ଉତ୍ସବ ଋତୁ ପାଇଁ ରେଟ୍-କଟ୍, ମଜା ନେବେ ଟିଭି ଦର୍ଶକ
ମୋଅନୁଭବ.କମ୍
ଏବେ ଚାଲିଛି ଉତ୍ସବ ଋତୁ । ଏହି ଉତ୍ସବ ଋତୁକୁ ଅଧିକ ରଂଗୀନ କରିବା ପାଇଁ ତିନିଟି ପ୍ରତିଷ୍ଠିତ ଭାରତୀୟ ଟେଲି-ପ୍ରସାରକ ବା ବ୍ରଡକାଷ୍ଟର କଂପାନୀ ଷ୍ଟାର ଟିଭି, ଜୀ ଟିଭି ଓ ଭାଏକମ୍ -୧୮ର କଲର୍ସ ଚ୍ୟାନେଲ ସେମାନଙ୍କ ମାସିକ ଆଲକାର୍ଟା ମୂଲ୍ୟ ୩୭ରୁ ୯୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥିବା ସୂଚନା ମିଳିଛି । ୱାଲ୍ଟ ଡ଼ିସ୍ନେର ଷ୍ଟାର୍ ଟିଭି ଚ୍ୟାନେଲ୍, ଜୀ ଏଂଟରଟେନ୍ମେଟ ଏଟଂରପ୍ରାଇଜେସ୍ ଓ ଭାଇକମ୍ – ୧୮ ଦ୍ୱାରା ପ୍ରସାରିତ କଲର୍ସ ହିନ୍ଦୀ ଚ୍ୟାନଲର ମାସିକ ଆଲକାର୍ଟା ମୂଲ୍ୟରେ ହ୍ରାସ ହୋଇଛି । ଏହାଦ୍ୱାରା ସେମାନଙ୍କ ବ୍ୟବସାୟିକ କ୍ଷତି ହେବା ନିଶ୍ଚିତ । ତାହା ଜାଣି ସୁଦ୍ଧା ଗ୍ରାହକଙ୍କୁ ସୀମିତ ସମୟ ପାଇଁ ଏହି ପୂଜା ଋତୁର ଅଫର୍ ଦିଆଯାଇଛି ବୋଲି ଏହି ବ୍ରଡକାଷ୍ଟରମାନେ କହିଛନ୍ତି । ମୂଲ୍ୟହ୍ରାସ ନିଷ୍ପତ୍ତି ଅନୁଯାୟୀ, ଷ୍ଟାର ପ୍ଲସ୍ ମାସିକ ଆଲକାର୍ଟା ଦେୟ ମୂଲ୍ୟ ୧୯ରୁ ୧୨ ଟଙ୍କାକୁ କମାଇ ଥିବା ବେଳେ ନ୍ୟାସନାଲ ଜୋଗ୍ରାଫି ଚ୍ୟାନେଲ ମାସିକ ଦେୟ ୨ଟଙ୍କାରୁ ୧ ଟଙ୍କାକୁ, ଷ୍ଟାର ସ୍ପୋର୍ଟସ୍ ଫାଷ୍ଟ୍ ୧ ଟଙ୍କାରୁ ୦.୧ ଟଙ୍କାକୁ, ଜୀ ଟିଭି ଓ ଜୀ ବାଂଗଲା ୧୯ରୁ ୧୨ ଟଙ୍କା, କଲର୍ସ ହିନ୍ଦୀ ୧୯ ଟଙ୍କାରୁ ୧୨ ଟଙ୍କାକୁ ଓ ହଂଗାମା ଟିଭି ମାସିକ ୬ ଟଙ୍କାରୁ ୧ ଟଙ୍କାକୁ କମାଇଛି ।
ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଏ) ବ୍ରଡକାଷ୍ଟରମାନଙ୍କ ପାଇଁ ଛଅ ମାସ ତଳେ ଯେଉଁ ନୂତନ ତାରିଫ୍ ବ୍ୟବସ୍ଥା ଘୋଷଣା କରିଥିଲା ତାହା ଏବେ ସମୀକ୍ଷା କରିବାକୁ ସେମାନଙ୍କୁ ସୁଯୋଗ ଦେଇଥିବାରୁ ଉପରୋକ୍ତ ବ୍ରଡକାଷ୍ଟରମାନେ ସେହି ସୁଯୋଗ ନେଇ ସାମୟିକ ଭାବେ ତାରିଫ୍ ହ୍ରାସ ଘୋଷଣା କରିଛନ୍ତି । ଡ଼ିସ୍ନେର ବକେଟରେ ୬୪ଟି ଚ୍ୟାନେଲ ରହିଛି । ୫୦ରୁ ୬୦ ପ୍ରତିଶତ ଟିଭି ଦର୍ଶକ ଷ୍ଟାର୍ ପ୍ଲସ୍, ଷ୍ଟାର ମା’, ଷ୍ଟାର୍ ଜଲସା, ଏସୀୟା ନେଟ୍ ପ୍ରଭୃତି ଚ୍ୟାନଲର ଗ୍ରହିତା । ବକେଟ୍ ଦର ଅଧିକ ରହୁଥିବା ଦେଖି ଟିଭି ଦର୍ଶକମାନେ ଏସବୁ ଚ୍ୟାନେଲ୍ ସବସ୍କାଇବ୍ କରିବାକୁ ମୁହଁ ମୋଡୁ ଥିବାରୁ ବ୍ରଡକାଷ୍ଟର ଆଲକାର୍ଟା ମୂଲ୍ୟ ୩୭ ପ୍ରତିଶତ ହ୍ରାସ କରିବା ସହ ଏହାର ଅନ୍ୟାନ୍ୟ ଚ୍ୟାନେଲର ଅଲକାର୍ଟା ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ହ୍ରାସ କରିଥିବା ପ୍ରକାଶ । ସେହିଭଳି, ଜୀ ତାହାର ବକେଟ୍ ରେ ୬୦ଟି ଚ୍ୟାନେଲ୍ ଥିବା ବେଳେ ୬ଟି ଚ୍ୟାନେଲର ଆଲକାର୍ଟା ମୂଲ୍ୟ ୩୭ ପ୍ରତିଶତ ହ୍ରାସ କରିଛି । ‘କଲର୍ସ’ର ବକେଟ୍ ରେ ୪୨ଟି ଚ୍ୟାନେଲର ଥିବା ବେଳେ ଦୁଇଟି ଚ୍ୟାନେଲର ମାସିକ ଦେୟ ୧୯ ଟଙ୍କାରୁ ୧୨ ଟଙ୍କାକୁ କମାଇଛି । ଚ୍ୟାନେଲର ମାସିକ ଆଲକାର୍ଟା ମୂଲ୍ୟ ଅଧିକ ରହୁଥିବା ଦେଖି ଗ୍ରାହକ ତାହା ସବସ୍କ୍ରାଇବ କରିବାକୁ ପଛାଉଛନ୍ତି, ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଉଚିତ ମନେ କରୁଛନ୍ତି ବୋଲି ବ୍ରଡ଼କାଷ୍ଟରମାନେ କହିଛନ୍ତି । ରେଗୁଲେଟରୀ କର୍ତୃପକ୍ଷ ଚ୍ୟାନେଲମାନଙ୍କ ତାରିଫ ମୂଲ୍ୟର ଆଉ ସମୀକ୍ଷା ନ କରିବାକୁ ‘ଦି ଇଣ୍ଡିଆନ ବ୍ରଡ଼କାଷ୍ଟିଂ ଫାଉଣ୍ଡେସନ୍’ ‘ଟ୍ରାଏ’କୁ ନିବେଦନ କରିବା ସହ ତାହା କଲେ ଏହି ଶିଳ୍ପ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ସୂଚାଇଛି ।
‘ଟ୍ରାଏ’ର ନୂଆ ତାରିଫ୍ ଅର୍ଡ଼ରକୁ ନେଇ ସର୍ବନିମ୍ନ ଦେୟ ଦେଉଥିବା ଟେଲିଭିଜନ ଗ୍ରାହକମାନେ ମଧ୍ୟ କେବୁଲ ଅପରେଟରଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି । ମାସିକ ୧୩୦ ଟଙ୍କା (ନେଟୱାର୍କ କାପାସିଟି ଫି’) ଓ ତାହା ଉପରେ ଜିଏସ୍ଟି ଦେଉଥିବା ଗ୍ରାହକ ୧୦୦ଟି ଚ୍ୟାନେଲ (ଫ୍ରି-ଚ୍ୟାନେଲ ସହ) ପାଉଥିବା ବେଳେ ସେଥିରେ ‘ଫ୍ରି-ଟୁ ଏୟାର’ ଚ୍ୟାନେଲ୍ ପାଇଁ ମଧ୍ୟ ପଇସା ନିଆ ଯାଉଛି ବୋଲି ଗ୍ରାହକ ଅଭିଯୋଗ କରୁଛନ୍ତି । ‘ଟ୍ରାଏ’ର ନୂତନ ତାରିଫ୍ ଅଡ଼ର ଅନୁଯାୟୀ, ବ୍ରଡକାଷ୍ଟରମାନେ ସେମାନଙ୍କ ପେଡ୍ ଚ୍ୟାନେଲଗୁଡିକର ଆଲାକାର୍ଟା ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଗ୍ରାହକ ଅଧିକ ବ୍ୟୟ କରି ବକେଟ୍ ଆକାରରେ ଥିବା ସବୁ ଚ୍ୟାନେଲ୍ ବା ଗୋଟି ଗୋଟି କରି ସେମାନଙ୍କ ପସନ୍ଦର ଚ୍ୟାନେଲ ନେଇ ପାରିବେ । ତେବେ, ଚ୍ୟାନେଲ ବ୍ରଡକାଷ୍ଟରମାନେ ଧାର୍ଯ୍ୟ କରିଥିବା ଆଲକାର୍ଟା ମୂଲ୍ୟ ଅଧିକ ରହୁ ଥିବାରୁ ଏବଂ ଅନେକ କ୍ଷେତ୍ରରେ ଗ୍ରାହକ ସବସ୍କାଇବ୍ ନ କରିବାକୁ ଚାହୁଁ ଥିବା ଚ୍ୟନେଲ୍ ସବୁ ସେମାନଙ୍କ ଉପରେ ଲଦି ଦିଆଯାଉ ଥିବାରୁ ଗ୍ରାହକଙ୍କୁ ସେ ବାବଦରେ ଅଧିକ ଦେୟ ଦେବାକୁ ପଡୁଛି । ଏହା ଗ୍ରାହକଙ୍କ ଅସନ୍ତୋଷର କାରଣ ହୋଇଛି । ତେଣୁ, ଛଅ ମାସ ତଳର ତାରିଫ ଅଡ଼ରକୁ ସମୀକ୍ଷା କରିବାକୁ ‘ଟ୍ରାଏ’ ବ୍ରଡ଼କାଷ୍ଟରମାନଙ୍କୁ କହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS