ସାମ୍ବାଦିକଟିଏ କହୁଛି…
– ପ୍ରସାଦ ରାଓ –
ଅଗଷ୍ଟ ୧୧ ତାରିଖ
ବେଳେ ବେଳେ ଚିରାଚରିତ ସାମ୍ବାଦିକତା ଠାରୁ ଟିକିଏ ଦୂରେଇ ଯାଇ କିଛି ନିଆରା ଅଭିଜ୍ଞତାକୁ ଲେଖିବାକୁ ଇଚ୍ଛା ହୁଏ । ତାହା ଖବରରେ ସ୍ଥାନ ପାଇ ନଥାଏ । ତେବେ, ଖବରଠାରୁ କୌଣସି ଗୁଣରେ କମ୍ ନୁହେଁ । ସପ୍ତାହାନ୍ତରେ ପାଠକମାନଙ୍କୁ ନିତିଦିନିଆ ଖବରରୁ କିଛି ସମୟ ପାଇଁ ଦୂରେଇ ନେଇ ଏଭଳି ନିଆରା ଅଭିଜ୍ଞତା ସହ ଯୋଡିବାର ଏହା ଏକ ପ୍ରୟାସ ।
ଶୁକ୍ରବାର ସନ୍ଧ୍ୟାରେ ଭେଟିବାକୁ ଯାଇ ଥିଲି ରାଜ୍ୟର ଜଣେ ମନ୍ତ୍ରୀଙ୍କୁ । ସେ ସରକାରୀ ବାସଭବନରେ ନ ଥିଲେ । ଲୋକସେବା ଭବନ (ଭୁବନେଶ୍ୱର ସଚିବାଳୟ)ରେ ଥିବା ଘରୁ ଖବର ପାଇବା ପରେ ଯାଇ ଥିଲି ସେଠାକୁ। ସଚିବାଳରେ ପ୍ରବେଶ ଉପରେ କଟକଣା ସବୁ ବେଳେ ରହି ଆସିଛି । ପ୍ରବେଶ ପାଇଁ ଅନୁମତିପତ୍ର ନ ଥିଲେ ମୁଖ୍ୟ ଫାଟକରେ ଉପସ୍ଥିତ ପୁଲିସ କାହାରିକୁ ଭିତରକୁ ଯିବାକୁ ଅନୁମତି ଦେଇ ନଥାନ୍ତି । ଏହାସତ୍ୱେ, ସାମ୍ବାଦିକଙ୍କ ଅବାଧ ପ୍ରବେଶ ରହିଥିଲା । କେବଳ ଆଇ-କାର୍ଡ ଦେଖାଇ ଭିତରକୁ ଯାଇ ପାରୁ ଥିଲେ ଗଣମାଧ୍ୟମ ପ୍ରତିନିଧିମାନେ । କିନ୍ତୁ, ବର୍ତମାନ ବ୍ୟବସ୍ଥା ବଦଳି ଯାଇଛି । ସଚିବାଳୟ ଫାଟକ ବାହାରେ ପୁଲିସ ବ୍ୟାରିକେଡ୍ । ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାରି ଗାଡି ଭିତରକୁ ଯିବା ନିଷିଦ୍ଧ । ତେଣୁ, ଗାଡି ବାହାରେ ଛାଡି ଚାଲି ଚାଲି ଭିତରକୁ ଯିବାକୁ ପଡୁଛି । ତାହା ମଧ୍ୟ ପ୍ରବେଶ ଅନୁମତିପତ୍ର ସହ ବିଧିବଦ୍ଧ ଏଂଟ୍ରି ପରେ । ଶୁଣିଲି, ରାଜ୍ୟ ପ୍ରଶାସନର ଜଣେ ବରିଷ୍ଟ ଅଧିକାରୀଙ୍କ ସହ ଗୋଟିଏ ଆଂଚଳିକ ଗଣମାଧ୍ୟମର ଝଗଡା ପରେ ସଚିବାଳୟରେ ପ୍ରବେଶ ଉପରେ ଏଭଳି କଟକଣା ଲାଗୁ ହୋଇଛି । ଅବଶ୍ୟ କଟକଣା ଲାଗୁ ହୋଇଥିବା ଯୋଗୁ ସଚିବାଳୟ ପରିସର ଆଉ ମାଛ ହାଟ ହୋଇ ରହି ନାହିଁ । ଭିତରେ ବ୍ୟବସ୍ଥିତ ଭାବେ ଗାଡି ସବୁ ପାକିଂରେ ରହିଛି । ସଚିବାଳୟ ମୁହଁ ମଧ୍ୟ କେଳାହଳଶୂନ୍ୟ ରହିଛି ।
ଯେଉଁ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ଥିଲି ସେ ହେଉଛନ୍ତି ପ୍ରଥମ ଥରର ମନ୍ତ୍ରୀ ହୋଇଛନ୍ତି । ପୂର୍ବ ପାଳିରେ ସେ ବିଧାୟକ ଥିଲେ । ଜଣେ ଜ୍ଞାନୀ, ଗୁଣି ମନ୍ତ୍ରୀ ଭାବେ ସେ ଖାସ୍ ବିଭାଗଟିଏ ପାଇଛନ୍ତି । ପୂର୍ବରୁ ଥରେ ତାଙ୍କୁ ବାସଭବନକୁ ଯାଇ ଭେଟି ଗୋଟିଏ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲି । ସେ ମଧ୍ୟ ସଂପୃକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ଥିଲା ତାଙ୍କ ସହ ତୃତୀୟ ଭେଟ । ତେବେ, ସଚିବାଳୟରେ ପ୍ରଥମ । ସହଯୋଗୀ ସାମ୍ବାଦିକଙ୍କ ସହ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପହଂଚି ଜାଣିଲି ଏକ ସରକାରୀ ବୈଠକରେ ମନ୍ତ୍ରୀ ବ୍ୟସ୍ତ ଅଛନ୍ତି । ବିଭାଗୀୟ ଅଧିକାରୀ ଓ କିଛି ବିଧାୟକଙ୍କୁ ନେଇ ଏହି ବୈଠକ ଚାଲିଛି । ତେଣୁ, ଅପେକ୍ଷା କରିବାକୁ ପଡିଲା । ମନ୍ତ୍ରୀଙ୍କୁ ଭେଟିବା ପାଇଁ ମୋ ଭଳି ଆଉ କିଛି ଲୋକ ମଧ୍ୟ ଅପେକ୍ଷାରେ ଥିଲେ । ମୁଁ ମୋ ଟିଭି ଚ୍ୟାନେଲ କାମରେ ଯାଇ ଥିବାରୁ ମନ୍ତ୍ରୀ ବୈଠକ ସାରିବା ପର୍ଯ୍ୟନ୍ତ ଅପେକ୍ଷା କଲି । ପାଖାପାଖି ଗୋଟିଏ ଘଂଟା ପରେ ମନ୍ତ୍ରୀଙ୍କ ବୈଠକ ସରିଲା । ର୍ମୁ ଭେଟିବାକୁ ତାଙ୍କ ପ୍ରକୋଷ୍ଠରେ ପହଂଚିଲି ।
ପୂର୍ବରୁ କ୍ଷେତ୍ର ସାମ୍ବାଦିକ ଭାବେ ବହୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସଂସ୍ପର୍ଶରେ ଆସିଛି । ସେମାନଙ୍କ ସହ ଆଜି ବି ନିବିଡ଼ତା ରହିଛି । କୌଣସି ସମୟରେ ଫର୍ମାଲିଟିର ଆବଶ୍ୟକତା ପଡିନି । ତେବେ, ଏହି ମନ୍ତ୍ରୀ ଜଣକ ମୋ ଅଂଚଳର ନୁହନ୍ତି । ଉପକୂଳ ଓଡ଼ିଶାରୁ ବିଧାନସଭାକୁ ଆସିଛନ୍ତି । ଯେଉଁ ସବୁ ବିଭାଗ ତାଙ୍କୁ ମିଳିଛି ସବୁ ସମୟ ସାଧାରଣ ଜନତା ସହ ସିଧାସଳଖ ଯୋଡି ହୋଇ ରହିବାକୁ ସେ ବାଧ୍ୟ । ତେଣୁ, ମନ୍ତ୍ରୀଙ୍କ ଚାମ୍ବରରେ କେବଳ ଅଂଚଳରେ କର୍ମୀ ନୁହନ୍ତି, କିଛି ସରକାରୀ ଅଧିକାରୀ ଓ ଉତ୍ତର ଓଡ଼ିଶାର ଜଣେ ଯୁବ ବିଧାୟକ ସମର୍ଥକଙ୍କ ସହ ଉପସ୍ଥିତ ଥିଲେ । ନିଜ ନିର୍ବାଚନ ମଣ୍ଡଳୀର କିଛି ଉନ୍ନତିମୂଳକ କାର୍ଯ୍ୟ ନେଇ ସେ ମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ । ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ଏକ ଚିଠା ଧରି ସେ ମନ୍ତ୍ରୀଙ୍କ ସାମନାରେ ବସି ଥିଲେ ଏବଂ ମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କୁ ପାଖରେ ବସାଇ ଯୁବ ବିଧାୟକଙ୍କୁ କିଭଳି ସହାୟତା ହେବ ସେ ନେଇ କସରତରେ ବ୍ୟସ୍ତ ଥିଲେ । କିଛି ସମୟ ପାଇଁ ଆମେ ମନ୍ତ୍ରୀଙ୍କୁ ନୀରବରେ ଲକ୍ଷ୍ୟ କରିଥିଲୁ । ଯୁବ ବିଧାୟକ ଜଣକ ତାଙ୍କ କାର୍ଯ୍ୟ ସାରି ବିଦାୟ ନେଲା ବେଳେ ଅମୁକ ଅମୁକ ପ୍ରକଳ୍ପକୁ ଟିକିଏ ଦେଖିବେ ବୋଲି ମନ୍ତ୍ରୀଙ୍କ ନିକଟରେ ଅଳି କରିଥିଲେ । ମନ୍ତ୍ରୀ ମଧ୍ୟ ଶାଳୀନତାର ସହ ବିଧାୟକଙ୍କୁ ବିଦାୟ ଦେଇଥିଲେ । ସେହି ଅଧ ଘଂଟାର ପ୍ରୋସିଡିଂ ନବୀନ ସରକାରରେ ଏଭଳି ଗୁଣି ଓ ଶାଳୀନତାସଂପନ୍ନ ମନ୍ତ୍ରୀ ଅଛନ୍ତି, ତାହା ଅନୁଭବ କରିବା ପାଇଁ ଯଥେଷ୍ଟ ।
ଏହା ପରେ ମନ୍ତ୍ରୀ ଆମ ଆଡକୁ ମୁହଁ ଫେରାଇଲେ । ଯେହେତୁ ଗଣମାଧ୍ୟମରୁ ଆମେ ଯାଇଛୁ, ମନ୍ତ୍ରୀ ଗରମାଧ୍ୟମ ସଂପର୍କରେ ଥିବା ତାଙ୍କ କଟୁ ଅନୁଭବରୁ ଆଲୋଚନା ଆରମ୍ଭ କଲେ । ଜଣେ ରାଜନୈତିକ ବ୍ୟକ୍ତି ଓ ବିଧାୟକ ଭାବେ ଗଣମାଧ୍ୟମକୁ ନେଇ ତାଙ୍କ ପ୍ରତ୍ୟକ୍ଷ ଅନୁଭବ ରହିଛି । ପୂର୍ବରୁ ବିଧାୟକ ଭାବେ ସେ ଗଣମାଧ୍ୟମର ସାମନା କରିଥିଲେ । ଏବେ ମନ୍ତ୍ରୀ ଭାବେ ପ୍ରତ୍ୟକ୍ଷ କରୁଛନ୍ତି । କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ରୁକ୍ଷ ବ୍ୟବହାର ତାଙ୍କୁ ବ୍ୟଥିତ କରିଛି । କିଛି ସମୟ ଖୋଲା ଆଲୋଚନାରେ ତାଙ୍କର ପ୍ରଥମ ପ୍ରଶ୍ନ ଥିଲା, ଜଣେ ରାଜନେତା ବା ମନ୍ତ୍ରୀ ସାଧାରଣ ମଣିଷ ଭଳି ମଣିଷଟିଏ ନୁହେଁ କି ? ମନ୍ତ୍ରୀଙ୍କୁ ଭୋକ, ଶୋଷ ହୁଏ ନାହିଁ ନା ଆଖିକୁ ନିଦ ଆସେ ନାହିଁ ? ସେ ନିଜେ ଏହାର ଉତ୍ତର ମଧ୍ୟ ଦେଇଥିଲେ । ସେ ନିଜେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କାମ କରୁଛନ୍ତି, ଦଳର କର୍ମୀ ଭେଟି ଅଭାବ, ଅଭିଯୋଗ ଶୁଣୁଛନ୍ତି । ଏପରିକି, ବିଳମ୍ବିତ ରାତି୍ରରେ ଶୋଇ ସକାଳୁ ଉଠିବାରେ ସାମାନ୍ୟ ବିଳମ୍ବ ହୋଇ ଗଲେ କର୍ମୀମାନେ ତାଙ୍କ ଶୋଇବା ଖଟ ପର୍ଯ୍ୟନ୍ତ ଚାଲି ଯାଇ ହାତ ମାରି ଉଠାଉଛନ୍ତି । ତେବେ, ରାଜନୀତିରେ ଥିବାରୁ ଏସବୁ ସହିବାକୁ ବାଧ୍ୟ । ଏପରି ଅବସ୍ଥାରେ ପବ୍ଲିକ ପ୍ଲେସ୍ରେ ମନ୍ତ୍ରୀ ଯଦି କେଉଁଠି ଟିକେ ଆକି ବୁଜି ଦେଲେ ବା ଘୁମାଇଲେ ଗଣମାଧ୍ୟମରେ ତାହା ବ୍ରେକିଂ ହୋଇଯାଉଛି । ମନ୍ତ୍ରୀଙ୍କ ଅଭିଯୋଗ ଗଣମାଧ୍ୟମ ପ୍ରତି କଟାକ୍ଷ ନ ଥିଲା । ଥିଲା, ତାଙ୍କ ଆବେଗର ଉଦ୍ବେଳନ ।
ସେହିଭଳି ମନ୍ତ୍ରୀ ଗଣମାଧ୍ୟମକୁ ନେଇ ଆଉ ଏକ ଦୃଷ୍ଟାନ୍ତ ଦେଇଥିଲେ । ନିକଟରେ ବିଭାଗର ଏକ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ଗଣେଶୀଲାଲ ଜୀ ମୁଖ୍ୟ ଅତିଥି ଥିଲେ । ସଭା ସାରିବା ପରେ ରାଜ୍ୟପାଳଙ୍କୁ ବିଦାୟ ଦେବାକୁ ଯିବା ହେଉଛି କାର୍ଯ୍ୟକ୍ରମ ଆୟୋଜନ କରିଥିବା ମନ୍ତ୍ରୀଙ୍କ ଦାୟିତ୍ୱ ବା ପ୍ରୋଟୋକଲ୍ । ରାଜ୍ୟପାଳ ସଭା ସ୍ଥଳରୁ ବାହାରକୁ ଆସିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଭେଟି ବାଇଟ୍ ନେଇ ଥିଲେ । ପ୍ରୋଟୋକଲ ଅନୁସାରେ ମନ୍ତ୍ରୀ ରାଜ୍ୟପାଳଙ୍କୁ ଗାଡି ପର୍ଯ୍ୟନ୍ତ ଛାଡି ଆସିବା କଥା । କିନ୍ତୁ, ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ବାଟ ଓଗାଳି ବାଇଟ୍ ନେବାକୁ ଚାହିଁ ଥିଲେ । ମନ୍ତ୍ରୀ ବାଇଟ୍ ନ ଦେଇ ରାଜ୍ୟପାଳଙ୍କୁ ତାଙ୍କ ଗାଡି ପର୍ଯ୍ୟନ୍ତ ଛାଡିବାକୁ ଯିବାକୁ ପ୍ରାଥମିକତା ଦେବାରୁ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ । ମନ୍ତ୍ରୀଙ୍କ କାନରେ ତାହା ପଡି ଥିଲା ଏବଂ ସେ ବ୍ୟଥିତ ହୋଇଥିଲେ ମଧ୍ୟ ନିରୁପାୟ । ରାଜଧାନୀରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଜଣେ ରାଜ୍ୟପାଳଙ୍କୁ ବିଦାୟ ଦେବା ପରଂପରା ସଂପର୍କରେ ଏତେଦୂର ଅଜ୍ଞ ନା ସାମ୍ବାଦିକ ହୋଇଥିବାର ଅହଂକାର (?) – ଏହା ଥିଲା ମନ୍ତ୍ରୀଙ୍କ ପ୍ରଶ୍ନ । ଏହି ପ୍ରଶ୍ନର ଉତ୍ତର ଅତି ସରଳ। ଏହାକୁ ଅହଂକାର ହିଁ କୁହାଯିବ । ତେବେ, ନାକ କାଟିଲେ ରକ୍ତ ଆସି ପାଟିରେ ପଡିବ । ତେଣୁ, ଗୋଲମୋଲ ଉତ୍ତର ଦେବା ଛଡା ମୋ ପାଇଁ ଅନ୍ୟ ଗତି ନ ଥିଲା । ମୁଁ ଗୁନ୍ଦୁରାଇବା ଉଦ୍ୟମ କରି କହିଥିଲି – ସବୁ ପେଶାରେ (ରାଜନୀତି ସମେତ) ଏଭଳି ଅବାଂଛିତ ବ୍ୟକ୍ତିତ୍ୱ ଅଛନ୍ତି ।
ଏହା ପରେ ଆମେ ମୂଳ ବିଷୟକୁ ଯାଇ ଥିଲୁ । ରାଜ୍ୟର ଗ୍ରାମାଂଚଳରେ ଥିବା ଭାଗବତ ଟୁଙ୍ଗିର ପୁନରୁଦ୍ଧାର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟର ପ୍ରତି ଗ୍ରାମରେ ଥିବା ଭାଗବତ ଟୁଙ୍ଗି ସବୁର ଡ଼ିଜିଟାଇଜେସନ୍ ଓ ଡ଼କୁମେଂଟେସନ୍ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗର ହାତ ବଢାଇଲେ ଏସବୁ କାର୍ଯ୍ୟ ହୋଇପାରିବ କହି ମୁଁ ଫେରି ଥିଲି । ସଚିବାଳୟ ବା ନୂତନ ଲୋକସେବା ଭବନରେ ଦୁଇ ଘଂଟା ଏବଂ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରାୟ ଅଧ ଘଂଟାଏ କଟାଇବା ଭିତରେ ଗଣମାଧ୍ୟମର ଏହି ପରିବର୍ତୀତ ରୂପ ଏବଂ ତାହାକୁ ନେଇ ରାଜନେତାଙ୍କ ମନରେ ଥିବା କ୍ଷୋଭ ମୋତେ ବ୍ୟଥିତ କରିଥିଲା । ଅନୁଭବ ନ ଥିଲେ ଜଣେ ଭଲ ସାମ୍ବାଦିକ ହୋଇ ପାରେ ନାହିଁ । ଏଥିପାଇଁ ଅହଂକାର ନୁହେଁ, ଶହନଶୀଳତାର ଆବଶ୍ୟକତା ରହିଛି । ରାଜନୀତି କରୁଥିବା ସମସ୍ତେ ଯେ ଖରାପ ଏବଂ ସେମାନଙ୍କୁ ସାମ୍ବାଦିକତାର ଧାକ୍ ଦେଖାଇବା ଜରୁରୀ – ଏଭଳି ଧାରଣା ଭୁଲ । ଜଣେ ଭଲ ସାମ୍ବାଦିକ ଲେଖା ଓ ବ୍ୟବହାର ମାଧ୍ୟମରେ ଅଦୃତି ପାଇ ଥାଏ । ଅହଂକାର ଦ୍ୱାରା ନୁହେଁ । ତେବେ, ଆଜିର ଦିନରେ ସାମ୍ବାଦିକତାର ରୂପରେଖ ବଦଳି ଯାଇଛି । ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ପରେ ସମ୍ବାଦିକମାନେ ବିଷୟ ଅପେକ୍ଷା ବାଇଟ୍ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କୌଣସି ପ୍ରକାର ଦୁଇ ଚାରିଟା ବାଇଟ୍ ଯୋଗାଡ ହେଲେ ସେଦିନର ଆସାଇନମେଂଟ୍ ସରି ଯିବ ବୋଲି ସେମାନେ ଭାବୁଛନ୍ତି । କ୍ଷେତ୍ର ସାମ୍ବାଦିକତାରୁ ପେଶା ଆରମ୍ଭ କରୁଥିବା ଯୁବ ସାମ୍ବାଦିକମାନେ ଅଭିଜ୍ଞତା ଅଭାବରୁ ଆରୋଗେନ୍ସିର ଆଶ୍ରୟ ନେଉଛନ୍ତି । ତେଣୁ, ସାମ୍ବାଦିକଙ୍କୁ ନେଇ ଏକ ନକାରାତ୍ମକ ଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଛାପା ଗଣମାଧ୍ୟମରେ ବି ଏହି ସମସ୍ୟା ରହିଛି । ତେବେ, ଜଣେ କ୍ଷେତ୍ର ସାମ୍ବାଦିକ ମାର୍ଜିତ କରିବା ପାଇଁ ଚାପା ଗଣମାଧ୍ୟମରେ ଯେଉଁ ସୁଯୋଗ ରହିଛି ତାହା ବୈଦ୍ୟୁତିକ ଗଣମାଧ୍ୟମରେ ନାହିଁ । ତେଣୁ, ଆରୋଗେନ୍ସି ବଢୁଛି । ବିଧିବଦ୍ଧ ତାଲିମ ଦ୍ୱାରା ଏହି ସମସ୍ୟାର ସମାଧାନ ସମ୍ଭବ । ତେବେ, ବୈଦ୍ୟୁତିକ ଗଣମାଧ୍ୟମର ଦୈନନ୍ଦିନ କାର୍ଯ୍ୟଧାରାରେ ଏହା କେତେଦୂର ସମ୍ଭବ (?) ସେ ନେଇ ଅଧିକ ଆଲୋଚନାର ଆବଶ୍ୟକତା ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS