍.ଜୟପାଳ ରେଡ୍ଡୀଙ୍କ ଅନ୍ତରଂଗ ସଂପର୍କ ରହି ଥିଲା । ଦେଶ ଏଭଳି ଜଣେ ନିର୍ଭିକ ରାଜନେତାଙ୍କ ହରାଇ ଦୁଃଖି । ନୂଆ ପୀଢିର ନେତାଙ୍କ ପାଇଁ ଜୟପାଲଙ୍କ ଜୀବନୀ ପ୍ରେରଣାଦାୟୀ ହୋଇ ପାରିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS