ସୁଧୁରି ଯାଅ, ନଚେତ ‘ବହଗାଲୁଆ’ ରହି ଯିବ..
– ପ୍ରସାଦ ରାଓ –
ସେପ୍ଟେମ୍ବର ୧୨ ତାରିଖ
କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ଆଇନ ରାଜ୍ୟରେ ଲାଗୁ ହେବାର ଏକାଦଶ ଦିନ ବିତି ଯାଇଥିଲେ ମଧ୍ୟ ତାହାକୁ ନେଇ ବିବାଦର ଅବସାନ ଘଟି ନାହିଁ । ସେପ୍ଟେମ୍ବର ପହିଲାରୁ ଦେଶବ୍ୟାପୀ ଏହି ଆଇନ ଲାଗୁ ହୋଇଛି । ପୁଲିସ ଓ ପରିବହନ ମନ୍ତ୍ରଣାଳୟ ଏହି ଆଇନ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି । ଦେଶରେ ସଡ଼କ ଦୁର୍ଘଟଣା କମାଇବା ସହ ଟ୍ରାଫିକ ନିୟମ ସଂପର୍କରେ ସଚେତନ କରିବା ଏବଂ ଜନଜାଗୃତି ମାଧ୍ୟମରେ ଏକ ଶୃଂଖଳିତ ସଡ଼କ ବାତାବରଣ ସୃଷ୍ଟି କରିବା ନୂଆ ଆଇନର ମୌଳିକ ଲକ୍ଷ୍ୟ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରୁଥିବା ସରକାରଙ୍କ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ମୂଳ ଲକ୍ଷ୍ୟ ଠାରୁ ଦୂରେଇ କେତେ ଅଧିକ ତଣ୍ଡ ଆଦାୟ କରି ହେବ, ସେହି ପ୍ରତିଦ୍ୱନ୍ଦ୍ୱିତାରେ ମାତିବାରୁ ମାତ୍ର ୧୧ ଦିନରେ ଏହା ଏକ ‘କଳା ଆଇନ’ର ପ୍ରଖ୍ୟାତି ଅର୍ଜନ କରିଛି । ଏହାକୁ ନେଇ କୋଳାହଳ ଏତେଦୂର ବଢିଛି ଯେ ପୁଲିସ ଓ ପରିବହନ ମନ୍ତ୍ରଣାଳୟ ଜନଆକ୍ରୋଶର ଶିକାର ହୋଇ ସଫେଇ ଦେବାକୁ ବାଧ୍ୟ ହୋଇଛି । ଜନଆକ୍ରୋଶ ପାଇଁ ଦୁଇ ବିଭାଗ ପରସ୍ପରକ ଦାୟି କରି ଆଉ ଏକ ବିବାଦୀୟ ବାତାବରଣ ସୃଷ୍ଟି କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ତିନି ମାସ ପାଇଁ ଏହି ଆଇନକୁ କୋହଳ ଭାବେ ଲାଗୁ କରିବାକୁ ନିର୍ଦେଶ ଦେଇ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ବେଳେ ପୁଲିସ ଓ ପରିବହନ ବିଭାଗର ଅହଂକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ତେଣୁ, ନୂଆ ଟ୍ରାଫିକ ଆଇନ ଆଗାମୀ ଦିନରେ ଅଧିକ ଅପ୍ରିତିକର ପରିସ୍ଥିତିର ସାମନା କରିପାରେ, ଏଭଳି ଆଶଙ୍କା ଏଡାଇ ହେଉ ନାହିଁ ।
କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ଆଇନ ଦେଶବ୍ୟାପୀ ତୁରନ୍ତ ଲାଗୁ ହେବା ଉଚିତ ଥିଲା କି ନାହିଁ, ସେ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ରହିଛି । ବିଶେଷକରି, ଓଡ଼ିଶା ପରି ଏକ ପଛୁଆ ଓ ଗରୀବ ରାଜ୍ୟ ଭାବିଚିନ୍ତି ଏହି ଆଇନକୁ କାର୍ଯ୍ୟକାରୀ କରିବା ଉଚିତ ଥିଲା । କନ୍ତୁ, ହଠାତ୍ ଜନସାଧାରଣଙ୍କ ଉପରେ ଝପଟି ପଡିବାର ଆକାଂକ୍ଷା ଉଭୟ ପୁଲିସ ଓ ପରିବହନ ବିଭାଗକୁ ଭାବିବାକୁ ସମୟ ଦେଇ ନ ଥିଲା । ଫଳରେ, ନିଜର ଜୀବିକା ନିର୍ବାହ ପାଇଁ ମାତ୍ର ୨୫ ହଜାର ଟଙ୍କାରେ ପୂରୁଣା ଅଟୋଟିଏ କିଣି ରାଜଧାନୀ ରାଜରାସ୍ତାରେ ଚଳାଉ ଥିବା ଜଣେ ଅଟୋ ଚାଳକଙ୍କୁ କାଗଜପତ୍ର ନଥିବା ଓ ଅନ୍ୟାନ୍ୟ ଅଭିଯୋଗରେ ୪୭ ହଜାର ୫୦୦ ଟଙ୍କା ଜରିମାନା ଗଣିବାକୁ ପଡିଛି । ନୂଆ ଆଇନ ଦୃଷ୍ଟିରୁ ତାହା ଯଥାର୍ଥ ହୋଇ ପାରେ, କିନ୍ତୁ ମାନବିକତା ଦୃଷ୍ଟିରୁ ତାହା କେତେ ଯଥାର୍ଥ, ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ, ସଂପୃକ୍ତ ଅଟୋଚାଳକ ନୁହନ୍ତି, ରାଜଧାନୀରେ ବହୁ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଚାଳକ ଏଭଳି ତଣ୍ଡ ଗଣିଛନ୍ତି । ପୁଲିସ ଓ ପରିବହନ ବିଭାଗ କର୍ମଚାରମାନେ ନୂଆ ଟ୍ରାଫିକ ଆଇନର ଦ୍ୱାହି ଦେଇ ଏତେଦୂର ନିଷ୍ଠୁର ହେଲେ ଯେ ମାନବିକତା ଲୁଚି ଗଲା ଏବଂ ଅହଂକାର ଉଭୁରି ଆସିଲା । ଫଳରେ, ସରକାରଙ୍କ ବିରୋଧରେ ଜନଅସନ୍ତୋଷ ଦାନା ବାନ୍ଧିଲା । ଓଡ଼ିଶା ପୁଲିସ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ କର୍ମଚାରୀମାନେ ଅଗଷ୍ଟ ୩୧ରୁ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରି ପ୍ରଥମ ସାତ ଦିନ ଭିତରେ ଜନଅସନ୍ତୋଷକୁ ଏତେଦୂର ହାୱା ଦେଲେ ଯେ ତାହା ସେପ୍ଟେମ୍ବର ୭ ତାରିଖ ମଧ୍ୟାହ୍ନରେ ରାଜଧାନୀର ରାଜମହଲ ଛକରେ ଜନତା-ପୁଲିସ ସଂଘର୍ଷର ରୂପ ନେଲା । ପୁଲିସ ଉପରେ ଜନତାର ଟେକା ମାଡ ଓ ଜନତାକୁ ଘଉଡାଇବା ପାଇଁ ପୁଲିସର ଲାଠି ମାଡ ଜନଅସନ୍ତୋଷ ଗଭୀରତାକୁ ଉଜାଗର କଲା । ଭୁବନେଶ୍ୱର-କଟକ ଦ୍ୱୈତ ମହାନଗରୀ ପୁଲିସ କମିସନର ଅପରାହ୍ନରେ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଶାନ୍ତ କରିଥିଲେ ମଧ୍ୟ ପୁଲିସ ଓ ପରିବହନ ବିଭାଗର ଅହଂକାର୍ ଥଣ୍ଡା ପଡି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଉଭୟ କର୍ତର୍ୃପକ୍ଷ ସାମାନ୍ୟ ନରମିଛନ୍ତି । ତେବେ, ୭ ତାରିଖ ଖଣ୍ଡଯୁଦ୍ଧରେ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇଥିବା ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ପୂର୍ଣ୍ଣଛେଦ ପଡି ନାହିଁ ବା ଲୋକଙ୍କ ଠାରୁ ଆଦାୟ ହୋଇଥିବା ମାତ୍ରାଧିକ ତଣ୍ଡ ଫେରି ମିଳିବାର ଆଶା ଦିଶୁ ନାହିଁ ।
ଅପରପକ୍ଷରେ, ରାଜମହଲ ଛକରେ ୰ ତାରିଖ ଘଟିଥିବା ଘଟଣା ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଛି । ଏଥିସକାଶେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ ଓ ପରିବହନ ବିଭାଗ ଅଧିକାରୀଙ୍କ ଉପରେ କ୍ଷୁବ୍ଧ। ଜନତାଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହୋଇଥିବା ସରକାର ସ୍ୱୀକାର କରିଛନ୍ତି । ଟ୍ରାଫିକ୍ ଆଇନ ମୁତାବକ କାଗଜପତ୍ର ପ୍ରସ୍ତୁତ କରିବା ସକାଶେ ଭୁବନେଶ୍ୱର-କଟକ ପୁଲିସ କମିସନର୍ ମାସେ ସମୟ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ତିନି ମାସ ସମୟ ଦେଇ ସରକାର-ବିରୋଧୀ ଜନଅସନ୍ତୋଷକୁ ନିୟନ୍ତ୍ରଣ କରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ଥିବା ଅବ୍ୟବସ୍ଥା ଓ ଆଳସ୍ୟ ମାସକ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ନୁହେଁ । ଏଥିସକାଶେ ଅଧିକ ସମୟ ଲୋଡା, ତାହା ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ତିନି ମାସ ସମୟ ଦେଇଥିବା ଅନୁମାନ କରାଯାଉଛି । ଏହି ସମୟ ମଧ୍ୟରେ ଜନସାଧାରଣଙ୍କୁ ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍, ଫିଟ୍ନେସ୍ ସାର୍ଟିଫିକେଟ୍ ପ୍ରଭୃତି ଯାହା ଯାହା ଆବଶ୍ୟକ କାଗଜପତ୍ର ଯୋଗାଇ ଦେବାକୁ ଅଧିକ କେନ୍ଦ୍ର ଖୋଲିବାକୁ ଓ ଛୁଟି ଦିନରେ ମଧ୍ୟ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ଜନସାଧାରଣରେ ସରକାରଙ୍କ ପ୍ରତି ଏକ ସକାରାତ୍ମକ ଭାବନା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ସମଗ୍ର ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିବା ସମୟରେ ଗ୍ରାମାଂଚଳରେ ଏବେ ବି ଟ୍ରାଫିକ୍ ଧରପଗଡ ଚାଲିଛି । ପୁଲିସ ଓ ପରିବହନ ବିଭାଗ ନିଜ ତ୍ରୁଟି ସୁଧାରିବା ବଦଳରେ ଅହଂକାରକୁ ଜାହିର କରିବାକୁ ଯାଇ ଜନଅସନ୍ତୋଷକୁ ହାୱା ଦେଉଥିବା ମୟୁରଭଂଜ ଜିଲ୍ଲାର ବେତନଟୀ ଥାନା ଅଂଚଳରୁ ମିଳି ଥିବା ଏକ ଖବରରୁ ସ୍ପଷ୍ଟ ହେଉଛି ।
ମିଳିଥିବା ତଥ୍ୟ ମୁତାବକ ଗତ ମଙ୍ଗଳବାର (୧୦ ତାରିଖ) ଦିନ ମୟୁରଭଂଜ ଜିଲ୍ଲା ଶୁଖିଲାହାର ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତ ନାମକ ଜଣେ ଚାଷୀ ନିକଟରେ ଥିବା ନିଜ ଚାଷ ଜମିରେ ସାର ପକାଇ ଦୁଇ ଚକିଆ ଯାନରେ ଘରକୁ ଫେରୁଥିବା ବେଳେ ପରିବହନ ବିଭାଗର ଜଣେ ଅଧିକାରୀ ଓ ବେତନଟୀ ଥାନା ଅଧିକାରୀ ତାଙ୍କ ଗାଡି ଯାଂଚ କରଥିଲେ । ଆବଶ୍ୟକ କାଗଜପତ୍ର ନଥିବା ଦର୍ଶାଇ ମହାନ୍ତଙ୍କ ଠାରୁ ୧୮ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି । ପୁଲିସ ସଂପୃକ୍ତ ଚାଷୀଙ୍କ ଯାନକୁ ଜବତ କରି ନେବାରୁ ଚାଷୀ ଜଣକ ଚାଲି ଚାଲି ନିଜ ଘରକୁ ଫେରି ଥିଲେ । ରାଜ୍ୟ ପରିବହନ ଓ ପଲିସ ବିଭାଗ ଏହି ଘଟଣା ଉପରେ କିଛି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନୁହନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସବୁ କଥା ପହଂଚୁ ନ ଥିବାରୁ ସରକାରୀ ଅଧିକାରୀମାନେ ନିଜ ଅହଂକାରକୁ ସାବ୍ୟସ୍ତ କରିବା ପାଇଁ ଗାଁ ଗହଳରେ ଆତଂକ ଚଳାଇଛନ୍ତି । ୭ ତାରିଖ ଘଟଣା ପରେ ରାଜଧାନୀ ବାତାବରଣ ଥଣ୍ଡା ଥିଲେ ମଧ୍ୟ ଗ୍ରାମାଂଚଳରେ ଚାଲିଥିବା ଉତ୍ପୀଡ଼ନ ଆଗାମୀ ଦିନରେ ଅଧିକ ‘ରାଜମହଲ ଛକ ଘଟଣା’ ଘଟଣା ଘଟିବାର ଆଶଙ୍କା ସୃଷ୍ଟି କରୁଛି ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଗାଡି କାଗଜପତ୍ର ଓ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଚାଲିଥିବା ଚଢାଉ ତିନି ମାସ ବନ୍ଦ ରହିବ । କିନ୍ତୁ, ନିର୍ଦ୍ଧାରିତ ପରିମାପକ ଠାରୁ ଅଧିକ ପରିମାଣର ମଦ ପିଇ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ କାନରେ ଲଗାଇ କଥା ହେବା, ଚାରି ଚକିଆରେ ସିଟ୍ ବେଲ୍ଟ ବ୍ୟବହାର ନ ହେବା, ହେଲମେଟ୍ ପିନ୍ଧି ନ ଥିବା ଏବଂ ଦୁଇ ଚକିଆ ଯାନରେ ତିନି ଜଣଙ୍କୁ ବସାଇ ନିୟକ ଭଂଗ କରୁଥିବା ଏବଂ ରାସ୍ତାରେ ସର୍ପିଳ ଢଂଗରେ ଗାଡି ଚଳାଇ ଓ କାନଫଟା ହର୍ଣ୍ଣ ବଜାଇ ଅନ୍ୟମାନଙ୍କୁ ଅଡୁଆରେ ପକାଉ ଥିବା ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରହିବ । ତେବେ, ରାଜଧାନୀରେ ଅଦ୍ୟାବଧି ଏସବୁ ଚାଲିଛି। ରାମମନ୍ଦିର ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଏବଂ କଟକ-ପୁରୀ ରୋଡରେ ସନ୍ଧ୍ୟା ନଇଁଲେ ଏଭଳି ରୋଡ-ରୋମିଓଙ୍କ ପ୍ରଦୁର୍ଭାବ ଦେଖିବାକୁ ମିଳୁଛି । କଳ୍ପନା ଛକରୁ ରସୁଲଗଡ଼ ପର୍ଯ୍ୟନ୍ତ ରାସ୍ତାରେ ପୁଲିସ ଆଡୁ ଧରପଗଡ ନାହିଁ । ଫଳରେ, ଏସବୁ ସମସ୍ୟା ସହ ଟ୍ରାଫିକ୍ ଜାମ୍ ନିତି ଦିନିଆ ଘଟଣା ହୋଇଛି । ଏହି ରାସ୍ତାରେ ଦୁଇଟି ଫ୍ଲାଏ ଓଭର ସହ ‘ଏସପ୍ଲାନେଡ୍’ ଭଳି ହାଇଫାଇ ସପିଂ ମଲ୍ ଓ ସିନେମା ଘର ଓ ମାଳ ମାଳ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ପାର୍କିଂ ସମସ୍ୟା ଯୋଗୁ ରାସ୍ତା ମଝି ପର୍ଯ୍ୟନ୍ତ ଦୁଇ ଓ ଚାରି ଚକିଆ ଠିଆ ରହି ରାସ୍ତାକୁ ସଂକୁଚିତ କରୁଛନ୍ତି । ରାସ୍ତାରେ ଥିବା ଡ଼ିଭାଇଡର୍ ର ବିଭିନ୍ନ ସ୍ଥାନରେ ଯେଉଁ କଟ୍ ରହିଛି ସେହି ସବୁ ସ୍ଥାନରେ ହିଁ ଅଧିକ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଏସବୁ ବ୍ୟତୀତ, ବିଭିନ୍ନ ଆଳରେ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥା ପକ୍ଷରୁ ରାସ୍ତା ଖୋଳି ଦିଆଯାଇ ମାସ ମାସ ଧରି ତାହାର ମରାମତି ହେଉ ନାହିଁ । ‘ଏକପାଖିଆ ରାସ୍ତା’ ଘୋଷିତ ଫ୍ଲାଏ ଓଭର ଓ ତଳ ରାସ୍ତାରେ ‘ରଂଗ୍ ସାଇଡ୍’ ଡ୍ରାଇଭିଂ ଯେମିତି ପୈତୃକ ଅଧିକାର । ତେବେ, ପୁଲିସ ଓ ପରିବହନ ବିଭାଗ ଏଥିପ୍ରତି ନିର୍ଲିପ୍ତ । ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ ରାସ୍ତାଘାଟ ଅବସ୍ଥା ସୁଧୁରିବାକୁ ଚାହୁଁ ନାହାନ୍ତି । ଫଳରେ, ଯାନବାହନ ଚାଳକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ନୂଆ ଟ୍ରାଫିକ୍ ଆଇନ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ସଡ଼କ ଭିତ୍ତିଭୂମୀ ସଜାଡିବା ଉଚିତ ଥିଲା । କିନ୍ତୁ, ତାହ ହୋଇ ନାହିଁ । ରାଜ୍ୟ ସରକାର ହଠାତ୍ ଏହି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରି ରାସ୍ତାଘାଟରେ ଠେଙ୍ଗା ପକାଇ ଶହରେ ନୁହଁ, ହଜାରରେ ଜରିମାନା ଆଦାୟ କଲେ କିଏ ବା ସହିବ ? ଗାଡିରେ ତେଲ ପକାଇବାକୁ ପକେଟରେ ଶହେ ଟଙ୍କା ରଖି ଥିବା ଦୁଇ ଚକିଆ ଯାନ ଚାଳକକୁ ହେଲମେଟ୍ ଓ ଗାଡିର କାଗଜପତ୍ର ନ ଥିବା ଦର୍ଶାଇ ହଜାର ହଜାର ଟଙ୍କା ଫାଇନ୍ ଦେବାକୁ ବାଧ୍ୟ କଲେ ସେ କେଉଁଠୁ ଆଣିବ ? ଡ଼ିଜିଟାଲ ପେମେଂଟ ପାଇଁ ବ୍ୟାଙ୍କ ଏକାଉଂଟରେ ସେତିକି ଅର୍ଥ ଥିବା ଆବଶ୍ୟକ । ତେଣୁ, ଧରପଗଡ ଜନତାରେ କୋକୁଆଭୟ ସୃଷ୍ଟି କରୁଛି । ତାହା ମଧ୍ୟ ଜନଅସନ୍ତୋଷର କାରଣ ହୋଇଛି । ଅବଶ୍ୟ, ସେପ୍ଟେମ୍ବର ୭ ତାରିଖ ରାଜମହଲ ଛକ ଘଟଣା ପରେ ରାଜଧାନୀରେ ଜରିମାନା ପରିମାଣ ହଜାରରୁ ଶହକୁ ଖସିଛି । ହେଲେମେଟ୍ ପିନ୍ଧି ନ ଥିବା ଗାଡି ଚାଳକଙ୍କୁ ଜରିମାନା ବଦଳରେ ହେଲମେଟ୍ ଉପହାର ମିଳୁଛି । କାଗଜପତ୍ର ଠିକଠାକ୍ ଥିଲେ ଗୋଲାପ ଫୁଲ ଦିଆଯାଉଛି । ସେପ୍ଟେମ୍ବର ପହିଲାରୁ ଯଦି ଏଭଳି ଉପହାର ଦେଇ ସଚେତନତା ସୃଷ୍ଟି କରଯାଇଥା’ନ୍ତା ତେବେ କେନ୍ଦ୍ରୀୟ ଟ୍ରାଫିକ୍ ଆଇନ କଡାକଡି କାର୍ଯ୍ୟକାରୀ ହେବ ବେଳକୁ ପୁଲିସ ଓ ପରିବହନ ବିଭାଗକୁ ରାଜ୍ୟବ୍ୟାପୀ ଜନଅସନ୍ତୋଷର ସାମନା କରିବାକୁ ପଡି ନ ଥା’ନ୍ତା । ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନେ ଅପଦସ୍ତ ହୋଇ ନ ଥା’ନ୍ତେ । ଜନଅସନ୍ତୋଷ ସରକାରଙ୍କ ବିରୋଧରେ ଯାଉଥିବା ଦେଖି ମୁଖ୍ୟମନ୍ତ୍ରୀ ଖପ୍ପା ହୋଇ ନଥା’ନ୍ତେ । ଏବେ, ତରବରିଆ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟବ୍ୟାପୀ ଜନଅସନ୍ତୋଷ ପାଇଁ ପୁଲିସ ଓ ପରିବହନ ବିଭାଗ ପରସ୍ପରକୁ ଦାୟି କରି ନିଜ ଅହଂକାରକୁ ଥଣ୍ଡା କରୁଛନ୍ତି । ଲୋକସେବା ଭବନ ଓ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏଭଳି ବିରୋଧର ଗୁଂଜରଣ ଶୁଣିବାକୁ ମିଳୁଛି । ଏପରିକି, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ ରାଜ୍ୟ ପୁଲିସ ମହାନିର୍ଦେଶକ ଏବଂ ଭୁବନେଶ୍ୱର-କଟକ ପୁଲିସ କମିସନରଙ୍କୁ ଚିଠି ଲେଖି ସବୁ ଦୋଷ ସେମାନଙ୍କ ମୁଣ୍ଡରେ ଥାପି ଥିବା ଖବର ସରକାରଙ୍କ ଅଡୁଆ ସ୍ଥିତିକୁ ଉଜାଗର କରୁଛି ।
ଏବେ ମୂଳ ଚର୍ଚ୍ଚାକୁ ଆସିବା । ଗୁଜରାଟ ଭଳି ଭାଜପା ଶାସିତ ରାଜ୍ୟମାନେ ତରବରିଆ ଭାବେ ଏହି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ ନ କରି ଜରିମାନା ପରିମାଣକୁ କାଟଛାଂଟ କରି କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଥିବା ବେଳେ ଓଡ଼ିଶା ସରକାର ତରବରିଆ ଭାବେ ଆଇନକୁ କାର୍ଯ୍ୟକାରୀ କରିବାକୁ ବ୍ୟାକୁଳ ହେଲେ କାହିଁକି? ଏହି ପ୍ରଶ୍ନର ଉତ୍ତର ରାଜ୍ୟବାସୀ ଖୋଜୁଛନ୍ତି । ସରକାରଙ୍କ ତରବରିଆ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ କହିବା ପାଇଁ କିଛି ପରିସଂଖ୍ୟାନ ଉପସ୍ଥାପନ କରାଯାଉଛି । ପରିବହନ ବିଭାଗର ୨୦୧୮ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଦେଶରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ପ୍ରାୟ ଦେଢ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ପ୍ରତି ଘଂଟାରେ ୧୭ ଜଣ ପ୍ରାଣ ହରାଉଥିବା ରିପୋର୍ଟ କହୁଛି । ଗଲା କିଛି ବର୍ଷ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର କମି ଥିବା ବେଳେ ଓଡ଼ିଶାରେ ତାହା ବଢିଛି । ତେଣୁ, ସଡ଼କ ଦୁର୍ଘଟଣା ରୋକିବାକୁ ଏଭଳି କଡା ଫାଇନ୍ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଗଲା ୧୦ ଦିନର ରିପୋର୍ଟ କହୁଛି, ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ନୂତନ ଟ୍ରାଫିକ୍ ଆଇନ କାର୍ଯ୍ୟକାରୀ ହେବା ପରେ ମଦ ପେଟ୍ରୋଲ ଓ ଡ଼ିଜେଲର ବିକ୍ରି କମିଛି । ଦୁର୍ଘଟଣା ସଂଖ୍ୟା ମଧ୍ୟ କମିଛି । ରାସ୍ତାରେ ଅଟୋରିକ୍ସାଙ୍କ ଦୌରାତ୍ମ୍ୟ ହ୍ରାସ ପାଇଛି । ଚୋରା ଦୁଇ ଚକିଆ ଯାନକୁ ଆୟୁଧ କରି ରାଜରାସ୍ତାରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ ଓ ଛିନତାଇ କମିଛି । ତେଣୁ, ନୂଆ ଟ୍ରାଫିକ୍ ଆଇନ କଡାକଡି ଭାବେ କାର୍ଯ୍ୟକାରୀ କରାଯିବାର ଯଥାର୍ଥତା ରହିଛି । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ତିନି ମାସ ନୁହେଁ, ସପ୍ତାହେ ମୋହଲତ ଦେବା ଉଚିତ ଥିଲା ବୋଲି ଜଣେ ଗୋଟିଏ ସମ୍ବାଦପତ୍ରର ସଂପାଦକୀୟରେ କୁହାଯାଇଛି ।
କିଛି ବିରୋଧୀ ନେତାଙ୍କ ଯୁକ୍ତି ହେଉଛି, ଆଗାମୀ ପୌର ନିର୍ବାଚନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି । ତେଣୁ, କାଗଜପତ୍ର ପ୍ରସ୍ତୁତି ପାଇଁ ତିନି ମାସ ମହଲତ ଦେଇଛନ୍ତି । କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ମତରେ, ରାଜ୍ୟରେ ଏତେ ସଂଖ୍ୟାରେ ଜନସାଧାରଣ ଲାଇସେନ୍ସ ନଥାଇ ଯାନବାହନ ଚଳାଉ ଥିଲେ, ନୂଆ ଟ୍ରାଫିକ୍ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାରୁ ତାହା ଜଣାପଡିଲା । ପରିବହନ ବିଭାଗର କେତେ ଫୁଲାଫାଙ୍କିଆ, ତାହା ଏଥିରୁ ସ୍ପଷ୍ଟ ହେଉଛି । ସଚେତନ ନାଗରିକଙ୍କ ମତରେ, ଯେକୌଣସି ଜୀବନରକ୍ଷାକରୀ ଆଇନ କଡାକଡି ଭାବେ କାର୍ଯ୍ୟକାରୀ ହେବା ଉଚିତ । ତେବେ, ଅନ୍ଧ ଭାବରେ ନୁହେଁ । ଏଥିସକାଶେ ପ୍ରଥମେ ଭିତ୍ତିଭୂମି ସଜଡା ଯାଉ । ଏସବୁ ଚର୍ଚ୍ଚାରୁ ଗୋଟିଏ ନିର୍ଯ୍ୟାସ ମିଳୁଛି – ସାଧାରଣ ଜନତା ନୂଆ ଟ୍ରାଫିକ୍ ଆଇନ ବିରୋଧୀ ନୁହନ୍ତି । ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଅପରାଧୀ ନିୟନ୍ତ୍ରଣ କରିବା ସକାଶେ କଡାକଡି ଭାବେ ଆଇନ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ତେବେ, ନିୟମ ଭଂଗ ପାଇଁ ଆଇନରେ ଥିବା ଜରିମାନାା ମାତ୍ରା ୯୦ ପ୍ରତିଶତ ଭାରତୀୟଙ୍କ ପକେଟକୁ ସୁହାଉ ନ ଥିବାରୁ ସେଥିରେ ସଂଶୋଧନ ହେବା ଆବଶ୍ୟକ । ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଇ ପୁଲିସ ଓ ପରିବହନ ବିଭାଗ ଧୂଆ ମୂଳା ଓ ଅଧୂଆ ମୂଳାଙ୍କୁ ସମାନ ନିକିତିରେ ତଉଲୁ ଥିବା ଦେଶବ୍ୟପୀ ଅସନ୍ତୋଷର କାରଣ ହୋଇଛି । ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଗୁଜରାଟକୁ ଦେଖିଲା ପରେ ଓଡ଼ିଶାରେ ସେହି ଅନୁସାରେ ଜରିମାନା ବ୍ୟବସ୍ଥା ଲାଗୁ ହେବ କହି ଜନସାଧାରଣଙ୍କୁ ଆଶ୍ୱସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଗାମୀ ପୌର ନିର୍ବାଚନକୁ ଆଖିରେ ରଖି ହେଉ ବା ମାନବିକତା ଦୃଷ୍ଟିରୁ ହେଉ ଜନତା ଉପରେ ଉଭୟ ପୁଲିସ ଓ ପରିବହନ ବିଭାଗର ଜୁଲମରେ ଲଗାମ ଲଗାଇ କାଗଜପତ୍ର ପ୍ରସ୍ତୁତ ପାଇଁ ତିନି ମାସ ମହଲତ ଦେଇଥିବା ସ୍ୱାଗତଯୋଗ୍ୟ । ଏହି ସମୟସୀମା ମଧ୍ୟରେ ଅତୀତର ସମସ୍ତ ତ୍ରୁଟି ସୁଧାରି ନେବାର ସୁଯୋଗ ମିଳିଛି । ଯେଉଁମାନେ ସୁଧୁରିବେ ନାହିଁ ‘ବହଗାଲୁଆ’ ହୋଇ ରହି ଯିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS