ଯୁବରାଜ ଆଦିତ୍ୟ ମୁଣ୍ଡରେ ଶିରିପା ବାନ୍ଧିବା ନିର୍ଣ୍ଣାୟକ ମୋଡରେ
– ପ୍ରସାଦ ରାଓ –
ମୁମ୍ବାଇ, ୧୧ ନଭେମ୍ବର: ବିଜେପି ସରକାର ଗଠନ ଦାବିରୁ ଓହରି ଯିବା ପରେ ମହାରାଷ୍ଟ୍ରରେ ଶିବସେନା ସରକାର ପ୍ରତିଷ୍ଠା ଏକ ପ୍ରକାର ନିର୍ଣ୍ଣୟକ ମୋଡରେ ପହଂଚିଛି । ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନା ଚାହୁଁ ଥିଲା । ୱର୍ଲି ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବା ଦିନଠାରୁ ଦଳର ନେତୃବର୍ଗ, କର୍ମୀ ଓ ସମର୍ଥକମାନେ ତାଙ୍କ (ଆଦିତ୍ୟଙ୍କୁ) ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ଥିଲେ । ତେବେ, ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣ ସମୟ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ଅଡ଼ି ବସିବାରୁ ଅଚଳାବସ୍ଥା ଲାଗି ରହି ଥିଲା । ଦୁଇ ‘ହିନ୍ଦୁତ୍ୱବାଦୀ’ ଗେରୁଆ ଦଳ ମୁହାଁମୁହିଁ ହୋଇ ୩୦ ବର୍ଷର ସଂପର୍କ ତୁଟାଇଛନ୍ତି । ମେଂଟ ଭାଂଗିବା ପରେ ଶିବସେନା ଧର୍ମ ନିରପେକ୍ଷ ବୋଲି ନିଜକୁ ଦାବି କରୁଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ କଂଗ୍ରେସ ସହ ମିଶି ସରକାର ଗଢିବା ପ୍ରାୟତଃ ଚୂଡାନ୍ତ ହେଲାଣି । କେବଳ, ଏହି ଦୁଇ ଧର୍ମନିରପେକ୍ଷ ଦଳର ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନକ ଭାବେ ଶିବସେନା ପ୍ରତି ସେମାନଙ୍କ ସମର୍ଥନ ଜଣାଇବା ବାକି ରହିଛି । ଆଜି ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ଶିବସେନା ସରକାର ଗଠନ ଦାବି ଉପସ୍ଥାପନ କରିବାକୁ ରାଜ୍ୟପାଳ ସମୟ ଦେଇ ଥିବାରୁ ସେହି ସମୟ-ସୀମା ମଧ୍ୟରେ ନୂଆ ମେଂଟର ଆବିର୍ଭାବ ଘଟିବ ଏବଂ ଶିବସେନା’ ଯୁବରାଜ ଆଦିତ୍ୟ ଠାକରେଙ୍କ ମୁଣ୍ଡରେ ଶିରିପା ବନ୍ଧା ଯିବ ବୋଲି ବିଶ୍ୱାସ କରାଯାଇପାରେ । ଶିବସେନା ଏହି ଲକ୍ଷ୍ୟ ନେଇ ଆଗକୁ ବଢୁଛି ।
୨୦୧୯ ଅକ୍ଟୋବର ୨୧ ତାରିଖ ଅନୁଷ୍ଠିତ ମହାରାଷ୍ଟ୍ର ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୧୦୫ ବିଧାୟକଙ୍କ ସହ ଏକକ ବୃହତ ଦଳ ଭାବେ ଉଭା ହୋଇ ଥିବାରୁ ରାଜ୍ୟପାଳ ଭଗତ ସିଂହ କେଶିଆରି ଶନିବାର ଦିନ ରାଜ୍ୟ ବିଜେପି ବିଧାୟକ ଦଳ ନେତା ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସରକାର ଗଠନର ପ୍ରଥମ ସୁଯୋଗ ଦେଇଥିଲେ । ତେବେ, ଶିବସେନା ମୁଖ୍ୟମନ୍ତ୍ରୀତ୍ୱ ଦାବିରେ ଅଟଳ ରହି ବିଜେପି ସହ କୌଣସି ବୁଝାମଣା ପାଇଁ ପ୍ରସ୍ତୁତ ନ ହେବାରୁ ୧୧ ଦିନ ହେଲା ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଛି । ଏହି ପରିସ୍ଥିତିରେ ବିଜେପି ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ୧୪୫ ବେଂଚ ମାର୍କ ନ ଥିବାରୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଛି । ବିଜେପି ନେତାମାନେ ରବିବାର ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ନେଇ ବ୍ୟାପକ ବିଚାର ବିମର୍ଷ କରିବା ପରେ ଦଳ ଏକାକୀ ସରକାର ଗଠନ ସ୍ଥିତିରେ ନାହିଁ ବୋଲି ରାଜ୍ୟପାଳ କେଶିଆରିଙ୍କୁ ଜଣାଇ ଦେଇଥିଲେ । ବିଜେପି ଠାରୁ ନାସ୍ତିବାଣୀ ଶୁଣିବା ପରେ ଅପରପକ୍ଷରେ, ରାଜ୍ୟପାଳ ବିଧାନସଭାରେ ଦ୍ୱିତୀୟ ବୃହତ୍ତ ଦଳ ଭାବେ ଉଭା ହୋଇଥିବା (୫୬ ବିଧାୟକ) ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ସୋମବାର ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଶିବସେନାକୁ ରାଜ୍ୟପାଳ ସମୟ ଦେଇଥିବା ବେଳେ ଶିବସେନା ନେତୃତ୍ୱ ଏନସିପି ଓ କଂଗ୍ରେସ ସହାୟତାରେ ରାଜ୍ୟରେ ନୂତନ ସରକାର ପ୍ରତିଷ୍ଠା କରିବ ବୋଲି ଦାମ୍ଭିକତା ଦେଖାଇ ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିଛି ।
ଏନସିପି ଓ କଂଗ୍ରେସ ରାଜ୍ୟରେ ‘ଶିବସେନା ସରକାର’ ଗଠନରେ ସହାୟକ ହେବେ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ଓ ଏନସିପି ମିଶି ଶିବସେନା ସହ ‘ବାଘ-ମିରିଗ’ ଖେଳ ଖେଳୁ ଥିବା ଦେଖିବାକୁ ମିଳିଛି । ଏହି ସମର୍ଥନ ପ୍ରସଙ୍ଗରେ ଦିଲ୍ଲୀରେ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି)ର କୋର୍ କମିଟି ବୈଠକ ବସି ଥିଲା । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ନେତୃତ୍ୱ ଯାହା କିଛି ନିଷ୍ପତ୍ତି ନେବ ବୋଲି କୋର୍ କମିଟି କହିଛି । ମହାରାଷ୍ଟ୍ର କଂଗ୍ରେସ ଶାଖା ମଧ୍ୟ ତାହାର ବୈଠକ ଅପରାହ୍ନ ୪ଟାରେ ରଖିଛି । ଏନସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନାକୁ ସରକାର ଗଠନ ସମର୍ଥନ ଦେବା ପ୍ରସଙ୍ଗରେ କଂଗ୍ରେସର ନିଷ୍ପତ୍ତିକୁ ଆପେକ୍ଷା କରିଥିବା ସୂଚନା ଦେଇଛନ୍ତି । ଅପରାହ୍ନରେ ମହାରାଷ୍ଟ୍ର କଂଗ୍ରେସ ନେତୃତ୍ୱର ନିଷ୍ପତ୍ତି ପରେଏନସିପି ତାହାର ହାତମୁଠା ଖୋଲିବ । ପାୱାର ବହୁ ଆଗରୁ ଶିବସେନାକୁ ଏହା ସ୍ପଷ୍ଟ କରି ଥିଲେ । ଦୁଇ ଧର୍ମ ନିରପେକ୍ଷ ସଂଖ୍ୟାଲଘୁଙ୍କ ଭୋଟ ହାତଛଡା କରିବାକୁ ଚାହାନ୍ତି ନାହିଁ । ତଥାପି, ରାଜ୍ୟରେ ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା କୌଶଳ ସ୍ୱରୂପ ଶିବସେନାକୁ ସମର୍ଥନ ଦେବା ବିକଳ୍ପ ଖୋଲା ରଖିଛନ୍ତି । ଏହି ହିନ୍ଦୁବାଦୀ ଦଳକୁ ୟୁପିଏ ଆଡକୁ ଟାଣିବା ପାଇଁ ମଧ୍ୟଯୋଜନା ହୋଇଛି । ମହାରାଷ୍ଟ୍ରରେ ଶିବସେନା ସରକାର ପ୍ରତିଷ୍ଠା ପାଇଁ ସେମାନଙ୍କ ସମର୍ଥନ ଚାହିଁଲେ ପ୍ରଥମେ ବିଜେପି ଓ ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ସହ ସଂପର୍କ ତୁଟାଉ ବୋଲି କଂଗ୍ରେସ ମୁଖ୍ୟା ସୋନିଆ ଗାନ୍ଧୀ ଓ ଏନସିପି ମୁଖ୍ୟ ଶରଦ ପାୱାର ସର୍ତ ରଖିଛନ୍ତି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ପ୍ରକାଶ ପାଇବା ପରଠାରୁ ଦୁଇ ‘ହିନ୍ଦୁତ୍ୱବାଦୀ’ ଦଳ ବିଜେପି-ଶିବସେନା ମଧ୍ୟରେ ଅଧା ଅଧା କ୍ଷମତା ବଂଟାକୁ ନେଇ ବିବାଦ ଲାଗି ରହିଛି । ଏହି ମେଂଟ ସରକାର ଗଠନ କରିବା ରାଜ୍ୟବାସୀ ଚାହୁଁ ଥିଲେ ଏବଂ ମେଂଟକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଦେଇଥିଲେ । ତେବେ, କ୍ଷମତା ଲଢେଇ ଶେଷରେ ରାଜ୍ୟରେ ‘ହିନ୍ଦୁତ୍ୱ’ ରାଜନୀତିକୁ ପଦାନତ କରି ଧର୍ମନିରପେକ୍ଷତା ଆଡକୁ ପାଦ ଉଠାଇବାକୁ ବାଧ୍ୟ ହୋଇଛି । ବିଡ଼ମ୍ବନାର ବିଷୟ ହେଉଛି, ବିଜେପି-ଶିବସେନା ମେଂଟ ମିଳିତ ଭାବେ ନିର୍ବାଚନ ଲଢି ୧୬୧ ଆସନ ପାଇ ଥିଲେ ମଧ୍ୟ କ୍ଷମତା ଲାଳସାରେ ବିଭାଜିତ ଅବସ୍ଥାରେ ପହଂଚିଛନ୍ତି । ଶିବସେନା ୫୦:୫୦ କ୍ଷମତା ବଂଟନ ଦାବିରେ ନିଜର ସ୍ୱତନ୍ତ୍ର ପରିଚୟ ହରାଇଛି । ବିଧାନସଭାରେ ସ୍ୱାଧୀନ ଓ ଅନ୍ୟ ଦଳ ବିଧାୟକଙ୍କ ସଂଖ୍ୟା ହେଉଛି ୨୯ । ବିଧାନସଭା ନିର୍ବାଚନରେ କଂଗ୍ରେସ ୪୪ ଆସନ ପାଇ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଏନସିପିର ୫୪ ଆସନ ପାଇ ତ୍ୟତୀୟ ସ୍ଥାନରେ ରହିଛି । ଏନସିପି ଓ କଂଗ୍ରେସ ବିଧାନସଭାରେ ବିରୋଧୀ ଆସନରେ ବସିବାକୁ ମନ ସ୍ଥିର କରି ନେଇ ଥିବା ବେଳେ ଶିବସେନା ସୁନା ଥାଳି ଧରି ସେମାନଙ୍କୁ ସରକାରକୁ ଆସିବାର ସୁଯୋଗ ଦେଇଛି । ଏନଡ଼ିଏ ଛାଡିଲେ ଶିବସେନାକୁ ଏନସିପି ସମର୍ଥନ ଦେବା କଥା ବିଚାର କରିବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଜଣି ଥିଲେ । କଂଗ୍ରସ ମୁଖ୍ୟ ସୋନିଆ ଗାନ୍ଧୀ ଶିବସେନାକୁ ‘ନା’ କହି ଦୁଆର କିଳି ବସି ଥିଲେ । ନଭେମ୍ବର ୧୦ ତାରିଖ ତାଙ୍କ ସରକାରଙ୍କ କଂଟ ପୁରିବା ପରେ ଫଡନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶିବସେନାକୁ ସରକାର ଗଠନର ଆହ୍ୱାନ ଦେଇଥିଲେ । ବିଜେପି କାଳେ ଶିବସେନା ଓ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରି ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ଦେଖାଇବ, ସେହି ଭୟରେ ଶିବସେନା ଦୁଇ ଦିନ ହେଲା ନିଜର ବିଧାୟକଙ୍କୁ ଏକ ହୋଟେଲରେ ନଜରବନ୍ଦୀ ରଖିଛି । କଂଗ୍ରେସ ନେତାମାନେ କାନ୍ଦୁ ଥିଲେ ନିଜ ବିଧାୟକଙ୍କୁ ଖୋଲା ଛାଡିଛନ୍ତି । ବିଜେପି ସରକାର ଗଠନ ପାଇଁ ଦାବି କଲେ ବିଧାନସଭା ‘ଫ୍ଲୋର୍ ଟେଷ୍ଟ୍’ରେ ଏନସିପି ବିଧାୟକମାନେ ବିଜେପି ବିରୋଧରେ ଭୋଟ ଦେବେ ବୋଲି ଶରଦ ପାୱାର ଚେତାଇ ଦେବା ପରେ ବିଜେପି ସରକାର ଗଠନ ଦାବିରୁ ଓହରିବା ଛଡା ଅନ୍ୟ ବିକଳ୍ପ ନ ଥିଲା । ଏମିତି ବି କଂଗ୍ରେସ ବିଜେପିକୁ ସମର୍ଥନ ଦେଇ ନ ଥା’ନ୍ତା । ତେଣୁ, ଶିବସେନା ଅନୁକୂଳ ସ୍ଥିତିରେ ରହି ମୂଲଚାଲ ଚଳାଇ ଥିଲା । ଏବେ, ସୁନା କଳସ ଶିବସେନା ମୁଣ୍ଡରେ ଢଳିବା ନିଶ୍ଚିତ ଥିବା ବେଳେ ସରକାରରେ ଏନସିପି ଓ କଂଗ୍ରେସର ଭୂମିକା କଣ ରହିବ, ତାହା ଦେଖିବାକୁ ବାକି ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS