ଓଡ଼ିଶାକୁ ଆଶ୍ୱସ୍ତି
– ପ୍ରସାଦ ରାଓ –
ଜୁଲାଇ ୩୧ ତାରିଖ
ରସଗୋଲା ଲଢେଇରେ ଓଡ଼ିଶାକୁ ଆଶ୍ୱସ୍ତି ମିଳିଛି । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍ ବିଭାଗ ପଶ୍ଚିମ ବଂଗ ରସଗୋଲା ପରେ ସେମାବାର (ଜୁଲାଇ ୨୯ରେ) ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେଇଛନ୍ତି । ପଶ୍ଚିମ ବଂଗ ରସଗୋଲା ୨୦୧୭ରେ ଜିଆଇ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ ଦ୍ୱାରା ଜିଆଇ ଟ୍ୟାଗ୍ ପାଇବା ପରେ ଓଡ଼ିଶାର ରସଗୋଲା ପ୍ରେମୀ, ଗବେଷକ ଓ ବ୍ୟବସାୟୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ସରକାରଙ୍କ ଅବହେଳାକୁ ଦାୟି କରିଥିଲେ । ଓଡ଼ିଶା ହିଁ ରସଗୋଲାର ଉତ୍ପତ୍ତି ସ୍ଥଳ, ରାଜ୍ୟ ସରକାର ହାତବାନ୍ଧି ବସିବାରୁ ପଶ୍ଚିମ ବଂଗ ରସଗୋଲା ଏହି ମାନ୍ୟତା ପାଇଗଲା ବୋଲି ଗବେଷକମାନେ ଅଭିଯୋଗ କରିବା ସହ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ରସଗୋଲାର ସଂପର୍କ ଶତାଧିକ ବର୍ଷ ପୂରାତନ ହୋଇଥିବା ନଥିପତ୍ର ଉପସ୍ଥାପନ କରିଥିଲେ । ବାସ୍ତବରେ ପ୍ରତି ବର୍ଷ ନୀଳାଦ୍ରି ବିଜେ ଅବସରରେ ଶ୍ରୀ ଜଗନ୍ନାଥ ମା’ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିବା ପ୍ରଥା ରହି ଆସିଛି । ଓଡ଼ିଶା ରସଗୋଲାର ଉତ୍ପତ୍ତି ସ୍ଥଳ ହୋଇଥିବା ବେଳେ ରାଜ୍ୟର କାରିଗରମାନେ ପଶ୍ଚିମ ବଂଗଳାରେ ବେପାର କରିବା ଅବସରରେ ତାହାର ପ୍ରସାର କରିଛନ୍ତି । ତେଣୁ, ବାସ୍ତବରେ ରସଗୋଲାର ଜିଆଇ ରେଜିଷ୍ଟ୍ରେସନ୍ ଟ୍ୟାଗ୍ ପଶ୍ଚିମ ବଂଗ ନୁହେଁ, ଓଡ଼ିଶାକୁ ମିଳିବା ଉଚିତ ବୋଲି ସାମାଜିକ ଗଣମାଧ୍ୟମ ଓ ପରେ ମୁଖ୍ୟସ୍ରୋତ ଗଣମାଧ୍ୟମରେ ପ୍ରବଳ ଦାବି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାନ୍ୟତା ପାଇଁ ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍ ବିଭାଗକୁ ଆବେଦନ କରାଯାଇଥିଲା । ବଂଗଳାକୁ କାଟି ଓଡ଼ିଶାକୁ ଏହି ମାନ୍ୟତା ଦିଆଯିବାକୁ ଦାବି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍ କର୍ତୃପକ୍ଷ ପଶ୍ଚିମ ବଂଗ ରସଗୋଲାକୁ ‘ବାଂଗଲାର ରସଗୋଲା’ ଜିଆଇ ଟ୍ୟାଗ୍ ଅପରିବର୍ତିତ ରଖି ଓଡ଼ିଶା ରସଗୋଲାକୁ ନୂଆ ଜିଆଇ ମାନ୍ୟତା ଦେଇଛନ୍ତି । ବଂଗଳା ରସଗୋଲା ବଂଗଳାର ଏବଂ ଓଡ଼ିଶା ରସଗୋଲା ଓଡ଼ିଶାର । ଏଥିରେ ଆତ୍ମସନ୍ତୋଷ ଲାଭ କରିବାକୁ ବାଧ୍ୟ ହୋଇଛନ୍ତି ଓଡ଼ିଆ ଗବେଷକମାନେ । ଓଡ଼ିଶା ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ଓଏସଆଇସି) ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ‘ଓଡ଼ିଶା ରସଗୋଲା’ ଜିଆ ମାନ୍ୟତାର ହିତାଧିକାରୀ ହୋଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରସଗୋଲାର ନୂଆ ମାନ୍ୟତାକୁ ନେଇ ଖୁସି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦାବିରେ ସାମାଜିକ ଗଣମାଧ୍ୟମ କ୍ୟାଂପେନ ଆରମ୍ଭ କରିଥିବା ଅନିତା ସାବତ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଅନିତାଙ୍କ କ୍ୟାପେନ ପରେ ୨୦୧୫ରେ ରାଜଧାନୀରେ ‘ରସଗୋଲା ଦିବସ’ ପାଳନର ଶୁଭାରମ୍ଭ ହୋଇଥିଲା । ଯାହାକି ପରବର୍ତୀ ବର୍ଷମାନଙ୍କରେ ଅଧିକରୁ ଅଧିକ ଆଦୃତି ହୋଇଛି । ତେବେ, ପ୍ରଶ୍ନ ଉଠୁଛି – ଜିଆଇ ମାନ୍ୟତା ପାଇବା ପରେ ‘ଓଡ଼ିଶା ରସଗୋଲା’ର ଗୁଣବତ୍ତା ବଢିବ କି ? ସାଲେପୁର ଓ ପାହାଳ ରସଗୋଲାର ସ୍ୱାଦ ନିଆରା ବୋଲି ରାଜ୍ୟବାସୀଙ୍କ ମନରେ ଧାରଣା ଥିଲା । ଏବେ ସେହି ଧାରଣା ଅନେକ ମାତ୍ରାରେ ବଦଳି ଗଲଣି । କ୍ୱାଲିଟି କମି କମି ଯାଉଥିବା ରସଗୋଲା-ପ୍ରେମୀ ଅଭିଯୋଗ କରୁଛନ୍ତି । ସାଲେପୁରର ବିକଳି କର ମିଠା ଦୋକାନରେ ମିଳୁଥିବା କ୍ୱାଲିଟି ରସଗୋଲା ଭୁବନେଶ୍ୱରରେ ମିଳୁନି । ତେବେ, ସେହି ସଂସ୍ଥା ଭୁବନେଶ୍ୱରରେ ବ୍ୟବସାୟୀ ଖୋଲି ଓଡ଼ିଶା ରସଗୋଲା ବିଦେଶକୁ ରପ୍ତନୀ କରୁଛି । ପାହାଳ ରସଗୋଲାର ଆଗ କ୍ରେଜ୍ ଆଉ ନାହିଁ । ରାଜଧାନୀ ଭୁବନେଶ୍ୱରରେ ଥିବା ଅଧିକାଂଶ ମିଷ୍ଟାନ୍ନ ଭଣ୍ଡାରରେ ବିକ୍ରି ହେଉଥିବା ରସଗୋଲାରେ ଛେନାର ଅଂଶ କମ୍ ଓ ମଇଦା ଅଧିକ ରହୁ ଥିବା ଓ ଖାଇଲେ ସ୍ପଂଜ୍ ଚୋବାଇବାର ଅନୁଭବ ହେଉଥିବା କେହି ଅସ୍ୱୀକାର କରିପାରିବେ ନାହିଁ । ଏଭଳି ଅବସ୍ଥାରେ ଜିଆଇ ମାନ୍ୟତା ମିଳିବା ନେଇ କେବଳ ଆନନ୍ଦିତ ନ ହୋଇ ଗୁଣବତ୍ତା ବଢାଇବାକୁ ଓଏସଆଇସି ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଉଦ୍ୟମୀ ହେବେ ବୋଲି ଆଶା କରୁଛୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS