ଭାବପ୍ରବଣ ଭାରତ…
– ପ୍ରସାଦ ରାଓ –
ଅଗଷ୍ଟ ୧୦ ତାରିଖ
- ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟକୁ ଭାଂଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ ପାଇଁ ସରକାରୀ ବିଲ୍ ‘ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍, ୨୦୧୯’ ରାଜ୍ୟସଭା ଓ ଲୋକସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହୋଇଛି । ସ୍ୱାଧୀନତା ଦିବସ ପୂର୍ବରୁ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ ଚକିତ କରିବା ସହ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଛନ୍ତି । ଦେଶ ଏବେ ଏକାକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାରେ ଶତମୁଖ । ଜମ୍ମୁ-କଶ୍ମୀରକୁ ନେଇ କିଏ କଣ ସ୍ୱପ୍ନ ଦେଖିଛନ୍ତି ତାହା ଭିନ୍ନ କଥା, କିନ୍ତୁ ଦୀର୍ଘ ୭୦ ବର୍ଷ ହେଲା ଭାରତର ଅଂଗ ହୋଇ ମଧ୍ୟ ଭିନ୍ନ ପରିଚୟର ଅଧିକାରୀ ଥିବା ଏବଂ କିଛି ସ୍ୱାର୍ଥବାଦୀ ରାଜନେତା, ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀଙ୍କ ଖେଳନା ସାଜି ଥିବା ଏହି ଭୂସ୍ୱର୍ଗ ଅନ୍ତତଃ ସେଥିରୁ ମୁକ୍ତିପାଇ ଭାରତୀୟ ଭାବଧାରାରେ ସାମିଲ ହୋଇଛି, ଏହା ହିଁ ଖୁସିର କଥା ।
କଂଗ୍ରେସ ଦଳର ପୁରୁଖା ନେତାମାନେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଅଡୁଆରେ ପଡିଛନ୍ତି । ସେମାନେ କ୍ଷୁବ୍ଧ ହେବାର କାରଣ ହେଉଛି, ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ସେମାନେ ଯାହା କରି ପାରି ନାହନ୍ତି ତାହା ବିଜେପି କରି ଦେଖାଇଛି । ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା କେବେ ହେଲେ ଏଭଳି ଦୁଃସାହସ କରି ପାରି ନ ଥା’ନ୍ତା,ଏହା ଦେଶବାସୀ ଜାଣନ୍ତି । ତେଣୁ, ସବୁଠାରେ ମୋଦୀଙ୍କ ପ୍ରଶଂସା । ମୋଦୀ-୩ ସରକାର ପାଇଁ ବିଜେପିର ନିଅଁ ପଡିଲା ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ବିଭାଜନକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସର ବଡ ନେତାମାନେ ବିରୋଧ କରିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ଯୁବ ନେତାମାନେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା କଂଗ୍ରେସରେ ଥିବା ବିରୋଧାଭାସକୁ ସ୍ପଷ୍ଟ କରିଛି । ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ଚିଦମ୍ବରମ, ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଭଳି ପୁରୁଖା ନେତା ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ଦଳର ହାଇକମାଣ୍ଡଙ୍କୁ ଅଡୁଆରେ ପକାଇ ଥିବା ବେଳେ ରାହୁଲ ଗାନ୍ଧୀ ନୀରବଦ୍ରଷ୍ଟା । ସେ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେବା ପରେ କୌଣସି କଥାକୁ ଗୁରୁତ୍ୱର ସହ ନେଉ ନଥିବା ବେଳେ ମୁରବୀବିହିନ ଦଳ ଯେଭଳି ଅଣାୟତ୍ତ ରହିଥାଏ ସେଭଳି କଂଗ୍ରେସର ପ୍ରତିକ୍ରିୟା ସବୁ ରହିଛିି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହ ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ବିଧିବଦ୍ଧ ପରାମର୍ଶ କରିଥିଲେ । ଆଇନ ଓ ସମ୍ବିଧାନକୁ ତର୍ଜମା କରି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୃହ ମନ୍ତ୍ରୀଙ୍କ ପ୍ରସ୍ତାବକୁ ସବୁଜ ସଂକେତ ଦେଇଥିଲେ । ତାହା ପରେ ଯାଇଁ ଅଗଷ୍ଟ ୫ରେ ରାଜ୍ୟସଭାରେ ଓ ୬ରେ ଲୋକସଭାରେ ଜମ୍ମ୍ୁ-କଶ୍ମୀରରୁ ୭୦ ବର୍ଷ ହେଲା ଲାଗୁ ଥିବା ସମ୍ବିଧାନର ୩୭୦ ଧାରା ଓ ୩୫ ‘କ’କୁ କରିବା ଏବଂ ରାଜ୍ୟକୁ ବିଭାଜିତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବା ବିଲ୍ ‘ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍, ୨୦୧୯’ ଉପସ୍ଥାପନ ହୋଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାହା ତୁରନ୍ତ କାର୍ଯ୍ୟକାରୀ ହୋଇଛି । ସ୍ୱାଧୀନତାର ୭୨ ବର୍ଷ ପରେ ଜମ୍ମୁ-କଶ୍ମୀରବାସୀ ଭାରତୀୟ ଭାବଧାରାରେ ସାମିଲ ହୋଇ ଗୋଟିଏ ସମ୍ବିଧାନଭୁକ୍ତ ହୋଇଛନ୍ତି । ବିଧାନସଭା ଥାଇ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଂଚଳ ରହିବ । ତେବେ, ଲଦାଖକୁ ଜମ୍ମୁ-କଶ୍ମୀରରୁ ବିଭାଜିତ କରିବା ପରେ ବିଧାନସଭା ରହିତ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ମିଳିଛି । ଏହି ରାଜ୍ୟ ସଂପୂର୍ଣ୍ଣ ଭାବେ କେନ୍ଦ୍ର ଦ୍ୱାରା ଶାସିତ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଲଦାଖରେ ପ୍ରବଳ ଉତ୍ସାହ ଆଣିଛି । ଲଦାଖବାସୀ କେତେ ଖୁସି ତାହା ଟେଲିଭିଜନ ପରଦାରେ ସେମାନଙ୍କ ଭାବପ୍ରବଣତାକୁ ଦେଖିଲେ ଅନୁମାନ କରି ଦେଉଛି । କାରଣ, ଏହା ସେମାନଙ୍କର ଦୀର୍ଘ ବର୍ଷର ଦାବି ଥିଲା । କଶ୍ମୀରବାସୀ ଦୀର୍ଘ ବର୍ଷ ହେଲା ଗୋଟିଏ ପଟେ ଆତଙ୍କବାଦ ଓ ଅନ୍ୟପଟେ ଅରାଜକତା ସହ ଲଢୁ ଥିଲେ । ଭାରତୀୟ ନିରାପତ୍ତା ବଳକୁ ନେଇ ମଧ୍ୟ ସେମାନଙ୍କ ଅଭିଯୋଗ ଥିଲା । ନୂତନ ପରିସ୍ଥିତିକୁ ନେଇ ସେମାନଙ୍କ ପ୍ରତିକ୍ରିୟା କଣ, ତାହା ହଠାତ୍ ସ୍ପଷ୍ଟ ନୁହେଁ । ତଥାପି, ସବୁ କିଛି ସ୍ୱାଭାବିକ ହେଉଥିବା ମନେ ହେଉଛି ।
ସରକାରଙ୍କ ରିପୋର୍ଟ କହୁଛି, ସମ୍ବିଧାନର ୩୭୦ ଧାରା ଓ ୩୫ ‘କ’ ଉଚ୍ଛେଦ ପରେ ସମଗ୍ର ଦେଶ ସହ ଜମ୍ମୁ-କଶ୍ମୀର ଏକାକାର ହୋଇଛି । ତେଣୁ, ରାଜ୍ୟବାସୀ ଖୁସି । ସରକାରଙ୍କ ନିଷ୍ପତ୍ତି ରାଜ୍ୟର ସର୍ବାଂଗୀନ ବିକାଶରେ ସହାୟକ ହେବ । ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ମଧ୍ୟ ଏହାକୁ ନେଇ ସକାରାତ୍ମକ ମତ ରହି ଥିବାଚର୍ଚ୍ଚାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୯ ତାରିଖ ରାତିରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖବାସୀଙ୍କୁ ଉତ୍ସାହିତ କରିବାକୁ ପଛାଇ ନାହାନ୍ତି । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହ ରାଜ୍ୟକୁ କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା ଦିଆଯିବା ଦ୍ୱାରା ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଅବସ୍ଥାପିତ ରହି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ, ପର୍ଯ୍ୟଟନ ଶିଳ୍ପ ଓ ସ୍ୱାସ୍ଥ୍ୟ ସେବାର ବିକାଶକୁ ପ୍ରାଧାନ୍ୟ ଦିଆଯିବ । କେନ୍ଦ୍ର ସରକାରଙ୍କ ସବୁ ବିକାଶମୂଳକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବ । ରାଜ୍ୟରେ ପୁଂଜି ଲଗାଣ ପାଇଁ ରାଜ୍ୟ ବାହାରୁ ପଂଜିପତିମାନେ ଆସିଲେ ଶିଳ୍ପାୟନ ଓ ବ୍ୟବସାୟିକ ଅଭିବୃଦ୍ଧି ସହ ଯେଉଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ସେଥିରେ ରାଜ୍ୟର ଯୁବ ପିଢି ହିଁ ଉପକୃତ ହେବେ । ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଜମ୍ମୁ-କଶ୍ମୀରବାସୀ ଅର୍ଥନୈତିକ ଓ ସାମାଜିକ ବିକାଶର ସ୍ୱାଦ ଚାଖି ପାରିବେ । ପଡୋଶୀ ଦେଶ ଦ୍ୱାରା ପ୍ରୟୋଜିତ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପକୁ ଫଳପ୍ରଦ ଭାବେ ଦମନ କରାଯାଇ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରାଯାଇ ପାରିବ । ରାଜ୍ୟ ପୂର୍ବରୁ ଯେଭଳି ବିଧାନସଭା ଓ ନିର୍ବାଚିତ ସରକାର ଦ୍ୱାରା ପରିଚାଳିତ ହେଉଥିଲା ଏବେ ବି ସେହି ବ୍ୟବସ୍ଥା ରହିବ । ତେବେ, ରାଜ୍ୟରେ ସ୍ଥିରତା ଆସିଲେ ହିଁ ତାହା ସମ୍ଭବ ହେବ । ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ ରାଜ୍ୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲଦାଖବାସୀଙ୍କୁ ମଧ୍ୟ ତାଙ୍କ ପ୍ରତିଶ୍ରୁତି ପ୍ରେରଣାଦାୟକ ରହିଛି । ଜମ୍ମୁ-କଶ୍ମୀରରୁ ଅଲଗା ହୋଇ ଲଦାଖ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଛି । ଦେଶର ଅନ୍ୟ ରାଜ୍ୟଙ୍କ ଭଳି ଲଦାଖ ମଧ୍ୟ ସମସ୍ତ ସୁବିଧା, ସୁଯୋଗ ପାଇବ । ରାଜ୍ୟରେ ଥିବା ପ୍ରାକୃତିକ ସଂପଦର ମୂଲ୍ୟଭିତ୍ତିକ ବିନିଯୋଗ ହେବା ସହ ବିକାଶ ତ୍ୱରାନ୍ୱିତ ହେବ । ତେଣୁ, ୩୭୦ ଧାରା ଉଚ୍ଛେଦ ଓ ରାଜ୍ୟକୁ ବିଭାଜନକୁ ନେଇ କେହି ଆଶଙ୍କା ଭିତରେ ରହିବା ଉଚିତ ନୁହେଁ । କେନ୍ଦ୍ର ସରକାରଙ୍କୁ ସହଯୋଗ କରି ବିକାଶ କାର୍ଯ୍ୟ ଆଗେଇ ନେବାକୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ୪୦ ମିନିଟର ଭାଷଣରେ ନିବେଦନ କରିଥିଲେ । ଏହି ଭାଷଣ ଉତ୍ସାହ ଆଣିବା ପାଇଁ ଯଥେଷ୍ଟ ଥିଲା ବୋଲି ସମସ୍ତେ ସ୍ୱୀକାର କରିଛନ୍ତି ।
ଦେଶର ହିନ୍ଦୁବାଦୀ ଦଳମାନେ ନିର୍ବାଚନ ଆସିଲେ ହିନ୍ଦୁ-ଭୋଟକୁ ଏକତ୍ରିକରଣ କରିବା ଉଦେ୍ଦଶ୍ୟରେ ରାମ ମନ୍ଦିର ଏବଂ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଓ ୩୫ ‘କ’ ଉଚ୍ଛେଦ କଥା କହୁଥିଲେ । ବର୍ଷ ବର୍ଷ ଧରି ଏହା ଶୁଣି ଆସୁ ଥିବା ଭାରତୀୟମାନେ କେବେ ବି ବିଶ୍ୱାସ କରି ନ ଥିଲେ ଯେ ମୋଦୀ-୨ ସରକାର ତାହାକୁ କାର୍ଯ୍ୟରେ ପରିଣତ କରିବାର ଦୁଃସାହସ କରିବେ । ମୋଦ-୧ ସରକାରରେ ବିମୁଦ୍ରୀକରଣ ଓ ଗୋଟିଏ ଦେଶ, ଗୋଟିଏ ଟିକସ (ଜିଏସଟି) ବ୍ୟବସ୍ଥା ଭାରତୀୟ ଅର୍ଥନୀତିରେ ଭୂ-କଂପ ସୃଷ୍ଟି କରିଥିଲା । ମୋଦୀ-୨ ସରକାର ପ୍ରାରମ୍ଭରୁ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଓ ୩୫ ‘କ’ ଅନୁଚ୍ଛେଦର ଉଚ୍ଛେଦ କରି ଓ ଜମ୍ମୁ-କଶ୍ମୀରକୁ ବିଭାଜିତ କରି ଭାରତୀୟ ରାଜନୀତିରେ କେବଳ ନୁହେଁ, ପଡୋଶୀ ରାଷ୍ଟ୍ର (ପାକିସ୍ତାନ ଓ ଚୀନ)ରେ ମଧ୍ୟ ଭୂ-କଂପ ସୃଷ୍ଟି କରିଛନ୍ତି । ପାକିସ୍ତାନ ଅଧିକାରରେ ଥିବା କଶ୍ମୀର-ଅଂଶକୁ ଭାରତ ଛଡାଇ ନେଇ ପାରେ, ଏଭଳି ଆଶଙ୍କାରେ ପାକିସ୍ତାନ ଧନ୍ଦି ହେଉ ଥିବା ବେଳେ ଲଦାଖଭିନ୍ନ ରାଜ୍ୟରେ କେନ୍ଦ୍ରର ସିଧାସଳଖ ଶାସନାଧୀନ ରହିବାରୁ ଚୀନର ଚିନ୍ତା ବଢିଛି । ଲଦାଖରେ ସର୍ବଦା ଚୀନର ଅନୁପ୍ରବେଶ ରହି ଆସିଛି । ତେଣୁ, ଚୀନ କ୍ଷୁବ୍ଧ ହେବା ସ୍ୱାଭାବିକ । ତେଣୁ, ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବା ସତ୍ୱେ ଦୁଇ ରାଷ୍ଟ୍ର ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ପାକିସ୍ତାନର ପ୍ରତିକ୍ରିୟା ସବୁ ସୀମା ଟପି ଯାଇଛି ।
୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ରାଜ୍ୟ ପୁର୍ନଗଠନ ପରେ ଜମ୍ମୁ-କଶ୍ମୀରରେ କୌଣସି ପ୍ରକାର ହିଂସାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪୮ ହଜାର ସୁରକ୍ଷା ବଳ ନିୟୋଜିତ କରିଛନ୍ତି । ରାଜ୍ୟରେ ୧୪୪ ଧାରା ଲାଗୁ ହୋଇଥିଲା । ତାହା ଶୁକ୍ରବାର ଦିନ ଉଠାଇ ଦିଆଯାଇଛି । ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ତେବେ, ସୀମାନ୍ତକୁ ଜଗିଛି ସେନା । ଭାରତ-ପାକ୍ ସେନା ମଧ୍ୟରେ ଗୁଳି ବିନିମୟର ଖବର ମଧ୍ୟ ଆସୁଛି । ଅଦ୍ୟାବଧି ଜମ୍ମୁ-କଶ୍ମୀରରେ କ୍ଷମତା ଭୋଗ କରୁଥିବା ଦୁଇଟି ପରିବାର (ଅବଦୁଲ୍ଲା ଓ ମୁଫତି) କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରିବାକୁ ଯାଇ ଅଡୁଆରେ ପଡିଛନ୍ତି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା (ଏନସି) ଓ ମେହବୁବା ମୁଫତି (ପିଡ଼ିିପି)ଙ୍କୁ ଗିରଫ କରାଯାଇ ଅତିଥି ଭବନରେ ଅଟକ ରଖା ଯାଇଛି । ଓମାର ହେଉଛନ୍ତି ରାଜ୍ୟକୁ ୩୭୦ ଧାରାର ଢାଲ ଦେଇଥିବା ପୂର୍ବତନ ଜମ୍ମୁ-କଶ୍ମୀର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଶେଖ୍ ଅବଦୁଲ୍ଲାଙ୍କ ନାତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଫରୁକ ଅବଦୁଲ୍ଲାଙ୍କ ପୁଅ । ସେହିଭଳି, ରାଜ୍ୟରେ ବିଚ୍ଛିନ୍ନତାବାଦୀଙ୍କ ଢାଲ ହୋଇ ରହି ଆସି ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଫତି ମହମ୍ମଦ ସୟିଦଙ୍କ କନ୍ୟା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ବହୁ ବିଚ୍ଚିନ୍ନତାବାଦୀ ନେତା ଗିରଫ ହୋଇ ଅଟକ ଅଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ମୁସଲିମ ଉପାସନା କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ଚଢାଉ କରାଯାଇ ବହୁ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଏସବୁ ବିରୋଧୀଙ୍କ ଆଖିରେ ଯାଉନି । ତେଣୁ, ବାରାନ୍ତରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ବୋଲି କଂଗ୍ରେସ ସମେତ ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନେ ସମାଲୋଚନା କରିଥିବା ବେଳେ ବିଜେପି ସେମାନଙ୍କୁ ୧୯୭୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାରି କରିଥିବା ଜରୁରୀ ପରିସ୍ଥିତି କଥା ମନେ ପକାଇ ଦେଇଛି ।
ପାକିସ୍ତାନ ଅଧିକ ପ୍ରତିକ୍ରିୟାଶୀଳ ହୋଇ ବାଉଳା ଚାଉଳା ହେବାର କାରଣ ହେଉଛି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅଗଷ୍ଟ ୬ ତାରିଖରେ ଲୋକସଭାରେ ଦେଇଥିବା ଭାଷଣ । ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ରାଜ୍ୟ ପୁର୍ନଗଠନ ବିଲ୍,୨୦୧୯ ଲୋକସଭାରେ ଆଗତ କରି ଶାହା ଉତ୍ସାହର ସହ କହିଥିଲେ, ପୁନର୍ଗଠିତ ଜମ୍ମୁ-କଶ୍ମୀରର ରୂପରେଖ ସଂପୂର୍ଣ୍ଣ ଜମ୍ମୁ-କଶ୍ମୀରକୁ ନେଇ ପ୍ରସ୍ତୁତ । ପାକିସ୍ତାନ ଦଖଲରେ ଥିବା କଶ୍ମୀରର ଅଂଶ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଂଗ । ‘ଆବଶ୍ୟକ ହେଲେ ଏଥି ପାଇଁ ଆମେ ଜୀବନ ଦେବାକୁ ପ୍ରସ୍ତୁତ’ ବୋଲି ଶାହାଙ୍କ ଦୃଢୋକ୍ତି ପାକିସ୍ତାନର ଗାତ୍ରଦାହର କାରଣ ହୋଇଛି । ସଂସଦର ଉଭୟ ଗୃହକୁ ପୂର୍ବ ସୂଚନା ନ ଦେଇ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଓ ୩୫ ‘କ’ ଉଚ୍ଛେଦ ହେଲା ଭଳି ଭାରତ ସରକାରଙ୍କ ଆଡୁ ରାତିଅଧିଆ ପିଓକେ (ପାକ୍ ଅଧିକୃତ କଶ୍ମୀର) ଦଖଲ ଉଦ୍ୟମ ହୋଇପାରେ ବୋଲି ପାକିସ୍ତାନ ଆଶଂକା କରୁଛି । ତେଣୁ, ଭାରତର ଏଭଳି କୌଣସି ଦୁଃସାହାସକୁ ପାକିସ୍ତାନ କଡା ଜବାବ ଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଚେତାବନୀ ଦେଇଥିଲେ । ପରେ ସେ ଦେଶର ଜାତୀୟ ସୁରକ୍ଷା କମିଟି ବୈଠକ ଡାକି ଉଭୟ ସାମରିକ ଓ ବେସାମରିକ ଅଧିକାରଙ୍କ ସହ ପରାମର୍ଶ କରିବା ପରେ ଭାରତ ସହ କୂଟନୈତିକ ସଂପର୍କ ଚ୍ଛିନ୍ନ କରିବା, ଦ୍ୱାପାକ୍ଷିକ ବାଣିଜ୍ୟକୁ ସସପେଣ୍ଡ୍ କରିବା ଭଳି ନିଷ୍ପତ୍ତି ନେଇ ଥିଲେ । ଦୁଇ ଦେଶ ମଧ୍ୟରେ ୨୦୧୮-୧୯ରେ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ଥିଲା ୨.୫୬ ନିୟୁତ ଡ଼ଲାର ।
ଭାରତ ସହ କୂଟନୈତିକ ସଂପର୍କ ଚ୍ଛିନ୍ନ କରିବା ପରେ ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିସନର ଅଜୟ ବିସାରିଆଙ୍କୁ ବହିଷ୍କାର କରି ଥିଲା । ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇକମିସନର ମୋଇନୁଲ ହକ୍ ଙ୍କୁ ମଧ୍ୟ ଦେଶକୁ ଫେରାଇ ନେଲା । ଆନ୍ତର୍ଜାତିକ ସ୍ତରରେ ଭାରତକୁ ବିରୋଧ କରିବ ଏବଂ ଜାତିସଂଘରେ ଏହି ପ୍ରସଙ୍ଗ ଉତ୍ଥାପନ କରିବ ବୋଲି ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଧମକ ଦେଲେ । କଶ୍ମୀରବାସୀଙ୍କ ସମର୍ଥନରେ ପାକିସ୍ତାନ ଅଗଷ୍ଟ ୧୫ କୁ ‘କଳା ଦିବସ’ ଭାବେ ପାଳନ କରିବ ବୋଲି ଘୋଷଣା କରିଛି । ଭାରତୀୟ ବିମାନ ପାଇଁ ପାକିସ୍ତାନର ତିନିଟି ବିମାନ ପଥକୁ ବନ୍ଦ କରିଛି । ସମଝୋତା ଓ ଥର ଏକ୍ସପ୍ରେସ୍ ଚଳାଚଳ ବନ୍ଦ କରିଛି । ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଦୁଇ ଦେଶ ମଧ୍ୟରେ ଯେଉଁ ସୌହାର୍ଦ୍ଧ୍ୟପୂର୍ଣ୍ଣ ବସ୍ ଚଳାଚଳ ଆରମ୍ଭ ହୋଇଥିଲା ତାହା ମଧ୍ୟ ବନ୍ଦ କରି ଦେଇଛି । ୱାଘା ସୀମାନ୍ତ ଏବେ କୂଟନୀତିର ରଣଭୂମୀ ହୋଇଛି । ଭାରତ ସରକାର ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିଥିବା ସୀମଳା ରାଜିନାମାର ପରିପନ୍ଥୀ ଦର୍ଶାଇ ଜାତିସଂଘ ଏଥିରେ ହସ୍ତକ୍ଷେପ କରିବାକୁ ପାକିସ୍ତାନର ଆବେଦନ ଜାତିସଂଘରେ ଖାରଜ ହୋଇ ଥିବାରୁ ପାକିସ୍ତାନ ଅଧିକ ରକ୍ତମୁଖା ହେବା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ, ଶିବ ସେନା ଭଳି ହିନ୍ଦୁବାଦୀ ଦଳ ପାକିସ୍ତାନ ଭଳି ଭାରତ ମଧ୍ୟ ପାକିସ୍ତାନ ସହ ଦ୍ୱିପାକ୍ଷିକ ସଂପର୍କ ଚ୍ଛିନ୍ନ କରିବାକୁ ଦାବି ଉଠାଇଲେଣି । ୩୭୦ ଧାରା ଉଚ୍ଛେଦ ପରେ ଚୀନ ମାନସରୋବର ଯାଉଥିବା ପାଇଁ ଭାରତୀୟଙ୍କୁ ଭିସା ଦେବ ନାହିଁ ବୋଲି ଘୋଷଣା କରି ପାକିସ୍ତାନକୁ ସମର୍ଥନ କଲା ଭଳି ମନୋଭାବ ପ୍ରଦର୍ଶନ କରିଛି । ତେବେ, ସମସ୍ତଙ୍କ ନଜର ଆମେରିକା ଓ ରୁଷ ଉପରେ ରହିଛି । ଭାରତ ପ୍ରତି ଆମେରିକାର ସ୍ୱର ନରମ ଥିଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ୍ ଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ୱାସକୁ ନେଇ ହେବ ନାହିଁ । ଏସବୁ ସତ୍ୱେ ଭାରତୀୟ ଜନସାଧାରଣ ରାଷ୍ଟ୍ରବାଦ ପ୍ରସଙ୍ଗରେ ସରକାରଙ୍କ ପଛରେ ଥିବା ଦେଖି ମୋଦୀ ସରକାର ଆଶ୍ୱସ୍ତ । ପରିସ୍ଥିତି ବାଧ୍ୟ କଲେ ସୀମିତ ଯୁଦ୍ଧର ଆଶଙ୍କା ରହିଛି । ତେବେ, ଭୋଟ ରାଜନୀତିରେ ଅଧିକ ବିଶ୍ୱାସ କରୁଥିବା ବିଜେପି ଭାରତୀୟ ଭାବପ୍ରବଣତାକୁ ବଂଚାଇ ରଖିବା ସକାଶେ କିଛି ବି କରି ପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS