ସିବିଆଇ ହାଜତକୁ ଗଲେ ଚିଦମ୍ବରମ୍
– ପ୍ରସାଦ ରାଓ –
ଅଗଷ୍ଟ ୨୩ ତାରିଖ
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆରେ ବିଦେଶୀ ପୁଞ୍ଜି ଲଗାଣରେ ହୋଇଥିବା ଅନିୟମିତତା ଓ ଲାଂଚ କାରବାରକୁ ନେଇ ସିବିଆଇ ବୁଧବାର ରାତିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ୍ ଙ୍କୁ ଘରୁ ଉଠାଇ ନେବା ପରେ ରାତି ସାରା ଅଟକ ରଖି ଥିଲା । ଗୁରୁବାର ତାଙ୍କୁ ଜେରା କରିବା ପରେ ଅପରାହ୍ନରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରି ପଣି ଥରେ ନିଜ ହେପାଜତକୁ ନେଇଛି । ସିବିଆଇ ସ୍ୱତନ୍ତ୍ର ଅଦାଲତର ବିଚାରପତି ଅଜୟ କୁମାର କୁହର ଉଭୟ ପକ୍ଷଙ୍କୁ ଶୁଣିବା ପରେ ସନ୍ଧ୍ୟାରେ ଚିଦମ୍ବରମ୍ ଙ୍କୁ ଅଧିକ ଜେରା ପାଇଁ ପାଂଚ ଦିନ ସିବିଆଇ ହାଜତକୁ ପଠାଇଛନ୍ତି । ପାଂଚ ଦିନ ସକାଶେ ଚିଦମ୍ବରମ୍ ଙ୍କୁ ନିଜ ହେପାଜତକୁ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା । ତେବେ, ଚିଦମ୍ବରମ୍ ସିବିଆଇକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ଓ ମାମଲାର ତଦନ୍ତ ଶେଷ ହୋଇଛି ଦର୍ଶାଇ ଅଧିକ ତଦନ୍ତ ନାମରେ ତାଙ୍କୁ ସିବିଆଇ ନିଜ ହେପାଜତକୁ ନେବାର କିଛି ଯଥାର୍ଥତା ନାହିଁ ବୋଲି ଚିଦମ୍ବରମ୍ ଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି ଯୁକ୍ତି ଦର୍ଶାଇ ଥିଲେ । ଚିଦମ୍ବରମ୍ ମଧ୍ୟ ନିଜ ପକ୍ଷ ରଖିବାର ସୁଯୋଗ ପାଇ ଥିଲେ । ତାଙ୍କରେ ବିଦେଶରେ କୌଣସି ଆକାଉଂଟ ନାହିଁ । ପୁଅ କାର୍ତିଙ୍କ ବ୍ୟାଙ୍କ ଆକାଉଂଟ ସଂପର୍କରେ ସେ ସିବିଆଇକୁ ବିସ୍ତୃତ ତଥ୍ୟ ଦେଇଛନ୍ତି । ସିବିଆଇକୁ ତଦନ୍ତରେ ସେ ସହଯୋଗ କରୁ ନ ଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ଚିଦମ୍ବରମ୍ ନିଜ ପକ୍ଷ ରଖି ଥିଲେ । ବିଚାରପତି କୁହର ନିଷ୍ପତ୍ତି ନେବାକୁ ଅଧ ଘଂଟାଏ ସମୟ ନେଇ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ରାୟ ଦେଇଥିଲେ । ଚିଦମ୍ବରମ୍ ଙ୍କୁ ପାଂଚ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଛି ।
ଆଇଏନଏକ୍ସ ମିଡ଼ିଆରେ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଂଜି ବିନିଯୋଗ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ମଂଜୁରୀ (ଏଫଆଇପିବି ମଂଜୁରୀ)ରେ ଘୋର ଅନିୟମିତତା ହୋଇଛି ବୋଲି ସିବିଆଇ ଓ ଇଡ଼ି ଅଭିଯୋଗ କରିଛନ୍ତି । ସେହି ସମୟରେ କେନ୍ଦ୍ରରେ ଅର୍ଥ ମନ୍ତ୍ରୀ ଥିଲେ ପି. ଚିଦମ୍ବରମ୍ । ୨୦୧୭ରେ ପ୍ରବର୍ତନ ନିର୍ର୍ଦେଶାଳୟ (ଇଡ଼ି) ପ୍ରଥମେ ଚିଦମ୍ବରମ୍ ଙ୍କ ପୁଅ କାର୍ତି ଚିଦମ୍ବରମ୍, ଆଇଏନଏକ୍ସ ମିଡ଼ିଆ ଏବଂ ଏହାର ନିର୍ଦେଶକ ପିଟର୍ ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟ କେତେକଙ୍କ ବିରୋଧରେ ପିଏମଏଲଏ ଆଇନ ଅଧିନରେ ଇଏସଆଇଆର (ଏନଫୋର୍ସମେଂଟ୍ କେସ୍ ଇନଫର୍ମେସନ୍ ରିପୋର୍ଟ) ରୁଜୁ କରିଥିଲେ । ଇଡ଼ିଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଭିତ୍ତିରେ ସିବିଆଇ ମଧ୍ୟ ୨୦୧୭ ମେ’ ୧୫ ତାରିଖରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର କରିଥିଲା । ପରେ, ୨୦୧୮ରେ ଇଡ଼ି ଏହାକୁ ନେଇ ଏକ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି ।
ଆଇଏନଏକ୍ସ ମିଡ଼ିଆର ତକ୍ରାଳୀନ ମାଲିକ ପିଟର ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀ ମିଳିତ ଭାବେ ଇନ୍ଦ୍ରାଣୀଙ୍କ ଝିଅ ସିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏବେ ଜେଲରେ ଅଛନ୍ତି । ୨୦୧୮ ଫେବୃୟାରୀରେ ଚିଦମ୍ବରମ୍ଙ୍କ ପୁଅ କାର୍ତି ଆଇଏନଏକ୍ସ ମିଡ଼ିଆରେ ବିଦେଶୀ ପୁଂଜି ନିବେଶ ସକାଶେ ଏଫଆଇପିବି ମଂଜୁରୀ କରାଇବାକୁ ଉକ୍ରୋଚ ନେଇଥିବା ମାମଲାରେ ଗିରଫ ହୋଇ ୧୧ ଦିନ ସିବିଆଇ ହେପାଜତରେ ଥିଲେ । ଏବେ ସେ ଜାମିନରେ ଅଛନ୍ତି । ମାମଲାରେ ତକ୍ରାଳୀନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ ଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ସିବିଆଇ ଓ ଇଡ଼ି ମାମଲା ରୁଜୁ କରିଥିବାରୁ ଗିରଫ ହେବା ଭୟରେ ସେ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହା ମନି ଲଣ୍ଡ୍ରିଂ ମାମଲା ହୋଇଥିବାରୁ ଜାମିନ ଆବେଦନ ଖାରଜ କରି ଚିଦମ୍ବରମ୍ ଙ୍କୁ ଅଡୁଆରେ ପକାଇଛନ୍ତି । ସିବିଆଇ ଓ ଇଡ଼ି ଭିନ୍ନ ଭିନ୍ନ ଭାବେ ଚିଦମ୍ବରମ୍ ଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ସେ ଆତ୍ମଗୋପନ କରି ରହିଥିଲେ । ତାଙ୍କ ବିରୋଧରେ ‘ଲୁକ୍ ଆଉଟ୍’ ନୋଟିସ ଜାରି ହେବା ପରେ ଚିଦମ୍ବରମ୍ ଆତ୍ମଗୋପନ କରି ନ ଥିଲେ ବୋଲି ସୂଚାଇବାକୁ ବୁଧବାର ସନ୍ଧ୍ୟାରେ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ଓ ଇଡ଼ି ତାଙ୍କୁ ଅଯଥାରେ ହାରାଶ କରୁଥିବା ଅଭିଯୋଗ କରିଥିଲେ । ବର୍ତମାନର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ଏଥିସକାଶେ ଦାୟି କରିଛନ୍ତି । ସିବିଆଇ ଅଧିକାରୀମାନେ ବୁଧବାର ରାତିରେ ଚିଦମ୍ବରମ୍ ଙ୍କ ଘର ପାଚେରୀ ଡ଼େଇଁ ତାଙ୍କୁ ଉଠାଇ ଆଣି ଥିଲେ । ସିବିଆଇ ମୁଖ୍ୟାଳୟରେ ରାତିସାରା ଅଟକ ରଖିବା ପରେ ଗୁରୁବାର ସକାଳେ ତାଙ୍କୁ ଜେରା କରି ଅପରାହ୍ନରେ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ହାଜର କରିଥିଲେ ।
ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ଆଇଏନଏକ୍ସ କଂପାନୀରେ ବିଦେଶୀ ପୁଂଜି ନିବେଶ ପାଇଁ ଏଫଆଇପିବି ମଂଜୁରୀ କରାଇବାକୁ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ୍ ଓ ତାଙ୍କ ପୁଅ କାର୍ତିଙ୍କ ସହଯୋଗ ଲୋଡି ଥିଲେ ବୋଲି ସିବିଆଇକୁ କହି ଥିବା ବେଳେ ଚିଦମ୍ବରମ୍ ଓ ତାଙ୍କ ପୁଅ ସେମାନଙ୍କୁ ଜାଣି ନାହାନ୍ତି ବୋଲି କହୁଛନ୍ତି । ଇନ୍ଦ୍ରାଣୀ ୨୦୧୮ ମାର୍ଚ୍ଚରେ ସିଆରପିସିର ଧାରା ୧୬୪ରେ ସିବିଆଇରେ ନିଜ ବୟାନ ରେକର୍ଡ କରାଇ ଆଇଏନଏକ୍ସ ମିଡ଼ିଆ ସପକ୍ଷରେ ଏଫଆଇପିବି ମଂଜୁରୀ ସକାଶେ କାର୍ତିଙ୍କ ସହ ୧ ନିୟୁତ ଡ଼ଲାରର ଏକ ବୁଝାମଣା ହୋଇଥିଲା ବୋଲି କହିଥିଲେ । ଏହାପରେ, ଗତ ମାସରେ ଦିଲ୍ଲୀ କୋର୍ଟ ଇନ୍ଦ୍ରାଣୀଙ୍କୁ ଆଇଏନଏକ୍ସ ମାମଲାରେ ରାଜସାକ୍ଷୀ ହେବାକୁ ଅନୁମତି ଦେଇଛନ୍ତି । ଇନ୍ଦ୍ରାଣୀ ରାଜସାକ୍ଷୀ ବା ଆପ୍ରୁଭର ହେବା ପରେ କାର୍ତି ଓ ପି.ସିଙ୍କ ଅଡୁଆ ବଢିଛି । ଜଣେ ହତ୍ୟା ଅଭିଯୁକ୍ତ କିଭଳି ରାଜସାକ୍ଷୀ ହୋଇଛି ବୋଲି ଚିଦମ୍ବରମ୍ଙ୍କ ଓକିଲମାନେ ପ୍ରଶ୍ନ ଉଠାଇ ଥିଲେ ମଧ୍ୟ ସିବିଆଇ ସ୍ୱତନ୍ତ୍ର ଅଦାଲତ ଏହାକୁ ଧ୍ୟାନ ଦେଇ ନାହାନ୍ତି । ଅପରପକ୍ଷରେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୧୦ ବର୍ଷ ତଳର ରାଗର ବଦଲା ନେଉଛନ୍ତି ବୋଲି ଚିଦମ୍ବରମ୍ ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଚିଦମ୍ବରମ୍ (୨୦୦୮ ନଭେମ୍ବର ୨୯ରୁ ୨୦୧୨ ଜୁଲାଇ ୩୧) କେନ୍ଦ୍ରରେ ଗୃହ ମନ୍ତ୍ରୀ ଥିବା ସମୟରେ ସୋହରାବୁଦ୍ଦିନ ଶେଖ୍ ଏନକାଉଂଟର ମାମଲାରେ ବର୍ତମାନର ଗୃହ ମନ୍ତ୍ରୀ ଶାହାଙ୍କୁ ସିବିଆଇ ଦ୍ୱାରା ଗିରଫ କରାଇ ଥିଲେ । ଶାହା ୨୦୧୦ ଜୁଲାଇ ୨୫ରେ ଗିରଫ ହୋଇ ତିନି ମାସ ଜେଲରେ ଅଟକ ରହି ଥିଲେ । ଶାହା ଗୃହ ମନ୍ତ୍ରୀ ଭାବେ ଆଜି ତାହାର ପ୍ରତିଷୋଧ ନେଇଛନ୍ତି ବୋଲି କଂଗ୍ରେସ କହୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS