କର୍ଣ୍ଣାଟକ ପରେ ମଧ୍ୟ ପ୍ରଦେଶ !
– ପ୍ରସାଦ ରାଓ –
ଜୁଲାଇ ୩୧ ତାରିଖ
କର୍ଣ୍ଣାଟକ ରାଜନୀତି ନୂଆ ମୋଡ ନେଇଛି । ବିଜେପି ନେତା ବିଏସ୍ ୟେଦୁରାପ୍ପା ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଜେପିର ଫୋକସ୍ ମଧ୍ୟ ପ୍ରଦେଶ ଆଡକୁ ମୋଡି ହୋଇଛି । ଦଳର ଉଚ୍ଚ କର୍ତୃପକ୍ଷ ସବୁଜ ସଂକେତ ଦେଲେ ମଧ୍ୟ ପ୍ରଦେଶ କଂଗ୍ରେସ ସରକାରଙ୍କୁ ୨୪ ଘଂଟାରେ କର୍ଣ୍ଣଟକ ସ୍ଥିତିରେ ପହଂଚାଇ ଦେଇ ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୋମବାର ଦିନ ବେଙ୍ଗୁଲୁରୁ ଠାରେ ମନ୍ତବ୍ୟ ଦେବା ପରେ କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ପଛରେ ବିଜେପିର ହାତ ଥିଲା, ତାହା ଅଧିକ ସ୍ପଷ୍ଟ ହୋଇଛି । ଅପରପକ୍ଷରେ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି, ସେ ରାଜନୀତିରେ କଂଚା ନୁହନ୍ତି । ଦଳ ଭଂଗା ରାଜନୀତିରେ ସେ ମଧ୍ୟ ମାହିର । ତେଣୁ, ବିଜେପି ମଧ୍ୟ ପ୍ରଦେଶ ସରକାର ଭାଂଗିବାକୁ ଚେଷ୍ଟା କଲେ ତାହାର ଉଚିତ ଜବାବ ପାଇବ ।
ବିଜେପି କର୍ଣ୍ଣାଟକରେ ଅସ୍ଥିରତା ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀଙ୍କ ଜେଡ଼ିଏସ୍-କଂଗ୍ରେସ ମେଂଟ ସରକାରକୁ କ୍ଷମତାଚ୍ୟୁତ କରିବା ପରେ ପରେ ମଧ୍ୟ ପ୍ରଦେଶ କଂଗ୍ରେସ ସରକାରର ଏକା ଅବସ୍ଥା ହେବ ବୋଲି କହିଥିଲା । ତାହାର ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ ଲୋଡି ନିଜ ଦଳର ବିଧାୟକଙ୍କ ସମେତ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମର୍ଥନ ପାଇଛନ୍ତି, ଯାହାକି ବିଜେପି ତଂଟିରେ କଂଟା ହୋଇଛି । ବିଜେପି କେନ୍ଦ୍ର ନେତୃତ୍ୱ ତାହାକୁ ଢୋକି ପାରୁ ନାହିଁ କିମ୍ବା ବାନ୍ତି କରି ପାରୁ ନାହିଁ । ସଂପୃକ୍ତ ଦୁଇ ବିଜେପି ବିଧାୟକ କଂଗ୍ରେସରେ ଯୋଗ ଦେବା କଥା କହୁଥିବା ବେଳେ ବିଜେପି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ପାରି ନିଜର ଅସହାୟତା ପ୍ରଦର୍ଶନ କରିଛି । ତଥାପି, ମଧ୍ୟ ପ୍ରଦେଶ ଆଗାମୀ ଦିନରେ ବିଜେପି-କଂଗ୍ରେସ ଛକାପଂଝାର ଏକ ପ୍ରମୁଖ କେନ୍ଦ୍ର ହେବ ଏଥିରେ କୌଣସି ସନ୍ଦେହ ନାହିଁ ।
କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ୍ ସରକାରକୁ ରକ୍ଷା କରିବାକୁ ଶେଷ ସମୟ ପର୍ଯ୍ୟନ୍ତ ଉଦ୍ୟମ କରି ସୁପ୍ରିମ କୋର୍ଟଙ୍କ ଅସନ୍ତୋଷର ସାମନା କରିଥିବା ବିଧାନସଭା ବାଚସ୍ପତି କେ.ଆର.ରମେଶ କୁମାର ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ହେବାରୁ ବିଧାନସଭା ବାଚସ୍ପତି ପଦରୁ ଆଗୁଆ ଇସ୍ତଫା ଦେଇଛନ୍ତି ସତ, କିନ୍ତୁ କୋର୍ଟ ଝମେଲାରୁ ମୁକୁଳି ପାରି ନାହାନ୍ତି । କଂଗ୍ରେସ ଓ ଜେଡ଼ିଏସ୍ ର ୧୪ ବିଦ୍ରୋହୀ ବିଧାୟକଙ୍କ ସମେତ ମୋଟ ୧୭ ବିଧାୟକଙ୍କୁ ସେ ବିଧାନସଭା ସଭ୍ୟ ପଦରେ ରହିବାକୁ ଅଯୋଗ୍ୟ ଘୋଷଣା କରିବା ପରେ ସେଥିରୁ ୩ ଜଣ ବିଧାୟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା କରିଛନ୍ତି । ବିଦାୟୀ ବାଚସ୍ପତି ରମେଶଙ୍କୁ ଏହି ଲଢେଇ ଳଢିବାକୁ ପଡିବ । ଏହି ୧୭ ବିଧାୟକ କର୍ଣ୍ଣାଟକରେ ଜେଡ଼ିଏସ୍-କଂଗ୍ରେସ ମେଂଟ ସରକାରର ପତନ ଏବଂ ୟେଦୁରାପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠାର ମୂଳ ଅସ୍ତ୍ର ଥିଲେ । ବିଧାନସଭାରେ ବହୁମତ ହରାଇବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀ ଇସ୍ତଫା ନ ଦେଇ ସମୟ ଗଡାଇବା ପଛରେ ବାଚସ୍ପତି ରମେଶ କୁମାରଙ୍କ ପ୍ରମୁଖ ଭୂମିକା ଥିଲା । କୁମାରସ୍ୱାମୀ ଆସ୍ଥା ଭୋଟ ଲୋଡି ୯୯-୧୦୫ ଭୋଟରେ ପରାଜିତ ହେବା ପରେ ଇସ୍ତଫା ଦେଇ ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିଲେ । ତେଣୁ, ୟେଦୁରାପ୍ପା ତାଭ୍କୁ ହଟାଇବା ପୂର୍ବରୁ ରମେଶ କୁମାର ନିଜେ ବାଚସ୍ପତି ପଦ ଛାଡିଛନ୍ତି ।
ବିଜେପି ସହ ହାତ ମିଳାଇ କର୍ଣର୍ାଟକରେ ଜେଡ଼ିଏସ୍-କଂଗ୍ରେସ ମିଳିତ ସରକାରଙ୍କୁ ଗାଦିଚ୍ୟୁତ କରିଥିବା ୧୭ ବିଧାୟକ ଆଶା ରଖି ଥିଲେ ୟେଦୁରାପ୍ପାଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ସେମାନେ ମନ୍ତ୍ରୀ ହେବେ ଏବଂ ଉପ ନିର୍ବାଚନ ଲଢି ବିଧାନସଭାକୁ ଆସିବେ । କିନ୍ତୁ, ବିଦାୟୀ ବାଚସ୍ପତି ରମେଶ କୁମାରଙ୍କ କାର୍ଯ୍ୟାନୁଷ୍ଠାନ ଏହି ଯୋଜନାରେ ପାଣି ପକାଇ ଦେଇଛି । ବିଧାୟକ ପଦରୁ ଇସ୍ତଫା ଦେଇ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିଥିବା ୧୭ ବିଧାୟକଙ୍କୁ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଅଯୋଗ୍ୟ ଘୋଷଣା କରିବା ସହ ୨୦୨୩ ପର୍ଯ୍ୟନ୍ତ ସେମାନେ କୌଣସି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ରୁଲିଂ ଦେଇ ଥିବାରୁ ୟେଦୁରାପ୍ପାଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟ ଫିଟି ଗଲା ସିନା ବିଦ୍ରୋହୀ ବିଧାୟକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିରୁ ନିସ୍ତାର ପାଇବା ସକାଶେ ସେମାନେ ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିବା ବେଳେ କ୍ଷମତାକୁ ଆସିବାର ଲକ୍ଷ୍ୟ ହାସଲ ହୋଇ ସାରି ଥିବାରୁ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ଏବେ ଏଥିରେ କେତେଦୂର ସହଯୋଗ କରିବେ ତାହା ପ୍ରଶ୍ନବାଚୀ ହୋଇଛି । ଆଗାମୀ ଦିନରେ ମଧ୍ୟ ପ୍ରଦେଶରେ ଏହି ଖେଳର ପୁନରାବୃତ୍ତି ହେବାକୁ ଥିବାରୁ ଏହି ଖେଳରେ ବିଜେପି ନା କଂଗ୍ରେସ – କିଏ ପାରଂଗମ ତାହା ସ୍ପଷ୍ଟ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS